Unknown

 

 

 

 

 

 

 

 

 

 

 

ରାଜପଥର ଅନ୍ତରାଳେ

ଆଶୁତୋଷ ରାୟ

 

–ଏକ–

 

କେଉଁଠାରୁ ପ୍ରଥମେ ଆରମ୍ଭ କରିବି ବୋଲି ଭାବି ବସିଲେ, ଯାହାର ମୁହଁଟି ସ୍ମୃତିର ବିଭିନ୍ନ କୋଣରୁ ଉଙ୍କି ମାରୁଛି, ସେ ଆଜି ବଞ୍ଚି ନାହିଁ । କୌଣସି ଗୋଟିଏ କର୍ମହୀନ ଅବକାଶର ଦିନରେ ପୁରୁଣା କାଗଜପତ୍ର ଖେଳାଉ ଖେଳାଉ, ବହୁଦିନରୁ ମୃତ କୌଣସି ପ୍ରିୟଜନର ହସ୍ତଲିପି ଖଣ୍ଡିଏ ଦେଖି, ହଠାତ ଯେପରି ମନ କେଉଁ ପୁରୁଣା ଦିନକୁ ଉଡ଼ିଯାଇ ସେଇ ପ୍ରିୟଜନର ସଙ୍ଗଲାଭ କରେ–ସେହିପରି, ଏତେଦିନ ପରେ ମଧ୍ୟ ଜଗବନ୍ଧୁ ବିଷୟରେ ସବୁକଥା ମୋର ନିର୍ଭୁଲ ଭାବରେ ମନେ ପଡ଼ୁଛି ।

 

୧୯୪୩ ମସିହାର ବର୍ଷାଦିନ । ପଞ୍ଚଗ୍ରହକୂଟ ନା ସେହିପରି କ’ଣ ଗୋଟାଏ ପ୍ରାକୃତିକ ଦୁର୍ଯୋଗ ହୋଇଥାଏ । ସେତିକିବେଳେ କୌଣସି ଗୋଟାଏ ତଦନ୍ତ ସମ୍ପର୍କରେ ମୁଁ କଲିକତା ଯାଇଥିଲି । ସେତେବେଳେ ସମଗ୍ର ପୃଥିବୀରେ ଦ୍ୱିତୀୟ ମହାସମରର ଧ୍ଵଂସଲୀଳା ଚାଲିଛି । କଲିକତାରେ ମଧ୍ୟ ଜାପାନୀମାନେ ବୋମା ପକାଉଛନ୍ତି । ମହାନଗରୀ ସନ୍ତ୍ରସ୍ତ । ଧୀରେ ଧୀରେ ଜନଶୂନ୍ୟ ହୋଇ ଯାଉଛି । ମୃତ୍ୟୁ ଭୟରେ ହଜାର ହଜାର ଲୋକ ପ୍ରତିଦିନ ସହର ଛାଡ଼ି ସୁଦୂର ପକ୍ଷୀ ପଳାଇ ଯାଉଛନ୍ତି । ଅସଂଖ୍ୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ି ରହିଛି ।

 

କଲିକତାର ଗୋଇନ୍ଦା ବିଭାଗ ସମ୍ବାଦ ପାଇଥିଲେ ଯେ ଖିଦିରପୁରର ଗୋଟିଏ ପ୍ରାଚୀନ ଓ ପରିତ୍ୟକ୍ତ ଅଟ୍ଟାଳିକା ଭିତରେ ଜାପାନୀ ଗୁପ୍ତଚର ରହିଛନ୍ତି । ପୁଲିସର ସ୍ପାଇ ସ୍ୱଚକ୍ଷୁରେ ଦେଖିଛି–ସେଇ ଅଟ୍ଟାଳିକାର ତଳ ମହଲାରେ କେହି ମହମବତି ବା ସେହିପରି କିଛି ଆଲୁଅ ଜଳାଏ । କିପରି ବିଚିତ୍ର ଶବ୍ଦ ମଧ୍ୟ ଘର ଭିତରୁ ଶୁଣାଯାଏ । କିପରି ଗୀତ ଗାଇବା ପରି ଶବ୍ଦ । ଏଥିରୁ ପ୍ରମାଣିତ ହୁଏ ଯେ ଘର ଭିତରେ କେହି ରହିଛି । ଅଥଚ ଘର ବାହାରେ ତାଲା ଝୁଲୁଛି । ଏଇ ସମ୍ବାଦ ଉପରେ ନିର୍ଭର କରି ଲାଲବଜାର ପୁଲିସ ବିଶ୍ୱାସ କଲେ ଯେ ଏପରି ଅବସ୍ଥାରେ ସେ ପରିତ୍ୟକ୍ତ ଅଟ୍ଟାଳିକା ଭିତରେ ଶତ୍ରୁପକ୍ଷର ଗୁପ୍ତଚର ଲୁଚି ରହିଥିବା ଅତି ସ୍ଵାଭାବିକ । ଅତଏବ, ଗଭୀର ରାତିରେ ଜାପାନୀ ଗୁପ୍ତଚର ଧରିବାପାଇଁ ସଶସ୍ତ୍ର ପୁଲିସ ଫଉଜ ଖିଦିରପୁରର ସେଇ ପରିତ୍ୟକ୍ତ ଅଟ୍ଟାଳିକାଟିକୁ ଘେରାଉ କଲେ । ଜାପାନୀ ଗୁପ୍ତଚରର ସନ୍ଧାନ ମିଳିଲା ନାହିଁ । ଘର ଭିତରେ ପୁଲିସ ଅବଶ୍ୟ ଗୋଟିଏ ଲୋକକୁ ଦେଖି ପାରିଲେ । ପୁଲିସର ଗୁପ୍ତ ସନ୍ଧାନୀ ମିଛ କହିନାହିଁ । ସେଇ ପ୍ରକାଣ୍ଡ ଅଟ୍ଟାଳିକା ଭିତରେ ଏକା ରହି ଏଇ ଲୋକଟି ରାତିରେ ମହମବତି ଜଳାଉଥିଲା । ଗୀତ ଗାଉଥିଲା । ପଛପଟର ଗ୍ୟାରେଜ୍ ଭିତରେ ଥିବା ଗୋଟିଏ ଛିଦ୍ର ବାଟେ ଗଳି ଲୋକଟି ଭିତରକୁ ଯାଉଥିଲା । ପୁଣି ପ୍ରୟୋଜନ ହେଲେ ବାହାରକୁ ମଧ୍ୟ ଆସି ପାରୁଥିଲା । ଜାପାନୀ ଗୁପ୍ତଚରକୁ ନ ପାଇ ସେଦିନ ରାତିରେ ଏଇ ଲୋକଟିକୁ ଲାଲବଜାର ପୁଲିସ ଧରି ଆଣିଲେ । ବହୁ ଭାବରେ ଦୀର୍ଘକାଳ ଧରି ଜେରା କରି ପୁଲିସ ବୁଝିଲେ ଯେ ଏଇ ବିଚିତ୍ର ଲୋକଟି ଯାହା ହେଉନା କାହିଁକି, ଶତ୍ରୁପକ୍ଷର ଗୁପ୍ତଚର ହୋଇ ନ ପାରେ ।

 

ଠିକ୍ ସେତିକିବେଳେ ମୁଁ ମଧ୍ୟ ଲାଲବଜାର ପୁଲିସ ହେଡ଼୍‍କ୍ଵାଟରରେ ପହଞ୍ଚିଥିଲି । ସେଠାରେ ମୁଁ ସେ ଲୋକଟିକୁ–ଅର୍ଥାତ୍ ଜଗବନ୍ଧୁଙ୍କୁ ପ୍ରଥମେ ଦେଖିଲି । ଦେଖିଲି କହିଲେ ହୁଏତ ଯଥେଷ୍ଟ ହେବନାହିଁ । କେତେ ଅଜଣା ଲୋକଙ୍କୁ ଆମେ ପ୍ରତିଦିନ ଦେଖୁ, ପୁଣି ଭୁଲିଯାଉ । ସେମାନଙ୍କର ପଦଚିହ୍ନ ଆମର ସ୍ମୃତିର ବେଳାଭୂମିରେ ବେଶିକ୍ଷଣ ରହେ ନାହିଁ । ଅତଏବ ସେଦିନ ଲାଲବଜାର ପୁଲିସ ହେଡ଼୍‍କ୍ଵାଟରରେ ମୁଁ କେବଳ ଜଗବନ୍ଧୁକୁ ଦେଖିଲି ନୁହେଁ–ତାକୁ ଆବିଷ୍କାର କଲି-

 

ଗୌରବର୍ଣ୍ଣ ଧଡ଼ିଆ ଲୋକଟା ବୟସ ଅନ୍ଦାଜ ଚବିଶ ବା ପଚିଶବର୍ଷ । ଦେହରେ ଖଣ୍ଡେ ଅଧ ମଇଳା ଧୋତି ଓ ଜାମା । ଲୋକଟାର ଚେହେରାରେ ଆକୃଷ୍ଟ ହେବାର କିଛି ନାହିଁ–କେବଳ ତା’ର ଆଖି ଦୁଇଟି ଛଡ଼ା । ବଡ଼ବଡ଼ ଦୁଇଟି ଆଖିରେ କିପରି ଗୋଟିଏ ଅଦ୍ଭୁତ ଆକର୍ଷଣୀ ଶକ୍ତି ରହିଛି । ସେ ଆଖିରେ କାପାଳିକର ଉଗ୍ରତା ନାହିଁ–କଜ୍ଜ୍ୱଳ ବୋଳା ସଜଳ ଆଖିର ସ୍ନିଗ୍‍ଧତା ମଧ୍ୟ ନାହିଁ । ତଥାପି, ଏପରି ଗୋଟିଏ ଅଦ୍ଭୁତ ଆକର୍ଷଣୀ ଥିଲା । ଯାହାକୁ ନିଜର ଅଜ୍ଞାତସାରରେ ମଣିଷ ବାରମ୍ବାର ଚାହେଁ । ସେଇ ଆଖି ଦୁଇଟି ଯୋଗୁଁ ତା’ର ସବୁକଥା ବିଶ୍ୱାସ କରିବାକୁ ଇଚ୍ଛା ହୁଏ ।

 

ଜଗବନ୍ଧୁର ଅନୁରୋଧରେ–ସେଦିନ ଲାଲବଜାରର ପୁଲିସ ହାକିମମାନଙ୍କୁ ଅନୁରୋଧ କରି ଜଗବନ୍ଧୁକୁ ମୁକ୍ତି ଦେଲି । ବାସ୍ତବିକ ତା’ ବିରୁଦ୍ଧରେ ସେପରି କିଛି ନଥିଲା । ପୁଲିସର ଜେରା ଓ ମୋର ପ୍ରଶ୍ନରେ ଜଗବନ୍ଧୁ ବୁଝାଇଥିଲା ଯେ ଜଣେ ଚିତ୍ରତାରକା ହେବା ତା’ ଜୀବନର ଅନ୍ୟତମ ଉଚ୍ଚାଭିଳାଷ । ସେ ବେଶି ପଢ଼ାଶୁଣା କରି ପାରିନାହିଁ । ବିଶ୍ଵବିଦ୍ୟାଳୟର ଡିଗ୍ରୀ ହାସଲ ନ କଲେ ଆଜିକାଲିକାର ଦୁନିଆରେ ତ ପ୍ରତିଷ୍ଠା ଲାଭ କରିବାର କୌଣସି ଉପାୟ ନାହିଁ । କେବଳ ଚିତ୍ରତାରକା ହେବାପାଇଁ କୌଣସି ଡିଗ୍ରୀର ପ୍ରୟୋଜନ ନାହିଁ । ସେଇ ଉଦ୍ଦେଶ୍ୟରେ ସେ କଲିକତା ଆସିଥିଲା । ଇନ୍ଦ୍ରପୁରୀ ଷ୍ଟୁଡ଼ିଓର ମାଲିକଙ୍କ ସଙ୍ଗେ କେତେଥର ଦେଖା କରିଥିଲା । ସେଠାରୁ ଜଗବନ୍ଧୁ ଜାଣିଲା ଯେ ସିନେମାରେ ଅଭିନୟ କରିବା ପୂର୍ବରୁ ‘ଭୟେସ ଟେଷ୍ଟ’ ଓ ‘ଲାଇଟ ଟେଷ୍ଟ’ ଦେବାକୁ ହୁଏ । ସେଇ ପରୀକ୍ଷା ଦେବା ଉଦ୍ଦେଶ୍ୟରେ ସେ କଲିକତାରେ ରହି ନିଜକୁ ପ୍ରସ୍ତୁତ କରୁଥିଲା । ଏଠାରେ ରହିବାର ସ୍ଥାନ ନାହିଁ । ଖିଦିରପୁରର ସେଇ ଭଙ୍ଗା ଓ ପରିତ୍ୟକ୍ତ ଘରଟା ଭିତରେ ସେ ଆପାତତଃ ଆଶ୍ରୟ ନେଇଥିଲା ।

 

ମୁଁ ପଚାରିଥିଲି–ତୁମ ଘର କେଉଁଠାରେ ?

 

–କଟକ ସହରରେ ସାର୍ । ବାଖରାବାଦରେ । ଆପଣଙ୍କୁ ମୁଁ ଚିହ୍ନେ ସାର୍ । ବହୁତ ଥର କଟକରେ ଦେଖିଛି । ଆପଣ ବର୍ତ୍ତମାନ ଟାଉନ ଥାନାରେ ଅଛନ୍ତି ତ । ଏଇ ଦେଖନ୍ତୁ ସାର୍ ମୋର କାର୍ଡ଼ ।

 

ସୁନ୍ଦର ଆଇଭରି କାର୍ଡ଼ରେ ଜଗବନ୍ଧୁ ନିଜ ନାଁ ଇଂରେଜୀରେ ଛପାଇଛି, ‘‘ଜଗବନ୍ଧୁ ଛୋଟରାୟ, ବି. ଭି. ଏମ୍. ।

 

ଏଇ “ବି. ଭି. ଏମ୍.’’ଟା କି ଉପାଧି, ସେତେବେଳେ ମୁଁ ବୁଝିପାରି ନଥିଲି । ବହୁଦିନ ପରେ ଥରେ କଟକରେ ଘଟନାଚକ୍ରରେ ମୁଁ ଜଗବନ୍ଧୁର ବାଖରାବାଦସ୍ଥିତ ବାସଭବନକୁ ଯାଇଥିଲି । ଦୁଇ ବଖରା ମାତ୍ର ଭଙ୍ଗା ଚାଳଘର, ଇଟା କାନ୍ଥ, ସିମେଣ୍ଟ ଚଟାଣ । ଭାଙ୍ଗିରୁଜି ସମ୍ପୂର୍ଣ ଭାବରେ ନଷ୍ଟ ହୋଇ ଗଲାଣି । ବହୁଦିନରୁ ଛପର ନ ହୋଇ ଚାଳସବୁ ମେଲା ହୋଇ ଗଲାଣି । ବତା ବାଉଁଶ ଝୁଲି ପଡ଼ିଲାଣି । ଚାରିଆଡ଼େ ଅରମା ବଣ । ଘର ଭିତରେ ଆଣ୍ଠୁଏ ଅଳିଆ । ତା’ରି ଭିତରେ ଜଗବନ୍ଧୁ ବାସ କରେ । ଖଣ୍ଡେ ଦଉଡ଼ା ଖଟିଆ, ଖଣ୍ଡେ ଭଙ୍ଗା ଟେବୁଲ । କାନ୍ଥରେ କେତେଟା କ୍ୟାଲେଣ୍ଡର ଓ ସାମାନ୍ୟ କେତେ ଖଣ୍ଡି ଲୁଗାପଟା ତା’ର ସମ୍ବଳ; କିନ୍ତୁ ସାମନା ପଟର ଭଙ୍ଗା କାନ୍ଥରେ ଖଣ୍ଡିଏ ଚକଚକିଆ ନେମପ୍ଲେଟ୍ ମରା ହୋଇଛି । ଜଗବନ୍ଧୁ ଛୋଟରାୟ ବି. ଭି. ଏମ୍. ।

 

ସେଇଦିନ ଜଗବନ୍ଧୁକୁ ପଚାରି ଏଇ ବି. ଭି. ଏମ୍. ଉପାଧିଟିର ରହସ୍ୟ ଉଦ୍‍ଘାଟନ କରିଥିଲି । ମୋର ପ୍ରଶ୍ନରେ ଜଗବନ୍ଧୁ ସାମାନ୍ୟ ଲଜ୍ଜିତ ହୋଇ କହିଲା–ବି. ଭି. ଏମ୍. ମାନେ ବାଚେଲର୍ ଇନ୍ ଭୋକାଲ୍ ମ୍ୟୁଜିକ୍ ସାର୍ ।

 

ଉଦ୍‍ଗତ ହସକୁ ବହୁ କଷ୍ଟରେ ଦମନ କରି ପଚାରିଲି–ଏ ଉପାଧିଟି କେଉଁ ଅନୁଷ୍ଠାନରୁ ତୁମେ ପାଇଥିଲ ଜଗବନ୍ଧୁ ? ନିର୍ବିକାର ଭାବରେ ଜଗବନ୍ଧୁ ଉତ୍ତର ଦେଲା–ଏହା ମୋର ଗୁରୁଦତ୍ତ ଉପାଧି ସାର୍ । ଉତ୍କଳର ଅପ୍ରତିଦ୍ଵନ୍ଦ୍ୱୀ କଣ୍ଠଶିଳ୍ପୀ ଓ ନାଟ୍ୟକାର ଶ୍ରୀ ମୋହନ ଚରଣ ଗୋସ୍ୱାମୀ ଥିଲେ ମୋର ଗୁରୁ । ଆପଣ ନିଶ୍ଚୟ ତାଙ୍କ ନାଁ ଶୁଣିଛନ୍ତି ସାର୍ ।

 

କହିଲି–କିନ୍ତୁ ମୁଁ ଜାଣିବାରେ ତ ମୋହନ ଗୋସ୍ୱାମୀ ଇଂରାଜୀ ଜାଣନ୍ତି ନାହିଁ । ତୁମକୁ ଏପରି ଇଂରାଜୀରେ ସେ ଉପାଧି ପ୍ରଦାନ କଲେ କିପରି ?

 

ସଲଜ୍ଜ ହସ ହସି ଜଗବନ୍ଧୁ କହିଲା–ଅବଶ୍ୟ ସେ ଇଂରାଜୀ ଜାଣନ୍ତି ନାହିଁ; କିନ୍ତୁ ସେ ଯଦି ଇଂରାଜୀ ଜାଣିଥାନ୍ତେ–ମୋତେ ଯାହା ଉପାଧି ଦିଅନ୍ତେ, ମୁଁ ସେହିପରି ଗୋଟିଏ ଉପାଧି ନିଜେ ସୃଷ୍ଟି କରି ବ୍ୟବହାର କରୁଛି ।

 

ଅତି ଅକାଟ୍ୟ ଯୁକ୍ତି । ଏହାପରେ ଆଉ କୌଣସି ବାଦାନୁବାଦ ଚଳେ ନାହିଁ । ସେଦିନ ଜଗବନ୍ଧୁ ମୋତେ ଖଣ୍ଡିଏ କଣ୍ଠସଙ୍ଗୀତ ଶୁଣାଇବ ବୋଲି ଜିଦ୍ ଧରିଲା; କିନ୍ତୁ ମୋର ଏତେଦୂର ଧୈର୍ଯ୍ୟ ବା ଅବସର ନଥିଲା । ବହୁ କଷ୍ଟରେ–‘ଆଉ ଦିନେ ଶୁଣିବି’ କହି ଜଗବନ୍ଧୁ ଘରୁ ମୁଁ ସେଦିନ ଚାଲି ଆସିଥିଲି ।

 

ହଁ, କଲିକତାରେ ଜଗବନ୍ଧୁକୁ ପ୍ରଥମ ଆବିଷ୍କାର କରିବାର କାହାଣୀ କହୁକହୁ ଘଟନାଚକ୍ରରେ ମୁଁ ତାହାର ବହୁଦିନର ପରବର୍ତ୍ତୀ ଘଟନାକୁ ଚାଲି ଆସିଛି । ଲାଲବଜାରରୁ ଜଗବନ୍ଧୁକୁ ସଙ୍ଗରେ ଧରି ମୁଁ ସେଦିନ କଲିକତାର ରାଜପଥରେ ଆସି ଛିଡ଼ା ହେଲି । ପଚାରିଲି–ଏବେ କେଉଁଆଡ଼େ ଯିବ ଜଗବନ୍ଧୁ ?

 

ଗୋଟାଏ ନୈରାଶ୍ୟ ଯେପରି ତା’ର ଅନ୍ତରକୁ ଆଚ୍ଛନ୍ନ କରିଦେଲା । କିଛିକ୍ଷଣ ନୀରବ ରହି କହିଲା–ନା’ ସାର୍; ଆଉ କଲିକତାରେ ରହିବି ନାହିଁ । ଏବେ କଟକ ଫେରିଯିବି । ଆପଣ ଯଦି ଦୈବାତ ଏଠାରେ ନ’ ଥାନ୍ତେ, ତାହାହେଲେ ମୋର କି ଦୁର୍ଦ୍ଦଶା ହୁଅନ୍ତା କହନ୍ତୁ ତ ?

 

ତା’ପରେ ହଠାତ କହି ଉଠିଲା–ସାର୍, ଏଇ ହୋଟେଲରେ ଆପଣ କେବେ ଖାଇଛନ୍ତି-? ଚମତ୍କାର ଚପ୍ ଆଉ କଟ୍‍ଲେଟ୍ କରେ । ଅଣ୍ଡାର ଗ୍ରିଲ୍ ତ ଆହୁରି ସୁନ୍ଦର, ଲଭ୍‍ଲି । ଲୋଭରେ ଜଗବନ୍ଧୁର ମୁହଁ ଲାଳାୟିତ ହୋଇ ଉଠିଲା । ସେ ଯେ କ୍ଷୁଧାର୍ତ୍ତ, କିନ୍ତୁ କୌଣସି ଭଲ ଜିନିଷ ଖାଇବାପାଇଁ ଆର୍ଥିକ ସାମର୍ଥ୍ୟ ନାହିଁ–ଏହା ମୁଁ ଭଲ ଭାବରେ ବୁଝି ପାରିଲି । ତାକୁ ହୋଟେଲ ଭିତରକୁ ନେଇ କହିଲି, କ’ଣ ସବୁ ‘ଲଭ୍‍ଲି’ ଜିନିଷ ଏଠାରେ ମିଳେ, ତୁମେ ନିଜେ ଅର୍ଡ଼ର ଦିଅ, ଜଗବନ୍ଧୁ ! ମୂଲ୍ୟପାଇଁ ଚିନ୍ତା କର ନାହିଁ । ପେଟ ଭର୍ତ୍ତି କରି ସବୁ ଲଭ୍‍ଲି ଜିନିଷ ଖାଅ ।

 

ବିନୟ ଓ କୃତଜ୍ଞତାରେ ଜଗବନ୍ଧୁ ଏକାବେଳକେ ନଇଁ ପଡ଼ିଲା ।

 

ସାର୍, ଆପଣ ଖାଇବେ ତ ?

 

–ହଁ, ମୁଁ ମଧ୍ୟ ଖାଇବି । କିନ୍ତୁ ସାମାନ୍ୟ । ମୋଟେ ଭୋକ ନାହିଁ ।

 

ସେ ଦିନ ଜଗବନ୍ଧୁ ପରି ଧଡ଼ିଆ ଲୋକଟା ଯେତେ ଖାଇଲା ତାହା ଗୋଟାଏ ଦର୍ଶନୀୟ ଘଟନା । କେତେ ଦିନର କ୍ଷୁଧା ଯେ, ତା’ ପେଟରେ ସଞ୍ଚିତ ହୋଇଥିଲା କେଜାଣି । ପରମ ତୃପ୍ତିରେ ଖାଇସାରି ଜଗବନ୍ଧୁ କହିଲା–ଆପଣଙ୍କୁ ଧନ୍ୟବାଦ ସାର୍ । ସିଗାରେଟ୍ ଅଛି ?

 

ସିଗାରେଟ୍ କେସ୍‍ଟି ଓ ଦିଆସିଲିଟି ଜଗବନ୍ଧୁ ହାତକୁ ଦେଲି । ଜଗବନ୍ଧୁ ଖଣ୍ଡିଏ ସିଗାରେଟ୍ ମୁହଁରେ ଲଗାଇ ଆଉ ଦୁଇଖଣ୍ଡି ସିଗାରେଟ୍ କେସ୍‍ରୁ ବାହାର କରି ପରମ ଯତ୍ନରେ ନିଜ ପକେଟରେ ରଖିଲା । ତା’ପରେ ଦିଆସିଲିରୁ କେତୋଟି କାଠି ଗୋଟିଏ ଖାଲି ଦିଆସିଲି ଖୋଳରେ ପୂରାଇ ମୋତେ ସିଗାରେଟ୍ କେସ୍‍ଟି ଓ ଦିଆସିଲି ଫେରାଇ ଦେଲା । କାହିଁକି କେଜାଣି ମୁଁ ଜଗବନ୍ଧୁର ଏପରି କାଣ୍ଡ ଦେଖି ବିରକ୍ତ ନ ହୋଇ ପରମ କୌତୁକ ଉପଭୋଗ କରିଥିଲି ।

 

ଜଗବନ୍ଧୁର ସିଗାରେଟ୍ ଟାଣିବା ମଧ୍ୟ ଗୋଟାଏ ଦର୍ଶନୀୟ ଘଟନା । ଏକା ଦମ୍‍ରେ ସିଗାରେଟ୍‍ଟିର ଅର୍ଦ୍ଧଧିକ ଭସ୍ମୀଭୂତ କରି ସେ କିଛିକ୍ଷଣ ସ୍ଥିର ଭାବରେ ପ୍ରାଣାୟାମରତ ଯୋଗୀପରି ଚଉକିରେ ବସି ରହିଲା । ଯେପରି ବିନ୍ଦୁ ମାତ୍ର ଧୂଆଁ କୌଣସି ରନ୍ଧ୍ରପଥରେ ନିର୍ଗତ ହୋଇ ନ ଯାଏଁ-। ତା’ପରେ ଯତ୍‍ସାମାନ୍ୟ ବଳକା ଧୂଆଁ ଧୀରେ ଧୀରେ ନାମା ଓ ମୁଖ ବିବରରୁ ନିର୍ଗତ କରି ପଚାରିଲା–ଆପଣ କେଉଁଦିନ କଟକ ଫେରିବେ ସାର୍ ?

 

–ମୁଁ ଆଜି ପୁରୀ ଏକ୍‍ସପ୍ରେସ୍‍ରେ ଫେରିବି ଠିକ୍ କରିଛି ।

 

ଆଚ୍ଛା ସାର୍, ଧନ୍ୟବାଦ । ଆପଣ ଜଣେ ଲଭ୍‍ଲି ଜେଣ୍ଟଲ୍ ମ୍ୟାନ୍ । ଯଦି ସୁବିଧା ହୁଏ, ମୁଁ ମଧ୍ୟ ଆପଣଙ୍କ ସଙ୍ଗେ ଫେରିଯିବି । ଏପରି ଭୟାନକ ସ୍ଥାନରେ ମୁଁ ଆଉ ରହିବାକୁ ଚାହେଁ ନାହିଁ-। ଜଗବନ୍ଧୁ ଚାଲିଗଲା ।

 

ଯୁଦ୍ଧବେଳେ ପୁରୀ ଏକ୍‍ସପ୍ରେସ୍‍ରେ ଗୋଟିଏ ଭଦ୍ରଜନୋଚିତ ସ୍ଥାନ ଯୋଗାଡ଼ କରିବା ପ୍ରାୟ ଅସମ୍ଭବ ଥିଲା । କାହିଁକି କେଜାଣି–ସେଦିନ ଟ୍ରେନ୍‍ରେ ଖୁବ୍ ବେଶି ଭିଡ଼ ନଥିଲା । ହାବଡ଼ା ରେଲ୍‍ୱେ ପୁଲିସରେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ । ତାଙ୍କ ଚେଷ୍ଟାରେ ମୁଁ ଖଣ୍ଡିଏ ପ୍ରଥମ ଶ୍ରେଣୀର କୁପେ ପୂରା ପାଇଗଲି । ବନ୍ଧୁଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ମୋର ସାମାନ୍ୟ ଜିନିଷପତ୍ର କୋଠରି ଭିତରେ ରଖି, ପ୍ଲାଟ୍‍ଫର୍ମ ଉପରେ ବୁଲିବାକୁ ଲାଗିଲି । ଜଗବନ୍ଧୁ ମଧ୍ୟ ଆଜି ଫେରିବ ବୋଲି କହିଥିଲା । ବହୁକ୍ଷଣ ପର୍ଯ୍ୟନ୍ତ ତାକୁ ଅପେକ୍ଷା କଲି, କିନ୍ତୁ ପାଇଲି ନାହିଁ ।

 

ଏହି ସମୟରେ ଦଳେ ମୁମୂର୍ଷୁ କୁକୁରର ଆର୍ତ୍ତନାଦ ପରି ସାଇରନ୍‍ ବାଜି ଉଠିଲା । ମହାନଗରୀର ଆକାଶ ଉପରେ ଜୀବନ୍ତ ମୃତ୍ୟୁ ତା’ର କଳା ଡେଣା ବିସ୍ତାର କରି ମାଡ଼ି ଆସୁଛି । ଜାପାନୀ ବିମାନ ମହାନଗରୀକୁ ଧ୍ଵଂସ କରିବ ବୋଲି ଆସିଛି । ସଙ୍ଗେ ସଙ୍ଗେ ସବୁ ଆଲୁଅ ନିଭାଇ ଦିଆହେଲା । ସମ୍ପୂର୍ଣ୍ଣ ବ୍ଳାକଆଉଟ୍ । ଶବ୍ଦମୁଖର କଲିକତା ଓ ହାବଡ଼ା ଷ୍ଟେସନ ସମ୍ପୂର୍ଣ୍ଣ ନୀରବ ହୋଇଗଲା । ତା’ପରେ ଆକାଶରେ ଲଢ଼ୁଆ ବିମାନମାନଙ୍କର ଗର୍ଜନ ଶୁଣାଗଲା । କେଉଁଠାରେ ବୋମା ପଡ଼ିଲା । ଥରେ–ଦୁଇଥର । ଭୂମିକମ୍ପ ପରି ଯେପରି ମାଟି ଥରିଉଠିଲା । ପ୍ରାୟ ପାଞ୍ଚମିନିଟ ପରେ ପୁଣି ସାଇରନ୍ ବାଜି ଉଠିଲା । ଏଥର ଅନ୍ୟ ରକମ ତା’ର ଶବ୍ଦ । ଅଲ୍ କ୍ଲିୟର୍ । ଅର୍ଥାତ୍ ଆଉ କିଛି ଭୟ ନାହିଁ । ପ୍ଲାଟଫର୍ମ ନିକଟରେ ବହୁତ ଟ୍ରେଞ୍ଚ୍ ଖୋଳା ହୋଇଛି । ପ୍ରଥମ ସାଇରନ୍ ଶୁଣି ଶହ ଶହ ମୃତ୍ୟୁ ଭୀତ ନରନାରୀ ପ୍ରାଣରକ୍ଷା କରିବାପାଇଁ ଅନ୍ଧକାରରେ ସେଇସବୁ ଟ୍ରେଞ୍ଚ୍ ଭିତରେ ଆଶ୍ରୟ ନେଇଥିଲେ । ‘ଅଲ୍ କ୍ଲିୟର୍’ ଘୋଷଣା ଶୁଣି ପୁଣି ବାହାରିଲେ । ପ୍ଲାଟଫର୍ମରେ ପୁଣି ଆଲୁଅ ଜଳିଉଠିଲା । ନିଷ୍ପ୍ରଭ ନିମ୍ନମୁଖୀ ଆଲୋକ । ଏୟାର୍ ରୋଡ଼୍‍ ପ୍ରିକସନ୍ ।

 

ମୁଁ କିନ୍ତୁ ଟ୍ରେଞ୍ଚ୍‍ରେ ଆଶ୍ରୟ ନେଇ ନଥିଲି । ମୃତ୍ୟୁ ପ୍ରତି ମୋର ଚିରଦିନ କିପରି ଗୋଟାଏ ମଧୁର ସୌହାର୍ଦ ଅଛି । ସେ ବିଷୟରେ ମୁଁ ଅତିଶୟ ଭାଗ୍ୟବାଦୀ । ମୋ’ର କମ୍ପାର୍ଟମେଣ୍ଟକୁ ଯାଇ ବସିଲି । ଟ୍ରେନ୍ ଛାଡ଼ିବାର ସମୟ ଗଡ଼ିଗଲାଣି । କିଛିକ୍ଷଣ ପରେ ଟ୍ରେନ୍ ଛାଡ଼ିଲା ।

 

ମୁଁ ଭଲ ଭାବରେ ବିଛଣାଟି ପାରି ଗୋଟିଏ ନିଶ୍ଚିନ୍ତ ଶୟନର ଯୋଜନା କରୁଛି–ଏହି ସମୟରେ ବାଥରୁମ୍ ଖୋଲି ଗୋଟିଏ ମଣିଷ ବାହାରିଲା । ମୁଁ ଚମକି ପଡ଼ିଲି । କ୍ଷଣକପାଇଁ ଭୟରେ ମୋର ସର୍ବାଙ୍ଗ ଶୀତେଇ ଉଠିଲା । କିନ୍ତୁ ପରକ୍ଷଣରେ ମୁଁ ଲୋକଟିକୁ ଚିହ୍ନିଲି ।

 

ପ୍ରଶାନ୍ତ ହସ ହସି ଜଗବନ୍ଧୁ କହିଲା–ମୁଁ ନିଶ୍ଚୟ ଆଜି ଗାଡ଼ି ଫେଲ୍ ହୋଇଥା’ନ୍ତି ସାର୍ । ଏଇ ଏୟାର୍ ରେଡ଼୍ ଯୋଗୁଁ ସବୁ ସୁବିଧା ହେଲା । ଗାଡ଼ି ଛାଡ଼ିବାକୁ ବିଳମ୍ବ ହେଲା । ଆଉ ମଧ୍ୟ ବ୍ଲାକ୍ଆଉଟ୍ ଯୋଗୁଁ ପ୍ଲାଟଫର୍ମ ଭିତରେ ପଶିବାକୁ ସୁବିଧା ହେଲା । ଏ ସବୁ ଷ୍ଟେସନରେ ସବୁ ରକମର ଅସୁବିଧା । ଆମ ପଟର ବ୍ୟବସ୍ଥା କିନ୍ତୁ ଅତି ସୁନ୍ଦର ସାର୍ । କଟକ ଷ୍ଟେସନ କହନ୍ତୁ–ବା ଅନ୍ୟ ଯେ କୌଣସି ଷ୍ଟେସନ କହନ୍ତୁ, ସବୁଆଡ଼େ ଅତି ସୁନ୍ଦର ବ୍ୟବସ୍ଥା । ଚାରିଆଡ଼ ଖୋଲା । ଯେ କୌଣସି ଦିଗରୁ ବିନା ଟିକଟରେ ପଶିହେବ । ଆଉ ଏ ହାବଡ଼ା ଷ୍ଟେସନ୍ ! ଛି, ଛି !

 

ପ୍ରଥମେ ମୁଁ ଜଗବନ୍ଧୁ ଉପରେ ବିରକ୍ତ ହେବି ବୋଲି ଭାବିଥିଲି । କିନ୍ତୁ ତା’ର କଥା ଶୁଣି ହସିପକାଇଲି । କମ୍ପାର୍ଟମେଣ୍ଟକୁ ଭଲ କରି ଚାହିଁ ଜଗବନ୍ଧୁ ଖୁସିହୋଇ କହିଲା–ବାଃ, ଆପଣ ଭଲ ସ୍ଥାନଟି ପାଇଛନ୍ତି । ଉପର ବର୍ଥରେ ମୁଁ ଶୋଇଯିବି । ଆଜି ବଡ଼ ଲଭ୍‍ଲି ନିଦଟା ହେବ ।

 

ପଚାରିଲି–ତୁମେ କ’ଣ ଟ୍ରେନ୍‍ରେ ମୋଟେ ଟିକଟ କରନାହିଁ ଜଗବନ୍ଧୁ ? ମୋ ପ୍ରଶ୍ନରେ ଜଗବନ୍ଧୁ ବିନ୍ଦୁମାତ୍ର ଲଜ୍ଜିତ ବା ସଂକୁଚିତ ନ ହୋଇ କହିଲା–ନା’ ସାର୍ । ମୋ ନିକଟରେ ଟିକଟ କରିବାର ପଇସା ସାଧାରଣତଃ ଥାଏ ନାହିଁ । ତା’ଛଡ଼ା ମୁଁ ତ ଏସବୁ କ୍ଲାସରେ ବସେନାହିଁ ଯେ ଟିକଟ କିଣିବି ?

 

ଜଗବନ୍ଧୁର ଯୁକ୍ତି ମୁଁ ଠିକ୍ ବୁଝି ନପାରି ପଚାରିଲି–ଏ ସବୁ କ୍ଲାସ ଛାଡ଼ି ତଳ କ୍ଲାସରେ ଗଲେ କ’ଣ ଟିକଟ କରିବାକୁ ହୁଏନା ?

 

ସାମାନ୍ୟ ଟିକିଏ ଉତ୍ତେଜିତ ହେବାପରେ ଜଗବନ୍ଧୁ କହିଲା–ନା, ଟିକଟ କିଣିବାର କଥା ନୁହେଁ, ଏ ପାଜି ରେଲ କମ୍ପାନୀ କ’ଣ କରୁଛି–ଜାଣନ୍ତି ସାର୍ ? ଯେଉଁ ଡବାରେ ଅଠତିରିଶଜଣ ଯିବେ ବୋଲି ଲେଖାଅଛି–ସେଥିରେ ଅଶୀଜଣଙ୍କୁ ବସାଇ ଟିକଟ ଦେଉଛି । କେତେ ଲାଭ କରୁଛି–ଦେଖନ୍ତୁ ସାର୍ । ସେଇ ଭିଡ଼ ଭିତରେ ଆଉ ଗୋଟାଏ ଲୋକ ପଶିଲେ କମ୍ପାନୀର କ’ଣ କିଛି କ୍ଷତି ହେଲା ?

 

ହସିପକାଇଲି ।–ଅତଏବ, ତମେ ଟିକଟ କରି ରେଲ କମ୍ପାନୀକୁ ଆହୁରି ବେଶି ଅପରାଧୀ କରିବ ନାହିଁ । ଜଗବନ୍ଧୁ ପ୍ରକୃତରେ ତୁମର ଯୁକ୍ତିଗୁଡ଼ିକ ଅତି ଶକ୍ତିଶାଳୀ । ତୁମେ ଯଦି ଓକିଲ ହୋଇଥା’ନ୍ତ, ତେବେ ବହୁତ ଉନ୍ନତି କରନ୍ତ ।

 

ଏକ୍‍ସପ୍ରେସ୍ ଟ୍ରେନ୍ ଧାଇଁ ଚାଲିଛି । ସେପର୍ଯ୍ୟନ୍ତ ରାତି ବେଶି ହୋଇନାହିଁ । ନିଦ ମଧ୍ୟ ମାଡ଼ିନାହିଁ । ବିଛଣା ଉପରେ ତକିଆ ଆଉଜି ବସିଥିଲି । ବର୍ଥର ଗୋଟିଏ କୋଣକୁ ଜଗବନ୍ଧୁ ବସିଥିଲା । ମୁଁ ପଚାରିଲି–ଜଗବନ୍ଧୁ, ତୁମର ଆଉ କିଏ ଅଛି ? ତୁମେ ବିବାହ କରିଛ ?

 

–ଆଉ ମୋର କେହି ନାହାନ୍ତି । ମୋର କେହି ଭାଇଭଉଣୀ ନଥିଲେ । ବାପ ମା ବହୁକାଳରୁ ଯାଇଛନ୍ତି । ଗୋଟିଏ ମାତ୍ର ପିଉସୀ ମୋର ଥିଲା । ସେ ମଧ୍ୟ ଦୁଇମାସ ତଳେ ଚାଲିଯାଇଛି । ମୁଁ ବଡ଼ ହତଭାଗା ସାର୍ ।

 

ବଡ଼ବଡ଼ ଆଖି ଦୁଇଟି ତା’ର କିପରି ବାଷ୍ପାଚ୍ଛନ୍ନ ହୋଇ ଉଠିଲା । ସେଦିନ ଜଗବନ୍ଧୁକୁ ମୁଁ ଆଉ କିଛି ପଚାରି ନଥିଲି । ତା’ର ବହୁଦିନ ପରେ ଥରେ ସେ ନିଜେ କହିଥିଲା ।

 

–ବାଙ୍କିର ଛୋଟରାୟ ବଂଶ କଥା ଶୁଣିଛନ୍ତି ସାର୍ ? ଦିନେ ସେମାନେ ପାଞ୍ଚକୋଶୀ ଜମିଦାର ଥିଲେ । ରାଜପୁରୀ ପରି ବିଶାଳ ନଅର । ଶୁଣିଛି, ସେକାଳେ ସିଂହ ଦୁଆରରେ ବିଶାଳ ଦୁଇଟା କଂସାର ଜାଉଁଳି କବାଟ ଥିଲା । ରାତିଅଧକୁ ସେ କଂସା କବାଟ କିଳା ହେଲେ ଡାକେ ବାଟକୁ ଶବ୍ଦ ଶୁଭୁଥିଲା । ପାଇକ, ବରକନ୍ଦାଜ ଭରି ରହିଥିଲେ । କିନ୍ତୁ ଆଜି ଆଉ କିଛି ନାହିଁ । କର୍ପୂର ପରି ସବୁ ପବନରେ ମିଳାଇଗଲା । ସେଇ ଛୋଟରାୟ ବଂଶର ମୁଁ ହେଉଛି ଶେଷ ବଂଶଧର । ପେଟକୁ ମୁଠାଏ ଦାନା ନାହିଁ । ପିଠିକି କନା ନାହିଁ । ବାରବୁଲା ଛତରାଙ୍କ ପରି ମୁଁ ଘୂରି ବୁଲୁଛି ।

 

ଏତିକି କହିସାରି ଜଗବନ୍ଧୁ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇଥିଲା । ପରେ ମୁଁ ଜାଣି ପାରିଥିଲି ଯେ ଜଗବନ୍ଧୁର କଥା ସମ୍ପୂର୍ଣ୍ଣ ସତ । ଏଇ ବଂଶର ହରିବନ୍ଧୁ ଛୋଟରାୟ ଜଣେ ପ୍ରତାପୀ ଜମିଦାର ଥିଲେ । ଥରେ ଖଣ୍ଡେ ଜମି ଦଖଲ ନେଇ ଆଉ ଜଣେ ପଡ଼ୋଶୀ ଜମିଦାରଙ୍କ ସଙ୍ଗେ ତାଙ୍କର କଳହ ହେଲା । ନିଜେ ହରିବନ୍ଧୁ ଛୋଟରାୟ ତାଙ୍କର ଦୋନଳା ବନ୍ଧୁକ ଧରି ଓ ବହୁ ଲୋକବାକ ଧରି ଜମି ଦଖଲ ନେବାକୁ ଗଲେ । ଭୀଷଣ ଦଙ୍ଗା ହେଲା । କେତେ ଲୋକ ଜଖମ ହେଲେ । ହରିବନ୍ଧୁ ଛୋଟରାୟ ନିଜ ଦୋନଳା ବନ୍ଧୁକରୁ ଗୁଳି ଚଳାଇଲେ । ଛୋଟରାୟ ଥିଲେ ଜଣେ ଦୁର୍ଦ୍ଧର୍ଷ ଶିକାରୀ । ଲକ୍ଷ୍ୟ ତାଙ୍କର ଅବ୍ୟର୍ଥ । ତିନିଜଣ ଲୋକ ସାଙ୍ଗେ ସାଙ୍ଗେ ଟଳି ପଡ଼ିଲେ ।

 

ଛୋଟରାୟ ଗିରଫ୍ ହେଲେ । ସାଂଘାତିକ ଫୌଜଦାରି ମକଦ୍ଦମା । ତଳ କଚେରିରୁ ବିଲାତର ପ୍ରିଭିକାଉନ୍‍ସିଲ ପର୍ଯ୍ୟନ୍ତ ମକଦ୍ଦମା ଚାଲିଲା । ଛୋଟରାୟଙ୍କର ସବୁ ସମ୍ପଦ ଶେଷ ହୋଇଗଲା । ଅବଶେଷରେ ପ୍ରିଭିକାଉନ୍‍ସିଲ ରାୟରେ ତାଙ୍କୁ ଛ’ବର୍ଷ କାରାଦଣ୍ଡ ହେଲା । କାରାଦଣ୍ଡର ଅପମାନ ବା ଦୈନ୍ୟର ଯନ୍ତ୍ରଣା ଛୋଟରାୟ କିନ୍ତୁ ଭୋଗକଲେ ନାହିଁ । ପ୍ରିଭିକାଉନ୍‍ସିଲ୍‍ର ୱାରଣ୍ଟ ତାଙ୍କ ଉପରେ ଜାରି ହେବା ପୂର୍ବରୁ ଲୋକାନ୍ତରର ୱାରଣ୍ଟ ଆସିଲା । ଦିନେ ସଞ୍ଜବେଳେ ଆରାମ ଚଉକିରେ ବସି ତମାଖୁ ସେବନ କରୁ କରୁ ସେ ଆଖି ବୁଜିଲେ । ହୃଦ୍‍ଯନ୍ତ୍ରର କ୍ରିୟା ବନ୍ଦ ହୋଇଗଲା ।

 

ତା’ପରେ ତାଙ୍କର ଏକମାତ୍ର ପୁତ୍ର ଦୀନବନ୍ଧୁ ଛୋଟରାୟ ଉତ୍ତରାଧିକାରୀ ହେଲେ । ଉତ୍ତରାଧିକାର ସୂତ୍ରରେ ସେ ପାଇଲେ ବିରାଟ ଭଙ୍ଗା ଉଆସଟା–ଆଉ ମୁଣ୍ଡଉପରେ ହିମାଳୟ ପରି ବିଶାଳ ପୈତୃକ ଋଣର ବୋଝ । ଅତଏବ, ଦାଣ୍ଡର ଭିକାରି ପରି ଅଶେଷ ଦୁଃଖ ଯନ୍ତ୍ରଣା ଭୋଗ କରି ଦୀନବନ୍ଧୁ ଛୋଟରାୟ ଏବଂ ତାଙ୍କ ସ୍ତ୍ରୀ ଅକାଳରେ ମୃତ୍ୟୁବରଣ କଲେ । ତା’ପରେ ଏଇ ବିଖ୍ୟାତ ଛୋଟରାୟ ବଂଶର ଶେଷ ପ୍ରଦୀପ ଏଇ ଜଗବନ୍ଧୁ । ଝଡ଼ର କୁଟାପରି ଉଡ଼ି ବୁଲୁଛି । ଅତୀତର ସ୍ମୃତି ଆଉ ଭାବିଷ୍ୟତ୍‍ର ରଙ୍ଗିନ ଦିବାସ୍ୱପ୍ନ ଭିତରେ ନିଜକୁ କେବଳ ବଞ୍ଚାଇ ରଖିଛି ।

 

ଜନ୍ମାନ୍ତରବାଦୀ ପଣ୍ଡିତମାନଙ୍କର ନାନା ଯୁକ୍ତି ମଧ୍ୟରୁ ଅନ୍ୟତମ ହେଉଛି–ଜୀବନର ଗତିପଥରେ ଆମେ ଅସଂଖ୍ୟ ଅଚିହ୍ନା ମଣିଷର ସଂସ୍ପର୍ଶରେ ଆସୁ । ସେମାନଙ୍କ ଭିତରେ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କୁ ପ୍ରଥମ ଦର୍ଶନରୁ କିପରି ପୂର୍ବ ପରିଚିତ ପରି ମନେହୁଏ । କିନ୍ତୁ ପୂର୍ବେ କଦାପି ତାଙ୍କୁ ଦେଖି ନ ଥାଉ । ପଣ୍ଡିତମାନଙ୍କ ମତରେ ତାହାହିଁ ଆମର ଜନ୍ମାନ୍ତରର ଅବଚେତନ ଓ ଅସ୍ପଷ୍ଟ ସ୍ମୃତି ।

 

ସେହିପରି–କୌଣସି ଜନ୍ମାନ୍ତରର ସମ୍ପର୍କ ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଜଗବନ୍ଧୁ କିଛିଦିନ ମଧ୍ୟରେ ପ୍ରାୟ ମୋର ପରିବାରଭୁକ୍ତ ହୋଇଗଲା । ପ୍ରାୟ ପ୍ରତିଦିନ ଖିଆପିଆଟା ମଧ୍ୟ ମୋର ଘରେ ଆରମ୍ଭ କଲା । କୌଣସି ବିରକ୍ତିକର ମୁହୂର୍ତ୍ତରେ ମୁଁ ଭାବେ, ତାକୁ ମନା କରି ଦେବି । ଏପରି ମହଙ୍ଗା ଦିନରେ ଗୋଟାଏ ଲୋକକୁ ପ୍ରତିଦିନ ଖାଇବାକୁ ଦେବା ପରି ମୋର ପ୍ରାଚୁର୍ଯ୍ୟ ନାହିଁ ।

 

ତା’ପରେ ହଠାତ ଜଗବନ୍ଧୁ କେଉଁଆଡ଼େ ଅଦୃଶ୍ୟ ହୋଇଯାଏ । ତିନି ଚାରିଦିନ ପର୍ଯ୍ୟନ୍ତ ଆଉ ଦେଖାଯାଏ ନାହିଁ । କେଉଁଆଡ଼େ ଯେ ଯାଏଁ, ତା’ ମୁଁ ଜାଣେ ନାହିଁ । କେଉଁଆଡ଼େ ଯିବାର ହେଲେ ଜଗବନ୍ଧୁର ମୋତେ ଜଣାଇବା କୌଣସି ପ୍ରୟୋଜନ ନାହିଁ । ମୋର ଜାଣିବାର ମଧ୍ୟ କୌଣସି ପ୍ରୟୋଜନ ନାହିଁ । କିନ୍ତୁ କେଜାଣି କାହିଁକି, ତା’ର ଅନୁପସ୍ଥିତିର ଦିନଗୁଡ଼ିକ କିପରି ଖାଲିଖାଲି ଲାଗେ । ମୋର କ୍ଷୁଦ୍ର ସଂସାରଟିର ଅପୂର୍ଣ୍ଣତା ମୁଁ ଅନୁଭବ କରେ ।

 

ବହୁ ବର୍ଷ ପରେ ଆଜି ଜଗବନ୍ଧୁ କାହାଣୀ ଲେଖିବାକୁ ବସି ମୋର କିପରି ମନେ ହେଉଛି ଯେପରି ତା’ର ଅପମୃତ୍ୟୁ ପାଇଁ ମୁଁ ପ୍ରକାରାନ୍ତରେ ଦାୟୀ । ମୃତ୍ୟୁ ପୂର୍ବରୁ ସେ ଯେଉଁ ଚିଠି ଖଣ୍ଡି ମୋପାଇଁ ଲେଖି ଯାଇଥିଲା ଏ ପର୍ଯ୍ୟନ୍ତ ମୁଁ ସେ ଖଣ୍ଡି ସାଇତି ରଖିଛି ।

 

–ଦୁଇ–

 

ଅପରାଧତତ୍ତ୍ଵଜ୍ଞାନୀମାନେ କହନ୍ତି ଯେ–ଅପରାଧ ସ୍ପୃହା ମଣିଷର ଜନ୍ମଗତ । ସୁବିଖ୍ୟାତ ‘ଓଲିଭର୍ ଟୁଇଷ୍ଟ୍’ ଗ୍ରନ୍ଥରେ ଡିକେନ୍‍ସ୍ ଲେଖିଛନ୍ତି ଯେ–ଅପରାଧ ବହୁଭାବରେ ମଣିଷ ମନରେ ଅନୁପ୍ରବେଶ କରେ । ବାହାରର ସୁନ୍ଦର ରୂପ ଦେଖି ମଣିଷର ମନକୁ ବିଚାର କରିବା ସମ୍ପୂର୍ଣ୍ଣ ବିବେକହୀନ ।

 

ଏ ସବୁ ପଣ୍ଡିତମାନଙ୍କର ଗୁରୁଗମ୍ଭୀର ତତ୍ତ୍ୱକଥା । ବିନା ତର୍କରେ ମୁଁ ସାଧାରଣତଃ ଏ ସବୁ ତତ୍ତ୍ଵକଥା ମାନିନିଏ । କିନ୍ତୁ ମୋର ନିଜର ଅଭିଜ୍ଞତାରୁ ମୁଁ ଯାହା ଜାଣିଛି–ତାହା ହେଉଛି ଏପରି ଅନେକ ଅପରାଧୀ ଅଛନ୍ତି, ଯେଉଁମାନଙ୍କର ଅପରାଧ ପ୍ରତି ଆଇନର ଦଣ୍ଡ କୋହଳ ନ ହେଲେ ମଧ୍ୟ, ଚିନ୍ତାଶୀଳ ବିଚାରକର ସହାନୁଭୂତି ହୁଏ ।

 

ମୋର ମଧ୍ୟ ଜଗବନ୍ଧୁ ପ୍ରତି ଆଜି ସହାନୁଭୂତି ହେଉଛି । ଦୀର୍ଘ କର୍ମ ଜୀବନରେ ଅସଂଖ୍ୟ ଅପରାଧୀ ମୁଁ ଦେଖିଛି । ସେମାନଙ୍କ ବିରୁଦ୍ଧରେ ଅକାଟ୍ୟ ପ୍ରମାଣ ସଂଗ୍ରହ କରି ସେମାନଙ୍କୁ ଦୀର୍ଘ ଦିନପାଇଁ କାରାଗାରକୁ ପ୍ରେରଣ କରିବା ମୋର କର୍ମଜୀବନର ଅନ୍ୟତମ ବ୍ୟସନ । ସେମାନଙ୍କ ବ୍ୟକ୍ତିଗତ ଜୀବନ କଥା ମୁଁ ଚିନ୍ତା କରିନାହିଁ । କ୍ଷୁଧାର୍ତ୍ତ ପୁତ୍ର କନ୍ୟାଙ୍କ ମୁହଁରେ ଆହାର ଦେବାପାଇଁ ଆଉ କୌଣସି ଉପାୟ ନ ଦେଖି କେହି ହୁଏତ ମୁଠାଏ ଚାଉଳ ଚୋରି କରିଛି-। ମୁଁ କେବଳ ସଂଗ୍ରହ କରିଛି ସେଇ ଅପରାଧୀ ବିରୁଦ୍ଧରେ ଚାଉଳ ଚୋରିର ଅକାଟ୍ୟ ପ୍ରମାଣ । ତାକୁ ଦୀର୍ଘକାଳ ପାଇଁ କାରାଗାରକୁ ପଠାଇ ସଗର୍ବରେ ଉପରିସ୍ଥ କର୍ମଚାରୀଙ୍କ ନିକଟରେ ରିପୋର୍ଟ ଦାଖଲ କରିଛି । ଯୋଗ୍ୟତାପାଇଁ ମୁଁ ପୁରସ୍କୃତ ହୋଇଛି । ଖାଦ୍ୟାଭାବରେ ଯେ ସେଇ ହତଭାଗାର ଶିଶୁ ସନ୍ତାନଗୁଡ଼ିକ ଦୁନିଆରୁ ବିଦାୟ ନେଲେ–ତରୁଣୀ ସ୍ତ୍ରୀ ତା’ର ବଞ୍ଚି ରହିବାପାଇଁ ଦେହ ବିକ୍ରି କଲା–ସେ ସବୁରେ ମୁଁ ବିଚଳିତ ହୋଇନାହିଁ । କାରଣ, ସେ ସବୁ ମୋର ସରକାରୀ କର୍ତ୍ତବ୍ୟର ଅଙ୍ଗ ନୁହେଁ ।

 

କିନ୍ତୁ କାହିଁକି କେଜାଣି, ଜଗବନ୍ଧୁର ଅପରାଧ ପ୍ରତି ମୋ’ର କୌଣସି ଘୃଣା ବା କର୍ତ୍ତବ୍ୟବୋଧର ତାଡ଼ନା ନଥିଲା ।

 

ଥରେ ଜଗବନ୍ଧୁ କେଉଁଆଡ଼େ ଚାଲିଗଲା । କିଛିଦିନ ପର୍ଯ୍ୟନ୍ତ ତା’ର ଅନୁପସ୍ଥିତି ଲକ୍ଷ୍ୟ କରି ନଥିଲି; କିନ୍ତୁ ଦିନେ ହଠାତ ତା’ କଥା ମନେ ପଡ଼ିବାରୁ ମନେ ମନେ ହିସାବ କରି ଦେଖିଲି ଯେ, ପ୍ରାୟ କୋଡ଼ିଏ ଦିନ ହେଲା ସେ ଆଉ ଆସୁନାହିଁ । ଏଇ କେତେକ ଦିନର ପରିଚୟରେ ମୁଁ ଭଲ କରି ଜାଣିଥିଲି ଯେ, ଅନ୍ୟ କୌଣସି ସ୍ଥାନରେ ତା’ର ଅନ୍ନ ସଂସ୍ଥାନର ସୁବିଧା ନାହିଁ । ମନରେ ଗୋଟାଏ ଅଜଣା ଅମଙ୍ଗଳର ଆଶଙ୍କା ଜାତ ହେଲା । ତେବେ କ’ଣ ଜଗବନ୍ଧୁ ପୀଡ଼ିତ ହୋଇ ନିଜ ଭଙ୍ଗା କୁଡ଼ିଆ ଭିତରେ ପଡ଼ି ରହିଛି ?

 

ସେହିକ୍ଷଣି ସବୁକାମ ଛାଡ଼ି ମୁଁ ଜଗବନ୍ଧୁର ଘରକୁ ଚାଲିଲି, ଘରେ କେହି ନାହିଁ । ବାହାରେ ଗୋଟିଏ ତାଲା ଝୁଲୁଛି । ଗୋଟାଏ ବୁଲାଷଣ୍ଢ ପିଣ୍ଡା ଉପରେ ପରମ ନିଶ୍ଚିନ୍ତରେ ଶୋଇ ରୋମନ୍ଥନ କରୁଛି । ଭଙ୍ଗାକାନ୍ଥ ଦେହରେ ଚକଚକିଆ ନେମ୍ ପ୍ଲେଟଟି ସେହିପରି ରହିଛି ।

 

‘ଜଗବନ୍ଧୁ ଛୋଟରାୟ, ବି. ଭି. ଏମ୍. ।’ ପାଖ ପଡ଼ିଶାଙ୍କୁ ପଚାରି ବୁଝିଲି–ପ୍ରାୟ ପନ୍ଦର କୋଡ଼ିଏ ଦିନ ହେବ ଜଗବନ୍ଧୁ ସେଠାକୁ ଯାଇ ନାହିଁ । ଜଗବନ୍ଧୁ ଯେ ପୀଡ଼ିତ ହୋଇ ଅସହାୟ ଅବସ୍ଥାରେ ଘରେ ପଡ଼ି ନାହିଁ, ତାହାହିଁ ମୋର ପରମ ସାନ୍ତ୍ଵନା । ଜଗବନ୍ଧୁ ନାବାଳକ ନୁହେଁ । କଲିକତା ପରି ସ୍ଥାନରେ ଅତି ବିଚିତ୍ର ଭାବରେ ସେ ଆସ୍ଥାନ ଜମାଇ ପାରିଥିଲା । ତା’ପାଇଁ ଦୁଶ୍ଚିନ୍ତାର କୌଣସି କାରଣ ନାହିଁ ।

 

ତା’ର କିଛିଦିନ ପରେ ହଠାତ ଦିନେ ଜଗବନ୍ଧୁ ଆସି ପହଞ୍ଚିଲା । ତା’ ରୂପ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଆଉ ସେ ମଇଳା ଜାମା ଓ ଧୋତି ନାହିଁ । ତା’ ପରିବର୍ତ୍ତରେ ଖଣ୍ଡେ ଭଲ ଫୁଲ୍ ପ୍ୟାଣ୍ଟ, ନୂଆ ସାର୍ଟ, ଗୋଡ଼ରେ ହଳେ ନୂଆ ଜୋତା । ରୀତିମତ ନବକଳେବର ହୋଇଛି । ମୁଁ କିଛି ପଚାରିବା ପୂର୍ବରୁ ଜଗବନ୍ଧୁ ପ୍ରଶାନ୍ତ ହସ ହସି ଗୋଟିଏ ପୂରାଟିଣ ସିଗାରେଟ୍ ଓ ଗୋଟିଏ ନୂଆ ଦିଆସିଲି ମୋ ସାମନାରେ ରଖି ଦେଲା । କିଛିକ୍ଷଣ ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲି । ପଚାରିଲି–କଥା କ’ଣ ଜଗବନ୍ଧୁ ! ତୁମକୁ ଯେ ଆଉ ଚିହ୍ନି ହେଉନାହିଁ ।

 

ଜଗବନ୍ଧୁ ଖଣ୍ଡିଏ ଚଉକିରେ ବସିପଡ଼ି ସହାସ୍ୟ ବଦନରେ କହିଲା–କିଛି ରୋଜଗାର କରିଛି, ସାର୍ । ଆପଣ ଗନିମିଆଁକୁ ଚିହ୍ନନ୍ତି ତ ? ଚୌଦ୍ଵାର ଏରୋଡ଼୍ରମର କଣ୍ଟ୍ରାକ୍‍ଟର । ଓଃ, ସେ ଜଣେ ଲଭ୍‍ଲି ଜେଣ୍ଟଲ୍ ମ୍ୟାନ୍ । ଏରୋଡ଼୍ରମର ବଡ଼ ସାହେବ ତାକୁ କହିଲେ–ପନ୍ଦର ଦିନ ଭିତରେ ଏକ ହଜାର ବାଉଁଶ ଝୁଡ଼ି ସପ୍ଲାଇ କରିବାକୁ ହେବ । ପ୍ରଚୁର ଲାଭ । ଉପରେ ଢାଙ୍କୁଣି ଥାଇ ଦେଢ଼ଫୁଟ ଲମ୍ବ, ଦେଢ଼ଫୁଟ ଓସାର ଝୁଡ଼ିକୁ ଦାମ୍‍ ଦେବେ ଝୁଡ଼ି ସପ୍ଲାଇ ନ କଲେ, କଣ୍ଟ୍ରାକ୍‍ଟର ରଦ୍ କରି ଦେବେ ।

 

ଯୋଗକୁ ମୁଁ ସେଦିନ ଗନିମିଆଁ ଘରକୁ ଯାଇଥିଲି । ସେ ମୁଣ୍ଡରେ ହାତଦେଇ ବସିଛି । କଥା କ’ଣ–ନା, ଏଇୟା ଏକ ହଜାର ଝୁଡ଼ି ମୁଁ ପନ୍ଦର ଦିନ ଭିତରେ କେଉଁଠୁ ଆଣିବି ?

 

ମୁଁ ପଚାରିଲି–ଏରୋଡ଼୍ରମରେ ଏତେ ଝୁଡ଼ିର କ’ଣ ପ୍ରୟୋଜନ ହେଲା ?

 

ଜଗବନ୍ଧୁ କହିଲା–ଆପଣଙ୍କପରି ମୁଁ ମଧ୍ୟ ପ୍ରଥମେ ସେଇ କଥା ଗନିମିଆଁକୁ ପଚାରିଥିଲି-। ସେ କହି ପାରିଲା ନାହିଁ । ତା’ପରେ ଝୁଡ଼ି ସବୁ ଡେଲିଭରି ଦେବାବେଳେ ମୁଁ ନିଜେ ଚୌଦ୍ଵାରର ବଡ଼ ସାହେବକୁ ପଚାରିଲି । ସାହେବ ମୋତେ ସବୁ ବୁଝାଇ ଦେଲେ । ଅତି ଭଲଲୋକ । ଲଭ୍‍ଲି ଜେଣ୍ଟଲ୍ ମ୍ୟାନ୍ । ମୋତେ ଝୁଡ଼ି ବିଷୟରେ ସବୁ ବୁଝାଇ କହିଲା । ଏଇସବୁ ଝୁଡ଼ି ଭିତରେ ବିସ୍କୁଟ, ଦୁଧ, ରୁଟି, ଚାହା, କଫିସବୁ ଭର୍ତ୍ତି କରାହେବ । ତା’ପରେ ଶହ ଶହ ଝୁଡ଼ି ଗୋଟିଏ ଲେଖା ଉଡ଼ାଜାହାଜରେ ନେଇ ଯେଉଁ ଦୁର୍ଗମ ପାହାଡ଼ ଜଙ୍ଗଲ ଅଞ୍ଚଳରେ ଆମ ସୈନ୍ୟମାନେ ରହି ଯୁଦ୍ଧ କରୁଛନ୍ତି, ତାଙ୍କରି ଛାଉଣୀରେ ପକାଇ ଦେବାକୁ ହେବ । ଏହାକୁ କହନ୍ତି, ‘‘ଫୁଡ଼୍‍ ଡ୍ରପିଙ୍ଗ୍ ।’’

 

–ତା’ପରେ, ମୁଁ ପଚାରିଲି ।

 

–ମୁଁ ସେଦିନ ଗନିମିଆଁର ଅବସ୍ଥା ଦେଖି କହିଲି–କୁଛ୍ ପରୋୟା ନାହିଁ । ଲେ ଆଓ ଆଡ଼୍‍ଭାନ୍‍ସ । ମୁଁ ହଜାରେ ଝୁଡ଼ି ଦେବି । ମୋ କଥା ଶୁଣି ପ୍ରଥମେ ଗନିମିଆଁ ବିଶ୍ୱାସ କରୁ ନଥିଲା । ତା’ପରେ ମୋତେ ଦୁଇଶ ଟଙ୍କାଦେଇ କହିଲା–ତମ ଜବାବ ଉପରେ ମୋର ଦାନାପାଣି ନିର୍ଭର କରୁଛି । ଟଙ୍କା ଧରି ମୁଁ ଚାଲିଲି । ଢେଙ୍କାନାଳ ଓ ଆଠଗଡ଼ର ଚମାରମାନଙ୍କୁ ଟଙ୍କା ଧରାଇ ଦେଇ ସେଇଠି ବସି ରହିଲି । ଗୋଟାକୁ ଆଠଅଣା ରେଟ୍‍ରେ ହଜାରେ ଝୁଡ଼ିଆଣି ଦାଖଲ କରିଦେଲି ।

 

–ତମେ କେତେ ଟଙ୍କା ପାଇଲ ?

 

–ଗସ୍ତ ଖର୍ଚ୍ଚ ବାଦ୍ ମୋତେ ଗନିମିଆଁ ଦୁଇଶ ଟଙ୍କା ଦେଇଛି । ନିଅନ୍ତୁ ସାର୍ ସିଗାରେଟ୍ ଲଗାନ୍ତୁ, ମୁଁ ଚା’ ମଗାଏ ।

 

କିଛିଦିନ ପର୍ଯ୍ୟନ୍ତ ଜଗବନ୍ଧୁ ପୁଣି ମୋ ଘରେ ଖିଆପିଆ କଲା । ଦୁଇ ହାତରେ ପଇସା ଉଡ଼ାଇଲା । ତା’ପରେ ପୁଣି ଦିନେ ହଠାତ ଅନ୍ତର୍ଦ୍ଧାନ ହୋଇଗଲା । ମୁଁ ଭାବିଲି ଯେ, ପୁଣି ହୁଏତ ଗନିମିଆଁଠାରୁ କୌଣସି କଣ୍ଟ୍ରାକ୍‍ଟର ପାଇ ସେ ଚାଲି ଯାଇଛି । ମୁଁ କୌଣସି ଦୁଶ୍ଚିନ୍ତା କରି ନଥିଲି । ଦିନେ ହଠାତ ଗନିମିଆଁ ସଙ୍ଗେ ମୋର ଦେଖା ହେଲା । ମୁଁ ତାକୁ ବହୁଦିନରୁ ଜାଣେ । ସେ ଥିଲା ବାଖରାବାଦର ଜଣେ ନାମଜାଦା ଗୁଣ୍ଡା । ସମ୍ପୂର୍ଣ୍ଣ ନିରକ୍ଷର ଓ ଦରିଦ୍ର । ମହାଯୁଦ୍ଧର କୁହୁକ ବଳରେ କେତେ ଖାନ୍‍ଦାନୀ ଘରର ନାରୀମାନେ ଦାଣ୍ଡର ଧୂଳିରେ ମିଶି ଯାଇଛନ୍ତି । ଆଉ କେତେ ଦରିଦ୍ର ନିଜର କର୍ମତପ୍ତରତା ଯୋଗୁଁ ପୁଞ୍ଜିପତି ହୋଇ ଯାଇଛନ୍ତି । ଗନିମିଆଁର ସେହିପରି ପଟ୍ଟପରିବର୍ତ୍ତନ ହୋଇଛି । ସେ ଦରିଦ୍ର ହେଲେବି ଜଣେ କରିତ୍‍କର୍ମା ପୁରୁଷ ଥିଲା । ଧନ ନଥିଲେ ମଧ୍ୟ–ଦେହରେ ବଳ ଓ ମନରେ ସାହସ ତା’ର ପ୍ରଚୁର ଥିଲା । ଚୌଦ୍ୱାରରେ ମିଲିଟେରୀ ଏରୋଡ଼୍ରମ ହେବାପରେ ସେ ଅଣ୍ଡା ଗୋଟିକୁ ଚାରି ପଇସାରେ କିଣି ସେଠାରେ ଚାରି ଅଣାରେ ବିକ୍ରି କରିବା ଆରମ୍ଭ କଲା । ପ୍ରଚୁର ଲାଭ କଲା । ତା’ପରେ ଧୀରେ ଧୀରେ ସେ ଉପରକୁ ଉଠିଲା । ବର୍ତ୍ତମାନ ସେ ଚୌଦ୍ଵାରର ଚିଫ୍ ଫୁଡ଼୍ କଣ୍ଟ୍ରାକ୍‍ଟର । ପ୍ରକାଣ୍ଡ ଧନୀ । ବାଖରାବାଦରେ ପୈତୃକ ଭଙ୍ଗା ଚାଳଘର ଭାଙ୍ଗି ଦୋମହଲା କୋଠା କରିଛି । ପ୍ରଚଣ୍ଡ କଳାବଜାରୀ । ପୁଲିସକୁ ବହୁତ ଖାତିର କରେ ।

 

ଗୋଟିଏ ଟଣା ରିକ୍‍ସାରେ ନିଜର ପ୍ରକାଣ୍ଡ ଦେହଟିକୁ ସ୍ଥାପନ କରି ଗନିମିଆଁ କେଉଁଆଡ଼େ ଯାଉଥିଲା । ମୋତେ ଦେଖି ରିକ୍‍ସାରୁ ଓହ୍ଲାଇ ସଲାମ କଲା । ପଚାରିଲି–ସବୁ ଭଲ ତ ?

 

ଅନ୍ୟାନ୍ୟ କେତେକ ଅବାନ୍ତର କଥାବାର୍ତ୍ତା ପରେ ମୁଁ କହିଲି–ଗନିମିଆଁ, ଜଗବନ୍ଧୁର ଖବର କ’ଣ ? ମୁଁ ବହୁତ ଦିନ ହେଲା ତାକୁ ଦେଖିନାହିଁ । ଏରୋଡ଼୍ରମରେ ଝୁଡ଼ି ଯୋଗାଇବା ପାଇଁ ପୁଣି ଅର୍ଡ଼ର ପାଇଛ ନା କ’ଣ ?

 

ମୋ କଥା ଶୁଣି ଗନି ମିଆଁ କିଛିକ୍ଷଣ ପର୍ଯ୍ୟନ୍ତ ମୋତେ ଚାହିଁ ରହିଲା ।–କେଉଁ ଜଗବନ୍ଧୁ-?

 

–କ’ଣ ! ତୁମେ ତୁମ ବସ୍ତିର ଜଗବନ୍ଧୁ ଛୋଟରାୟକୁ ଚିହ୍ନନାହିଁ ?

 

ଏଥର ଯେପରି ଗନି ମିଆଁର ମନେ ପଡ଼ିଲା । ତା’ର କୁତ୍ସିତ ମୁହଁରେ ଗୋଟାଏ ଇଙ୍ଗିତପୂର୍ଣ୍ଣ ହସ ଫୁଟିଉଠିଲା । ହିଂସ୍ର ଗଧିଆବାଘ ହସେ ନାହିଁ । କିନ୍ତୁ ଯଦି ହସନ୍ତା, ତେବେ କେବଳ ତା’ର ହସକୁ ଗନିମିଆଁର କୁତ୍ସିତ ହସ ସହିତ ତୁଳନା କରାଯାଇପାରନ୍ତା ।

 

–ଓହୋ, ଆପଣ ଆମ ବସ୍ତିର ସେ ନାଟୁଆ ଜଗବନ୍ଧୁ କଥା କହୁଛନ୍ତି । ସେଇଟା ଗୋଟାଏ ଅମଣିଷ ବାବୁ । ଦିନରାତି ସେ ତଳତେଲେଙ୍ଗା ବଜାରର ସେଇ ମାଈକିନିଆଟା ଘରେ ପଡ଼ିଛି । ତା’ର ଝିଅକୁ କ’ଣ ସବୁ ନାଚ ଗୀତ ଶିଖାଉଛି ।

 

–କେଉଁ ମାଈକିନିଆ କଥା କହୁଛ ଗନି ମିଆଁ ? ମୁଁ ପଚାରିଲି ।

 

–ସେଇ ଯେ ଶୁକୁରୀ ବରାବାଲୀର ଘର କଡ଼କୁ ଖଣ୍ଡେ ଭଙ୍ଗା ଏକମହଲା କୋଠା ଅଛି-। ନନ୍ଦି ବୁଢ଼ା ଘର । ସେଇ ନନ୍ଦି ବୁଢ଼ାର ଭାରିଯା । ନନ୍ଦ ବୁଢ଼ା ଖୁବ୍ ଭଲଲୋକ ଥିଲା । ଗଲା ସାଲ ଫଗୁଣ ମାସରେ ସେ ମରିଗଲା । ବହୁତ ଭୋଗିଲା । ବେକ ପାଖରେ ଗୋଟାଏ ଘା ହୋଇ ଆଉ ଶୁଖିଲା ନାହିଁ । ସେଇ ନନ୍ଦି ବୁଢ଼ାର ଦ୍ଵିତୀୟ ସ୍ତ୍ରୀ–ଆଉ ତା’ର ଦିଟା ବଡ଼ବଡ଼ ଝିଅ ସେ ଘରେ ବର୍ତ୍ତମାନ ରହନ୍ତି । ସେଇଠି ଏବେ ଜଗବନ୍ଧୁ ଜୁଟିଯାଇଛି । ଟୋକୀ ଦିଟାକୁ କ’ଣ ସବୁ ଗୀତ ଶିଖାଉଛି । ନାଚ ଶିଖାଉଛି । ଟୋକାଟା ଭଲ ଘରର ପିଲା । ଏକଦମ ବରବାଦ ହୋଇଗଲା-

 

ଜଗବନ୍ଧୁ ସମ୍ବନ୍ଧରେ ଏ ନୂଆ ସମ୍ବାଦଟି ପାଇ ମନରେ କିପରି କୌତୁହଳ ହେଲା । ଜଗବନ୍ଧୁ ଦରିଦ୍ର ହେଲେ ମଧ୍ୟ–ଯୁବକ । ଜୈବିକ ପ୍ରେରଣାରେ କୌଣସି ଯୁବତୀ ସ୍ତ୍ରୀ ପ୍ରତି ଆକୃଷ୍ଟ ହେବା ସମ୍ପୂର୍ଣ୍ଣ ସ୍ଵାଭାବିକ । ମଣିଷ ଜୀବନରେ କ୍ଷୁଧା, ତୃଷା ବା ନିଦ୍ରାପରି ଯୌନ ତୃଷ୍ଣା ଗୋଟାଏ ଅବଶ୍ୟମ୍ଭାବୀ ସତ୍ୟ । କିନ୍ତୁ କେଜାଣି କାହିଁକି, ଜଗବନ୍ଧୁର ଏଇ ପ୍ରେମଲୀଳା ବିଷୟରେ ଭଲକରି ଜାଣିବାପାଇଁ ମୋର ଇଚ୍ଛା ହେଲା । ଗନିମିଆଁକୁ ପଚାରିଲି–ମୁଁ ଶୁଣିଥିଲି ଯେ ତୁମ ସହିତ ଜଗବନ୍ଧୁ ବର୍ତ୍ତମାନ କାମ କରୁଛି । କ’ଣ ସବୁ ବାଉଁଶ ଝୁଡ଼ି ସେ ଯୋଗାଡ଼ କରି ତୁମକୁ ଦେଇଥିଲା ।

 

–ହଁ, ଦେଇଥିଲା । ସେଥିପାଇଁ ମୁଁ ତାକୁ ଦୁଇଶ ଟଙ୍କା ଦେଇଛି । ସେ ଯଦି ମୋ ସଙ୍ଗେ କାମ କରନ୍ତା, ତାହାହେଲେ ବହୁତ ରୋଜଗାର କରନ୍ତା । ହେଲେ, ସେଇଟା ପୂରା ଫକଡ଼ ।

 

ଆହୁରି କିଛିଦିନ କଟିଗଲା । ଜଗବନ୍ଧୁ ବିଷୟରେ ଚିନ୍ତା କରିବାକୁ ମୋର ଅବକାଶ ନଥିଲା । ଦିନେ ତଳତେଲେଙ୍ଗା–ବଜାର ବାଟେ ଯାଉଯାଉ ହଠାତ ମୋର ପୁରାତନ ବନ୍ଧୁ ଘନଶ୍ୟାମ ସଙ୍ଗେ ଦେଖାହେଲା । ସେ ବର୍ତ୍ତମାନ ଜଣେ ଲବ୍‍ଧପ୍ରତିଷ୍ଠ ସାମ୍ବାଦିକ । କୌଣସି ଆପତ୍ତି ନ ଶୁଣି ସେ ମୋତେ ତା’ ଘରକୁ ଟାଣିନେଲା । ତଳତେଲେଙ୍ଗାବଜାରରେ ପରିଚ୍ଛନ୍ନ ଖଣ୍ଡିଏ ଦୋମହଲା କୋଠା । ଘନଶ୍ୟାମର ପୈତ୍ତୃକ ସମ୍ପତ୍ତି । ଘନଶ୍ୟାମ ଜଣେ ସାମ୍ବାଦିକ ଓ ସାହିତ୍ୟିକ । ଆନ୍ତର୍ଜାତିକ ରାଜନୀତି, ଯୁଦ୍ଧ ଖବର, ଏହିପରି ବହୁତ ଗଳ୍ପ ସଙ୍ଗେ ସଙ୍ଗେ ବହୁତ ଥର ଚା’ ଓ କଫି ଆସିଲା । ବହୁତ ସମୟ ଗଡ଼ିଗଲା । ଆଉଥରେ ଆସିବି ବୋଲି କହି ମୁଁ ବାହାରିଲି । ହଠାତ ମୋର ମନେ ପଡ଼ିଗଲା ଜଗବନ୍ଧୁର ପ୍ରେମ କାହାଣୀ । ସାମ୍ବାଦିକ ବନ୍ଧୁ ନିଶ୍ଚୟ ନନ୍ଦିବାବୁ ଘର କଥା ଜାଣିଥିବ । କଥା ଛଳରେ ଘନଶ୍ୟାମକୁ ପଚାରିଲି ।

 

ଘନଶ୍ୟାମ ଜଣେ ସାହିତ୍ୟିକ । ଅତଏବ ଭାବପ୍ରବଣତା ତା’ଠାରେ ଟିକିଏ ବେଶି । ମୋ କଥା ଶୁଣି ସେ କିଛିକ୍ଷଣ ନୀରବ ରହିଲା । ତା’ପରେ କହିଲା ।

 

–ମଣିଷ ଜୀବନରେ କର୍ମଫଳ ଗୋଟିଏ ସୁନିଶ୍ଚିତ ସତ୍ୟ । କିନ୍ତୁ ବୈଚିତ୍ର୍ୟ ହେଉଛି, ମଣିଷର କର୍ମଫଳ ଅନେକ ସମୟରେ ସେ ନିଜେ ଭୋଗ ନ କରି ଉତ୍ତରାଧିକାର ସୂତ୍ରରେ ତା’ର ବଂଶଧରମାନଙ୍କ ପାଇଁ ରଖିଯାଏ । ଧନେଶ୍ୱର ନନ୍ଦିର ବିଧବା ସ୍ତ୍ରୀ ଓ ଦୁଇଟି କନ୍ୟା ତା’ର କର୍ମଫଳ ବର୍ତ୍ତମାନ ଭୋଗ କରୁଛନ୍ତି ।

 

–କିପରି ? ମୁଁ ପଚାରିଲି ।

 

ଘନଶ୍ୟାମ ଧନେଶ୍ୱର ନନ୍ଦିର ଇତିହାସ ଆରମ୍ଭ କଲା । ପୁଣି ମୁଁ ବସିଲି ।

 

–ବାଙ୍କିର ଛୋଟରାୟ ବଂଶ ଦିନେ ବଡ଼ ଜମିଦାର ଥିଲେ । ଏଇ କଟକ ସହରରେ ତାଙ୍କର କେତେଖଣ୍ଡ କୋଠାଘର ଥିଲା । ଧନେଶ୍ଵର ନନ୍ଦ ଥିଲା ଦୀର୍ଘ ଚାଳିଶବର୍ଷ ଧରି ସେଇ ଜମିଦାର ବଂଶର ଗୁମାସ୍ତା । ଉପରୁ ଦେଖିଲେ–ଗୋଟିଏ ପରମ ବୈଷ୍ଣବ ପରି ରୂପ । ତୁଳସୀ ମାଳି, ତିଳକ, ଦେହରେ ନାମାବଳି । ଗୋଡ଼ରେ ହରିଣ ଚମଡ଼ା ଚଟି । ମୁହଁରେ ଶୁଆପରି ସବୁବେଳେ କୃଷ୍ଣକୃଷ୍ଣ ବୋଲି । କିନ୍ତୁ ଅନ୍ତରରେ ସେ ଥିଲା ଗୋଟିଏ ଜୀବନ୍ତ ସଇତାନ । ଜମିଦାରଙ୍କ ବିରୁଦ୍ଧରେ କ’ଣ ଗୋଟାଏ ବଡ଼ ଫୌଜଦାରି ମକଦ୍ଦମା ହେଲା । ସେଇ ମକଦ୍ଦମାର ତଦ୍‍ବିର କଲା ତାଙ୍କର କରିତ୍‍କର୍ମା ଗୁମାସ୍ତା ଧନେଶ୍ଵର ନନ୍ଦ । ସେଇ ସୁଯୋଗରେ ଧୀରେ ଧୀରେ ଜମିଦାରଙ୍କର ଗନ୍ତାଘର ଅନ୍ତଃସାର ଶୂନ୍ୟ ହେବାକୁ ଲାଗିଲା । ଖଣ୍ଡଖଣ୍ଡ ହୋଇ ସବୁ ଜମିଦାରୀ ବିକ୍ରି ହୋଇଗଲା । ଆଉ ଯେପରି କୁହୁକ ବଳରେ ଗୁମାସ୍ତା ଧନେଶ୍ଵର ନନ୍ଦ କ୍ରମେ ବଡ଼ଲୋକ ହୋଇ ଉଠିଲା । ଛୋଟରାୟ ବଂଶର ପରବର୍ତ୍ତୀ ଇତିହାସ ମୁଁ ଜାଣେନାହିଁ । କିନ୍ତୁ ମୋର ବିଶ୍ୱାସ ଯେ ସେ ବଂଶର ବିଭବ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଯାଇଛି । ଛୋଟରାୟ ବଂଶରେ ଆଉ କେହି ବଞ୍ଚି ଅଛନ୍ତି କି ନାହିଁ–ମୁଁ ଜାଣେ ନାହିଁ ।

 

ଘନଶ୍ୟାମର କଥା ଶୁଣି ମୋର କୌତୁହଳ ହେଲା । ପଚାରିଲି–ତା’ପରେ ?

 

–ତା’ପରେ ଧନେଶ୍ଵରର କର୍ମଫଳ ଭୋଗ ଆରମ୍ଭ ହେଲା । ଜମିଦାର ଘର ଚାକିରି ସେ ଛାଡ଼ିଦେଲା । ଜମିଦାରୀ ଚାଲିଯିବା ପରେ ଆଉ ଗୁମାସ୍ତାର ପ୍ରୟୋଜନ ନାହିଁ ।

 

ଧନେଶ୍ଵର ମଧ୍ୟ ବଡ଼ଲୋକ ହୋଇ ଉଠିଲା । ତା’ର ମଧ୍ୟ ଆଉ ଚାକିରିର ପ୍ରୟୋଜନ ନଥିଲା । ଏଇ ଯେଉଁ ଘରେ ଧନେଶ୍ଵରର ବିଧବା ବାସ କରିଛି, ସେ କୋଠାଟି ମଧ୍ୟ ଛୋଟରାୟ ବଂଶର ସମ୍ପତ୍ତି ଥିଲା । ତା’ପରେ, ଅନ୍ୟାନ୍ୟ ସମ୍ପତ୍ତି ପରି ସେଖଣ୍ଡି ମଧ୍ୟ ଧନେଶ୍ୱରର କବଳରେ ପଡ଼ିଥିଲା । ସେଇ ଘରେ ଧନେଶ୍ଵର ବାସକଲା । ସେତେବେଳକୁ ତା’ର ବାର୍ଦ୍ଧକ୍ୟ ଅବସ୍ଥା । ସ୍ୱାମୀର ଉପାର୍ଜିତ ସୌଭାଗ୍ୟ ସ୍ତ୍ରୀ ଭୋଗ କରିପାରିଲା ନାହିଁ । ଏ ଘରେ ରହିବାର ମାସ କେଇଟା ପରେ ଧନେଶ୍ୱରର ସ୍ତ୍ରୀ ବେକରେ ଦଉଡ଼ା ଦେଇ ଆତ୍ମହତ୍ୟା କଲା । କାହିଁକି ଯେ ସେ ଆତ୍ମହତ୍ୟା କଲା ସେ ରହସ୍ୟ ମୁଁ ସଠିକ ଜାଣେ ନାହିଁ । ଧନେଶ୍ଵରର କୌଣସି ସନ୍ତାନ ନଥିଲା । ସ୍ତ୍ରୀ ମରିବାର ମାସ ନ ପୂରୁଣୁ ମହାପାପୀ ଧନେଶ୍ଵର ବୃଦ୍ଧାବସ୍ଥାରେ ପୁଣି ଥରେ ବିବାହ କଲା । ଭାବିଥିଲା ତରୁଣୀ ଭାର୍ଯ୍ୟା–ଆଉ ପାପାଜାତ ଧନ ନେଇ ବୃଦ୍ଧାବସ୍ଥାରେ ସେ ପରମ ଭୋଗବିଳାସ ଭିତରେ ଜୀବନ କଟାଇବ । କିନ୍ତୁ ତା’ ହେଲାନାହିଁ । ଦୁରାରୋଗ୍ୟ କାନ୍‍ସର୍ ରୋଗରେ ସେ ପଡ଼ିଲା । ଧନ ଯେପରି ଆସିଥିଲା, ସେହିପରି ଚାଲିଗଲା । ଚିକିତ୍ସା ଓ ଡାକ୍ତରମାନଙ୍କ ପଛରେ ସବୁ ଧନ ଉଡ଼ିଗଲା । ଅବଶେଷରେ–ପ୍ରାୟ ବର୍ଷକ ପୂର୍ବେ ସେ ସମ୍ପୂର୍ଣ୍ଣ ନିଃସ୍ୱ ଅବସ୍ଥାରେ ମଲା ।

 

–ଧନେଶ୍ଵରର ବର୍ତ୍ତମାନ କିଏ ଅଛନ୍ତି ? ମୁଁ ପଚାରିଲି ।

 

–ତା’ର ସ୍ତ୍ରୀ–ଆଉ ଦୁଇଟି ଝିଅ । ସ୍ତ୍ରୀ ମଧ୍ୟ ଦୁରାରୋଗ୍ୟ ଟି.ବି. ରୋଗରେ ଶଯ୍ୟାଶାୟୀ-। ଭଲ ଚିକିତ୍ସା ନାହିଁ । ଖାଦ୍ୟ ନାହିଁ । ବଡ଼ବଡ଼ ବିବାହଯୋଗ୍ୟା ଝିଅ ଦୁଇଟି । ଶୋଭନା ଆଉ କମଳା । ସୁନ୍ଦର ଦୁଇଟି ଝିଅ । କିନ୍ତୁ ପ୍ରଚଣ୍ଡ ଦାରିଦ୍ର୍ୟ ତଳେ ସମ୍ପୂର୍ଣ୍ଣ ନିଷ୍ପେଷିତ । ପେଟକୁ ଦାନା ନାହିଁ ଦେହରେ ଖଣ୍ଡିଏ ଭଲ ଲୁଗା ନାହିଁ । ଝିଅ ଦୁଇଟିର ଉଦାସ ମୁହଁ ଦେଖିଲେ ମୋତେ କାନ୍ଦମାଡ଼େ । ଆମ ଘରକୁ ଆସନ୍ତି । ମୋର ମା’ ଝିଅ ଦୁଇଟିଙ୍କୁ ଖୁବ୍ ସ୍ନେହ କରନ୍ତି । କେତେ ସାହାଯ୍ୟ ମଧ୍ୟ କରନ୍ତି । ଝିଅ ଦୁଇଟି ଆଚାର ଓ ପାମ୍ପଡ଼ ତିଆରି କରି ସାଇପଡ଼ିଶା ଘରେ ବିକ୍ରି କରନ୍ତି । କିନ୍ତୁ ଘରେ ଗୋଟାଏ ଟି.ବି. ରୋଗୀ ପଡ଼ିଥିବାରୁ ଅନେକେ କିଣନ୍ତି ନାହିଁ ।

 

ବହୁତ ବିଳମ୍ବ ହୋଇଯାଇଥିଲା । ମୋର କେତେକ ଜରୁରି କାମ ଥିଲା । ସାମ୍ବାଦିକ ବନ୍ଧୁକୁ ଧନ୍ୟବାଦ ଜଣାଇ ଉଠିଲି । ବହୁଦିନ ତଦନ୍ତ ବିଭାଗରେ କାର୍ଯ୍ୟ କରି ମୋ ମନଟା କିପରି ସନ୍ଧାନୀ ହୋଇ ଯାଇଥିଲା । ଦାର୍ଶନିକର ନିର୍ଲିପ୍ତତା ମୋ ମନରେ ବିନ୍ଦୁମାତ୍ର ନଥିଲା ! ଜଗବନ୍ଧୁ ବିଷୟରେ ସବୁ ଜାଣିବାପାଇଁ ମୋର କିପରି କୌତୁହଳ ହେଲା ।

 

ବିଭିନ୍ନ ମଣିଷର ଦୃଷ୍ଟିଭଙ୍ଗୀ ଓ ବିଚାର ଭଙ୍ଗି ବିଭିନ୍ନ । ମଦ୍ୟପ ଗୁଣ୍ଡା ଗନିମିଆଁ ଝିଅ ଦୁଇଟି ବିଷୟରେ ଗୋଟାଏ ଅଶ୍ଳୀଳ ଇଙ୍ଗିତ କଲା । ଅବଶ୍ୟ ତା’ପରି ଲୋକ ପକ୍ଷରେ ମାନବିକତାର ବିଚାର ଏହାଠାରୁ ମହତ୍ତର ହୋଇ ନ ପାରେ । ତା’ପରେ ସୁଶିକ୍ଷିତ ଘନଶ୍ୟାମ ଝିଅ ଦୁଇଟି ବିଷୟରେ ଗୋଟିଏ କରୁଣ କାହାଣୀ ଶୁଣାଇଲା । ଘନଶ୍ୟାମକୁ ମୁଁ ଜଗବନ୍ଧୁ ବିଷୟରେ କିଛି କହିଲି ନାହିଁ । ପୂର୍ବତନ ଜମିଦାର ଛୋଟରାୟ ବଂଶରେ ଆଉ କେହି ବଞ୍ଚିଛନ୍ତି କି ନାହିଁ, ସେ କଥା ଘନଶ୍ୟାମ ଜାଣେ ନାହିଁ । ମୁଁ କିନ୍ତୁ ଜାଣେ ଯେ ସେଇ ବିଖ୍ୟାତ ବଂଶର ଶେଷ ଦୀପଶିଖା ଏ ପର୍ଯ୍ୟନ୍ତ ନିଭି ଯାଇନାହିଁ । ଯେଉଁ ଧନେଶ୍ୱର ନନ୍ଦ ଛୋଟରାୟ ବଂଶର ପତନପାଇଁ ପୂର୍ଣ୍ଣ ଦାୟୀ, ଘଟନାଚକ୍ରରେ ତା’ରି ଘରେ ସେ ଶିଖା ପ୍ରବେଶ କରିଛି । ନିୟତିର କ’ଣ ନିର୍ଦ୍ଦେଶ, ତାହା ଜାଣିବାପାଇଁ ମୋର କୌତୁହଳ ହେଲା । ଝିଅ ଦୁଇଟିର ଦୁର୍ଗମ ଯାତ୍ରା ପଥରେ ସେ ଶିଖା ମଙ୍ଗଳମୟ ପ୍ରଦୀପ ପରି ଆଲୋକ ଦେଖାଇବ –ବା ବାଡ଼ବାଗ୍ନି ସୃଷ୍ଟିକରି ସବୁ ଛାରଖାର କରିଦେବ, ମୋର ଦେଖିବାକୁ ପ୍ରଚଣ୍ଡ ଇଚ୍ଛା ହେଲା ।

 

–ତିନି–

 

କିଛିଦିନ ପରେ.....

 

ଶୀତରେ ଗୋଟିଏ ଅବଶ୍ୟ ମଧ୍ୟାହ୍ନରେ ମୁଁ ଖଣ୍ଡିଏ ଇଜି ଚେୟାରରେ ବସି ଖଣ୍ଡିଏ ବହି ପଡ଼ୁଥିଲି । ହଠାତ ଖଣ୍ଡେ ନୂଆ ସାଇକଲରେ ଗଢ଼ି ଜଗବନ୍ଧୁ ଆସି ପହଞ୍ଚିଗଲା । ପରିଚ୍ଛନ୍ନ ପୋଷାକ । ଫୁଲ୍ ପ୍ୟାଣ୍ଟ, ସାର୍ଟ, ଦେହରେ ଖଣ୍ଡେ ନୂଆ ଗରମ କୋଟ୍ । ଏତେଦିନ ପରେ–ପୁଣି ଏପରି ରୂପରେ ଜଗବନ୍ଧୁକୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ପ୍ରଶାନ୍ତ ହସ ହସି ଜଗବନ୍ଧୁ ନମସ୍କାର କଲା ।

 

–କ’ଣ ଖବର ଜଗବନ୍ଧୁ । ବହୁଦିନ ହେଲା ତୁମର ତ ଆଉ ଦେଖା ନାହିଁ ! ଏରୋଡ଼୍ରମ ପାଇଁ ଗନିମିଆଁ ପୁଣି ଝୁଡ଼ି ବରାଦ କରିଥିଲା ନା କ’ଣ ?

 

ସେହିପରି ସାମାନ୍ୟ ହସି ଜଗବନ୍ଧୁ କହିଲେ–ନା ସାର୍ ଗନି ମିଆଁ ସହିତ ମୁଁ ଆଉ ବ୍ୟବସାୟ କରିବି ନାହିଁ । ସେ ଗୋଟାଏ ‘ରୋଗ୍’ । ମୁଁ ବର୍ତ୍ତମାନ ସ୍ୱାଧୀନ ବ୍ୟବସାୟ କରୁଛି । ବହୁତ ଦିନରୁ ଆପଣଙ୍କ ସଙ୍ଗେ ଦେଖାକରି ପାରିନାହିଁ । ଭାବିଲି ଥରେ ବୁଲି ଆସେ । ଏତେବେଳେ ସାର୍ ନିଶ୍ଚୟ ଘରେ ଥିବେ ।

 

–କି ସ୍ଵାଧୀନ ବ୍ୟବସାୟ ତୁମେ ବର୍ତ୍ତମାନ କରୁଛ ?

 

–ନିଉ ଓଡ଼ିଶା ପିକ୍‍ଲସ୍ ଏବଂ ପାମ୍ପଡ଼ କୋମ୍ପାନୀର ମୁଁ ସୋଲ୍ ଏଜେଣ୍ଟ ସାର୍ । ସାମ୍ପଲ୍ ଦେଖନ୍ତୁ ସାର୍ । ଆପଣଙ୍କ ପାଇଁ ଆଣିଛି । ଏହା କହି ଜଗବନ୍ଧୁ ଉଠିଗଲା । ନୂଆ ସାଇକଲର ରଡ଼୍‍ରେ ଗୋଟାଏ ବ୍ୟାଗ୍ ଝୁଲୁଛି । ସେଇ ବ୍ୟାଗ୍ ଭିତରେ ହାତ ପୂରାଇ ଗୋଟିଏ ଚାରିକଣିଆ କାଚ ବୋତଲ ଓ ଗୋଟିଏ ପ୍ୟାକେଟ୍ ବାହାର କରି ମୋ ଟେବୁଲ ଉପରେ ରଖିଲା ।–ନିଅନ୍ତୁ ସାର୍, ଆପଣ ଟେଷ୍ଟ କରି ପରେ ମୋତେ କହିବେ । ଏଇଟା ହେଉଛି ମିଠା ଆଚାର । ସୁଇଟ୍ ପିକ୍‍ଲସ୍, ଲଭ୍‍ଲି ଟେଷ୍ଟ । ଆଉ ଏଇଟା ହେଉଛି ଫୁଲକୋବିର ପାମ୍ପଡ଼ । ଏ ପ୍ୟାକେଟ୍‍ରେ ଶହେ ଖଣ୍ଡ ଅଛି । ତା’ ଛଡ଼ା ଆଳୁ ବା କନ୍ଦମୂଳର ପାମ୍ପଡ଼ ମଧ୍ୟ ଅଛି । ଏକା ଦାମ୍ ।

 

କାଚ ବୋତଲଟିରେ ଗୋଟିଏ ରଙ୍ଗିନ ଲେବୁଲ୍ ମାରିଛି । ଠିପିଟି ଜଉ ଦେଇ ବନ୍ଦ କରା ହୋଇଛି । ରଙ୍ଗିନ ଲେବୁଲ ଉପରେ ଇଂରାଜୀରେ ଲେଖାଅଛି–‘ଶୋଭନା ପିକ୍‍ଲସ୍’ । ସୋଲ୍ ଏଜେଣ୍ଟ୍–ଜେ. ଛୋଟରାୟ, ବି. ଭି. ଏମ୍ । ସେହିପରି ପାମ୍ପଡ଼ ପ୍ୟାକେଟ୍‍ରେ ମଧ୍ୟ ଲେବୁଲ୍ ଅଛି । ଲେଖା ଅଛି–‘କମଳା ପାମ୍ପଡ଼, ସୋଲ୍ ଏଜେଣ୍ଟ ଜେ. ଛୋଟରାୟ ବି. ଭି. ଏମ୍ । ଜଗବନ୍ଧୁ ଜାଣି ନଥିଲା ଯେ ମୁଁ ଏଥି ଭିତରେ ତା’ ବିଷୟରେ ବହୁ ତଥ୍ୟ ସଂଗ୍ରହ କରିଛି ଓ ଧନେଶ୍ଵର ନନ୍ଦର ଦୁଇଟି ଝିଅ–ଶୋଭନା ଓ କମଳା ବିଷୟରେ ମଧ୍ୟ ବହୁ କଥା ଜାଣିଛି l ତାକୁ ସେ ବିଷୟରେ କିଛି ନ ଜଣାଇ ମୁଁ କହିଲି–ତୁମ୍ଭର ଏଇ ନିଉ ଓଡ଼ିଶା ପାମ୍ପଡ଼ କମ୍ପାନୀଟି କେଉଁଠାରେ ? ତୁମର ନୂଆ ସାଇକେଲ–ନୂଆ କୋଟ୍ ପ୍ରଭୃତି ଦେଖି ମନେ ହେଉଛି ଯେ ଏଇ କମ୍ପାନୀର ସୋଲ୍ ଏଜେଣ୍ଟ ଭାବରେ ତୁମର ଯଥେଷ୍ଟ ଲାଭ ହେଉଛି ।

 

ସଲଜ୍ଜ ହସ ହସି ଜଗବନ୍ଧୁ କହିଲା–ସବୁ ଆପଣଙ୍କ ଆଶୀର୍ବାଦ ଯୋଗୁଁ ସାର୍ । ଏ କମ୍ପାନୀପାଇଁ ଗୋଟିଏ ଭଲ ଘର ଏ ପର୍ଯ୍ୟନ୍ତ ଯୋଗାଡ଼ ହୋଇନାହିଁ । ଆଜିକାଲି ଭଲ ଘର ମିଳୁନାହିଁ । ଭାବିଛି ମୋ’ର ଘରଟିକୁ ମରାମତି କରି କମ୍ପାନୀର ଅଫିସ କରିବି । ନା, ଆପଣ କ’ଣ କହୁଛନ୍ତି ସାର୍ ?

 

–ହଁ, ହଁ, ଖୁବ୍ ଭଲ ହେବ । ଗୋଟାଏ ଟେଲିଫୋନ୍ ମଧ୍ୟ ନେବାକୁ ଭୁଲିବ ନାହିଁ । ମୁଁ କୃତ୍ରିମ ଗାମ୍ଭୀର୍ଯ୍ୟ ରକ୍ଷା କରି କହିଲି । ଏହିପରି କିଛି ସମୟ ପର୍ଯ୍ୟନ୍ତ ଆକାଶକୁସୁମ ରଚନା କରି ଜଗବନ୍ଧୁ ଉଠିଲା ।–ମୁଁ ଏବେ ଯାଉଛି ସାର୍ । ପୁଣି ସମୟ ପାଇଲେ ଦେଖା କରିବାକୁ ଆସିବି । କେତେଗୁଡ଼ାଏ ସ୍ଥାନକୁ ଯାଇ ମାଲ୍‍ର ଅର୍ଡ଼ର ନେବାକୁ ହେବ । ଆପଣ କିନ୍ତୁ ଏହାକୁ ଟେଷ୍ଟ କରି ମୋତେ କହିବେ ।

 

–ହଁ, ହଁ, ମୁଁ ନିଶ୍ଚୟ ଖାଇବି । କିନ୍ତୁ ଖାଇଲେ ଟି. ବି. ହେବ ନାହିଁ ତ ?

 

ମୋ କଥା ଶୁଣି ଜଗବନ୍ଧୁ ମୁହଁରୁ ସରଳ ହସଟି ହଠାତ ନିଭିଗଲା । କିଛିକ୍ଷଣ ପର୍ଯ୍ୟନ୍ତ ମୋତେ ବୋକା ପରି ଅନାଇ ରହିଲା । ତା’ପରେ ଧୀରେ ଧୀରେ କହିଲା–ସାର୍ ଆପଣ କ’ଣ ତେବେ ସବୁ ଜାଣନ୍ତି ।

 

ମୁଁ ସାମାନ୍ୟ ହସି କହିଲି–ନା ଜଗବନ୍ଧୁ, ମୁଁ ସବୁ ଜାଣେ ନାହିଁ । ଏବେ ଧନେଶ୍ଵର ନନ୍ଦର ଦୁଇଟି ଝିଅ–ଶୋଭନା ଓ କମଳା କଥା ମୁଁ ଶୁଣିଛି । ମୋତେ ଥରେ ସେମାନଙ୍କୁ ଦେଖାଇବ ନାହିଁ ଜଗବନ୍ଧୁ ?

 

–ନିଶ୍ଚୟ ସାର୍ ମୁଁ ଆପଣଙ୍କୁ ସାଙ୍ଗରେ ନେଇଯିବି । ଝିଅ ଦୁଇଟି ବଡ଼ ଦୁଃଖୀ ସାର୍ । ପେଟପୂରା ମୁଠିଏ ଖାଇବାକୁ ମଧ୍ୟ ପା’ନ୍ତି ନାହିଁ ।

 

ଜଗବନ୍ଧୁର ଆଖି ଦୁଇଟି ବାଷ୍ପାଚ୍ଛନ୍ନ ହୋଇ ଉଠିଲା । ମୁଁ ମନେ ମନେ କୌତୁକ ଅନୁଭବ କଲି । ଯେଉଁ ଜଗବନ୍ଧୁ ନିଜପାଇଁ ମୁଠିଏ ଅନ୍ନ ସଂସ୍ଥାନ କରି ପାରୁନାହିଁ, ସେ ପୁଣି ଏତେଗୁଡ଼ିଏ ଲୋକର ଗୁରୁଭାର ନିଜ କାନ୍ଧରେ ତୋଳି ନେଇଛି, ମରୁ ତୃଷା ନିବାରଣ କରିବାପାଇଁ କ୍ଷୁଦ୍ର ଜଳ ବିନ୍ଦୁର ଦୁଃସାହସ ପରି । ପଚାରିଲି–ଜଗବନ୍ଧୁ, ତୁମେ ତ ଗନିମିଆଁ ସଙ୍ଗେ ଆଉ କାମ କରୁ ନାହଁ । ତେବେ କ’ଣ ଏଇ ଆଚାର ଆଉ ପାମ୍ପଡ଼ ବିକି ତୁମର ଏଇ ନୂଆ ସାଇକଲ୍, ମୂଲ୍ୟବାନ୍ ପୋଷାକ ଏବଂ ସମସ୍ତଙ୍କର ଗ୍ରାସାଚ୍ଛାଦନ ହୋଇ ପାରୁଛି ?

 

ମୋ ପ୍ରଶ୍ନରେ ଜଗବନ୍ଧୁ କିପରି ବିଚଳିତ ହେବା ପରି ମନେ ହେଲା । କିଛିକ୍ଷଣ ତଳକୁ ଚାହିଁ ବସି ରହିଲା । ତା’ପରେ ଧୀରେ ଧୀରେ କହିଲା–ମୋର ଅନ୍ୟ କିଛି ରୋଜଗାରର ପନ୍ଥା ଅଛି ସାର୍ । ଏଇ ପାମ୍ପଡ଼ ଆଉ ଆଚାର ବିକ୍ରି ପଇସା ମୁଁ ନିଜପାଇଁ ଖର୍ଚ୍ଚ କରେ ନାହିଁ । ମୋର ନିଜ ରୋଜଗାରର ପନ୍ଥାଟା ହୁଏତ ଭଦ୍ରଜନୋଚିତ ନୁହେଁ । କିନ୍ତୁ କଥାରେ ତ ଅଛି–‘ପେଟ ପୋଷ ନାହିଁ ଦୋଷ’ । ମୁଁ ଏବେ ଯାଉଛି ସାର୍, ବହୁତ ବିଳମ୍ବ ହୋଇ ଗଲାଣି । ବଡ଼ ଭୋକ ହେଲାଣି ।

 

ଜଗବନ୍ଧୁ ଯେ ଏତେବେଳପର୍ଯ୍ୟନ୍ତ ଅଭୁକ୍ତ–ତା’ ମୁଁ ଜାଣି ନଥିଲି । ନାନା ରକମର କଥାବାର୍ତ୍ତା ଭିତରେ ବହୁତ ବେଳ ଗଡ଼ି ଗଲାଣି । ଶୀତ ଦିନର କଅଁଳ ଖରା ନଇଁ ପଡ଼ିଲାଣି । ମୁଁ ଦୁଃଖ ପ୍ରକାଶ କରି କହିଲି–ତୁମେ ଏତେବେଳ ପର୍ଯ୍ୟନ୍ତ ଖାଇ ନାହଁ । ତେବେ ଏଇଠାରେ ଓଳିଏ ଖାଇ ନିଅ । ପ୍ରକୃତରେ ବହୁତ ବିଳମ୍ବ ହୋଇ ଗଲାଣି ।

 

ଜଗବନ୍ଧୁ ସଲଜ୍ଜ କଣ୍ଠରେ କହିଲା–ନା ସାର୍, ମୁଁ ଘରକୁ ଫେରି ନ ଯିବା ପର୍ଯ୍ୟନ୍ତ ଶୋଭା ନ ଖାଇ ଚାହିଁ ବସିଥିବ । ମୁଁ ଆଉ ଦିନେ ଆସିବି ସାର୍ । ସେଦିନ ଏଠାରେ ଖାଇବି ।

 

ମୁଁ ହସି ହସି କହିଲି–ତେବେ ତୁମେ ଶୀଘ୍ର ଫେରି ଯାଅ । ତୁମର ନୂତନ ପ୍ରେମରେ ମୁଁ ପ୍ରତିବନ୍ଧକ ହେବିନାହିଁ ।

 

ମୋ ବକ୍ରୋକ୍ତି ଶୁଣି ଜଗବନ୍ଧୁ ଯେପରି ଟିକିଏ ଆହତ ହେଲା । ମୃଦୁ ପ୍ରତିବାଦ କଲା ପରି ନମ୍ର କଣ୍ଠରେ କହିଲା–କ’ଣ କହିଲେ ସାର୍ ! ଶୋଭା ସହିତ.......

 

ଆହୁରି ଯେପରି କିଛି କହିବା ତା’ର ଉଦ୍ଦେଶ୍ୟ ଥିଲା । କିନ୍ତୁ କିଛି କହିଲା ନାହିଁ । ଧୀରେ ଧୀରେ ସାଇକଲଟି ଧରି ଚାଲିଗଲା । ମୁଁ ବହୁକ୍ଷଣ ପର୍ଯ୍ୟନ୍ତ ସେଠାରେ ବସି ରହିଲି । ଆଚାର ବୋତଲ ଓ ପାମ୍ପଡ଼ ପାକେଟ୍ ଟେବୁଲ ଉପରେ ପଡ଼ି ରହିଛି । ଜଗବନ୍ଧୁକୁ ଅପମାନିତ କରିବା ମୋର ଆଦୌ ଉଦ୍ଦେଶ୍ୟ ନୁହେଁ । ମୁଁ କୌଣସି ଅପମାନଜନକ କଥା ମଧ୍ୟ କହି ନାହିଁ । ତେବେ ସେ ହଠାତ ମନରେ ଏପରି ଆଘାତ ପାଇଲା କାହିଁକି ? ଶୋଭନା ସହିତ ତା’ର ବର୍ତ୍ତମାନ ସମ୍ପର୍କ ଯେ ଅତି ମଧୁର, ଏ କଥା ତ ସେ ନିଜ ମୁହଁରେ ସ୍ଵୀକାର କଲା । ମୋର କଥାଦ୍ୱାରା ତ ମୁଁ ସେମାନଙ୍କର ନବୀନ ପ୍ରେମକୁ ଅଭିନନ୍ଦନ କରିଛି । ତେବେ ତା’ର ଏପରି ବ୍ୟଥିତ ହେବାର କାରଣ କ’ଣ !

 

ଅବଶ୍ୟ ତାହା ମୁଁ ବୁଝି ପାରିଥିଲି ବହୁଦିନ ପରେ । ସବୁ ଭୁଲ୍ ମୋର ଭାଙ୍ଗି ଯାଇଥିଲା-। ମାନବ ମନସ୍ତତ୍ତ୍ୱ ଯେ କେଡ଼େ ଜଟିଳ, ତା’ ଜୀବନର ଉତ୍ତରକାଳରେ ବହୁ ଅଭିଜ୍ଞତା ପରେ ମୁଁ ବୁଝି ପାରିଲି । ଜନ୍ମମୃତ୍ୟୁ ପରି ମଣିଷର ମନ ନିବିଡ଼ ରହସ୍ୟ ସମାଚ୍ଛନ । କୌଣସି ଗାଣିତିକ ନିୟମରେ ତାକୁ ବିଚାର କରିବା ମହାଭ୍ରମ ।

 

ମେଘାଚ୍ଛନ୍ନ ଆକାଶରେ ଚନ୍ଦ୍ରପରି ମୋ ମନରେ ଜଗବନ୍ଧୁର ଚିନ୍ତା ଦୈନଦିନ କର୍ତ୍ତବ୍ୟର ପରଦା ଆଢ଼ୁଆଳରେ ଲୁଚି ରହି ପୁଣି କେତେବେଳେ ଅବକାଶର ଅଳସ ମୁହୂର୍ତ୍ତରେ ଭାସି ଉଠୁଥିଲା । ମାସାଧିକ କାଳ ଜଗବନ୍ଧୁ ବିଷୟରେ ଚିନ୍ତା କରିବାର ସମୟ ପାଇ ନଥିଲି । ଜଗବନ୍ଧୁ ସହିତ ଆଉ ମୋର ଦେଖା ମଧ୍ୟ ହୋଇନାହିଁ । ସେ ଦିନ ସେହିପରି ଗୋଟିଏ କର୍ମହୀନ ଅଳସ ଦିନରେ ଜଗବନ୍ଧୁ କଥା ହଠାତ ମୋର ମନେ ପଡ଼ିଲା । ଶୋଭନା ଓ କମଳା କଥା ମନେ ପଡ଼ିଲା । ଜଗବନ୍ଧୁର ରହସ୍ୟମୟ ଜୀବନ ସହିତ ଏଇ ଝିଅ ଦୁଇଟି କେତେଦୂର ଓ କିପରି ଭାବରେ ଜଡ଼ିତ ମୋର ଜାଣିବାକୁ ବଡ଼ ଇଚ୍ଛା ହେଲା । ଜଗବନ୍ଧୁ ବିଷୟରେ ସବୁ ଜାଣିବାର ବ୍ୟଗ୍ରତା ଯଦି ମୋର ଥା’ନ୍ତା ତେବେ ବହୁ ପୂର୍ବରୁ ମୁଁ ତାହା ନିର୍ଭୁଲ ଭାବରେ ଜାଣି ପାରିଥା’ନ୍ତି । ସରକାରୀ ତଦନ୍ତ ସଂସ୍ଥାର ମୁଁ ଥିଲି ମୁଖ୍ୟ କର୍ମଚାରୀ । ସେଇ କଳ ସାହାଯ୍ୟରେ ଅନାୟାସରେ ଓ ବହୁ ପୂର୍ବରୁ ମୁଁ ତା’ ବିଷୟରେ ସବୁ ଜାଣି ପାରିଥାନ୍ତି । କିନ୍ତୁ ମୋର ସେପରି ବ୍ୟଗ୍ରତା ବା ପ୍ରୟୋଜନ ନଥିଲା ।

 

ଦିନ ପ୍ରାୟ ଏଗାରଟା ସମୟରେ ତଳତେଲଙ୍ଗା ବଜାରର ଧନେଶ୍ଵର ନନ୍ଦିର ଭଙ୍ଗା କୋଠାଘରେ ପହଞ୍ଚି କବାଟର କଡ଼ା ହଲାଇଲି । କିଛିକ୍ଷଣ ପରେ ଘର ଭିତରୁ ଲଘୁ ପଦ ଶବ୍ଦ ଶୁଣା ଗଲା । ଦୁଆର ଫିଟିଗଲା । ମୋ ସାମନାରେ ଯେଉଁ ଝିଅଟିକୁ ଦେଖିଲି, ବିନା ବାକ୍ୟାଳାପରେ ମୁଁ ତାକୁ ଚିହ୍ନି ପାରିଲି ଯେ ସେ ଶୋଭନା । ଊଣେଇଶ କୋଡ଼ିଏବର୍ଷର ସ୍ଵାସ୍ଥ୍ୟହୀନା ତରୁଣୀ । ପାହାନ୍ତିତରା ପରି ସ୍ନିଗ୍‍ଧ–କୋମଳ ଓ ମନୋରମ । ଉଜ୍ଜ୍ଵଳ ଶ୍ୟାମାଙ୍ଗୀ । ବଡ଼ବଡ଼ ଆଖି ଦୁଇଟିରେ ନୀଳ ସମୁଦ୍ରର ଗଭୀରତା । ମୋତେ ଦୁଆରେ ଦେଖି ତା’ ଆଖି ଦୁଇଟିରେ ଗୋଟିଏ ନୀରବ ଜିଜ୍ଞାସା ଫୁଟି ଉଠିଲା ।

 

ମୁଁ ସାମାନ୍ୟ ହସି କହିଲି–ମୁଁ ଜଗବନ୍ଧୁ ସଙ୍ଗେ ଦେଖା କରିବାକୁ ଆସିଛି ଶୋଭନା । ତା’ ଛଡ଼ା ତୁମମାନଙ୍କ ସଙ୍ଗେ ମଧ୍ୟ ଟିକିଏ ଆଳାପ କରିବାକୁ ଆସିଛି ।

 

ଝିଅଟି ତୁଳନାରେ ବୟସ ମୋର ବହୁତ ବେଶି । ସେଇ ଦାବିରେ ମୁଁ ତା’ର ନାଁ ଧରି ‘‘ତୁମେ’’ ବୋଲି ସମ୍ବୋଧନ କଲି । ତା’ର ଦୈନ୍ୟ ବା ଅସହାୟ ଅବସ୍ଥା ଦୃଷ୍ଟିରୁ ନୁହେଁ । ମୋ’ କଥାରେ ତା’ ଆଖି ଦୁଇଟିରେ କିପରି ଏକ ପ୍ରଚ୍ଛନ୍ନ ଇଚ୍ଛା ଫୁଟି ଉଠିଲା । ନମ୍ର କଣ୍ଠରେ କହିଲା–ଭିତରକୁ ଆସନ୍ତୁ । ତାଙ୍କର ଫେରିବାର ମଧ୍ୟ ବେଳ ହୋଇ ଗଲାଣି । କିନ୍ତୁ ଆପଣ ବସିବେ କେଉଁଠି ? ଆମ ଘରେ ତ ଚଉକି ବା କୌଣସି ଭଲ ଆସନ ନାହିଁ ।

 

ଶୋଭନାର ଇଚ୍ଛାର କାରଣ ମୁଁ ବୁଝି ପାରିଲି । ଗୋଟାଏ ଅମାୟିକ ହସରେ ତା’ର ସବୁ ସଙ୍କୋଚ ଉଡ଼ାଇ ଦେବାର ଚେଷ୍ଟା କରି କହିଲି–ସେଥିରେ କୌଣସି ଅସୁବିଧା ହେବ ନାହିଁ । ମୁଁ ଏଇ ଘର ଭିତରେ ସିମେଣ୍ଟ ଚଟାଣ ଉପରେ ଅନାୟାସରେ ବସି ପାରିବି । ଏହା କହି ମୁଁ ଦାଣ୍ଡଘର ଭିତରେ ତଳେ ବସି ପଡ଼ିଲି ।

 

କିପରି ଉତ୍କଟ ଦାରିଦ୍ର୍ୟ ଯେ ଏଇ ଅଭିଶପ୍ତ ଘରଟିର ଭଙ୍ଗା କାନ୍ଥ ଅଢ଼ୁଆଳରେ ଲୁଚି ରହିଛି, ସେ କଥା ବାହାରୁ ଜାଣି ହେବ ନାହିଁ । କେତେ ଖଣ୍ଡି ଛିଣ୍ଡା କନ୍ଥା, କାଠ ଓ ଟିଣର ଭଙ୍ଗା ବାକ୍‍ସ ଓ କେତେ ଖଣ୍ଡିମାତ୍ର ମଇଳା ଲୁଗା ଏ ପରିବାରର ସମ୍ବଳ । କିଛିକ୍ଷଣ ପର୍ଯ୍ୟନ୍ତ ମୁଁ ଘରଟିର ସବୁଆଡ଼େ ଚାହିଁ ଭଲ କରି ଦେଖିଲି । ଶୋଭନା ନୀରବରେ ଛିଡ଼ା ହୋଇଥିଲା । ଭଙ୍ଗା କାନ୍ଥରୁ ଚୂନ ବାଲି ଖସି ଗଲାଣି । ଭଙ୍ଗା ଛାତରୁ ପାଣି ଗଳି କାନ୍ଥ ଉପରେ ଶିଉଳି ଧରିଛି । କାନ୍ଥ ଦେହରେ ଖଣ୍ଡିଏ ସୁବର୍ଣ୍ଣ ଓ ବହୁ ପୁରାତନ ସ୍ଵର୍ଣ୍ଣମୃଗ ବଧ ଚିତ୍ର ଝୁଲିଛି ବୋଧହୁଏ ଏଇ ଘରର ସୁବର୍ଣ୍ଣ ଯୁଗର ସାକ୍ଷୀ । ଶୋଭନାକୁ ଚାହିଁ ଦେଖିଲି କିପରି ଏକ ସଙ୍କୋଚରେ ମୁହଁଟି ତା’ର ଶୁଖି ଯାଇଛି ।

 

ପଚାରିଲି–କମଳା କେଉଁଠାରେ ? ସେ କ’ଣ ଘରେ ନାହିଁ ?

 

ଏଥର ଶୋଭନା ଟିକିଏ ହସିଲା ।–ନା, ସେ ଗୀତ ଶିଖେଇବାକୁ ଯାଇଛି । ଏଇ ବାଖରାବାଦରେ ଗନିମିଆଁ ବୋଲି ଜଣେ ଧନୀ କଣ୍ଟ୍ରାକ୍‍ଟର ଅଛନ୍ତି । ତାଙ୍କର ଦୁଇଟି ସାନ ଝିଅକୁ କମଳା ଗୀତ ଶିଖାଏ ।

 

–ଗନିମିଆଁ ଘରେ କମଳା ଗୀତ ଶିଖାଏ ।–ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି । ଗନିମିଆଁ ଛଡ଼ା କ’ଣ ଅନ୍ୟ କୌଣସି ଲୋକ ମିଳିଲା ନାହିଁ । ସେ ତ ଗୋଟାଏ ମଦୁଆ ଗୁଣ୍ଡା !

 

ଶୋଭନା ସେହିପରି ଧୀର କଣ୍ଠରେ ଜବାବ ଦେଲା–ଆଉ କ’ଣ କରାଯାଇପାରେ କୁହନ୍ତୁ ! ଆମକୁ ତ କିଛି ରୋଜଗାର କରି ବଞ୍ଚିବାକୁ ହେବ । ମା’ଙ୍କର ମଧ୍ୟ ଚିକିତ୍ସା କରାଇବାକୁ ହେବ ।

 

ଶୋଭନା କଥାରେ ନୁହେଁ–ମୋ ନିଜ କଥାରେ ମୁଁ ଲଜ୍ଜିତ ହେଲି । ମୋର କ’ଣ ବା ଏପରି ମନ୍ତବ୍ୟ ଦେବାର ପ୍ରୟୋଜନ ଥିଲା । ଏ ଝିଅ ଦୁଇଟି ବା ମୋର କିଏ ! ଜଗବନ୍ଧୁ ସହିତ ମଧ୍ୟ ମୋର ସମ୍ପର୍କ କ’ଣ । ଜୀବଜଗତରେ ବଞ୍ଚି ରହିବାର ଯୁଦ୍ଧ ଅନବରତ ଚାଲିଛି । ଯାହାକୁ କହନ୍ତି struggle for existance କିଏ ବା ଖାଇବାପାଇଁ ବଞ୍ଚିରହିଛି । ଆଉ କିଏ ବା କେବଳ ବଞ୍ଚି ରହିବାପାଇଁ ମୁଠିଏ ଖାଉଛୁ । ଏଇ ସଦ୍ୟ ପରିଚିତ ଦରିଦ୍ର ପରିବାରଟିକୁ ବଞ୍ଚାଇ ରଖିବାପାଇଁ ମୋର ତ କୌଣସି ଚେଷ୍ଟା ନାହିଁ । ପ୍ରୟୋଜନ ମଧ୍ୟ ନାହିଁ । ତେବେ ମୋର ଗନି ମିଆଁ ସମ୍ବନ୍ଧରେ ଏପରି କଟୁ ମନ୍ତବ୍ୟ କରିବାର କ’ଣ ପ୍ରୟୋଜନ ଥିଲା ।

 

ଏଇ ସମୟରେ ପ୍ରଚଣ୍ଡ କଳରବ କରୁକରୁ ଜଗବନ୍ଧୁ ଘରେ ପଶିଲା । ସର୍ବାଙ୍ଗ ଘର୍ମାକ୍ତ । ଯେପରି ବହୁଦୂରରୁ ସାଇକ୍ଲିଙ୍ଗ୍ କରି ଆସିଛି । ଦାଣ୍ଡଦୁଆରୁ ମୋତେ ଦେଖିପାରି ଆନନ୍ଦରେ ଚିତ୍କାର କରୁଛି ।–ସାର୍, ଆପଣ ଆସି ତଳେ ବସିଛନ୍ତି ! ଶୋଭା ଆଜି ମୋତେ ମନେକରାଇ ଦେବ, ଖଣ୍ଡେ ବେତର ମୋଡ଼ା କିଣି ଆଣିବି । ଆଜି କିନ୍ତୁ ସାର୍ ଆପଣ ଅଖିଆ ଯାଇ ପାରିବେ ନାହିଁ । ଶୋଭା ହାତର ରାନ୍ଧଣା ଖାଇବେ । କମଳାର କେତୋଟା ଭୋକାଲ୍ ମିଉଜିକ୍ ଶୁଣିବେ । ତେବେ ଯାଇ ଆପଣଙ୍କୁ ଛାଡ଼ିବି ! ଶୋଭା ଯା ରାନ୍ଧେ ସାର୍ । ଓଃ, ଲଭ୍‍ଲି । ଶୋଭା ସଉଦା ନିଅ, ଆଉ ଏ ଟଙ୍କା ରଖ ।

 

ଏହା କହି ଗୋଟାଏ ବ୍ୟାଗ୍‍ରେ କ’ଣ ସବୁ ସଉଦା ଆଉ ଗୋଟିଏ ନୋଟ୍ ଶୋଭନା ହାତକୁ ଜଗବନ୍ଧୁ ବଢ଼ାଇ ଦେଲା । ମୁଁ ଅନ୍ଦାଜ କରି ବୁଝିଲି–ପ୍ରାୟ ପଚାଶ ବା ଷାଠିଏ ଟଙ୍କା ହେବ । କୌଣସି କଥା ନ କହି ଶୋଭନା ଟଙ୍କା ଓ ବ୍ୟାଗ୍‍ଟି ଧରି ଭିତରକୁ ଚାଲିଗଲା ।

 

ଇଚ୍ଛା ନଥିଲେ ମଧ୍ୟ ଜଗବନ୍ଧୁ ଜିଦ୍‍ରେ ମୁଁ ସେଠାରେ ରହିଗଲି । ଗନିମିଆଁ ଘରୁ ଗୀତ ଶିଖାଇ କମଳା ଫେରିଲା । ଷୋଳ ସତରବର୍ଷର ଝିଅ । ଚାଲିଚଳନରେ ଶୋଭନାର ଠିକ୍ ବିପରୀତ । ଶୋଭନା ଠାରୁ ଦେହର ବର୍ଣ୍ଣ ଟିକିଏ ମଇଳା ହେଲେ ମଧ୍ୟ ଅତି ପରିଚ୍ଛନ୍ନ । ପରିଧାନରେ ଖଣ୍ଡିଏ କମ୍ ଦାମ୍‍ର ପରିଚ୍ଛନ୍ନ ଶାଢ଼ି–ଖଣ୍ଡିଏ କମ୍ ଦାମିଆ ମେଘ ରଙ୍ଗର ବ୍ଲାଉଜ୍ । ଆଖିରେ ବିଜୁଳି–ଓଠରେ ଟିକିଏ ବଙ୍କା ହସ । ଏ ପରିବାରର ଉତ୍କଟ ଦୈନ୍ୟର ଗ୍ଳାନି କମଳାର ତାରୁଣ୍ୟକୁ ଅଶୁଚି କରି ପାରିନାହିଁ ।

 

ଦ୍ଵିଧାହୀନ ଭାବରେ ହସିହସି ମୋ ସହିତ କଥା କହିଲା–ଜଗବନ୍ଧୁ ଭାଇଙ୍କ ଠାରୁ ଆପଣଙ୍କ କଥା ମୁଁ ବହୁତ ଶୁଣିଛି । ମୋତେ ଡିଟେକ୍‍ଟିଭ ଗଳ୍ପ ପଢ଼ିବାପାଇଁ ଭାରି ଭଲ ଲାଗେ । କୁହନ୍ତୁ ନା ଗୋଟାଏ ଗଳ୍ପ ।

 

ସାମାନ୍ୟ ହସି ମୁଁ କହିଲି–ମୁଁ ତ ସେପରି କୌଣସି ବହି ପଢ଼ି ନାହିଁ । କିପରି ତୁମକୁ ଗଳ୍ପ କହିବି ?

 

–ବାଃ, ଆପଣ ତ ନିଜେ ଜଣେ ପୁଲିସ ଅଫିସର । ଆପଣମାନଙ୍କ ସମ୍ବନ୍ଧରେ ତ ସବୁ ଗଳ୍ପ ଲେଖା ହୋଇଥାଏ । ଆପଣ ଆଉ ପଢ଼ିବେ କ’ଣ ?

 

ମନେ ମନେ କୌତୁକ ଅନୁଭବ କଲି । ପୁଲିସ ଜୀବନର ପ୍ରକୃତ ଅଭିଜ୍ଞତା ଓ କଳ୍ପନାବିଳାସୀ ଲେଖକମାନଙ୍କର ଗୋଇନ୍ଦା ଗଳ୍ପ ଭିତରେ ଯେ ବିନ୍ଦୁମାତ୍ର ସମ୍ୱନ୍ଧ ନାହିଁ ଏ କଥା କମଳାକୁ କହିଲେ ମଧ୍ୟ ସେ ବିଶ୍ଵାସ କରିବ ନାହିଁ । କହିଲି–ମୋର ବର୍ତ୍ତମାନ କିଛି ମନେ ପଡ଼ୁ ନାହିଁ । ଆଉ ଦିନେ ମୋର ଖାତା ନେଇ ଆସିବି ଓ ତୁମକୁ ଅନେକ ଗଳ୍ପ ଶୁଣାଇବି । ଆଜି ବରଂ ତୁମେ ଗୋଟିଏ ଗୀତ ଗାଅ । ମୁଁ ଶୁଣିଛି–ତୁମେ ଜଣେ କଣ୍ଠଶିଳ୍ପୀ ।

 

–ମୋଟ ନୁହେଁ । ମୁଁ ମୋଟେ ଭଲ ଗୀତ ବୋଲି ପାରେ ନାହିଁ । ଜଗବନ୍ଧୁ ଭାଇ ଆପଣଙ୍କୁ ମିଛରେ କହିଛନ୍ତି ।

 

ମୁଁ ହସିଲି । କହିଲି–ତୁମେ କହିବାକୁ ଚାହଁ, ତୁମର ଜଗବନ୍ଧୁ ଭାଇଙ୍କର ସେଇ ମିଛ କଥା ଶୁଣି ଗନିମିଆଁ ତୁମକୁ ଗୀତ ଶିଖାଇବା ପାଇଁ ଟଙ୍କା ଦେଉଛି ! ମୁଁ ଯେତେଦୂର ଜାଣେ, ଗନିମିଆଁ ଏତେ ବୋକା ନୁହେଁ ।

 

ମୋ କଥା ଶୁଣି କମଳା ଯେପରି ଅତିଶୟ ସଂକୁଚିତ ହୋଇଗଲା । କେବଳ କମଳା ଓ ମୁଁ ଦାଣ୍ଡଘରେ ବସିଥିଲୁ । ଜଗବନ୍ଧୁ ଭିତରେ ଶୋଭନାକୁ ରୋଷାଇରେ ସାହାଯ୍ୟ କରିବାକୁ ବ୍ୟସ୍ତ ଥିଲା । କମଳା ଧୀରେ ଧୀରେ କହିଲା–ଆପଣ ତ ଆମମାନଙ୍କ ବିଷୟରେ ସବୁ ଜାଣନ୍ତି । ଆମେମାନେ ବଡ଼ ଗରିବ । କେବଳ ଜଗବନ୍ଧୁ ଭାଇଙ୍କ ସାମାନ୍ୟ ରୋଜଗାର ଉପରେ ନିର୍ଭର କଲେ ଆମର ଚଳିବ ନାହିଁ । ସେଥିପାଇଁ ମୋତେ......

 

କମଳାର ସଙ୍କୋଚ ବୁଝି ପାରି ମୁଁ କହିଲି–ନା, ନା, ସେଥିରେ ଆଦୌ ଦୋଷ ନାହିଁ । ପାଠ ପଢ଼ାଇବା, ଗୀତ ଶିଖାଇ କିଛି ରୋଜଗାର କରିବା ଆଦୌ ଦୋଷାବହ ନୁହେଁ । ତା’ ଛଡ଼ା ଗନିମିଆଁ ମଧ୍ୟ ଜଣେ ଧନୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ।

 

ଟିକିଏ ଉଦାସିଆ ହସ ହସି କମଳା କହିଲା–ଆପଣ ଗନିମିଆଁକୁ କେତେଦୂର ଜାଣନ୍ତି ମୁଁ ଜାଣେ ନାହିଁ । ମୁଁ ଭାବୁଛି–ସେଠାକୁ ଆଉ ଯିବି ନାହିଁ । ଗନିମିଆଁ ଭଲଲୋକ ନୁହେଁ । ଖାଲି ଜଗବନ୍ଧୁ ଭାଇଙ୍କ କଥାରେ ମୁଁ ସେଠାକୁ ଗଲି । ମୁଁ ଏବେ ଯାଉଛି, ଖିଆପିଆର ବନ୍ଦୋବସ୍ତ କରିବି-। ଖାଇ ସାର । ମୁଁ ଯେଉଁ ଗୀତ ଶିଖିଛି–ଆପଣଙ୍କୁ ଶୁଣାଇବି । ଆପଣ ହସିବେ ନାହିଁ କିନ୍ତୁ ।

 

କମଳା ଚାଲିଗଲା । ମୁଁ ଏକା ବସି ରହିଲି । କେତେ ବେଳୁ ପାଖ ଘରୁ ଜଗବନ୍ଧୁ ଓ ଶୋଭନାର ମୃଦୁ କଣ୍ଠର କଥାବାର୍ତ୍ତା କିଛିକିଛି ଶୁଣା ଯାଉଛି । ସଠିକ ବୁଝି ହେଉନାହିଁ । ଯେପରି କୌଣସି ବିତର୍କ ବା କଳହ । ଅତି ଅସମୟରେ ଜଗବନ୍ଧୁ ମୋତେ ଆଜି ଏଠାରେ ଖାଇବାପାଇଁ ଅଟକାଇଛି । ଏପରି ଏକ ଦୈନ୍ୟକ୍ଳିଷ୍ଟ ପରିବାରରେ ଏପରି ଅସମୟରେ କୌଣସି ଅତିଥିକୁ ନିମନ୍ତ୍ରଣ କରିବା ଚରମ ମୂର୍ଖତା । ଜଗବନ୍ଧୁ ମୋତେ ଅଟକାଇ ତାହାହିଁ କରିଛି । ଲଜ୍ଜା, ସଙ୍କୋଚ ପ୍ରଭୃତି ସୂକ୍ଷ୍ମ ଅନୁଭୂତି ଜଗବନ୍ଧୁର ଆଦୌ ନାହିଁ । ସେଥିପାଇଁ ବୋଧହୁଏ ଶୋଭନା ତାକୁ ତିରସ୍କାର କରୁଛି ।

 

ହଠାତ ଶୋଭନାର ଟିକିଏ କଥା ମୋ’ କାନରେ ପଡ଼ିଲା । ମୁଁ ଯାହା ଭାବିଥିଲି ତା’ ନୁହେଁ । ଅସମୟରେ ଓ ବିନା ପ୍ରସ୍ତୁତିରେ ମୋତେ ଜଗବନ୍ଧୁ ଖାଇବାକୁ ଡାକିଛି ବୋଲି ଶୋଭନା ତା’କୁ ପ୍ରକୃତରେ ତିରସ୍କାର କରୁନାହିଁ । ସେମାନଙ୍କର କଥୋପକଥନର ବିଷୟ ବସ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ବୋଧହୁଏ ଗୋପନୀୟ । ନିମ୍ନ କଣ୍ଠରେ ଶୋଭନା କହୁଛି–ତମକୁ ମୋ ରାଣ, ମୋ ଦିହ ଛୁଇଁ ସତ କହ ।

 

ଜଗବନ୍ଧୁ ନିମ୍ନ କଣ୍ଠରେ କ’ଣ କହିଲା ଶୁଣି ପାରିଲି ନାହିଁ । କିଛିକ୍ଷଣ ପରେ ସେ ଘରେ କମଳାର କଣ୍ଠସ୍ୱର ଶୁଣାଗଲା । ଜଗବନ୍ଧୁ ଓ ଶୋଭନାର ଗୋପନ କଥା ବନ୍ଦ ହୋଇଗଲା । ଆଉ କିଛିକ୍ଷଣ ପରେ ଜଗବନ୍ଧୁ ଆସି ବ୍ୟସ୍ତ ହୋଇ କହିଲା–ଆସନ୍ତୁ ସାର୍, ବହୁତ ବିଳମ୍ୱ ହୋଇଗଲାଣି ।

 

ଅତି ନିରାଡ଼ମ୍ବର ଖାଦ୍ୟ । କିନ୍ତୁ ତୃପ୍ତିର ସହିତ ଭୋଜନ କଲି । ଜଗବନ୍ଧୁ କଥା ମିଛ ନୁହେଁ । ଅତି ସାଧାରଣ ପରିବାରେ ମଧ୍ୟ ଶୋଭନା ଚମତ୍କାର ରାନ୍ଧିପାରେ । ବାଚାଳ ଜଗବନ୍ଧୁ କଥା କହି ଚାଲିଛି ।–ଶୋଭା ହାତରେ ଲକ୍ଷ୍ମୀ ଅଛନ୍ତି ସାର୍ । ଏଇ ଖଡ଼ା ଆମ୍ବୁଲ ଖଟାଟା ଟିକିଏ ଖା’ନ୍ତୁ । ଲଭ୍‍ଲି ହୋଇଛି । ଆଉ ଶୋଭା, ଆମ ଆଚାର ଆଉ ପାମ୍ପଡ଼ ଆଣ ।

 

ଖାଇ ସାରିଲା ବେଳକୁ ଖରା ନଇଁ ଆସିଥିଲା । ଶୋଭନାର ରୁଗ୍‍ଣା ମା’ଙ୍କୁ ମଧ୍ୟ ଦେଖିଲି । ଖଣ୍ଡିଏ ମଇଳା ବିଛଣାରେ କଙ୍କାଳସାର ଗୋଟିଏ ପ୍ରୌଢ଼ା ପଡ଼ି ରହିଛି । ଦୁରାରୋଗ୍ୟ ରାଜଯକ୍ଷ୍ମା ଧୀରେ ଧୀରେ ତାକୁ ଗ୍ରାସ କରୁଛି । ଯେ କୌଣସି ମୁହୂର୍ତ୍ତରେ ତା’ର ଅସ୍ଥିସାର ବୁକୁ ତଳର ସ୍ପନ୍ଦନ ବନ୍ଦ ହୋଇଯାଇ ପାରେ । ନିଷ୍ପ୍ରଭ ଆଖିର କ୍ଷୀଣ ଆଲୁଅ ଟିକକ ଲିଭିଯାଇ ପାରେ ।

 

ତା’ପରେ କମଳାର କେତୋଟି ଗୀତ ଶୁଣିଲି । ଭଲ ଲାଗିଲା । ମୁଁ ସ୍ଵର ଶିଳ୍ପୀ ନୁହେଁ–ବା ସଙ୍ଗୀତର ସମଜ୍‍ଦାର ମଧ୍ୟ ନୁହେଁ । କେହି କେହି କହନ୍ତି ଯେ ରାଗିଣୀକୁ ଭାଷାର ଭୂଷଣ ପିନ୍ଧାଇ ଭାରାକ୍ରାନ୍ତ କରିବା ଉଚିତ ନୁହେଁ’’ । ଘଟନାଚକ୍ରରେ ବଡ଼ବଡ଼ ଓସ୍ତାଦ୍‍ମାନଙ୍କର ସେପରି ଭାଷାହୀନ ସ୍ଵରସାଧନା ପୂର୍ବେ କେତେକ ସ୍ଥାନରେ ଦେଖିଛି । ସ୍ଵରକୁ ‘‘ଦେଖିଛି’’ କହିବାର ଅର୍ଥ ହେଉଛି–ମୁଁ କେବଳ ଓସ୍ତାଦ୍‍ମାନଙ୍କର ବିକୃତ ମୁଖ ଓ ଅଙ୍ଗଭଙ୍ଗୀ ଦେଖିଛି । ସେ ସ୍ଵର ଲହରୀ ଶୁଣିବାକୁ ସାହସ କରିନାହିଁ । ପଳାଇ ଆସିଛି ।

 

କିନ୍ତୁ କମଳାର ଗୀତ ମୋତେ ଭଲ ଲାଗିଲା । ଦୁଇଟି ବିଷାଦର ଗୀତି । ଗୀତ ଦୁଇଟିର ଭାଷା ଓ ଗାୟିକା ମୁଖରେ ସେହି ବିଷାଦମୟ ଭାବର ପ୍ରତିଫଳନ ମୋତେ ମୁଗ୍ଧ କଲା । ତା’ପରେ ଜଗବନ୍ଧୁ ଛୋଟରାୟ, ବି. ଭି. ଏମ୍ ଙ୍କର ଦୁଇଟି ଭୋକାଲ୍ ମିଉଜିକ୍ ଶୁଣିବାକୁ ବାଧ୍ୟ ହେଲି । ଗୀତ ଗାଇବା ସମୟରେ ତା’ର ଅଙ୍ଗଭଙ୍ଗୀ ଓ ମୁଖ ବିକୃତି ଦେଖି ବହୁ ଚେଷ୍ଟାରେ ଉଦ୍‍ଗତ ହସକୁ ଦମନ କରି ମୁଁ ବସି ରହିଲି । ମୋର କାହିଁକି ମନେ ହେଲା ଯେ ସଙ୍ଗୀତ ଚର୍ଚ୍ଚାଟା ସ୍ତ୍ରୀଜାତିର ଏକଚାଟିଆ ହେବା ଉଚିତ । କୌଣସି ପୁରୁଷ ନାରୀଠାରୁ ଉଚ୍ଚରେ ସ୍ଵରଶିଳ୍ପୀ ହେଲେ ମଧ୍ୟ ସଙ୍ଗୀତର ପରିବେଷଣ କେବଳ ସୁନ୍ଦରୀ ନାରୀଦ୍ଵାରା ଭଲ ଲାଗେ । ଅବଶ୍ୟ ଏହା ମୋର ବ୍ୟକ୍ତିଗତ ମତ । ଏହା ପାଠ କରି ଯେପରି କୌଣସି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଧୈର୍ଯ୍ୟଚ୍ୟୁତ ନ ହୁଅନ୍ତି । କୋଇଲି ବା ହଳଦିବସନ୍ତ ପ୍ରଭୃତି ପକ୍ଷୀମାନଙ୍କର ଗାନ ଶୁଣି ମଣିଷ ମୁଗ୍ଧ ହୁଏ । ତା’ର ଅନ୍ୟତମ କାରଣ ସେ ପକ୍ଷୀଗୁଡ଼ିକ ଅତି ସୁନ୍ଦର । କିନ୍ତୁ ମାଟିଆ ଚିଲ ବା ଶାଗୁଣାର କଣ୍ଠ ଯଦି ଆହୁରି ସୁନ୍ଦର ହୋଇଥାନ୍ତା, ତେବେ ମଧ୍ୟ ଏଇ ସବୁ ବୀଭତ୍ସରୂପ ପକ୍ଷୀର ଗାନ ଶୁଣି ମଣିଷ ମୁଗ୍ଧ ହୋଇ ପାରନ୍ତା କି ନାହିଁ, ମୋର ଘୋର ସନ୍ଦେହ ।

 

–ଚାରି–

 

ଏ କାହାଣୀ ଏତିକି ଦୂର ଶୁଣି ମୋର ଜଣେ ସାହିତ୍ୟିକ ବନ୍ଧୁ ମୁହଁମୋଡ଼ିଲେ ।–ନାଇଁ ଭାଇ, ତୁମର ଏ ଜଗବନ୍ଧୁ ଚରିତାମୃତ ଶୁଣିବାକୁ ପାଠକର ଆଉ ଧୈର୍ଯ୍ୟ ରହିବ ନାହିଁ । ଏହାକୁ ଶୀଘ୍ର ଶେଷକରି ତୁମର ଅଭିଜ୍ଞତାର ଝୁଲିରୁ ଅନ୍ୟ ଚରିତ୍ର ପରିବେଷଣ କର । ଏପରି କ୍ଷେତ୍ରରେ ଉପନ୍ୟାସର ଯାହା ଅବଶ୍ୟମ୍ଭାବୀ ପରିଣତି–ତାହାହିଁ କର । ଶୋଭନାକୁ ଜଗବନ୍ଧୁ ସଙ୍ଗେ ବିବାହ କରାଇ ଦିଅ । ବାସ୍ ତୁମର କାମ ଶେଷ ।

 

କିନ୍ତୁ ମୋର ଅସୁବିଧା ହେଉଛି ଯେ ମୁଁ ଘଟନାର ଚିତ୍ରଶିଳ୍ପୀ ନୁହେଁ । ରଙ୍ଗ ଓ ତୁଳି ସାହାଯ୍ୟରେ ନିଜ ଇଚ୍ଛା ମୁତାବକ ସାହିତ୍ୟରେ ଚରିତ୍ର ସୃଷ୍ଟି କରିବାକୁ ଅକ୍ଷମ । ମୁଁ ହେଉଛି ଘଟନାର ଫଟୋଗ୍ରାଫର । ଯାହା ଘଟିବା ଉଚିତ–ବା ଘଟିଲେ ଭଲ ହୁଅନ୍ତା, ତା’ ଘଟାଇବା ଔପନ୍ୟାସିକର କାମ । ମୁଁ ସାହିତ୍ୟିକ ବା ଔପନ୍ୟାସିକ ନୁହେଁ । ଯାହାଯାହା ଘଟିଛି ତାହାରି ଆଲେଖ୍ୟ ମୁଁ ଉପସ୍ଥାପନ କରୁଛି ।

 

ତା’ପରେ ଥରେ ନୁହେଁ–ଏକାଧିକ ଥର ମୁଁ ଶୋଭନା ଓ କମଳା ଘରକୁ ଯାଇଛି । କ’ଣ ଯେ ମୋର ଆକର୍ଷଣ ତା’ ମୁଁ ନିଜେ ମଧ୍ୟ ବୁଝିନାହିଁ । ଜଗବନ୍ଧୁ ସଙ୍ଗେ ଆଉ ଦେଖା ହୋଇନାହିଁ । ସେ ଦିନର ଅଭିଜ୍ଞତା ପରେ ଜଗବନ୍ଧୁ ଖଣ୍ଡିଏ ବେତର ମୋଡ଼ା କିଣି ଆଣିଛି । ମୁଁ ଲକ୍ଷ୍ୟ କରିଛି–ଯେପରି ଏ କ୍ଷୁଦ୍ର ପରିବାରର ଉତ୍କଟ ଦୈନ୍ୟର ଘୋର ତିମିର–ଧୀରେ ଧୀରେ ଯେପରି ପରିଷ୍କାର ହୋଇ ଯାଉଛି । କେଉଁ ଅଦୃଶ୍ୟ ହାତର କୁହୁକ ସ୍ୱର୍ଗରେ ଯେ ଏହା ସମ୍ଭବ ହେଉଛି, ତା’ ମୁଁ ସେତେବେଳେ କଳ୍ପନା କରିପାରି ନଥିଲି । ଝିଅ ଦୁଇଟି ଦେହରେ ଆଉ ସେ ମଇଳା ଛିଣ୍ଡା ଲୁଗା ନାହିଁ । ତା’ ପରିବର୍ତ୍ତରେ ପରିଚ୍ଛନ୍ନ ତନ୍ତବୁଣା ଶାଢ଼ି ଦେଖା ଦେଇଛି । କେତେ ଖଣ୍ଡି ବିଛଣା ଓ କେତେ ଖଣ୍ଡି ବାସନ ମଧ୍ୟ ଆସିଛି । ସର୍ବୋପରି, ବିଷାଦର ପ୍ରତିମୂର୍ତ୍ତି ଶୋଭନା ମୁହଁରେ ହସ ଦେଖା ଦେଇଛି । ବନ୍ଧୁର ଶିଳାଶଯ୍ୟାରେ ନିର୍ଝରଧାରାର କଳୋଚ୍ଛ୍ଵାସ ପରି ତରୁଣୀ କମଳା କ୍ରୀଡ଼ା ଚପଳ ହୋଇ ଉଠିଛି ।

 

ଏଇ କେତେଥର ଯିବା ଆସିବାରେ ଶୋଭନା ଓ କମଳା ସହିତ ଯେତିକି ନିବିଡ଼ ଭାବରେ ମିଶିବାର ସୁଯୋଗ ମୁଁ ପାଇଛି, ସେଥିରେ ମୋର ଦୃଢ଼ ପ୍ରତୀତି ହୋଇଛି ଯେ ଶୋଭନା ଓ ଜଗବନ୍ଧୁ ଭିତରେ ସମ୍ବନ୍ଧ ଅତି ମଧୁର । ସେଥିପାଇଁ ହୁଏତ ଧନେଶ୍ଵର ନନ୍ଦିର ପରିବାର ସହିତ ସବୁ ବୈରଭାବ ଭୁଲି, ନିଜେ ନିଃସ୍ୱ ହୋଇ ମଧ୍ୟ ଏମାନଙ୍କର ଗୁରୁଭାର ନିଜ କାନ୍ଧରେ ବୋହୁଛି । ଦିନେ କଥା ଛଳରେ କମଳା କହିଥିଲା ଯେ ଗନିମିଆଁ ଘରକୁ ଆଉ ଗୀତ ଶିଖାଇବାକୁ ଯିବନାହିଁ । କାରଣ ଗନିମିଆଁ ଭଲଲୋକ ନୁହେଁ । କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଗନିମିଆଁ ଘରକୁ ଯାଉଛି । ସେ ବିଷୟରେ ଆଉ କୌଣସି କଥା ମୁଁ ପଚାରି ନାହିଁ ।

 

ବାଖରାବାଦରେ ଠିକ୍ ସଡ଼କ କଡ଼କୁ ଜଗବନ୍ଧୁର ଭଙ୍ଗା ଘରଟା । ସେ ବାଟେ ମୁଁ କେତେଥର ଯାଇଛି ! ଭଙ୍ଗା ଘରଟା ଆହୁରି ଭାଙ୍ଗି ଗଲାଣି । ଅରମା ବଣ ଆହୁରି ନିଘଞ୍ଚ ହୋଇ ବଢ଼ିଲାଣି । ଦାଣ୍ଡଦୁଆରେ ତାଲା ଝୁଲୁଛି । ଜଗବନ୍ଧୁ ବୋଧହୁଏ ଆଉ ମୋଟେ ଏଠାକୁ ଆସିନାହିଁ । ସେ ବର୍ତ୍ତମାନ ନୂଆ ନୀଡ଼ ରଚନା କରିଛି । ଦାଣ୍ଡପିଣ୍ଡାରେ ଗୋଟିଏ ପଟକୁ ସେଇ ବୁଲା ଷଣ୍ଢଟା ଆଗପରି ଆଶ୍ରୟ ନେଉଛି । ଆଉ ଗୋଟାଏ ପଟେ ଗୋଟାଏ ପାଗଳ ଆଶ୍ରୟ ନେଲାଣି । ଭଙ୍ଗା ଇଟା, ପଥର ଖପରା, ଛିଣ୍ଡା କନ୍ଥା ପ୍ରଭୃତିର ସ୍ତୂପ ଜମାକରି ପାଗଳଟା ବସିଛି । ଏଇ ପାଗଳାଟାକୁ ମୁଁ ବହୁକାଳରୁ ଚିହ୍ନେ, ମୋର ଛାତ୍ରାବସ୍ଥାରୁ । କାହାରି ସହିତ ପଦେ ହେଲେ କଥା କହେ ନାହିଁ । କେହି ତା’ର ନାମ ଜାଣନ୍ତି ନାହିଁ । ସହରସାରା ଯେତେ ଅଳିଆଗଦା ନାଳ ଘାଣ୍ଟିଘାଣ୍ଟି ସେ ଦିନସାରା କ’ଣ ଖୋଜୁଥାଏ । ଏବେ ମଧ୍ୟ ସେହିପରି କରୁଛି । କେଉଁ କାଳରେ କି ଅମୂଲ୍ୟ ନିଧି ସେ ହରାଇଛି କେଜାଣି...ଜୀବନସାରା ସେ ତାକୁ କେବଳ ଖୋଜିଖୋଜି ବୁଲୁଛି । ସେ ରତ୍ନ ଆଉ ସେ ଫେରି ପାଇବାର ଆଶା ନାହିଁ...କିନ୍ତୁ ଖୋଜିବାର ଅଭ୍ୟାସ ଛାଡ଼ି ପାରୁନାହିଁ ।

 

ଏଇ ବାୟାଟାର ନାମ କେହି ଜାଣନ୍ତି ନାହିଁ । ସମସ୍ତେ ତା’କୁ ‘‘ମସ୍ତରାମ’’ ବୋଲି ଡାକନ୍ତି । ସେ କି ଜାତିର ଲୋକ–ବା ତା’ର ମାତୃଭାଷା କ’ଣ, ସେ କଥା କେହି ଜାଣନ୍ତି ନାହିଁ । କିପରି ଥିଲା ତା’ର ଶୈଶବର କ୍ରୀଡ଼ା କୈଶୋରର ସ୍ୱପ୍ନ ବା ଯୌବନର ଉଚ୍ଚାଭିଳାଷ–ତାହା ମଧ୍ୟ କେହି ଗବେଷଣା କରିନାହାନ୍ତି । ସେ ଆଜି ବୃଦ୍ଧ ହୋଇଛି । ଦିନରାତି ସହରସାରା ନଳାନର୍ଦ୍ଦମା ଖୋଜିଖୋଜି ବୁଲି ପାରୁନାହିଁ । ଜଗବନ୍ଧୁର ଏଇ ପରିତ୍ୟକ୍ତ ପିଣ୍ଡାଟିରେ ସେ ବିଶ୍ରାମ ନେଇଛି । ବୋଧହୁଏ ଏହାହିଁ ତା’ର ଅଭିଶପ୍ତ ଜୀବନର ଶେଷ ବିଶ୍ରାମ ।

 

ସେଇ ବାଟେ ମୁଁ କେତେଥର ଯାଇଛି–ଆସିଛି । ମସ୍ତରାମକୁ ପିଣ୍ଡା ଉପରେ ଏକାପରି ବସିଥିବାର ଦେଖିଛି । ସେଥିରେ କୌଣସି ନୂତନତ୍ଵ ନାହିଁ । ସେଦିନ ସଞ୍ଜବେଳେ କ’ଣ ଗୋଟାଏ କାମ ଶେଷକରି ମୁଁ ସେ ବାଟେ ଫେରୁଥିଲି ।

 

ଯୁଦ୍ଧ ବେଳର ବ୍ଲାକ୍ ଆଉଟ୍ । ରାଜପଥରେ ଆଲୋକ ନାହିଁ । ଆକାଶରେ ଜହ୍ନ ଉଠିଛି-। ସେ ସ୍ନିଗ୍‍ଧ ଆଲୋକରେ ମୁଁ ସାଇକଲ ନ ଚଢ଼ି ଚାଲିଚାଲି ଏକା ଆସୁଥିଲି । ଅନ୍ଧାରୁଆ ପିଣ୍ଡା ଉପରେ ମସ୍ତରାମ ବସିଛି । ହୁଏତ ତାକୁ ମୁଁ ଲକ୍ଷ୍ୟ କରି ନ ଥାନ୍ତି । କିନ୍ତୁ ମୁଁ ଶୁଣି ପାରିଲି–ଯେପରି ଗୁଣୁଗୁଣୁ କରି ସେ କ’ଣ କଥା କହୁଛି । ମସ୍ତରାମ କଥା କହିବାର ଆଜି ପର୍ଯ୍ୟନ୍ତ କେହି ଶୁଣି ନାହାନ୍ତି । ଆଜି ହଠାତ ସେ କଥା କହୁଥିବାର ଶୁଣି ମୁଁ ସାଇକଲଟି ବାହାରେ ରଖି ତା’ ନିକଟକୁ ଗଲି । ସ୍ଥିର ଭାବରେ ଚକା ପକାଇ ମସ୍ତରାମ ବସିଛି । ମୋତେ ଦେଖି ତା’ର କୌଣସି ଭାବାନ୍ତର ହେଲା ନାହିଁ । ସେହିପରି ନିଜ ମନକୁ କ’ଣ ସବୁ କହିଯାଉଛି । ଖୁବ୍ ସ୍ପଷ୍ଟ ନୁହେଁ । ଟିକିଏ ଦୂରକୁ କିପରି ମନ୍ତ୍ରପାଠ ପରି ମନେ ହେଉଛି । ସେଇ ଅନ୍ଧାରୁଆ ପିଣ୍ଡା ଉପରେ ମସ୍ତରାମ ସାମନାରେ ମୁଁ ବସି ପଡ଼ିଲି । ମୋତେ ଦେଖି କ୍ଷଣକାଳ ପାଇଁ ତା’ର ମନ୍ତ୍ରପାଠ ବନ୍ଦ ହୋଇଗଲା । ମଲାଛେଳି ପରି ନିଷ୍ପ୍ରଭ ଓ ପଲକହୀନ ଦୃଷ୍ଟିରେ ମୋତେ କିଛିକ୍ଷଣ ଚାହିଁ ରହିଲା । ତା’ପରେ ପୁଣି ଗୁଣୁଗୁଣୁ ଶବ୍ଦରେ ସେହିପରି କ’ଣ ଆବୃତ୍ତି କଲା । ଏଥର ମୁଁ ବୁଝିପାରିଲି । ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଯାହାକୁ ଗୋଟାଏ ମଇଳାଘଣ୍ଟା ଅପରିଚ୍ଛନ୍ନିଆ ପାଗଳ ବୋଲି ଏତେକାଳ ଧରି ସମସ୍ତେ ଘୃଣା କରୁଥିଲେ, ସେ ଯେ ଜଣେ ପ୍ରତିଭାବାନ ପଣ୍ଡିତ, ଏଥିରେ ଆଉ କୌଣସି ସନ୍ଦେହ ନାହିଁ । ଗୁଣୁଗୁଣୁ କରି ସେ ଅସଂଲଗ୍ନ ପ୍ରଳାପ କରୁନାହିଁ । ଅତି ଉଚ୍ଚକୋଟୀର ଇଂରାଜୀ କବିତା ଆବୃତ୍ତି କରୁଛି । ବହୁକ୍ଷଣ ପର୍ଯ୍ୟନ୍ତ ମୁଁ ସେଠାରେ ବସି ଶୁଣିଲି । ଗୋଟିକ ପରେ ଗୋଟିଏ ସେ କିଟ୍‍ସ୍, ଟେନିସନ୍ ପ୍ରଭୃତି ଇଂରାଜୀ ମହାକବିମାନଙ୍କର କବିତା ଅତି ନିର୍ଭୁଲ ଭାବରେ ଆବୃତ୍ତି କରିଚାଲିଛି ।

 

ଗୋଟିଏ ଦୀର୍ଘ ନିଃଶ୍ଵାସ ପକାଇ ମୁଁ ଉଠିଲି । ଏ ହତଭାଗ୍ୟ ଦେଶରେ କେତେ ପ୍ରତିଭା ଯେ ଏହିପରି ମଉଳି ଝଡ଼ି ପଡ଼ୁଛନ୍ତି ତା’ର ଠିକ୍ ନାହିଁ । ହଠାତ ଗୋଟିଏ ଜିନିଷରେ ମୋର ଦୃଷ୍ଟି ପଡ଼ିଲା । ଜଗବନ୍ଧୁର ଏଇ ପରିତ୍ୟକ୍ତ ଭଙ୍ଗା ଘରର ଗୋଟିଏ ପାଖକୁ ନୂଆ ଇଟା, କାଠ, ଚୂନ, ବାଲି ପ୍ରଭୃତି ବହୁତ ଗଦା ହୋଇଛି । ଏଗୁଡ଼ିକ ପୂର୍ବେ ସେଠାରେ ନଥିଲା । ଏଇ ଦିନେ ଦୁଇଦିନ ଭିତରେ ଗଦା ହୋଇଛି । ତେବେ କ’ଣ ଲକ୍ଷ୍ମୀଛଡ଼ା ଜଗବନ୍ଧୁ, ନୂଆ ଘର ତିଆରି କରିବାର ଚେଷ୍ଟା କରୁଛି । କେଉଁଠାରୁ ସେ ଏତେ ଟଙ୍କା ଆଣୁଛି ?

 

ସେଇ ରାତିରେ ପାଗଳ ମସ୍ତରାମ ବିଷୟରେ ମୁଁ ଇଂରାଜ ଏସ୍. ପି. ଓ ଆଇ. ସି. ଏସ କଲେକ୍‍ଟରଙ୍କ ନିକଟକୁ ରିପୋର୍ଟ ପଠାଇଲି । ସେମାନଙ୍କୁ ଅନୁରୋଧ କଲି ଯେ ଏପରି ଗୋଟାଏ ପ୍ରତିଭାକୁ ବୁଲା କୁକୁର ପରି ସଡ଼କ କଡ଼ରେ ମରିବାକୁ ଦିଅନାହିଁ । ତାକୁ ବଞ୍ଚାଅ । ସରକାରୀ ନାଲିଫିତାର ବ୍ୟୂହ ଭେଦକରି ମୋ ରିପୋର୍ଟ ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ବିଳମ୍ବ ହେଲା-। ଦୁଇଦିନ ପରେ କଲେକ୍‍ଟରଙ୍କ ନିର୍ଦ୍ଦେଶରେ, ଜଣେ ଡାକ୍ତର ଆମ୍ବୁଲେନ୍‍ସ ଗାଡ଼ି ନେଇ ସେଠାରେ ପହଞ୍ଚିଲା ବେଳକୁ ସବୁ ଶେଷ ହୋଇ ଯାଇଛି । ତା’ର ଜୀବନସାରାର ସଞ୍ଚୟ–ଅସଂଖ୍ୟ ସାନସାନ ପଥର, ବାଲିଗରଡ଼ା, ପୁରୁଣା ଓ ଛିଣ୍ଡା ଖବରକାଗଜର ସ୍ତୂପ ଉପରେ ମସ୍ତରାମ ନିଶ୍ଚଳ ହୋଇ ଶୋଇ ପଡ଼ିଛି । ଯେଉଁ ନିଦ୍ରା ଆଉ ଭାଙ୍ଗିବ ନାହିଁ ।

 

ମୁଁ ମଧ୍ୟ ଯାଇଥିଲି । ନୀରବରେ ଗୋଟିଏ ଦୀର୍ଘ ନିଃଶ୍ଵାସ ପକାଇ ଏଇ ଅଜ୍ଞାତ ପ୍ରତିଭାର ସଦ୍‍ଗତି ପାଇଁ ଭଗବାନ୍‍ଙ୍କ ନିକଟରେ ମନେମନେ ପ୍ରାର୍ଥନା କଲି । କଲେକ୍‍ଟରଙ୍କ ନିର୍ଦ୍ଦେଶରେ ହିନ୍ଦୁରୀତିରେ ପାଗଳ ମସ୍ତରାମର ଶବ ସତ୍କାର ହେଲା ।

 

ଜଗବନ୍ଧୁ ଜୀବନର ଯେଉଁ ଦିଗଟି ମୋ ନିକଟରେ ରହସ୍ୟାବୃତ ଥିଲା, ଦିନେ ଅତି ଆକସ୍ମିକ ଭାବରେ ନିଧି ଭୋଇ ଠାରୁ ସେ ରହସ୍ୟ ଉଦ୍‍ଘାଟନର ସୂତ୍ର ମୁଁ ପାଇଲି । ନିଧି ଭୋଇର ବୟସ ପ୍ରାୟ ଷାଠିଏବର୍ଷ । କିନ୍ତୁ ଏ ପର୍ଯ୍ୟନ୍ତ ସେ ଅତିଶୟ ବଳବାନ୍ । ମାଂସପେଶୀ ତା’ର ଇସ୍ପାତ ପରି । ପୁଲିସ ରେକଡ଼ରେ ସେ ଜଣେ ଅତି ଦୁର୍ଦ୍ଦାନ୍ତ ଦସ୍ୟୁ । ଜୀବନରେ ମୋଟ ସତରଥର ସେ ସଜା ପାଇଛି । ମୋଟ ଏକତିରିଶବର୍ଷ ଜେଲ୍‍ରେ କଟାଇଛି । ଏବେ ପ୍ରାୟ ଦୁଇମାସ ହେଲା ଜେଲ୍‍ରୁ ଖଲାସ ହୋଇଛି । ସହରର ଅପରାଧୀ ରାଜ୍ୟର (Under ground) ସବୁ ନାଡ଼ିନକ୍ଷତ୍ର ତାକୁ ଜଣା । ସେଦିନ ସଞ୍ଜବେଳେ ହଠାତ ନିଧିଭୋଇ ଆସି ମୋ ବସାରେ ଉଦୟ ହେଲା । ମୁଁ କ’ଣ ଖଣ୍ଡେ ଚିଠି ଲେଖୁଥିଲି । ହଠାତ ନିଧି ଭୋଇ ଘର ଭିତରେ ପଶିଯାଇ ମୋ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଗଲା । ତା’ପରେ ଉଠି ବସି ହାତ ଯୋଡ଼ି କହିଲା–ଟିକିଏ ଦେଖା କରିବାକୁ ଆସିଗଲି ବଡ଼ବାବୁ ।

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି–କ’ଣରେ ନିଧି । ଟଙ୍କା ଦରକାର ? ଏଥିପୂର୍ବରୁ ନିଧି ମୋଠାରୁ ପାଞ୍ଚଟଙ୍କା ଲେଖେ ଦୁଇଥର ନେଇଯାଇଛି । ବହୁତ ମୂଲ୍ୟବାନ୍ ସମ୍ବାଦ ସେ ପୁଲିସକୁ ଦିଏ । ତା’ ପରିବର୍ତ୍ତରେ ଯତ୍‍ସାମାନ୍ୟ ପୁରସ୍କାର ପାଏ । ନିଧି ବିନୟର ସହିତ ହାତ ଯୋଡ଼ି କହିଲା–ହଁ ହଜୁର, ବିଦାକି ତ ମୁଁ ଯେମିତି ହେଲେ ପାଇବି । ସେ କଥା ମୁଁ ଜାଣେ । ହେଲେ, ମୋର ଗୋଟାଏ କିଛି ବ୍ୟବସ୍ଥା ଜଲ୍‍ଦି କରିଦିଅ ବଡ଼ବାବୁ ! ମୋ ପରି ଲୋକ ଏ ବୟସରେ ମୂଲ ଲାଗି ଖାଇଲେ କ’ଣ ତମକୁ ଭଲ ଦିଶିବ !

 

–କିନ୍ତୁ ମୁଁ କ’ଣ କରିପାରେ କହ ନିଧି ! ତୁ କୌଣସି ବ୍ୟବସାୟ କରି ପାରିବୁ ? ନିଧି ପରି ଗୋଟାଏ ମହାନ୍ ବ୍ୟକ୍ତି ବ୍ୟବସାୟ ରୂପକ ଗୋଟାଏ ନିକୃଷ୍ଟ କାର୍ଯ୍ୟରେ ହାତ ଦେବ, ଏହି ଲଜ୍ଜାରେ ସେ ଯେପରି ଝାଉଁଳି ପଡ଼ିଲା ।–ଛି, ଛି, ଛି । ସେ ସବୁ କାମ ଆମେ କଲେ ଲୋକେ କହିବେ କ’ଣ ? ସେ ଜଗୁଟା ସେଦିନ ମୋତେ କହୁଥିଲା । ଓସ୍ତାଦ୍ ଆସ ଏକାଠି ମିଶି ମଦ ବ୍ୟବସାୟ କରିବା । ଉଡ଼ାଜାହାଜ ସାହେବମାନେ ବହୁତ ଦାମ୍ ଦେଇ ଦେଶୀମାଲ କିଣୁଛନ୍ତି । ଭଲ ମୁନାଫା ହେବ । ମୁଁ କହିଲି–ହଇରେ ଜଗୁ, ତୋପରି ପକେଟମାରୁଟା ସାହସ କରି ମୋତେ ଏ କଥା କହି ପାରିଲୁ ।

 

ନିଧି ଭୋଇ କଥା ଶୁଣି ମୋ ମନରେ ହଠାତ ଗୋଟାଏ ସନ୍ଦେହ ହେଲା । ପଚାରିଲି–କେଉଁ ଜଗୁ କଥା କହୁଛୁ ନିଧି ?

 

ଟିକିଏ ଅନୁକମ୍ପାର ହସ ହସି ନିଧି କହିଲା–ସେଇ ଯେଉଁ ବାଖରାବାଦର ଲଫଙ୍ଗା ଟୋକା । ଜଗୁ ଛୋଟରାୟ । ପାଞ୍ଚ ଛ ସାଲ ତଳେ ଥରେ ବାଲିଯାତ୍ରାରୁ ପକେଟମାରୁ କରି ତିନିମାସ ଯାଇଥିଲା । ମୁଁ ସେତେବେଳେ କଟକ ଜେଲ୍‍ରେ ଥିଲି । ଟୋକା ପହିଲି ଥର ଯାଇ ସେ କି କାନ୍ଦଣା ! ମୁଁ ଧମକ ଦେଇ କହିଲି–ଚୁପ୍‍ବେ ମାଈଚିଆ । କାନ୍ଦୁଛୁ କାହିଁକି ? କଇଁକଇଁ ହୋଇ ମୋତେ କାନ୍ଦିକାନ୍ଦି କହିଲା–ମୁଁ କିଛି କରିନାହିଁ । ସବୁ ମିଛ । ମିଛ ପ୍ରମାଣ ଦେଇ ମୋତେ ଜେଲ୍ ପଠାଇଛନ୍ତି । ମୁଁ କହିଲି–ଇୟେ ଆଉ ନୂଆ କଥା କ’ଣ ? ଇୟେ ଶଳା ପୁଲିସଙ୍କର ତ.......

 

ଏତିକି କହି ନିଧି ଭୋଇ ହଠାତ ଜିଭ କାମୁଡ଼ି ରହିଗଲା । ମୋର ଦୁଇଗୋଡ଼ର ଧୂଳି ନେଇ ମୁଣ୍ଡରେ ଛୁଆଁଇଲା । ମୁଁ ହସି ପକାଇଲି । କହିଲି–ନିର୍ଭୟରେ କହିଯା ନିଧି । କେହିକେହି ପୁଲିସ କର୍ମଚାରୀ ମିଥ୍ୟା ପ୍ରମାଣ ସଂଗ୍ରହ କରିଥାନ୍ତି, ଏ କଥା ମୁଁ ମଧ୍ୟ ଜାଣେ ।

 

ନିଧି କହିଲା–ସେଇ ଜଗୁ । ତିନିମାସଯାକ ଜେଲ୍‍ରେ ଖାଲି କାନ୍ଦିଛି । ସୁକୁମାରିଆ ପିଲାଟା । କାମ କରିପାରି ନାହିଁ । ମୁଁ କହିଲି–କୁଛ ପରୋୟା ନେହିଁ । ତୁ ଖାଲି ଖାଇପିଇ ବସ । ମୁଁ ସବୁ ବନ୍ଦୋବସ୍ତ କରିଦେବି । ଦାମବାବୁ ଜେଲର୍, ଆଉ ସତୁ ବାବୁ ଜେଲ୍ ଡାକ୍ତର ମୋତେ ବହୁତ ମାନୁଥିଲେ । ଡାକ୍ତରବାବୁଙ୍କୁ କହି ମୁଁ ଜଗୁକୁ ସିକ୍ ଲେଖାଇ ଦେଲି । ବାସ୍, ଆଉ କିଛି କାମ କରିବାକୁ ପଡ଼ିବ ନାହିଁ । ଜେଲ୍ ଭିତରେ ଖାଅ, ପିଅ, ମଜାକର । ଜେଲ୍‍ରୁ ଖଲାସ ହେବା ଦିନ ଜଗୁ ମୋ ଗୋଡ଼ତଳେ ଗୋଟିଏ ମୁଣ୍ଡିଆମାରି କହିଲା–ଯାଉଛି ଓସ୍ତାଦ୍ । ମୋତେ ଜେଲ୍‍ରେ ସବୁ କଇଦୀମାନେ ଓସ୍ତାଦ୍ ବୋଲି ଡାକନ୍ତି କିନା ! ମୁଁ କହିଲି–ହଉ ଯା, ହେଲେ ଜଲ୍‍ଦି ପୁଣି ପଳେଇ ଆ । ତୋର ସବୁ ହାଲ୍ ମୁଁ ବୁଝିବି । କୁଛ୍ ପରୋୟା ନେହିଁ । ଟୋକାଟା ଉପରେ ମୋର କେମିତି ଗୋଟାଏ ମାୟା ପଡ଼ି ଯାଇଥିଲା ହଜୁର । ମୋର ପୁଅ ଥିଲେ ତା’ରି ବୟସର ହୋଇଥାନ୍ତା । ହେଲେ ସେ ଆଉ ଯାଇନାହିଁ । ଏବେ ଥରେ ତା’ ସଙ୍ଗେ ଦେଖା ହୋଇଥିଲା । ମୋତେ କହୁଛି, ଓସ୍ତାଦ୍, ମୋ ସଙ୍ଗେ ବ୍ୟବସାୟ କର । ତା’ ଫୁଟାଣିଆ କଥା ଶୁଣି ମୁଁ କହିଲି–ହଁରେ ଛୁଆ । ନଈର ମଗର–ମାଟିରେ ମୁର୍ଦ୍ଦାର । ଜେଲ୍ ବାହାରେ ମୁଁ ଆଜି ସେହି ମୁର୍ଦ୍ଦାର ବନିଛି । ତୋ’ପରି ପକେଟମାରୁ ପାତି ଚୋରବି ମୋତେ ଏ କଥା କହିଦେଲା ।

 

ନିଧି କଥା ଶୁଣି ମୁଁ କିଛିକ୍ଷଣ ନୀରବରେ ବସି ରହିଲି । ଜଗବନ୍ଧୁ ରହସ୍ୟ ମୋ ନିକଟରେ ବହୁତ ପରିଷ୍କାର ହୋଇ ଆସୁଥିଲା । ହଠାତ ନିଧି ପୁଣି କହିଲା–ହେଲେ ବଡ଼ବାବୁ, ମୋ କଥା ଟିକିଏ ବୁଝ । ତମେ ଟିକିଏ ନିଘା ନ ଦେଲେ ମୁଁ ବଡ଼ ହଇରାଣରେ ପଡ଼ିବ ।

 

–ତୋର କ’ଣ କଥା ବୁଝିବାକୁ କହୁଛୁ ନିଧି ? ଜେଲ୍‍ରୁ ଖଲାସ ହୋଇ ତୁ ବର୍ତ୍ତମାନ ରହିଛୁ କେଉଁଠି ?

 

ସେଇ କାଫଲା ବଜାରରେ–ମୋ କ୍ଳବ୍ ଘରେ । ମୋର ସେ କ୍ଳବ୍ ଘର ଖଣ୍ଡ ମୁଁ ମରାମତି କରି ବରାବର ଠିକ୍ ରଖିଥାଏ ।

 

ତୋର କ୍ଳବ୍ ଘର ମାନେ ? ବୁଝି ନ ପାରି ମୁଁ ପଚାରିଲି ?

 

–କ୍ଳବ୍ ନୁହେଁ ତ ଆଉ କ’ଣ ? ମୋର ତ ରହିବା ଘର ହେଲା ଜେଲ୍ । ବାବୁମାନେ ଯେମିତି ସମୟ ପାଇଲେ କ୍ଳବ୍‍ରେ ଯାଇ କିଛି ସମୟ କଟାନ୍ତି; ମୁଁ ତ ସେମିତି ପାଞ୍ଚବର୍ଷରେ–ତିନିବର୍ଷରେ ଥରେ ଆସି କିଛିଦିନ ସେଠାରେ କଟାଏ । ସେଟା ମୋର କ୍ଳବ୍ ନୁହେଁ ତ ଆଉ କ’ଣ-?

 

ନିଧି ଭୋଇର ଏ ବିଚିତ୍ର ଯୁକ୍ତି ଶୁଣି ମୁଁ ହସି ପକାଇଲି । ତା’ପରେ କହିଲି–ମୁଁ ତୋର କ’ଣ ଉପକାର କରିପାରେ କହୁନୁ କାହିଁକି ?

 

ନିଧି ଭୋଇ ନୀରବରେ ବସିରହି କିଛିକ୍ଷଣ ପର୍ଯ୍ୟନ୍ତ କ’ଣ ଚିନ୍ତା କଲା । ତା’ପରେ ମୋର ଆହୁରି ନିକଟକୁ ଘୁଞ୍ଚି ଆସି ନିମ୍ନ କଣ୍ଠରେ କହିଲା–ବାବୁ, ଲାଟସାହେବର ମଟର ଉପରକୁ ବାଡ଼ିଆ ଫୋଟକା ଫୋପାଡ଼ିଲେ କେତେ ବର୍ଷ ଜେଲ୍ ହେବ ?

 

ନିଧିର ପ୍ରଶ୍ନ ଶୁଣି ମୁଁ ସ୍ତମ୍ଭିତ ହୋଇଗଲି । ଯୁଦ୍ଧ ସମୟରେ ବ୍ରିଟିଶ ଗଭର୍ଣ୍ଣରଙ୍କ ନିରାପତ୍ତା ପାଇଁ ସେକାଳେ ପୁଲିସ ଯେ କେତେ ଦାୟୀ ଥିଲା, ଏ କଥା ଅନେକେ ଜାଣନ୍ତି । ନିଧି ଭୋଇର ଏପରି ବିପଜ୍ଜନକ ଯୋଜନାର ସଠିକ କାରଣ ବୁଝି ନ ପାରି ମୁଁ କହିଲି–ଏ କଥା କାହିଁକି ପଚାରୁଛୁ ନିଧି ? ତୋର କ’ଣ ଏପରି କିଛି କାମ କରିବାର ଇଚ୍ଛା ଅଛି ନା କ’ଣ ?

 

ନିର୍ବିକାର ଭାବରେ ନିଧି ଉତ୍ତର ଦେଲା–ହଁ ହୁଜୁର । ଏକାଥରକେ ଆଠ ଦଶବର୍ଷ ନ ଗଲେ ଏମିତି ଥରକେ ବର୍ଷେ, ଦୁଇବର୍ଷ ମୋତେ ପୋଷଉ ନାହିଁ । ଏଇ ଦେଖନା ହୁଜୁର, ମୁଁ ଆଜିକି ଦି ମାସ ହେଲା ଆସିଲିଣି । ବେକାର ବସିଛି । ଆସିଲାବେଳେ ଦାମବାବୁ ଜେଲର୍ କହିଲେ–ନିଧି, ଯାଉଛୁ । ଏଇ ଦେଖ ବାଇଗଣ ଚାରାଗୁଡ଼ାକ ସାନସାନ ହୋଇଛି । ତୁ ନ ରହିଲେ ଏ କଇଦୀଗୁଡ଼ା ମନଦେଇ କାମ କରିବେ ନାହିଁ । ଜଲ୍‍ଦି ଚାଲି ଆସିବୁ । ବାହାରେ ବେଶି ଦିନ ବୁଲିବୁ ନାଇଁ । ଦାମବାବୁ ଯାହା କହିଲେ ସତ ହଜୁର । ଏ କଇଦୀଗୁଡ଼ାକ ସବୁ ପକ୍କା ବଦମାସ । ଠେଲା ନ ପାଇଲେ ମୋଟେ କାମ କରିବେ ନାହିଁ । ଏତେ ସୁନ୍ଦର ବଗିଚାଟା କ’ଣ ହୋଇ ପଡ଼ିଛି କେଜାଣି ।

 

ବିଚିତ୍ର ଏ ମଣିଷଟି । କାହିଁକି କେଜାଣି, ନିଧି ବିଷୟରେ ମୋର ସବୁ ଜାଣିବାର ଇଚ୍ଛା ହେଲା । ପୁଲିସ ରେକର୍ଡ଼ରେ ଅବଶ୍ୟ ନିଧିର ‘ହିଷ୍ଟ୍ରି ସିଟ୍’ ଅଛି । ତାହା ମୁଁ ଭଲକରି ପଢ଼ିଛି । କିନ୍ତୁ ମୁଁ ଜାଣେ ଯେ ପୁଲିସ ରେକର୍ଡ଼ରେ ଯାହା ଥାଏ, ତାହା କୌଣସି ଦସ୍ୟୁର ବାହାର ପରିଚୟ ମାତ୍ର । କେତେଥର ସେ ଜେଲ୍ ଯାଇଛି, କ’ଣ ଚୋରି କରିବା ତା’ର ଅଭ୍ୟାସ, କେଉଁମାନେ ତା’ର ସହକର୍ମୀ–ଏହିପରି ? ବାହାରର ପରିଚିତ ଯେ ମଣିଷର ସମ୍ପୂର୍ଣ୍ଣ ଆଲେଖ୍ୟ ନୁହେଁ, ଏ ବିଷୟରେ ମୋର ଅନେକ ଅଭିଜ୍ଞତା ଅଛି । ବାହାରେ ଯେ ଅତି ମାର୍ଜିତ ଓ ଭଦ୍ର, ଅନ୍ତରରେ ହୁଏତ ସେ ଗୋଟାଏ ପିଶାଚ । ସେହିପରି, ବାହାରେ ଯେ ରତ୍ନାକର ପରି ନରହନ୍ତା ଦସ୍ୟୁ, ତା’ର ଅନ୍ତରରେ ହୁଏତ ବାଲ୍ମୀକିର ସମ୍ଭାବନା ଲୁଚି ରହିଛି ।

 

କଥାଛଳରେ ସେଦିନ ମୁଁ ନିଧି ଭୋଇକୁ ପଚାରିଲି–ନିଧି, ତୁ କ’ଣ ମୋଟେ ବାହା ହୋଇନୁ ?

 

ମୋ ପ୍ରଶ୍ନ ଶୁଣି ନିଧି ହସିଲା । କହିଲା–ବାହା ହୋଇ ସଂସାର କରିବାକୁ ମୋର ଆଉ ସମୟ ଥିଲା କେଉଁଠି ? ପନ୍ଦରବର୍ଷ ବେଳୁ ମୁଁ ଏ ଲାଇନ୍ ଧଇଲି । ଧରାପଡ଼ି ଜେଲ୍ ଗଲି । ତା’ପରେ ମୁଁ ଯେତେବେଳେ ଯବାନ ହେଲି ସେତେବେଳେ ବାହା ହୋଇ ସମସ୍ତଙ୍କ ପରି ଆନନ୍ଦରେ ସଂସାର କରିବାକୁ ମୋର ଭାରି ଇଚ୍ଛା ହୋଇଥିଲା । ମନେ କରିଥିଲି ଆଉ ଏ ସବୁ ନ କରି ବାପ ଅଜାଙ୍କ ପରି ମେହନତ୍ କରି ପେଟ ପୋଷିବି । ହେଲେ ବାବୁ, ଯାହା ହେବାର ନୁହେଁ ତା’ ହେଲାନାହିଁ ।

 

କାହିଁକି ହେଲାନାହିଁ ନିଧି ? ମୁଁ ପଚାରିଲି ।

 

ମୋ ପ୍ରଶ୍ନ ଶୁଣି ନିଧି ଗୋଟିଏ ଦୀର୍ଘ ନିଃଶ୍ୱାସ ତ୍ୟାଗ କଲା । ମୁହଁଟି ତା’ର କିପରି ଉଦାସିଆ ଦେଖାଗଲା । ତା’ପରେ ଧୀରେ ଧୀରେ କହିଲା–ସେ ସବୁ ବହୁଦିନର ପୁରୁଣା କଥା ବାବୁ । ପ୍ରାୟ ଚାଳିଶବର୍ଷ ତଳର କଥା । ସେତେବେଳେ ମୁଁ କୋଡ଼ିଏବର୍ଷର ଜୁଆନ୍ । ଛାତି ଉପରେ ହାତୀ ଚଳାଇବାର ହେମତ୍ ଥିଲା । ସେତେବେଳକୁ ମୁଁ ଦି’ଥର ସଜା ଖଟି ଫେରିଛି । ଥରେ ଛ ମାସ,–ଆଉଥରେ ବର୍ଷେ । ସେତିକିବେଳେ ଦିନେ ଗୋଟିଏ ନିଛାଟିଆ ଖରାବେଳେ ଗୋରା କବର ପାଖେ ମୁଁ ରତନୀକୁ ଭେଟିଲି । ଛାଡ଼ ବାବୁ ସେ ସବୁ ପୁରୁଣା ଅଦରକାରୀ କଥା । ଆଜି ଆଉ ସେ ସବୁର କିଛି ଦାମ୍ ନାହିଁ ।

 

ମୁଁ କିନ୍ତୁ ଛାଡ଼ିଲି ନାହିଁ । ଏଇ ବିଚିତ୍ର ଲୋକଟି ବିଷୟରେ ସବୁ ଜାଣିବାପାଇଁ ମୋର ବଡ଼ ଆଗ୍ରହ ହେଲା । ମୁଁ ଜିଦ୍ ଧରିଲି–ନା ନିଧି, ତୋତେ ସବୁ କହିବାକୁ ହେବ । ନିଧି ଟିକିଏ ହସିଲା । ଦୁର୍ଦ୍ଦାନ୍ତ ଦସ୍ୟୁର ବେପରୁଆ ହସ ନୁହେଁ । ଅତି ଉଦାସିଆ ଟିକିଏ ହସ । କହିଲା–ମୁଁ ମୂର୍ଖଲୋକ ବାବୁ । ବହୁତ ଦିନର ପୁରୁଣା କଥା ମୋର ଭଲକରି ମନେ ରହେ ନାହିଁ । ହେଲେ ରତନୀ କଥା ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରେ ନାହିଁ । ମୋର ବୟସ ହେଲାଣି । ମୋରି ବୟସର କେତେଲୋକ ମୋରି ଆଖି ଆଗରେ ମରି ଗଲେଣି । ସେ ଦିନ ଆମ ସାହିର ବନ୍ଧୁ ତରେଇ ମରିଗଲା । ତା’ର ତିନିଟା ଭେଣ୍ଡା ପୁଅ ଆଉ ଜାତି ଭାଇବନ୍ଧୁ ତରାଇକୁ କୋକେଇରେ ଚଢ଼ାଇ ‘‘ରାମନାମ ସତ୍ୟ ହେ’’ କହି ମଶାଣିକୁ ନେଇଗଲେ । ତା’ର ବୁଢ଼ୀ ମୁଣ୍ଡ ପିଟି କାନ୍ଦି ଗଡ଼ି ଯାଉଥାଏ-। ମୁଁ ସେଇଠି ଛିଡ଼ା ହୋଇ ଖାଲି ମୋ ନିଜ କଥା ଭାବୁଥାଏ ବାବୁ ! ମୋରବି ଡାକରା ଆସିବ । ହେଲେ କେହି ମୋତେ କୋକେଇରେ ଚଢ଼ାଇ ମଶାଣିକୁ ନେବେ ନାହିଁ । କେହି ମୋର ମୁହଁରେ ନିଆଁ ଦବ ନାହିଁ । କେହି କାନ୍ଦିବ ନାଇଁ । ସେ ଦିନ ପୁଣି ରତନୀ କଥା ମୋର ମନେ ପଡ଼ିଲା । ଚଣ୍ଡାଳୁଣୀଟା ଯଦି ମୋତେ ଏମିତି ଦଗା ନ ଦେଇ ଥାନ୍ତା । ତା’ ହେଲେ ମୁଁ ବି ଆଜି ଘରଦୁଆର କରି ରହିଥାନ୍ତି । ମୋରବି ସେମିତି ଭେଣ୍ଡାଭେଣ୍ଡା ପୁଅ ଥା’ନ୍ତେ ।

 

କହୁକହୁ ନିଧିର ଆଖି ଦୁଇଟି କିପରି ବାଷ୍ପାଚ୍ଛନ୍ନ ହୋଇ ଉଠିଲା । ତା’ପରେ ନିଜକୁ ସମ୍ଭାଳି ନେଇ ସେ ପୁଣି କହିବାକୁ ଆରମ୍ଭ କଲା–ଆମରି ବସ୍ତିର ବାହୁଡ଼ା ଦାଦି ଝିଅ ରତନୀ । ପିଲାଟି ଦିନୁ ମୁଁ ତାକୁ ଦେଖୁଛି । ସିଂଘାଣିନାକୀ ଅପରିଚ୍ଛନୀ ପିଲାଟା କିନ୍ତୁ ସେଦିନ ସେ ଉଦୁଉଦିଆ ଦିପହରବେଳେ ନିଛାଟିଆ ଗୋରାକବର ପଛଆଡ଼େ ମୁଁ ଯେପରି ରତନୀକୁ ନୂଆକରି ଦେଖିଲି । ମୋତେ ଭାରି ଭଲ ଲାଗିଲା । କାହିଁକି କେଜାଣି, ସେ ଦିନ ରତନୀ ମୋ ଆଖିକୁ ଭାରି ସୁନ୍ଦର ଦେଖାଗଲା । –ଏଠାରେ ଏକା କ’ଣ କରୁଛୁ ରତନୀ ? ମୁଁ କଅଁଳ କରି ପଚାରିଲି । ରତନୀ ଗେଲେଇ ହୋଇ କହିଲା–ନିଧି ଭାଇ, ଏଇ ଡେଙ୍ଗା ତାଳଗଛ ଉପରେ ବଣି ଛୁଆ ଦେଇଛି-। ମୋତେ ଆଣି ଦବୁନାଇଁ ? ମୁଁ ପଞ୍ଜୁରୀ ରଖିଛି । ବଣିଛୁଆ ପୋଷିବି ।

 

ସେ ଡେଙ୍ଗା ତାଳଗଛରେ ଚଢ଼ି ରତନୀକୁ ମୁଁ ଖାଲି ବଣିଛୁଆ ଦେଲି ନାହିଁ । ଗୋରାକବର ପାଚେରି ଡେଇଁ ଗୁଡ଼ାଏ ପାକଲା ଗୋଲାପଜାମୁ, ଆଉ ପେନ୍ଥାଏ ତଟକା ଫୁଲ ଆଣି ଦେଲି । ଫୁଲ ପେନ୍ଥାଟା ତା’ ଖୋସାରେ ଗୁଞ୍ଜିଦେଇ ତାକୁ ଥରେ ଭଲକରି ଚାହିଁଲି । ଖୁସି ହୋଇ କହିଲି–ତୋତେ ଏ ଫୁଲ ଭାରି ମାନୁଛି ରତନୀ ।

 

ମୋ କଥା ଶୁଣି ରତନୀ ଲାଜରେ ଝାଉଁଳି ପଡ଼ିଲା । କ’ଣ ଯେମିତି କିଛି କହିବାକୁ ଯାଇ ପୁଣି ରହିଗଲା । ତା’ପରେ ଚୁପ୍‍ଚୁପ୍ କରି କହିଲା–ମୁଁ ଯାଉଛି ନିଧି ଭାଇ । କିଏ ଦେଖିବ ।

 

ଇୟେ ଆଜିକି ବହୁତ ବର୍ଷ ତଳର କଥା ବାବୁ । ସେତେବେଳକୁ ତମେବି ଜନମ ହୋଇ ନଥିଲ । ହେଲେ, ଆଜିଯାକେ ମୋର ଗୋଟିଗୋଟି ହୋଇ ସବୁ କଥା ମନେ ଅଛି । ରତନୀ ମୋତେ ଛାଡ଼ି ଚାଲିଗଲା । ତା’ ସଙ୍ଗେସଙ୍ଗେ ଯଦି ତା’ର ସବୁ କଥା ମୁଁ ଭୁଲି ଯାଇ ପାରିଥାନ୍ତି, ତେବେ ମୋ ମନରେ ଆଉ କିଛି ଦୁଃଖ ନ ଥାନ୍ତା । ଦିନେ ରତନୀ ମୋତେ କହିଲା–ନିଧି ଭାଇ, ତୋ ପାଟିଟା ଖାଲି ରସୁଣିଆ ଗନ୍ଧଉଛି । ପାନ ଖାଉନୁ ! ପାନବଟୁଆ ଆଣ । ମୁଁ ପାନ ଭାଙ୍ଗିବି । ତୁ ଖାଇବୁ–ମୁଁ ଖାଇବି । ବାବୁ, ସେଇଦିନ ମୁଁ ଚିନ୍ତା ପାଟରା ଦୋକାନରୁ ରଙ୍ଗ ସାଲୁର ବଟୁଆ କିଣିଲି । ପିତ୍ତଳ ଚୂନଖାଇ, କଲକତି ଗୁଆକାତି–ସବୁ କିଣି ଆଣିଲି । ନିଜ ହାତରେ କେତେ ପାନ ରତନୀ ଭାଙ୍ଗିଛି । ମୋତେ ଦେଇଛି–ସେ ଖାଇଛି । ସେଇ ବଟୁଆ ଆଜିଯାଏଁ ମୋ ଘରର ଠଣାରେ ରଖା ହୋଇଛି । ହେଲେ–ଯା’ପାଇଁ ତାକୁ କିଣିଥିଲି ସେ ରହିଲା ନାହିଁ ।

 

କିଛିକ୍ଷଣ ପର୍ଯ୍ୟନ୍ତ ଆଉ କିଛି ନ କହି ନିଧି ନୀରବରେ ବସି ରହିଲା । ଯେପରି ଦୀର୍ଘ ଚାଳିଶବର୍ଷ ତଳର ସେଇ ରସଘନ ଦିନଗୁଡ଼ିକୁ ସେ ଫେରି ଯାଇଛି । ତା’ପରେ ଗୋଟିଏ ଦୀର୍ଘ ନିଃଶ୍ଵାସ ପକାଇ କହିଲା–ବାବୁ, ଏଗୁଡ଼ାକ ସବୁ ଆମପରି ମୂର୍ଖ ଛୋଟ ଜାତିଙ୍କର ଛୋଟ କଥା । ଏଗୁଡ଼ାକ ଶୁଣି ତମର କି ଲାଭ । ରାତି ହେଲାଣି । ମୁଁ ଏବେ ଯାଉଛି ।

 

ପ୍ରକୃତରେ ନିଧିର ଜୀବନ ବୃତ୍ତାନ୍ତ ଶୁଣୁଶୁଣୁ ଅନେକରାତି ହୋଇ ଯାଇଥିଲା । ମୁଁ କହିଲି–ଆଚ୍ଛା ନିଧି, ଆଜି ଯା । କିନ୍ତୁ ଆଉ ଦିନେ ସବୁ କହିବୁ । ଆଚ୍ଛା ରତନୀ ଏବେ ବଞ୍ଚିଛି ନା ମରିଗଲାଣି ?

 

–ନାଇଁ ବାବୁ, ସେ ମାରିନାଇଁ, ଏବେବି ବଞ୍ଚିଛି । ବାରଦୁଆର ତେର ପିଣ୍ଡା ହେଇ ଏବେ ମଙ୍ଗଳପୁରରେ ମାନ୍ଧାତା ମଠରେ ଅଛି । ଗେରୁଆ ପିନ୍ଧି ମାତାଜୀ ବନିଛି । ଆଖିକୁ ଭଲ ଦିଶୁ ନାଇଁ-। ପରଳ ମାଡ଼ି ଗଲାଣି । ମୋତେ ଛାଡ଼ି ସେ ସୁଖରେ ରହିବ ବୋଲି ଜେଠାମଲ କାନତରାଟି ଘରେ ପଶିଲା । ଭାବିଥିଲା, ଜେଠାମଲ ତାକୁ ବାହା ହୋଇ ସ୍ତ୍ରୀ ଭାବରେ ରଖିବ । ସେଇ ଆଶାରେ ସେ ଖାଲି ମୋତେ ଛାଡ଼ି ଚାଲିଗଲା–‘ତା’ ନୁହେଁ, ମୋ ବିରୁଦ୍ଧରେ କଚେରିରେ ‘‘ସାକ୍ଷୀ’’ ଦେଇ ମୋତେ ଦୁଇବର୍ଷ ଜେଲ୍ ପଠାଇଲା । ତା’ପରେ ଜେଠାମଲର ଭାରିଯା ତା’ ଦେଶରୁ ଆସିଲା । ହପ୍ତାକ ଭିତରେ ସେ ସବୁ ବୁଝି ପାରିଲା । ରତନୀଟାକୁ ଗୋଇଠାମାରି ଦାଣ୍ଡକୁ ବାହାର କରିଦେଲା । ଆଉ କେହି ତାକୁ ଆଶ୍ରା ହେଲେନାହିଁ । ସେତେବେଳକୁ ମୁଁ ବି ଜେଲ୍‍ରେ । ମୁଁ ଏବେ ଯାଉଛି ବାବୁ । ରାତି ହେଲାଣି । । ଆଉ ଦିନେ ସବୁ କହିବି ।

 

–ପାଞ୍ଚ–

 

ସେତେବେଳ ପର୍ଯ୍ୟନ୍ତ ରାତି ପାହିନାହିଁ । ମୋର ନିଦ ଭାଙ୍ଗିଗଲା । ବିଛଣା ଛାଡ଼ି ଭିତର ବାରଣ୍ଡାରେ ଖଣ୍ଡିଏ ଇଜି ଚେୟାର ଉପରେ ବସିଲି । ରାତି ଆଉ ବେଶି ନାହିଁ । ପାହାନ୍ତିତରା ଜୁଳୁଜୁଳୁ କରୁଛି । କେଉଁ ଦୂରାନ୍ତ ବୃକ୍ଷଶାଖାରୁ କାଉ ବୋବେଇଲେଣି । ରାତି ଶେଷରେ ଏଇ ପବିତ୍ର ବ୍ରାହ୍ମ–ମୁହୂର୍ତ୍ତଟି ମୋତେ ବଡ଼ ଭଲ ଲାଗେ । ନୀରବରେ ବସିରହି ମୁଁ ଆକାଶକୁ ଚାହିଁ ରହିଥିଲି । ନାନା ବିଚ୍ଛିନ୍ନ ଚିନ୍ତା ମୋ ମାନସପଟରେ ଛାୟାଛବି ପରି ଭାସି ଯାଉଥିଲା । ଜଗବନ୍ଧୁ କଥା ମୋର ମନେ ପଡ଼ିଲା । ନିଧିଠାରୁ ତା’ ବିଷୟରେ ମୁଁ ଯାହା ଶୁଣିଲି ସେଥିରେ ମୁଁ ବୁଝି ପାରିଛି ଯେ ସେ ଗୋଟାଏ କ୍ରିମିନାଲ୍ । ଜେଲ୍ ଫେରନ୍ତା ଦାଗୀ । ତା’ ଛଡ଼ା ବର୍ତ୍ତମାନ ବେଆଇନ୍ ମଦ ବ୍ୟବସାୟ କରୁଛି । ତା’ର ପ୍ରକୃତସ୍ୱରୂପ ନ ଜାଣି ମୁଁ ଆଜି ପର୍ଯ୍ୟନ୍ତ ତାକୁ ଏତେ ସହାନୁଭୂତି ଦେଖାଇଛି । ଶୋଭନା ଓ କମଳା, ନିରୀହ ଝିଅ ଦୁଇଟି । ଜଗବନ୍ଧୁ ପରି ଗୋଟିଏ କ୍ରିମିନାଲ୍ ହାତରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ଜୀବନରେ କି ଦୁର୍ଦ୍ଦଶା ଯେ ସେମାନଙ୍କ ପାଇଁ ଗଚ୍ଛିତ ଅଛି, କେଜାଣି । ମୁଁ ଠିକ୍ କଲି, ଏଥର ଜଗବନ୍ଧୁକୁ ଦେଖିଲେ ତାକୁ ତାଗିଦ୍ କରିଦେବି । ମୁଁ ଆଇନର ପ୍ରତିନିଧି । ଜଗବନ୍ଧୁର ଏପରି ଦୋଷଣୀୟ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ ।

 

ନିଧି ଭୋଇ କଥା ମନେ ପଡ଼ିଲା । ତା’ର ରୁକ୍ଷ ମରୁମୟ ବହିରାବରଣ ତଳେ ପ୍ରଥମ ପ୍ରେମର ଫଲ୍‍ଗୁ ଧାରା ଆଜି ପର୍ଯ୍ୟନ୍ତ ବଞ୍ଚିରହିଛି । ସେ ସାହସୀ ଓ ଶକ୍ତିଶାଳୀ ପୁରୁଷ । ରତନୀ ଯଦି ତାକୁ ଏପରି ଭାବରେ ଛାଡ଼ି ଯାଇ ନ ଥାନ୍ତା, ତେବେ ହୁଏତ ତା’ର ଜୀବନର ଗତି ବଦଳି ଯାଇଥା’ନ୍ତା । ଆଜି ସେ ଲୋକଚକ୍ଷୁରେ ଜଣେ ଭୟାଳୁ ଦସ୍ୟୁ ନ ହୋଇ, ଜଣେ ଗଣ୍ୟମାନ୍ୟ ନାଗରିକ ହୋଇ ପାରିଥାନ୍ତା । କ୍ରମେ ରାତି ପାହିଲା । ସୂର୍ଯ୍ୟୋଦୟ ହେଲା । ମୁଁ ବାହାରକୁ ଯିବାପାଇଁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇନାହିଁ–ଏହି ସମୟରେ ପ୍ରଚଣ୍ଡ କଳରବ କରୁକରୁ ଜଗବନ୍ଧୁ ସେଠାରେ ଉଦୟ ହେଲା । ମୁହଁରେ ସେହିପରି ପ୍ରଶାନ୍ତ ହସଟି ଲାଗିରହିଛି । ଆଖି ଦୁଇଟି ସରଳତାର ପ୍ରତୀକ । ପରିଚ୍ଛନ୍ନ ପୋଷାକରେ ସୁନ୍ଦର ଚେହେରା ହୋଇଛି । ନଇଁପଡ଼ି ମୋର ପାଦଧୂଳି ନେଇ ମୁଣ୍ଡରେ ଛୁଆଁଇ ଜଗବନ୍ଧୁ ସହାସ୍ୟ ମୁଖରେ କହିଲା–ସାର୍ ବହୁତ ଦିନ ହେଲା ଦେଖା କରିବାର ସୁଯୋଗ ପାଇ ନଥିଲି । ଆଜି ସକାଳୁ ଚାଲି ଆସିଲି । ଟିକିଏ କାମ ମଧ୍ୟ ଥିଲା ।

 

ମାତ୍ର କିଛିକ୍ଷଣ ପୂର୍ବେ ମୁଁ ଠିକ୍ କରିଥିଲି ଯେ ଜଗବନ୍ଧୁ ପରି ଗୋଟାଏ କ୍ରିମିନାଲ୍‍କୁ ଆଉ ପ୍ରଶ୍ରୟ ଦେବିନାହିଁ । ତାକୁ ଦୃଢ଼ ହସ୍ତରେ ଶାସନ କରିବି । କିନ୍ତୁ କାହିଁକି କେଜାଣି ଏତେଦିନ ପରେ ତାକୁ ଆଜି ଦେଖିବାମାତ୍ରେ ମୁଁ ଖୁସି ହୋଇ ଉଠିଲି । ଭଲକରି ତା’ର ମୁହଁକୁ ଥରେ ଚାହିଁଲି । ସେ ମୁହଁ ଓ ଆଖି ଦୁଇଟି ସରଳତାରେ ପୂର୍ଣ୍ଣ । ଅପରାଧୀର ଛାୟା ଆଦୌ ନାହିଁ । ସାମାନ୍ୟ ହସି କହିଲି–ତୁମର ପାମ୍ପଡ଼ ଆଉ ପିକଲ୍ କମ୍ପାନୀ କିପରି ଚାଲିଛି ଜଗବନ୍ଧୁ ?

 

–ନା ସାର୍, ଭଲ ଚାଲୁନାହିଁ । ତା’ ଛଡ଼ା ସେଥିରେ ମୁନାଫା ମଧ୍ୟ ବେଶି ନାହିଁ ।

 

–ତେବେ ତୁମର ରୋଜଗାର ପନ୍ଥା ବର୍ତ୍ତମାନ କ’ଣ ? ମୁଁ ପଚାରିଲି ।

 

ଜଗବନ୍ଧୁ ଯେପରି କିଛି କହିବାକୁ ଯାଉଥିଲା । କିନ୍ତୁ କିଛି ନ କହି ମୁଣ୍ଡ କୁଣ୍ଡେଇବାକୁ ଲାଗିଲା । ମୁଁ କହିଲି–ଦେଖ ଜଗବନ୍ଧୁ, ତୁମର ବର୍ତ୍ତମାନ ବ୍ୟବସାୟ କ’ଣ ତା’ ମୁଁ ଜାଣେ ।

 

ମୋ କଥା ଶୁଣି ଜଗବନ୍ଧୁର ମୁହଁଟି କିପରି ରକ୍ତଶୂନ୍ୟ ହୋଇଗଲା । କଣ୍ଠ ଯେପରି ଶୁଖିଗଲା । ତା’ର ଏପରି ଅବସ୍ଥା ଦେଖି ମୋର ବଡ଼ ମାୟା ହେଲା । ମୁଁ ଆଉ ସେ ବିଷୟରେ କିଛି ନ କହି ସ୍ମିତ ମୁଖରେ ପଚାରିଲି–କ’ଣ ମୋ ସହିତ କାମ ଥିଲା ବୋଲି କହୁଥିଲନା ? ଏହା କହି ଜଗବନ୍ଧୁ ପାଇଁ ଚାହା ଆଣିବାକୁ ମୁଁ ଚାକରକୁ ଆଦେଶ ଦେଲି । ମୋର କଥାର ଭଙ୍ଗୀରେ ଜଗବନ୍ଧୁର ମାନସିକ ସରସତା ଧୀରେ ଧୀରେ ପୁଣି ଫେରି ଆସିଲା । ମୁହଁରୁ ନିଭିଯାଇଥିବା ହସଟି ପୁଣି ଫୁଟିଉଠିଲା । କହିଲା–ସାର୍, ଆଜି ସଞ୍ଜବେଳକୁ ଆପଣଙ୍କର ଟିକିଏ ସମୟ ହେବ ? କମଳାର ଆଜି ଜନ୍ମଦିନ ।

 

Unknown

–ସତେ ନା ! ଯଦି କୌଣସି ଖୁବ୍ ଜରୁରି କାମରେ ଅଟକି ନ ଯାଏଁ, ତେବେ ମୁଁ ନିଶ୍ଚୟ ଯିବି ।

 

ଯେମିତି ହେଲେ ଟିକିଏ ଯିବେ ସାର୍ । ତାକୁ ଆଶୀର୍ବାଦ କରି ଆସିବେ । ନ ହେଲେ ତା’ ମନରେ ବଡ଼ କଷ୍ଟ ହେବ ।

 

ଆଉ କିଛି ସମୟ ପର୍ଯ୍ୟନ୍ତ ଅନ୍ୟାନ୍ୟ କଥାବାର୍ତ୍ତା ହୋଇ ଜଗବନ୍ଧୁ ଚାଲିଗଲା । ମୁଁ ତା’ର ଗତିପଥକୁ ଚାହିଁ କିଛିକ୍ଷଣ ବସି ରହିଲି । ମାତ୍ର କିଛିଦିନ ପୂର୍ବେ ଯେଉଁ ଝିଅଟି ମୁଠାଏ ଖାଇବାକୁ ବା ଖଣ୍ଡିଏ ପିନ୍ଧିବାକୁ ପାଉ ନଥିଲା, ତା’ର ଆଜି ଜନ୍ମଦିନ ରୂପକ ଖର୍ଚ୍ଚବହୁଳ ଉତ୍ସବ ପାଳନ କରା ହେଉଛି । ମୁଁ ଏବଂ ମୋରି ପରି ଆହୁରି ହୁଏତ କେତେକ ଅତିଥି ନିମନ୍ତ୍ରିତ ହୋଇଛନ୍ତି । ଯାହାର ଅନ୍ୟାନ୍ୟ ଦିନଗୁଡ଼ିକ ଭଲରେ କଟିବାର ସଂସ୍ଥା ନ ଥାଏ, ତା’ର ହୁଏତ ଜନ୍ମଦିନଟିକୁ ସ୍ମରଣୀୟ କରିବାକୁ ଏପରି ବ୍ୟୟବହୁଳ ଉତ୍ସବ କରାହୁଏ । କିନ୍ତୁ ମୁଁ ଜଗବନ୍ଧୁକୁ ଓ ଝିଅ ଦୁଇଟିର ଦୈନ୍ୟକ୍ଳିଷ୍ଟ ପରିବାରକୁ ଯେତେଦୂର ଜାଣେ, ସେମାନଙ୍କର ସାମାନ୍ୟ ମୁଠିଏ ଖାଇ ବଞ୍ଚି ରହିବାର ମଧ୍ୟ ସମ୍ବଳ ନାହିଁ । ଏଇ କେତେଟା ଦିନ ଭିତରେ କ’ଣ ଜଗବନ୍ଧୁର ଏତେଦୂର ଆର୍ଥିକ ଉନ୍ନତି ଘଟିଛି ।

 

ଦିନସାରା ଅନ୍ୟାନ୍ୟ କାମର–ଚାପରେ ଜଗବନ୍ଧୁର ନିମନ୍ତ୍ରଣ ସମ୍ପୂର୍ଣ ଭୁଲି ଯାଇଥିଲି । ସଞ୍ଜପରେ ମୋର ହଠାତ ମନେ ପଡ଼ିଯିବାରୁ ବଜାରରୁ କେତେଖଣ୍ଡ ବହି ଉପହାର ଦେବାପାଇଁ କିଣି ଜଗବନ୍ଧୁର ନବନିର୍ମିତ ନୀଡ଼କୁ ବାହାରିଲି । ସଞ୍ଜ ପ୍ରାୟ ଆଠଟା ବେଳକୁ ସେଠାରେ ପହଞ୍ଚି ଦେଖିଲି ଯେ ରୀତିମତ ଗୋଟିଏ ଉତ୍ସବର ଆୟୋଜନ ହୋଇଛି । ପଡ଼ିଶା ଘରର ବିଜୁଳି ଲାଇନ୍‍ରୁ ତା’ର ନେଇ ଘରଟି ଆଲୋକିତ କରା ହୋଇଛି । ବାହାର ଘରେ ବଡ଼ ଖଣ୍ଡିଏ ସତରଞ୍ଜି ପଡ଼ିଛି । ଖଣ୍ଡିଏ ଥାଳିରେ ଭଦ୍ରଲୋକଙ୍କ ପାଇଁ ପାନ ସିଗାରେଟ ପ୍ରଭୃତି ରଖା ହୋଇଛି । ମୋତେ ଦେଖିବାମାତ୍ରେ ଜଗବନ୍ଧୁ ଉଲ୍ଲାସରେ ଚିତ୍କାର କରି ଉଠିଲା । ଆସନ୍ତୁ ସାର୍, ମୁଁ ଭାବିଥିଲି ଆପଣ ହୁଏତ ଆସିବେ ନାହିଁ ।

 

ଘରର ଗୋଟିଏ କଣକୁ ଗନିମିଆଁ ନିଜର ସ୍ଥୂଳ ବପୁଟିକୁ କାନ୍ଥରେ ଆଉଜାଇ ବସିଥିଲା-। ପରିଧାନରେ ଚୁଡ଼ିଦାର ପାଇଜାମା ମୁଣ୍ଡରେ ମୂଲ୍ୟବାନ୍ ଫେଜ୍ ଟୋପି, ଆଖିରେ ସୁର୍ମା-। ଗନିମିଆଁ ମଧ୍ୟ ମୋତେ ଅଭ୍ୟର୍ଥନା କଲା । ଆଇୟେ ବାବୁଜି । ଆପଣଙ୍କୁ ଆମେ ସମସ୍ତେ ଅନେଇ ବସିଛୁ । ଗିନିମିଆଁ ଛଡ଼ା ଆଉ ଦୁଇଜଣ ଅଜଣା ଲୋକ ମଧ୍ୟ ସେଠାରେ ଥିଲେ । ସେଦିନ ସେମାନଙ୍କ ସହିତ ମୁଁ କୌଣସି କଥାବାର୍ତ୍ତା ହୋଇନାହିଁ ବା ସେମାନଙ୍କର ପରିଚୟ ଜାଣିବାର ଚେଷ୍ଟା କରିନାହିଁ ।

 

କମଳାକୁ ଦେଖିଲି । ନୂଆ ମୂଲ୍ୟବାନ୍ ଶାଢ଼ି ଓ ବ୍ଲାଉଜ୍‍ରେ ତା’ର ଯେପରି ଅଦ୍ଭୁତ ରୂପାନ୍ତର ହୋଇଛି । ତାକୁ ଖୁବ୍ ସୁନ୍ଦର ଦେଖା ଯାଉଥିଲା । ବହି କେତେଖଣ୍ଡି ତା’ ହାତରେ ଦେଇ ତାକୁ ଆଶୀର୍ବାଦ କଲି । ହସହସ ମୁହଁରେ ସେ ସାମାନ୍ୟ ଉପହାରଟି ଗ୍ରହଣ କଲା । ତା’ପରେ କମଳାର କେତୋଟି ଗୀତ ଓ ପରିଶେଷରେ ଜଗବନ୍ଧୁର ଭୋକାଲ୍ ମ୍ୟୁଜିକ୍ ଶୁଣିଲି । ଜଗବନ୍ଧୁ ମହା କର୍ମବ୍ୟସ୍ତ । ଖାଦ୍ୟପେୟର ଆୟୋଜନ ପ୍ରଚୁର ହୋଇଥିଲା । ପଲଉ, ମାଂସ ପ୍ରଭୃତି ଅତି ମୂଲ୍ୟବାନ୍ ଓ ରୁଚିକର ଖାଦ୍ୟ । ଶୋଭନା ଓ ଜଗବନ୍ଧୁ ପରିବେଷଣ କଲେ । ଗନିମିଆଁର ଖାଇବା ଗୋଟିଏ ଦର୍ଶନୀୟ ବସ୍ତୁ । ପ୍ରାୟ ତିନିଜଣଙ୍କର ଖାଦ୍ୟ ଉଦର ବିବରକୁ ନିକ୍ଷେପ କରି ଗନିମିଆଁ ସହାସ୍ୟ ବଦନରେ ଘୋଷଣା କଲା ଯେ ଖାଦ୍ୟଟି ବେଶ୍ ଉପାଦେୟ ହୋଇଛି । ରାତି ପ୍ରାୟ ଦଶଟା ବେଳକୁ ମୁଁ ବାହାରିଲି । କମଳା ଓ ଜଗବନ୍ଧୁର ଅନୁରୋଧ ସତ୍ତ୍ୱେ ମୁଁ ଆଉ ରହି ପାରିଲି ନାହିଁ । ଗୋଟିଏ ଅତି ଜରୁରି କାମ ଥିଲା ।

 

ସେଇଦିନ ଗଭୀର ରାତିରେ ପୁଣି ଥରେ ଅତି ଅଦ୍ଭୁତ ଭାବରେ ମୋର ଜଗବନ୍ଧୁ ସହିତ ସାକ୍ଷାତ ହେଲା । ସେଦିନ ଯଦି ଆଇନର ପ୍ରତିନିଧି ଭାବରେ ମୁଁ ଦୃଢ଼ତା ଦେଖାଇ ଥାନ୍ତି, ତେବେ ହୁଏତ ଆଜି ଏ କାହାଣୀ ଲେଖିବାର କୌଣସି ପ୍ରୟୋଜନ ନ ଥାନ୍ତା । କିନ୍ତୁ କେଜାଣି କାହିଁକି ଜଗବନ୍ଧୁ ପ୍ରତି ମୋର ଗୋଟାଏ ଦୁର୍ବଳତା ଥିଲା । ଆଜି ଏତେଦିନ ପରେ–କର୍ମହୀନ ଅଳସ ମୁହୂର୍ତ୍ତରେ ମୋର ମନେହୁଏ ଯେପରି ଜଗବନ୍ଧୁର ଶୋଚନୀୟ ପରିଣତି ପାଇଁ ମୁଁ କେତେକାଂଶରେ ଦାୟୀ ।

 

ନିର୍ଜନ ରାଜପଥରେ ଗଭୀର ରାତିରେ ମୁଁ ଚାଲିଚାଲି ଯାଉଥିଲି, ରାତିର ଏଇ ମୁହୂର୍ତ୍ତଟିରେ ମୁଁ ଜନବହୁଳ କଟକ ସହରକୁ ବହୁଥର ଦେଖିଛି । କର୍ମଚଞ୍ଚଳ ରାଜପଥ ସମ୍ପୂର୍ଣ୍ଣ ଜନଶୂନ୍ୟ । ଉତ୍ସବ ପରେ ପରିତ୍ୟକ୍ତ ବିବାହ ବେଦି ପରି କରୁଣ । ଯାଉଯାଉ ହଠାତ ଜଗବନ୍ଧୁର ଘର ଆଡ଼େ ମୋର ଦୃଷ୍ଟି ପଡ଼ିଲା । ବାରବୁଲା ଷଣ୍ଢଟାଏ ପିଣ୍ଡାର ଗୋଟିଏ ପଟେ ପରମ ନିଶ୍ଚିନ୍ତରେ ଶୋଇ ରୋମନ୍ଥନ କରୁଛି । ଆରପଟେ–ଯେଉଁଠାରେ ପାଗଳ ମସ୍ତରାମ ରହୁଥିଲା–ସେ ପଟଟା ଖାଲି ପଡ଼ିଛି । ହଠାତ କବାଟ ଫାଙ୍କରୁ କ୍ଷୀଣ ଆଲୋକ ରେଖା ଦେଖାଗଲା । ମୋର କିପରି ସନ୍ଦେହ ହେଲା । ମୋର ବିଶ୍ଵାସ ଥିଲା ଯେ ଏ ଘରେ କେହି ରହୁ ନାହାନ୍ତି । କିନ୍ତୁ ଘର ଭିତରେ ଆଲୋକ ଦେଖି ଘଟନାଟି ଭଲ ଭାବରେ ଜାଣିବାପାଇଁ ମୁଁ ଘର ନିକଟକୁ ଗଲି । ବାହାରେ ଆଗପରି ଗୋଟିଏ ତାଲା ଝୁଲୁଛି । କିନ୍ତୁ ତଥାପି, ଭିତରେ ଯେ ଲୋକ ଅଛନ୍ତି, ଏଥିରେ ମୋର ସନ୍ଦେହ ରହିଲା ନାହିଁ । ସନ୍ତର୍ପଣରେ ଇଟାଗଦା ଓ ଅରମା ବଣ ଡେଇଁ ମୁଁ ଘର ପଛଆଡ଼କୁ ଗଲି । ଦୁଆର ଫାଙ୍କ କରି ମୁଁ ଭିତରେ ଯାହା ଦେଖିଲି, ତା’ ଅବାଞ୍ଛନୀୟ । ଜଗବନ୍ଧୁ ଗନିମିଆଁ ଓ ଆଉ ଜଣେ ଅଜଣା ଲୋକ, ମଦବୋତଲ ସବୁ ସଜାଡ଼ି ରଖୁଛନ୍ତି, ଦେଶୀ ମଦର ଗନ୍ଧ ଘର ବାହାରକୁ ମଧ୍ୟ ଆସୁଛି । କବାଟ ଭିତରୁ ବନ୍ଦ ହୋଇ ନଥିଲା । ଘର ଭିତରେ ଗୋଟିଏ ଲଣ୍ଠନ ଜଳୁଥିଲା । ହଠାତ ମୁଁ ଦୁଆର ଖୋଲି ଭିତରକୁ ପଶିଗଲି । ତିନିଜଣଯାକ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଗନିମିଆଁ ଭୟରେ ଝାଉଁଳି ପଡ଼ିଲା । କିନ୍ତୁ ଆଶ୍ଚର୍ଯ୍ୟ କଥା, ଜଗବନ୍ଧୁ ଆଦୌ ଭୀତ ହେଲାନାହିଁ । ମୋତେ କିଛିକ୍ଷଣ–ଏକଧ୍ୟାନରେ ଚାହିଁରହି ହଠାତ ହୋହୋ କରି ହସି ଉଠିଲା । ଜଡ଼ିତ କଣ୍ଠରେ କହିଲା–ଆସନ୍ତୁ ସାର୍ । ଏଇ ଖଟିଆ ଉପରେ ବସନ୍ତୁ । ଏ ହେଉଛି ଟି. ଟି. ଭି. ବ୍ରାଣ୍ତ । ଥ୍ରି ଥଣ୍ଡର ଭୋଲ୍‍ଟ ! ମେଡ଼୍ ଇନ୍ ଇଣ୍ଡିଆ । ପିଓର ବଜ୍ରକବାଟି ମାଲ୍ ସାର୍ । ଦାମ୍ ପ୍ରତି ବୋତଲ ବାରଟଙ୍କା ଆଠଅଣା । ପ୍ରତି ବୋତଲରେ ନୋଟ୍ ପ୍ରଫିଟ୍ ଦଶଟଙ୍କା ।

 

ମୁଁ ବୁଝିଲି ଯେ ଜଗବନ୍ଧୁ ଦିନେ ମଧ୍ୟ ମଦ୍ୟପାନ କରିଛି । ଜଗବନ୍ଧୁର ଏ ମହତ୍ ଗୁଣଟି ପୂର୍ବରୁ ମୁଁ ଜାଣି ନଥିଲି । ଖଟିଆ ଉପରେ ବସି ମୁଁ କିଛିକ୍ଷଣ ସେମାନଙ୍କର କାର୍ଯ୍ୟକଳାପକୁ ଲକ୍ଷ୍ୟ କଲି । ଗୋଟାଏ ଡ୍ରମ୍‍ରେ ପ୍ରାୟ ପାଞ୍ଚ ଗାଲନ୍ ଦେଶୀ ମଦ ରଖା ହୋଇଛି । ଦୁର୍ଗନ୍ଧରେ ଘରର ବାୟୁସ୍ତର ଭାରାକ୍ରାନ୍ତ । କେତେଗୁଡ଼ିଏ ଏକା ରକମର ଖାଲି ବୋତଲ, ଠିପି ଓ ଜଉଲାଖ ରହିଛି ? ପ୍ରତି ବୋତଲରେ ରଙ୍ଗିନ ଲେବୁଲ୍ ଲଗାହୋଇଛି । ‘‘ଥ୍ରି ଥଣ୍ଡର ଭୋଲଟ୍ ।’’ ମେଡ଼୍ ଇନ୍ ଇଣ୍ଡିଆ । କେତୋଟି ବୋତଲରେ ମଦ ଭର୍ତ୍ତିକରି ଜଉ ଛାପ ଉପରେ ଲେଖା ହୋଇଛି ‘‘ଟି. ଟି. ଭି’’ । ଆଉ କେତୋଟି ସାନସାନ ଶିଶି ମଧ୍ୟ ରଖାହୋଇଥିଲା । ଗୋଟିଏ ଶିଶି ଉଠାଇ ନେଇ ଜଗବନ୍ଧୁ ଜଡ଼ିତ କଣ୍ଠରେ କହିଲା–

 

–ଏଇଟା କଦଳୀ ଏସେନ୍‍ସ ସାର୍ । ବୋତଲେ ବଜ୍ରକବାଟି ମାଲ୍‍ରେ ମୋଟେ ଚାରିଠୋପା ଛାଡ଼ିଦେଲେ ଏକଦମ ବିଲାତି’ ମାଲ୍‍କୁ ଚିତାକାଟି ଦେବ । ଲଭ୍‍ଲି, ଆଉ ଏଇଟା ହେଉଛି କମଳାଲେମ୍ବୁ ଏସେନ୍‍ସ ।

 

କିଛିକ୍ଷଣ ସେଠାରେ ନୀରବରେ ବସି ହଠାତ ମୁଁ ଉଠି ଚାଲିଆସିଲି । ଜଗବନ୍ଧୁର ପ୍ରକୃତସ୍ୱରୂପ ମୁଁ ଦେଖିପାରିଛି । ତା’ର ରହସ୍ୟମୟ ଉପାର୍ଜନର ପନ୍ଥା ମଧ୍ୟ ମୁଁ ଜାଣିପାରିଲି ।

 

ଗୋଟାଏ ଦାରୁଣ ଘୃଣାରେ ମୋର ଅନ୍ତର ବିଷାକ୍ତ ହୋଇ–ଉଠିଲା ।

 

ସେଦିନ ଶେଷରାତି ପର୍ଯ୍ୟନ୍ତ ମୋର ନିଦ ହେଲାନାହିଁ । ଜଗବନ୍ଧୁ ପ୍ରତି ଗୋଟାଏ ପ୍ରଚଣ୍ଡ ଘୃଣା ମୋର ମସ୍ତିଷ୍କକୁ ଉତ୍ତପ୍ତ କରି ରଖିଲା । ନିଜକୁ ବୁଝାଇବାର ବହୁ ଚେଷ୍ଟା କଲି । ଜଗବନ୍ଧୁ ବା ମୋର କିଏ । ତା’ର ଅଧଃପତନରେ ବା ମୋର ଯାଏଁ ଆସେ କ’ଣ । କେତେ ଅସଂଖ୍ୟ ଲୋକ ମଦ୍ୟପାନ କରନ୍ତି । ନାନାରକମ କୁତ୍ସିତ ଅପରାଧ କରନ୍ତି । କାହିଁ, ସେମାନଙ୍କ ଉପରେ ତ ମୋର ଏପରି ଘୃଣା ଜାତ ହୁଏ ନାହିଁ ।

 

ପ୍ରାୟ ଶେଷ ରାତିକୁ ମୋର ନିଦ ଲାଗିଯାଇଥିଲା । ଯେତେବେଳେ ଧୀରେ ଧୀରେ ମୋର ନିଦ ଭାଙ୍ଗିଲା ସେତେବେଳକୁ ଅନେକବେଳ ହୋଇଗଲାଣି । ଝରକାବାଟେ ଘରେ ଖରା ପଡ଼ିଛି । ଅର୍ଦ୍ଧଜାଗ୍ରତ ଅବସ୍ଥାରେ ମୁଁ କିପରି ଏକ ଅପୂର୍ବ ଆରାମ ଉପଭୋଗ କରୁଥିଲି । ନିପୁଣ ହସ୍ତରେ କିଏ ଯେପରି ପାଦସେବା କରୁଛି । ସକାଳୁ ମୋପରି ଲୋକ ଉପରେ ଏପରି ଭକ୍ତି ତା’ର ହେଲା ମୁଁ ପ୍ରଥମେ ବୁଝିପାରିଲି ନାହିଁ । ମୋର ଚାକରଟିର ପାଦସେବା କରିବା ରୂପକ ମନ୍ଦ ଅଭ୍ୟାସ ଆଦୌ ନାହିଁ । ଅର୍ଦ୍ଧ ନିଦ୍ରିତ ଭାବରେ ଆଖିବୁଜି ବହୁକ୍ଷଣ ପର୍ଯ୍ୟନ୍ତ ମୁଁ ଉପଭୋଗ କରିବାକୁ ଲାଗିଲି । ତା’ପରେ ଆଖି ମେଲାଇ ଚାହିଁ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ନିଧି ଭୋଇ ଏତେ ସକାଳୁ ଆସି ଅଯାଚିତ ଭାବରେ ମୋର ପାଦସେବା କରୁଛି ।

 

ବିଛଣାରୁ ଉଠିପଡ଼ିଲି । –କିରେ ନିଧି ! ଏତେ ସକାଳୁ ଯେ !!

 

ପ୍ରଶାନ୍ତ ହସ ହସି ନିଧି କହିଲା–ଟିକିଏ ଦର୍ଶନ କରି ଯିବାକୁ ଆସିଲି । ଆଜି ଦିନ ଗାଡ଼ିରେ ମୁଁ ଚାଲିଯାଉଛି । ଏଥର ପାଞ୍ଚ ସାତବରଷ ପାଇଁ ବନ୍ଦୋବସ୍ତ କରିବି । ଆଉ ଏମିତି ମୋତେ ପୋଷଉ ନାଇଁ ।

 

–କିନ୍ତୁ କେଉଁଆଡ଼େ ଯିବୁ ? ଉଦ୍‍ବିଘ୍ନ ଭାବରେ ମୁଁ ପଚାରିଲି । ନିଧି ଭୋଇ ଜଣେ ଅତି ଭୟଙ୍କର ଦସ୍ୟୁ । ବହୁ ଥର ବହୁ ଜେଲ୍‍ରେ ରହି ସାରା ଦେଶର ନାମଜାଦା ଅପରାଧୀମାନଙ୍କ ସହିତ ତା’ର ସଂଯୋଗ ଅଛି । ତା’ର ଗତିବିଧି ଉପରେ ପୁଲିସର କଡ଼ା ନଜର (Surveillance) ଅଛି । ମୋତେ ଜଣାଇ ଓ ମୋଠାରୁ ବିଦାୟ ନେଇ ନିଧି ଚୋରି ବା ଡକାୟତ କରିବାକୁ ଯାଉଛି । ତାହା ପୁଣି ସାଧାରଣ ଅପରାଧ ନୁହେଁ । ପାଞ୍ଚ ସାତବରଷ ଜେଲ୍‍ରେ ରହିବାପରି ଭୀଷଣ ଅପରାଧ ।

 

ମୋ କଥା ଶୁଣି ନିଧି ସାମାନ୍ୟ ହସିଲା । ମୁରବି ପରି ହସ ।

 

କହିଲା–ତମର ଚିନ୍ତା ନାହିଁ ବାବୁ । ତମ ଇଲାକାରେ ମୁଁ କିଛି କରିବି ନାହିଁ । କାଲି ରାତିରେ ମତୁଆ କହର ମୋତେ ସେଇକଥା କହୁଥିଲା । କହିଲା–ଓସ୍ତାଦ୍, ଏଇ କଟକ ସହରରେ କେତୋଟା ବଡ଼ କାମ କରିବା । ସେପଟେ, ଖଡ଼ଗ–ପୁରରେ ଟାଟା ନଗରରେ ମୋ ନାଁରେ ଚାରି ପାଞ୍ଚନମ୍ବର ୱାରଣ୍ଟ ଝୁଲୁଛି । ସବୁ ପୁଲିସବାଲା ସେପଟେ ମୋତେ ଚିହ୍ନିଛନ୍ତି । ସେପଟେ କାମ ଧନ୍ଦାକୁ ସୁବିଧା ହେବ ନାହିଁ ହେଲେ ବାବୁ ମୁଁ ତା’ କଥା ଶୁଣି ରାଗରେ ଜଳିଗଲି । ସେଇଟା ଗୋଟାଏ ଚୋର ବାବୁ । ତା’ର ତ ଆଉ ବୁଦ୍ଧି ଅକଲ ନାହିଁ । ମୁଁ କ’ଣ ଚାହୁଁ ନଥିଲି ଯେ ଏଇଠି କିଛି ଗୋଟାଏ ବଡ଼ କାମ କରି ଏଇ ଜେଲ୍‍କୁ ଯିବାପାଇଁ । ଏଠି ଜେଲ୍ ଭିତରେ ମୋର ସବୁ ଜଣାଶୁଣା-। ଏ ଜେଲ୍ ଭିତରକୁ ଗଲେ ତ ମୁଁ ଗୋଡ଼ ଉପରେ ଗୋଡ଼ ଥୋଇ ଆରାମରେ ବସନ୍ତି । ହେଲେ ଗୋଟାଏ ବିବେଚନା ଅଛି ତ ।

 

ନିଧିର ‘‘ବିବେଚନା’’ଟା କ’ଣ ତା’ ମୁଁ ସଠିକ ବୁଝି ନ ପାରି ପଚାରିଲି–

 

ସେଥିରେ ଅସୁବିଧା କ’ଣ ନିଧି ! ପିକେଟିଂ ସିପାହିମାନଙ୍କ ଆଖିରେ ଧୂଳି ଦେଇ ରାତିରେ ବାହାରି ପାରିବୁ ନାଇଁ ବୋଧହୁଏ !

 

ମୋ କଥା ଶୁଣି ନିଧି ହସିଲା–ନାଇଁ ବାବୁ, ପିକେଟିଂବାଲାଙ୍କ ଆଖିରେ ଧୂଳି ଦେବା ମୋଟେ କଷ୍ଟ ନୁହେଁ । ସେଇଟା ମୋ ବାଁ ହାତର ଖେଳ । ଏ ସହରରେ ବଡ଼ ରକମର ଚୋରି ଡକାଇତି ହେଲେ ତମର ବଦନାମ ହେବ ।

 

ପରବର୍ତ୍ତୀ କାଳରେ ଜୀବନସାରା ବହୁ ଅଭିଜ୍ଞତା ମୁଁ ଅର୍ଜନ କରିଛି । ବହୁ ଲୋକର ସଂସ୍ପର୍ଶରେ ଆସିଛି । ଭଦ୍ରବେଶି କେତେ ବନ୍ଧୁ ନିଜର ସାମାନ୍ୟତମ ସ୍ୱାର୍ଥସାଧନ ପାଇଁ ମୋର ଗଳା କାଟି ଦେବାର ଉଦ୍ୟମ କରିଛନ୍ତି । ସେଦିନ ଗୋଟାଏ ମୂର୍ଖ ଦସ୍ୟୁର ବୁକୁତଳେ ଯେଉଁ ମହାନ୍ ହୃଦୟର ପରିଚୟ ମୁଁ ପାଇଥିଲି, ଜୀବନସାରା ତା’ର ତୁଳନା ମୁଁ ପାଇନାହିଁ ।

 

ନିଜ ପାଖରେ ବସାଇ ନିଧି ଭୋଇକୁ ଚା’ ଓ ଜଳଖିଆ ଖୁଆଇଲି । କଥା ଛଳରେ ହଠାତ କହିଲି–ନିଧି, ରଜନୀ କଥା ଆଉ କିଛି କହ ।

 

–କ’ଣ କହିବି ବାବୁ । ଆମେ ମୂର୍ଖ ଅଛବ ଲୋକ । ଆମ କଥା ଶୁଣି ତମର କ’ଣ ଲାଭ ହେବ ହଜୁର !

 

–ନା, ନା, ତୋତେ କହିବାକୁ ହେବ । ମୁଁ ଜିଦ୍ ଲଗାଇଲି ।

 

କିଛିକ୍ଷଣ ପର୍ଯ୍ୟନ୍ତ ନିଧି ନୀରବରେ ବସିରହିଲା । ତା’ପରେ ଧୀରେ ଧୀରେ କହିଲା–ସେ ସବୁ କଥା ମୁଁ ପ୍ରାୟ ଭୁଲିଗଲିଣି ବାବୁ । ଯେତିକି ଆଜି ପର୍ଯ୍ୟନ୍ତ ମନେ ଅଛି ତା’ ମଲା ପର୍ଯ୍ୟନ୍ତ ବୋଧହୁଏ ଭୁଲିପାରିବି ନାହିଁ । ଦିନେ ଖରାବେଳେ ରତନୀ ମୋ ଘର ଭିତରେ ବସି ପାନ ଭାଙ୍ଗୁଭାଙ୍ଗୁ କହିଲା–ନିଧି ଭାଇ ଗୋରା କବର ଭିତରେ କ’ଣ ଭୂତ ଅଛନ୍ତି ? କହିଲି, ହଁ ରତନୀ, ଗୋରା କବର ଭିତରେ ଭୂତ ଅଛନ୍ତି । ତା’ ଭିତରକୁ ରାତିରେ ଏକା ଗଲେ ବେକ ଭାଙ୍ଗି ରକତ ଖାଇଯିବେ ।

 

ମୋ କଥା ଶୁଣି ରତନୀ ଠୋଠୋ ହୋଇ ହସିଉଠିଲା । ତୁ ଗୋଟାଏ କଛା ହଗୁରା ଡରୁଆ ମଣିଷ ନିଧି ଭାଇ । ଆମ ସାଇର ଭୋବନା ଭାଇ କହୁଥିଲା ଯେ ରାତିରେ ସେ ଏକା କେତେଥର ଗୋରା କବର ଭିତରକୁ ଯାଇଛି ।

 

ରତନୀ ମୁହଁରେ ଭୋଜନା ଭୋଇର ପ୍ରଶଂସା ଶୁଣି ମୋତେ କାହିଁକି ବଡ଼ ଖରାପ ଲାଗିଲା । କହିଲି–ମୁଁ କ’ଣ ଯାଇ ପାରିବି ନାହିଁ । ଭୂତକୁ କ’ଣ ମୁଁ ଡରିଛି ! ! ଠିକ୍ ହେଲା, ସେଇଦିନ ରାତି ବାରଟାବେଳେ ମୁଁ ଗୋରା କବର ଭିତରେ ପଶି ଗୋଲାପଜାମୁ ତୋଳିଆଣି ରତନୀକୁ ଦେବି । କିନ୍ତୁ ରତନୀଟା ଯେ ଏଡ଼େ ଦୁଷ୍ଟ ତା’ ମୁଁ ଜାଣି ନଥିଲି । କଚେରି ଘଡ଼ିରେ ରାତି ବାରଟା ବାଜିଲା । ମୁଁ ସାହସ କରି ଗୋରା କବର ଭିତରକୁ ବାହାରିଲି । ଚାରିଆଡ଼ ନିଛାଟିଆ, ସେତେବେଳେ ଖରାଦିନ । ସୁସୁ ହୋଇ ପବନ ବୋହୁଛି । ଆକାଶରେ ଖଣ୍ଡି ଜହ୍ନ ପଡ଼ିଛି । ଭୟରେ ମୋର ଛାତି ଥରିଲା । କିନ୍ତୁ ମୁଁ ଆଉ ଫେରିଆସିଲି ନାହିଁ । ସାହସ କରି ଆଗେଇଗଲି ।

 

ପାଚେରି ଡେଇଁ ଭିତରେ ପଶିଲି । ଗୋଲାପଜାମୁ ଗଛ ଉପରୁ ଗୋଟାଏ ବାଦୁଡ଼ି ଉଡ଼ିଗଲା । ଭୟରେ ମୋ’ ଦେହ ଶୀତେଇ ଉଠିଲା । ମୋ’ର ମନେହେଲା ଯେପରି ମୋ ଚାରିପଟେ କିଏ ସବୁ ଛାଇପରି ବୁଲୁଛନ୍ତି । ଫୁସ୍‍ଫୁସ୍ କରି କଥାବାର୍ତ୍ତା କରୁଛନ୍ତି । ହେଇଟି ସେ ଦିନ ମୋ’ର ଆଖି ଆଗରେ ଗୋଟିଏ କମ୍ ବୟସର ମେମ୍‍କୁ ଏଠାରେ କବର ଦେଲେ । ଆମରି ରତନୀ ବୟସର ଝିଅଟିଏ । ସେଇ କବର ଉପରେ ଗୋଟାଏ ସିମେଣ୍ଟ ବେଦିବି କରିଛନ୍ତି । ସାମନାରେ ସେଇ ବେଦିଟା । ଭୟରେ ମୋର ରୁମ ଟାଙ୍କୁରି ଉଠିଲା । ଯଦି ସେ ମେମ୍‍ର ଭୂତଟା ବେଦି ଉପରେ ବସିଥାଏ !

 

କିଛିକ୍ଷଣ ପର୍ଯ୍ୟନ୍ତ ଆଖି ବୁଜି ଛିଡ଼ାହୋଇ ରହିଲି । ଆଖି ଖୋଲିବାକୁ ସାହସ ହେଲାନାହିଁ । ତା’ପରେ ହଠାତ ସାହସ କରି ମୁଁ ଆଖି ମେଲାଇ ଚାହିଁଲି । ବେଦି ଉପରେ ଯାହା ଦେଖିଲି ତା’ ଆଜି ପର୍ଯ୍ୟନ୍ତ ମୁଁ ଭୁଲି ପାରିବି ନାହିଁ । ଜହ୍ନ ଆଲୁଅରେ ମୁଁ ସଫା ଦେଖିଲି–ଗୋଟାଏ ମାଈକିନିଆ ବାଳ ମୁକୁଳା କରି ଛିଡ଼ା ହୋଇଛି । ପବନରେ ତା’ର ମୁକୁଳା ବାଳ ଉଡ଼ୁଛି । ଏ କଥା ଦେଖି ‘‘ବୋପାଲୋ’’ ବୋଲି ପାଟିକରି ମୁଁ ସେଇଠାରେ ପଡ଼ିଗଲି ।

 

ଚେତା ବୁଡ଼ିଯିବା ଆଗରୁ ମୁଁ ଶୁଣିପାରିଲି କିଏ ଯେପରି ହିହି କରି ହସୁଛି । ତା’ପରେ ମୋର ଚେତା ବୁଡ଼ିଗଲା ।

 

ନିଧିର ବର୍ଣ୍ଣନା ଶୁଣି ମୋର ମଧ୍ୟ ଲୋମଟାଙ୍କୁରି ଉଠିଲା । ପ୍ରେତର ଅସ୍ତିତ୍ଵ ସମ୍ବନ୍ଧରେ ମୋର ସଂସ୍କାରଗତ ବିଶ୍ଵାସ ଥିଲେ ମଧ୍ୟ, କୌଣସି ଚାକ୍ଷୁଷଦର୍ଶୀ ଠାରୁ ମୁଁ ଏପରି କାହାଣୀ ଶୁଣି ନଥିଲି । ପଚାରିଲି–ତୋର ଦେଖିବାରେ କିଛି ଭୁଲ୍ ହୋଇନାହିଁ ତ ?

 

ସାମାନ୍ୟ ହସି ନିଧି କହିଲା–ନାଇଁ ବାବୁ, ଦେଖିବାରେ ମୋର ଭୁଲ୍ ହୋଇନାହିଁ । ବୁଝିବାରେ ଭୁଲ୍ ହୋଇଥିଲା । ସେଇ ରତନୀଟା ମୋତେ ଡରାଇବ ବୋଲି ଆଗରୁ ଯାଇ କବର ଉପରେ ଠିଆ ହୋଇଥିଲା । ମୋତେ ବେଚେତା ହୋଇ ପଡ଼ିଯିବାର ଦେଖି ସେ ଦୌଡ଼ି ଆସି ମୋତେ ଡାକିଡାକି ଉଠାଇଲା । ସେଇ ଦିନଠାରୁ କେତେଥର ମୋତେ ଥଟ୍ଟା କରି ରତନୀ ଏକଥା କହିଛି । ଏଇପରି କେତେ କଥା ଅଛି ହଜୁର । ରତନୀ ଛାଡ଼ି ଚାଲିଗଲା । ହେଲେ, ସେ କାଳର କଥା ସବୁ ମୁଁ ଜୀବନଥିବା ଯାଏଁ ଭୁଲି ପାରିବି ନାହିଁ ।

 

ନିଧି ସଙ୍ଗେ କଥା କହୁକହୁ କ୍ରମେ ଦିନ ଆଗେଇ ଯିବାକୁ ଲାଗିଲା । କର୍ତ୍ତବ୍ୟର ଆହ୍ଵାନ ଆସିଲା । ନିଧି ମୋ ଠାରୁ ବିଦାୟ; ନେଇ ଛିଡ଼ା ହେଲା । –ଯାଉଛି ବାବୁ, ମୁଁ ତ ବୁଢ଼ା ହେଲିଣି । ଆଉ ବେଶି ଦିନ ବଞ୍ଚିବି ନାହିଁ । ଆଉ ଦେଖା ହବକି ନାହିଁ ଭଗବାନ୍ ଜାଣନ୍ତି ।

 

ତା’ପରେ ନିଧି ଭୋଇ ସଙ୍ଗେ ମୋର ଆଉ ଦେଖା ହୋଇନାହିଁ । ପ୍ରାୟ ଚାରିବର୍ଷ ପରେ ମେଦିନୀପୁର ସେଣ୍ଟ୍ରାଲ ଜେଲ୍‍ରେ ସେ ମଲା । କିନ୍ତୁ ତା’ର ମୋ ନିକଟରୁ ସେଦିନ ଶେଷ ବିଦାୟର ସ୍ମୃତିଟି ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହିଁ । ନିଧି ଭୋଇ ଲୋକଚକ୍ଷୁରେ ଗୋଟାଏ ଘୃଣ୍ୟ ଦସ୍ୟୁ । କିନ୍ତୁ ସେଦିନ ମୋ ନିକଟରୁ ସେ ବିଦାୟ ନେଇ ଚାଲିଗଲା ପରେ, କାହିଁକି କେଜାଣି, ଗୋଟାଏ ଅର୍ଥହୀନ ବିଷାଦରେ ମୋର ମନ ଭାରାକ୍ରାନ୍ତ ହୋଇଗଲା । ଯେପରି କେଉଁକାଳରୁ ପରିଚିତ ମୋର କେହି ଅତି ପ୍ରିୟଜନ ମୋତେ ଚିରଦିନ ପାଇଁ ଛାଡ଼ିଛାଡ଼ି ଚାଲିଗଲା ।

 

ସୁଦୀର୍ଘ କର୍ମମୟ ଜୀବନରେ ଏହିପରି କେତେ ବିଚିତ୍ର ନରନାରୀ ମୋ ଜୀବନରେ ଉଦୟ ହୋଇଛନ୍ତି । ପୁଣି ଦୁନିଆର ରାଜପଥର ଅନ୍ତରାଳରେ ଲୁଚି ଯାଇଛନ୍ତି । ଜୀବନର ମଧ୍ୟାହ୍ନରେ ପ୍ରଚଣ୍ଡ କର୍ମ କୋଳାହଳ ଭିତରେ ସେମାନେ ହଜି ଯାଇଥିଲେ ମଧ୍ୟ, ଆଜି ମୋର ଜୀବନର ଅପରାହ୍ନରେ ସେମାନଙ୍କର ସ୍ମୃତିର ଛାଇ ଦୀର୍ଘରୁ ଦୀର୍ଘତର ହୋଇ ଉଠୁଛି । ବିଶ୍ୱକବି ରବୀନ୍ଦ୍ରନାଥଙ୍କର ଗୋଟିଏ ଉକ୍ତି ମନେପଡ଼ୁଛି । –‘‘ରାତିର ସବୁ ତାରା ଦିବାଲୋକର ଗଭୀର ଅତଳରେ ଲୁଚି ରହିଛନ୍ତି । ବଞ୍ଚି ରହିଛନ୍ତି ।’’

 

–ଛ–

 

ଏହା ଗଳ୍ପ ନୁହେଁ, ଉପନ୍ୟାସ ନୁହେଁ ବା କୌଣସି ବିଧିବଦ୍ଧ କାହାଣୀ ନୁହେଁ । ଏହା କେବଳ ମୋର ସ୍ମୃତିର ଆଲେଖ୍ୟ । ଅତଏବ ଘଟନାରେ ରଙ୍ଗ ଫୁଟାଇ ସାହିତ୍ୟ ବଜାରରେ ଯଦି ଘୋଡ଼ାପରି ମୁଁ ଏହାକୁ ଛାଡ଼ି ଦିଗ୍‍ବିଜୟୀ ସାହିତ୍ୟିକ ହେବାର ଅଭିଳାଷ ମୋର ନାହିଁ ।

 

ନାନା ଜରୁରି କାମର ଚାପରେ କେତେକମାସ ପର୍ଯ୍ୟନ୍ତ ମୁଁ ବ୍ୟସ୍ତ ରହିଲି । ଜଗବନ୍ଧୁ ବା କମଳା, ଶୋଭନା କଥା ଚିନ୍ତା କରିବାକୁ ମୁଁ ଅବସର ପାଇନାହିଁ । ସେତିକି ବେଳର ଗୋଟିଏ ସାମାନ୍ୟ ଘଟନା ଆଜି ଅତି ପରିଷ୍କାର ହୋଇ ମୋର ମନେ ପଡ଼ୁଛି । ଗୋଟିଏ ବୃଦ୍ଧାର ଅନାହାରଜନିତ ମୃତ୍ୟୁର ଗୋଟାଏ ସାମାନ୍ୟ ଘଟନା । ମାଲଗୋଦାମ ପାଖ ଗୋଟିଏ ବରଗଛ ମୂଳେ ଗୋଟିଏ କଙ୍କାଳସାର ବୃଦ୍ଧା କିଛିଦିନ ହେଲା ପଡ଼ିଥିଲା । ଦିନେ ସକାଳେ ଦେଖାଗଲା ଯେ ସେ ମରିଯାଇଛି । ଲୋକେ କହିଲେ–ବୁଢ଼ୀଟା ଖାଇବାକୁ ନ ପାଇ ମରିଗଲା । ତା’ପରେ ଚାଲିଲା ଧମାଧମ୍ ତଦନ୍ତ । ଅନାହାରଜନିତ ମୃତ୍ୟୁ କିଛି ସାମାନ୍ୟ କଥା ନୁହେଁ । ଶାସକ ସମ୍ପ୍ରଦାୟଙ୍କର ଚରମ ଅପାରଗତାର ନିଦର୍ଶନ । ଯେଉଁ ସରକାର ମଣିଷର ବଞ୍ଚିରହିବାର ନିମ୍ନତମ ପ୍ରୟୋଜନ–ଅର୍ଥାତ୍ ଗଣ୍ଡେ ପିନ୍ଧିବାକୁ ଓ ମୁଠାଏ ଖାଇବାକୁ ଦେଇ ନ ପାରେ, ସେପରି ସରକାର ରହିବାର କୌଣସି ପ୍ରୟୋଜନ ନାହିଁ । ଏ ପ୍ରତିଶ୍ରୁତି ଚାରିହଜାର ମାଇଲ ଦୂରରୁ ବ୍ରିଟିଶ ସରକାର ସେତେବେଳେ ପରାଧୀନ ଭାରତବାସୀଙ୍କୁ ଦେଇଥିଲେ । ଅତଏବ ବୃଦ୍ଧାର ଅନାହାରଜନିତ ଅପମୃତ୍ୟୁରେ ଚହଳ ପଡ଼ିଗଲା । ସରକାରୀ ଆଦେଶରେ ଏସ୍. ଡ଼ି. ଓ. ଦାମୋଦର ମର୍ଦ୍ଦରାଜ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କଲେ ।

 

ସେତେବେଳେ ଏ ଦେଶ ଇଂରାଜମାନଙ୍କର ପଦାନତ ଥିଲା । ଦେଶସାରା ନେତୃବର୍ଗଙ୍କ ଆହ୍ଵାନରେ ସ୍ଵାଧୀନତା ସଂଗ୍ରାମ ଦିନକୁଦିନ ତେଜି ଉଠୁଥିଲା । ୧୯୪୨ ସାଲର ‘‘ଭାରତ ଛାଡ଼’’ ଆନ୍ଦୋଳନ ନିଆଁ ସେ ପର୍ଯ୍ୟନ୍ତ ନିଭିନାହିଁ । ତା’ ଉପରେ ପୂର୍ବ ପଶ୍ଚିମ ସୀମାନ୍ତରେ ଦ୍ଵିତୀୟ ମହାସମରର ଦୁନ୍ଦୁଭି ବାଜୁଛି । ହୁଏତ ଇଂରାଜ ଜାତିର ଅସ୍ତିତ୍ଵ ଲୋପ ପାଇଯିବ । କିନ୍ତୁ ତା’ର ଭିତରେ ଶାସକର ପ୍ରଧାନ କର୍ତ୍ତବ୍ୟକୁ ଇଂରାଜ ଜାତି ଭୁଲି ନଥିଲା । କୁଳଗୋତ୍ରହୀନ ସାମାନ୍ୟ ଗୋଟାଏ ବୃଦ୍ଧାର ଅନାହାରଜନିତ ମୃତ୍ୟୁରେ ଶାସକ ଗୋଷ୍ଠୀ ବ୍ୟସ୍ତ ହୋଇ ଉଠିଲେ ।

 

ସେଇ ପରାଧୀନ ଯୁଗର ଏଇ ସାମାନ୍ୟ ଘଟନାଟିକୁ ଆଜି ସହିତ ତୁଳନା କଲେ, ଘୃଣା ଓ ଲଜ୍ଜାରେ ମୁଣ୍ଡ ନଇଁ ପଡ଼ୁଛି । ଆଜି ଏ ଦେଶ ସ୍ଵାଧୀନ । ଦୁନିଆ ଦରବାରରେ ଆମର ନେତୃବୃନ୍ଦ ବିଶିଷ୍ଟ ଆସନ ଦାବି କରୁଛନ୍ତି । କିନ୍ତୁ ଦେଶବାସୀଙ୍କର ବଞ୍ଚିରହିବାର ସାମାନ୍ୟତମ ଦାବି ମଧ୍ୟ ପୂରଣ କରିବାକୁ ନେତୃବର୍ଗ ଅକ୍ଷମ । ଖାଦ୍ୟାଭାବରେ ବା ଅଖାଦ୍ୟ ଭକ୍ଷଣ କରି ହଜାରହଜାର ନରନାରୀ ଟଳି ପଡ଼ୁଛନ୍ତି । କ୍ଷୁଧାର୍ତ୍ତ ଜତି ତାକୁ ନେତୃବର୍ଗ ଆରାମର ମସ୍‍ନଦ୍ ଉପରୁ ଉଦାର କଣ୍ଠରେ ଘୋଷଣା କରୁଛନ୍ତି–ବର୍ତ୍ତମାନ ତୁମେମାନେ ଖାଇବାକୁ ମାଗନାହିଁ । ଶ୍ରମଦାନକର–ଆହୁରି ବେଶି ଟିକସ ଦିଅ । ଆଉ କୋଡ଼ିଏବର୍ଷ ପରେ ଏ ଦେଶ ସ୍ଵାବଲମ୍ବୀ ହେବ । କିନ୍ତୁ ଏହା ଭିତରେ ଯେପରି ଆଉ ଲୋକ ସଂଖ୍ୟା ନ ବଢ଼େ । ସମସ୍ତେ ଜନ୍ମ ନିୟନ୍ତ୍ରଣ କର ।

 

ବୃଦ୍ଧାର ମୃତ୍ୟୁରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହେଲା । କେତେକ ସ୍ଥାନୀୟ ଲୋକଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରାଗଲା । ସବୁ ସମ୍ବାଦପତ୍ରରେ ତା’ର ମୃତଦେହରେ ଫଟ ବାହାରିଲା । ତା’ର ଜୀବନ କାଳର କେତୋଟି କାଳ୍ପନିକ କରୁଣ କାହାଣୀ ମଧ୍ୟ ସମ୍ବାଦପତ୍ରମାନଙ୍କରେ ଛାପା ହେଲା । କେତେକ ତରୁଣ କବି କେତୋଟି କରୁଣ କବିତା ମଧ୍ୟ ରଚନା କଲେ । କେହି ଜଣେ କବି ଲେଖିଲେ ଯେ, ଏ ଦେଶର ସ୍ଵାଧୀନତା ସଂଗ୍ରାମରେ ଏ ବୁଢ଼ୀ ମଧ୍ୟ ଜଣେ ଶହୀଦ୍ । କାରଣ ଇଂରାଜ ସରକାରର ଚରମ ଅପାରଗତା ପ୍ରମାଣ କରିବାପାଇଁ ସେ ମୃତ୍ୟୁବରଣ କରିଛି ।

କିନ୍ତୁ ଏ ତଦନ୍ତ ଶେଷପୂର୍ବରୁ ଗୋଟିଏ ଅତି କୌତୁକାବହ ଘଟନା ଘଟିଲା । ବୁଢ଼ୀର ପାର୍ଥିବ ସମ୍ପଦ ଭିତରେ ଖଣ୍ଡିଏ ଛିଣ୍ଡା କତରା, କେତେକ ଛିଣ୍ଡା କନ୍ଥା ଓ ଗୋଟିଏ ତେଲଚିକିଟା ମଇଳା ତକିଆ ଥିଲା । ସେଗୁଡ଼ିକ ପୁଲିସ ଥାନାର ଗୋଟିଏ କଣକୁ ରଖା ହୋଇଥିଲା । ଦିନେ ହଠାତ ମୋ ନଜରରେ ପଡ଼ିଲା ଯେ ଗୋଟାଏ ବୁଲା କୁକୁର ସେ ମଇଳା ତକିଆଟା କାମୁଡ଼ି ଛିଣ୍ଡାଉଛି । କୁକୁରଟାକୁ ଘଉଡ଼ାଇ ଦେଇ ମୁଁ ସେ କନ୍ଥା ଓ କତରା ପ୍ରଭୃତିକୁ ଗୋଡ଼ରେ ଠେଲି ଦେଉଦେଉ ହଠାତ ଗୋଟାଏ ଜିନିଷ ମୋ ନଜରରେ ପଡ଼ିଲା । ମୁଁ ନଇଁପଡ଼ି ଛିଣ୍ଡା ତକିଆଟାକୁ ଉଠାଇ ନେଇ ଯାହା ଦେଖିଲି, ସେଥିରେ ମୋର ଚକ୍ଷୁ ସ୍ଥିର ହୋଇଗଲା । ଶହେ ଟଙ୍କିଆ ଓ ଦଶଟଙ୍କିଆ ନୋଟରେ ତକିଆଟି ଭର୍ତ୍ତି । ଚାରିହଜାର ଟଙ୍କାର ନୋଟ । ଶହୀଦ୍ ବୁଢ଼ୀର ଅନାହାରଜନିତ ମୃତ୍ୟୁ ଯୋଗୁଁ ବିଚାର ବିଭାଗୀୟ ତଦନ୍ତ ପ୍ରବଳ ହାସ୍ୟରୋଳ ଭିତରେ ଶେଷ ହେଲା ।

ତା’ପରେ ଆହୁରି ମଧ୍ୟ କେତୋଟି ଜରୁରି କାମରେ ମୁଁ ବ୍ୟସ୍ତ ରହିଲି । ତନ୍ମଧ୍ୟରୁ ଅନ୍ୟତମ ସ୍ମରଣୀୟ ଘଟନା ହେଉଛି ପୂର୍ଣ୍ଣ ମାମୁଁଙ୍କର ରାଜଦ୍ରୋହ । ସେ ମୋର ମାମୁଁ ନୁହନ୍ତି । କାହାର ଯେ ସେ ପ୍ରକୃତ ମାମୁଁ ତା’ ମଧ୍ୟ ମୁଁ ଜାଣେନାହିଁ । କିନ୍ତୁ ସେତେବେଳେ କଟକର ବାସିନ୍ଦାମାନଙ୍କ ଭିତରେ ଖୁବ୍ କମ୍ ଲୋକ ଥିଲେ, ଯେଉଁମାନେ କି ତାଙ୍କୁ ଜାଣି ନଥିଲେ । ସେ ଥିଲେ କଟକ ସହରର ସାର୍ବଜନୀନ ମାମୁଁ । ବାଲ୍ୟକାଳରୁ ମୁଁ ତାଙ୍କୁ ଜାଣେ । ସେ ଥିଲେ କଂଗ୍ରେସର ଜଣେ ନେତୃ ସ୍ଥାନୀୟ ବ୍ୟକ୍ତି । ବଳବାନ୍ ଦେହ । ଅତିଶୟ କଟୁଭାଷୀ । ସଭା ସମିତିରେ ଅତି କଟୁଭାଷାରେ ଗରମାଗରମ ବକ୍ତୃତା ଦିଅନ୍ତି । ତା’ପରେ ବହୁଦିନ ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖି ନଥିଲି । ଅବଶେଷରେ ଦେଖିଲି କଟକ ସହରରେ । ମୋର କର୍ମକ୍ଷେତ୍ରରେ ।

ଅତିଶୟ କଟୁଭାଷୀ ଓ ବଦ୍‍ରାଗୀ । ସମ୍ପୂର୍ଣ୍ଣ ଧନହୀନ–କିନ୍ତୁ ଦୀନ ନୁହନ୍ତି । ଚୌଧୁରୀ ବଜାରର ବିଜୁଳିଘର ନିକଟରେ ସାନ ଖଣ୍ଡିଏ ଘରେ ପୂର୍ଣ୍ଣମାମୁଁ ଗୋଟିଏ ଛାପାଖାନା କରିଥିଲେ । ନାମ–ସ୍ଵାଧୀନ ପ୍ରେସ୍ । ଦିନସାରା ପୂର୍ଣ୍ଣମାମୁଁ ସଡ଼କକୁ ଚାହିଁ ଖଣ୍ଡିଏ ଚଉକି ଉପରେ ବସିଥାନ୍ତି । କୌଣସି ଖରିଦଦାର ଆସନ୍ତି ନାହିଁ । କାରଣ ଅର୍ଥ ବ୍ୟୟ କରି ମାମୁଁଙ୍କଠାରୁ ଅତି କଟୁଭାଷାରେ ଗାଳି ଶୁଣିବା ପରି ଧୈର୍ଯ୍ୟଶୀଳ ବ୍ୟକ୍ତି ଏକାଳେ ବେଶି ନାହାନ୍ତି । ପୂର୍ଣ୍ଣମାମୁଁ କୌଣସି ବ୍ୟକ୍ତିବିଶେଷ ବା ଗୋଷ୍ଠୀ ବିଶେଷକୁ ଗାଳି ଦିଅନ୍ତି ନାହିଁ । ସେ ବିଷୟରେ ସେ ଯଥାର୍ଥ ସାମ୍ୟବାଦୀ-। ସମସ୍ତଙ୍କୁ ସେ ଗାଳି ଦିଅନ୍ତି । ସଡ଼କ ଉପରକୁ ଚାହିଁ ଦିନସାରା ସେ ତାଙ୍କର ସ୍ଵାଧୀନ ପ୍ରେସ୍‍ରେ ବସିଥାନ୍ତି । ସଡ଼କ ଉପରେ ଯାହାକୁ ଦେଖନ୍ତି–ତାକୁ ଡାକି ଗାଳି ଦିଅନ୍ତି । ନାନାବିଧ ଦୋଷ ଦର୍ଶାଇ ତାଙ୍କର ଗାଳି ବର୍ଷଣ ହୁଏ । କେହି ବା ମୂଲ୍ୟବାନ୍ ପରିଚ୍ଛଦ ପିନ୍ଧି ଅନ୍ୟାୟ କରିଛି–ତ, କେହି ଚଶମା ପିନ୍ଧି ମହାପାପ କରିଛି । ଦିନେ ସେବାଟେ ଯାଉଯାଉ ମୁଁ ମଧ୍ୟ ପୂର୍ଣ୍ଣମାମୁଁଙ୍କ ନଜରରେ ପଡ଼ିଥିଲି । ମୋତେ ଡାକି କିଛିକ୍ଷଣ ପର୍ଯ୍ୟନ୍ତ ମୋତେ କଟମଟ କରି ଚାହିଁ ରହିଲେ । ତା’ପରେ କ’ଣ ହେଲା କେଜାଣି, ମୋତେ ଆଉ ଗାଳି ନ ଦେଇ ପାଖରେ ବସାଇଲେ ଓ ସବୁ ପୁରୁଖା କଂଗ୍ରେସ ନେତାମାନଙ୍କ ଉପରେ ଗାଳି ବର୍ଷଣ ଆରମ୍ଭ କଲେ । ସେତେବେଳେ କଂଗ୍ରେସର ସବୁ ତୁଙ୍ଗ ନେତାମାନେ ଜେଲ୍‍ରେ ଅଟକବନ୍ଦୀ ହୋଇ ଅଛନ୍ତି । ପୂର୍ଣ୍ଣମାମୁଁଙ୍କର କ୍ରୋଧର କାରଣ ହେଉଛି ଯେ ସେଇ ସାମାନ୍ୟ ଲୋକଗୁଡ଼ାଙ୍କଠାରେ କି ଗୁଣ ଦେଖି ପୁଲିସ ସେମାନଙ୍କୁ ଅଟକବନ୍ଦୀ କରି ରଖିଲା–ଆଉ କେଉଁ ଦୋଷରୁ ମାମୁଁଙ୍କ ପରି ଜଣେ ଟାଣୁଆ ନେତାଙ୍କୁ ପଚାରିଲା ନାହିଁ ।

 

–ତମେ ଜାଣ, ଏହା ହେଉଛି ସେଇ ଛୋଟଲୋକଗୁଡ଼ାକଙ୍କର ଗୋଟାଏ ହୀନ ଷଡ଼ଯନ୍ତ୍ର-। ଦେଶ ସ୍ଵାଧୀନ ହେବାର ଆଉ ବିଳମ୍ବ ନାହିଁ । ଦେଶ ସ୍ଵାଧୀନ ହେଲେ ଏଇ ଛତରାଗୁଡ଼ାକ ସବୁ ଶାସନ ଗାଦିରେ ଚଢ଼ି ବସିବେ । କାରଣସ୍ୱରୂପ ଦେଖାଇବେ ଯେ ସେମାନେ ତ୍ୟାଗୀ । ସେମାନେ ଦେଶପାଇଁ କାରାବରଣ କରିଛନ୍ତି । କିନ୍ତୁ ମୋ ପରି ଲୋକ ସେ ସବୁ ଚାଲବାଜିରେ କଦାପି ଭୁଲିବ ନାହିଁ । କାରାବରଣ କରି କିପରି ଜାମାତା ଆପ୍ୟାୟନ ଉପଭୋଗ କରୁଛନ୍ତି ତା’ ମୁଁ ଭଲକରି ଜାଣେ । ଆଉ ତୁମମାନଙ୍କ ପରି ଇଂରେଜର ଅଇଁଠାବଟା ଗୋଲାମମାନେ ମଧ୍ୟ ଏ ବିଷୟରେ ସେମାନଙ୍କୁ ସାହାଯ୍ୟ କରୁଛ । ଯେତେକ ଧପ୍ପାବାଜ ଛତରାଙ୍କୁ ନେତା ବୋଲି ଜେଲ୍‍ଖାନାରେ ରଖିଛ ଆଉ ମୋ ପରି ସଚୋଟ ତ୍ୟାଗୀଲୋକ ତମ ନଜରରେ ପଡ଼ୁନାହିଁ ।

 

ଗମ୍ଭୀର ଭାବରେ ବସି ମାମୁଁଙ୍କର ବଚନାମୃତ ସେବନ କରୁକରୁ ହଠାତ ମୋ ଅଜ୍ଞାତସାରରେ ମୁଁ ଟିକିଏ ହସି ପକାଇଲି । ମୋ ହସ ଦେଖି ମାମୁଁ ଜାପାନୀ ବୋମାପରି କ୍ରୋଧରେ ଫାଟିଗଲେ । ଯାହା ମନକୁ ଆସିଲା–ମୋତେ ଶୋଧିବାକୁ ଲାଗିଲେ । ତା’ପରେ ହଠାତ କହି ଉଠିଲେ–ତୁମେ ବର୍ତ୍ତମାନ ମୋ ସାମ୍ନାରୁ ଚାଲିଯାଅ । ଆଉ ବେଶି ରଗାଅ ନାହିଁ ।

 

ମୁଁ ବାହାରିଲି । ପଛରୁ ଡାକି ପୂର୍ଣ୍ଣମାମୁଁ କହିଲେ–ହଁ ଶୁଣ । ମୁଁ ତୁମକୁ ଯେଉଁଥିପାଇଁ ଡାକିଥିଲି କଥାଛଳରେ ତା’ ଭୁଲି ଯାଇଥିଲି । ପନ୍ଦରଟା ଟଙ୍କା ଦେଇଯାଅ । ଜରୁରି ଦରକାର ଅଛି-

 

ସାମାନ୍ୟ ହସି ପକେଟରୁ ମନିବ୍ୟାଗ୍ କାଢ଼ି ପନ୍ଦରଟି ଟଙ୍କା ଟେବୁଲ ଉପରେ ରଖିଲି । ଅତି ନିର୍ଲିପ୍ତ ଭାବରେ ମାମୁଁ ଟଙ୍କା କେତୋଟି ନେଇ ପକେଟରେ ରଖିଲେ । ସାମାନ୍ୟ ଗୋଟିଏ ଧନ୍ୟବାଦ ମଧ୍ୟ ଦେଲେନାହିଁ । ଯେପରି ବହୁଦିନରୁ ମୋ ଉପରେ ତାଙ୍କର ବାକିଥିଲା । ଦୟାକରି ସେ ମୋତେ ଋଣମୁକ୍ତ କଲେ ।

 

ସେଇ ପୂର୍ଣ୍ଣମାମୁଁ । ବହୁ ଚେଷ୍ଟା କରି ସେ ବର୍ତ୍ତମାନ ରାଜଦ୍ରୋହୀ ବୋଲି ପରିଚିତ ହୋଇଛନ୍ତି । କଥାଟା ହେଉଛି ଏହିପରି–

 

କଟକର ଇଂରେଜ ପୁଲିସ ସାହେବ ଖଣ୍ଡିଏ ବେନାମୀ ଚିଠି ପାଇଲେ ଯେ ପୂର୍ଣ୍ଣମାମୁଁ ନାମରେ ଯେଉଁ ଲୋକ ଏ ପର୍ଯ୍ୟନ୍ତ ଜେଲ୍ ବାହାରେ ରହିଛନ୍ତି, ସେ ପ୍ରକୃତରେ ଜଣେ ସାଂଘାତିକ ରାଜଦ୍ରୋହୀ । ସନ୍ତ୍ରାସବାଦ ହେଉଛି ତାଙ୍କର ପନ୍ଥା । ନେତାଜୀ ସୁଭାଷଚନ୍ଦ୍ରଙ୍କ ସହିତ ତାଙ୍କର ଗୁପ୍ତ ସଂଯୋଗ ଅଛି । ବର୍ତ୍ତମାନ କଟକ ରେଳଷ୍ଟେସନର ପାର୍ଶେଲ୍ ଅଫିସରେ ପୂର୍ଣ୍ଣମାମୁଁଙ୍କ ନାମରେ ଗୋଟିଏ ପାର୍ଶେଲ୍ ଆସି ରଖା ହୋଇଛି ରେଲ୍‍ୱେ ରସିଦ ‘‘ପାର୍ଶେଲରେ ବହି ଅଛି’’ ବୋଲି ଉଲ୍ଲେଖ ଥିଲେ ମଧ୍ୟ, ପ୍ରକୃତରେ ତା’ ଭିତରେ ସାଂଘାତିକ ବୋମା ଅଛି । ଅତିଶୀଘ୍ର ପାର୍ଶେଲ୍‍ଟି ଜବତ ନ କଲେ ଓ ଆସାମୀକୁ ଗିରଫ କରି ଜେଲ୍‍କୁ ନ ପଠାଇଲେ ସବୁ ପ୍ରମାଣ ନଷ୍ଟ ହୋଇଯିବ-

 

ଗୋଇନ୍ଦା ବିଭାଗ ଏସ୍. ପି. ମଧ୍ୟ ଠିକ୍ ସେଇ ସମୟରେ ଉପରୋକ୍ତ ମର୍ମରେ ଖଣ୍ଡିଏ ବେନାମୀ ଚିଠି ପାଇଲେ । ତା’ପରେ ଚାଲିଲା ଧମାଧମ୍ ତଦନ୍ତ । ଅତି ଗୋପନରେ କରିତ୍‍କର୍ମା ଗୋଇନ୍ଦାମାନେ ପାର୍ଶେଲଟି ପରୀକ୍ଷା କଲେ । ପ୍ରକୃତରେ ପୂର୍ଣ୍ଣମାମୁଁଙ୍କ ନାମରେ ବାଲେଶ୍ଵରରୁ ଗୋଟିଏ ପାର୍ଶେଲ୍ ଆସିଛି । ମୋତିଗଞ୍ଜର କେହି ଜଣେ ପୁସ୍ତକ ବିକ୍ରେତା ଆର୍. କେ. ଦାସ ପଠାଇଛି । ତଦନ୍ତରେ ଜଣାଗଲା ଯେ ମୋତିଗଞ୍ଜରେ ସେପରି ନାମରେ କେହି ପୁସ୍ତକ ବିକ୍ରେତା ନାହିଁ । ଅତଏବ ବେନାମୀ ଚିଠିଟିର ବିଷୟବସ୍ତୁ ଯେ ବିଶ୍ୱାସଯୋଗ୍ୟ, ଏଥିରେ ସନ୍ଦେହ ନାହିଁ । ମିଲିଟାରୀ ଗୋଇନ୍ଦା ବିଭାଗକୁ ଘଟନା ଜଣାଇ ଦିଆଗଲା । ଭାରତ ସରକାରଙ୍କର ବିସ୍ଫୋରକ ବିଶେଷଜ୍ଞ (Explosive Inspector) ଉଡ଼ାଜାହାଜ ଯୋଗେ କଟକ ଆସିଲେ । ଅତି ଗୋପନରେ ପାର୍ଶେଲ୍‍ଟି ଖୋଲା ହୋଇ ଦେଖାଗଲା ଯେ ପ୍ରକୃତରେ ତା’ ଭିତରେ ଚାରୋଟି ସାନ ହାତବୋମା ରଖା ହୋଇଛି । ଇଂରାଜୀରେ ଟାଇପ୍ ହୋଇ କ୍ଷୁଦ୍ର ଖଣ୍ଡିଏ ଚିଠି ପାର୍ଶେଲ୍ ଭିତରେ ଅଛି । –ପୂର୍ଣ୍ଣମାମୁଁ, ଲୁଇସ୍ ସାହେବ (ତତ୍‍କାଳୀନ ଗଭର୍ଣ୍ଣର) ଆଉ କର୍ଣ୍ଣେଲ ମରୋଙ୍କର ମୃତ୍ୟୁ ପରୱାନା ପଠାଗଲା । ଯେପରି ସାତଦିନ ଭିତରେ କାମ ଶେଷ ହୁଏ । ଏହା ନେତାଜୀଙ୍କର ବିଶେଷ ଆଦେଶ ବୋଲି ଜାଣିବ । ‘ଜୟହିନ୍ଦ୍’ ।

 

ଅତି ସାଂଘାତିକ ଷଡ଼ଯନ୍ତ୍ର । ଭଗବାନ୍‍ଙ୍କ ଅଶେଷ ଦୟାରୁ କର୍ତ୍ତୃପକ୍ଷ ପୂର୍ବାହ୍ଣରେ ତାହା ଜାଣି ପାରିଲେ । ଅତି ଗୋପନୀୟ ଓ ଜରୁରି ବୈଠକମାନ ବସିଲା । ତା’ପରେ, ଦିନେ ସକାଳ ପ୍ରାୟ ନ’ଟାବେଳେ ପୁଲିସ ଓ ଗୋଇନ୍ଦା ବାହିନୀ ପୂର୍ଣ୍ଣମାମୁଁଙ୍କର ସ୍ୱାଧୀନ ପ୍ରେସ୍ ଉପରେ ଚଢ଼ାଉ କଲେ । ମୁଁ ମଧ୍ୟ ସେ ଦଳରେ ଥିଲି । ମାମୁଁ ପୂର୍ବପରି ତାଙ୍କର ଭଙ୍ଗା ଚଉକିଟି ଉପରେ ବସିଥିଲେ । ଆମମାନଙ୍କୁ ଦେଖି ପ୍ରଥମେ ଅତିଶୟ ଗମ୍ଭୀର ହୋଇଗଲେ । ଏସ୍.ପି. ସାହେବ ଆମମାନଙ୍କର ଆଗମନର ଉଦ୍ଦେଶ୍ୟ ତାଙ୍କୁ ସଂକ୍ଷେପରେ ଜଣାଇ ଦେଲେ ।–ଆପଣ ଆମମାନଙ୍କ ସହିତ ଚାଲନ୍ତୁ-। ମହାଶୟ, ଆପଣଙ୍କୁ ଗିରଫ୍ କରାହେଲା ।

 

ମାମୁଁ ଗିରଫ୍ ହେଉଛନ୍ତି ବୋଲି ନୁହେଁ–ଏତେଗୁଡ଼ିଏ ପୁଲିସ ଅଫିସରଙ୍କୁ ସେଠାରେ ଦେଖି, ସେଠାରେ ବାହାର ଲୋକେ ରୁଣ୍ଡ ହେବାକୁ ଲାଗିଲେ । ଏସ୍. ପି. ପୂର୍ଣ୍ଣମାମୁଁଙ୍କୁ ଗିରଫ୍ ହେବାର କାରଣ ଆହୁରି ପ୍ରାଞ୍ଜଳ କରି ବୁଝାଇ ଦେଲେ । –ସରକାରଙ୍କର ହୃଦ୍‍ବୋଧ ହୋଇଛି ଯେ ଆପଣ ରାଜଦ୍ରୋହ ଓ ନରହତ୍ୟାର ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି । ଆପଣଙ୍କ ନାମରେ ଆସିଥିବା ଗୋଟିଏ ପାର୍ଶେଲ୍ ଭିତରୁ ଚାରୋଟି ହାତବୋମା ଜବତ କରାହୋଇଛି । ଆପଣଙ୍କୁ ଗିରଫ୍ କରିବାପାଇଁ ଏବଂ ଆପଣଙ୍କର ଏଇ ଘର ଖାନ୍‍ତଲାସ କରିବାପାଇଁ ଆମ ନିକଟରେ ଓ୍ୱାରଣ୍ଟ ଅଛି-

 

କଥାଟା ବିଜୁଳି ବେଗରେ ଚାରିଆଡ଼େ ପ୍ରଚାର ଲାଭକଲା । ସମସ୍ତେ ଜାଣିଲେ ଯେ ପୂର୍ଣ୍ଣମାମୁଁ ଗୋଟିଏ ଅଗ୍ନିଗର୍ଭ ପର୍ବତ । ଭସ୍ମାଚ୍ଛାଦିତ ବହ୍ନି । ପ୍ରେସ୍ ରିପୋର୍ଟରମାନେ ସେଠାରେ ପହଞ୍ଚିଗଲେ । କେତେକ ଛାତ୍ର ମଧ୍ୟ ଦଳବାନ୍ଧି ସେଠାରେ ପହଞ୍ଚିଗଲେ । ମାମୁଁଙ୍କୁ ଫୁଲମାଳରେ ଭୂଷିତ କରାଗଲା । ଜଣେ ତରୁଣ ଛାତ୍ର ମାମୁଁଙ୍କ ଗଳାରେ ଗୋଟିଏ ଅର୍କ ଫୁଲର ମାଳ ଲମ୍ବାଇ ଦେଇ ତାଙ୍କର ପାଦଧୂଳି ନେଇ ମୁଣ୍ଡରେ ଛୁଆଁଇଲା । ଆବେଗ ଗଦ୍‍ଗଦ କଣ୍ଠରେ କହିଲା–‘‘ଆପଣ ଅଗ୍ନି ଋଷି । ଶ୍ମଶାନଚାରୀ ରୁଦ୍ରଙ୍କର ଯେଉଁ ଅର୍କ ଫୁଲରେ ଉପଚାର ହୁଏ, ସେଇ ଫୁଲର ମାଳାରେ ମୁଁ ଆପଣଙ୍କୁ ପୂଜା କରୁଛି ।’’

 

କେତେକ ପ୍ରେସ୍ ଫଟୋଗ୍ରାଫର ଫୁଲମାଳ ଶୋଭିତ ମାମୁଁଙ୍କର ଫଟ ଉଠାଇଲେ । ଅତି ଗୁରୁଗମ୍ଭୀର ଓ ମାତବ୍‍ବରୀ ଭଙ୍ଗୀରେ ପୂର୍ଣ୍ଣମାମୁଁ ସାମାନ୍ୟ ଟିକିଏ ହସି ଜନତାକୁ ଗୋଟିଏ କ୍ଷୁଦ୍ର ଭାଷଣ ଶୁଣାଇଲେ ।–‘ମୋର ଅତିପ୍ରିୟ ଦେଶବାସୀମାନେ ମୁଁ ଆଜି ତୁମମାନଙ୍କଠାରୁ ବିଦାୟ ନେଉଛି । କିନ୍ତୁ ତୁମେମାନେ ଜାଣିରଖ, ଇଂରାଜ ଜାତିର ପତନ ଅବଶ୍ୟମ୍ଭାବୀ । ନେତାଜୀଙ୍କର ଆଜାଦ୍‍ହିନ୍ଦ୍ ଫଉଜ ପୂର୍ବ ସୀମାନ୍ତରୁ ‘ଦିଲ୍ଲୀ ଚଲୋ’ ଡାକ ଦେଉଛନ୍ତି । ଏ ଦେଶର ସ୍ଵାଧୀନତା ଆସନ୍ନ ପ୍ରାୟ’ ।

 

ତା’ପରେ ଏସ୍.ପି.ଙ୍କୁ ଲକ୍ଷ୍ୟ କରି ନିର୍ଭୁଲ ଇଂରାଜୀରେ ମାମୁଁ କହିଲେ–‘ଚାଲ ସାହେବ, ମୋର ଆଉ କିଛି କହିବାର ନାହିଁ । ତୁମେମାନେ ଯେତେବେଳେ ସବୁକଥା ଜାଣିପାରିଛ, ତୁମମାନଙ୍କର କର୍ତ୍ତବ୍ୟ ନିଶ୍ଚୟ କରିବ’ ।

 

ତା’ପରେ ସ୍ଵାଧୀନ ପ୍ରେସ୍ ଖାନ୍‍ତଲାସ କରାହେଲା । କୌଣସି ପ୍ରମାଣଯୋଗ୍ୟ କାଗଜପତ୍ର ମିଳିଲା ନାହିଁ । ମାମୁଁଙ୍କ ହାତଲେଖା କେତେଖଣ୍ଡି କାଗଜ ଶ୍ୱେତାଙ୍ଗ ଗୋଇନ୍ଦା ଏସ୍.ପି. ପକେଟରେ ପୂରାଇଲେ । ପ୍ରବଳ ଜୟଧ୍ୱନି ଭିତରେ ମହା ବିପ୍ଳବୀ ନେତା ପୂର୍ଣ୍ଣମାମୁଁ ପୁଲିସ ହିପାଜତ୍‍ରେ ଚାଲିଲେ ।

 

ଦେହରେ ଅସ୍ତ୍ରାଘାତର ଚିହ୍ନ ନଥିଲେ ଯୁଦ୍ଧଭୂମିର ସୈନିକ ଯେପରି ବିଶିଷ୍ଟବୀର ବୋଲି ପରିଗଣିତ ହୁଏ ନାହିଁ, ସ୍ଵାଧୀନତା ସଂଗ୍ରାମର ଯୋଦ୍ଧା ସେହିପରି କାରାବରଣ ନ କଲେ ନେତା ବୋଲି ଗଣ୍ୟ ହୁଅନ୍ତି ନାହିଁ । ଜୀବନସାରା ପୂର୍ଣ୍ଣମାମୁଁ ଜଣେ କଂଗ୍ରେସକର୍ମୀ ଥିଲେ । କିନ୍ତୁ ସେତେବେଳେ ସବୁ ନେତୃସ୍ଥାନୀୟ କର୍ମୀଙ୍କୁ ଇଂରେଜ ସରକାର ଅଟକବନ୍ଦୀ କରିଥିଲେ ମଧ୍ୟ, ମାମୁଁଙ୍କ ପ୍ରତି ଗୁରୁତ୍ଵ ଆରୋପ କରି ନଥିଲେ । ଏହାହିଁ ଥିଲା ତାଙ୍କର ରାଜନୈତିକ ଜୀବନର ଚରମ ପରାଜୟର ଗ୍ଳାନି । ଯେ କୌଣସି କାରଣରୁ ହେଉ ପଛେ, ଅବଶେଷରେ ରାଜନୈତିକ ବନ୍ଦୀଭାବରେ ଗିରଫ୍ ହୋଇ ସେ ଯେପରି ଜୀବନର ଚରମ ସାର୍ଥକତା ଲାଭକଲେ । ସେଦିନ ମୁଁ ତାଙ୍କର ନିଷ୍ପ୍ରଭ ଆଖିରେ ଗୋଟିଏ ପରମ ତୃପ୍ତିର ଆଭା ଲକ୍ଷ୍ୟ କରିଛି ।

 

କିନ୍ତୁ ମାତ୍ର ଦଶଦିନ ପରେ ପୂର୍ଣ୍ଣମାମୁଁଙ୍କୁ କାରାଗାରରୁ ମୁକ୍ତ କରି ଦିଆଗଲା । ସେ ଗୋଟିଏ ଅତି କୌତୁକାବହ ଘଟନା । ପାର୍ଶେଲରେ ବୋମାଥିବା ବିଷୟରେ ପୁଲିସ ସାହେବ ଗୋଇନ୍ଦା ବିଭାଗ ଏସ୍.ପି. ଯେଉଁ ଦୁଇଖଣ୍ଡି ବେନାମୀ ଚିଠି ପାଇଥିଲେ । ହସ୍ତାକ୍ଷର ବିଶେଷଜ୍ଞ ପରୀକ୍ଷା କରି ମତ ଦେଲେ ଯେ, ଦୁଇଖଣ୍ଡି ଚିଠି ପୂର୍ଣ୍ଣମାମୁଁଙ୍କର ନିଜହାତ ଲେଖା । ଅର୍ଥାତ୍ ନିଜେ ପାର୍ଶେଲ ଯୋଗେ କେତୋଟି ହାତବୋମା ନିଜ ଠିକଣାରେ ପଠାଇ ଗିରଫ୍ ହେବାପାଇଁ ମାମୁଁ ନିଜେ ସବୁ ଷଡ଼ଯନ୍ତ୍ର କରିଛନ୍ତି ।

 

ମାମୁଁ କଟକ ଜେଲ୍‍ରୁ ମୁକ୍ତି ପାଇବା ଦିନ ମଧ୍ୟ ମୁଁ ଜେଲ୍‍ଗେଟ୍‍ରେ ଉପସ୍ଥିତ ଥିଲି । ସେ ଯେପରି ସବୁକଥା ବୁଝିପାରିଛନ୍ତି । ପ୍ରଚଣ୍ଡ ଲଜ୍ଜା ଓ ଅପମାନର ଗ୍ଳାନିରେ ସେ ଏକାବେଳକେ ଭାଙ୍ଗି ପଡ଼ିଛନ୍ତି । ସଦା କଟୁଭାଷୀ ପୂର୍ଣ୍ଣମାମୁଁ ନୁହେଁ–ଯେପରି ତାଙ୍କର ପ୍ରେତାତ୍ମା କାରାଗାରରୁ ବାହାରି ସେଦିନ ମୁଣ୍ଡ ନୁଆଁଇ ଧୀରେ ଧୀରେ ଚାଲିଗଲେ । ତା’ପର ଠାରୁ ଆଉ ପୂର୍ଣ୍ଣମାମୁଁଙ୍କୁ ତାଙ୍କର ସ୍ଵାଧୀନ ପ୍ରେସ୍‍ରେ କେହି ଦେଖି ନାହାନ୍ତି । ଦୁନିଆର ରାଜପଥର ଅନ୍ତରାଳରେ ସେ ଯେପରି ସମ୍ପୂର୍ଣ୍ଣ ଭାବରେ ହଜିଗଲେ ।

 

ଏହିପରି କେତେଗୁଡ଼ିଏ ଜରୁରି କାମରେ ମୁଁ ଦୀର୍ଘ କେତେମାସ ଧରି ବ୍ୟସ୍ତ ଥିଲି । ଜଗବନ୍ଧୁ କଥା ବା କମଳା ଶୋଭନା କଥା ଚିନ୍ତା କରିବାର ମୁଁ ଅବସର ପାଇ ନଥିଲି । ଜଗବନ୍ଧୁର ପୌତୃକ ଭଙ୍ଗା ଘରବାଟେ ମୁଁ କେତେଥର ଯାଇଛି । ଧୀରେ ଧୀରେ ସେଠାରେ ଗୋଟିଏ ନୂଆ ଘର ଗଢ଼ି ଉଠୁଛି । ଆହୁରି ଇଟା କାଠ ଚୂନ ଗଦା ହୋଇଛି । ଜଗବନ୍ଧୁର ନୂତନ ଭାଗ୍ୟୋଦୟ ବିଷୟରେ ମୁଁ ୱାକବ୍‍ହାଲ୍ ଥିଲି । ଅତଏବ ତା’ର ଏଇ ନୂଆ ଘର ତିଆରିରେ ମୁଁ କୌଣସି ବିଶେଷତ୍ଵ ଦେଇନାହିଁ । ଘର ସାମନାରେ ସାଇନ୍ ବୋର୍ଡ଼ଟି ମଧ୍ୟ ନୂଆ ଓ ଚକଚକିଆ ହୋଇଛି । ଇଂରାଜୀରେ ଲେଖାଅଛି–‘‘ଜଗବନ୍ଧୁ ଛୋଟରାୟ, ବି. ଭି. ଏମ୍ ।’’

 

ସେଦିନ–ଗୋଟିଏ ଧାରାଶ୍ରାବଣର ଅପରାହ୍ନରେ ମୁଁ ଟିକିଏ ଅବକାଶ ପାଇ ଘର ଭିତରେ ବସିଥିଲି, ସାମ୍ବାଦିକ ବନ୍ଧୁ ଘନଶ୍ୟାମ ବହୁଦିନ ପରେ ହଠାତ ଆସି ପହଞ୍ଚିଲା । ଘନଶ୍ୟାମ କେବଳ ସାମ୍ବାଦିକ ନୁହେଁ–ସେ ଜଣେ ସାହିତ୍ୟିକ ଓ ଇନ୍‍ଟେଲେକ୍‍ଚୁୟେଲ୍ । ଏପରି ଗୋଟିଏ ବର୍ଷାମୁଖର ଅଳସ ଅପରାହ୍ନରେ ଘନଶ୍ୟାମ ପରି ଜଣେ ବନ୍ଧୁକୁ ପାଇ ମୁଁ ମନେମନେ ଖୁସି ହେଲି-। ପୁରୁଣା ଦିନର କେତେ ସାନସାନ ହାଲୁକା କଥାରୁ ଆରମ୍ଭ କରି ଆନ୍ତର୍ଜାତିକ ରାଜନୀତି ଓ ଯୁଦ୍ଧ ପରିସ୍ଥିତି ପ୍ରଭୃତି ଗୁରୁଗମ୍ଭୀର ଆଲୋଚନାରେ ସମୟ କଟିଗଲା । ବହୁକ୍ଷଣ ପରେ ହଠାତ ମୁଁ ପ୍ରଶ୍ନକଲି–ଆଚ୍ଛା ଘନଶ୍ୟାମ, ତୁମ ସାହିର ଧନେଶ୍ୱର ନନ୍ଦିର ଝିଅ ଦୁଇଟିର ଖବର କ’ଣ । ଶୋଭନା ଓ କମଳା !!

 

ଯେପରି ଗୋଟାଏ ଅତି ଜରୁରି କଥା ଭୁଲି ଯାଇଥିଲା–ଏଇପରି ଭଙ୍ଗିରେ ଘନଶ୍ୟାମ କହିଲା–ହଁ ଭାଇ, ମୁଁ ସେଇ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲି, ପ୍ରକୃତରେ ମୁଁ ସେଇ କଥାପାଇଁ ତୁମ ସଙ୍ଗେ ଆଲୋଚନା କରିବାକୁ ଆଜି ଆସିଥିଲି । କିନ୍ତୁ କଥା ଛଳରେ ସେ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲି ।

 

–କ’ଣ କଥା । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

ଘନଶ୍ୟାମ କହିଲା–ଭାଇ କମଳାକୁ ଗନିମିଆଁ କବଳରୁ ବଞ୍ଚାଇବାକୁ ହେବ । ଗନିମିଆଁ ମୁସଲମାନ ଆଉ କମଳା ହିନ୍ଦୁ ବୋଲି ମୁଁ ଏକଥା କହୁନାହିଁ । ମୋର ସେ ସବୁ ଜାତିଭେଦରେ ହୀନତା ନାହିଁ । କିନ୍ତୁ ଗନିମିଆଁ ପରି ଗୋଟାଏ ମଦ୍ୟପ ଗୁଣ୍ଡା ହାତରେ କମଳା ଅଶେଷ ଲାଞ୍ଛନା ଭୋଗ କରିବ । ତା’ ଛଡ଼ା ଗନିମିଆଁ ପ୍ରୌଢ଼ । ତା’ର ବିବାହିତା ସ୍ତ୍ରୀ ଓ କେତୋଟି ପିଲା ମଧ୍ୟ ଅଛନ୍ତି-

 

ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି–ଗନିମିଆଁ ସହିତ କ’ଣ କମଳାର ବିବାହ ପ୍ରସ୍ତାବ ଚାଲିଛି ! କିନ୍ତୁ କମଳା ଯଦି ସମ୍ମତ ନ ହୁଏ ଗନିମିଆଁ ତାକୁ ବିବାହ କରିବ କିପରି ? କମଳା କ’ଣ ଗନିମିଆଁକୁ ବିବାହ କରିବାକୁ ଚାହେଁ ?

 

ଦୃଢ଼କଣ୍ଠରେ ଘନଶ୍ୟାମ କହିଲା–କଦାପି ନୁହେଁ । ଗନିମିଆଁ ପରି ଗୋଟାଏ କୁତ୍ସିତ ପ୍ରୌଢ଼କୁ କମଳା ପରି ଗୋଟିଏ ଝିଅ କଦାପି ବିବାହ କରିବାକୁ ଚାହିଁବ ନାହିଁ । ମୋର ମନେହୁଏ ଏହା ସେହି ଜଗବନ୍ଧୁର ଷଡ଼ଯନ୍ତ୍ର । ଝିଅ ଦୁଇଟି ଅତି ଗରିବ । ସେ ଘର ଖଣ୍ଡିକ ଥିଲା ସେମାନଙ୍କର ଏକମାତ୍ର ପୈତୃକ ସମ୍ପଦ । ଧନେଶ୍ଵର ନନ୍ଦିଙ୍କର ସ୍ତ୍ରୀ ବହୁଦିନ ଧରି ଶଯ୍ୟାଶାୟୀ ଥିଲେ । କେଉଁଦିନ ଓ କିପରି ଭାବରେ ଯେ ଗନିମିଆଁ ତାଙ୍କଠାରୁ ଘରଖଣ୍ଡି କବଲା କରିନେଇଛି, ସେ କଥା କେହି ଜାଣନ୍ତି ନାହିଁ । ଧନେଶ୍ଵର ନନ୍ଦିଙ୍କ ସ୍ତ୍ରୀଙ୍କର ମୃତ୍ୟୁପରେ ତାହା ପ୍ରଥମ କରି ଆମେମାନେ ଜାଣିଲୁ ।

 

ଘନଶ୍ୟାମର କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ତା’ର କଥା ଶେଷ ହେବା ପୂର୍ବରୁ ହଠାତ ମୁଁ ପ୍ରଶ୍ନକଲି–ଧନେଶ୍ଵରର ସ୍ତ୍ରୀ ଅର୍ଥାତ୍ ଝିଅ ଦୁଇଟିର ମା’ ମରିଗଲେ । କେବେ । କାହିଁ, ମୋତେତ କେହି ଏ କଥା କହି ନାହାନ୍ତି !!

 

ମୋର ଏପରି ପ୍ରଶ୍ନ ଶୁଣି ବନ୍ଧୁ ଘନଶ୍ୟାମ ବୋଧହୁଏ ଟିକିଏ ଆଶ୍ଚର୍ଯ୍ୟ ହେଲା । ସେ ଭଲଭାବରେ ଜାଣେ ଯେ ଝିଅ ଦୁଇଟି ସହିତ ମୋର କୌଣସି ଆତ୍ମୀୟତା ନାହିଁ । ଜୀବନର ଯାତ୍ରାପଥରେ ଯେପରି ବହୁ ବ୍ୟକ୍ତି ସଙ୍ଗେ ମଣିଷର କ୍ଷଣିକ ଓ ଆକସ୍ମିକ ପରିଚୟ ଘଟେ, ଝିଅ ଦୁଇଟି ସହିତ ମୋର ମଧ୍ୟ ପରିଚୟ ଠିକ୍ ସେହିପରି । ସେପରି ଆକସ୍ମିକ ପରିଚୟରେ ସାଧାରଣତଃ କୌଣସି ଗଭୀରତା ବା ଆନ୍ତରିକତା ରହେନାହିଁ । ମୋର ପ୍ରଶ୍ନରେ ଏପରି ସନ୍ଦେହଜନକ ଭାବରେ ବ୍ୟାକୁଳତାର ଆଭାସ ପାଇ ଘନଶ୍ୟାମ କହିଲା–ସେ ତ ପ୍ରାୟ ଆଜିକି ମାସେହେଲା ମଲେଣି । ସେଥିରେ ତୁମର ଏପରି ଉଦ୍‍ବେଗର କାରଣ କ’ଣ ? ସେମାନେ ତୁମକୁ ଯେ ଏ ବିଷୟରେ ଖବର ଦିଅନ୍ତେ କାହିଁକି ?

 

ଘନଶ୍ୟାମର ପ୍ରଶ୍ନରେ କିପରି ଗୋଟାଏ ସନ୍ଦେହର ଗନ୍ଧ ପାଇ ମୁଁ ମନେମନେ ଲଜ୍ଜିତ ହେଲି । ସେହିକ୍ଷଣି ଥରେ ମୁଁ ଝିଅ ଦୁଇଟିକୁ ଦେଖିବାକୁ ଯିବି ବୋଲି ମନେ କରୁଥିଲି । କିନ୍ତୁ ଘନଶ୍ୟାମର ଅଯଥା ସନ୍ଦେହର ଭୟରେ ମୁଁ ପରେ ଯିବି ବୋଲି ସ୍ଥିର କଲି ।

 

କିଛିକ୍ଷଣ ପରେ ଘନଶ୍ୟାମ ଚାଲିଗଲା । ମୁଁ ଏକା ନୀରବରେ ବସିରହିଲି । ସଞ୍ଜ ହେବାକୁ ଆଉ ବେଶି ବିଳମ୍ବ ନାହିଁ । ଶ୍ରାବଣର ବର୍ଷାମୁଖର ସନ୍ଧ୍ୟା । ମଣିଷର ମନକୁ କିପରି ଉଦାସ କରିଦିଏ । ଯେପରି କ’ଣ ଦିନେ ମୋର ଥିଲା–ତାହା କେଉଁଆଡ଼େ ଉଭାଇ ଯାଇଛି–ଜୀବନସାରା ଆଉ ତାହା ଫେରି ପାଇବାର ଆଶା ନାହିଁ ।

 

–ସାତ–

 

ରାତି ପ୍ରାୟ ନ’ଟାବେଳେ ମୁଁ ଧନେଶ୍ଵର ନନ୍ଦି ଘରେ ପହଞ୍ଚିଲି । ବାହାରେ କଡ଼ା ହଲାଇ କିଛିକ୍ଷଣ ଅପେକ୍ଷା କଲି । କିଛିକ୍ଷଣ ପରେ କମଳା ଦୁଆର ଫିଟାଇଲା । କିପରି ବିମର୍ଷ–ଶୁଖିଲା ମୁହଁଟି । ଲଣ୍ଠନ ଆଲୁଅରେ ତାକୁ ଯେପରି ମୂର୍ତ୍ତିମତୀ ବିଷାଦ ପରି ମନେହେଉଛି । ଘରଭିତରଟା କିପରି ସନ୍ତସନ୍ତିଆ । ଛାତ ଉପରୁ ବର୍ଷାପାଣି ଝରି ଘରଭିତରୁ କିପରି ଦୁର୍ଗନ୍ଧ ବାହାରୁଛି । କମଳାର ମାତୃବିୟୋଗରେ ଯଥୋଚିତ ସମବେଦନା ଜଣାଇବା ପାଇଁ ମୁଁ ମନେମନେ ଶବ୍ଦ ସଂଗ୍ରହ କରୁଛି, ଏଇ ସମୟରେ କମଳା କହିଲା–ଭିତରକୁ ଚାଲିଆସନ୍ତୁ, ମୁଁ ଦୁଆର ବନ୍ଦ କରିଦେବି, ନ ହେଲେ ପବନରେ ଲଣ୍ଠନଟା ନିଭିଯିବ । ଦେଖୁନାହାନ୍ତି, କେମିତି ଧପ୍‍ଧପ୍ ହେଉଛି !

 

କମଳାର କଣ୍ଠ ସ୍ୱରରେ ଶୋକ ବା ବିଷାଦର ଚିହ୍ନ ଲେଶମାତ୍ର ନାହିଁ । ମୁଁ ନିଶ୍ଚିନ୍ତ ହେଲି-। ଘର ଭିତରକୁ ଯାଇ ମୁଁ କଅଁଳ କଣ୍ଠରେ କହିଲି–ମୋତେ ଟିକିଏ ସମ୍ବାଦ ପଠାଇଲ ନାହିଁ କାହିଁକି କମଳା ! ଏତେ ଦିନ ହୋଇଗଲା–ଅଥଚ ମୁଁ ଆଜିପର୍ଯ୍ୟନ୍ତ କିଛି ଜାଣି ନଥିଲି । ଆଜି ଦୈବାତ ଜଣେ ବନ୍ଧୁଙ୍କଠାରୁ ଏ ସମ୍ବାଦ ପାଇ ମୁଁ ଦୌଡ଼ି ଆସିଛି ।

 

–କେଉଁ ଘଟନା କଥା ଆପଣ କହୁଛନ୍ତି ? କମଳା କଣ୍ଠରେ ଯେପରି ବିସ୍ମୟ ।

 

ଥଙ୍ଗେଇ ଥଙ୍ଗେଇ ମୁଁ କହିଲି–ତୁମ ମା’ଙ୍କର ନା । –ମାନେ, ତୁମ ମା’ ଅତି ଅସୁସ୍ଥ ଥିଲେ ବୋଲି ।

 

ଏଥର କମଳା ଉଚ୍ଚ ଶବ୍ଦରେ ହସିଉଠି କହିଲା–ଓ, ମୋ ମା’ ମରିଯିବା କଥା କହୁଛନ୍ତି-? ସେଇଟି ଆଉ ଏପରି ବଡ଼ ଖବର କ’ଣ ଯେ ଆପଣଙ୍କ ନିକଟକୁ ଯାଇ ଜଣାଇ ଆସନ୍ତୁ-। ତା’ ଛଡ଼ା ମା ମୋର କେଉଁଦିନ ବଞ୍ଚିଥିଲେ ଯେ ତାଙ୍କର ମରିଯିବାରେ ଆମେ ବ୍ୟସ୍ତ ହୋଇପଡ଼ିବୁ-? ଆପଣଙ୍କର ଦୁର୍ଭାବନା ଦେଖି ମୁଁ ଭାବିଲି ଯେ ହୁଏତ ଆପଣ ଜଗବନ୍ଧୁ ଭାଇଙ୍କ ପୀଡ଼ା କଥା ପଚାରୁଛନ୍ତି ।

 

ଜଗବନ୍ଧୁ କ’ଣ ପୀଡ଼ିତ ? ମୁଁ ପଚାରିଲି ।

 

–ହଁ, ସାଂଘାତିକ ଭାବରେ ପୀଡ଼ିତ । ଟାଇଫୟେଡ଼୍ ହୋଇଛି । ଏଇ ପାଖ ଘରେ ବିଛଣାରେ ପଡ଼ିଛନ୍ତି, ଭିତରକୁ ଯା’ନ୍ତୁ ।

 

ପ୍ରକୃତରେ ଜଗବନ୍ଧୁ ଅତିଶୟ ଅସୁସ୍ଥ । ପନ୍ଦରଦିନ ହେଲା ବିଛଣାରେ ପଡ଼ିଛି । ଡାକ୍ତର କହୁଛନ୍ତି–ଟାଇଫୟେଡ଼୍ । ଖୁବ୍ ହୁସିଆରି ନ ରହିଲେ ପ୍ରାଣହାନିର ଆଶଙ୍କା ଅଛି । ଖଣ୍ଡିଏ ଦଉଡ଼ା ଖଟିଆ ଉପରେ ଜଗବନ୍ଧୁ ପଡ଼ିଛି । ତା’ର ରୋଗ ପାଣ୍ଡୁର ମୁହଁଟି କିପରି କରୁଣ ଦେଖାଯାଉଛି । ଆଖି ଦୁଇଟି ସେହିପରି ସ୍ୱପ୍ନମୟ । ଦେଖିଲେ କିପରି ମାୟା ହୁଏ । ଖଟିଆର ଗୋଟିଏ କଡ଼କୁ ମୂର୍ତ୍ତିମତୀ ସେବାପରି ଶୋଭନା ବସି ଧୀରେ ଧୀରେ ଜଗବନ୍ଧୁର ମୁଣ୍ଡରେ ହାତ ବୁଲାଇଦେଉଛି । ମୋତେ ଦେଖି କ୍ଷୀଣ ଲଣ୍ଠନ ଆଲୁଅରେ ଜଗବନ୍ଧୁ ପ୍ରଥମେ ଚିହ୍ନିପାରିଲା ନାହିଁ । ତା’ପରେ ହଠାତ ଚିହ୍ନିପାରି ସେ ଯେପରି ଖୁସିହୋଇ ଉଠିଲା । ଆଖି ଦୁଇଟି ଖୁସିରେ ଉଜ୍ଜ୍ୱଳ ହୋଇ ଉଠିଲା । ଧୀରେ ଧୀରେ ହାତ ଦୁଇଟି ଉଠାଇ ମୁଣ୍ଡରେ ଛୁଆଁଇ ପ୍ରଣାମ କଲା ।

 

–ଆସନ୍ତୁ ସାର୍, ମୁଁ ମନେମନେ ଆପଣଙ୍କୁ ଖୋଜୁଥିଲି । କାହିଁକି କେଜାଣି; ମୋର ମନେ ହେଉଥିଲା ଯେ ଆପଣ ନିଶ୍ଚୟ ଆସିବେ । ଆପଣଙ୍କୁ ଥରେ ଦର୍ଶନ ନ କରି ମୁଁ ମରିବି ନାହିଁ-

 

ଖଟ ନିକଟରେ ଖଣ୍ଡିଏ ବେତର ମୋଡ଼ା ପଡ଼ିଥିଲା । ସେଇ ମୋଡ଼ାଟିରେ ବସି ଜଗବନ୍ଧୁର କପାଳରେ ହାତଦେଲି, ଜର ଅଛି । ଉତ୍ତାପ ପ୍ରାୟ ଶହେ ଦୁଇ ଡିଗ୍ରୀ ହେବ । ମୁଁ ବ୍ୟସ୍ତ ହୋଇ କହିଲି–ମୋତେ ଥରେ ଖବର ଦେଲନାହିଁ କାହିଁକି ଜଗବନ୍ଧୁ ?

 

କ୍ଷୀଣ ଓ ଉଦାସ କଣ୍ଠରେ ଜଗବନ୍ଧୁ କହିଲା–ଆପଣଙ୍କୁ ଆଉ କାହିଁକି ବିରକ୍ତ କରନ୍ତି ସାର୍ । ତା’ ଛଡ଼ା କାହା ହାତରେ ବା ଖବର ଦେବି । ମୋପରି ଅଦରକାରୀ ଲୋକ ବଞ୍ଚିରହିଥିବା ଆଉ ମରିଯିବା ଭିତରେ ବା ତଫାତ କ’ଣ ? ଶୋଭନା ମୋପାଇଁ ବହୁତ କଷ୍ଟ ପାଇଲାଣି ସାର୍ । କିନ୍ତୁ ଭଗବାନ୍ ଜାଣନ୍ତି, ମୁଁ ତାକୁ ଏ କଷ୍ଟ ଦେବାକୁ ଚାହିଁ ନଥିଲି । ବାଖରାବାଦର ମୋ’ ନିଜ ଭଙ୍ଗା କୁଡ଼ିଆଟି ଭିତରେ ମୁଁ ପଡ଼ିଥିଲି । କିପରି କେଜାଣି, ଶୋଭନା ଖବର ପାଇ ମୋତେ ସେଠାରୁ ବୋହିଆଣିଛି ।

 

କମଳା ମଧ୍ୟ ଆସି ସେ ଘର ଭିତରେ ଛିଡ଼ା ହୋଇଥିଲା । ହଠାତ ହସିହସି କହିଉଠିଲା–ନାଇଁ ଜଗବନ୍ଧୁ ଭାଇ, ତମ ପୀଡ଼ା କଥା ଶୁଣି ତମକୁ ସେ ଆଜି ଦେଖିବାକୁ ଆସି ନଥିଲେ । ମା’ଙ୍କର ମୃତ୍ୟୁ ସମ୍ବାଦ ହଠାତ ଆଜି ପାଇ ମୋତେ ଆଉ ଶୋଭନାକୁ ସମବେଦନା ଜଣାଇବା ପାଇଁ ସେ ଆଜି ରାତିରେ ଏଠାକୁ ଆସିଥିଲେ । ଏଇଠାରେ ଶୁଣିଲେ ଯେ ତୁମେ ପୀଡ଼ିତ-

 

କମଳାର କଥା ଭିତରେ ଗୋଟାଏ ଯେପରି ପ୍ରଚ୍ଛନ୍ନ ବ୍ୟଙ୍ଗ ଥିଲା । ଶୋଭନା ମଧ୍ୟ ତାହା ଲକ୍ଷ୍ୟ କଲା । ସାମାନ୍ୟ ବିରକ୍ତ ହୋଇ ସେ କହିଲା ଆଚ୍ଛା, ତୁ ପାଖ ଘରକୁ ଯା’ କମଳା । କମଳା ଆଉ କିଛି ନ କହି ଧୀରେ ଧୀରେ ସେଠାରୁ ବାହାରିଗଲା ।

 

ମୁଁ ଲକ୍ଷ୍ୟକଲି ଯେ କେତେକ ମାସ ପୂର୍ବେ ଝିଅ ଦୁଇଟିର ମୃତ ମାତାଙ୍କୁ ମୁଁ ଯେଉଁସ୍ଥାନରେ ରୋଗ ଶଯ୍ୟାରେ ପଡ଼ିଥିବାର ଦେଖିଥିଲି, ଘରର ଠିକ୍ ସେଇସ୍ଥାନରେ ଜଗବନ୍ଧୁ ଆଜି ରୋଗଶଯ୍ୟାରେ ପଡ଼ିଛି । ମନରେ ମୋର ଗୋଟାଏ ଅଶୁଚି ଚିନ୍ତା ଉଦୟ ହେଲା । ଇତିହାସର ଯେପରି ପୁନରାବୃତ୍ତି ନ ଘଟୁ ।

 

ବହୁତ ରାତି ପର୍ଯ୍ୟନ୍ତ ସେ ଦିନ ମୁଁ ଜଗବନ୍ଧୁର ରୋଗଶଯ୍ୟା ନିକଟରେ ବସିଥିଲି । ଗୋଟିଗୋଟି କରି ସବୁ କଥା ଶୁଣିଲି । ଧନେଶ୍ଵର ନନ୍ଦିର ସ୍ତ୍ରୀ ପରଲୋକ ଗମନ କଲେ । ଅବଶ୍ୟ ତାଙ୍କର ମୃତ୍ୟୁ ଆକସ୍ମିକ ଘଟନା ନୁହେଁ । ଯେ କୌଣସି ମୁହୂର୍ତ୍ତରେ ତାଙ୍କର ପ୍ରାଣବାୟୁ ଉଡ଼ିଯିବ ବୋଲି ବହୁଦିନରୁ ଆଶଙ୍କା କରାଯାଉଥିଲା । ଝିଅ ଦୁଇଟି ଘରେ ଏକା । ଶବ ସତ୍କାର ଠାରୁ ଆରମ୍ଭ କରି ଶ୍ରାଦ୍ଧ ପର୍ଯ୍ୟନ୍ତ ସବୁ କଥା ଜଗବନ୍ଧୁକୁ କରିବାକୁ ପଡ଼ିଲା । ସେଇସବୁ ପରିଶ୍ରମ ପରେ ଜଗବନ୍ଧୁ କ୍ଳାନ୍ତ ହୋଇପଡ଼ିଲା । ଦିନେ ହଠାତ ମୁଣ୍ଡ ବୁଲାଇ ସେ ପଡ଼ିଗଲା । ତା’ପରେ ଜର ଆସିଲା । ଦୁଇଦିନ କାଳ ଭୀଷଣ ଜରରେ ସେ ତା’ ନିଜ ଘରେ ପଡ଼ିରହିଲା । ଏଠାକୁ ଆସି ସେ ଝିଅ ଦୁଇଟିକୁ ଅତିଷ୍ଠ କରିବାକୁ ଚାହିଁନାହିଁ । ତା’ପରେ, କିପରି କେଜାଣି ଶୋଭନା ସମ୍ବାଦ ପାଇ ଜଗବନ୍ଧୁ ଘରେ ପହଞ୍ଚିଲା ଓ କୌଣସି ଆପତ୍ତି ନ ଶୁଣି ତାକୁ ଏଠାକୁ ନେଇଆସିଲା । ଦିନରାତି ଭୋକ ନିଦ ଭୁଲି ଏଠାରେ ଶୋଭନା ଅନବରତ ତା’ର ସେବା କରୁଛି ।

 

–‘ମୁଁ ଏବେବି କହୁଛି, ଶୋଭନା ମୋତେ ହସ୍‍ପିଟାଲ୍‍ରେ ଭର୍ତ୍ତି କରିଦିଅ । ଦିନରାତି ଏତେ ପରିଶ୍ରମ କରନାହିଁ’ । କ୍ଷୀଣ କଣ୍ଠରେ ଜଗବନ୍ଧୁ କହିଲା ।

 

ପରମ ସ୍ନେହରେ ଜଗବନ୍ଧୁ ମୁଣ୍ଡରେ ହାତ ବୁଲାଇ ଦେଉଦେଉ ଶୋଭନା କହିଲା–ତମେ ଚୁପ୍ ହୋଇ ଶୁଅ । ମୋପାଇଁ ତମକୁ ଏତେ ଚିନ୍ତା କରିବାକୁ ହେବନାହିଁ । ମୋର କିଛି କଷ୍ଟ ହେଉ ନାହିଁ ।

 

ଥର୍ମୋମିଟର ଦେଇ ଶୋଭନା ଜଗବନ୍ଧୁର ଉତ୍ତାପ ପରୀକ୍ଷା କରି ଖଣ୍ଡିଏ କାଗଜରେ ଲେଖିଲା । ତା’ପରେ କାଚ ଶିଶିରୁ ପାନେ ଔଷଧ ଢାଳି ଅତି ଯତ୍ନରେ ଖୁଆଇଦେଲା । ଜଗବନ୍ଧୁ ଔଷଧ ଖାଇସାରି କିଛିକ୍ଷଣ ଏକଧ୍ୟାନରେ ଶୋଭନାକୁ ଚାହିଁ ରହିଲା । ତା’ପରେ ଧୀରେ ଧୀରେ କହିଲା–ପୂର୍ବଜନ୍ମରେ ତୁମେ ବୋଧହୁଏ ମୋର ଅତି ନିଜର ଥିଲ ଶୋଭନା ।

 

ଜଗବନ୍ଧୁ ମୁଣ୍ଡରେ ହାତ ବୁଲାଉବୁଲାଉ ଶୋଭନା କହିଲା–ଏ ଜନ୍ମରେ କ’ଣ ମୁଁ ତମର ନିଜର ନୁହେଁ । ଅତି ଅସତର୍କ ମୁହୂର୍ତ୍ତରେ ବୋଧହୁଏ ଶୋଭନା ଏ କଥା କହି ପକାଇଲା । ତା’ପରେ ହଠାତ ମୋତେ ଚାହିଁ ସେ ଯେପରି ଲାଜରେ ଝାଉଁଳି ପଡ଼ିଲା ।

 

ଅନ୍ୟାନ୍ୟ କେତେକ କଥାବାର୍ତ୍ତା ପରେ ମୁଁ ହଠାତ ପଚାରିଲି–‘ଆଚ୍ଛା ଜଗବନ୍ଧୁ, ମୁଁ ଶୁଣିଲି ଯେ ଗନିମିଆଁ ଏ ଘରକୁ–

 

ସେତେବେଳକୁ ଜଗବନ୍ଧୁର ଧୀରେ ଧୀରେ ନିଦ ଲାଗି ଆସୁଥିଲା । ମୋ ମୁହଁରୁ କଥା ଶେଷ ହେବା ପୂର୍ବରୁ ଶୋଭନା ନିଜ ମୁହଁ ନିକଟରେ ଗୋଟିଏ ଆଙ୍ଗୁଠି ରଖି ହଠାତ ମୋତେ ଚୁପ୍ କରିବାକୁ ଇଙ୍ଗିତ କଲା । ମୁଁ ଆଉ କଥା ନ କହି ଚୁପ୍ ହୋଇ ବସିରହିଲି । କିଛିକ୍ଷଣ ପରେ ଜଗବନ୍ଧୁ ଶୋଇପଡ଼ିଲା । ମଶାରିଟି ପକାଇଦେଇ ଶୋଭନା ଧୀରେ ଧୀରେ ଉଠି ଛିଡ଼ାହେଲା । ନିମ୍ନ କଣ୍ଠରେ ମୋତେ କହିଲା–ଆସନ୍ତୁ ମୋ ସଙ୍ଗେ ।

 

ଶୋଭନା ପଛେପଛେ ଘରଭିତରୁ ଯାଇ ଭିତର ବାରଣ୍ଡାରେ ଛିଡ଼ାହେଲି । ଘର ଭିତରୁ ବେତ ମୋଡ଼ାଟି ନେଇଆସି ଶୋଭନା ସେଇ ପ୍ରାୟାନ୍ଧକାର ବାରଣ୍ଡାରେ ପକାଇଲା । ନିଜେ ଗୋଟିଏ ପୁରୁଣା ଢାବଲ ଉପରେ ବସିଯାଇ ମୋତେ କହିଲା–ବସନ୍ତୁ ସେ ମୋଡ଼ା ଉପରେ । ହଁ, ଆପଣ କ’ଣ ପଚାରୁଥିଲେ ? ଗନିମିଆଁ ଏ ଘରଖଣ୍ଡି କିଣିନେବା କଥା ନା !

 

ମୋର କିପରି ହଠାତ ମନେହେଲା ଯେ ମୁଁ ଏଇ ପରିବାରଟିର ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାରରେ ଅଯଥା ଓ ଅଯାଚିତ ହସ୍ତକ୍ଷେପ କରୁଛି । ଲଜ୍ଜିତ କଣ୍ଠରେ କହିଲି–ନା, ନା, ମୁଁ ବର୍ତ୍ତମାନ ବୁଝିପାରୁଛି, ସେ ସବୁ ପାରିବାରିକ ବ୍ୟାପାର ଜାଣିବା ମୋର କିଛି ପ୍ରୟୋଜନ ନାହିଁ ।

 

ଧୀରେ ଧୀରେ ସ୍ଵଗତୋକ୍ତି କଲାପରି ଶୋଭନା କହିଲା–କାହିଁକି କେଜାଣି, ସାଇପଡ଼ିଶା ସମସ୍ତଙ୍କର ଏ କଥା ଜାଣିବା ବର୍ତ୍ତମାନ ପ୍ରୟୋଜନ ହୋଇପଡ଼ିଛି । ଆମମାନଙ୍କର ଅତି ଦୁର୍ଦ୍ଦିନରେ କେହି ଥରେ ଆମକୁ ପଚାରି ନଥିଲେ । ସେତେବେଳେ ଏଇ ଗନିମିଆଁ ଆମକୁ ଅର୍ଥ ସାହାଯ୍ୟ କରି ବଞ୍ଚାଇ ରଖିଛି । ମା’ଙ୍କର ଚିକିତ୍ସା ମଧ୍ୟ ତା’ରି ଟଙ୍କାରେ ହୋଇ ପାରିଛି । ସେତେବେଳେ ଜଗବନ୍ଧୁ ଭାଇଙ୍କର ମଧ୍ୟ କିଛି ରୋଜଗାର ନଥିଲା । ସେପରି ଦୁର୍ଦ୍ଦିନରେ ଯେ ଆମକୁ ବଞ୍ଚାଇ ରଖିଛି, ତାକୁ ଫାଙ୍କିଦେବା କ’ଣ ଉଚିତ ଥିଲା ?

 

–ନା, ନା, ସେପରି କଥା ମୁଁ କଦାପି କହୁନାହିଁ । କିନ୍ତୁ ଏ ବିକ୍ରି କଥା କ’ଣ ଜଗବନ୍ଧୁ ଜାଣେନାହିଁ ? ମୁଁ ପଚାରିଲି ।

 

–ନା, ସେ ଜାଣନ୍ତି ନାହିଁ । ଗନିମିଆଁର ଯେ କିଛି ପ୍ରାପ୍ୟ ଅଛି, ଏ କଥା ସେ ଜାଣିଥିଲେ-। ସେ ନିଜେ ସେ କରଜ ସୁଝିଦେବେ ବୋଲି କହୁଥିଲେ । କିନ୍ତୁ ମୋର ମା’ ମରିବା ପୂର୍ବରୁ ତାଙ୍କର ସବୁ ଦେଣାପାଉଣା ଛିଣ୍ଡାଇ ଦେଇଯିବା ପାଇଁ ବ୍ୟାକୁଳ ହେଲେ । ଜଗବନ୍ଧୁ ଭାଇଙ୍କୁ ନ ଜଣାଇ, ମା ନିଜେ ଏ ଘରଖଣ୍ଡିକ ଗନିମିଆଁକୁ ବିକ୍ରି କରି ଯାଇଛନ୍ତି । ଏହାଛଡ଼ା ତ ଆମର କିଛି ସମ୍ପତ୍ତି ନାହିଁ । ଜଗବନ୍ଧୁ ଭାଇ ଏ ପର୍ଯ୍ୟନ୍ତ ଏହା ଜାଣନ୍ତି ନାହିଁ-। ବର୍ତ୍ତମାନ ଅବସ୍ଥାରେ ଏହା ଶୁଣିଲେ ସେ ଅଯଥା ଉତ୍ତେଜିତ ହେବେ ।

 

ସେତେବେଳକୁ ମଧ୍ୟରାତ୍ରି, ବର୍ଷା ଛାଡ଼ିଯାଇଛି । ଆକାଶରେ ଜହ୍ନ ଉଠିଛି । ସେଇ ବର୍ଷା ସ୍ନାତ ଜ୍ୟୋତ୍ସ୍ନାର ଗୋଟିଏ କ୍ଷୀଣ ତରଙ୍ଗ ଶୋଭନା ମୁହଁରେ ପଡ଼ୁଛି । କମଳା ବୋଧହୁଏ କେଉଁଠାରେ ଶୋଇ ପଡ଼ିଲାଣି । ଶୋଭନା ତରୁଣୀ । ମୋର ସମ୍ପୂର୍ଣ୍ଣ ଅନାତ୍ମୀୟା । ତା’ ସହିତ ଏପରି ଗୋଟିଏ ଗଭୀର ରାତିରେ ଏକା ବସି ଗଳ୍ପ କରିବା ଅତ୍ୟନ୍ତ ଗର୍ହିତ ଓ ଅସାମାଜିକ । ମୁଁ ବିଦାୟ ନେବାପାଇଁ ଉଠିବା ପୂର୍ବରୁ ହଠାତ ଗୋଟିଏ ଅତି ଅଦ୍ଭୁତ ପ୍ରଶ୍ନ କରିବସିଲି ।–ଆଚ୍ଛା, କମଳାର କ’ଣ କେଉଁଠାରେ ବିବାହ ଠିକ୍ ହେଉଛି ? ମାନେ, କୌଣସି ବ୍ୟକ୍ତି କ’ଣ କମଳାକୁ ବିବାହ କରିବାପାଇଁ ଆଗ୍ରହୀ ?

 

ଇଚ୍ଛା ଥିଲେ ସୁଦ୍ଧା ଗନିମିଆଁର ନାମ ମୁଁ ଉଚ୍ଚାରଣ କରି ପାରିଲି ନାହିଁ । ମୋର ପ୍ରଶ୍ନ ଶୁଣି କିଛିକ୍ଷଣ ପର୍ଯ୍ୟନ୍ତ ଶୋଭନା ନୀରବରେ ବସିରହିଲା । ସୁଦୂର ଆକାଶତଳେ ଖଣ୍ଡେ ଚଲା ବଉଦକୁ କିଛିକ୍ଷଣ ଚାହିଁରହିଲା । ଯେପରି ସେଇଠାରେ ସେ ଏଇ ଅପୂର୍ବ ପ୍ରଶ୍ନର ଉତ୍ତର ଖୋଜୁଥିଲା । ତା’ପରେ ଧୀରେ ଧୀରେ କହିଲା–ଦେଖନ୍ତୁ ଆମେମାନେ ଅତି ଗରିବ । ଏ ସଂସାରରେ କେହି ଆମର ନିଜର ନାହାନ୍ତି । ଝଡ଼ ମୁହଁରେ କୁଟାପରି ଆମେ ଦୁଇଟି ଉଉଣୀ ଅସହାୟ । ଏପରି କ୍ଷେତ୍ରରେ କମଳାର ବାହାଘର କଥା ଚିନ୍ତା କରିବା ମୋପରି ଗୋଟିଏ ଅତି ଅସହାୟା ଝିଅ ପକ୍ଷରେ କ’ଣ ସ୍ଵାଭାବିକ ?

 

ମୋ’ ପ୍ରଶ୍ନରେ ଯେତେଦୂର ନୁହେଁ–ଶୋଭନାର ଉତ୍ତରରେ ମୁଁ ବେଶି ଲଜ୍ଜିତ ହେଲି । ଶୋଭନା ଠାରୁ ବିଦାୟ ନେଇ ମୁଁ ବାହାରିଲି । ଶୋଭନା ପୁଣି ଥରେ ସୁପ୍ତ ଜଗବନ୍ଧୁକୁ ଦେଖିବାପାଇଁ ଗଲା । ଅନ୍ଧକାର ହୋଇଥିଲେ ମଧ୍ୟ ବାଟ ଖୋଜି ବାହାରକୁ ଆସିବା ଦୁଃସାଧ୍ୟ ନୁହେଁ-। ଦାଣ୍ଡଦୁଆରେ ପହଞ୍ଚି ଦେଖିଲି ଯେ ଅନ୍ଧକାର ଭିତରେ କମଳା ସେଠାରେ ଛିଡ଼ା ହୋଇଛି । ବହୁତ ରାତି ହେଲାଣି । କମଳା ସହିତ କୌଣସି କଥାବାର୍ତ୍ତା ହେବାପାଇଁ ମୁଁ ଆଉ ଠିଆ ହେଲିନାହିଁ-। ହଠାତ ମୋତେ କମଳା ଡାକିଲା–ଶୁଣନ୍ତୁ ।

 

ଛିଡ଼ାହେଲି । କମଳା ମୋ ସାମନାକୁ ଆସି ସ୍ପଷ୍ଟ ଅଥଚ ମୃଦୁ କଣ୍ଠରେ କହିଲା–ଆଚ୍ଛା, ଗୋଟିଏ କଥା ପଚାରିବି ସତ କହିବେ ?

 

କମଳାର କଥା ଶୁଣି ମୁଁ କୌଣସି ଉତ୍ତର ନ ଦେଇ ତାକୁ କେବଳ ଚାହିଁ ରହିଲି । କମଳା କହିଲା–ଆପଣ କହିପାରିବେ କି, ମୋର ବିବାହ ବା ଭଲମନ୍ଦ ପାଇଁ ଆପଣମାନଙ୍କର ଏତେ ଦୁଶ୍ଚିନ୍ତା କାହିଁକି ?

 

ତା’ର ଏପରି ପ୍ରଗଳ୍‍ଭ ପ୍ରଶ୍ନ ଶୁଣି ମୁଁ ମନେମନେ ବିରକ୍ତ ହେଲି । ବୋଧହୁଏ ଶୋଭନା ସହିତ ମୋର କଥୋପକଥନକୁ ଯେ ଅନ୍ତରାଳରୁ ଶୁଣିଛି । ବିରକ୍ତ ଓ ଗମ୍ଭୀର କଣ୍ଠରେ କହିଲି–ତୁମର ଧାରଣା ଭୁଲ୍ କମଳା । ତୁମର ଭଲମନ୍ଦ ପାଇଁ ବ୍ୟକ୍ତିଗତ ଭାବରେ ମୁଁ ଆଦୌ ଆଗ୍ରହୀ ନୁହେଁ । କିନ୍ତୁ ତୁମର କାର୍ଯ୍ୟକଳାପରେ କୌଣସି ଅସାମାଜିକତ ଦେଖିଲେ ଯେ କୌଣସି ଲୋକ ଆପତ୍ତି କରିବ ।

 

ତୀକ୍ଷ୍ଣ କଣ୍ଠରେ କମଳା କହିଲା–ମୋର କାର୍ଯ୍ୟକଳାପରେ ସେପରି କୌଣସି ଅସାମାଜିକତା ଆପଣ ଦେଖିପାରିଛନ୍ତି କି ?

 

–ନା, ଏ ପର୍ଯ୍ୟନ୍ତ ଦେଖି ନାହିଁ । କିନ୍ତୁ ଲକ୍ଷ୍ୟ ରଖିଛି । ଏହା କହି ମୁଁ ସେଠାରୁ ଦ୍ରୁତପଦରେ ବାହାରକୁ ଚାଲିଗଲି । ବାହାରର ବର୍ଷାସ୍ନାତ ମୁକ୍ତ ବାୟୁରେ ମୋତେ ଖୁବ୍ ଭଲ ଲାଗିଲା । ମନେମନେ ଠିକ୍ କଲି–ଏ ଝିଅ ଦୁଇଟି ବିଷୟରେ ଆଉ କଦାପି ଚିନ୍ତା କରିବି ନାହିଁ । ହୁଏତ ସମ୍ପୂର୍ଣ୍ଣ ଅଯାଚିତ ଭାବରେ ମୁଁ ଏମାନଙ୍କର ବ୍ୟକ୍ତିଗତ ଜୀବନରେ ଆଗ୍ରହୀ ହେଉଛି । ବର୍ଷା ରାତିର ସମ୍ପୂର୍ଣ୍ଣ ନିର୍ଜନ ରାଜପଥ । ମୁଁ କାଠଯୋଡ଼ି ନଈକୂଳ ବାଟେ ଚାଲିଛି । ଆକାଶରେ ଶ୍ରାବଣର ଘନଘଟା । କଳା ବଉଦ ତଳୁ କେବେକେବେ ଜହ୍ନ ଉଙ୍କିମାରି ପୁଣି ଲୁଚି ଯାଉଛି । ବେଙ୍ଗ ଓ ଝିଙ୍କାରିର ଐକ୍ୟତାନରେ ମଧ୍ୟରାତ୍ର ମୁଖର । ନଈକୂଳେ ସୁସୁ ହୋଇ ମେଘୁଆ ପବନ ବୋହୁଛି । କାଠଯୋଡ଼ିର ପ୍ରଶସ୍ତ ବୁକୁରେ ଉଦ୍ଦାମ ଫେନିଳ ତରଙ୍ଗ ଭୀମବେଗରେ ଗର୍ଜନ କରି ଧାଇଁଛି । ରାଜପଥରେ ବିଜୁଳିବତିଗୁଡ଼ିକ ଏ.ଆର୍.ପି. ଖୋଳ ଭିତରୁ ମୁମୂର୍ଷୁ ପରି ମିଟିମିଟି ହୋଇ ଜଳୁଛି । ଏଇ ମୁକ୍ତ ପ୍ରକୃତିର ଭୀଷଣ ସୌନ୍ଦର୍ଯ୍ୟ ଭିତରେ ମୋର ସବୁ ମାନସିକ ଗ୍ଳାନି ଧୀରେ ଧୀରେ ମିଳାଇ ଗଲା । ଚାଲିଚାଲି ଯାଉଯାଉ ସନ୍‍ସାଇନ୍ ପଡ଼ିଆ କଡ଼କୁ ଏତେ ରାତିରେ ଗୋଟିଏ ଟଣା ରିକ୍‍ସା ଦେଖି ମୋର ଦୃଷ୍ଟି ଆକୃଷ୍ଟ ହେଲା । ତେଲେଙ୍ଗା ରିକ୍‍ସାବାଲା ଗୋଟାଏ ଲୋକକୁ ଯେପରି ଭୂଇଁ ଉପରୁ ଉଠାଇବାର ଚେଷ୍ଟା କରୁଛି । କ’ଣ ଗୋଟାଏ ମୋ ମନରେ ସନ୍ଦେହ ହେଲା । ମୁଁ ଆଗେଇ ଗଲି ।

 

ଘଟନାର ନାଟକୀୟ ଯୋଗାଯୋଗ ସାଧାରଣତଃ ଉପନ୍ୟାସରେ ଦେଖାଯାଏ । କାରଣ ତାହା ସାହିତ୍ୟ ଶିଳ୍ପୀର ନିଜ ଇଚ୍ଛାଧୀନ ସୃଷ୍ଟି । ମଣିଷର ଜୀବନରେ ସେପରି ନାଟକୀୟ ଘଟନା ସାଧାରଣତଃ ଘଟେ ନାହିଁ । ଏହାହିଁ ସାଧାରଣ ବିଶ୍ୱାସ । କିନ୍ତୁ ଏ ବିଶ୍ୱାସ ଯେ ସର୍ବଦା ଠିକ୍ ନୁହେଁ ଏହା ମୋର ଜୀବନରେ ବହୁଥର ଦେଖିଛି । ମଣିଷ ଜୀବନରେ ଏପରି ବହୁ ଘଟନା ଘଟେ ଯାହା ନାଟକରେ ମଧ୍ୟ ଅବାସ୍ତବ ହେବା ଭୟରେ ନାଟ୍ୟକାର ସ୍ଥାନ ଦିଅନ୍ତି ନାହିଁ । ଯାହାକୁ ଇଂରାଜୀରେ କହନ୍ତି–Truth is Stranger Than Fiction.

 

ସେହିପରି ଗୋଟିଏ ଘଟନା । ମାତ୍ର କିଛିକ୍ଷଣ ପୂର୍ବେ ଯେଉଁ ଗନିମିଆଁର ଘର କିଣା ଏବଂ କମଳାକୁ ବିବାହ କରିବାର ଇଚ୍ଛା ପ୍ରକାଶ ବିଷୟରେ ଆଲୋଚନା କରିବାକୁ ଯାଇ ଏପରି ତିକ୍ତ ଅନୁଭୂତି ଲାଭ କଲି, ସେଇ ଗନିମିଆଁକୁ ଏପରି ଗଭୀର ବର୍ଷା ରାତିରେ ମଦ ଖାଇ ରାସ୍ତାରେ ଗଡ଼ୁଥିବାଟା ଘଟନାର ଗୋଟାଏ ନାଟକୀୟ ଯୋଗାଯୋଗ ଛଡ଼ା ଆଉ କ’ଣ ହୋଇପାରେ । ପୃଥୁଳକାୟ ଗନିମିଆଁ ମାତାଲ ଅବସ୍ଥାରେ ଅଜ୍ଞାନ ହୋଇ ପଡ଼ିଛି । ବର୍ଷା ପାଣି ଓ କାଦୁଅରେ ତା’ର ସର୍ବାଙ୍ଗ ଜୁଡ଼ୁବୁଡ଼ୁ । ଗୋଟିଏ କ୍ଷୀଣ ଦେହ ରିକ୍‍ସାବାଲା ତାକୁ ତଳୁ ଉଠାଇ ପୁଣି ରିକ୍‍ସାରେ ଲଦିବାକୁ ଚେଷ୍ଟା କରୁଛି । କିନ୍ତୁ ପ୍ରାୟ ଅଢ଼େଇ ମହଣ ଓଜନର ଗୋଟାଏ ଦେହକୁ ତଳୁ ଉଠାଇବା ତା’ ପକ୍ଷରେ ଅସମ୍ଭବ । ବୋଧହୁଏ ଅତିରିକ୍ତ ମଦ୍ୟପାନ କରି ଗନିମିଆଁ କେଉଁଠାରୁ ଏଇ ରିକ୍‍ସାଟି ଉପରେ ଲଦା ହୋଇ ଆସୁଥିଲା । ମାତାଲ ଅବସ୍ଥାରେ ରିକ୍‍ସା ଉପରୁ ଲମ୍ଫଦାନ କରି ତଳେ ପଡ଼ି ଯାଇ ଚୈତନ୍ୟ ହରାଇଛି ।

 

ଟର୍ଚ୍ଚ ଆଲୁଅରେ ମୁଁ ଗନିମିଆଁକୁ ଦେଖିଲି । ପକେଟରୁ ଗୋଛାଏ ନୋଟ ତଳେ ପଡ଼ି ଯାଇଛି । ଗଣି ଦେଖିଲି–ଦୁଇ ହଜାର ଟଙ୍କା । ଗନିମିଆଁର ଆଦୌ ଜ୍ଞାନ ନାହିଁ । ଟଙ୍କାଗୁଡ଼ିକ ନିଜ ପକେଟରେ ରଖି ରିକ୍‍ସାବାଲା ସାହାଯ୍ୟରେ ବହୁ କଷ୍ଟରେ ଗନିମିଆଁକୁ ପୁଣି ରିକ୍‍ସାରେ ଲଦିଲି । ତେଲେଙ୍ଗା ରିକ୍‍ସାବାଲା । ଗନିମିଆଁର ପରିଚିତ ବ୍ୟକ୍ତି । ସେ ଏକା ତାକୁ ତା’ ଘରକୁ ନେଇ ଯାଇ ପାରିଥାନ୍ତା । କିନ୍ତୁ ଗନିମିଆଁର ଏତେଗୁଡ଼ିଏ ଟଙ୍କା ମୋ ପକେଟରେ । ସେଗୁଡ଼ିକୁ ଗନିମିଆଁର ସ୍ତ୍ରୀ ହାତରେ ଦେବା ମୋର କର୍ତ୍ତବ୍ୟ । ଅତଏବ, ଗନିକୁ ରିକ୍‍ସାରେ ନେଇ ଏତେ ରାତିରେ ପୁଣି ତା’ ଘରକୁ ଚାଲିଲି ।

 

ଗନିମିଆଁର ନବନିର୍ମିତ ଅଟ୍ଟାଳିକା ଖୁବ୍ ବେଶି ଦୂର ନୁହେଁ । କିନ୍ତୁ ସମସ୍ୟା ହେଉଛି ଯେ ଏତେ ରାତିରେ ମୁଁ କାହାକୁ ଡାକିବି । ଗନିମିଆଁର ସ୍ତ୍ରୀ ନିଶ୍ଚୟ ଘୋର ପର୍ଦ୍ଦାନସୀନ୍ ମହିଳା ହୋଇଥିବ I ହୁଏତ ତା’ ସହିତ ମୁଁ ଦେଖା କରିବାର ସୁଯୋଗ ପାଇବି ନାହିଁ । ତେବେ ଏତେଗୁଡ଼ିଏ ଟଙ୍କା ମୁଁ କାହା ଜିମା ଦେବି ।

 

ଗନିମିଆଁ ଦୁଆରେ ପହଞ୍ଚି କବାଟର କଡ଼ା ହଲାଇଲି । ବାହାରର କେତୋଟା ବୁଲା କୁକୁର ଚିତ୍କାର କରିବାକୁ ଲାଗିଲେ । କିଛିକ୍ଷଣ ପରେ ଜଣେ ମୁସଲମାନୀ ବୃଦ୍ଧା ଓ ଆଉ ଜଣେ ମଧ୍ୟ ବୟସ୍କା ମହିଳା ଲଣ୍ଠନ ଧରି ଭିତରୁ ଆସିଲେ । ମୋର ପରିଚୟ ପାଇ ଓ ମୋ ନିକଟରୁ ଗନିମିଆଁ ବିଷୟରେ ସବୁ ଶୁଣି ବୃଦ୍ଧା ଚିତ୍କାର କରି କାନ୍ଦିବାକୁ ଆରମ୍ଭ କଲା । କିନ୍ତୁ ଅନ୍ୟ ମହିଳାଟି ତାକୁ ପ୍ରଚଣ୍ଡ ଧମକ ଦେଇ ଚୁପ୍ କରିଦେଲା । ରିକ୍‍ସାବାଲା ସାହାଯ୍ୟରେ ବହୁ କଷ୍ଟରେ ଗନିମିଆଁକୁ ଦୋମହଲା ଉପରକୁ ଉଠାଇ ତା’ ବିଛଣାରେ ଶୁଆଇଲି । ତା’ପରେ ପୂର୍ବୋକ୍ତ ମହିଳାଙ୍କୁ କହିଲି–କୌଣସି ଡାକ୍ତରଙ୍କୁ ଡାକି ଆଣିବି କି ?

 

ମହିଳା କହିଲେ–ତା’ର କିଛି ପ୍ରୟୋଜନ ନାହିଁ । ସେ ମରିଯିବ ନାହିଁ ।

 

ତାଙ୍କ କଣ୍ଠସ୍ୱରରେ ଗୋଟାଏ ଦାରୁଣ ଘୃଣା ମୁଁ ଲକ୍ଷ୍ୟ କଲି । ଏଇ ମହିଳା ବୋଧହୁଏ ଗନିମିଆଁର ସ୍ତ୍ରୀ । ମୁଁ କହିଲି–ଏବେ ମୁଁ ଯାଉଛି । କିନ୍ତୁ ଗନିମିଆଁର ସ୍ତ୍ରୀଙ୍କ ସହିତ ମୋର ଟିକିଏ କଥା ଥିଲା ।

 

ମହିଳା କହିଲେ–ଆସ, ମୋ ସଙ୍ଗେ ତଳ ମହଲାକୁ । ମୁଁ ହେଉଛି ତାଙ୍କ ସ୍ତ୍ରୀ ।

 

ଭଦ୍ରମହିଳାଙ୍କ କଥାରେ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମୁସଲମାନୀ ହେଲେ ମଧ୍ୟ ବୁର୍ଖା ନାହିଁ । ପର୍ଦ୍ଦା ନାହିଁ । ମୋ ପରି ଗୋଟିଏ ସମ୍ପୂର୍ଣ୍ଣ ଅପରିଚିତ ଲୋକ ସହିତ କଥା କହିବାରେ ମଧ୍ୟ କୌଣସି ଜଡ଼ତା ନାହିଁ । ଅପରିଚିତ ଭଦ୍ରଲୋକ ସହିତ ସମ୍ମାନ ସୂଚକ ବାକ୍ୟ ବ୍ୟବହାର କରିବାକୁ ମଧ୍ୟ ଜାଣନ୍ତି ନାହିଁ । ତଳ ମହଲାକୁ ଆସିଲି । ତା’ପରେ ପକେଟରୁ ନୋଟର ବିଡ଼ାଟି କାଢ଼ି ଭଦ୍ରମହିଳାଙ୍କ ହାତରେ ଦେଇ କହିଲି–ଗନିମିଆଁ ପକେଟରେ ଥିଲା । ଦୁଇ ହଜାର ଟଙ୍କା । ଗଣି ଦେଖନ୍ତୁ ।

 

ନୋଟ ବିଡ଼ାଟି ନିର୍ଲିପ୍ତ ଭାବରେ ଧରି ଭଦ୍ରମହିଳା କହିଲେ–ଗଣିବାର କୌଣସି ପ୍ରୟୋଜନ ନାହିଁ । ତୁମ ଉପରେ ମୋର ଅବିଶ୍ୱାସ ନାହିଁ । ତମର ଆଉ ସବୁ ଖବର ଭଲ ତ ?

 

ଏ ପର୍ଯ୍ୟନ୍ତ ମୁଁ ଭଦ୍ରମହିଳାଙ୍କର ମୁହଁକୁ ଚାହିଁ ନଥିଲି । ତାଙ୍କ ମୁହଁରୁ ଏ କଥା ଶୁଣି ମୋର କିପରି ସନ୍ଦେହ ହେଲା । ତାଙ୍କର ମୁହଁକୁ ଭଲ କରି ଚାହିଁ ମୁଁ ଏକାବେଳକେ ଆଶ୍ଚର୍ଯ୍ୟ ହୋଇଗଲି । –ଆରେ, ନର୍ଗୀସ୍ ନା ।

 

ନର୍ଗୀସ୍ ହସିଲା–ତାହାହେଲେ ଚିହ୍ନି ପାରିଛ । ମୁଁ ଭାବିଲି ଆଉ ଚିହ୍ନି ପାରିବ ନାହିଁ । ତମେ ବାହା ହେଲଣି ତ ? ଭାବୀ କେଉଁଠି ଅଛନ୍ତି ?

 

–ଆଠ–

 

ତା’ର ପ୍ରକୃତ ନାମ ନର୍ଗୀସ୍ ନୁହେଁ–ଗୁଲାବୀ । ରସୁଲି ଚାଚ୍ଚାର ଦୁଇଟି ଝିଅ ଥିଲେ । ଇରାନୀ ଆଉ ଗୁଲାବୀ । ଆମ ଗାଁ ଝିଅ ସେମାନେ । ପଠାଣ ମହଲାର ରସୁଲି ଚାଚ୍ଚା ଝିଅ । ଗୁଲାବୀ ଥିଲା ମୋର ବାଲ୍ୟ ସଙ୍ଗିନୀ । ପ୍ରଜାପତି ପରି ସୁନ୍ଦର, ଚପଳ ଓ ଲଘୁ । ଆମ ଗାଁ ‘‘ମଖ୍‍ଦବ୍’ର ବୃଦ୍ଧ ଆଖୁଞ୍ଜି ହାଜୀ ଆଲ୍ଲାଉଦ୍ଦିନ ସୁନ୍ଦର ସାନ ଝିଅଟିକୁ ନର୍ଗୀସ୍ ବୋଲି ଡାକୁଥିଲେ । ଆରବର ମରୁଭୂମିରେ ହଜ୍ କରିବାକୁ ଯାଇ ଆଖୁଞ୍ଜି ସାହେବ ଗୋଟିଏ ସୁନ୍ଦର ଫୁଲ ଦେଖିଥିଲେ । ସେଇ ମରୁ କୁସୁମର ନାମ ନର୍ଗୀସ୍ । ସେଇ ନାଁରେ ସେ ଗୁଲାବୀକୁ ସ୍ନେହରେ ଡାକୁଥିଲେ । କ୍ରମେ ତା’ର ପ୍ରକୃତ ନାମ ଭୁଲି ସମସ୍ତେ ତାକୁ ନର୍ଗୀସ୍ ବୋଲି ଡାକିଲେ ।

 

ରସୁଲି ଚାଚ୍ଚା ଥିଲା ପିଶାଚସିଦ୍ଧ । ଅନ୍ତତଃ ତାହାହିଁ ସେତେବେଳେ ସମସ୍ତଙ୍କର ବିଶ୍ୱାସ ଥିଲା । ମଦ, ତାଡ଼ି, ଗଞ୍ଜା ପ୍ରଭୃତି ସବୁ ନିଶାରେ ସେ ଥିଲା ଧୁରନ୍ଧର । କେତେ ଲୋକଙ୍କର ଦୃଢ଼ବିଶ୍ୱାସ ଥିଲା ଯେ ସେ ଜଣେ ସିଦ୍ଧ ତାନ୍ତ୍ରିକ । ଆହୁରି କେହିକେହି କହୁଥିଲେ ଯେ, ସେ ଜଣେ ମହାଭଣ୍ଡ । ବିଚିତ୍ର ଓ ଭୟାବହ ଥିଲା ତା’ର ରୂପ । ଧଡ଼ିଆ ଲମ୍ବା ଲୋକଟା । ମୁଣ୍ଡରେ ବୋଝେ ନୁଖୁରା ବାଳ । ଲମ୍ବଲମ୍ବ ନିଶଦାଢ଼ି । ମୁଣ୍ଡରେ ଗୋଟାଏ ସିନ୍ଦୂର ଟୋପା । ସାନସାନ ଦୁଇଟି ରକ୍ତାଭ ଆଖି । ବେକରେ ନାନାରଙ୍ଗର ପଥରର ଗୋଛାଏ ମାଳି । ବାଁ ବାହୁରେ ଗୋଟାଏ ଲୁହା ତାବିଜ । ରସୁଲି ଚାଚ୍ଚାକୁ ଦେଖିଲେ କିପରି ଭୟ ହୁଏ । ଭୂତ ଛଡ଼ାଇବା ଓ ବିଷାକ୍ତ ସର୍ପ ଦଂଶନ କଲେ, ସାପର ବିଷ ଝଡ଼ାଇବାରେ ସେ ଥିଲା ସିଦ୍ଧହସ୍ତ । ଭୂତ ଲାଗିଥିବା ଲୋକ ସାମନାରେ ରସୁଲି ଚାଚ୍ଚା ଛିଡ଼ା ହୋଇ ତାକୁ କଟମଟ କରି କିଛିକ୍ଷଣ ଚାହିଁ ରହିବ । ତା’ପରେ ରହସ୍ୟମୟ ଟିକିଏ ହସ ହସି ସେ ନିର୍ଭୁଲ ଭାବରେ କହିଦେବ ଯେ, ଏ ଭୂତ କିଏ ? କେତେଦିନ ପୂର୍ବେ ସେ ପାର୍ଥିବ ଦେହ ଛାଡ଼ି ପ୍ରେତ ସମ୍ପ୍ରଦାୟଭୁକ୍ତ ହୋଇଥିଲା । ତା’ପରେ କେଉଁ କେଉଁ ଗଛ ଉପରେ କେଉଁ ଭଙ୍ଗାଘରେ ବା କେଉଁ ମଶାଣିରେ ସେ କେତେଦିନ କରି ବାସ କରିଥିଲା । ତା’ପରେ କିପରି ଅବସ୍ଥାରେ ସେ ଲୋକଟି ଦେହରେ ପ୍ରବେଶ କରିଛି, ତାହା ସେ ନିର୍ଭୁଲ ଭାବରେ କହିଯିବ । ତା’ପରେ ଆରମ୍ଭ ହେବ ଭୂତ ଛଡ଼ାଇବାର ଅଦ୍ଭୁତ ଚିକିତ୍ସା । ରସୁଲି ଚାଚ୍ଚାର ଖଣ୍ଡେ ପାଚିଲା ଲକଲକିଆ ବେତ ଥିଲା । ଅନେକ କହନ୍ତି–ରସୁଲି ନୁହେଁ, ସେଇ ମନ୍ତ୍ରପୂତ ବେତ ଖଣ୍ଡିକର ସବୁ ଗୁଣ । ଖୁବ୍ ବଡ଼ଖଣ୍ଡେ ପଥରକୁ ଶିକାରେ ବସାଇବା ପରି ଦଉଡ଼ିରେ ବାନ୍ଧି ରଖା ହୁଏ । ବିଡ଼ିବିଡ଼ି କରି ରସୁଲି ଚାଚ୍ଚା କ’ଣ ସବୁ ମନ୍ତ୍ର ପଢ଼େ । ତା’ପରେ ପ୍ରେତଗ୍ରସ୍ତ ବ୍ୟକ୍ତିକୁ ଆଦେଶ ଦିଏ–ଦାନ୍ତରେ ଏ ପଥରକୁ ଉଠା । ଯଦି ସେ ଆଦେଶ ପାଳନ ନ କରେ, ତା’ ଉପରେ ଚାଲେ ନିର୍ମମ ଭାବରେ ବେତ୍ରାଘାତ । ପିଲାଦିନେ ମୁଁ ନିଜେ ଏହିପରି ଗୋଟିଏ ଘଟନା ଦେଖିଛି । ବାହୁଡ଼ା ବାଉରି ଝିଅ ସୋଦରୀକୁ ଭୂତ ଲାଗିଥିଲା । ସେ ପୁଣି ସାଧାରଣ ଭୂତ ନୁହେଁ । ବ୍ରହ୍ମଦୈତ୍ୟ । ମଠସାହିର ହାଡ଼ୁ ଆଚାର୍ଯ୍ୟ ପୂର୍ବବର୍ଷ ବସନ୍ତରେ ମରିଥିଲା । ତା’ର ଭୂତ । କିନ୍ତୁ ସେ ବ୍ରହ୍ମଦୈତ୍ୟ ହେଉ ବା ପଠାଣଭୂତ ହେଉ ରସୁଲି ଚାଚ୍ଚାର ବେତ ନିକଟରେ ସେ ମୁଣ୍ଡ ନୁଆଁଇବାକୁ ବାଧ୍ୟ । ସେଇପରି ଖଣ୍ଡିଏ ବଡ଼ ପଥର ଦାନ୍ତରେ ଉଠାଇବା ପାଇଁ ରସୁଲି ଚାଚ୍ଚା ଆଦେଶ ଦେଲା । ସୋଦରୀ କିଛିକ୍ଷଣ ପର୍ଯ୍ୟନ୍ତ ବଲବଲ କରି ଚାହିଁ ରହିଲା । ଆଦେଶ ପାଳନ କଲା ନାହିଁ । ତା’ପରେ ଚାଲିଲା ନିର୍ମମ ବେତ୍ରାଘାତ । ସୋଦରୀର ସର୍ବାଙ୍ଗରୁ ନୋଳାଫାଟି ରକ୍ତ ଝରିଲା । ଅବଶେଷରେ ସେ ପଥରଟା ଦାନ୍ତରେ ଉଠାଇଲା । ମାତ୍ର କିଛିକ୍ଷଣ ପରେ ବେଚେତା ହୋଇ ପଡ଼ିଗଲା; ଅର୍ଥାତ୍ ଭୂତ ତାକୁ ଛାଡ଼ି ପଳାଇ ଗଲା ।

 

ନର୍ଗୀସ୍ ସଙ୍ଗେ ମୁଁ ଥରେ ରସୁଲି ଚାଚ୍ଚାର ‘ପ୍ରେତ ସଂଗ୍ରହାଳୟ’କୁ ଯାଇଥିଲି । ଝାଟିମାଟିର ବଡ଼ ବଖରାଏ ଚାଳ ଘରରେ ରସୁଲି ଚାଚ୍ଚା ଏକା ରହେ । ମଲା ବିଲେଇ କୁକୁରର ମୁଣ୍ଡରୁ ଆରମ୍ଭ କରି ନରମୁଣ୍ଡ ପର୍ଯ୍ୟନ୍ତ ସେଠାରେ ରଖା ହୋଇଛି । କିପରି ଗୋଟିଏ ଦୁର୍ଗନ୍ଧ ବାହାରୁଛି । ଗୋଟାଏ ଅତି ଭୟାବହ ଦୃଶ୍ୟ । କାନ୍ଥଯାକ ଲୁହାକଣ୍ଟା ମାରି ଶୁଖିଲା ଫୁଲମାଳ ସବୁ ଟଙ୍ଗା ହୋଇଛି । ପ୍ରତି ମାଳାରେ ଗୋଟିଏ ଲେଖାଁ ଦୁଷ୍ଟପ୍ରେତ ଚାଚ୍ଚାର ମନ୍ତ୍ରବଳରେ ବନ୍ଦୀହୋଇ ରହିଛନ୍ତି । ଆମେମାନେ ନ ଦେଖିଲେ ମଧ୍ୟ ରସୁଲି ଚାଚ୍ଚା ସେମାନଙ୍କୁ ଦେଖି ପାରେ ।

 

ରସୁଲି ଚାଚ୍ଚାର ଗୋଟିଏ ଅତି ଗୋପନ ରହସ୍ୟ ମୋତେ ଦିନେ ନର୍ଗୀସ୍ କହି ଦେଇଥିଲା । ଗୋଟିଏ ଅହିରାଜ ସାପର ମଣି ରସୁଲି ଚାଚ୍ଚା ପାଇଛି । ଆଉ ପାଇଛି ଅଣ୍ଡିରା ବିଲୁଆର ଗୋଟିଏ ସାନ ଶିଙ୍ଗ । ଲକ୍ଷେ ଅଣ୍ଡିରା ବିଲୁଆ ଭିତରେ ଗୋଟିକର ଛୋଟ ଗୋଟିଏ ଶିଙ୍ଗ ଥାଏ । ପୁଣି ଏକ ହଜାର ମୁର୍ଦାର ନ ଖାଇଲେ, ଅଣ୍ଡିରା ବିଲୁଆର ଶିଙ୍ଗ ଉଠେ ନାହିଁ । ସେଇ ଅତି ଦୁର୍ଲଭ ଓ ଅମୂଲ୍ୟ ବସ୍ତୁ ରସୁଲି ଚାଚ୍ଚା ପାଇଛି । ସେଇ ହେଉଛି ତା’ର ଏପରି ଅଦ୍ଭୁତ ପ୍ରେତ ସାଧନାର ମନ୍ତ୍ରଗୁପ୍ତି । ଆଉ ଅହିରାଜର ମଣି ହେଉଛି ସାପ ବିଷର ପରମ ମହୌଷଧି । ସେଇ ଦୁଇଟି ଅମୂଲ୍ୟ ବସ୍ତୁକୁ ରସୁଲି ଚାଚ୍ଚା ଗୋଟିଏ କରାଟରେ ପୂରାଇ ଦିନରାତି ନିଜ ଦେହରେ ରଖିଥାଏ । ତା’ରି ବଳରେ ପ୍ରବଳ ବିଷଧର ସର୍ପମାନେ ଓ ଅତି ଭୟାବହ ପ୍ରେତମାନେ ରସୁଲି ଚାଚ୍ଚା ନିକଟରେ ନତମସ୍ତକ ।

 

ସେଇ ବିଖ୍ୟାତ ରସୁଲି ଚାଚ୍ଚା, ପିଲାଦିନେ ସେ ଥିଲା ଆମମାନଙ୍କର ପରମ ବିସ୍ମୟ । ଚାରି ପାଞ୍ଚମାଣ ପୈତୃକ ଭୂମି ଥିଲା, କିନ୍ତୁ ନିଶାପାଣିରେ ସେ ସବୁ ଉଡ଼ାଇ ଦେଇଥିଲା । ସପାବିଷ ଝାଡ଼ିବା ଓ ଭୂତ ଛଡ଼ାଇବାଦ୍ୱାରା ଯେଉଁ ସାମାନ୍ୟ ରୋଜଗାର ହୁଏ, ସେତିକିରେ ତା’ର ନିଶାପାଣି ଓ ଗ୍ରାସାଚ୍ଛାଦନ ବହୁ କଷ୍ଟରେ ଚଳୁଥିଲା । ନର୍ଗୀସ୍ ଥିଲା ମୋର ବାଲ୍ୟ ସଙ୍ଗିନୀ । ବେତକୋଳି ତୋଳି ଛଡ଼ାଇବା ଓ ଦଳୁଆ ପୋଖରୀରୁ ସିଙ୍ଗଡ଼ା ଫଳ ତୋଳିବାରେ ସେ ଥିଲା ଗୋଟିଏ ବିଶେଷଜ୍ଞ । ସେଇ ଦୁଇଟି ବସ୍ତୁ ପିଲାଦିନେ ମୋର ଅତିପ୍ରିୟ ଥିଲା, କିନ୍ତୁ ସେ ଦୁର୍ଲଭ ବସ୍ତୁଗୁଡ଼ିକ ସଂଗ୍ରହ କରିବା ମୋ ପକ୍ଷରେ ଦୁରୂହ ଥିଲା । ନର୍ଗୀସ୍‍କୁ କେତେ ଖୋସାମତ୍ କରି ମୁଁ ତା’ଠାରୁ ସେଗୁଡ଼ିକ ପାଉଥିଲି ।

 

ଯେଉଁ ବର୍ଷ କାଚରାମାଳ ଘାଇ ଭାଙ୍ଗିଲା, ଠିକ୍ ସେହି ବର୍ଷ ଆମଆଡ଼େ ମହାମାରୀ ରୂପରେ ଦେଖାଦେଲା ହଇଜା । ଘାଇ ଭାଙ୍ଗି ପ୍ରଚଣ୍ଡ ଜଳସ୍ରୋତରେ କେତେ ଘର, ଦୁଆର, ମଣିଷ, ଗୋରୁ ପ୍ରଭୃତି ଭାସିଗଲେ । ସେ ବିପଦ ଯିବା ପରେପରେ ଆରମ୍ଭ ହେଲା ଭୀଷଣ ମହାମାରୀ । ପୋକମାଛି ପରି ଲୋକ ମଲେ । ରସୁଲି ଚାଚ୍ଚାର ରୋଜଗାର ବଢ଼ିଗଲା । ଦିନରାତି ସେ ଶ୍ମଶାନରେ ନିର୍ଭୟରେ ବୁଲୁଥାଏ । ସର୍ବାଙ୍ଗରେ ହାଡ଼ମାଳ ପିନ୍ଧି ଦୁଆରେଦୁଆରେ ବୁଲି ପଇସା ଆଦାୟ କରୁଥାଏ । ଦେବତାର କ୍ରୋଧ ଶାନ୍ତ କରିବପାଇଁ ଗ୍ରାମବାସୀ ମହାଶ୍ମଶାନରେ ଯେଉଁ ପଣାଦେଇ ଆସନ୍ତି, ସେସବୁ ନିର୍ଭୟରେ ଓ ପରମ ତୃପ୍ତିରେ ରସୁଲି ଚାଚ୍ଚା ଭୋଜନ କରେ । ସମସ୍ତଙ୍କର ଦୃଢ଼ବିଶ୍ୱାସ ଜନ୍ମିଲା ଯେ ରସୁଲି ଜଣେ ପ୍ରେତସିଦ୍ଧ ତାନ୍ତ୍ରିକ । ମୃତ୍ୟୁଦୂତ ହଇଜା ମଧ୍ୟ ତା’ ନିକଟରେ ନତମସ୍ତକ ।

 

ବୋଧହୁଏ ଏହି ଭ୍ରାନ୍ତବିଶ୍ଵାସ ଦୂର କରିବାପାଇଁ ରସୁଲି ଚାଚ୍ଚାର ପରିବାରରେ ମୃତ୍ୟୁଦୂତ ଉଦୟ ହେଲା । ରସୁଲି ଚାଚ୍ଚାର ସ୍ତ୍ରୀ ଓ ତା’ର ବଡ଼ଝିଅ ଇରାନୀ ଡକାଡ଼କି ହୋଇ ଯିବାପରି, ମାତ୍ର କେତେକ ଘଣ୍ଟା ଭିତରେ ଚାଲିଗଲେ । କୌଣସି ଶାସନ ନ ମାନି ମୁଁ ସେଦିନ ନର୍ଗୀସ୍‍କୁ ଦେଖିବାପାଇଁ ରସୁଲି ଚାଚ୍ଚା ଘରକୁ ଦୌଡ଼ି ଯାଇଥିଲି । ସେ ଦୃଶ୍ୟ ଆଜି ପର୍ଯ୍ୟନ୍ତ ମୋର ମନେ ଅଛି । ନର୍ଗୀସ୍ ଯେପରି ବାକ୍‍ଶକ୍ତିହୀନ ହୋଇ ଯାଇଛି । ସେ ଯେପରି ବିଶ୍ୱାସ କରିପାରୁ ନାହିଁ ଯେ, ଯେଉଁ ଇରାନୀ ସହିତ ସେ କଲି ରାତିରେ ମଧ୍ୟ ଖେଳିଛି, ସେ ଆଜି ନାହିଁ । ଯେଉଁ ମା’ ତାକୁ କାଲି ରାତିରେ ମଧ୍ୟ ଗେହ୍ଲାକରି ଖୁଆଇ ଦେଇଥିଲା, ସେ ଆଉ ଉଠିବ ନାହିଁ । ତା’ପରେ ଯେତେବେଳେ ତା’ ମା’କୁ ଆଉ ଇରାନୀକୁ ଟେକି ନେଇ ଗୋଟାଏ ଲମ୍ବ ବାକ୍‍ସ ଭିତରେ ପୂରାଇ ବନ୍ଦକରି ଦେଲେ, ସେତେବେଳେ ଆଉ ସେ ସ୍ଥିରହୋଇ ରହି ପାରିଲା ନାହିଁ । ଚିତ୍କାର କରି କାନ୍ଦି ଉଠିଲା । ବୃଦ୍ଧ ଆଖୁଞ୍ଜି ସାହେବ ସାନ ଝିଅଟିକୁ ପରମ ସ୍ନେହରେ କୋଳକୁ ଉଠାଇ ନେଲେ ।

 

ରସୁଲି ଚାଚ୍ଚା ସେଦିନ ବୋଧହୁଏ ଅତ୍ୟଧିକ ଗଞ୍ଜିକା ସେବନ କରିଥିଲା । ଗୋଟିଏ ସ୍ଥାନରେ ବସି ସେ କେବଳ ନିସ୍ପଲକ ନୟନରେ ସ୍ତ୍ରୀ ଓ କନ୍ୟାର ଶେଷ ଯାତ୍ରା ଦେଖୁ ଥାଏ । ଟିକିଏ ହେଲେ କାନ୍ଦିନାହିଁ । ସେ ଯେପରି ଶୋକ ଦୁଃଖ, ମୋହ ପ୍ରଭୃତି ପାର୍ଥିବ ଆସକ୍ତିର ବହୁ ଊର୍ଦ୍ଧ୍ଵରେ ।

 

ଆଖୁଞ୍ଜି ସେ ଦିନ ନର୍ଗୀସ୍‍ଙ୍କୁ କୋଳକୁ ଉଠାଇ ନେଇ ଥିଲେ । ତା’ପରଠାରୁ ନର୍ଗୀସ୍ ତାଙ୍କରି ପାଖରେ ରହିଲା । ପରମ ସ୍ନେହରେ ବୃଦ୍ଧ ତାକୁ ରଖିଲେ । ବହୁଯତ୍ନରେ ଊର୍ଦ୍ଦୁ ଶିକ୍ଷା ଦେଲେ । ଆଖୁଞ୍ଜିଙ୍କ ନିକଟରେ ନର୍ଗୀସ୍‍ ପାଇଲା ଅନାବିଳ ସ୍ନେହ, କିନ୍ତୁ ତା’ର ମୁକ୍ତ ଓ ସ୍ଵାଧୀନତା ସେ ହରାଇଲା । ଆଉ ଆଗପରି ସେ ନଈକୂଳେ ବା ବଣରେ ବୁଲିବାର ସୁବିଧା ପାଇଲା ନାହିଁ । ସୁତରାଂ ମୋର ମଧ୍ୟ ତା’ ସହିତ ସମ୍ପର୍କ ସେଇଦିନ ଠାରୁ ଛିନ୍ନ ହେଲା । ତା’ପରେ କେତେଥର ମାତ୍ର କ୍ଷଣିକପାଇଁ ମୁଁ ନର୍ଗୀସ୍‍କୁ ଦେଖିଛି । ଆଉ ଆଗପରି ଚପଳତା ନାହିଁ । କିପରି ଶାନ୍ତ ଓ ଗମ୍ଭୀର ହୋଇ ଉଠିଛି ।

 

ଏକମାତ୍ର କନ୍ୟା ନର୍ଗୀସ୍‍ର ବନ୍ଧନରୁ ମୁକ୍ତିପାଇ ରସୁଲି ଚାଚ୍ଚା କିପରି ଆହୁରି ଲକ୍ଷ୍ମୀଛଡ଼ା ଓ ବେପରୁଆ ହୋଇ ଉଠିଲା । ଦିନରାତି ନିଶାଖାଇ ବୁଲେ । ମଝିରେମଝିରେ ଗୋଟିଏ କ୍ରୁଦ୍ଧ ଶପଥ ଉଚ୍ଚାରଣ କରେ–ଆଚ୍ଛା, ଦେଖ ଲେଗା !

 

ତା’ପରେ ଜୀବନର ସ୍ରୋତ ମୁହଁରେ ମୁଁ କୁଆଡ଼େ ଭାସିଗଲି–ଆଉ ମୋର ବାଲ୍ୟ ସଙ୍ଗିନୀ ନର୍ଗୀସ୍ କେଉଁଆଡ଼େ ଭାସିଗଲା । ଉଚ୍ଚ ଶିକ୍ଷା ଲାଭ କରିବାପାଇଁ ମୁଁ କଟକ ଆସିଲି । ନୂଆ ପରିବେଶ ନୂଆ ବନ୍ଧୁ ଓ ଆଚ୍ଛାଦାନରେ ପୁରାତନ ନିଷ୍ଠୁର ହୋଇଗଲା । ନର୍ଗୀସ୍‍କୁ ମୁଁ ସମ୍ପୂର୍ଣ୍ଣ ଭୁଲିଗଲି ।

 

ପୁରାତନ କାଗଜ ପତ୍ର ଖେଳାଉଖେଳାଉ ବହୁଦିନରୁ ମୃତ ଓ ବିସ୍ମୃତ କୌଣସି ପ୍ରିୟଜନର ହସ୍ତଲିପି ଖଣ୍ଡିଏ ଅକସ୍ମାତ୍ ଦେଖି ଯେପରି ପୁରୁଣା ଦିନର ସବୁ ସ୍ମୃତିଗୁଡ଼ିକ ଛାୟାଛବି ପରି ହଠାତ ମାନସପଟରେ ଭାସିଉଠେ, ସେଦିନ ଗଭୀର ରାତିରେ ନର୍ଗୀସ୍‍କୁ ହଠାତ ଦେଖି ବହୁ ପୁରୁଣାଦିନର ସ୍ମୃତିଗୁଡ଼ିକ ଅତି ସ୍ପଷ୍ଟଭାବରେ ଭାସିଉଠିଲା ।

 

ଏସବୁ ବହୁଦିନ ତଳର କଥା । ରସୁଲି ଚାଚ୍ଚା ମଧ୍ୟ ଆଜି ଆଉ ବଞ୍ଚିନାହିଁ । ତା’ ମୃତ୍ୟୁବେଳେ ମୁଁ ଗାଁରେ ନଥିଲେ ମଧ୍ୟ ଚାକ୍ଷୁଷ ଦର୍ଶୀଠାରୁ ମୁଁ ତା’ର ବିଚିତ୍ର ମୃତ୍ୟୁକାହାଣୀ ଶୁଣିଥିଲି-। କିପରି ଭାବରେ ସେ ସମ୍ବାଦ ପାଇଲା ଯେ ଭଅଁରାନଟା ବାଟେ ଦିନେ ରାତିରେ ଦଳେ ବାଟୋଇ ଆସୁଆସୁ ପ୍ରକାଣ୍ଡ ଗୋଟାଏ ନାଗସାପ ଦେଖିଲେ । ତା’ ମୁଣ୍ଡରେ ଗୋଟାଏ ମଣି ଦପଦପ ହୋଇ ଜଳୁଥିଲା । ସେଇ ଉଜ୍ଜ୍ୱଳ ଜ୍ୟୋତିରେ ବନଭୂମି ଆଲୋକିତ ହୋଇ ଉଠୁଥିଲା । ବାଟୋଇମାନେ ସ୍ତବ୍ଧ ବିସ୍ମୟରେ ଛିଡ଼ାହୋଇ ରହିଲେ । ନାଗରାଜା କାହାରି ପ୍ରତି ଭ୍ରୂକ୍ଷେପ ନ କରି ଧୀରେ ଧୀରେ ଗଭୀର ବନ ଭିତରେ ଅଦୃଶ୍ୟ ହୋଇଗଲା ।

 

ଆମ ଗାଁ ନିକଟରେ ଅବସ୍ଥିତ ଭଅଁରାନଟା ସେତେବେଳେ ଅତି ନିଘଞ୍ଚ ଜଙ୍ଗଲ ଥିଲା । ଏ କଥା ଶୁଣିବା ଦିନଠାରୁ ରସୁଲି ଚାଚ୍ଚା ପ୍ରତିଦିନ ସଞ୍ଜଠାରୁ ରାତିଅଧ ପର୍ଯ୍ୟନ୍ତ ସେଇ ନଟା ନିକଟରେ ବସିଥିବାର ଦେଖାଗଲା । କାହାରି ସହିତ କଥା କହେନାହିଁ । ନିଶାରେ ଚୁର୍ ହୋଇ ମନକୁମନ କେବଳ କହିଉଠେ–ଦେଖ୍ ଲେଙ୍ଗେ । ଜରୁର୍ ଦେଖ୍–ଲେଙ୍ଗ ।

 

କେତେକଦିନ ପରେ–ଦିନେ ସକାଳେ ଲୋକେ ଦେଖିଲେ ଯେ ରସୁଲି ଚାଚ୍ଚା ସେଇଠି ମରି ପଡ଼ିଛି । ଯନ୍ତ୍ରଣାଦାୟକ ଅପମୃତ୍ୟୁ । ଗୋଟାଏ ପ୍ରକାଣ୍ଡ ପାହାଡ଼ି ବୋଡ଼ା ସାପର ବେକକୁ ଦୁଇ ହାତରେ ରସୁଲି ଚାଚ୍ଚା ଚିପି ଧରିଛି । ପ୍ରକାଣ୍ଡ ସାପଟା ରସୁଲି ଚାଚ୍ଚାର ସର୍ବାଙ୍ଗରେ ଗୁଡ଼ାଇ ହୋଇ ଯାଇ ଏପରି ଭାବରେ ପେଷଣ କରିଛି । ଫୁସ୍‍ଫୁସ୍ ଫାଟି ପାଟିବାଟେ ଅଜସ୍ର ରକ୍ତପାତ ହୋଇଛି । ତଥାପି ରସୁଲି ଚାଚ୍ଚା ସାପଟାର ବେକ ଛାଡ଼ିନାହିଁ । ରସୁଲି ଚଚ୍ଚା ମରିଯାଇଛି । ସାପଟା ମୁମୂର୍ଷୁ ଅବସ୍ଥାରେ ବଞ୍ଚିଥିଲା । ଲୋକମାନେ ବାଡ଼େଇ ମାରିଦେଲେ ।

 

ସେଇ ରସୁଲି ଚଚ୍ଚାର ଝିଅ ନର୍ଗୀସ୍ । ସେ ଆଜି ପକ୍କା ଗୃହିଣୀ । ଗୁଣ୍ଡା ସର୍ଦ୍ଦାର ଗନିମିଆଁର ସ୍ତ୍ରୀ । କେଉଁଦିନ–କିପରି ଭାବରେ ଯେ ନର୍ଗୀସ୍ ଏଇ ଗରିଲାରୂପୀ ଗନିମିଆଁକୁ ସ୍ୱାମୀରୂପେ ବରଣ କଲା, ସେ କଥା ମୁଁ ଜାଣି ନଥିଲି । ବହୁବର୍ଷ ପରେ ତାକୁ ଯେପରି ମୁଁ ସେଦିନ ନୂଆ କରି ଆବିଷ୍କାର କଲି । ଦୀର୍ଘ କୋଡ଼ିଏବର୍ଷ ତଳେ ଯେତେବେଳେ ଜୀବନର ଘୂର୍ଣ୍ଣାବର୍ତ୍ତରେ ଆମେ ଦୁହେଁ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଗଲୁ, ସେତେବେଳେ ନର୍ଗୀସ୍ ମାତ୍ର ବାର ତେରବର୍ଷର ସାନ ଝିଅଟିଏ ଥିଲା । ଆଜି ତା’ର ଯୌବନର ପ୍ରାୟ ଅପରାହ୍ନ । ଗନିମିଆଁ ଧନୀ । ଶୈଶବରୁ ନିରବଚ୍ଛିନ୍ନ ଦୈନ୍ୟ ପରେ ନର୍ଗୀସ୍ ହୁଏତ ପ୍ରଚୁର ଧନ ଲାଭ କରିଛି । କିନ୍ତୁ ଏଇ ମହା ପାଷଣ୍ଡ ଗନିମିଆଁକୁ ସ୍ଵାମୀରୂପେ ବରଣ କରି ସେ ଯେ ତିଳେମାତ୍ର ସୁଖୀ ହୋଇ ପାରିନାହିଁ, ତା’ର ସ୍ୱାକ୍ଷର ସେ ଦିନ ମୁଁ ତା’ର ଉଦାସିଆ ମୁହଁଟିରୁ ସୁସ୍ପଷ୍ଟ ଭାବରେ ଲକ୍ଷ୍ୟ କଲି ।

 

ତା’ପରେ ଅନେକ ଦିନ ପର୍ଯ୍ୟନ୍ତ ନର୍ଗୀସ୍ ସଙ୍ଗେ ମୋର ସାକ୍ଷାତ ହୋଇନାହିଁ । ସେ ମୁସଲମାନ ଘରର ପର୍ଦ୍ଦାନସୀନ୍ ମହିଳା । ତା’ ସଙ୍ଗେ ସାକ୍ଷାତ କରିବା ମୋ ପକ୍ଷରେ ସମ୍ଭବ ମଧ୍ୟ ନୁହେଁ । ଆଉଥରେ ମାତ୍ର ଅତି ବିଚିତ୍ର ପରିସ୍ଥିତିରେ ତା’ ସହିତ ମୋର ସାକ୍ଷାତ ହୋଇଥିଲା । ସୁବିଖ୍ୟାତ ପାହାଡ଼ୀବାବଙ୍କ ଆଶ୍ରମରେ ।

 

ସ୍ମୃତିର ସମୁଦ୍ରମନ୍ଥନରେ ଆଜି ଗୋଟିକପରେ ଗୋଟିଏ, ବହୁ ଦୃଶ୍ୟ ଭାସି ଉଠୁଛି । ହୁଏତ କାହା ସହିତ କାହାର ସମ୍ପର୍କ ନାହିଁ । ନିତାନ୍ତ ଅସଂଲଗ୍ନ । କିନ୍ତୁ ତଥାପି ମୁଁ ଆଜି ସେଇ ସବୁ ଅସଂଲଗ୍ନ ବଣୁଆ ଫୁଲକୁ ଗୁନ୍ଥିଗୁନ୍ଥି ଗୋଟିଏ ମାଳା ତିଆରି କରିଛି । ସେଇପରି ଗୋଟାଏ ଘଟନାର ଅବତାରଣା କରୁଛି ।

 

ହଠାତ କଟକ ସହରରେ ହୁଲସ୍ତୁଲ ପଡ଼ିଗଲା । ଜଣେ ଅତି ସିଦ୍ଧପୁରୁଷ ହିମାଳୟ ଉପରୁ ଓହ୍ଲାଇ ଆସିଛନ୍ତି । ନାମ ପାହାଡ଼ୀବାବା । ଜୋବ୍ରା ଅଞ୍ଚଳର ଗୋଟିଏ ନିର୍ଜନ ସ୍ଥାନରେ ଗୋଟିଏ ବରଗଛ ମୂଳେ ଧ୍ୟାନମଗ୍ନ ହୋଇ ବସିଛନ୍ତି । ସେ ଧ୍ୟାନବଳରେ ଜାଣି ପାରିଛନ୍ତି ଯେ ସେଇ ବରଗଛ ମୂଳଟି ଗୋଟିଏ ଅତି ପବିତ୍ର ସ୍ଥାନ । କୈଳାସେଶ୍ୱର ମହାଦେବଙ୍କର ଆବିର୍ଭାବ ପୀଠ । ଯୋଗବଳରେ ପାହାଡ଼ୀବାବା ଜାଣି ପାରିଛନ୍ତି ଯେ ଆଗାମୀ ଅମାବାସ୍ୟା ରାତିରେ ସେଇ ବରଗଛ ମୂଳେ ପାତାଳରୁ ଗୋଟିଏ ଶିବଲିଙ୍ଗ ବାହାରିବ । ସେ ଜ୍ୟୋତିର୍ମୟ ଲିଙ୍ଗକୁ ସମସ୍ତେ ଚର୍ମଚକ୍ଷୁରେ ଦର୍ଶନ କରିପାରିବେ । ସେ ପବିତ୍ର ଓ ଜୀବନ୍ତ ଜ୍ୟୋତି ଦର୍ଶନରେ ଯେ କେବଳ ଜୀବାନ୍ତେ ଅକ୍ଷୟ ସ୍ଵର୍ଗଲାଭ ହେବ, ତାହା ନୁହେଁ । ଏ ନର ଦେହରେ ଯେ କୌଣସି ପାର୍ଥିବ କାମନା ପରିପୂର୍ଣ୍ଣ ହେବ ।

 

ଅତଏବ, ମହାପୁରୁଷ ପାହାଡ଼ୀବାବାଙ୍କୁ ଦର୍ଶନ କରିବାପାଇଁ ମୁକ୍ତିକାମୀ ନରନାରୀଙ୍କର ସୁଅ ଛୁଟିଲା । ସେ ବିରାଟ ଜନ ସମାଗମ ଅଭୂତପୂର୍ବ । ଶାନ୍ତି ରକ୍ଷା ଓ ସ୍ଵାସ୍ଥ୍ୟରକ୍ଷା କରିବାପାଇଁ ସରକାର ତତ୍ପର ହୋଇ ଉଠିଲେ । ମୋତେ ମଧ୍ୟ ଯିବାକୁ ହେଲା । ଚାରିଆଡ଼େ ଦର୍ଶନାର୍ଥୀମାନଙ୍କର ବିରାଟ ଜନସମୁଦ୍ର । ଗଛମୂଳେ ପଦ୍ମାସନରେ ସନ୍ନ୍ୟାସୀ ଆଖି ବୁଜି ବସିଛନ୍ତି । ବିଭୂତି ଭୂଷିତ ଦୀର୍ଘ ଦେହ । ଜଟାଜୂଟଧାରୀ ଧ୍ୟାନମଗ୍ନ ସନ୍ନ୍ୟାସୀଙ୍କର କଣ୍ଠ ବେଷ୍ଟନ କରି ଗୋଟାଏ ଜୀବନ୍ତ ବିଷଧର ସର୍ପ ନିଶ୍ଚଳ ହୋଇ ପଡ଼ିରହିଛି । ବିଷଧରଟାର ସ୍ଥିର ଓ ନିଷ୍ପଲକ ଆଖି ଦୁଇଟିରୁ ଯେପରି ନିଆଁ ବାହାରୁଛି । ସନ୍ନ୍ୟାସୀଙ୍କର ଆଖି ଦୁଇଟି ମୁଦ୍ରିତ ।

 

ରୁଦ୍ର ଆଶ୍ରମରେ ନନ୍ଦି ପ୍ରହରୀ ପରି ଜଣେ ବଳିଷ୍ଠଦେହ ତରୁଣ ସନ୍ନ୍ୟାସୀ ହାତରେ ଗୋଟିଏ ତ୍ରିଶୂଳ ଧରି ସାମ୍ନାରେ ଗୋଟିଏ ଯଜ୍ଞକୁଣ୍ଡ ନିକଟରେ ଛିଡ଼ା ହୋଇଛି । ସେଇ କୁଣ୍ଡରେ ଅନିର୍ବାଣ ହୋମାଗ୍ନି ଜଳୁଛି । ଧ୍ୟାନମଗ୍ନ ପାହାଡ଼ୀବାବା ସମ୍ପୂର୍ଣ୍ଣ ମୌନୀ । ଏଇ ତରୁଣ ତାପସ ଭକ୍ତମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । କାହାରିଠାରୁ ସନ୍ନ୍ୟାସୀ କିଛି ଗ୍ରହଣ କରନ୍ତି ନାହିଁ । ଭକ୍ତମାନେ ଗୁଆଘିଅ ଓ ଚନ୍ଦନକାଠ ପ୍ରଭୃତି ସମିଧରେ ଏଇ ଅନିର୍ବାଣ ହୋମକୁଣ୍ଡକୁ ଜଳାଇ ରଖିଛନ୍ତି ।

 

ଭାବ ଗଦ୍‍ଗଦ ଭକ୍ତମାନେ ବିଡ଼ାବିଡ଼ା ନୋଟ୍, ଟଙ୍କା, ସୁନା ପ୍ରଭୃତି ସାଧୁଙ୍କ ଚରଣତଳେ ଅର୍ପଣ କରିବାକୁ ବ୍ୟଗ୍ର । ତରୁଣ ସନ୍ନ୍ୟାସୀଟି ସମସ୍ତଙ୍କୁ ହାତଯୋଡ଼ି ଏଥିରୁ କ୍ଷାନ୍ତ ହେବାକୁ ନିବେଦନ କରୁଛନ୍ତି–‘‘ଭକ୍ତମାନେ ଦୟାକରି ଏ ସବୁ ପାର୍ଥିବ ଜଞ୍ଜାଳ ପାହାଡ଼ୀବାବାଙ୍କ ନିକଟକୁ ଆଣନାହିଁ । ସେ ଏ ସବୁ ଅତିଶୟ ଘୃଣା କରନ୍ତି । ଯଦି ତୁମେମାନେ ଏକାନ୍ତ କିଛି ଦାନ କରିବାକୁ ଚାହଁ, ତେବେ ଆଗାମୀ ଅମାବାସ୍ୟା ରାତିରେ ଯେତେବେଳେ ଏଇ ସ୍ଥାନରେ ପାତାଳରୁ ଜ୍ୟୋତିର୍ମୟ ଶିବଲିଙ୍ଗ ଉଠିବେ, ସେଇ ପବିତ୍ର ଜ୍ୟୋତି ଦର୍ଶନ କରିସାରି ଯେ ଯାହା ଇଚ୍ଛା କରି ଦେଇପାର । ସେଇ ଅର୍ଥରେ ଏଠାରେ ଗୋଟିଏ ମନ୍ଦିର ତୋଳାହେବ । ବର୍ତ୍ତମାନ ଏଇ ପବିତ୍ର ମାଟି ଉପରେ କିଛିକିଛି ପାଣି ଢାଳ ।

 

ଚାରିକଣିଆ ଗୋଟିଏ ସ୍ଥାନରେ ମଜବୁତ୍ ବାଉଁଶର ବାଡ଼ ଦିଆ ହୋଇଛି । ଏହାହିଁ ଜ୍ୟୋତିର୍ମୟ ଲିଙ୍ଗଙ୍କର ଆବିର୍ଭାବ ମଞ୍ଚ । ସହସ୍ର ସହସ୍ର ଲୋକ ସେଇ ମାଟି ଉପରେ ପରମ ଭକ୍ତିରେ ପାଣି ଢାଳୁଛନ୍ତି । ଚାରିଆଡ଼େ ବିରାଟ ଜନତାର ନିରାପତ୍ତା ପାଇଁ ଉଜ୍ଜ୍ୱଳ ବିଜୁଳିବତି ଲଗାଇ ଦିଆ ହୋଇଛି ।

 

ବାସ୍ତବିକ, ସନ୍ନ୍ୟାସୀଙ୍କୁ ଦେଖିଲେ ଭକ୍ତି ହୁଏ । ଧ୍ୟାନ ଗମ୍ଭୀର ବିଶାଳ ଦେହ । ସମ୍ପୂର୍ଣ୍ଣ ନିର୍ଲୋଭ । କାହାରି ସହିତ କଥା କହନ୍ତି ନାହିଁ । କାହାକୁ ଚାହାଁନ୍ତି ନାହିଁ । ପରମ ଭକ୍ତିରେ ମାଟିରେ ମୁଣ୍ଡ ଲଗାଇ ମୁଁ ମଧ୍ୟ ଗୋଟିଏ ପ୍ରଣାମ କଲି । ସମସ୍ତଙ୍କ ମୁହଁରେ ମାତ୍ର ଗୋଟିଏ କଥା । ସତେ କ’ଣ ଏପରି ଅଦ୍ଭୁତ ଘଟନା ଘଟିବ ସମସ୍ତଙ୍କ ଆଖି ଆଗରେ ଜ୍ୟୋତିର୍ମୟ ଶିବଲିଙ୍ଗ ପାତାଳରୁ ଉଠି ଆସିବେ ।

 

କର୍ତ୍ତୃପକ୍ଷ ଭଳଭାବରେ ଜାଣନ୍ତି ଯେ ମତ୍ତ ମତଙ୍ଗ ପରି ଜନତା ଶକ୍ତିଶାଳୀ ଓ ଏକମୁଖୀ-। ଯଦି ଏପରି ପରମାଶ୍ଚର୍ଯ୍ୟ ଘଟନା ପ୍ରକୃତରେ ନ ଘଟେ, ଅର୍ଥାତ୍ ସମସ୍ତଙ୍କ ଆଖି ଆଗରେ ଜ୍ୟୋତିର୍ମୟ ଶିବଲିଙ୍ଗ ପାତାଳରୁ ଉଠି ନ ଆସନ୍ତି, ତେବେ ବୃଦ୍ଧ ଜନତା ଯେ ଏଇ ସନ୍ନ୍ୟାସୀକୁ ଟାଣି ବିଦାରି ହତ୍ୟା କରିବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଅତଏବ, ଏପରି ଗୋଟିଏ ସୁନିଶ୍ଚିତ ନରହତ୍ୟାକୁ କିପରି ରୋକି ପାରିବେ, ସେଇ ଭାବନାରେ କର୍ତ୍ତୃପକ୍ଷ ଚିନ୍ତିତ ହୋଇ ଉଠିଲେ ।

 

ଅମାବାସ୍ୟା ଦିନ ଅପରାହ୍ନ ବେଳକୁ ଜନତାକୁ ସମ୍ଭାଳିବା ଅସମ୍ଭବ ହୋଇ ଉଠିଲା । ସେ ଦିନ ସଞ୍ଜବେଳେ ବହୁ କଷ୍ଟରେ ଜନତାର ବ୍ୟୂହ ଭେଦକରି ମୁଁ ସେଇ ଆବିର୍ଭାବ ମଞ୍ଚ ନିକଟରେ ଛିଡ଼ା ହୋଇଥିଲି । ଅତି ଉଜ୍ଜ୍ୱଳ ଫ୍ଳଡ଼୍ ଲାଇଟ୍‍ରେ ଚତୁର୍ଦ୍ଦିଗ ଆଲୋକିତ । ସମସ୍ତେ ଏକ ଧ୍ୟାନରେ ଓ ଭକ୍ତି ଗଦ୍‍ଗଦ ଚିତ୍ତରେ ସେଇ ବାଉଁଶ ଘେରା ସ୍ଥାନଟିକୁ ଚାହିଁଛନ୍ତି । ଅଦୂରରେ ପାହାଡ଼ୀବାବା ସେହିପରି ଧ୍ୟାନମଗ୍ନ । ସେଇ ଭିଡ଼ ଭିତରକୁ କିଏ ଜଣେ ମୋର ହାତ ଧରି ଟାଣିଲା-। ଚାହିଁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ନର୍ଗୀସ୍ ଆସିଛି । –ତମେ ଏଠାକୁ କାହିଁକି ଆସିଛ ନର୍ଗୀସ୍-! କାହା ସଙ୍ଗେ ଆସିଛ ? ମୁଁ ବ୍ୟସ୍ତ ହୋଇ ପଚାରିଲି ।

 

ସାମାନ୍ୟ ହସି ନର୍ଗୀସ୍ କହିଲା–ମୁଁ ଏକା ଆସିଛି । ଟିକିଏ ଇଆଡ଼େ ଶୁଣିଯାଅ ।

 

ଭିଡ଼ ଠେଲି ବହୁ କଷ୍ଟରେ ନର୍ଗୀସ୍‍କୁ ନେଇ ମୁଁ ବାହାରକୁ ଆସିଲି । ନିମ୍ନ କଣ୍ଠରେ ନର୍ଗୀସ୍ କହିଲା–ମୁଁ ଦର୍ଶନ କରିବାକୁ ଆସିଛି । ମୁଁ ଶୁଣୁଛି ଯେ, ଯିଏ ଏଇ ଶିବଲିଙ୍ଗକୁ ପାତାଳରୁ ଉଠିବା ଦେଖିବ ତା’ର ମନୋବାଞ୍ଛା ପୂର୍ଣ୍ଣ ହେବ । ସେଥିପାଇଁ ମୁଁ ଲୁଚି ଚାଲି ଆସିଛି ।

 

କ’ଣ ଯେ ନର୍ଗୀସ୍‍ର ଗୋପନ କାମନା ତା’ ମୁଁ ତାକୁ ପଚାରି ନାହିଁ । ଗୋଟିଏ ନାରୀ ଅନ୍ତରର ଅନ୍ଦରମହଲ ଭିତରେ ପ୍ରବେଶ କରିବାର ଇଚ୍ଛା ମୋର ନାହିଁ । କିନ୍ତୁ ମୁଁ ନର୍ଗୀସ୍‍ର ନିରାପତ୍ତା ବିଷୟରେ ଚିନ୍ତିତ ହେଲି । ମୁଁ ଧର୍ମବିଶ୍ୱାସୀ ହିନ୍ଦୁ ହେଲେ ମଧ୍ୟ ଅନ୍ଧବିଶ୍ଵାସୀ ନୁହେଁ । ଗୋଟିଏ ଜ୍ୟୋତିର୍ମୟ–ଶିବଲିଙ୍ଗ ସମସ୍ତଙ୍କ ଆଖି ଆଗରେ ପାତାଳରୁ ଉଠିବ, ଏପରି ଅପାର୍ଥିବ ଘଟନା ଉପରେ ମୋର ଘୋର ସନ୍ଦେହ ଥିଲା । ଯଦି ସେପରି ଘଟନା ନ ଘଟେ, ତେବେ ଏଇ ବିଶାଳ ଜନତା କିପରି କ୍ରୁଦ୍ଧ ହେବେ ଓ ଏଠାରେ କ’ଣ ଘଟିବ ତା’ ମୋ ଆଖିକୁ ଜଳଜଳ ଦେଖାଯାଉଥିଲା । ସେପରି ସ୍ଥାନରେ ନର୍ଗୀସ୍ ପରି ଗୋଟିଏ ନାରୀ ରହିବା ଆଦୌ ଉଚିତ ନୁହେଁ । ମୁଁ ତାକୁ ସବୁ କଥା ଭଲ ଭାବରେ ବୁଝାଇ କହିଲି–ତୁମେ ଏଠାରୁ ଘରକୁ ଫେରିଯାଅ ନର୍ଗୀସ୍ । ଏପରି ଅସମ୍ଭବ ଘଟନା ଉପରେ କଦାପି ବିଶ୍ଵାସ ରଖନାହିଁ ।

 

ମୋ କଥା ଶୁଣି ତା’ର ଆଖି ଦୁଇଟିରେ ଯେପରି ଗୋଟାଏ ବୈରାଗ୍ୟ ଫୁଟି ଉଠିଲା । ହତାଶ କଣ୍ଠରେ କହିଲା,–ତେବେ ମୁଁ ଫେରିଯାଉଛି । ଆଉ କ’ଣ ତୁମ ସଙ୍ଗେ ଦେଖା ହେବ ନାହିଁ ।

 

ସେ ଜଟିଳ ଜିଜ୍ଞାସାର ମୁଁ ଉତ୍ତର ଦେଇ ନାହିଁ । ନୀରବ ରହିଲି । ନର୍ଗୀସ୍ ସହିତ ତାହାହିଁ ମୋର ଶେଷ ସାକ୍ଷାତ । ଆଉ ଦେଖା ହୋଇନାହିଁ ।

 

କ୍ରମେ ରାତି ବଢ଼ିଲା । ଅମାବାସ୍ୟା ରାତ୍ରି । ସହସ୍ରସହସ୍ର ନରନାରୀ ବ୍ୟାକୁଳ ହୋଇ ଚାହିଁ ରହିଛନ୍ତି । ସନ୍ନ୍ୟାସୀ ସେହିପରି ଧ୍ୟାନମଗ୍ନ । ହଠାତ ସେ ଜନ-ସମୁଦ୍ର ଭିତରୁ କିଏ ଜଣେ ଚିତ୍କାର କରି ଉଠିଲା–ଏଇ ଦେଖ, ଜ୍ୟୋତିର୍ମୟ ଲିଙ୍ଗ ପାତାଳରୁ ବାହାରୁଛନ୍ତି । “ଜୟ ଶିବ ଶଙ୍କର”-

 

ବିଶାଳ ଜନତା ଆନନ୍ଦ ଚିତ୍କାର କରି ଉଠିଲା । ମୁଁ ନିଜ ଆଖିରେ ଦେଖିଲି କାଦୁଅ ଭିତରୁ କଳା ଗୋଟିଏ ଶିବଲିଙ୍ଗ ଦେଖା ଯାଉଛି । ତା’ର ଉପର ଅଂଶ ଚକ୍‍ଚକ୍ ହୋଇ ଜଳୁଛି । ପ୍ରକୃତରେ ଜ୍ୟୋତିର୍ମୟ ଶିବଲିଙ୍ଗ । ଅତି ଅଭୂତପୂର୍ବ ଓ ପରମାଶ୍ଚର୍ଯ୍ୟ ଘଟନା ।

 

ପ୍ରଚଣ୍ଡ ଭକ୍ତିରେ ସମସ୍ତେ ଭୂଇଁରେ ଲୋଟିଗଲେ । ‘ଜୟ ଶିବ ଶଙ୍କର’ ଶବ୍ଦରେ ଚାରିଆଡ଼ ପୂରିଗଲା । ଧୀରେ ଧୀରେ ସେ ଜ୍ୟୋତିର୍ମୟ ଲିଙ୍ଗ ଆହୁରି କିଛି ଉପରକୁ ଉଠିଲେ । ଏ ଅପାର୍ଥିବ ଘଟନା ଦେଖି ମୁଁ ମଧ୍ୟ ଭକ୍ତି ଗଦ୍‍ଗଦ ଚିତ୍ତରେ ଭୂଇଁରେ ମୁଣ୍ଡିଆ ମାରିଲି ।

 

ତା’ପରେ ଧ୍ୟାନମଗ୍ନ ସନ୍ନ୍ୟାସୀଙ୍କର ପାଦପଦ୍ମରେ ଟଙ୍କା ସୁନାର ବୃଷ୍ଟି ଚାଲିଲା । ସହସ୍ରସହସ୍ର ଟଙ୍କା ଭକ୍ତମାନେ ଗଦା କରିଦେଲେ । ମୁଁ ମଧ୍ୟ ଯଥାଶକ୍ତି ଦକ୍ଷିଣା ଦେଇ ଆଉଥରେ ପ୍ରଣାମ କଲି ।

 

ସିଦ୍ଧ ସନ୍ନ୍ୟାସୀମାନେ ଜନକଲ୍ୟାଣ ପାଇଁ ଲୋକାଳୟରେ ଆବିର୍ଭୂତ ହୁଅନ୍ତି । ଠିକ୍ ଯେପରି ଯୁଗେଯୁଗେ ଧର୍ମ ସଂସ୍ଥାପନ ପାଇଁ ଭଗବାନ୍ ଅବତାର ଗ୍ରହଣ କରନ୍ତି । ତା’ପରେ କର୍ମ ଶେଷ ହେବାମାତ୍ରେ ମହାପୁରୁଷମାନଙ୍କର ତିରୋଧାନ ହୁଏ ଠିକ୍ ସେହିପରି ତା’ ପରଦିନ ଠାରୁ ମହାତ୍ମା ପାହାଡ଼ୀବାବା ବା ତାଙ୍କର ଚେଲାଙ୍କୁ ଆଉ କେହି ଦେଖିପାରିଲେ ନାହିଁ । ଲକ୍ଷ୍ନୌ ପୁଲିସର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଗଲା । ପୁଲିସ ପହଞ୍ଚିବା ପୂର୍ବରୁ ଉତ୍ତର ପ୍ରଦେଶର ପାହାଡ଼ୀବାବାରୂପୀ ନରହନ୍ତା ଫେରାରୀ ଦସ୍ୟୁ ସର୍ଦ୍ଦାର ସିଂ କଟକରୁ କେତେକ ହଜାର ଟଙ୍କା ଓ ପର୍ଯ୍ୟାପ୍ତ ସୁନା ନେଇ ଉଭାଇଗଲା । ଲକ୍ଷ୍ନୌର ଗୋଇନ୍ଦା ଇନ୍‍ସପେକ୍‍ଟରଙ୍କଠାରୁ ସବୁ ଶୁଣି କର୍ତ୍ତୃପକ୍ଷ ଶିବଲିଙ୍ଗ ବାହାରିଥିବା ସ୍ଥାନଟି ଖୋଳିଲେ । ତା’ତଳୁ ଯାହା ବାହାରିଲା, ତାହା ଦେଖି ସବୁ ରହସ୍ୟ ପରିଷ୍କାର ହୋଇଗଲା । ସାଧୁଜୀ ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିବା ପୂର୍ବରୁ ଗଛମୂଳର ସେ ନିର୍ଜନ ସ୍ଥାନଟି ଗୋପନରେ ଖୋଳି ଗୋଟିଏ ଲୁହାର ଡ୍ରମ୍ ପୋତିଦେଇଥିଲା । ସେଇ ଡ୍ରମ୍‍ର ତିନିଭାଗ ଅଂଶ ଶୁଖିଲା ବୁଟରେ ପୂର୍ଣ୍ଣ କରି ଦିଅ–ହୋଇଥିଲା ଓ ଖଣ୍ଡିଏ ଚିକ୍କଣ ମୁଗୁନିପଥର ଲମ୍ବ ଭାବରେ ସେଇ ବୁଟ ଉପରେ ବସାଇ ଦିଆ ହୋଇଥିଲା । ଜ୍ୟୋତିର୍ମୟ ଶିବଲିଙ୍ଗର ଧାରଣା ଦେବାପାଇଁ ଉକ୍ତ ପଥର ଉପରେ ଭଲ କରି ଫସ୍‍ଫରସ୍ ବୋଳି ଦିଆ ହୋଇଥିଲା । ତା’ପରେ ଡ୍ରମ୍‍ଟିକୁ ମାଟି ଦେଇ ପୋତିଦିଆ ହୋଇଥିଲା । ମାଟିଉପରୁ ଅନବରତ ପାଣି ଢଳାହେବାଦ୍ଵାରା ଡ୍ରମ୍ ଭିତରେ ଥିବା ଶୁଖିଲା ବୁଟ ଧୀରେ ଧୀରେ ଫୁଲିଲା ଓ ତା’ ଉପରେ ଥିବା ମୁଗୁନିପଥରର ଶିବଲିଙ୍ଗଟି ଧୀରେ ଧୀରେ କଅଁଳ ମାଟି ଉପରକୁ ଉଠିଲା । ଏହାହିଁ ହେଉଛି ଜ୍ୟୋତିର୍ମୟ ଶିବଲିଙ୍ଗ ଆବିର୍ଭାବର ଭିତିରି ରହସ୍ୟ ।

 

ଏ ଘଟନା ପରେ ବହୁ ବିଚିତ୍ର ଅଭିଜ୍ଞତା ମୁଁ ଅର୍ଜନ କରିଛି । ବହୁ ଅପରାଧୀଙ୍କର ଅଦ୍ଭୁତ ଅପରାଧ ପଦ୍ଧତି ମୁଁ ଦେଖିଛି । କିନ୍ତୁ ଏଇ ଅତି ସହଜ ଓ ଅଦ୍ଭୁତ ଠକାମିର ତୁଳନା ମୁଁ ଆଉ ଜୀବନସାରା ପାଇନାହିଁ ।

 

–ନ–

 

ନର୍ଗୀସ୍ ସଙ୍ଗେ ଆଉ ମୋର ଦେଖା ହୋଇନାହିଁ । ଏତେ କାଳ ପରେ ମଧ୍ୟ ମଝିରେମଝିରେ ତା’ କଥା ମୋର ମନେ ପଡ଼େ । ଗୋଟିଏ କରୁଣ ଦୀର୍ଘଶ୍ଵାସ ପରି ବେଦନାମୟ ସ୍ମୃତି । କବି ଓ ସାମ୍ବାଦିକ ବନ୍ଧୁ ଘନଶ୍ୟାମ ସବୁ ଶୁଣି ସେଦିନ ବିଶ୍ଵକବିଙ୍କର ଗୋଟିଏ କବିତା ଆବୃତ୍ତି କରିଥିଲେ–

 

“ଯେଉଁ ଦିନ କର୍ମହୀନ ପୂର୍ଣ୍ଣ ଅବକାଶେ

ଫାଲ୍‍ଗୁନ ଆକାଶେ,

ଅତୀତର ତୀର ଦେଶୁ ବହିବ ଯେବେ ଗୋ ଦୀର୍ଘଶ୍ଵାସ

ଝରା ବଉଳର ଅଶ୍ରୁ ବ୍ୟଥିତ ଆକାଶ

ସେଇ ଲଗ୍ନେ ଚାହିଁ ଦେଖ, କିଛି ମୋର ରହିଲା କି ଶେଷ–

ତୁମରି ଚରଣ ପ୍ରାନ୍ତେ......”

 

ନର୍ଗୀସ୍ ଥିଲା ଘୋର ପର୍ଦ୍ଦାନସୀନ ମୁସଲମାନୀ । ସମାଜ ବିଧି ନିଷେଧ ନ ମାନି ସବୁ ଶୃଙ୍ଖଳ ଛିଣ୍ଡାଇଦେଇ ସେଦିନ ସଞ୍ଜବେଳେ ସେ ଏକା ଧାଇଁଆସିଥିଲା ଜ୍ୟୋତିର୍ମୟ ଶିବଲିଙ୍ଗ ଦର୍ଶନ କରିବାପାଇଁ । ତାହାହେଲେ ତା’ର ମନୋବାଞ୍ଛା ପୂର୍ଣ୍ଣ ହୋଇଥାନ୍ତା, କ’ଣ ଯେ ତା’ର ଗୋପନ ମନୋବାଞ୍ଛା ଥିଲା, ତାହା ଚିରଦିନ ପାଇଁ ମୋ ନିକଟରେ ଅଜ୍ଞାତ ରହିଗଲା ।

 

ମୋ କଥା ଶୁଣି ଘନଶ୍ୟାମ କେତୋଟି ଉଚ୍ଚାଙ୍ଗ ତତ୍ତ୍ଵ କଥା କହିଥିଲା–ଏଇତ ବିଧାତାଙ୍କର ସୃଷ୍ଟିର ପରମାଶ୍ଚର୍ଯ୍ୟ ଭାଇ । ମଣିଷର ସବୁ ଆଶାର ସୌଧ ନିୟତିର ଗୋଟିଏ ଫୁକାରରେ ନିମେଷକେ ଭାଙ୍ଗି ଚୂରମାର ହୋଇଯାଏ । ମୃତ୍ୟୁର ଶୀତଳ ହସ୍ତ ଯେ କାହାକୁ କେତେବେଳେ ନିଜ କୋଳକୁ ଟାଣିନିଏ, ତାହା ମୋହ ମୁଗ୍ଧ ମାନବ କଦାପି ଜାଣିପାରିବ ନାହିଁ । ନର୍ଗୀସ୍ ମଧ୍ୟ ଜାଣି ନଥିଲା ଯେ ଜୀବନ ଯାତ୍ରା ତା’ର ଶେଷ ହୋଇ ଆସିଥିଲା । ଜୀବନର ସବୁ ଆଶା, ସବୁ ମନୋବାଞ୍ଛା ତା’ ନିଜ ସହିତ ସବୁଦିନ ପାଇଁ ନିଃଶେଷ ହୋଇଯିବ ।

 

ଆଜି ଏଇ କାହାଣୀ ଲେଖିବାକୁ ଯାଇ ନର୍ଗୀସ୍‍ପାଇଁ ମୁଁ ଦୀର୍ଘଶ୍ଵାସ ପକାଉଛି । ମୃତ୍ୟୁପରେ ଆତ୍ମା ବଞ୍ଚିଥାଏ କି ନାହିଁ, ମୋତେ ଜଣା ନାହିଁ । ସେ ସବୁ ପଣ୍ଡିତମାନଙ୍କର ତତ୍ତ୍ଵ ଆଲୋଚନାର ବିଷୟ । ମୋର ଏଇ ଦୀର୍ଘଶ୍ୱାସ ନର୍ଗୀସ୍‍ର ଆତ୍ମା ଶୁଣିପାରୁଛି କି ନାହିଁ କେଜାଣି ! ସେଦିନ ସଞ୍ଜବେଳେ ନର୍ଗୀସ୍ ସହିତ ମୋର ଶେଷ ସାକ୍ଷାତ ହେବାର ମାତ୍ର କେତେକ ମାସ ପରେ ନର୍ଗୀସ୍‍ର ମୃତ୍ୟୁ ହେଲା । ସେତେବେଳେ ମୁଁ ଚାକିରିରୁ ଛୁଟି ନେଇ ଆମ ଗାଁକୁ ଚାଲି ଆସିଥିଲି । ସେଇଠାରେ ବନ୍ଧୁ ଘନଶ୍ୟାମର ଚିଠିରେ ନର୍ଗୀସ୍‍ର ମୃତ୍ୟୁ ସମ୍ବାଦ ପାଇଲି । ଅପମୃତ୍ୟୁ ନୁହେଁ, ସନ୍ଦେହଜନକ ଆକସ୍ମିକ ମୃତ୍ୟୁ ନୁହେଁ । ଦୁଇଦିନ ଜରରେ ଅତି ସାଧାରଣ ମୃତ୍ୟୁ । ଯେଉଁ ନିଭୃତ ପଲ୍ଲୀ କୋଳରେ ନର୍ଗୀସ୍‍କୁ ମୁଁ ପ୍ରଥମେ ବାଲ୍ୟ ସଙ୍ଗିନୀରୂପେ ଲାଭ କରିଥିଲି, ସେଇ ଛାୟାଶୀତଳ ପରିବେଶରେ ମୁଁ ତା’ର ମୃତ୍ୟୁ ସମ୍ବାଦ ପାଇଲି । କିନ୍ତୁ କେଜାଣି କାହିଁକି, ମୋର ଦୃଢ଼ବିଶ୍ୱାସ ଯେ ନର୍ଗୀସ୍‍ର ସାଧାରଣ ମୃତ୍ୟୁ ହୋଇନାହିଁ । ନରପଶୁ ଗନିମିଆଁ ତା’କୁ ହତ୍ୟା କରିଛି ।

 

ଘନଶ୍ୟାମ ଠାରୁ ଚିଠି ପାଇ ମୁଁ କଟକ ଧାଇଁ ଆସିଥିଲି । ଯେତେଦୂର ସମ୍ଭବ ସବୁ ଘଟନା ଗୋଟିଗୋଟି କରି ତଦନ୍ତ କଲି । କୌଣସି ପ୍ରମାଣ ନଥିଲେ ମଧ୍ୟ ମୋର ବିଶ୍ଵାସ ଯେ ନର୍ଗୀସ୍‍ର ସ୍ଵାଭାବିକ ମୃତ୍ୟୁ ହୋଇନାହିଁ । ସେ କ’ଣ ଆତ୍ମହତ୍ୟା କଲା ! ନା, ଗନିମିଆଁ ତାକୁ ହତ୍ୟାକଲା !! ଏ ରହସ୍ୟ ଚିରଦିନ ଅଜଣା ରହିବ । କେବଳ ନର୍ଗୀସ୍‍ର ପ୍ରେତାତ୍ମା ଏ ପ୍ରଶ୍ନର ସଠିକ ଉତ୍ତର ଦେଇପାରିବ । ଆଜି ମୋର ଅନୁତାପ ହୁଏ ଯେ ସେଦିନ ନର୍ଗୀସ୍‍କୁ ତା’ର ମନୋବାଞ୍ଚ୍ଥା କ’ଣ ବୋଲି କାହିଁକି ପଚାରି ନଥିଲି । ପଚାରିଥିଲେ ସେ କହିଦେଇଥା’ନ୍ତା । ମୋ ନିକଟରେ ହୁଏତ କିଛି ଗୋପନ କରନ୍ତା ନାହିଁ । ତା’ ହୋଇଥିଲେ ହୁଏତ ତା’ର ମୃତ୍ୟୁ ରହସ୍ୟ ମୁଁ ଭେଦକରି ପାରିଥାନ୍ତି ।

 

ବହୁତ ଦିନ ହେଲା ମୁଁ ଜଗବନ୍ଧୁର ଆଉ କୌଣସି ସମ୍ବାଦ ରଖି ନଥିଲି । ସେଦିନ ରାତିରେ ତାକୁ କଠିନ ରୋଗଶଯ୍ୟାରେ ଦେଖିଆସିଥିଲି । ତା’ପରେ ଥରେମାତ୍ର ତାକୁ ଦେଖିଥିଲି । ଖଣ୍ଡିଏ ଟଣା ରିକ୍‍ସାରେ ବସି କେଉଁଆଡ଼େ ଯାଉଥିଲା । ରୋଗ ପାଣ୍ଡୁର ଶୁଖିଲା ମୁହଁଟି କିପରି କରୁଣ ଦେଖାଯାଉଥିଲା । ସେ ମୋତେ ଦେଖିପାରିନାହିଁ, ରିକ୍‍ସାରେ ବସି ଚାଲିଗଲା ।

 

ଅନେକ ଦିନ ପରେ ଅତି ଆକସ୍ମିକ ଭାବରେ ପୁଣି ଥରେ ତା’ ସହିତ ଦେଖାହେଲା । ସେଦିନ ଅପରାହ୍ନରେ କାଳିଗଳିବାଟେ ମୁଁ ଅନ୍ୟମନସ୍କ ଭାବରେ ଏକା ଚାଲିଚାଲି ଯାଉଥିଲି । ଗୋଟିଏ ଭଙ୍ଗା ଚାଳଘର ଭିତରୁ ଜଗବନ୍ଧୁର ଡାକ ଶୁଣି ମୁଁ ଚମକି ଗଲି । ଘରଭିତରୁ ବାହାରି ଜଗବନ୍ଧୁ ମୋ ନିକଟକୁ ଦୌଡ଼ିଆସି ସେଇ ସଡ଼କ ଉପରେ ମୋ ଗୋଡ଼ଧୂଳି ନେଇ ପ୍ରଣାମ କଲା ।

 

–ସାର୍, କେତେଦିନ ହେଲା ଆପଣଙ୍କର ଦର୍ଶନ ପାଇନାହିଁ । ଆପଣଙ୍କ ଆଶୀର୍ବାଦରୁ ମରୁମରୁ ବଞ୍ଚିଗଲି । ତା’ପରେ ଆପଣଙ୍କୁ ଦର୍ଶନ କରିବାକୁ ଯାଇ ଶୁଣିଲି ଯେ ଆପଣ ଛୁଟିରେ ଗାଁକୁ ଚାଲିଯାଇଛନ୍ତି ।

 

–ତମେ ଏଠାରେ କ’ଣ କରୁଛ ଜଗବନ୍ଧୁ ? ଶୋଭନା କମଳା ଭଲ ଅଛନ୍ତି ତ ! ମୁଁ ପଚାରିଲି ।

 

–ହଁ ସାର୍ ସେମାନେ ସମସ୍ତେ ଭଲ ଅଛନ୍ତି । ମୁଁ ଏଠାରେ ଟିକିଏ–କଥା ଶେଷ ନ କରି ଜଗବନ୍ଧୁ ଯେପରି ଟିକିଏ ଲଜ୍ଜିତ ହୋଇ ଚୁପ୍ ହୋଇଗଲା । ମୁଁ ଘରଟିକୁ ଚାହିଁ ଦେଖିଲି । ଭଙ୍ଗା ଘରଟିର ଚାଳରେ ଗୋଟିଏ ବଡ଼ ସାଇନ୍ ବୋର୍ଡ଼ ଝୁଲୁଛି । “ପଣ୍ଡିତ ଦଣ୍ଡଧର ନାୟକ, ଜ୍ୟୋତିଷାର୍ଣ୍ଣବ ।’’ ମୁଁ ହସି ପକାଇଲି, ଏ ମହାଜ୍ୟୋତିଷଙ୍କୁ ମୁଁ ଖୁବ୍ ଭଲ ଭାବରେ ଚିହ୍ନେ । ଏବେ ଏଠାରେ ସେ ଗୋଟାଏ ସାଇନ୍‍ବୋର୍ଡ଼ ଝୁଲାଇ ବସିଥିବାର ମୁଁ ଜାଣି ନଥିଲି । କୌତୁକ କରି କହିଲି–ଜ୍ୟୋତିଷାର୍ଣ୍ଣବଙ୍କ ଠାରୁ ନିଜର ଭବିଷ୍ୟତ୍‍ଟା ଜାଣିନେଉଛ ନା କ’ଣ ଜଗବନ୍ଧୁ ?

 

ଜଗବନ୍ଧୁ କହିଲା–ନାଇଁ ସାର୍, ଜ୍ୟୋତିଷଙ୍କ ଠାରୁ ମୁଁ ପାମିଷ୍ଟ୍ରୀ ଶିଖୁଛି । ଆସନ୍ତୁ ସାର୍, ଆମର ଅଫିସ ଭିତରକୁ ଆସନ୍ତୁ ।

 

–ତୁମର ଅଫିସ !! ମୁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

–ହଁ ସାର୍, ଏଇଟା ଗୋଟାଏ ପାର୍ଟନରସିପ୍ ଫାର୍ମ ।

 

ଆଉ ଗୋଟିଏ ନୂଆ ସାଇନ୍ ବୋର୍ଡ଼ ଲେଖିବାକୁ ଦେଇଛି । ଏ କମ୍ପାନୀର ନାମ ହୋଇଛି “ଦି ଏଲାୟଡ଼ ଫୋର୍‍ଟେଲର୍ସ ।” ଏଠାରେ ପାମିଷ୍ଟ୍ରି ସେକସନ୍‍ଟା ମୁଁ ରନ୍ କରିବି । ଆଉ ଅଷ୍ଟ୍ରୋଲୋଜି ସେକସନ୍‍ଟା ଦଣ୍ଡଧର ନାୟକ ଚଳାଇବ । ତୋଫା ଚଳିବ, ଭିତରକୁ ଆସନ୍ତୁ ସାର୍ ।

 

ସେଦିନ ଅବଶ୍ୟ ମୁଁ ମନେମନେ ହସିଥିଲି । ଜ୍ୟୋତିଷ ଶାସ୍ତ୍ର ଉପରେ ଯେ ମୋର ବିଶ୍ୱାସ ନାହିଁ ତାହା ନୁହେଁ । ଏଇ ଯେ ଲୋକଟି ପଣ୍ଡିତ ଦଣ୍ଡଧର ନାୟକ, ଜ୍ୟୋତିଷାର୍ଣ୍ଣବ ବୋଲି ଏଠାରେ ବସିଛି–ତାକୁ ମୁଁ ଖୁବ୍ ଭଲଭାବରେ ଜାଣେ । ସାମାନ୍ୟ ପ୍ରାଇମେରୀ କ୍ଲାସ ପର୍ଯ୍ୟନ୍ତ ତା’ର ପାଠ । ଜ୍ୟୋତିଷଶାସ୍ତ୍ରରେ ସେ ସମ୍ପୂର୍ଣ୍ଣ ଅଜ୍ଞ । କୌଣସି ଅନୁଷ୍ଠାନ ତାକୁ ‘‘ଜ୍ୟୋତିଷାର୍ଣ୍ଣବ’’ ଉପାଧି ଦେଇନାହିଁ । ତା’ର ବାଁ ଗୋଡ଼ଟି ଛୋଟା । ପେଙ୍ଗେଇ ପେଙ୍ଗେଇ ଚାଲେ । ତା’ର ମଧ୍ୟ ଗୋଟିଏ ଅତି କୌତୁକାବହ ଇତିହାସ ଅଛି । ଆଉ ସେଇ ଘଟନାକୁ କେନ୍ଦ୍ରକରି ଦଣ୍ଡଧର ସହିତ ମୋର ପରିଚୟ । ପ୍ରାୟ ତିନିବର୍ଷ ତଳେ କଚେରି ହତାର ଗୋଟିଏ ବରଗଛ ମୂଳେ ଦଣ୍ଡଧର ବସି ଲୋକଙ୍କର କର, କପାଳ, କୋଷ୍ଠୀ ପ୍ରଭୃତି ଦେଖି ପଇସା ରୋଜଗାର କରୁଥିଲା । ମୁଁ ମଧ୍ୟ ତାକୁ ସେତେବେଳେ ବହୁଥର ଦେଖିଛି । ସର୍ବାଙ୍ଗରେ ତିଳକ ଚିତାକାଟି କଚେରି ସମୟକୁ ଦଣ୍ଡଧର ତା’ର ଦୋକାନ ଖୋଲେ । ଖଣ୍ଡିଏ ମସିଣା ଉପରେ ଗୋଟିଏ କାଠ ବାକ୍‍ସ ରଖି ତା’ ଉପରେ ଗୋଟିଏ ଧୂପବତି ଜାଳିଦିଏ । ଦୁଇଗଦା ବହି ବାହାର କରି ମସିଣା ଉପରେ ରଖେ । କଳାରଙ୍ଗ ବୋଳା ଖଣ୍ଡିଏ ଟିଣ ପଟା ଉପରେ ଧଳାରଙ୍ଗ ଦେଇ ଦୁଇଟି କରତଳିର ଚିତ୍ର ଅଙ୍କା ହୋଇଥାଏ । ସେ ଖଣ୍ଡିକ ସାମାନକୁ ମୁହଁକରି ବାକ୍‍ସ ଉପରେ ଡେରିଦିଏ । ତା’ପରେ ଗ୍ରାହକ ଅପେକ୍ଷାରେ ସେ ବସିଥାଏ ।

 

ମକଦ୍ଦମାବାଜ ଟାଉଟରମାନେ ସାଧାରଣତଃ ତା’ର ଖରିଦଦାର । ମକଦ୍ଦମାର ଫଳାଫଳ ଜାଣିବା ଆଶାରେ ସେମାନେ ତା’ ନିକଟକୁ ଆସନ୍ତି । ନାନାରକମ ବହି ଦେଖି, ସିଲଟ ଉପରେ ନାନାରକମ ଅଙ୍କ କଷି ଅବଶେଷରେ ସେ ଭବିଷ୍ୟଦ୍ୱାଣୀ ଶୁଣାଏ ! କେଉଁ ଗ୍ରହର ପ୍ରଭାବ ବର୍ତ୍ତମାନ ପଡ଼ିଛି ଓ ତା’ର କୁଫଳ କ’ଣ ତାହା ତାହା ମଧ୍ୟ କହିଦିଏ । ଅବଶେଷରେ ବାକ୍‍ସ ଭିତରୁ କାଢ଼ି ଗୋଟିଏ ତମ୍ବା ଡେଉଁରିଆ ଦିଏ । ତା’ ଭାଷାରେ କେଉଁଟି ମହାକାଳୀ କବଚ ତ କେଉଁଟି ବଗଳାମୁଖୀ କବଚ । ସେ କବଚ ଧାରଣ କଲେ ଆଉ କୌଣସି ଦୃଷ୍ଟ ଗ୍ରହର ପ୍ରଭାବ ଭୋଗ କରିବାକୁ ହେବ ନାହିଁ । ମକଦ୍ଦମାରେ ବିଜୟ ଓ ଶତ୍ରୁଦଳନ–ଏ କବଚ ଧାରଣ କରିଥିବା ଲୋକ ପକ୍ଷରେ ଗୋଟିଏ ମାମୁଲି କଥା ।

 

ଏହିପରି ଭାବରେ ସେ ଯେତେବେଳେ ଜୀବିକା ନିର୍ବାହ କରୁଥିଲା । ହଠାତ ଗୋଟିଏ ଦୁର୍ଘଟନା ଘଟିଲା, ମଇତୁମିଆଁ ନାମରେ ଜଣେ ବିଖ୍ୟାତ ଗୁଣ୍ଡା ବିରୁଦ୍ଧରେ ଅବକାରୀ ବିଭାଗ ପକ୍ଷରୁ ଗୋଟିଏ ମକଦ୍ଦମା ଆଗତ କରାହୋଇଥିଲା । ସେଦିନ ଥିଲା ତା’ର ରାୟ ବାହାରିବାର ତାରିଖ । କିପରି କେଜାଣି ମଇତୁମିଆଁ ଆସି ଦଣ୍ତଧର ନିକଟରୁ ଦୁଇଟଙ୍କା ଦେଇ ଗୋଟିଏ ବଗଳାମୁଖୀ କବଚ ନେଲା । ଜ୍ୟୋତିଷ ନିର୍ଭର ଜବାବ ଦେଇଥିଲେ ଯେ ଏ ମକଦ୍ଦମାରୁ ମଇତୁ ନିଶ୍ଚୟ ଖଲାସ ହେବ । କିନ୍ତୁ ହେଲା ବିପରୀତ । ମଇତୁମିଆଁକୁ ଏକମାସ ସଶ୍ରମ କାରାଦଣ୍ଡର ଆଦେଶ ହେଲା । ସେ କାରାବରଣ କଲା ।

 

ଠିକ୍ ଯେଉଁଦିନ ମଇତୁ ଜେଲ୍‍ରୁ ଖଲାସ ହେଲା, ସେଦିନ ପ୍ରଥମେ ଦୀର୍ଘ ଏକମାସର ସୁରାତୃଷା, ଆକଣ୍ଠ ମଦ୍ୟପାନ କରି ସେ ପୂରଣ କଲା । ତା’ପରେ ତା’ର ପାଚିଲା ଠେଙ୍ଗାଟି ଧରି ସେ ପହଞ୍ଚିଲା ଜ୍ୟୋତିଷ ଦଣ୍ତଧର ନିକଟରେ । ସେତେବେଳେ ଜ୍ୟୋତିଷାଚାର୍ଯ୍ୟ ଏକଧ୍ୟାନରେ ଜଣକର କର ରେଖା ପରୀକ୍ଷା କରୁଥିଲା । ହଠାତ ମଇତୁମିଆଁର ବଳିଷ୍ଠ ବଂଶ ଦଣ୍ଡ ପ୍ରବଳ ବେଗରେ ତା’ ପିଠିରେ ପଡ଼ିଲା । ଯନ୍ତ୍ରଣାରେ ସେ ଚିତ୍କାର କରି ଗଡ଼ିବାକୁ ଲାଗିଲା । ଚାରିଆଡ଼େ ଲୋକ ଜମିଗଲେ । କିନ୍ତୁ ମଦମତ୍ତ ମଇତୁର ଠେଙ୍ଗା ମୁହଁରୁ କେହି ତାକୁ ରକ୍ଷା କରିପାରିଲେ ନାହିଁ-। ପୁଲିସ ସମ୍ବାଦ ପାଇ ସେଠାରେ ପହଞ୍ଚିଲା ବେଳକୁ ଜ୍ୟୋତିଷ ରକ୍ତାକ୍ତ ଦେହରେ ସଂଜ୍ଞାହୀନ ହୋଇ ପଡ଼ିଛି ।

 

ବହୁଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଦଣ୍ତଧର ଅବଶେଷରେ ଆରୋଗ୍ୟଲାଭ କଲା । କିନ୍ତୁ ବାଁ ଗୋଡ଼ଟି ତା’ର ଚିରଦିନ ପାଇଁ ଛୋଟା ରହିଗଲା । ଏଇ ଘଟନାସୂତ୍ରରେ ଦଣ୍ତଧରର ବହିଗୁଡ଼ିକ ମୁଁ ଦେଖିଥିଲି । ହନୁମାନ ପ୍ରଶ୍ନ ନାମକ ଖଣ୍ଡିଏ ଅତି ଚଟିବହି ଛଡ଼ା ବାକି ସବୁଗୁଡ଼ିକ ପୁରୁଣା ପାଞ୍ଜି, ଔଷଧ ତାଲିକା ଓ ରେଲ୍‍ୱେ ଟାଇମଟେବୁଲ ପ୍ରଭୃତି ବେଦରକାରୀ ବହି-। କେବଳ ଲୋକଙ୍କର ବିଶ୍ଵାସ ଜନ୍ମାଇବା ପାଇଁ ସେ ସବୁ ବହିର ଥାକ ସେ ନିକଟରେ ରଖୁଥିଲା-। ସେତେବେଳେ ଦଣ୍ତଧର ନାୟକ ମୋ ନିକଟରେ ମାନିଛି ଯେ ସେ ଆଦୌ କିଛି ଜାଣେନାହିଁ । କେବଳ ପେଟ ପୋଷିବା ପାଇଁ ସେ ଏହା କରୁଥିଲା ।

 

ସେଇ ଦଣ୍ତଧର ନାୟକ ବର୍ତ୍ତମାନ “ପଣ୍ଡିତ ଦଣ୍ତଧର ନାୟକ, ଜ୍ୟୋତିଷାର୍ଣ୍ଣବ” ବୋଲି ସାଇନ୍‍ବୋର୍ଡ଼ ଟଙ୍ଗାଇଛି । ଜଗବନ୍ଧୁ ମଧ୍ୟ ତା’ସଙ୍ଗେ ଜୁଟିଛି । ଏ ବିଚିତ୍ର ଯୋଗାଯୋଗ ଦେଖି ମନେମନେ ଅତିଶୟ କୌତୁକ ଅନୁଭବ କଲି ।

 

ଜଗବନ୍ଧୁ ସଙ୍ଗେ ଭଙ୍ଗା ଘରଭିତରେ ପଶିଲି । ଘର ଭିତରେ ଖଣ୍ଡିଏ ଟେବୁଲ, କେତେଖଣ୍ଡି ଚଉକି ଓ ଗୋଟିଏ କାଚକବାଟଥିବା ଆଲମିରା ରଖାହୋଇଛି । ଆଲମିରା ଭିତରେ ଅନେକଗୁଡ଼ିଏ ବହି ରଖାହୋଇଛି । ମୋତେ ହଠାତ ଦେଖି ପଣ୍ଡିତ ଦଣ୍ତଧର ନାୟକ ଯେପରି ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଲି ମୋର ପୁରାତନ ଛାତ୍ର ବିନୋଦକୁ ସେଠାରେ ଦେଖି । ଏ ଦେଶର ଗୋଟିଏ ଅତି ପ୍ରାଚୀନ ଜମିଦାର ବଂଶର ବିନୋଦ ହେଉଛି ଶେଷ ପ୍ରଦୀପ । ମୋର ଛାତ୍ରାବାସରେ ମୁଁ ବିନୋଦର ଗୃହ ଶିକ୍ଷକ ଥିଲି । ବିନୋଦ ମୋତେ ଦେଖି ଚଉକିରୁ ଉଠିଆସି ମୋ ଗୋଡ଼ତଳେ ଗୋଟିଏ ପ୍ରଣାମ କଲା । ବର୍ତ୍ତମାନ ଯୁବକ, ଅତି ସୁନ୍ଦର କାନ୍ତି । ସର୍ବାଙ୍ଗରେ ଗୋଟାଏ ଅଭିଜାତର ଜ୍ୟୋତିଃ ।

 

–ବିନୋଦ, ତୁମେ ଏଠାରେ ଯେ ! ଜ୍ୟୋତିଷାର୍ଣ୍ଣବଙ୍କ ଠାରୁ ପାମିଷ୍ଟ୍ରି ଶିକ୍ଷା କରୁଛ ନା କ’ଣ ? ମୁଁ ପଚାରିଲି ।

 

ବିନୋଦ କୌଣସି ଉତ୍ତର ଦେବା ପୂର୍ବରୁ ଜଗବନ୍ଧୁ କହିଉଠିଲା–ନା, ନା ସାର୍ ବିନୋଦବାବୁ ମୋ ସହିତ ଦେଖା କରିବାକୁ ଆସିଥିଲେ । ସାର୍ ଆପଣଙ୍କର ପାମ୍‍ଟା ଥରେ ଦୟାକରି ଦେଖାନ୍ତୁ ତ !

 

ମୁଁ ମନାକରୁଥିବା ସତ୍ତ୍ୱେ ସେ ଜୋର୍‍ କରି ମୋ ଡାହାଣ ହାତଟି ଟାଣିନେଇ ଦେଖିବାକୁ ବସିଗଲା । କିଛିକ୍ଷଣ ପରୀକ୍ଷା କରିସାରି ହସହସ ମୁହଁରେ କହିଲା–ଓଃ ଲଭ୍‍ଲି ପାମ୍ ଖଣ୍ଡେ ସାର୍ ଆପଣଙ୍କର । ଏଇ ଯେ ମାଉଣ୍ଟ ଅଫ୍ ଜୁପିଟର ଉପରେ ଗୋଟାଏ ବଙ୍କା ରେଖା ଦେଖୁଛନ୍ତି, ତାକୁ କହନ୍ତି ମାରିଲ୍ ଲାଇନ୍ । ଜୀବନଯାକ ଆପଣ ସବୁସ୍ଥାନରେ ନେତୃତ୍ଵ କରିବେ । ଆଉ, ଏଇ ଦେଖନ୍ତୁ ଆପଣଙ୍କର ହାଟ୍ ଲାଇନ୍‍ଟା । ଏପରି ରେଖା କୋଟିଏ ହାତରେ ଗୋଟିଏ ଦେଖାଯାଏ, ଲଭ୍‍ଲି !

 

ଜଗବନ୍ଧୁ କଥା କହିବାର ଭଙ୍ଗୀ ଦେଖି ମୁଁ ହସି ପକାଇଲି । ସେତେବେଳକୁ ଜ୍ୟୋତିଷାର୍ଣ୍ଣବ ଦଣ୍ଡଧର ନାୟକ ଗମ୍ଭୀର ହୋଇ ନିଜ ଚଉକିରେ ବସିରହିଛି । ମୁଁ ହାତଟି ଟାଣିଆଣି କୌତୁକ କରି କହିଲି–ଜଗବନ୍ଧୁ, ପ୍ରକୃତରେ ତମେ ଗୋଟାଏ ଜିନିୟସ୍ । ଏଇ କେତେଟା ଦିନ ଭିତରେ ତମେ ପାମିଷ୍ଟ୍ରି ଯାହା ଶିଖିଯାଇଛ, ତା’ର ପ୍ରକୃତରେ ଅତି ପ୍ରଶଂସନୀୟ । ତୁମର ଏ ନୂଆ ପାର୍ଟନରସିପ୍ ବିଜିନେସ୍‍ଟି ଯେ କ୍ରମେ ବଢ଼ି ଚାଲିବ, ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ । ମୁଁ ଆଉ ଗୋଟିଏ ପ୍ରସ୍ତାବ ଦେଉଛି । ଏଇ “ଏଲାୟଡ଼୍ ଫୋର୍ ଟେଲର୍ସ” କମ୍ପାନୀକୁ ଲଗାଇ ଆଉ ଖଣ୍ଡିଏ ହୋମିଓପାଥି ଦୋକାନ ମଧ୍ୟ ଖୋଲ, ଖୁବ୍ ସୁନ୍ଦର ଚାଲିବ ।

 

ମୋର ବ୍ୟଙ୍ଗୋକ୍ତିରେ ଜଗବନ୍ଧୁ ତିଳେମାତ୍ର ଲଜ୍ଜିତ ହେଲାନାହିଁ । କହିଲା–ନାଇଁ ସାର୍, ତା’ର ପ୍ରୟୋଜନ ନାହିଁ । ଜ୍ୟୋତିଷାର୍ଣ୍ଣବଙ୍କ ଦ୍ଵାରା ପ୍ରସ୍ତୁତ କବଚ ଏଠାରେ ବିକ୍ରି କରାହେବ ।

 

ମୁଁ ଦଣ୍ଡଧର ଆଡ଼େ ଚାହିଁଲି । ସେ ଆଗପରି ଧ୍ୟାନସ୍ଥ ହୋଇ ବସି ରହିଛି । ହଣ୍ଡଧରର ପୂର୍ବ ଇତିହାସ ଜଗବନ୍ଧୁ ବୋଧହୁଏ ଜାଣେ ନାହିଁ । ମୁଁ କହିଲି–ଦଣ୍ଡଧର, ତୁମେ ପୁଣି କବଚ ଦେଉଛ ? ମୋର ବିଶ୍ଵାସ ଥିଲା ଯେ, ମଇତୁମିଆଁଦ୍ଵାରା ଚିକିତ୍ସିତ ହେବାପରେ ତୁମର କବଚ-ବ୍ୟାଧି ଆରୋଗ୍ୟ ଲାଭ କରିଛି । ଯାହା ହେଉ, ଖୁବ୍ ହୁସିଆର ହୋଇ ଏ ସବୁ କରୁଥିବ । ତୁମର ଭବିଷ୍ୟତ୍ ଯେ ଅତିଶୟ ଦୁଃଖମୟ ତା’ ମୁଁ ପରିଷ୍କାର ଦେଖି ପାରୁଛି । ମଇତୁମିଆଁ ଏବେବି ବଞ୍ଚିଛି-

 

ସେ ଦିନ ଅବଶ୍ୟ ମହାଠକ ଦଣ୍ଡଧର ନାୟକର ଶୋଚନୀୟ ପରିଣାମ ବିଷୟରେ ମୁଁ ଭବିଷ୍ୟତଦ୍ୱାଣୀ ଶୁଣାଇ ଥିଲି । ମୋର ଯେ ତାହା କେତେବଡ଼ ମତିଭ୍ରମ ତା’ ଆଜି ଏତେ ବର୍ଷପରେ ମୁଁ ବୁଝୁଛି । ବହୁବର୍ଷ ବିତି ଯାଇଛି । ଦେଶ ସ୍ଵାଧୀନ ହୋଇଛି । ବୁଦ୍ଧିରେ, ଜ୍ଞାନରେ, ବିକାଶରେ ଦେଶ ଆଗେଇ ଚାଲିଛି । ଦଣ୍ତଧର ନାୟକ ଏବେବି ବଞ୍ଚିଛି । ତାହାହିଁ ତା’ର ପେଶା । ସେଇ ପେଶାରେ ସେ ଆଜି ଜଣେ ସମ୍ଭ୍ରାନ୍ତ ଓ ଧନୀଲୋକ ହୋଇ ପାରିଛି । କଟକ ସହରରେ ଦୋମହଲା କୋଠା କରିଛି । ଟେଲିଫୋନ, ମଟରକାର ସବୁ ଅଛି ।

 

ସେ ଦିନ ଦଣ୍ତଧରର ଜ୍ୟୋତିଷାଳୟରେ ଆଉ ଅଧିକ ସମୟ ନଷ୍ଟ ନ କରି ମୁଁ ବାହାରିଲି । ବିନୋଦ ମଧ୍ୟ ଉଠିଲା । ବିନୋଦକୁ ପଚାରିଲି–ତୁମେ ବର୍ତ୍ତମାନ କ’ଣ କରୁଛ ବିନୋଦ-? ବାପା ଭଲ ଅଛନ୍ତି ତ ?

 

ନାଇଁ ସାର୍, ବାପା ଖୁବ୍ ଭଲ ନାହାନ୍ତି । ତାଙ୍କର ଗୋଡ଼ ଦୁଇଟା ପାରାଲାଇଜ୍ଡ଼ ହୋଇ ଗଲାଣି । ମୁଁ ବର୍ତ୍ତମାନ ଚାକିରି କରୁଛି, ସାର୍ ! ବହୁ କଷ୍ଟରେ ଏବେ ପାଇଛି ।

 

ବାଟରେ ଚାଲୁଚାଲୁ ମୁଁ ବିନୋଦ ସହିତ କଥା କହୁଥିଲି । କାନୁନ୍‍ଗୋ ବଂଶର ଏକମାତ୍ର ବଂଶଧର ଏଇ ବୟସରୁ ଚାକିରି କରୁଛି ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି । ପଚାରିଲି–କି ଚାକିରି କରୁଛ ବିନୋଦ ?

 

–ସପ୍ଲାଇ ଇନ୍‍ସପେକ୍‍ଟର ସାର୍ !

 

ବିନୋଦର କଥା ଶୁଣି ମୁଁ ମନେମନେ ବ୍ୟଥିତ ହେଲି । ଏଇ ବୟସରୁ ବିନୋଦ ମାତ୍ର ଷାଠିଏଟି ଟଙ୍କା ବେତନରେ ସପ୍ଲାଇ ଇନ୍‍ସପେକ୍‍ଟର ଚାକିରି କରିବାକୁ ବାଧ୍ୟ ହୋଇଛି । କାନୁନ୍‍ଗୋମାନେ ଏ ଦେଶର ଅତି ପ୍ରାଚୀନ ଓ ସମ୍ଭ୍ରାନ୍ତ ଜମିଦାର ବଂଶ । ଶତାବ୍ଦୀ ଶତାବ୍ଦୀ ଧରି ଏ ବଂଶର ମହାରଥୀମାନେ ଦୃଢ଼ ହସ୍ତରେ ବିସ୍ତୀର୍ଣ୍ଣ ଜମିଦାରୀ ଶାସନ କରୁଥିଲେ । ଚରମ ଭୋଗବିଳାସ ଓ ପ୍ରଚୁର ସମ୍ପଦ ଭିତରେ ଏ ବଂଶର ପୂର୍ବପୁରୁଷମାନେ ଜୀବନ କଟାଇ ଥିଲେ; କିନ୍ତୁ ଏ କୀର୍ତ୍ତିଯଶ ସଂସାରରେ କିଛି ଚିରକାଳ ବଞ୍ଚି ରହେ ନାହିଁ । ବିନୋଦର ପିତା ରାୟ ବାହାଦୁର ପ୍ରମୋଦରଞ୍ଜନ କାନୁନ୍‍ଗୋ ବୁଝି ପାରିଲେ ଯେ, ବାହାରକୁ ଯାହା ଚକ୍‍ଚକ୍ ଦିଶୁଛି, ତା’ ଆଉ ସୁନା ନୁହେଁ । ଚରମ ବିଳାସ ଓ ବେପରୁଆ । ଖର୍ଚ୍ଚର ସ୍ରୋତରେ ଏ ବଂଶର ସବୁ ସମ୍ପଦ ଭାସି ଯାଇଛି । ରାୟ ବାହାଦୁର ଥିଲେ ବୁଦ୍ଧିମାନ୍ ଓ ବିଚକ୍ଷଣ ବ୍ୟକ୍ତି । ସେ ବୁଝି ପାରିଲେ ଯେ, କାଳର ବାତ୍ୟାରେ ଦେଶରୁ ପ୍ରାଚୀନ ସାମନ୍ତବାଦର ଇମାରତ୍ ଧୀରେ ଧୀରେ ଭାଙ୍ଗି ପଡ଼ୁଛି । ପୂର୍ବାହ୍ଣରୁ ସାବଧାନ ହେବାକୁ ହେବ । ରାୟ ବାହାଦୁରଙ୍କର ଦୁଇପୁଅ ଥିଲେ । ନିରୋଦ–ଆଉ ଏଇ ବିନୋଦ । ପ୍ରାୟ ସବୁ ସମ୍ପତ୍ତି ବିକ୍ରିକରି ସେ ନିରୋଦକୁ ବାରିଷ୍ଟରୀ ପଢ଼ିବାପାଇଁ ବିଲାତ ପଠାଇଲେ । ନିରୋଦ ମାତ୍ର ମାଟ୍ରିକ୍ୟୁଲେସନ ପାଶ କରିଥିଲା । ବିଲାତରେ ଚାରିବର୍ଷ ରହି ସେ ଗ୍ରାଜୁଏଟ୍ ହେବ ଓ ବାରିଷ୍ଟର ହୋଇ ଫେରିବ । ଏଇ ଆଶାରେ ସବୁ ସମ୍ପତ୍ତି ବିକ୍ରିକରି ରାୟ ବାହାଦୁର ତାକୁ ପଠାଇଲେ ।

 

ତା’ପରେ ହଠାତ ୧୯୩୯ ମସିହା ସେପ୍‍ଟେମ୍ବର ମାସରେ ପଶ୍ଚିମ ଦିଗନ୍ତରେ ଦ୍ଵିତୀୟ ମହାସମରର ନିଆଁ ଜଳି ଉଠିଲା । ଚକ୍ରଶକ୍ତି ବିଜୁଳି ବେଗରେ ଇଉରୋପର ଖଣ୍ଡକ ପରେ ଖଣ୍ଡେ ଦେଶ ଗ୍ରାସ କରିବାକୁ ଲାଗିଲା । ସେତିକିବେଳେ ରାୟ ବାହାଦୁରଙ୍କର ବହୁଖର୍ଚ୍ଚ ଓ ବହୁ ଚେଷ୍ଟାରେ ଏବଂ ତତ୍‍କାଳୀନ ଗଭର୍ଣ୍ଣର ସାର୍ ହଥର୍ଣ୍ଣ ଲୁଇଙ୍କର ସୁପାରିସ୍‍ରେ ନିରୋଦ ଗୋଟିଏ ଜଙ୍ଗୀ ଜାହାଜରେ ଭାରତବର୍ଷକୁ ଫେରି ଆସିବାର ଅନୁମତି ଓ ସୁବିଧା ପାଇଲା । ପ୍ରବଳ ଆଶା ଓ ଉଦ୍‍ବେଗରେ ପ୍ରିୟପୁତ୍ରର ପ୍ରତ୍ୟାବର୍ତ୍ତନକୁ ରାୟ ବାହାଦୁର ଅନାଇ ରହିଲେ; କିନ୍ତୁ କିଛିଦିନ ପରେ ଯେଉଁ ଦାରୁଣ ଦୁଃସମ୍ବାଦ ଆସିଲା, ତାହା ବଜ୍ରଠାରୁ ମଧ୍ୟ କଠୋର । ସମୁଦ୍ର ବକ୍ଷରେ ନାଜୀ ନୌବାହିନୀର ଟର୍ପେଡ଼ୋ ଆଘାତରେ ଇଂରେଜ ଜଙ୍ଗୀର ଜାହାଜଟି ସଲିଳ ସମାଧି ଲାଭ କରିଛି । ନିରୋଦ ଏବଂ ସେଥିରେ ଥିବା ବହୁ ଇଂରେଜ ସୈନ୍ୟ ମୃତ୍ୟୁ ବରଣ କରିଛନ୍ତି ।

 

ଏ ଦାରୁଣ ଦୁଃସମ୍ବାଦରେ ରାୟ ବାହାଦୁର ଏକାବେଳକେ ପାଗଳ ହୋଇଗଲେ । ସେ ଆଜିକି ଅନେକ ଦିନର କଥା । ଏତେଦିନ ପରେ ସେଇ ହତଭାଗ୍ୟ ରାୟ ବାହାଦୁରଙ୍କର ଏକମାତ୍ର ସନ୍ତାନ ଓ ବିଖ୍ୟାତ କାନୁନ୍‍ଗୋ ବଂଶର ଦୀପଶିଖା ଏଇ ବିନୋଦକୁ ମୁଁ ହଠାତ ଦେଖିଲି । ରାୟ ବାହାଦୁରଙ୍କର ଆର୍ଥିକ ଅବସ୍ଥା ଯେ ବର୍ତ୍ତମାନ ଅତିଶୟ ଶୋଚନୀୟ ହୋଇ ଉଠିଛି ବିନୋଦର ଷାଠିଏ ଟଙ୍କାର ଚାକିରି ଗ୍ରହଣରୁ ତାହା ପରିଷ୍କାର ବୁଝାଗଲା ।

 

ଥରେ କଂଗ୍ରେସ ନେତା ଯଦୁମଣି ମଙ୍ଗରାଜ (ବର୍ତ୍ତମାନ ସ୍ୱର୍ଗତ)ଙ୍କର ଗୋଟିଏ ବକ୍ତୃତା ମୁଁ ଶୁଣିଥିଲି । ଗୋଟିଏ କଥା ଏବେବି ମୋର ମନେ ଅଛି । କଥାଟା ହେଉଛି–ଆମର ସାଇପଡ଼ିଶାମାନେ ଅନାହାରରେ ବା ନାନା ବ୍ୟାଧିରେ କେତେ ଟଳି ପଡ଼ୁଛନ୍ତି । ତାହା ହୁଏତ ଏପରି ସାଧାରଣ ଓ ଦୈନନ୍ଦିନ ଘଟନା ହୋଇଗଲାଣି ଯେ ଆଉ ଆମର ନଜରରେ ତାହା ପଡ଼ୁନାହିଁ । କିନ୍ତୁ ମହାବନ ଭିତରେ ମହାଗଜର ମୃତ୍ୟୁ ସମ୍ବାଦ ଶୁଣି ଆମେମାନେ କାତର ହୋଇ ପଡ଼ୁ । ଦୀର୍ଘଶ୍ୱାସ ପକାଇ କହୁ–ଆହା, ଏତେବଡ଼ ଜୀବଟା ମରିଗଲା !”

 

Unknown

ଏହାର କାରଣ କ’ଣ ମୁଁ ଜାଣେ ନାହିଁ । ଏ ମନସ୍ତାତ୍ତ୍ୱିକ ପଣ୍ଡିତମାନଙ୍କର ସୂକ୍ଷ୍ମ ବିଚାରର ବିଷୟ ବସ୍ତୁ । ମୋର ନୁହେଁ । ସେ ଦିନ କିନ୍ତୁ ମୋର ସବୁ କାମ ଛାଡ଼ି ଥରେ ରାୟ ବାହାଦୁରଙ୍କୁ ଦେଖିବାପାଇଁ ବିନୋଦ ସଙ୍ଗେ ଚାଲିଲି ।

 

କାନୁନ୍‍ଗୋ ବଂଶର ସେ ସବୁ ବିଭବ କର୍ପୂର ପରି ଉଡ଼ିଗଲାଣି, ତାହା ଏ ବଂଶର ପ୍ରକାଣ୍ଡ ଭଙ୍ଗା ଇମାରତ୍‍ଟା ଦେଖିଲେ ଜଣାଯାଏ । ସମ୍ପୂର୍ଣ୍ଣ ପ୍ରାଣହୀନ ଓ କରୁଣ ଦୃଶ୍ୟ । କେଉଁ ପ୍ରାଗୈତିହାସିକ ଯୁଗର ଗୋଟାଏ ଅତିକାୟ ଜନ୍ତୁର ଶୁଖିଲା କଙ୍କାଳ ପରି । ନିର୍ଜନ ଭଙ୍ଗା ଘର ଗୋଟାକ ପାରି ହୋଇ ଅବଶେଷରେ ବିନୋଦ ସଙ୍ଗେ ମୁଁ ଅନ୍ଦରମହଲରେ ପହଞ୍ଚିଲି । ଖଣ୍ଡିଏ ଇଜିଚେୟାରରେ ପଙ୍ଗୁ ରାୟ ବାହାଦୁର ପଡ଼ିଛନ୍ତି । ଗୋରା ତକତକିଆ ଚେହେରା ତାଙ୍କର ମଶାଣିର ପ୍ରେତ ପରି ହେଲାଣି । ମୋତେ ଦେଖି ଚିହ୍ନି ପାରିଲେ । ଉଦାସିଆ ଟିକିଏ ହସି କହିଲେ–ବସ ମାଷ୍ଟର । କୁଆଡ଼େ ଆସିଲ ?

 

–ଆପଣଙ୍କୁ ଥରେ ଦେଖିବାକୁ ଆସିଲି ସାର୍ । ହଠାତ ବିନୋଦ ସଙ୍ଗେ ଦେଖା ହେଲା-। ଶୁଣିଲି ଆପଣ ଅସୁସ୍ଥ ।

 

ମୋ କଥା ଶୁଣି ସାମାନ୍ୟ ହସିଲେ ରାୟବାହାଦୁର । ମୋତେ ସେଠାରେ ବସାଇ ବିନୋଦ ଘରୁ ବାହାରିଗଲା । ବୋଧହୁଏ ଅତିଥି ଚର୍ଚ୍ଚାପାଇଁ ଟିକିଏ ଚା’ର ବନ୍ଦୋବସ୍ତ କରିବ ବୋଲି-। ମୁଁ ନୀରବରେ ବସି ରହିଲି । ଏଇ ବିଶାଳ ଭଗ୍ନ ଅଟ୍ଟାଳିକାଟାର ଗୋଟାଏ ଅନ୍ଧାରୁଆ ଘର ଭିତରେ ଏପରି ନୀରବତା ମୋର ସ୍ନାୟୁମଣ୍ଡଳୀକୁ ଯେପରି ପୀଡ଼ିତ କରି ଦେଲା । କୌଣସି ଗୋଟାଏ କଥା କହିବା ଉଦ୍ଦେଶ୍ୟରେ ମୁଁ କହିଲି–ଏଇ ବୟସରୁ ବିନୋଦକୁ ଚାକିରିରେ କାହିଁକି ପୂରାଇଲେ । ମାତ୍ର ଷାଠିଏ ଟଙ୍କା ବେତନରେ ଆପଣଙ୍କ ପୁଅ–

 

–ଏଁ !! ରାୟବାହାଦୁର ଯେମିତି ଚମକି ଉଠିଲେ । ବିନୋଦ ଷାଠିଏ ଟଙ୍କା ବେତନରେ ଚାକିରି କରୁଛି ! କାହିଁ ମୁଁ ତ ଜାଣେ ନାହିଁ ! ବିନୋଦ !

 

ବିନୋଦ ଦୁଇକପ୍ ଚା’ ନିଜ ହାତରେ ଧରି ଘରେ ପ୍ରବେଶ କଲା । ସେ ବୋଧହୁଏ ଆମମାନଙ୍କର କଥା ଶୁଣି ପାରିଛି ।–ତୁ ଷାଠିଏ ଟଙ୍କା ବେତନରେ ଚାକିରି କରୁଛୁ ବିନୋଦ ? ରାୟବାହାଦୁର ପଚାରିଲେ ।

 

–ନା, ନା । ବିନୋଦ ଯେପରି ଲାଜରେ ଝାଉଁଳି ପଡ଼ିଲା । ଗୋଟାଏ ପ୍ରଚଣ୍ଡ ମିଥ୍ୟାର ଛିନ୍ନାଭରଣରେ ଜ୍ଵଳନ୍ତ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କଲା । କହିଲା–ମୁଁ ସେପରି ମିଛରେ ମାଷ୍ଟରବାବୁଙ୍କୁ କହିଦେଲି ।

 

ରାୟବାହାଦୁର ନ ବୁଝିଲେ ମଧ୍ୟ ମୁଁ ବୁଝିଲି ଯେ ବହୁ ପ୍ରୟାସ କରି ବିନୋଦ ବର୍ତ୍ତମାନ ମିଛ କୈଫିଅତ୍ ଦେଉଛି । ମୁଁ ଜାଣେ ଯେ ଏ ବଂଶରେ କେହି କେବେହେଲେ ମିଛ କହି ନାହିଁ । ସତ୍ୟ ଗୋପନ କରିବାର ଭୀତ କାହାରି ହେଲେ ନଥିଲା । ବିନୋଦ ଯେ ବର୍ତ୍ତମାନ ମିଛ କହିବାକୁ ବାଧ୍ୟ ହୋଇଛି, ଏ କଥା ତା’ କଣ୍ଠସ୍ୱରରୁ ମୁଁ ବୁଝିପାରିଲି ।

 

କିଛିକ୍ଷଣ ଅନ୍ୟାନ୍ୟ ଗଳ୍ପ କରି ମୁଁ ବିଦାୟ ନେବି ବୋଲି ଭାବୁଛି, ଏଇ ସମୟରେ ହଠାତ ଜଗବନ୍ଧୁ ସେଠାରେ ଉଦୟ ହେଲା । ରାୟବାହାଦୁର ଗୋଡ଼ଧୂଳି ମୁଣ୍ଡରେ ଛୁଆଁଇ ବିନୟର ଅବତାର ଭାବରେ ନିକଟରେ ଛିଡ଼ା ହେଲା । ରାୟବାହାଦୁର ଜଗବନ୍ଧୁର ମୁଣ୍ଡରେ ହାତ ବୁଲାଇ ସ୍ମିତମୁଖରେ କହିଲେ–ସବୁ ଭଲ ତ ଜଗବନ୍ଧୁ ?

 

କୌଣସି ମୌଖିକ ଭାଷା ଉଚ୍ଚାରଣ ନ କରି କେବଳ ଅଙ୍ଗଭଙ୍ଗୀରେ ଜଗବନ୍ଧୁ ବୁଝାଇ ଦେଲା ଯେ ସବୁ ଭଲ । ମୁଁ ବୁଝି ପାରିଲି ଯେ ରାୟବାହାଦୁରଙ୍କ ସହିତ ପୂର୍ବରୁ ହେଉ ବା ଅଧୁନା ହେଉ ଜଗବନ୍ଧୁ ଅତିଶୟ ପରିଚିତ ।

 

–ତୁମର ପାମିଷ୍ଟ୍ରି କେତେଦୂର ଗଲା ଜଗବନ୍ଧୁ । ତୁମେ କହୁଥିଲନା ସାମୁଦ୍ରିକ ଶିକ୍ଷା କରିବାପାଇଁ କେରଳ ଯାଉଛ ? ରାୟବାହାଦୁର ପଚାରିଲେ । ମୋ ଆଡ଼େ ଟିକିଏ କଣେଇ ଚାହିଁ ଜଗବନ୍ଧୁ କଥାଟା ଗୋଳେଇବାର ଚେଷ୍ଟା କଲା ।

 

–ଆପଣଙ୍କ ଦେହ ଭଲ ଅଛି ତ ?

 

ଜଗବନ୍ଧୁ କଥାରେ ବିଶେଷ ଗୁରୁତ୍ୱ ନ ଦେଇ ରାୟବାହାଦୁର କହିଲେ–ପାମିଷ୍ଟ୍ରି ଶିକ୍ଷା କରିବା ଅତି ସାମାନ୍ୟ କଥା ନୁହେଁ । ତାହା ବୁଝିବାକୁ ହେଲେ ବହୁ ଜ୍ଞାନ ଓ ଗବେଷଣାର ପ୍ରୟୋଜନ । ଏହା ବିଳାସର ସାମଗ୍ରୀ ନୁହେଁ । ମଣିଷର ଭବିଷ୍ୟତ୍ ଘୋର ଅନ୍ଧକାର ଭିତରେ ଲୁଚି ରହିଛି । ଆଜି ପର୍ଯ୍ୟନ୍ତ ବିଜ୍ଞାନର ଆଲୋକ ସେ ଅନ୍ଧକାରକୁ ଦୂର କରି ପାରି ନାହିଁ । କିନ୍ତୁ ଯେଉଁ ବେଗରେ ବିଜ୍ଞାନ ଅଗ୍ରଗତି କରୁଛି, ମଣିଷର ଭବିଷ୍ୟତ୍ ଜାଣିବା ହୁଏତ ଦିନେ ବୈଜ୍ଞାନିକମାନଙ୍କ ନିକଟରେ ଅସମ୍ଭବ ନ ହୋଇପାରେ । କିନ୍ତୁ ତାହା ଯଦି କେଉଁଦିନ ସମ୍ଭବ ହୁଏ, ସେଇଦିନ ହେବ ମହାପ୍ରଳୟ । ମଣିଷ ନିକଟରେ ସୃଷ୍ଟିକର୍ତ୍ତା ପରାଜୟ ସ୍ଵୀକାର କଲା ପରେ ଆଉ ବିଶ୍ଵ ସୃଷ୍ଟି ତିଷ୍ଠି ରହିବ ନାହିଁ ।

 

ପାମିଷ୍ଟ୍ରି ବିଷୟରେ ଏପରି ତାତ୍ତ୍ଵିକ ଆଲୋଚନା ଜଗବନ୍ଧୁ ବୋଧହୁଏ ବୁଝିପାରିଲା ନାହିଁ-। କହିଲା–ବଡ଼ ଲଭ୍‍ଲି କଥାଟା କହିଲେ ସାର୍ । ଭାରି ଖାଣ୍ଟି କଥା । ହେଲେ ସାର୍, ଆଜି ବିନୋଦବାବୁଙ୍କ ପାମ୍‍ଟା ମୁଁ ଯାହା ଦେଖିଲି, ୱାଣ୍ଡର୍‍ଫୁଲ୍ ପାମ୍ । ଏକଦମ ଲଭ୍‍ଲି ।

 

–କ’ଣ ଏପରି ତା’ ପାମ୍‍ରେ ଦେଖିଲ ? ରାୟବାହାଦୁର ପଚାରିଲେ ।

 

ବିନୋଦର ହାତଟା ଟାଣିନେଇ ଜଗବନ୍ଧୁ କହିଲା–ଏଇ ଆପଣ ଦେଖନ୍ତୁ ନା ସାର୍ । ଆପଣଙ୍କ କଥା ଶୁଣି ମୁଁ ବୁଝିପାରୁଛି ଯେ ଆପଣ ପାମିଷ୍ଟ୍ରି ବିଷୟରେ ବହୁତ କିଛି ଜାଣନ୍ତି । ଏଇ ଦେଖନ୍ତୁ ଆସେଣ୍ଡିଙ୍ଗ୍ ଲକ୍ ଲାଇନ୍‍ଟା । ଆଃ, ଲଭ୍‍ଲି । ଏକଦମ ଲାଇନ୍ ଅବ୍ ଇମାଜିନେସନ୍‍କୁ ଟଚ୍ କରିଛି । ଆଉ ଦେଖନ୍ତୁ ଏ ଲାଇନ୍‍ଟା ସାର୍ । ବଡ଼ ରେଆର୍ ଲାଇନ୍ । ମାଉଣ୍ଟ୍ ଅବ୍ ମୁନ୍ ଉପରେ ଏଇ ଯେ ଲାଇନ୍‍ଟା ଦେଖୁଛନ୍ତି, ଏଇଟା ହେଉଛି ସିଭୟେଜ୍ ଲାଇନ୍ । ଯାହାକୁ କହନ୍ତି ସମୁଦ୍ରଯାତ୍ରା, ଲଭ୍‍ଲି ।

 

ଜଗବନ୍ଧୁର ଶେଷକଥା ଶୁଣି ବାରୁଦ ସ୍ତୂପରେ ନିଆଁ ଲାଗିଲାପରି ହଠାତ ରାୟବାହାଦୁର କ୍ରୋଧରେ ଗର୍ଜିଉଠିଲେ । ଚିତ୍କାର କରି କହିଲେ ହ୍ଵାଟ୍ । ତମେ ଏଠାରୁ ଚାଲିଯାଅ । ଏଇ ମୁହୂର୍ତ୍ତରେ ଚାଲିଯାଅ । ଗେଟ୍ ଆଉଟ୍ ।

 

ରାୟ ବାହାଦୁରଙ୍କର ହଠାତ ଏପରି କ୍ରୋଧର କାରଣ ଜଗବନ୍ଧୁ ନ ବୁଝିଲେ ମଧ୍ୟ ମୁଁ ବୁଝିପାରିଲି । ଯେଉଁ ସମୁଦ୍ରଯାତ୍ରାରେ ପ୍ରିୟପୁତ୍ର ନିରୋଦକୁ ସେ ହରାଇଛନ୍ତି, ବିନୋଦ ଭାଗ୍ୟରେ ପୁଣି ସେଇ ସମୁଦ୍ରଯାତ୍ରା ଅଛି, ଏ ଭବିଷ୍ୟଦ୍ୱାଣୀ ସହ୍ୟ କରିବା ତାଙ୍କ ପକ୍ଷରେ ଅସମ୍ଭବ । ରାୟବାହାଦୁରଙ୍କର କ୍ରୋଧରେ ଜଗବନ୍ଧୁ ଭୀତି ବିହ୍ୱଳ ହୋଇପଡ଼ିଲା । ରାୟବାହାଦୁର ପୁଣି ଗର୍ଜନ କରି ଉଠିଲେ । ଜଗବନ୍ଧୁକୁ ସେଠାରୁ ଚାଲିଯିବା ପାଇଁ ମୁଁ ଇଙ୍ଗିତ କଲି । ମୁଣ୍ଡକୁ ତଳକୁ ପୋତି ଧୀରେ ଧୀରେ ସେ ଘରୁ ବାହାରିଗଲା ।

 

–ଦଶ–

 

ତଥାପି ଆହୁରି କିଛିଦିନ ମୋର ଛୁଟି ବାକି ଥିଲା । ଦାୟିତ୍ଵହୀନ ଅବକାଶ କିପରି ମୋତେ କ୍ଳାନ୍ତିକର ମନେ ହେଉଥିଲା । କଟକରେ ମୋର ଜନୈକ ବାଲ୍ୟବନ୍ଧୁଙ୍କ ନିକଟରେ ରହୁଥିଲି । ବନ୍ଧୁ ଉଦୟ ମିଶ୍ର ସେତେବେଳେ କଟକରେ ଓକିଲାତି କରୁଥିଲେ । ଦେଶ ବିଦେଶର ଆଇନ ବିଷୟରେ ତାଙ୍କର ଥିଲା ପ୍ରଚୁର ଜ୍ଞାନ । କିନ୍ତୁ ଆଇନ ବ୍ୟବସାୟରେ ସେ ଉନ୍ନତି କରିପାରି ନଥିଲେ । ଅତଏବ ଅବସର ତାଙ୍କର ପ୍ରଚୁର ଥିଲା । ସେଇ ଓକିଲ ବନ୍ଧୁଙ୍କ ବିଶେଷ ଅନୁରୋଧ ଯୋଗୁଁ ମୁଁ ଛୁଟିରେ ଥିଲେ ମଧ୍ୟ କଟକରେ ଅଟକି ଯାଇଥିଲି ।

 

ସେଇ ବନ୍ଧୁଙ୍କର କେତୋଟି କଥା ଆଜିପର୍ଯ୍ୟନ୍ତ ମୋର ମନେଅଛି । ଦିନେ ସଞ୍ଜବେଳେ ବିରସ ବଦନରେ କଚେରିରୁ ଫେରିଲେ । କଚେରି ପୋଷାକ ନ ବଦଳାଇ ଖଣ୍ଡିଏ ଇଜି ଚେୟାରରେ ବସିପଡ଼ି କହିଲେ–ବୁଝିଲ ଭାଇ, ମୁଁ ଏ ଆଇନ ବ୍ୟବସାୟରେ କାହିଁକି ଉନ୍ନତି କରି ପାରୁନାହିଁ, ତା’ ଏବେ ବୁଝିପାରିଛି । ବେଶି ପଢ଼ୁଛି ବୋଲି–ବେଶି ଜାଣୁଛି ବୋଲି, ମୋର ଏ ପ୍ରଫେସନ୍‍ରେ ଉନ୍ନତି ହେଉନାହିଁ ।

 

ବନ୍ଧୁଙ୍କର ଏ ବିଚିତ୍ର ଯୁକ୍ତି ଶୁଣି ମୁଁ କହିଲି–କିନ୍ତୁ ମୋର ବିଶ୍ଵାସ ଭିନ୍ନରକମ ଥିଲା । ମୁଁ ଭାବିଥିଲି ଯେ ବହୁତ ନ ପଢ଼ିଲେ ବା ବହୁତ ନ ଜାଣିଲେ କେହି ସୁଯୋଗ୍ୟ ଆଇନଜୀବୀ ହୋଇପାରେ ନାହିଁ ।

 

ଟିକିଏ ଉଦାସିଆ ହସ ହସି ବନ୍ଧୁ ଉଦୟ ମିଶ୍ର କହିଲେ–ଏ ପ୍ରଫେସନ୍‍ରେ ପଶିବା ପୂର୍ବରୁ ମୋର ମଧ୍ୟ ସେହିପରି ବିଶ୍ୱାସ ଥିଲା । କିନ୍ତୁ ଏବେ ଜାଣିପାରୁଛି–ତାହା ନୁହେଁ । ଯିଏ ଯେତେ ବେଶି କୁହାଳିଆ ହେବ, ତାକୁ ସମସ୍ତେ ବଡ଼ ଓକିଲ ବୋଲି କହିବେ । କେବଳ ବିଚାରାଳୟରେ ନୁହେଁ, ଆଇନ ବ୍ୟବସାୟର ବାହାରେ ମଧ୍ୟ ତାକୁ ଅତିଶୟ କୁହାଳିଆ ହେବାକୁ ହେବ । କେଉଁଠାରେ ସାହିତ୍ୟ ସଭା ହେଉଛି, ସେଠାରେ ମଧ୍ୟ ତାକୁ ଅନର୍ଗଳ ବକ୍ତୃତା ଦେବାକୁ ହେବ । ସେହିପରି କେଉଁଠାରେ ବିଜ୍ଞାନ ସଭା ବା କେଉଁଠାରେ ରାଜନୈତିକ ସଭା ହେଉଛି, ସେଠାରେ ମଧ୍ୟ ନିଜର ପାଣ୍ଡିତ୍ୟ ଦେଖାଇ ଭାଷଣ ଦେବାକୁ ହେବ । କେବଳ ସେତିକି ନୁହେଁ, ସେ ସବୁ ଭାଷଣ ଚେଷ୍ଟାକରି ସମ୍ବାଦପତ୍ରମାନଙ୍କରେ ଛପାଇବାକୁ ହେବ । ତାହାହେଲେ ସେ ସୁଯୋଗ୍ୟ ଓ ଜନପ୍ରିୟ ଓକିଲ ବୋଲି ସମସ୍ତଙ୍କ ନିକଟରେ ପରିଚିତ ହେବ ।

 

ମୁଁ କହିଲି–ଏପରି ସର୍ବଜ୍ଞାନପୂର୍ଣ୍ଣ ବା ଭର୍ସାଟାଇଲ୍ ବ୍ୟକ୍ତି ହେବାକୁ ହେଲେ ନିଶ୍ଚୟ ବହୁତ ପଢ଼ିବାକୁ ଓ ବହୁତ ଜାଣିବାକୁ ହେବ । ତେବେ ତୁମର ଯୁକ୍ତି ଏଠାରେ ପ୍ରଯୁଜ୍ୟ ହେଉଛି କିପରି ?

 

ସାମାନ୍ୟ ହସି ବନ୍ଧୁ କହିଲେ–ଏତେ ବିଷୟରେ କେହି ଜଣେ ବିଶେଷଜ୍ଞ ହୋଇପାରେନା । କୌଣସି ଲୋକ ଯଦି କୁହାଳିଆ ହେବାକୁ ଚାହେଁ, ତେବେ ତା’ର କୌଣସି ବିଷୟ ଭଲଭାବରେ ଜାଣିବା ଉଚିତ ନୁହେଁ । କିଛି ନ ଜାଣିବାର ପ୍ରକାଣ୍ଡ ସୁବିଧା ହେଉଛି ଏହି, ଯେ କୌଣସି ବିଷୟରେ ସେ ନିର୍ଭୟରେ ବକ୍ତୃତା ଦେଇପାରେ ।

 

କଟକରେ ଥାଇ ମଧ୍ୟ ମୁଁ ଶୋଭନା ବା କମଳାକୁ ଦେଖିବାକୁ ଯାଇ ନଥିଲି । କେତେଥର ଇଚ୍ଛା ହୋଇଛି ଯେ ଥରେ ସେମାନଙ୍କୁ ଦେଖିଆସେ । କିନ୍ତୁ ସେ ଇଚ୍ଛା ମୁଁ ଦମନ କରିଛି । ସେମାନଙ୍କ ବିଷୟରେ ଜାଣିବା କ’ଣ ବା ମୋର ପ୍ରୟୋଜନ ! କେତେଦିନ ହେଲା ଜଗବନ୍ଧୁ ସହିତ ମଧ୍ୟ ମୋର ଦେଖାହୋଇ ନାହିଁ । ସେ ମୋର ଠିକଣା ଜାଣେ ନାହିଁ । ହୁଏତ ଭଲ ହୋଇଛି ।

 

କିନ୍ତୁ ଜଗବନ୍ଧୁ ମୋର ଠିକଣା ରଖିନାହିଁ ଭାବିବା ଯେ କେତେବଡ଼ ଭ୍ରମ ଏ କଥା ସେଦିନ ସକାଳେ ମୁଁ ଜାଣିପାରିଲି । ସକାଳେ ଚା’ ଖାଇସାରି ଓକିଲ ବନ୍ଧୁଙ୍କ ସଙ୍ଗେ ବସି ଗଳ୍ପ କରୁଥିଲି । ବନ୍ଧୁବର ବର୍ତ୍ତମାନର ଆଇନ ଓ ପୁରାକାଳର “ଲ ଅଫ୍‍ଟର୍ଟ୍” ବିଷୟରେ ସାରଗର୍ଭକ ଭାଷଣ ଦେଉଥିଲେ । ଏହି ସମୟରେ ଘରର ପରଦା ଟେକି ଧୀର ଓ ନିଃଶବ୍ଦ ପଦକ୍ଷେପରେ ଜଗବନ୍ଧୁ ପ୍ରବେଶ କଲା । ଯଥାବିଧି ମୋର ପାଦଧୂଳି ମୁଣ୍ଡରେ ଲଗାଇ ଅତି ନିରୀହ ଭାବରେ ମୋ’ ଚଉକି ନିକଟରେ ଛିଡ଼ାହେଲା । ମୁଁ ତା’ର ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଗଲି । ମୁହଁଟି ଶୁଖିଯାଇଛି । ଆଖିରେ କିପରି ଗୋଟିଏ ଭୀତି ବିହ୍ୱଳ ଭାବ । ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି–କ’ଣ ଜଗବନ୍ଧୁ । ହଠାତ ଏଠାରେ ଆସି କିପରି ପହଞ୍ଚିଲ !

 

ମୁହଁ ଶୁଖାଇ ଜଗବନ୍ଧୁ କହିଲା–ସାର୍, ବଡ଼ ବିପଦ ! ମୋତେ ସବୁଆଡ଼ ଅନ୍ଧାର ଦିଶୁଥିଲା । କୋଟ୍‍ କଚେରି ବିଷୟରେ ମୁଁ କ’ଣ ବା ଜାଣେ । ହଠାତ ଆପଣଙ୍କ କଥା ମନେପଡ଼ିଲା-। ଭାବିଲି–ଆଉ ଭୟ ନାହିଁ । ଏତେବଡ଼ ଓକିଲ ଯାହାଙ୍କର ବନ୍ଧୁ ସେ ଇଚ୍ଛାକଲେ ଏ ବିପଦ ନିଶ୍ଚୟ କଟିଯିବ । ସିଧା ଏଠାକୁ ଦୌଡ଼ି ଆସିଲି ।

 

ଜଗବନ୍ଧୁ କଥାରୁ ମୋର କିପରି ସନ୍ଦେହ ହେଲା । ପଚାରିଲି–ତୁମର “ଥ୍ରି ଥଣ୍ଡର୍ ଭୋଲ୍‍ଟ” କମ୍ପାନୀର ପୁଲିସ ସନ୍ଧାନ ପାଇଛି ନା କ’ଣ ?

 

–ନା’ ସାର୍, ଏହା ତା’ଠାରୁ ଆହୁରି ସାଂଘାତିକ । “ଥ୍ରି ଥଣ୍ଡର୍ ଭୋଲ୍‍ଟ” ଆଉ ଚାଲୁନାହିଁ ସାର୍ । ଚାରବାଟିଆରୁ ମିଲିଟେରୀବାଲା ଚାଲିଯିବା ପରେ ବ୍ୟବସାୟ ପୂରା ମାନ୍ଦା ପଡ଼ିଯାଇଛି ।

 

–ତେବେ !! ମୁଁ ଉଦ୍‍ବିଗ୍ନ ହୋଇ ପଚାରିଲି ।

 

କିଛିକ୍ଷଣ ଇତସ୍ତତଃ ହୋଇ ଜଗବନ୍ଧୁ କହିଲା–ସାର୍ କମଳାକୁ ପୁଲିସ ଗିରଫ୍ କରିଛି । ତା’କୁ ବଞ୍ଚାନ୍ତୁ ସାର୍ ।

 

–ପୁଲିସ କମଳାକୁ ଗିରଫ୍ କରିଛି ! କାହିଁକି !! ମୁଁ ଅତିଶୟ ଆଶ୍ଚର୍ଯ୍ୟ ହୋଇ ପଚାରିଲି-

 

–ସେ କୁଆଡ଼େ ଗନିମିଆଁ ମୁହଁରେ ଏସିଡ଼୍ ଢାଳି ଦେଇଛି । ଗନିମିଆଁର ମୁହଁ ବହୁସ୍ଥାନରେ ପୋଡ଼ିଯାଇଛି–ଆଉ ତା’ ବାଁ ଆଖିଟା କଣା ହୋଇଯାଇଛି । ତାକୁ ପୁଲିସ ବଡ଼ ଡାକ୍ତରଖାନାକୁ ପଠାଇଦେଇଛି । ଆଉ କମଳାକୁ ଆଜି ସକାଳେ ଗିରଫ୍ କରି ହାଜତରେ ରଖିଛି । ଆପଣ ଆଉ ଓକିଲବାବୁ ତାକୁ ବଞ୍ଚାନ୍ତୁ ସାର୍ । ଏହା କହି ଜଗବନ୍ଧୁ ହଠାତ ମୋର ଓ ଉଦୟ ମିଶ୍ରର ଗୋଡ଼ ଧରି କାନ୍ଦିବାକୁ ଲାଗିଲା ।

 

ଘଟନା ଶୁଣି ମୁଁ ଚିନ୍ତିତ ହେଲି । ବନ୍ଧୁ ଉଦୟନାଥଙ୍କୁ ଚାହିଁ କହିଲି–ତୁମର ସାହାଯ୍ୟ ଲୋଡ଼ା ଭାଇ । ଝିଅଟାକୁ ବର୍ତ୍ତମାନ ଜାମିନ୍‍ରେ ଆଣିବାକୁ ହେବ । ତା’ପରେ ଯଦି କେସ୍‍ଟା କୋଟ୍‍କୁ ଯାଏଁ, ତେବେ ଦୟାକରି ତାକୁ ଡିଫେଣ୍ଡ୍ କରିବ । ଏହା ତୁମକୁ ମୋର ବ୍ୟକ୍ତିଗତ ଅନୁରୋଧ ।

 

ଓକିଲ ବନ୍ଧୁ ବିନା ଆପତ୍ତିରେ ରାଜି ହୋଇଗଲେ । ସେହିକ୍ଷଣି ଆମେମାନେ ଥାନାକୁ ଚାଲିଲୁ । କମଳାକୁ ଜାମିନ୍‍ରେ ଆଣିବା ମଧ୍ୟ କଷ୍ଟକର ହେଲା ନାହିଁ; କିନ୍ତୁ କଷ୍ଟକର ହେଲା ତା’ଠାରୁ ସବୁ ସତକଥା ଜାଣିବାରେ । ଉଦୟ ମିଶ୍ରଙ୍କ ପ୍ରଶ୍ନରେ ସେ ଦୃପ୍ତଭଙ୍ଗୀରେ ଉତ୍ତର ଦେଲା–ହଁ, ମୁଁ ଗନିମିଆଁ ମୁହଁରେ ଏସିଡ଼୍ ପକାଇଛି । କାହିଁକି ପକାଇଲି–ସେ କଥା ମୁଁ କହିବାକୁ ଚାହେଁନା ।

 

–କିନ୍ତୁ ଆପଣଙ୍କୁ ସବୁ କହିବାକୁ ହେବ । ତା’ ନ ହେଲେ କଚେରିରେ ମୁଁ ଆପଣଙ୍କର ପକ୍ଷ ସମର୍ଥନ କରିବି କିପରି ? ଉଦୟ ମିଶ୍ର କହିଲେ ।

 

ସେତେବେଳେ ଉଦୟ ମିଶ୍ରଙ୍କ ବୈଠକଖାନାରେ ଆମେ ସମସ୍ତେ ବସିଥିଲୁ । ମୁଁ କଅଁଳ କଣ୍ଠରେ କହିଲି–କମଳା, ତୁମେ ଘଟନାଟିର ପରିଣାମ ବୁଝି ପାରୁନାହଁ । ବିଚାରରେ ତୁମକୁ ଜେଲ୍ ହୋଇଯାଇପାରେ । ଗନିମିଆଁ ଧନୀଲୋକ । ଅର୍ଥବଳରେ ସେ ତୁମ ବିରୁଦ୍ଧରେ ମିଥ୍ୟା ପ୍ରମାଣ ସଂଗ୍ରହ କରିପାରେ । ଉଦୟବାବୁ ତୁମର ଓକିଲ । ତାଙ୍କ ନିକଟରେ କୌଣସି ଘଟନା ଲୁଚାଇବା ଉଚିତ ନୁହେଁ ।

 

ସେହିପରି ଦୃଢ଼କଣ୍ଠରେ କମଳା କହିଲା–ମୋତେ ଜେଲ୍‍ରୁ ବଞ୍ଚାଇବା ପାଇଁ ମୁଁ ଉଦୟବାବୁଙ୍କୁ ଅନୁରୋଧ କରି ନାହିଁ–କିମ୍ଵା ଆପଣଙ୍କର ସହାନୁଭୂତି ମଧ୍ୟ ମୋର ଲୋଡ଼ା ନାହିଁ । ଯାହା କରିଛି–ସେଥିପାଇଁ ମୁଁ ଆଗରୁ ପ୍ରସ୍ତୁତ ଥିଲି । ତା’ର ପରିଣାମ ମଧ୍ୟ ମୁଁ ଜାଣେ । ଗନିମିଆଁର ଗୋଟିଏ ଆଖି ଫୁଟି ଯାଇଛି ବୋଲି ଶୁଣିଲି । ସେଥିପାଇଁ ମୋର ତିଳେମାତ୍ର ଅନୁଶୋଚନା ନାହିଁ । ସଇତାନଟା ଉପଯୁକ୍ତ ଫଳ ପାଇଛି । ଏତିକି ଛଡ଼ା ମୋର ଆଉ କିଛି କହିବାର ନାହିଁ ।

 

ଉଦୟ ମିଶ୍ର ଅଭିଜ୍ଞ ଓକିଲ । ଅପରାଧୀ ମନସ୍ତତ୍ତ୍ୱ ତାଙ୍କୁ ଭଲ ଭାବରେ ଜଣା । ସେ ଜାଣନ୍ତି ଯେ କମଳାର ଏଇ ମନୋଭାବ ବେଶିଦିନ ରହିବ ନାହିଁ । ସାମୟିକ ଉତ୍ତେଜନାରେ ଯେଉଁ ଦାରୁଣ ପରିଣତିକୁ ସେ ଗୋଟାଏ ବେପରୁଆ । ଫୁତ୍କାରରେ ଉଡ଼ାଇ ଦେବାର ଚେଷ୍ଟା କରୁଛି, ଏ ମାନସିକ ଉତ୍ତେଜନା କଟିଗଲେ ସୁନିଶ୍ଚିତ କାରାବରଣର ଭୀତି ତାକୁ ଗ୍ରାସ କରିବ । ସେତେବେଳେ ସେ ନିଜେ ସବୁ କହିବ । ବର୍ତ୍ତମାନ ପାଇଁ ଜଗବନ୍ଧୁ ଓ କମଳାକୁ ବିଦାୟ ଦେଇ ଉଦୟନାଥ କଚେରିକୁ ବାହାରିଲେ । ମୋର ମଧ୍ୟ ତା’ ପରଦିନ ଗାଁକୁ ଚାଲିଯିବାର ଥିଲା ।

 

ତା’ପରେ ଶୋଭନା ଓ କମଳା ସଙ୍ଗେ ଥରେ ମାତ୍ର ମୋର ସାକ୍ଷାତ ହୋଇଛି । ଜୀବନର ଯାତ୍ରାପଥରେ କେତେ ପାନ୍ଥଶାଳା ଅଛି । ସେଇସବୁ ପାନ୍ଥଶାଳାରେ କେତେ ଅଜଣାକୁ ମଣିଷ ଜାଣେ । ତା’ପରେ ପୁଣି ଚାଲେ ତା’ର ନିଜ ପଥ ଧରି । ସେଇ ପାନ୍ଥଶାଳାର କ୍ଷଣିତ ପରିଚିତ କେବେ ବା ମଣିଷର ସ୍ମୃତିପଟରେ ଅଲିଭା ସ୍ଵାକ୍ଷର ଆଙ୍କି ଦିଏ । ଆଉ କେତେକ ସ୍ମୃତିରାତ୍ରିର ସ୍ଵପ୍ନପରି ଆଗାମୀ କାଲିର ଦିବାଲୋକରେ ଧୀରେ ଧୀରେ ଅସ୍ପଷ୍ଟ ହୋଇଯାଏ । ଶୋଭନା, କମଳା ବା ଜଗବନ୍ଧୁ ସହିତ ମୋର ପରିଚୟ ଖୁବ୍ ଦୀର୍ଘକାଳ ସ୍ଥାୟୀ ନୁହେଁ । ସେଥର ଛୁଟିରୁ ଫେରି କର୍ମର ଆହ୍ୱାନରେ ମୁଁ କଟକ ଛାଡ଼ି ଯାଜପୁର ଚାଲିଗଲି । ତା’ପରେ ଆଉ ସେମାନଙ୍କ ସହିତ ମୋର ସାକ୍ଷାତ ହୋଇ ନାହିଁ । ଏଇ ଜୀବନ ନାଟକର ଯବନିକାପାତ ମୁଁ ନିଜେ ଦେଖି ନାହିଁ । ମୋ ଉଦ୍ଦେଶ୍ୟରେ ଜଗବନ୍ଧୁ ଯେଉଁ ଚିଠିଖଣ୍ଡି ଲେଖି ଯାଇଥିଲା, ସେଇ ଚିଠିରୁ ଓ ବନ୍ଧୁ ଘନଶ୍ୟାମ ଠାରୁ ମୁଁ ତାହା ଜାଣି ପାରିଛି । ଜଗବନ୍ଧୁ ଆଜି ବଞ୍ଚିନାହିଁ, କିନ୍ତୁ ଶୋଭନା ଓ କମଳା ଏ ପର୍ଯ୍ୟନ୍ତ ବଞ୍ଚି ଅଛନ୍ତି । ଏଇ କାହାଣୀରେ ବର୍ଣ୍ଣିତ ସେମାନଙ୍କର ଛଦ୍ମ ପରିଚିତର ବ୍ୟୂହ ଭେଦକରି ସେମାନେ ଯଦି ନିଜକୁ ଆବିଷ୍କାର କରି ପାରନ୍ତି, ତେବେ ସେମାନେ ଏ କାହାଣୀ ପଢ଼ି ମୋତେ ଗାଳି ଦେବେ କି ପ୍ରଶଂସା କରିବେ, ତା’ ମୋତେ ଜଣାନାହିଁ, କିନ୍ତୁ କେଜାଣି କାହିଁକି ମୋର ସ୍ମୃତିର ଫଳକରେ ସେ ଝିଅ ଦୁଇଟିର ସ୍ମୃତି ଗଭୀର ରେଖାପାତ କରିଛି ।

 

ସେ ଦିନ ସଞ୍ଜବେଳେ ମୁଁ ଯାଇ ଶୋଭନା, କମଳାଙ୍କ ଘରେ ପହଞ୍ଚିଲି । ନିର୍ମଳ ଆକାଶରେ ବଡ଼ ଗୋଟାଏ ଜହ୍ନ ଉଠିଥିଲା । ସେ ଦିନ ଶୁକ୍ଳପକ୍ଷର କେଉଁ ତିଥି ଥିଲା ମୋର ମନେ ନାହିଁ । ରାଜପଥରେ ଉଦ୍ଦାମ ଜନପ୍ରବାହ ବୋହି ଚାଲିଛି । ସେଇ ଜୀବନ୍ତ ଓ କର୍ମଚଞ୍ଚଳ ରାସ୍ତା ଉପରେ ଶୋଭନାର ଘରଟି ଯେପରି ପ୍ରାଣହୀନ ହୋଇ ପଡ଼ି ରହିଛି । ବାହାର ଦୁଆର ଖୋଲା ଅଛି । ଭିତରେ ଆଲୁଅ ଜଳି ନାହିଁ । ଧୀର ପଦକ୍ଷେପରେ ମୁଁ ଭିତରେ ପଶିଲି । ଏ ଘରେ ମୁଁ ଅପରିଚିତ ନୁହେଁ । ଭିତର ବାରଣ୍ଡାକୁ ଯାଇ ମଧ୍ୟ ମୁଁ ଶୋଭନା ବା କମଳା–କାହାକୁ ଦେଖିଲି ନାହିଁ-। ଶୋଇବା ଘର ଭିତରେ ମିଟିମିଟି ହୋଇ ଗୋଟିଏ ଲଣ୍ଠନ ଜଳୁଛି, କିନ୍ତୁ କେହି ମଣିଷ ନାହିଁ-। ଦୀର୍ଘ ଅଗଣାଟା ଅରମା ବଣରେ ଭରା । ସେ ପଟେ କେଉଁ କାଳରୁ ଦୁଇ ବଖରା ଘର ଧସିପଡ଼ି ଭଙ୍ଗା ଇଟାର ସ୍ତୂପ ଜମା ହୋଇଛି । କିଛି ଦୂରରେ ଗୋଟିଏ ଭଙ୍ଗା କୂଅ । ତା’ର ମୂଳେ ଗୋଟିଏ ପ୍ରାଚୀନ ବରକୋଳି ଗଛ । ଜହ୍ନରାତିରେ ମଧ୍ୟ କୂଅ ମୂଳଟା ଅନ୍ଧକାରମୟ ହୋଇ ରହିଛି-

 

କିଛିକ୍ଷଣ ପର୍ଯ୍ୟନ୍ତ ସେଇ ଅନ୍ଧାରୁଆ ବାରଣ୍ଡା ଉପରେ ମୁଁ ନୀରବରେ ଛିଡ଼ା ହୋଇ ରହିଲି । ଏଇ ସମୟରେ କୂଅମୂଳେ ମୁଁ ଯେପରି କାହାରି କଥା ଶୁଣି ପାରିଲି । ଏଥର ଭଲକରି ଚାହିଁ ମୁଁ ସେମାନଙ୍କୁ ଚିହ୍ନି ପାରିଲି । ବଡ଼ ଖଣ୍ଡିଏ ପଥର ଉପରେ କମଳା ବସିଛି । ତା’ର ଖୁବ୍ ନିକଟରେ ବସିଛି ବିନୋଦ । ସେମାନେ ମୋତେ ଦେଖିପାରି ନଥିଲେ । ନିମ୍ନ ସ୍ୱରରେ କଇଁକଇଁ ହୋଇ କମଳା କାନ୍ଦୁଛି । ତରୁଣୀ ମନର ଗୋପନତମ କନ୍ଦର ଉନ୍ମୋଚିତ ନ ହେଲେ ଯେଉଁ କାନ୍ଦଣା ବାହାରେ ନାହିଁ । ବିନୋଦ ତା’ ପିଠି ଉପରେ ହାତ ରଖି ନିମ୍ନ କଣ୍ଠରେ କ’ଣ ଯେପରି ବୁଝାଉଛି ।

 

ନିଃଶବ୍ଦ ପଦକ୍ଷେପରେ ମୁଁ ସେଠାରୁ ଚାଲି ଆସିଲି । ଆଉ କିଛି ବୁଝିବାକୁ ବା ଦେଖିବାକୁ ମୋର ବାକି ନଥିଲା । କମଳା ବିତ୍ତହୀନ–କିନ୍ତୁ ଦୀନ ନୁହେଁ । ଗନିମିଆଁର ଧନର ଜୌଲୁସ୍‍ରେ ସେ ନିଜର ନାରୀତ୍ୱକୁ ଅବମାନନା କରି ପାରି ନାହିଁ । ଏସିଡ଼୍ ପକାଇ ନିଜର ନାରୀତ୍ଵର ସମ୍ମାନ ବଞ୍ଚାଇଛି । ପୁଲିସ ନିକଟରେ ବା ନିଜର ଓକିଲ ନିକଟରେ ସେ ଲଜ୍ଜାକର କାହାଣୀ ନ କହିଥିଲେ ମଧ୍ୟ ଯାହା ନିକଟରେ ନାରୀମନର କୌଣସି ଆଭରଣ ରହେ ନାହିଁ, ତା’ର ସେଇ ଦାୟିତ୍ଵ ନିକଟରେ ସେଇ ଅଶ୍ରୁଳ କାହାଣୀ ସେ କହୁଛି ।

 

ତା’ପରେ ମୁଁ ସେଠାରେ ଧୀରେ ଧୀରେ ବାହାରି ଗଲି । ଆଉ ସେମାନଙ୍କ ସହିତ ମୋର ଚାକ୍ଷୁଷ ଦେଖା ହୋଇ ନାହିଁ । ଏ ଦୁନିଆର ଘଟନା ପ୍ରବାହର ବୈଚିତ୍ର୍ୟ ହେଉଛି, ଯେଉଁ ଘଟନା ଘଟିବା ଉଚିତ ବୋଲି ସମସ୍ତେ ମନେ କରନ୍ତି, ବହୁ ସମୟରେ ତାହା ଘଟେ ନାହିଁ । ବୋଧହୁଏ ସେପରି ଘଟୁ ଥିଲେ ତାହା ଦୈନନ୍ଦିନ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ପରି ବୈଚିତ୍ର୍ୟହୀନ ହୋଇଯାନ୍ତା । ଚିରନ୍ତନ ଜେବିକ ନିୟମରେ ଗୋଟିଏ ତରୁଣ ଆଉ ଗୋଟିଏ ତରୁଣୀକୁ ଭଲ ପାଏ-। ସେଥିରେ ମନେରଖିବା ପରି କୌଣସି ବୈଚିତ୍ର୍ୟ ନାହିଁ; କିନ୍ତୁ ସେଇ ଭଲ ପାଇବାର ଯାହା ଚରମ ପରିଣତି–ଅର୍ଥାତ୍ ଦୁଇଟିର ଦେହର ମିଳନ ତାହା ବହୁକ୍ଷେତ୍ରରେ ଘଟେ ନାହିଁ । ତାହାକୁହିଁ ବୋଧହୁଏ କୁହନ୍ତି “ଟ୍ରାଜେଡ଼ି ଅଫ୍ ଲାଇଫ୍” ।

 

ସେଇ ରାତିରେ ଆଉଥରେ ମୁଁ ଜଗବନ୍ଧୁ ଓ ଶୋଭନାକୁ ଦେଖିଥିଲି । ସେମାନେ କିନ୍ତୁ ମୋତେ ଦେଖିପାରି ନାହାନ୍ତି । ତା’ ପରଦିନ ସକାଳୁ ଗାଁକୁ ଚାଲିଯିବି ବୋଲି ଥରେ କଟକ ଚଣ୍ଡୀଙ୍କୁ ଦର୍ଶନ କରିବାକୁ ଚାଲିଲି । ସେଇ ଦେବୀ ମନ୍ଦିରର ଭିଡ଼ ଭିତରେ ମୁଁ ସେମାନଙ୍କୁ ଦେଖିଲି । ଉଭୟେ ପାଖାପାଖି ହୋଇ ହାତଯୋଡ଼ି ଛିଡ଼ା ହୋଇଥିଲେ । ଆଖି ବୁଜି ବୋଧହୁଏ ପ୍ରାର୍ଥନା କରୁଥିଲେ । କ’ଣ ଯେ ଦେବୀଙ୍କ ଚରଣତଳେ ତାଙ୍କର ପ୍ରାର୍ଥନା–ଦୁହିଁଙ୍କର ପ୍ରାର୍ଥନା ଅଭିନ୍ନ ବା ବିଭିନ୍ନ ସେ କଥା ମୁଁ ଜାଣି ନଥିଲି ।

 

ସେ ଦିନ ଦେବୀ ମନ୍ଦିରରେ ପ୍ରାର୍ଥନାରତ ଜଗବନ୍ଧୁକୁ ଛାଡ଼ି ମୁଁ ଚାଲି ଆସିଥିଲି । ତାହାହିଁ ସେ ଦିନ ତା’ ସହିତ ମୋର ଶେଷ ସାକ୍ଷାତ । ଏବେ ଏତେ ବର୍ଷ ପରେ ମଧ୍ୟ ମୁଁ ଯେତେବେଳେ ସେଇ ଦେବୀ ମନ୍ଦିରକୁ ଯାଏଁ, ହତଭାଗା ଜଗବନ୍ଧୁ କଥା ମୋର ମନେ ପଡ଼େ । ମୋର ମାନସପଟରେ ଯେପରି ତା’ର ସେଇ ପ୍ରାର୍ଥନାରତ ମୂର୍ତ୍ତିଟି ବଞ୍ଚି ଉଠେ । ମୁଁ ମନେମନେ ଜଗତଜନନୀଙ୍କୁ ପ୍ରାର୍ଥନା କରେ–ମା, ହତଭାଗ୍ୟ ଜଗବନ୍ଧୁ ଯେପରି ଲୋକାନ୍ତରରେ ଶାନ୍ତିଲାଭ କରୁ-

 

ଟିକିଏ ବେଶି ରାତିରେ ଘରକୁ ଫେରିଲେ । ଭାବିଥିଲି ବନ୍ଧୁ ଉଦୟ ମିଶ୍ର ବୋଧହୁଏ ଶୋଇ ପଡ଼ିଥିବେ, କିନ୍ତୁ ଦେଖିଲି ଘନଶ୍ୟାମ ଆସିଛି ଓ ଉଦୟ ମିଶ୍ରଙ୍କ ସହିତ ଉତ୍ତେଜିତ କଣ୍ଠରେ କ’ଣ ସବୁ ଚର୍ଚ୍ଚା କରୁଛି । ଘନଶ୍ୟାମ ଜଣେ ସାମ୍ବାଦିକ । ଦେଶର ରାଜନୈତିକ ସମ୍ବାଦ ତା’ ନଖଦର୍ପଣରେ । ଥରେ ଯଦି ସେ ରାଜନୈତିକ ଚର୍ଚ୍ଚା ଆରମ୍ଭ କରେ, ତେବେ ଆଉ ତାକୁ ସମୟ ଜଣା ପଡ଼େ ନାହିଁ । ଖାଇବା ଶୋଇବାର ସମୟ ଗଡ଼ିଯାଏଁ । ମୁଁ ମନେକଲି–ସେହିପରି କୌଣସି ବିତର୍କରେ ସେମାନଙ୍କୁ ରାତି ଦଶଟା ବାଜିଲାଣି ବୋଲି ଜଣା ପଡ଼ିନାହିଁ । ମୁଁ ଖଣ୍ଡିଏ ଚଉକିରେ ବସି କହିଲି–କେଉଁ ତର୍କ ପଡ଼ିଛି ଘନଶ୍ୟାମ । ହିରୋସୀମାବାସୀଙ୍କ ପାଇଁ ସହାନୁଭୂତି ଜ୍ଞାପନ କରୁଛ ନା ହିଟ୍‍ଲର ପାଇଁ ଶୋକସଭା କରୁଛ ?

 

ସେପରି କୌଣସି କିଛି ହେଉନାହିଁ । ତୁମପାଇଁ ଅପେକ୍ଷା କରି ଆମେ ବସିଛୁ । –ସାମାନ୍ୟ ହସି ଘନଶ୍ୟାମ କହିଲା । ତା’ପରେ ମୁଁ କିଛି କହିବା ପୂର୍ବରୁ ସେ କହିଲା–କମଳା ବିଷୟରେ କିଛି ଗୋଟାଏ ଭଲ ବ୍ୟବସ୍ଥା କରିବାକୁ ମୁଁ ଆସିଥିଲି ।

 

–କିପରି ବ୍ୟବସ୍ଥା ? ମୁଁ ପଚାରିଲି ।

 

–ତା’କୁ ଏ କେସ୍‍ରୁ ବଞ୍ଚାଇବାକୁ ହେବ । ମୁଁ ସେଇକଥା ଉଦୟବାବୁଙ୍କ ସହିତ ଚର୍ଚ୍ଚା କରୁଥିଲି । ଆଇନର ଯାହା ବିଧାନ ଥାଉ ପଛେ, ମହାପାପୀ ଗନିମିଆଁକୁ ଆଘାତ କରି କମଳା ଠିକ୍ କରିଛି । ଆଇନରେ ତ ପୁଣି “ରାଇଟ୍ ଅବ୍ ପ୍ରାଇଭେଟ୍ ଡିଫେନ୍‍ସ” ବୋଲି ଗୋଟାଏ କଥା ଅଛି । ତା’ କମଳାକୁ ପ୍ରଯୁଜ୍ୟ ହେବନାହିଁ କାହିଁକି ?

 

ଉଦୟ ମିଶ୍ର ସାମାନ୍ୟ ହସି କହିଲେ–ହେବା ତ ଉଚିତ । କିନ୍ତୁ ସେଥିପାଇଁ ତ କମଳା ସବୁ ସତ ଘଟନା ପ୍ରକାଶ କରିବା କଥା ?

 

ଘନଶ୍ୟାମ ଉତ୍ତେଜିତ ହୋଇ କହିଲା–ପ୍ରକୃତ ଘଟନା ଜାଣିବାପାଇଁ ଆଉ ବାକି କ’ଣ ଅଛି । ମାତାଲ ଅବସ୍ଥାରେ ନରପଶୁ ଗନିମିଆଁ ଯଦି ହଠାତ କମଳାକୁ ଆକ୍ରମଣ କରେ ତେବେ ନିଜର ନାରୀତ୍ଵର ସମ୍ମାନ ବଞ୍ଚାଇବାପାଇଁ ତା’ ମୁହଁରେ ଏସିଡ଼୍ ପକାଇବାଟା କ’ଣ ତା’ର ‘ରାଇଟ୍ ଅବ୍ ପ୍ରାଇଭେଟ୍ ଡିଫେନ୍‍ସରେ ପଡ଼ୁନାହିଁ ?

 

ପୁଣି ସେହିପରି ସାମାନ୍ୟ ହସି ଉଦୟ ମିଶ୍ର କହିଲେ–ସେଥିପାଇଁ ଯଥେଷ୍ଟ ପ୍ରମାଣର ପ୍ରୟୋଜନ । ଭାରତୀୟ ବିଚାର ପଦ୍ଧତି ବଡ଼ ବିଚିତ୍ର ଘନଶ୍ୟାମବାବୁ ! ତେବେ ମୁଁ ଆଶାକରେ ଯେ ବର୍ତ୍ତମାନ ଗୋଟାଏ ସାମୟିକ ଉତ୍ତେଜନାରେ କମଳା କିଛି ନ କହିଲେ ମଧ୍ୟ ପରେ ହୁଏତ ସବୁ ଖୋଲି ପ୍ରକାଶ କରିବ ।

 

ତା’ପରେ କଚେରିରେ କମଳାର ବିଚାର ଦେଖିବାକୁ ମୁଁ ଆସିନାହିଁ । ଅବଶ୍ୟ ପରେ ଜାଣିପାରିଥିଲି ଯେ, ବିଚାରର ଅଗ୍ରଗତି ଆଦୌ ହୋଇନାହିଁ । ଗନିମିଆଁ ବା ଆଉ ବାହାର ଜମାନବନ୍ଦୀ ବା ଜେରା ବିଚାରାଳୟରେ ହୋଇନାହିଁ । ଅତି ଅଦ୍ଭୁତ ଭାବରେ ଏଇ ଘଟନାର ଅବସାନ ହୋଇଥିଲା । ଉଦୟବାବୁଙ୍କୁ ଆଉ କମଳା ତରଫରେ ଓକିଲାତି କରିବାର ପ୍ରୟୋଜନ ହୋଇନାହିଁ ।

 

ତା’ପରେ ବହୁଦିନ ପର୍ଯ୍ୟନ୍ତ ଜଗବନ୍ଧୁ, କମଳା ବା ଶୋଭନା ସହିତ ମୋର ଦେଖା ହୋଇନାହିଁ ।

 

–ଏଗାର–

 

ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ଯୋଗୁଁ ମୁଁ ବହୁଦିନ ପର୍ଯ୍ୟନ୍ତ ଅତିଶୟ କର୍ମବ୍ୟସ୍ତ ଥିଲି । ଯାଜପୁରରେ ମୋର ନୂତନ କର୍ମଭୂମିରେ ବହୁ ନୂତନ ସମସ୍ୟା ନେଇ ମୁଁ ବ୍ୟସ୍ତଥିଲି । ସେଇ ନୂତନର ଝଲକରେ ପୁରାତନର ସ୍ମୃତି ଅସ୍ପଷ୍ଟ ହୋଇ ଯାଇଥିଲା । ଅତି ଆକସ୍ମିକ ଭାବରେ ଦିନେ ପୁଣି ତାହା ଜାଗି ଉଠିଲା ।

 

ଯାଜପୁର ସହରରୁ ପ୍ରାୟ ଅଠର ମାଇଲ ଦୂରରେ କୌଣସି ଗୋଟିଏ ତଦନ୍ତ ସୂତ୍ରରେ ମୁଁ ଦିନେ ଗୋଟିଏ ଗାଁକୁ ଯାଇଥିଲି । ସଙ୍ଗରେ ଥିଲେ ତତ୍‍କାଳୀନ ଜଣେ କରିତ୍‍କର୍ମା ପୁଲିସ କର୍ମଚାରୀ ବନମାଳୀ ଶାସନୀ । ବନମାଳୀବାବୁ ସେ ଗାଁରେ ପୂର୍ବପରିଚିତ ବ୍ୟକ୍ତି । ଗାଁରେ ଆମକୁ ଦୁଇଦିନ ରହିବାକୁ ହେବ । ବନ୍ଧୁ ବନମାଳୀବାବୁଙ୍କ ଠାରୁ ଜାଣିଲି ଯେ ଗାଁ ମୁଣ୍ଡକୁ ଗୋଟିଏ ମଠ ଅଛି । ସେଇ ମଠର ମହନ୍ତ ମହାରାଜ ଜଣେ ଅତି ସଜ୍ଜନ ବ୍ୟକ୍ତି ଓ ବନମାଳୀବାବୁଙ୍କର ପୂର୍ବପରିଚିତ । ସେଠାରେ ଆମେମାନେ ଅନାୟାସରେ ଓ ସମ୍ମାନର ସହିତ ଆଶ୍ରୟ ପାଇବା । ଆଖପାଖରେ ସାନସାନ ଅନେକଗୁଡ଼ିଏ ପାଣ ଗାଁ । ସେ କାଳର ଗୋଟିଏ ବିଚିତ୍ର ଆଇନ ବଳରେ ଚଉଦଖଣ୍ଡି ପାଣ ଗାଁର ସବୁ ପୁରୁଷମାନଙ୍କୁ “କ୍ରିମିନାଲ୍ ଟ୍ରାଇବ୍” ବା ଅପରାଧୀ ଦଳ ବୋଲି କୁହାଯାଉଥିଲା । ଏଇ ପାଣମାନଙ୍କ ଭିତରୁ କେତେଜଣ ଅତି ଦୁର୍ଦ୍ଦାନ୍ତ ଦସ୍ୟୁ ଥିଲେ ମଧ୍ୟ ସମସ୍ତେ ଅପରାଧୀ ନୁହନ୍ତି । କିନ୍ତୁ ଷୋଳବର୍ଷ ପୂରିଯିବାମାତ୍ରେ ପ୍ରତି ପାଣ ଯୁବକ ଜଣେ ଅପରାଧୀ ଭାବରେ ପୁଲିସ ନଥିଭୁକ୍ତ ହେବାକୁ ହୁଏ । ତା’ପରେ ଜୀବନସାରା କୌଣସି ଅପରାଧ କରି ନଥିଲେ ମଧ୍ୟ ତାକୁ ଜଣେ ନାମଜାଦା ଅପରାଧୀ ଭାବରେ ପରିଚିତ ହେବାକୁ ହୁଏ । ପୁଲିସର ଲିଖିତ ଆଦେଶନାମା ନ ପାଇ ଦୈନନ୍ଦିନ ଜୀବିକାର୍ଜନ କରିବାକୁ ମଧ୍ୟ ସେ ପାଖ ଗାଁକୁ ଯାଇ ପାରିବ ନାହିଁ । ଯଦି ଯାଏଁ ତେବେ ଦୀର୍ଘଦିନ ସଶ୍ରମ କାରାବାସ ଅବଶ୍ୟମ୍ଭାବୀ । ଘରଭିତରେ ମଧ୍ୟ ସେମାନଙ୍କର ସ୍ଵାଧୀନତା ନଥିଲା । ରାତିସାରା ତିନିଥର ପୁଲିସ ସେମାନଙ୍କ ଘରେ ପଶି ସେମାନଙ୍କର ହାଜିରା ନିଅନ୍ତି । ଏହା ପୁଲିସର ବେଆଇନ୍ କାମ ନୁହେଁ । ସେମାନଙ୍କ ଉପରେ ଏହାହିଁ ଥିଲା ଆଇନର ନିର୍ଦ୍ଦେଶ । ଅମୋଘ ଜୈବିକ ନିୟମ ଅନୁସାରେ ଏଇ ହତଭାଗ୍ୟ ପାଣ ଗୋଷ୍ଠୀ ଦିନକୁଦିନ ବଢ଼ିଚାଲେ, ପୁଲିସ ନଥି ମଧ୍ୟ ସେହି ଅନୁପାତରେ ଫୁଲିଉଠେ । ସେମାନଙ୍କର ଶିକ୍ଷା ବା ବଞ୍ଚିରହିବା ପାଇଁ ଜିବୀକାର୍ଜନର କୌଣସି ସମ୍ମାନଜନକ ପନ୍ଥା ସରକାରଙ୍କର ଦାୟିତ୍ୱ ଭିତରେ ନୁହେଁ । ପାରିପାର୍ଶ୍ୱିକ ଅଭାବ ଓ ଘୃଣାର ଆଘାତରେ କେତେକଙ୍କର ଅବଚେତନ ମନ ବିଦ୍ରୋହୀ ହୋଇଉଠେ । ଆଇନର ଲୌହ ଶୃଙ୍ଖଳ ସେମାନେ ଭାଙ୍ଗି ପକାନ୍ତି । ଅବଶେଷରେ ଦୀର୍ଘକାଳ ପାଇଁ କାରାବରଣ କରନ୍ତି ।

 

ଏହିପରି ଗୋଟିଏ ଦଳିତ ଓ ଅବହେଳିତ ମାନବ ବସତିର ଉପକଣ୍ଠରେ କେଉଁଦିନ ଏ ମହନ୍ତ ମହାରାଜା ଆସି ଗୋଟିଏ ମଠ ସ୍ଥାପନ କରିଥିଲେ ସେ ଇତିହାସ ମୁଁ ଅନୁଧ୍ୟାନ କରି ନାହିଁ । ବନମାଳୀବାବୁଙ୍କ ସହିତ ମଠ ଭିତରକୁ ଆସି ମୁଁ ମୁଗ୍ଧ ହେଲି । ଦୀର୍ଘ ପଥବ୍ୟାପୀ ଗାଁ ପରେ ଗାଁ ଲକ୍ଷ୍ମୀଛଡ଼ା ପାଣମାନଙ୍କର ଶ୍ରୀହୀନ କୁଡ଼ିଆ ଦେଖିଦେଖି ଆସିବା ପରେ ଏଇ ଛାୟାଚ୍ଛନ୍ନ ମଠର ଶାନ୍ତି ପରିବେଶଟି ବଡ଼ ଭଲ ଲାଗିଲା । ବଡ଼ ଗୋଟିଏ ସ୍ଥାନ କଞ୍ଚାବାଡ଼ଦେଇ ଘେରା । କେତେଗୁଡ଼ିଏ ଚାଳଘର । ପ୍ରଶସ୍ତ ପ୍ରାଙ୍ଗଣଟି ଗୋବରରେ ଲିପା ହୋଇଛି ଅଜସ୍ର ତରାଟ ଓ କୃଷ୍ଣଚୂଡ଼ା ଗଛରେ ଫୁଲ ଭର୍ତ୍ତି ହୋଇଛି । ଆଉ କେତୋଟି ବଉଳ ଓ ଛୁରିଅନା ଗଛମଧ୍ୟ ଅଛି । ଘରର ପଶ୍ଚିମ ପଟକୁ ଗୋଟିଏ ବଡ଼ କିଆରିରେ ଅସଂଖ୍ୟ ତୁଳସୀ ଗଛ । ପୂର୍ବପଟକୁ ଖଣ୍ଡିଏ ବଡ଼ହଲ୍ । ସାମନାଟା ଖୋଲା । ଏଠାରେ ଏପରି ଘରକୁ ବଙ୍ଗଳା କହନ୍ତି । ବନମାଳୀବାବୁ ମୋତେ ଆଣି ଏଇ ହଲ୍ ବା ‘‘ବଙ୍ଗଳା’’ରେ ବସାଇଲେ । ଚାରିଆଡ଼ ନିର୍ଜନ । ମହନ୍ତ ମହାରାଜ ବା ଅନ୍ୟ କୌଣସି ମଠାବାସୀଙ୍କୁ କେଉଁଠାରେ ହେଲେ ଦେଖି ପାରିଲି ନାହିଁ । ମଠାଧୀଶ ବନମାଳୀବାବୁଙ୍କର ପୂର୍ବପରିଚିତ ଓ ବନ୍ଧୁବ୍ୟକ୍ତି ହୋଇଥିଲେ ମଧ୍ୟ, ସ୍ୱୟଂ ମହନ୍ତ ମହାରାଜାଙ୍କ ଠାରୁ ଅନୁମତି ନ ନେଇ ଏବଂ ତାଙ୍କର ବିନା ଆମନ୍ତ୍ରଣରେ ଏଠାରେ ରହିବାକୁ ମୋର ଇଚ୍ଛା ହେଲାନାହିଁ । ମୋ ମନକଥା ବନମାଳୀବାବୁଙ୍କୁ ନ ଜଣାଇ, ମହନ୍ତଙ୍କ ସହିତ ଦେଖା କରିବାପାଇଁ ମୁଁ ଇଚ୍ଛା ପ୍ରକାଶ କଲି । ବନମାଳୀବାବୁ ଯେପରି ମୋ ମନକଥା ବୁଝିପାରିଲେ । କହିଲେ–ମହନ୍ତ ମହାରାଜ ଏହିକ୍ଷଣି ଆସି ପହଞ୍ଚିଯିବେ । ମୁଁ ଖବର ପଠାଇଦେଇଛି । ଆପଣ ସେଇ ଚଉକିରେ ବସି ଟିକିଏ ବିଶ୍ରାମ କରନ୍ତୁ । ମୁଁ ଯାଉଛି । ଟିକିଏ ଚା’ର ବନ୍ଦୋବସ୍ତ କରିବି ? ଏହା କହି ବନମାଳୀବାବୁ ମଠର ଅନ୍ଦରମହଲ ଭିତରକୁ ଚାଲିଗଲେ । ମୁଁ ବୁଝିଲି ଏଠାରେ ସେ ପ୍ରକୃତରେ ଅତି ପରିଚିତ ବ୍ୟକ୍ତି ।

 

ବେଶିକ୍ଷଣ ପର୍ଯ୍ୟନ୍ତ ମୋତେ ଏକା ବସିରହିବାକୁ ହେଲା ନାହିଁ । ମୁଁ ଯେଉଁ ତଦନ୍ତ ସମ୍ପର୍କରେ ସେଠାକୁ ଯାଇଥିଲି, ସେଇ ମକଦ୍ଦମା ସହିତ ସମ୍ପୃକ୍ତ କେତେକ ଲୋକ ସେଠାରେ ଆସି ପହଞ୍ଚିଲେ । ସ୍ଥାନୀୟ ଦଫାଦାର ଓ ଚଉକିଦାରମାନେ ମଧ୍ୟ ଆସିଲେ । କ୍ରମେ ସେଠାରେ ଲୋକର ଭିଡ଼ ହେବାକୁ ଲାଗିଲା । ଏଇ ସମୟରେ ଗୋଟିଏ ଅବଗୁଣ୍ଠନବତୀ ଅଳ୍ପବୟସ୍କା ସ୍ତ୍ରୀଲୋକ ମଠର ଅନ୍ଦରମହଲରୁ ଗୋଟିଏ କଂସା ଗିଲାସରେ ଗରମ ଚା’ ଆଣି ମୋ ସାମନାରେ ରଖିଲା ଓ ତଳେ ମୁଣ୍ଡ ଲଗାଇ ମୋତେ ଗୋଟିଏ ପ୍ରଣାମ କଲା । ସ୍ତ୍ରୀଲୋକଟିକୁ ଚାହିଁ ଦେଖିଲି । କୋଡ଼ିଏ ଏକୋଇଶବର୍ଷର ସ୍ଵାସ୍ଥ୍ୟବତୀ ଝିଅଟିଏ । କୁମାରୀ କି ବିଧବା ଠିକ୍ ବୁଝିପାରିଲି ନାହିଁ । ମୁଁ ପୂର୍ବ ଅଭିଜ୍ଞତାରୁ ଜାଣେ ଯେ ଏପରି ମଠ ବା ଅନ୍ୟାନ୍ୟ ଧର୍ମପୀଠରେ କୌଣସି ବିବାହିତା ନାରୀ ସାଧାରଣତଃ ବାସ କରନ୍ତି ନାହିଁ । କିଛି ସମୟ ପରେ ବନମାଳୀବାବୁ ଖୁସି ମନରେ ଭିତର ମହଲାରୁ ଆସି ପହଞ୍ଚିଲେ । ତାଙ୍କର ହସହସ ମୁହଁରୁ ମୁଁ ବୁଝିପାରିଲି ଯେ ଗରମ ଚା’ ସହିତ ମଠର କିଛି ପ୍ରସାଦ ସେବନ କରି ସମ୍ପୂର୍ଣ୍ଣ ରୂପରେ ତାଙ୍କର କ୍ଳାନ୍ତି ଦୂର ହୋଇଯାଇଛି । କହିଲେ–ରନ୍ଧାବଢ଼ାର ସବୁ ବ୍ୟବସ୍ଥା କରିଆସିଲି । କିନ୍ତୁ କୁକୁଡ଼ା ମିଳିଲା ନାହିଁ । ହେଲେ, ପଲେଇ ଘର ଗଡ଼ିଆରେ ଜାଲ ପକାଇବା ପାଇଁ ଲୋକ ପଠାଇଦେଲି । ଦେଢ଼ସେରିଆ ରୋହି ଭର୍ତ୍ତି ହୋଇଛନ୍ତି-

 

ବନମାଳୀବାବୁଙ୍କ କଥା ଶୁଣି ମୁଁ ବିସ୍ମିତ ହେଲି । ଜୀବନରେ ବହୁ ମଠ ମୁଁ ଦେଖିଛି ଧର୍ମ ଓ ଆଧ୍ୟାତ୍ମିକତାର ଆଢ଼ୁଆଳରେ କେତେକ ମଠରେ ବହୁ ମହାପାପ ଓ ବ୍ୟଭିଚାର ରହିଥିବା ମୁଁ ଜାଣେ । କିନ୍ତୁ ଏଥିପୂର୍ବରୁ କୌଣସି ମଠରେ ଅତିଥି ସତ୍କାରପାଇଁ କୁକୁଡ଼ା ମାଂସ ଓ ମାଛ ରନ୍ଧା ହେଉଥିବା ମୁଁ ଜାଣି ନଥିଲି । ବନମାଳୀବାବୁଙ୍କୁ ଏ ବିଷୟରେ ମୁଁ ପଚାରିବାକୁ ଯାଉଛି, ଠିକ୍ ଏହି ସମୟରେ ଭିଡ଼ ଠେଲି ଗୋଟାଏ ଅତି ଅପରିଚ୍ଛନ୍ନିଆ ଓ କଙ୍କାଳସାର ଲୋକ ମୋ ସାମନାକୁ ଆସି ତଳେ ଆଣ୍ଠୁମାଡ଼ି ଓ ଦୁଇହାତ ଯୋଡ଼ି ଗୁଣୁଗୁଣୁ ହୋଇ କିଛିକ୍ଷଣ କ’ଣ ମନ୍ତ୍ର ପଢ଼ିଲା ଓ ତା’ପରେ ଲମ୍ବ ହୋଇ ସେଇ ଭୂଇଁରେ ମୋ ଗୋଡ଼ତଳେ ପଡ଼ିଗଲା । ଏପରି ଅବସ୍ଥାରେ ଲୋକଟା ଗୋଡ଼ତଳେ ପଡ଼ିଯିବାର ଦେଖି ମୁଁ ଭାବିଲି ଯେ ହୁଏତ ଲୋକଟା ଅତିଶୟ ଦୁସ୍ଥ । ମୋ ନିକଟରୁ କିଛି ସାହାଯ୍ୟ ପ୍ରାର୍ଥନା କରୁଛି । ଲୋକଟାକୁ ହୁଏତ ବନମାଳୀବାବୁ ଚିହ୍ନିଥିବେ ଓ ସେ କ’ଣ ପ୍ରାର୍ଥନା କରୁଛି–ଜାଣିଥିବେ ଭାବି ମୁଁ ତାଙ୍କଆଡ଼େ ଜିଜ୍ଞାସୁ ନିୟନରେ ଚାହିଁଲି । ବନମାଳୀବାବୁ ସାମାନ୍ୟ ହସି ଯାହା କହିଲେ ତାହା ଅତିଶୟ ଅଭାବନୀୟ ।

 

–ସାର୍ । ଏଇ ହେଉଛନ୍ତି ଏ ମଠର ମହନ୍ତ ମହାରାଜ ।

 

ହଠାତ ମୁଁ ଚଉକି ଉପରୁ ଉଠିଯାଇ ମହନ୍ତଙ୍କୁ ଦୁଇହାତରେ ଭୂଇଁ ଉପରୁ ଉଠାଇଲି । ସେ କିନ୍ତୁ ଆଖି ନ ମେଲାଇ ଭୂଇଁରେ ପୁଣି ଆଣ୍ଠୁମାଡ଼ି ବସିପଡ଼ିଲେ ଓ ଆହୁରି କିଛିକ୍ଷଣ ପର୍ଯ୍ୟନ୍ତ ଦୁଇହାତ ଯୋଡ଼ି ଗୁଣୁଗୁଣୁ କରି କ’ଣ ସବୁ ମନ୍ତ୍ର ପଢ଼ିବାକୁ ଲାଗିଲେ । ମନ୍ତ୍ରପାଠ ଶେଷକରି ସେ ମୋ ସାମନାରେ ଦୁଇଟି ହାତ ଯୋଡ଼ି ସିଧାହୋଇ ଛିଡ଼ାହେଲେ ।

 

ଏଥର ମୁଁ ଲୋକଟାକୁ ଭଲକରି ଦେଖିଲି । ଅତି ଅପରିଚ୍ଛନ୍ନିଆ ଚେହେରା । ପଞ୍ଜରା ହାଡ଼ଗୁଡ଼ିକ ବାହାରି ପଡ଼ିଛି । ଗାଲ ହାଡ଼ ବାହାରିପଡ଼ିଛି । କୋଟର ଗତ ଦୁଇଟି ସାନସାନ ଆଖି । ବୟସ ପ୍ରାୟ ଚାଳିଶବର୍ଷ । ଏଇ ମଠର ସୁନ୍ଦର ଓ ଶାନ୍ତ ପରିବେଶ ଭିତରେ ଏଠାକାର ମଠାଧୀଶ ମୋ କଳ୍ପନାଲୋକରେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଜାଗିଉଠିଥିଲେ । ସୌମ୍ୟ–ଶାନ୍ତରୂପ । ଧ୍ୟାନ ଗମ୍ଭୀର ଦୁଇଟି ଉଦାସିଆ ଆଖି । କିନ୍ତୁ ତା’ ପରିବର୍ତ୍ତରେ ଏଇ ମର୍କଟଟାକୁ ଦେଖି ମନ ମୋର ବିଷାକ୍ତ ହୋଇ ଉଠିଲା । ତାଙ୍କୁ ପ୍ରଣାମ ମଧ୍ୟ କଲିନାହିଁ । ଲୋକଟାର ଏପରି ବିଚିତ୍ର ବ୍ୟବହାର ଦେଖି ସାମାନ୍ୟ ହସି ପଚାରିଲି–ତୁମ ନାମ କ’ଣ ମହନ୍ତେ ?

 

–ହଜୁର, ମୋତେ ସମସ୍ତେ ମହାତ୍ମା ଶ୍ରୀ ଶ୍ରୀ ପଦ୍ମକେଶରୀ ମାନ୍ଧାତା ନାମ ଦେଇଛନ୍ତି ।

 

ଏଇ ମର୍କଟଟାର ଏପରି ଗୁରୁଗମ୍ଭୀର ନାମ ଶୁଣି ମୁଁ ହସିପକାଇଲି । କୌତୁକ କରି ପଚାରିଲି–ଏତେବଡ଼ ନାଁଟା ତୁମକୁ କିଏ ଦେଲା ?

 

ତରଭୁଜ ମଞ୍ଜିପରି କଳା ଓ ଅପରିଚ୍ଛନ୍ନ ଦନ୍ତପଂକ୍ତି ଦେଖାଇ ବାବାଜି ଗୋଟିଏ ଆକର୍ଣ୍ଣ ବିସ୍ତାରିତ ହସ ହସିଲେ । ତା’ପରେ ସେଥିରେ ଉପସ୍ଥିତ ଥିବା ଲୋକମାନଙ୍କୁ ଦେଖେଇ କହିଲେ–ଏଇ ଭକ୍ତମାନେ ସବୁ ଏ ନାଁ ରଖିଛନ୍ତି ହଜୁର । ମୁଁ ତ “ନିମିତ୍ତ” ମାତ୍ର । ଭାଗବତରେ କହିଛି ପରା “ନିମିତ୍ତ ମାତ୍ର ଭବ ସର୍ବଶାଚୀ !”

 

ବାବାଜିଙ୍କର ନାମ ଶୁଣି ମୁଁ ଉଦ୍‌ଗତ ହସକୁ ବହୁ ଆୟାସରେ ସମ୍ଭାଳି ପାରିଥିଲି । କିନ୍ତୁ ଏଥର ତାଙ୍କର ଜ୍ଞାନର ଗଭୀରତା ଦେଖି ହସ ସମ୍ଭାଳି ପାରିଲି ନାହିଁ । ବହୁକ୍ଷଣ ପର୍ଯ୍ୟନ୍ତ ହସିଲି । ବନମାଳୀବାବୁ ମଧ୍ୟ ହସିହସି ବାବାଜିଙ୍କୁ କ’ଣ କହିବାକୁ ଯାଉଥିଲେ । ବୋଧହୁଏ ତାଙ୍କର ବିଚିତ୍ର “ସଂସ୍କୃତ”କୁ ସଂଶୋଧନ କରିବାକୁ ଯାଉଥିଲେ । କିନ୍ତୁ ମୁଁ ଇଙ୍ଗିତରେ ତାଙ୍କୁ ମନାକଲି । ବାବାଜି କିନ୍ତୁ ସେହିପରି ନିର୍ବିକାର ଭାବରେ ଛିଡ଼ାହୋଇ ରହିଲେ । ଆମର ଏପରି ହସ ଓ ଥଟ୍ଟାରେ ସେ ବିନ୍ଦୁମାତ୍ର ବିଚଳିତ ହେଲେ ନାହିଁ । ବୁଝିଲି ଯେ ଏ ଜିତେନ୍ଦ୍ରିୟ ବାବାଜି ଅନ୍ତତଃ ଲଜ୍ଜା ଇନ୍ଦ୍ରିୟଟାକୁ ସମ୍ପୂର୍ଣ୍ଣ ଭାବରେ ଜୟକରି ପାରିଛନ୍ତି ।

 

ଉଦ୍‌ଗତ ହସକୁ ବହୁକଷ୍ଟରେ ଦମନ କରି ମୁଁ କହିଲି–ଆପଙ୍କ ପରି ଜଣେ ବ୍ରହ୍ମଚାରୀ ମହାତ୍ମା ବ୍ୟକ୍ତି ମୋପରି ଗୋଟିଏ ସାଧାରଣ ଲୋକର ଗୋଡ଼ତଳେ ପଡ଼ିଯିବା ଉଚିତ କି ?

 

ନିଜ କାନକୁ ନିଜ ହାତରେ ମୋଡ଼ି ଓ ଚାପୁଡ଼ା ଖାଇ ବାବାଜି ପୁଣି ହାତ ଯୋଡ଼ି କହିଲେ–ହଜୁର ସାଧାରଣ ଲୋକ । ପୁରାଣରେ ପରା କହିଛି “ଦିଲ୍ଲୀଶ୍ଵରେ ବା ଜଗଦୀଶ୍ଵରେ ବା ।” ବୋଇଲେ, ଦିଲ୍ଲୀଶ୍ଵର ହେଉଛନ୍ତି ଜଗଦୀଶ୍ଵରଙ୍କଠୁ ବଡ଼ । ହେଲେ ଦିଲ୍ଲୀଶ୍ଵର କିଏ ! ନା ! ରାଜପ୍ରତିନିଧି । ପୁଣି ରାଜପ୍ରତିନିଧି କିଏ–ନା ହଜୁର ସ୍ଵୟଂ ।

 

ଅତି ପ୍ରାଞ୍ଜଳ ବିଶ୍ଳେଷଣ ଓ ମୋକ୍ଷମ ଯୁକ୍ତି । ଜଣେ ଅତି ଗଣ୍ୟମାନ୍ୟ ଅତିଥି ଭାବରେ ସେ ମଠରେ ମୁଁ ତିନିଦିନ ରହିଥିଲି । ଏଇ ସମୟ ଭିତରେ ଓ ତା’ପରେ ମଧ୍ୟ ବହୁଥର ମୁଁ ଏଇ ଲୋକଟିର ସଂସ୍ପର୍ଶରେ ଆସିଛି । ଆଜି ପର୍ଯ୍ୟନ୍ତ ଏଇ କଦାକାର ଓ କୁତ୍ସିତ ଲୋକଟା ମୋ ସ୍ମୃତିରେ ଗୋଟାଏ ଜୀବନ୍ତ ରହସ୍ୟ ହୋଇ ବଞ୍ଚିରହିଛି । ପ୍ରଥମ ଦିନ ମଠରେ ମୋର ସରକାରୀ କାମ କରୁକରୁ ବହୁତ ବିଳମ୍ବ ହୋଇଗଲା । ମଧ୍ୟାହ୍ନ ଭୋଜନ କଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲି । ବନମାଳୀବାବୁ କିନ୍ତୁ ଖାଇବା କଥା ଭୁଲି ନଥିଲେ । ଜୀବନର ଏଇ ମହତ୍ କାର୍ଯ୍ୟଟି ଯଥାସମୟରେ ଓ ଅତି ସୁଚାରୁରୂପେ ସମ୍ପନ୍ନ କରିବାକୁ ସେ କଦାପି ଭୁଲନ୍ତି ନାହିଁ । ଅତଏବ ବନମାଳୀବାବୁଙ୍କ ତାଡ଼ନାରେ ଅପରାହ୍ନ ପ୍ରାୟ ଦୁଇଟାବେଳେ ମୁଁ ଖାଇବାପାଇଁ ଗଲି । ମଠର ଅନ୍ଦରମହଲରେ ଆମମାନଙ୍କର ଖାଇବାର ବ୍ୟବସ୍ଥା ହୋଇଥିଲା । ରୋହିମାଛ ଝୋଳ, ଅରୁଆ ଚାଉଳ ଭାତ, ଖାଣ୍ଟି ଗୁଆଘିଅ ଓ ଅନ୍ୟାନ୍ୟ ତରକାରୀ ପରିବେଷଣ କରାହେଲା । ତିନୋଟି ଅଳ୍ପବୟସ୍କା ସ୍ତ୍ରୀଲୋକ ପରମ ଯତ୍ନରେ ଆମମାନଙ୍କୁ ଖାଇବାକୁ ଦେଲେ । ମୁଁ ସେ ଝିଅ ତିନୋଟିର ନାଁ ମଧ୍ୟ ପଚାରି ବୁଝିଲି । ବଡ଼ଟିର ନାମ ରମା । ବୟସ ପ୍ରାୟ ବାଇଶ । ଶ୍ୟାମଳ ବର୍ଣ୍ଣ । ଆଖି ଦୁଇଟି କିପରି ଉଦାସିଆ ।

 

ଅନ୍ୟଟିର ନାମ ତ’ପୋଇ ବୟସ ଅନ୍ଦାଜ ଊଣେଇଶ ବା କୋଡ଼ିଏ । ସୁନ୍ଦରୀ ନ ହେଲେ ମଧ୍ୟ ଲାବଣ୍ୟମୟୀ । ଗୌରବର୍ଣ୍ଣ, ଧୀର ଓ ଶାନ୍ତ ଝିଅଟିଏ । ତୃତୀୟଟିର ନାଁ ସୋଦରୀ । ସର୍ବାଙ୍ଗରେ ଉଜ୍ଜ୍ୱଳ ଓ ତରଙ୍ଗାୟିତ ଯୌବନ । ବୟସ ପ୍ରାୟ ଷୋଳ କି ସତର । ଆଖିରେ ବିଜୁଳି । ଗୋଟିଏ ଅତି ଲାବଣ୍ୟମୟୀ ପଲ୍ଲୀଝିଅ । ପରମ ଯତ୍ନରେ ଝିଅ ତିନୋଟି ଆମକୁ ଖୁଆଇଲେ । ବାବାଜି ମଧ୍ୟ ଘରର ଗୋଟିଏ କଣକୁ ବସି ଆମମାନଙ୍କର ଖାଇବା ତତ୍ତ୍ଵାବଧାନ କରିବାକୁ ଲାଗିଲେ । ବହୁ ଅନୁରୋଧସତ୍ତ୍ୱେ ସେ ଆମ ସଙ୍ଗେ ବସି ଖାଇଲେ ନାହିଁ । କେଉଁ ଏକ ହିନ୍ଦୁ ପୁରାଣରେ କୁଆଡ଼େ ଏ ବିଷୟରେ ଗୋଟିଏ ନିର୍ଦ୍ଦେଶ ରହିଛି ଯେ, ଘରର ଅତିଥି ଭୋଜନ କରି ସାରିବା ପୂର୍ବରୁ ଗୃହସ୍ୱାମୀ କଦାପି ଭୋଜନ କରିବା ଉଚିତ ନୁହେଁ । ସେଇ ପୁରାଣରେ ଆହୁରି କୁଆଡ଼େ ଉଲ୍ଲେଖ ରହିଛି ଯେ, ଦ୍ଵାପର ଯୁଗରେ ଜନୈକ ରାଜା ପୁରାଣର ଏ ବିଧାନ ନ ମାନି ଥରେ ଖାଇ ଦେଇଥିଲେ । ତା’ର ପରିଣାମରେ କେଉଁ ଗୋଟାଏ ଭୀଷଣ ନର୍କରେ ସେ କୁଆଡ଼େ ଆଜି ପର୍ଯ୍ୟନ୍ତ ପଡ଼ି ରହିଛନ୍ତି ।

 

ଖାଇ ସାରି ବାହାରକୁ ଆସୁଆସୁ ମୁଁ ବନମାଳୀବାବୁଙ୍କୁ ପଚାରିଲି–ଆଚ୍ଛା, ଏ ଝିଅ ତିନୋଟି ବିଷୟରେ ଆପଣ କିଛି ଜାଣନ୍ତି କି ? ନିଶ୍ଚୟ ସେମାନେ ବାବାଜିଙ୍କର କୌଣସି ଆତ୍ମୀୟା ନୁହନ୍ତି ।

 

–ନା, ନା, ସେମାନେ ଆଦୌ ବାବାଜିଙ୍କର ଆତ୍ମୀୟା ନୁହନ୍ତି । ସେମାନେ ହେଉଛନ୍ତି ଏ ମଠର ସେବାଦାସୀ । ବିଭିନ୍ନ ଜାତିର ଝିଅ ସେମାନେ । ରମା ହେଉଛି କରଣଘର ଝିଅ । ତ’ପୋଇ ଜାତିରେ ଖଣ୍ଡାଇତ । ଆଉ ସୋଦରୀ ହେଉଛି ଜାତିରେ ହରିଜନ । ବାଉରିଘର ଝିଅ । ସେମାନଙ୍କ ଘର ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ।

 

ସମସ୍ତେ ନିଜନିଜ ଘରକୁ ଚାଲି ଯାଇଥିଲେ । ମଠର ଉଦ୍ୟାନଟି ସମ୍ପୂର୍ଣ ନିର୍ଜନ । ପଲ୍ଲୀର ଉଦାସିଆ ଖରାବେଳ । ମୁଁ ଖଣ୍ଡିଏ ଚଉକିନେଇ ଗୋଟିଏ ଗଙ୍ଗଶିଉଳି ଗଛମୂଳରେ ଏକା ବସିଲି । ବନମାଳୀବାବୁ ତାଙ୍କର ଅଭ୍ୟାସଗତ ଦିବାନିଦ୍ରାର ଆୟୋଜନ କରିବାପାଇଁ କୋଠରି ଭିତରେ ପଶିଲେ । ଏଇ ବିଚିତ୍ର ବାବାଜିର ଜୀବନ ରହସ୍ୟ ଜାଣିବାପାଇଁ ମୋର ବଡ଼ଇଚ୍ଛା ହେଲା-। ଅବଶ୍ୟ ବନମାଳୀବାବୁ ହୁଏତ କିଛିକିଛି ଜାଣନ୍ତି, କିନ୍ତୁ ତାଙ୍କଠାରୁ ନ ଶୁଣି ସ୍ଵୟଂ ବାବାଜିଙ୍କ ଶ୍ରୀମୁଖରୁ ଶୁଣିଲେ ଆହୁରି ଭଲ ହେବ ବୋଲି ମୁଁ ଭାବିଲି । ତା’ଛଡ଼ା ଏଇ ଅଳସ ଓ ନିଛାଟିଆ ଅପରାହ୍ନରେ ଏଇ ବିଚିତ୍ର ଲୋକଟିର ତତୋଽଧିକ ବିଚିତ୍ର ପୌରାଣିକ ଭକ୍ତି ଓ ଯୁକ୍ତି ଶୁଣି କିଛି ସମୟ ଅତି ଆନନ୍ଦରେ କଟିଯିବ । ବାବାଜିଙ୍କୁ ଡାକି ଆଣିବାପାଇଁ ଆଖପାଖରେ କେହି ନଥିଲେ । ତାଙ୍କୁ ସଙ୍ଗରେ ଧରି ଆଣିବାପାଇଁ ମୁଁ ନିଜେ ମଠର ଅନ୍ଦରମହଲକୁ ଚାଲିଲି ।

 

ଅନ୍ଦରମହଲରେ ମୁଁ ଯାହା ଦେଖିଲି, ତାହା ଯେପରି ବିଚିତ୍ର–ସେହିପରି ଅଶ୍ଳୀଳ । ଦେହ ଖାଲି ଓ ମୁଣ୍ଡରେ ଗୋଟିଏ ଜରିର ଛିଣ୍ଡା ମୁକୁଟ ପିନ୍ଧି ନନ୍ଦଗୋପାଳ ସାଜରେ ସେ ହାଡ଼ଗିଳା ବାବାଜିଟା ତରୁଣୀ ରମାର କୋଳ ଉପରେ ବସିଛି । ଖଣ୍ଡିଏ ରଙ୍ଗିନ ସାଲୁ ପଙ୍ଖା ଧରି ସୋଦରୀ ପଛପଟେ ଛିଡ଼ାହୋଇ ବିଞ୍ଚୁଛି । ସାମନାରେ ଭାତଥାଳି । ତପୋଇ ଭାତ ଗୁଣ୍ଡାକରି ତାକୁ ଖୁଆଇ ଦେଉଛି । ଆଉ ସେ ମର୍କଟାକୃତି ହାଡ଼ଗିଳାଟା ଗେହ୍ଲା ପୁଅପରି କୋଳରେ ବସି ତ’ପୋଇ ହାତରୁ ବଡ଼ବଡ଼ ଗୁଣ୍ଡାଗୁଡ଼ାକ ଗିଳି ଯାଉଛି ।

 

ଘରର ଝରକାବାଟେ ମୁଁ ଏ ଦୃଶ୍ୟ ଦେଖିଲି । ସେମାନେ ମୋତେ ଦେଖିପାରିଛନ୍ତି କି ନା ମୁଁ ଜାଣେନାହିଁ । ମୁଁ ଅପେକ୍ଷା ନ କରି ପୁଣି ଧୀରେ ଧୀରେ ବାହାରକୁ ଫେରିଗଲି । ନିଛାଟିଆ ଗଙ୍ଗଶିଉଳି ଗଛମୂଳେ ମୁଁ ଛାଡ଼ିଯାଇଥିବା ଚଉକିଟି ଉପରେ ପୁଣି ଆସି ବସିଲି । ଏଇ ଲୋକଟା ଭିତରେ ଯେ ଆଧ୍ୟାତ୍ମିକତା ବା ଦେବସତ୍ତାର ବିନ୍ଦୁମାତ୍ର ନାହିଁ, ଏହା ମୋର ଦୃଢ଼ବିଶ୍ୱାସ । କେଉଁ ଲୋଭରେ ଏଇ ସୁନ୍ଦରୀ ତରୁଣୀଗୁଡ଼ିକ ନିଜର ଘର ଛାଡ଼ି ଜୀବନର ସବୁ ଉଚ୍ଚାଭିଳାଷ ଛାଡ଼ି–ଏଇ ହୀନ ଲୋକଟାକୁ ବେଢ଼ି ରହିଛନ୍ତି, ତାହା ମୁଁ ଆଦୌ ବୁଝିପାରିଲି ନାହିଁ । ଏଇ ପୁରୁଷସିଂହଙ୍କ ଭିତରେ କ’ଣ ଦେଖି ଯେ ଏଇ ତରୁଣୀଗୁଡ଼ିକ ମୁଗ୍ଧ ଓ ସମ୍ମୋହିତ ହୋଇଯାଇଛନ୍ତି ତା’ ହୁଏତ ଯୌନତତ୍ତ୍ଵବିତ୍ ମହାପଣ୍ଡିତମାନେ କହିପାରିବେ । ମୁଁ କିନ୍ତୁ ଏ ରହସ୍ୟ ଆଜିପର୍ଯ୍ୟନ୍ତ ଭେଦ କରିପାରି ନାହିଁ ।

 

ସେଦିନ ରାତିରେ ମୋତେ ନିଦ ହେଲାନାହିଁ । ବନମାଳୀବାବୁ ଯଥାବିଧି ଟେଳାଏ ଭାଙ୍ଗ ସେବନ କରି ଗଭୀର ନିଦ୍ରାରେ ମଗ୍ନ । ତାଙ୍କର ଉଚ୍ଚ ଓ ଅତି ବିରକ୍ତିକର ନାସିକାଧ୍ୱନି ମୋ’ର ନିଦ ନ ଆସିବାର ଅନ୍ୟତମ କାରଣ । ଗଭୀର ରାତିରେ–କ’ଣ ଭାବି କେଜାଣି ମୁଁ ବନମାଳୀବାବୁଙ୍କୁ ଠେଲି ଉଠାଇଲି । ଧଡ଼ପଡ଼ କରି ହଠାତ ବିଛଣା ଉପରେ ସେ ଉଠିବସିଲେ ।–କ’ଣ ହେଲା ସାର୍ ?

 

ବନମାଳୀବାବୁଙ୍କୁ ଚାହିଁ ମୋତେ ହସ ମାଡ଼ିଲା, କହିଲି–ଆପଣଙ୍କର ଏପରି ଉଚ୍ଚ ନାସିକା ଧ୍ୱନି ହେଉଛି ଯେ ମୁଁ ଆଦୌ ଶୋଇପାରୁନାହିଁ । ସୁତରାଂ ଆପଣଙ୍କ ସହିତ ଟିକିଏ ଗଳ୍ପ କରିବି ବୋଲି ଉଠାଇଲି ।

 

ବନମାଳୀବାବୁ ଅତିଶୟ ଲଜ୍ଜିତ ହେଲେ । ସେ କିଛି କହିବା ପୂର୍ବରୁ ମୁଁ ପଚାରିଲି–ଆଚ୍ଛା, ଏ ବାବାଜି ଆଉ ଏ ଝିଅଗୁଡ଼ିକ ବିଷୟରେ ଆପଣ କ’ଣ ସବୁ କଥା ଭଲକରି ଜାଣନ୍ତି ?

 

–ଖୁବ୍ ଭଲକରି ମୁଁ ଜାଣେନାହିଁ ସାର୍ । ଏପଟକୁ ଗସ୍ତରେ ଆସିଲେ ଏଇ ମଠରେ ମୁଁ ରହେ । ଏଠାରେ ରହିବାର ଆଉ ଗୋଟାଏ କାରଣ ହେଉଛି ଯେ ଏଠାରେ ମାଛ ମାଂସ ମଧ୍ୟ ରନ୍ଧାହୁଏ । ଖାଇବା ଓ ରହିବାର ପର୍ଯ୍ୟାପ୍ତ ସୁବିଧା ଯୋଗୁଁ ମୁଁ ଏ ମଠକୁ ଆସେ । ବାବାଜିଙ୍କଠାରୁ ଶୁଣିଛି ଯେ ଏ ଝିଅଗୁଡ଼ିକ ଏ ମଠର ସେବାଦାସୀ । ସ୍ଵେଚ୍ଛାରେ ସେମାନେ ଘରଛାଡ଼ି ଏଠାକୁ ଚାଲିଆସିଛନ୍ତି ।

 

–ଆପଣ କ’ଣ ପ୍ରକୃତରେ ମନେକରନ୍ତି ଯେ ଏ ଲୋକଟା ଭିତରେ କୌଣସି ଦୈବୀଶକ୍ତି ରହିଛି ?

 

ମୋର ପ୍ରଶ୍ନ ଶୁଣି ବନମାଳୀବାବୁ ସାମାନ୍ୟ ହସିଲେ–ସାର୍ ମୁଁ ଏତେଦୂର ଗଭୀର ଭାବରେ କେବେହେଲେ ଚିନ୍ତା କରିନାହିଁ । ମୁଁ ଆପଣଙ୍କ ପରି ମନସ୍ତତ୍ତ୍ୱବିଦ୍ ମଧ୍ୟ ନୁହେଁ । ସବୁ ଜିନିଷର ବାହାର ରୂପ ଦେଖି ମୁଁ ତା’ର ମୂଲ୍ୟ ନିର୍ଣ୍ଣୟ କରେ । ମୁଁ ନିଜେ ଏତେ ବାସ୍ତୁବାଦୀ ଯେ କୌଣସି ଦୈବୀ ଶକ୍ତିରେ ମୋର ଆଦୌ ବିଶ୍ଵାସ ନାହିଁ । ତେବେ ଏଇ ବାବାଜି ବିଷୟରେ ଆଖପାଖର କେହି କହନ୍ତି ଯେ ସେ କ’ଣ ଗୋଟାଏ ଉଚ୍ଚାଟନ ଆଉ ବଶିକରଣ ବିଦ୍ୟା ହାସଲ କରିଛି ।

 

–ବାବାଜି ନିଶ୍ଚୟ ନିଶାପାଣି ଖାନ୍ତି ?

 

ବନମାଳୀବାବୁ ସାମାନ୍ୟ ହସି କହିଲେ–କେବଳ ଖା’ନ୍ତି ନୁହେଁ ସାର୍, ସେ ହେଉଛନ୍ତି ଗୋଟିଏ ଚଳନ୍ତି ଅବକାରୀ ଦୋକାନ । ଅଣ୍ଟାରେ ସବୁବେଳେ ବିଭିନ୍ନ କରାଟ ଗୁଞ୍ଜା ହୋଇଥାଏ । କେଉଁଟାରେ ଥାଏ ଟେଳାଏ ଅଫିମ, କେଉଁଟାରେ ଗଞ୍ଜାଇ କଲି–ପୁଣି କେଉଁଟାରେ ବା କଡ଼ା ଗୁଣ୍ଡି-। ତା’ଛଡ଼ା ତାଡ଼ି ଓ ମଦ ମଧ୍ୟ ଚଳେ ।

 

ଶେଷ ରାତି ଆଡ଼କୁ ମୋର ନିଦ ଲାଗିଯାଇଥିଲା । ଗୋଟିଏ ମଧୁର ବାଦ୍ୟ ଶବ୍ଦରେ ଧୀରେ ଧୀରେ ମୋର ନିଦ ଭାଙ୍ଗିଗଲା । ଅତି ପ୍ରତ୍ୟୁଷ କାଳ । ଅନ୍ଧକାର ସମ୍ପୂର୍ଣ୍ଣରୂପେ ଦୂର ହୋଇନାହିଁ । ନିଦଭାଙ୍ଗି ଯାଇଥିଲେ ମଧ୍ୟ ମୁଁ ଚଦର ଘୋରିହୋଇ ବିଛଣାରେ ପଡ଼ିରହିଲି । ଦିନ ଓ ରାତିର ଏଇ ମଧୁର ସଙ୍ଗମ କ୍ଷଣଟି ଚିରଦିନ ମୋତେ ଭାରି ଭଲ ଲାଗେ । ସେଇ ଅଧା ଅନ୍ଧାରର ପଟ୍ଟଭୂମିରେ ପ୍ରଭାତ ଆରତିର ଶଙ୍ଖ ଓ ଘଣ୍ଟଧ୍ୱନି ବଡ଼ ମଧୁର ମନେ ହେଉଥିଲା । ବୋଧହୁଏ ଏଇ ମଠର ଦେବମନ୍ଦିରରେ ପ୍ରଭାତ ଆରତି ହେଉଛି । ପୂର୍ବଦିନରୁ ମୁଁ ଏ ମଠରେ ଥିଲେ ମଧ୍ୟ ମଠର ଠାକୁରଙ୍କୁ ଦର୍ଶନ କରି ନଥିଲି । ଏଇ ପବିତ୍ର ଲଗ୍ନରେ ଦେବ ଦର୍ଶନ କରିବାପାଇଁ ମୁଁ ବିଛଣା ଛାଡ଼ି ଉଠିପଡ଼ିଲି । ବନମାଳୀବାବୁ ବିଛଣାରେ ଶୋଇ ଘୁଙ୍ଗୁଡ଼ି ମାରୁଥିଲେ । ମୁଁ ତାଙ୍କର ବହୁ ପ୍ରିୟ ନିଦ୍ରା ଆଉ ଭାଙ୍ଗିଲି ନାହିଁ ।

 

ସାନ ଗୋଟିଏ ଉଚ୍ଚ ପିଣ୍ଡା ଉପରେ ଦୁଇଟି ପଥରର ସାନସାନ ସିଂହ ରଖାହୋଇଛି । ଖଣ୍ଡିଏ ଚାଳଘର । ସାମନା ବାରଣ୍ଡାଟି ଓ ଘରଭିତରେ ଚଟାଣଟି ପକ୍କା । ଘରଭିତରେ ଗୋଟିଏ ନାତିବୃହତ୍ ଇଟାର ବେଦି କରାହୋଇଛି । ଘର ବାହାରେ ପ୍ରାୟ ସାତ ଆଠଜଣ ପାଣ ଭକ୍ତ ଦୁଇଧାଡ଼ିରେ ଛିଡ଼ା ହୋଇ ପରମ ଭକ୍ତିରେ ମନ୍ଦିର ଭିତରକୁ ଏକଧ୍ୟାନରେ ଚାହିଁ ରହିଛନ୍ତି । ଦୁଇ ତିନିଜଣ ଶଙ୍ଖ ଓ ଘଣ୍ଟା ବଜାଉଛନ୍ତି । ବାକି ସବୁ ହାତଯୋଡ଼ି ଠିଆହୋଇଛନ୍ତି । ଧୂପ ଓ ଗୁଗ୍‍ଗୁଳର ଗୋଟିଏ ସୁନ୍ଦର ସୁଗନ୍ଧ ବାୟୁ ସ୍ତରରେ ଭାସିଆସୁଛି ।

 

ମୁଁ ମଧ୍ୟ ଯାଇ ଭକ୍ତମାନଙ୍କ ଭିତରେ ଠିଆହେଲି । ମନ୍ଦିର ଭିତରଟା ଅନ୍ଧାରୁଆ । ଝୁଣା ଓ ଗୁଗ୍‍ଗୁଳ ଧୂଆଁରେ ଆହୁରି ଅନ୍ଧକାର ହୋଇ ରହିଛି । ଗୋଟିଏ ଘିଅଦୀପ ଜଳୁଛି । କିନ୍ତୁ ତା’ର ନିଷ୍ପ୍ରଭ ଆଲୋକରେ ଦେବ ମୂର୍ତ୍ତିକୁ ଭଲକରି ଦେଖା ଯାଉନାହିଁ । ଦେବଦାସୀ ରମା ଓ ତପୋଇ ଚନ୍ଦନ ଓ ଫୁଲମାଳରେ ମୂର୍ତ୍ତିକୁ ସଜାଉଛନ୍ତି । ଏତେ ସକାଳୁ ମଧ୍ୟ ଝିଅ ଦୁଇଟି ସ୍ନାନ କରି ସାରିଛନ୍ତି-। ସେମାନଙ୍କର ଓଦା ଓ ମୁକୁଳା ବାଳ ପିଠି ଉପରେ ଲମ୍ବି ରହିଛି ।

 

ମୂର୍ତ୍ତିଟି ଭଲକରି ଦେଖା ଯାଉନାହିଁ । ମୁଁ ଆହୁରି ନିକଟକୁ ଯାଇ ଭଲକରି ଚାହିଁଲି । ଏଇ ସମୟରେ ରମା ନିର୍ବାଣୋନ୍ମୁଖ ଘିଅ ଦୀପଟିର ବଳିତା ତେଜିଦେଲା । ପ୍ରଦୀପଟି ଉଜ୍ଜ୍ଵଳ ହୋଇ ଜଳିଉଠିଲା । ଆଉ ସେଇ ଆଲୋକରେ ଦେବତାଙ୍କ ବେଦି ଉପରେ ଯାହା ଦେଖିଲି, ତାହା ଅତିଶୟ ଅଭାବନୀୟ । ବେଦି ଉପରେ କୌଣସି ଦେବମୂର୍ତ୍ତି ନଥିଲା । ମର୍କଟାକୃତି ବାବାଜି ପଦ୍ମକେଶରୀ ମାନ୍ଧାତା ସର୍ବାଙ୍ଗରେ ଚନ୍ଦନଚର୍ଚ୍ଚିତ ହୋଇ ଓ ଫୁଲମାଳ ପିନ୍ଧି ନିଜେ ବେଦି ଉପରେ ପଦ୍ମାସନରେ ବସି ପୂଜା ପାଉଛି । ଘୃଣା ଓ କ୍ରୋଧରେ ମୋର ଅନ୍ତର ବିଷାକ୍ତ ହୋଇ ଉଠିଲା । ଆଉ ଏ ଦୃଶ୍ୟ ନ ଦେଖି ମୁଁ ସେଠାରୁ ପଳାଇ ଆସିଲି ।

 

–ବାର–

 

କେଉଁ ସୁଦୂର ଅନ୍ଧାରୁଆ ଗୋଟିଏ ପଲ୍ଲୀରେ ଅତି ଅଖ୍ୟାତ ଗୋଟିଏ ମଠ ରହିଛି–ଏବଂ ସେଠାରେ କିପରି ଏକ ବ୍ୟଭିଚାର ଚାଲିଛି, ସେଇସବୁ ଅତି କ୍ଷୁଦ୍ର ଘଟନାଗୁଡ଼ାକର ଏପରି ବିସ୍ତାରିତ କାହାଣୀ ସୁଧୀ ପାଠକମାନଙ୍କୁ ନିଶ୍ଚୟ ବିରକ୍ତିକର ମନେହେବ । କେହିକେହି ହୁଏତ ନାସା କୁଞ୍ଚିତ କରି କହିବେ–ଔପନ୍ୟାସିକ ହେବାର ଯଦି ଦୁଃସାହସ କରିଥାଅ ତାହାହେଲେ କୌଣସି ପ୍ରୟୋଜନୀୟ ଘଟନା ବା ସାମାଜିକ ସମସ୍ୟାକୁ ବିଷୟବସ୍ତୁ କରି ଗଳ୍ପ ଲେଖ । ତୁମର ଏ ମାନ୍ଧାତା ଚରିତାମୃତ କଷ୍ଟ ସ୍ଵୀକାର କରି କିଏ ପଢ଼ିବ ।

 

ସୁଧୀ ପାଠକମାନଙ୍କ ଗୋଚରାର୍ଥେ ମୁଁ ପୁଣି ଥରେ ଏଠାରେ ପ୍ରଚାର କରୁଛି ଯେ ସାହିତ୍ୟିକ ବା ଔପନ୍ୟାସିକ ହେବାର ଦୁଃସାହସ ମୋର ଆଦୌ ନାହିଁ । ମୋ’ର ଏଇ ଘଟନାର ଆଲୋକ ଚିତ୍ରରୁ ଯେପରି କେହି ଚିତ୍ରକଳା ନ ଖୋଜନ୍ତି । ଜୀବନରେ ଯେଉଁସବୁ ଘଟନାର ପ୍ରତିବିମ୍ବ ମୋର ସ୍ମୃତି ଦର୍ପଣରେ ଆଜିପର୍ଯ୍ୟନ୍ତ ପଡ଼ୁଛି, କେବଳ ସେଇସବୁ ଘଟନା ଲିପିବଦ୍ଧ କରିବାକୁ ମୁଁ ଚେଷ୍ଟା କରୁଛି ।

 

କଥାଛଳରେ ସେଦିନ ଖରାବେଳେ ବାବାଜିଙ୍କୁ ପଚାରିଲି–ଆଚ୍ଛା ମହନ୍ତ ମହାରାଜ, ନିଜେ ଠାକୁର ହୋଇ ବେଦିରେ ବସି ଭକ୍ତମାନଙ୍କଠାରୁ ପୂଜା ପାଇବାଟା କେଉଁ ଶାସ୍ତ୍ରରେ ଅଛି କହିପାରିବେ କି ?

 

ମୋ ପ୍ରଶ୍ନରେ ଲଜ୍ଜିତ ବା ବିଚଳିତ ନ ହୋଇ ସେହିପରି ହାତ ଦୁଇଟି ଯୋଡ଼ି ସାଙ୍ଗେ ସାଙ୍ଗେ ବାବାଜି ଉତ୍ତର ଦେଲେ–ନାଇଁ ବାବୁ, ମୁଁ ଠାକୁର ନୁହେଁ ମୁଁ ଦିଅଁଙ୍କ ଦେଉଳ ମାତ୍ର । ଏଇ ଦେଉଳ ଭିତରେ ଦେବତା ବାସ କରୁଛନ୍ତି । ହେଲେ ତାଙ୍କ ଦେଉଳଟା–ବୋଇଲେ ଏ ଦେହଟା ଖାଲି ମାଟି ପଥରରେ ତିଆରି ।

 

ଏ’ ଭକ୍ତିରେ ହୁଏତ କୌଣସି ଶକ୍ତିଶାଳୀ ଯୁକ୍ତି ନାହିଁ । କିନ୍ତୁ ସେଦିନ, ଇଚ୍ଛା ଥିଲେ ମଧ୍ୟ, ବାବାଜିଙ୍କୁ ଆକ୍ରମଣ କରିବାପାଇଁ ଆଉ କୌଣସି ଅପମାନଜନକ ଭାଷା ଖୋଜି ପାଇଲି ନାହିଁ । କେବଳ ସେଇଦିନ ମାତ୍ର ନୁହେଁ, ତା’ପରେ ମଧ୍ୟ ବହୁଥର ଏ ବାବାଜିଙ୍କ ସହିତ ସାକ୍ଷାତ ହୋଇଛି । ବହୁ ଅପମାନଜନକ ଭାଷା ମୁଁ ତାଙ୍କପ୍ରତି ବ୍ୟବହାର କରିଛି । କିନ୍ତୁ ମୋର ସବୁ ଅସ୍ତ୍ର ପୁଣି ଫେରିଆସିଛି । ବାବାଜି ତିଳେହେଲେ ଅପମାନିତ ହୋଇନାହାନ୍ତି । ତାଙ୍କର କଦାକାର ମୁଖରେ ଆକର୍ଣ୍ଣ ବିସ୍ତୃତ ହସଟି ତିଳେହେଲେ ମଉଳି ଯାଇନାହିଁ । ଯେ କୌଣସି ପ୍ରଶ୍ନର ଉତ୍ତର ସେ ସାଙ୍ଗେ ସାଙ୍ଗେ ଦେଇଛନ୍ତି । କେବଳ ସେତିକି ନୁହେଁ, ସେ ଉତ୍ତରର ଭିତ୍ତି କେଉଁ ପୁରାଣରେ କେଉଁ ଋଷି ବା ଦେବତାଙ୍କ ଉକ୍ତିରେ ରହିଛି, ତାହା ମଧ୍ୟ ତାଙ୍କର ନିଜ ଭାଷାରେ ସେ ବ୍ୟକ୍ତ କରିଥାନ୍ତି । କୌଣସି ତର୍କରେ ସେ ପରାଜିତ ହୋଇନାହାନ୍ତି, କାରଣ ଜୟ କରିବାର ଇଚ୍ଛା ତାଙ୍କର ଆଦୌ ନାହିଁ ।

 

କାଠରେ ତିଆରି ଗୋଟିଏ ନାତିବୃହତ୍ ରଥ ଆମେ ରହିଥିବା ଘରର ଗୋଟିଏ କୋଣକୁ ରଖା ହୋଇଥିଲା । ସାନ ହେଲେ ମଧ୍ୟ ରଥଟି ବେଶ୍ ମଜବୁତ୍ । ଦିନେ କଥା ଛଳରେ ମୁଁ ବାବାଜିଙ୍କୁ ପଚାରିଲି–ଆଚ୍ଛା ଆପଣଙ୍କ ମଠରେ ତ କୌଣସି ଠାକୁର ନାହାନ୍ତି । ତାହାହେଲେ ଏ ରଥ ଉପରେ କିଏ ବିଜେ କରନ୍ତି ?

 

ତିଳେମାତ୍ର ଇତସ୍ତତଃ ନ ହୋଇ ବାବାଜି କହିଲେ–ମତେ ବସାଇ ଭକ୍ତମାନେ ଗୁଣ୍ଡିଚାଯାତ୍ରା ଦିନ ଏ ରଥକୁ ଟାଣନ୍ତି ହଜୁର ।

 

ଏପରି ବିଚିତ୍ର କଥା ଶୁଣି ହସିବି ବା ବିରକ୍ତ ହେବି ବୁଝିପାରିଲି ନାହିଁ । ସେଦିନ ନୁହେଁ–ଆଉଥରେ ମୁଁ ବାବାଜିଙ୍କୁ କଥାଛଳରେ ପଚାରିଥିଲି–ଆଚ୍ଛା ବାବାଜି, ତମ ମଠରେ ଆମିଷ ରନ୍ଧାହୁଏ, ତମେ ବାବାଜି ହୋଇ ମଠ ଭିତରେ ବସି ମାଛମାଂସ ଖାଅ, ଏପରି ଘଟନା ମୁଁ ଅନ୍ୟ କୌଣସି ମଠରେ ଦେଖିନାହିଁ ।

 

ସେଇପରି ହସଟି ଫୁଟାଇ ଓ ହାତ ଦୁଇଟି ଯୋଡ଼ି ବାବାଜି ସାଙ୍ଗେ ସାଙ୍ଗେ କହିଲେ, ଏକାପରି ଘଟନା ଆପଣ ଦୁଇଟି ସ୍ଥାନରେ ଦେଖିବାକୁ ପାଇବେ କେମିତି ହଜୁର ? ସବୁ ଦିଅଁ, ସବୁ ମଣିଷ, ସବୁ ଦେଶ, ସବୁ ମାଟି ଅଲଗା ଅଲଗା । ଆଉ ମାଛ ମାଉଁସ ଖାଇବା କଥା କହିବା ହେଲେ ପରା ! ସେ ସବୁ କ’ଣ ଦିଅଁ ଥା’ନ୍ତି ? ସେ ସବୁ ପରା ମୁଁ–ବୋଇଲେ ଦିଅଁଙ୍କ ଦେଉଳ ଖାଏ-। ଆପଣ ସର୍ବଜ୍ଞ ହଜୁର, ଆପଣ କୋଉ କଥା ନ ଜାଣନ୍ତି । ଚୂନ ବାଲି, ପଥର–ଏ ସବୁ କ’ଣ କେଉଁ ଦେଶରେ ଦିଅଁ ଖା’ନ୍ତି ! ହେଲେ ସେ ସବୁ ଦିଅଁଙ୍କ ଦେଉଳ ଖାଏ । ସେ ସବୁ ନ ହେଲେ ଦେଉଳ ବଞ୍ଚିବ ନାହିଁ–ଭାଙ୍ଗିପଡ଼ିବ । ସେମିତି ଏ ଦେହ ଦେଉଳ ପରା ଖାଲି ରକ୍ତ ମାଂସ ଆମିଷରେ ତିଆରି ! ଆମିଷ ନ ହେଲେ ସେ ଦେଉଳ ଭାଙ୍ଗିପଡ଼ିବ ଯେ । ଆଉ ଦିଅଁ ରହିବେ କେଉଁଠି ।

 

ଯାହା ଦୁର୍ବୋଧ୍ୟ ବା ଅର୍ଥହୀନ ପଣ୍ଡିତମାନଙ୍କ ପକ୍ଷରେ ତାହାହିଁ ବୋଧହୁଏ ଗବେଷଣାର ଯୋଗ୍ୟ ଓ ମୂଲ୍ୟବାନ୍ । ସେଦିନ ବାବାଜି କଥା ମୋତେ ସେହିପରି ଅର୍ଥହୀନ ପ୍ରଳାପ ପରି ମନେ ହୋଇଥିଲା । ବହୁଦିନ ପରେ, ଏ କାହାଣୀ ଲେଖିବାବେଳେ ମୋର ପଣ୍ଡିତ ବନ୍ଧୁ ଅଧ୍ୟାପକ ବ୍ରଜେନ୍ଦ୍ର ପଣ୍ଡା ପଢ଼ି ମନ୍ତବ୍ୟ ପ୍ରକାଶ କଲେ–ତମେ ଯାହା କହ ଭାଇ ବାବାଜି ବିଦ୍ୱାନ୍ ନ ହେଲେ ମଧ୍ୟ ଜଣେ ପ୍ରକୃତ ଜ୍ଞାନୀଲୋକ ଥିଲେ ।

 

ଅଧ୍ୟାପକଙ୍କ କଥା ଶୁଣି ମୋତେ ହସ ମାଡ଼ିଲା ।

 

–ହସିଲ କାହିଁକି ? ଅଧ୍ୟାପକ ପଚାରିଲେ ।

 

–ବାବାଜିଙ୍କ ବାଣୀ ଠାରୁ ତୁମର ମନ୍ତବ୍ୟ ଆହୁରି ଦୁର୍ବୋଧ୍ୟ । ମୋର ମନେହୁଏ ଯେଉଁସବୁ ପୁରୁଣା କଥା ବା ଲେଖା ସାଧାରଣଙ୍କ ବିବେଚନାରେ ସମ୍ପୂର୍ଣ୍ଣ ଅର୍ଥହୀନ ବା ଅସଂଲଗ୍ନ, ତୁମ ପରି ପଣ୍ଡିତମାନଙ୍କ ନିକଟରେ ସେ ସବୁ ଅତି ମୂଲ୍ୟବାନ୍ ଓ ମହତ୍‍ବାଣୀ । ଠିକ୍ ଅର୍ଥହୀନ ମାଦଳା ପାଞ୍ଜିକୁ ବର୍ତ୍ତମାନର ପଣ୍ଡିତମାନେ ଅର୍ଥ କରିବାପରି, କିନ୍ତୁ ତୁମେ ଯଦି ସ୍ୱଚକ୍ଷୁରେ ସେ ମର୍କଟାକୃତି ମହାମୂର୍ଖଟାକୁ ଦେଖିଥାନ୍ତ ତେବେ ତା’ର ଏଇ ଅର୍ଥହୀନ ପ୍ରଳାପଗୁଡ଼ାକୁ କଦାପି ଏପରି ଉଚ୍ଚସ୍ଥାନ ଦିଅନ୍ତନାହିଁ ।

 

ମୋର କଥା ଶୁଣି ଅଧ୍ୟାପକ ପଣ୍ଡା ଟିକିଏ ଉଚ୍ଚାଙ୍ଗର ହସ ହସିଲେ । ତା’ପରେ କହିଲେ–ରାମକୃଷ୍ଣ ପରମହଂସଙ୍କୁ ତୁମେ ଯଦି ସ୍ୱଚକ୍ଷୁରେ ଦେଖିଥା’ନ୍ତ ଓ ତାଙ୍କର ଅସଂଲଗ୍ନ ଆଉ ଅର୍ଥହୀନ କଥା ଶୁଣିଥା’ନ୍ତ, ତେବେ ତାଙ୍କ ବିଷୟରେ ତୁମର ଏ ବାବାଜିଙ୍କଠାରୁ ମଧ୍ୟ ହୀନ ଧାରଣା ହୁଅନ୍ତା । ବିଦ୍ୟା ଆଉ ଜ୍ଞାନ ସମ୍ପୂର୍ଣ୍ଣ ବିଭିନ୍ନ ଜିନିଷ, ମହାଜ୍ଞାନୀ ରାମକୃଷ୍ଣଙ୍କୁ ସମ୍ପୂର୍ଣ୍ଣ ନିରକ୍ଷର କହିଲେ ଚଳେ । କେଉଁ ଇନ୍‍ଭରସିଟିରୁ ବା ଯିଶୁଖ୍ରୀଷ୍ଟ, ବୁଦ୍ଧଦେବ ବା ଚୈତନ୍ୟଦେବ ଡିଗ୍ରୀ ପାଇଥିଲେ ? କିନ୍ତୁ ବର୍ତ୍ତମାନ ଦେଖ, ଦେଶର ସବୁ ବଡ଼ବଡ଼ ବିଶ୍ୱବିଦ୍ୟାଳୟରେ ସେଇସବୁ ମହାଜ୍ଞାନୀମାନଙ୍କର ସେକାଳର ‘ଅସଂଲଗ୍ନ ବା ଅର୍ଥହୀନ’ ବାଣୀର ଗବେଷଣା ଚାଲିଛି । ଆଜିର ପୃଥିବୀରେ ଯେତେ ଉଜ୍ଜ୍ୱଳ ଓ ବିଖ୍ୟାତ ହୀରାମାଳି ଦେଖୁଛ, ସେଇସବୁ ବହୁମୂଲ୍ୟ ଓ ଉଜ୍ଜ୍ୱଳ ରତ୍ନ ତ ଦିନେ ଅପରଚ୍ଛନ୍ନିଆ କୋଇଲାଖଣ୍ଡରୁ ବାହାରିଛି ।

 

ବନ୍ଧୁମାନଙ୍କର ଏଇପରି ସବୁ ବଡ଼ବଡ଼ ଜ୍ଞାନଗର୍ଭକ କଥା ଶୁଣି ସେଦିନ ମୁଁ ଭୟରେ ଚୁପ୍ ହୋଇଯାଇଥିଲି । ଜ୍ଞାନୀ ଲୋକମାନଙ୍କର ବଚନାମୃତକୁ ମୁଁ ଚିରକାଳ ମାରଣାସ୍ତ୍ର ପରି ଭୟକରେ ।

 

ସେଦିନ ସଞ୍ଜବେଳେ ମୁଁ ଓ ବନମାଳୀବାବୁ ମଠର ଆମ ରହିବା ଘରେ ବସି ଗଳ୍ପ କରୁଥିଲୁ । ବୃଦ୍ଧ ହାବୁଡ଼ା ଜେନା ନିଃଶବ୍ଦରେ ଘରଭିତରେ ପଶି ଗୋଟିଏ ଜୁହାର କଲା । କାହିଁକି କେଜାଣି, ମୋତେ ଏଇ ଲୋକଟାକୁ ଭାରି ଭଲଲାଗେ । ଷାଠିଏରୁ ଊର୍ଦ୍ଧ୍ଵ ବୟସ । କିନ୍ତୁ ଆଜିପର୍ଯ୍ୟନ୍ତ ଦେହ ଇସ୍ପାତ ପରି ଶକ୍ତି । ଦିନେ ସେ ଅତି ଦୁର୍ଦ୍ଦାନ୍ତ ଦସ୍ୟୁ ଥିଲା । ଜଇନ୍ତରା ଦସ୍ୟୁ ଦଳର ଅପ୍ରତିଦ୍ଵନ୍ଦ୍ୱୀ ସର୍ଦ୍ଦାର । ଆଜିକାଲି ଆଉ ସେ ଦସ୍ୟୁବୃତ୍ତି କରେନାହିଁ । ସମୟ ପାଇଲେ ପୁରୁଣା ଦିନର ବୀରତ୍ଵର ସ୍ମୃତିଗୁଡ଼ିକ ରୋମନ୍ଥନ କରି ବହୁ ଗଳ୍ପ ଶୁଣାଏ । ତା’ର ଗାମୁଛାରେ କ’ଣ ଗୋଟିଏ ପୁଡ଼ିଆ ମଧ୍ୟ ବନ୍ଧାଥିଲା । ଲାଠିଟିକୁ ଓ ପୁଡ଼ିଆ ବନ୍ଧା ଗାମୁଛାଟିକୁ ଭୂଇଁରେ ରଖି ହାବୁଡ଼ା ଜେନା ମୋ ଗୋଡ଼ ନିକଟରେ ବସିପଡ଼ିଲା ।

 

–କ’ଣ ଆଉ ଖବର ହାବୁଡ଼ା । ଭଲ ଅଛୁତ ? ମୁଁ ପଚାରିଲି ।

 

–ହଁ ହଜୁର, ସବୁ ଭଲ । ମୁଁ ତିନିଦିନ ହେଲା ଘରେ ନଥିଲି । ପାସ୍ ନେଇ ଯାଇଥିଲି ଯାଜପୁର ସହରକୁ । ଏବେ ଘରକୁ ଫେରି ଶୁଣିଲି ଯେ ହଜୁର ଆସି ଏଠାରେ ଅଛନ୍ତି । ମୋରବି ମଠରେ ଟିକିଏ କାମ ଥିଲା । ଭାବିଲି–ଯାଏଁ, ମୋ କାମବି ହବ, ଆଉ ହଜୁରଙ୍କ ଦର୍ଶନବି ମିଳିଯିବ-

 

–ମଠରେ ପୁଣି ତୋର କାମ କ’ଣ ? ତୁ ମଧ୍ୟ କ’ଣ ଏଠାକାର ଜଣେ ଭକ୍ତ ?

 

–ନାଇଁ ହଜୁର, ମୁଁ ମୋଟେ ଭକ୍ତ ନୁହେଁ । ମୋତେ ଏ ସବୁ ଭାଣ୍ଡ କାରବାର ମୋଟେ ଭଲ ଲାଗେନାହିଁ । ଆପଣଙ୍କୁ ଟିକିଏ ଦର୍ଶନ କରି–ରତନୀ ହାତରେ ଏ ଠୁଙ୍ଗାଟି ଦେଇ ମୁଁ ଚାଲିଯିବି-

 

ରତନୀ କିଏ !! ବହୁଦିନ ତଳର ଗୋଟିଏ କଥା ହଠାତ ବିଜୁଳି ଚମକ ପରି ମୋର ସ୍ମୃତିକୁ ଆଲୋକିତ କରିଦେଲା । ନିଧିଭୋଇ ଦିନେ କହୁଥିଲା–ରତନୀଟା ଏବେବି ବଞ୍ଚିଛି । ଆଖିକୁ ଭଲକରି ଦିଶୁନାହିଁ । ସେ ବର୍ତ୍ତମାନ ଯାଜପୁରର ମାନ୍ଧାତା ମଠରେ ଅଛି । ଏଇ କ’ଣ ସେଇ ରତନୀ ?

 

–ରତନୀ ଗୋଟାଏ ଡାହାଣୀ ବୁଢ଼ୀ ହଜୁର । ତାକୁ ଦେଖିଲେ ମୋ ହାଡ଼ ଜଳିଯାଏ । ଏଇ ମଠରେ କାମ ପାଲଟି କରି ପେଟକୁ ମୁଠିଏ ଖାଇ କେତେବର୍ଷ ହେଲା ପଡ଼ିଛି । ଆଖିରେ ପରଳ ମାଡ଼ିଗଲାଣି । ଆଜିକାଲି ଭଲକରି ଦିଶେନାହିଁ । ସବୁବେଳେ ଖାଲି ଖାଇବି–ଖାଇବି । ଦେଖାହେବାମାତ୍ରେ ତା’ର ସେଇ ଗୋଟିଏ କଥା । ହାବୁଡ଼ା ଭାଇ, କିଛି ଖାଇବାକୁ ଦେଲୁ ନାହିଁ ।

 

–କେବେଠାରୁ ତୁ ଏଇ ରତନୀକୁ ଚିହ୍ନୁ ହାବୁଡ଼ା ? ମୁଁ ପଚାରିଲି ।

 

–ନାଇଁ ହଜୁର, ସେଇଟାକୁ ପୂର୍ବେ ମୁଁ ଦେଖି ନଥିଲି । ଏ ମଠକୁବି ମୁଁ ବେଶି ଆସୁ ନଥିଲି । ଏବେ ତା’ରିପାଇଁ ମୁଁ ମଝିରେମଝିରେ ଆସୁଛି । ଗଲା ଚଇତ ମାସରେ ମୁଁ ପାଶ୍ ନେଇ ମେଦିନୀପୁର ଯାଇଥିଲି । ଆମର ସେ ମଝିଆ ଟୋକା ଲୋଚନା ମେଦିନୀପୁର ଜେଲ୍‍ରେ ଅଛି କି ନା’ । ଦେଢ଼ବର୍ଷ ଖଟୁଛି । ତା’ରି ସଙ୍ଗେ ଦେଖା କରିବାକୁ ଯାଇଥିଲି । ସେଠାରେ ସମସ୍ତେ ମୋର ଚିହ୍ନା । ଜେଲ୍‍ର ମଣ୍ଡଳବାବୁ ମୋତେ ବହୁତ ଖାତିର କଲେ । ମୋ ଅମଳରେ ସେ ଡେପୁଟି ଜେଲ୍‍ର ଥିଲେ । ଖାସା ମଣିଷ । ସେଇ ଜେଲ୍‍ରେ ଦେଖା ହୋଇଗଲା ମୋର ପୁରୁଣା ଦିନର ଓସ୍ତାଦ୍ ସଙ୍ଗେ । ତା’ ରୂପ ଦେଖି ମୋତେ କାନ୍ଦ ମାଡ଼ିଲା ହଜୁର । ଦିନେ ମହାବଳ ବାଘପରି ଥିଲା ତା’ର ତାକତ ଆଉ ହେମତ୍ । ଏବେ ଦେହ କାଠିପରି ହୋଇଗଲାଣି । କଥା କହିଲେ ଧଇଁ ଉଠୁଛି-। ମୁଁ କହିଲି–ନିଧିଭାଇ, ତୋ’ ଅବସ୍ଥା ଏମିତି ହୋଇଗଲାଣି !

 

–ତୁ କ’ଣ ନିଧି ଭୋଇ କଥା କହୁଛୁ । ସେ କ’ଣ ତୋ’ର ପୂର୍ବ ପରିଚିତ !!

 

ସେ କଥା ଆଉ ପଚାରୁଛନ୍ତି କାହିଁକି ହଜୁର । ସେ ଥିଲା ଆମ ଦଳର ଓସ୍ତାଦ୍ । କେତେ ବଡ଼ବଡ଼ କାମ ଆମେ ଏକାଠି କରିଛୁ । ରାତିକେ ହାତୀ ଭିଆଇଛୁ । ଥରେ କଲିକତାରେ ଗୋଟାଏ ଦୋମହଲା କୋଠା ଉପରୁ ମୁଁ ତଳେ ପଡ଼ି ଜଖମ ହୋଇଗଲି । ପୁଲିସ ପଛରୁ ଗୋଡ଼ାଇଛି । ସାଙ୍ଗବାଲା ସବୁ ଛାଡ଼ି ପଳାଇଲେ । ଏକା ନିଧି ଭାଇ ମୋତେ ଛାଡ଼ି ଯାଇନାହିଁ । ଦୁଇ ହାତରେ ମୋତେ ଟେକିନେଇ ଅନ୍ଧାର ଭିତରେ ଦୌଡ଼ିଲା । ବହୁ କଷ୍ଟରେ ସେ ଦିନ ସେ ମୋତେ ବଞ୍ଚାଇଲା-। ଏମିତି ଆହୁରି ଢେର୍ କଥା ଅଛି ହଜୁର । କହିବସିଲେ ମହାଭାରତ ପୋଥି ହେବ-

 

–ତା’ପରେ ? ହାବୁଡ଼ା ଚୁପ୍ ହୋଇଯିବା ପରେ ମୁଁ ପଚାରିଲି ।

 

–ସେଇ ଜେଲ୍‍ ଭିତରେ ସେଦିନ ନିଧିଭାଇ ମୋତେ ରତନୀ କଥା ସବୁ କହିଲା । ଆଗରୁ ମୁଁ କିଛି ଜାଣି ନଥିଲି । ଶେଷରେ କହିଲା–ମୁଁ ଜାଣେ, ମୋ ରତନୀ ଏବେ ମାନ୍ଧାତା ମଠରେ ଅଛି । ତାକୁ ଟିକିଏ ଦେଖିବୁ ହାବୁଡ଼ା । ତା’ ଭଲମନ୍ଦ ଟିକିଏ ବୁଝୁଥିବୁ । ଅଭାଗୀଟାର କେହିହେଲେ ନିଜର ନାହିଁ । ଜୀବନସାରା ଯେଉଁ ଡାଳ ଧରିଛି, ସେ ଡାଳ ଭାଙ୍ଗିଯାଇଛି । ସେଇ ନିଧିଭାଇର କଥାରେ ମୁଁ ରତନୀ କଥା ମଝିରେମଝିରେ ବୁଝି ଯାଏଁ । ସହର ବାହାରକୁ କେବେ ଗଲେ ତା’ପାଇଁ ଉଖୁଡ଼ା, କୋରା, ଆରିଶା ଯେମିତି ହେଲେ ଠୁଙ୍ଗାଟିଏ ଆଣିବାକୁ ହେବ । ନହେଲେ, କେମିତି ସେ ଜାଣିପାରିବ କେଜାଣି, ଦେଖାହେଲେ ମୁହଁଫୁଲାଇ କହିବ–ହାବୁଡ଼ା ଭାଇ, ତୁ ପଅରଦିନ ଅହିଆସ ହାଟକୁ ଯାଇଥିଲୁ । ମୋପାଇଁ କିଛି ଆଣିଲୁ ନାହିଁ । ଆଜି ଯାଜପୁରରୁ ଫେରିଲି । ଭାବିଲି ରତନୀର କୋରା ଉଖୁଡ଼ା ଠୁଙ୍ଗାଟି ଆଗ ଦେଇଆସେ । ଏହା କହି ହାବୁଡ଼ା ଜେନା ନିଜ ଗାମୁଛା କାନିରେ ବନ୍ଧା ହୋଇଥିବା ପୁଡ଼ିଆଟି ମୋତେ ଦେଖାଇଲା ।

 

ଏଇ ରତନୀ ବିଷୟରେ ବହୁକଥା ମୁଁ ନିଧିଭୋଇ ମୁହଁରୁ ଶୁଣିଛି । ସୁତରାଂ ମେଦିନୀପୁର ଜେଲ୍‍ରେ ସେ ହାବୁଡ଼ା ଜେନାକୁ ରତନୀ ବିଷୟରେ କ’ଣ କ’ଣ କହିଲା, ସେ କଥା ଆଉ ମୁଁ ଶୁଣିବାକୁ ଚାହିଁଲି ନାହିଁ । ନିଧି ଭୋଇ ଥିଲା ଶକ୍ତିଶାଳୀ ପୁରୁଷ । ଦୁର୍ଦ୍ଦାନ୍ତ ନିଧି ଭୋଇ ପ୍ରାଣ ନେଇପାରେ–ପୁଣି ପ୍ରାଣ ଦେଇପାରେ ! ତା’ର ପ୍ରଥମ ଯୌବନରେ ସେ ପ୍ରାଣ ଦେଇ ଏଇ ରତନୀକୁ ଭଲ ପାଇଥିଲା । ରତନୀ ଯଦି ତାକୁ ଛାଡ଼ି ଚାଲିଯାଇ ନ ଥାନ୍ତା, ତେବେ ନିଧିଭାଇ ହୁଏତ ସମସ୍ତଙ୍କ ପରି ସଂସାରୀ ହୋଇ ପାରିଥାନ୍ତା । ନିଜର ଶକ୍ତି ଓ ଅଧ୍ୟବସାୟ ବଳରେ ଜୀବନରେ ପ୍ରତିଷ୍ଠା ଲାଭ କରି ପାରିଥାନ୍ତା । ଆଉ ରତନୀ ମଧ୍ୟ ଜୀବନରେ ଗୋଟିଏ ଶାନ୍ତିର ନୀଡ଼ ରଚନା କରି ପାରିଥାନ୍ତା । ଆଜି ଶେଷ ଜୀବନରେ ବାରହୀନିମାନ ହୋଇ ତାକୁ ଏଇ ମଠରେ ପଡ଼ିରହିବାକୁ ହୁଅନ୍ତା ନାହଁ । କିନ୍ତୁ ଯାହା ବିଧିଲିପି–ବା ନିୟତି, ତାହା ଅଲଙ୍ଘନୀୟ ।

 

ଏ ମଠ ଛାଡ଼ି ଯିବା ପୂର୍ବରୁ ରତନୀକୁ ଥରେ ଦେଖିଯିବାକୁ ଇଚ୍ଛା ହେଲା । ଦସ୍ୟୁପ୍ରିୟା ରତନୀ । ନିଧିଭୋଇ ପରି ଦୁର୍ଦ୍ଦାନ୍ତ ପୁରୁଷ ତା’ ଭିତରେ କ’ଣ ଏପରି ପାଇଥିଲା, ଯାହା ଯୋଗୁଁ କି ଶତ ଅବହେଳା ଓ ଲାଞ୍ଛନା ସତ୍ତ୍ୱେ ଜୀବନର ଶେଷ ଦିନଗୁଡ଼ିକରେ ମଧ୍ୟ ତାକୁ ସେ ଭୁଲି ପାରିନାହିଁ-। ରତନୀ ମଧ୍ୟ କ’ଣ ଜୀବନସାରା ସେହିପରି ନିଧି ଭୋଇକୁ ଝୁରୁଛି ।

 

ତା’ ପରଦିନ ସକାଳେ ମୁଁ ରତନୀକୁ ଦେଖିଲି । ସେତେବେଳକୁ ବାବାଜିଙ୍କର ପ୍ରଭାତୀ ମାଙ୍ଗଳିକ ଶେଷ ହୋଇ ଗଲାଣି । ଭକ୍ତମାନେ ସବୁ ମଠ ଛାଡ଼ି ଚାଲିଗଲେଣି । ମଠଟି ନିର୍ଜନ । ବଡ଼ ଆକସ୍ମିକ ଭାବରେ ମଠର ବଗିଚା ଭିତରେ ମୁଁ ରତନୀକୁ ଆବିଷ୍କାର କଲି । ସାତଛିଣ୍ଡା ଖଣ୍ଡିଏ ମଇଳା ଲୁଗା ପିନ୍ଧିଛି । ମୁଣ୍ଡରେ ଦରପାଚିଲା ବୋଝେ ନୁଖୁରା ବାଳ । ତେଲ ଅଭାବରୁ ଜଟ ପଡ଼ିଗଲାଣି । ମଲା ଛେଳି ଆଖିପରି ପାଉଁଶିଆ ଓ ନିଷ୍ପ୍ରଭ ଦୁଇଟା କୋଟର ଗତ ଆଖି । ଦେହର ରଙ୍ଗରୁ ଜଣାଯାଏ ଯେ ଦିନେ ସେ ଗୋରା ଥିଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ବିବର୍ଣ୍ଣ । ପଛପଟ ପିଣ୍ଡାରେ ଏକା ବସି ରତନୀ ଅଣ୍ଟିରୁ ଉଖୁଡ଼ା ନେଇ ପରମ ଆନନ୍ଦରେ ଚୋବାଉଥିଲା । ଆଖିକୁ ତା’ର ଭଲ ଦେଖା ଯାଉନାହିଁ । ଖୁବ୍ ନିକଟକୁ ଆସି ତା’ ସାମନାରେ ଛିଡ଼ା ହେବା ପର୍ଯ୍ୟନ୍ତ ସେ ମତେ ଦେଖିପାରି ନଥିଲା । ହଠାତ ମୋତେ ଦେଖିପାରି ଉଖୁଡ଼ା ଚୋବାଇବା ବନ୍ଦକରି ମୋ ଆଡ଼େ ବଲବଲ କରି ଚାହିଁ ରହିଲା । ଅତି ଶ୍ରୀହୀନ ଗୋଟାଏ ସ୍ତ୍ରୀଲୋକ । ମୁଁ ଭଲକରି ତାକୁ କିଛିକ୍ଷଣ ଦେଖିଲି । ତା’ପରେ କୌଣସି ଭୂମିକା ନ କରି ପଚାରିଲି–ନିଧିଭୋଇକୁ ତୁମର ମନେ ପଡ଼େ ରତନୀ !

 

କିଛିକ୍ଷଣ ବଲବଲ କରି ମୋ ଆଡ଼େ ଚାହିଁ ରତନୀ କହିଲା–ସେ ଗାଡ଼ଶୁଆ ଚୋରଟା କଥା ମୋର କାହିଁକି ମନେ ପଡ଼ିବ ମ !

 

ରତନୀର କଥା ଶୁଣି ମୁଁ ଟିକିଏ ହସିଲି । କହିଲି–ଆଚ୍ଛା ଜେଠାମଲ କଣ୍ଟ୍ରାକ୍‍ଟରକୁ ମନେ ପଡ଼େ । ଧନ ଲୋଭରେ ନିଧିକୁ ଛାଡ଼ି ଯାହା ପାଖରେ ଯାଇ ରହିଥିଲୁ ।

 

ମୋ କଥା ଶୁଣି କ’ଣ ଯେପରି ସେ କହିବାକୁ ଯାଉଥିଲା । କ୍ରୋଧରେ ତା’ର ମୁହଁ ନାଲି ପଡ଼ିଗଲା । କୋଟରଗତ ପାଉଁଶିଆ ଆଖି ଦୁଇଟା ଯେପରି ଜଳି ଉଠିଲା । କିନ୍ତୁ କ’ଣ ଭାବି କେଜାଣି, ସେ କିଛି ନ କହି ଗୋଟିଏ ପଟକୁ ମୁହଁ ବୁଲାଇ ବସି ରହିଲା । ତା’ପରେ ହଠାତ କହି ଉଠିଲା–କିଏ ବା ତମେ । ମୋ ସାଙ୍ଗେ ଏତେ ଫଟେଇ ହଉଚ କାହିଁକି ?

 

ତା’ କଥାର ଉତ୍ତର ନ ଦେଇ ମୁଁ ପୁଣି କହିଲି–ରାତିରେ ଗୋରାକବର ଭିତରେ ତମର ଭୂତ ହୋଇ ଛିଡ଼ା–ହୋଇ ନିଧି ଭୋଇକୁ ଡରାଇବା କଥା ମନେ ପଡ଼ୁଛି ରତନୀ ?

 

ଏଥର ରତନୀ ମୋ ଆଡ଼େ ସିଧାସଳଖ ଚାହିଁଲା । ତା’ପରେ ଉଚ୍ଚ ଶବ୍ଦରେ କାନ୍ଦିକାନ୍ଦି ଚିତ୍କାର କଲା–‘‘ଇଏ ଗାଡ଼ଶୁଆଟା କିଏଲୋ ମା । ଏଇଟା ଗୋଟାଏ କର୍ଣ୍ଣପିତାସୀ’’ ନା କ’ଣ । ନା ସେଇ ଗାଡ଼ଶୁଆ ଚୋରଟା ମରି ଭୂତ ହୋଇ ଆସିଛି । ମତେ ଡର ମାଡ଼ୁଛିଲୋ ମା !

 

ପକେଟରୁ କାଢ଼ି ଗୋଟିଏ ଟଙ୍କା ମୁଁ ରତନୀ ସାମନାରେ ଧରିଲି । କହିଲି–ନିଅ ରତନୀ, କିଛି କିଣି ଖାଇବ ।

 

ହଠାତ ରତନୀ ଚୁପ୍ ହୋଇଗଲା । ଆଉ କୌଣସି କଥା ନ କହି ମୋ ହାତରୁ ଟଙ୍କାଟି ଚିଲପରି ଝାମ୍ପିନେଇ ଅଣ୍ଟାରେ ଗୁଞ୍ଜିଦେଲା ।

 

ତା’ପରେ କେତେକ ମାସ ପରେ ଆଉଥରେ ମାତ୍ର ରତନୀ ସଙ୍ଗେ ମୋର ଦେଖା ହୋଇଥିଲା । କେଉଁ ସୂତ୍ରରୁ ମୁଁ ସେ ଦୁଃସମ୍ବାଦ ପାଇଲି, ମୋର ତାହା ଆଉ ସଠିକ ମନେନାହିଁ । ଯେଉଁଦିନ ମୁଁ ଶୁଣିଲି ଯେ ଦୀର୍ଘଦିନ ନାଳଶୂଳା ରୋଗରେ ଭୋଗି, ନିଧି ଭୋଇ ମେଦିନୀପୁର ଜେଲ୍ ହସ୍‍ପିଟାଲରେ ମରିଗଲା, ସେଦିନ କାହିଁକି କେଜାଣି ମୋର ହୃଦୟ ଭାରାକ୍ରାନ୍ତ ହୋଇଗଲା-। କୌଣସି ପ୍ରିୟଜନର ଚିର ବିୟୋଗରେ ଯେପରି ସବୁ ଖାଲିଖାଲି ଲାଗେ, ମୁଁ ଠିକ୍ ସେହିପରି ବୋଧକଲି । ଏଇ ସମ୍ବାଦ ରତନୀକୁ ଦେବାପାଇଁ ମୁଁ ପୁଣି ଥରେ ମାନ୍ଧାତା ମଠକୁ ନିଜେ ଗଲି-। ଖରାବେଳେ ନିର୍ଜନ ମଠଟାର ପଶ୍ଚିମ ପଟର ମାଟି କାନ୍ଥକୁ ରତନୀ ଲିପୁଥିଲା । ବାବାଜି ସେ ଦିନ ମଠରେ ନଥିଲେ । ମୋତେ ଦେଖି ରତନୀ ମୋ ମୁହଁକୁ କିଛିକ୍ଷଣ ଚାହିଁ ରହିଲା । ପ୍ରଥମେ ବୋଧହୁଏ ଚିହ୍ନି ପାରି ନଥିଲା । ତା’ପରେ ଚିହ୍ନିପାରି କହିଲା–ପୁଣି କୁଆଡ଼େ ଆଇଲ ବାବୁ-? ମୋ ପାଇଁ କିଛି ଆଣିଛ ?

 

ପକେଟରୁ କାଢ଼ି ସେଦିନ ମଧ୍ୟ ତାକୁ ଗୋଟିଏ ଟଙ୍କା ଦେଲି । କାଙ୍ଗାଳୁଣୀ ପରି ସେଦିନ ମଧ୍ୟ ସେ ଟଙ୍କାଟି ମୋ ହାତରୁ ଝାମ୍ପିନେଲା । ତା’ପରେ ମୁଁ କହିଲି–ରତନୀ, ନିଧି ଭୋଇର ସମ୍ବାଦ ନେଇ ମୁଁ ଆସିଛି ।

 

ସେ ଗାଡ଼ଶୁଆ ଚୋରଟା କଥା ମତେ କହୁଛ କାହିଁକି ? ସେଇଟା ମଲେ କେତେ–ଗଲେ କେତେ ?

 

ନିଧି ଭୋଇ ଆଉ ବଞ୍ଚିନାହିଁ ରତନୀ । ମେଦିନୀପୁର ଜେଲ୍‍ରେ ସେ ମରିଗଲା ।

 

–ଏଁ, ସେ ଆଉ ବଞ୍ଚିନାହିଁ ! ମରିଗଲା !! ରତନୀ ମୋତେ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲା-। ମୁଁ ଲକ୍ଷ୍ୟକରି ଦେଖିଲି–ତା’ର କୋଟରଗତ ପାଉଁଶିଆ ଆଖି ଦୁଇଟି ଲୁହ ଛଳଛଳ ହୋଇ ଉଠିଲା-। ଲିପା କନାଟି ସେହିଠାରେ ପକାଇ ଦେଇ ଧୀରେ ଧୀରେ ଚାଲିଗଲା । ମୁଁ କିଛିକ୍ଷଣ ସେହିଠାରେ ଛିଡ଼ା ହୋଇ ରହିଲି । ତା’ପରେ ତଳକୁ ଚାହିଁ ଦେଖିଲି ଯେ କେବଳ ଲିପା କନା ଖଣ୍ଡିକ ନୁହେଁ–ମୁଁ ଦେଇଥିବା ଟଙ୍କାଟି ମଧ୍ୟ ରତନୀ ହାତରୁ ସେହିଠାରେ ଖସି ପଡ଼ିଛି ।

 

ନିଧି ଭୋଇର ମୃତ୍ୟୁ ସମ୍ବାଦ ହାବୁଡ଼ା ଜେନାକୁ ମଧ୍ୟ ମୁଁ ଦେଲି । ଗୋଟାଏ ଦୀର୍ଘ ନିଃଶ୍ୱାସ ପକାଇ ସେ କହିଲା–ଆମ ଦଳର ଆଉ ଖାଲି ମୁଁ ବାକି ରହିଲି ବାବୁ ।

 

–ତେର–

 

ଆଜି ବହୁକାଳ ପରେ, ଅତୀତର କୁହେଳି ଭେଦକରି ଯେଉଁମାନଙ୍କର ମୁହଁ ମୋର ସ୍ମୃତି ଦର୍ପଣରେ ପ୍ରତିଫଳିତ ହେଉଛି, ସେମାନଙ୍କ ଭିତରେ ରାୟବାହାଦୁର ନରସିଂହ ଚୌଧୁରୀ ଅନ୍ୟତମ । ଯାଜପୁରର ଜଣେ ଅତି ବିଶିଷ୍ଟ ଜମିଦାର ଓ ଧନୀ ଥିଲେ ନରସିଂହ ଚୌଧୁରୀ । ଜଣେ ବଡ଼ ଜମିଦାର ଭାବରେ ମୁଁ ଆଜି ତାଙ୍କୁ ମନେ ରଖି ନାହିଁ । କୌଣସି ରାଜା ବା ଜମିଦାରଙ୍କୁ ଭକ୍ତି ଗଦ୍‍ଗଦ ଚିତ୍ତରେ ସ୍ମରଣ କରିବା ମୋର ଅଭ୍ୟାସ ବିରୁଦ୍ଧ । ମହା ବିଶ୍ୱରେ ବିରାଟ ଜୀବନ ଚକ୍ର ଘୂରୁଛି । କେହି ଜଣେ ଧନୀ ବା ରାଜାର ବଂଶଧର ହୋଇ ଜନ୍ମ ହେବାଟା ଗୋଟାଏ ଦୈବିକ ଆକସ୍ମିକତା ଛଡ଼ା ଆଉ କିଛି ନୁହେଁ । ବିପ୍ଳବୀ କବି ନଜରୁଲ୍ ଇସ୍‍ଲାମଙ୍କ ପରି ମୁଁ ମଧ୍ୟ ବିଶ୍ଵାସ କରେ, ଯେ ରାଜ ସିଂହାସନ ବା ‘‘ତକ୍‍ତେ ତାଉସ୍’’ ମାନବିକତାର ପରିଚାୟକ ନୁହେଁ, ତାହା ମାନବ ଜାତିର ଅସମ୍ମାନ ।

 

ସୁତରାଂ ରାୟବାହାଦୁର ନରସିଂହ ଚୌଧୁରୀଙ୍କୁ ମୁଁ ଜଣେ ଧନୀ ବା ଜମିଦାର ଭାବରେ ମନେ ରଖି ନାହିଁ । ରଖିଛି–ସମ୍ପୂର୍ଣ୍ଣ ଭିନ୍ନ କାରଣରୁ । ଏଇ ଜମିଦାର ବଂଶର ଯୁଗଯୁଗ ଧରି ସଞ୍ଚିତ ସମ୍ପଦକୁ ସେ ସ୍ତୂପୀକୃତ ପାପ ବୋଲି ଧରି ନେଇଥିଲେ । ସବୁ ସଞ୍ଚିତ ଧନକୁ ସତ୍‍କାର୍ଯ୍ୟରେ ବ୍ୟୟ କରି ସେଇ ପାପର କବର ତଳୁ ସେ ନିଜକୁ ମୁକ୍ତ କରିବାପାଇଁ ବ୍ୟାକୁଳ ହୋଇ ଉଠିଥିଲେ । ବହୁ ଅନୁଷ୍ଠାନକୁ ସେ ମୁକ୍ତହସ୍ତରେ ଦାନ କରୁଥିଲେ । ଯାଜପୁରରେ ବର୍ତ୍ତମାନ ଯେଉଁ ବିଖ୍ୟାତ ଏନ୍. ସି. କଲେଜ ଅଛି, ତା’ର ପୂରା ନାମ ହେଉଛି ‘‘ନରସିଂହ ଚୌଧୁରୀ କଲେଜ’’ ଏଇ ବିଶାଳ ବିଦ୍ୟାପୀଠର ସେ ଥିଲେ ପ୍ରତିଷ୍ଠାତା ଏବଂ ସେଥିପାଇଁ ସେ ଲକ୍ଷାଧିକ ଟଙ୍କା ଦାନ କରିଥିଲେ ।

 

ଦିନେ ଏଇ ବଦାନ୍ୟ ବ୍ୟକ୍ତି କୁଆଡ଼େ ଅତିଶୟ କୃପଣ ଥିଲେ । ଅନେକେ ବିଶ୍ୱାସ କରୁଥିଲେ ଯେ ସକାଳେ ଉଠି ଯଦି କେହି ତାଙ୍କର ନାମ ଉଚ୍ଚାରଣ କରେ–ବା ଦୈବାତ ସେ ନାମ ଶ୍ରବଣ କରେ, ତାହାହେଲେ ଦିନସାରା ସେ ନିଶ୍ଚୟ ଅଭୁକ୍ତ ରହିବ । ଆଉ ଯଦି କେହି ହତଭାଗା ପ୍ରଭାତ କାଳରେ ବିଛଣାରୁ ଉଠି ଆଉ କାହାକୁ ଦେଖିବା ପୂର୍ବରୁ ଦୁର୍ଭାଗ୍ୟବଶତଃ ନରସିଂହ ଚୌଧୁରୀଙ୍କର ମୁଖ ଦର୍ଶନ କରେ, ତେବେ ତା’ର କୁଫଳ ତାକୁ ଏକ ସପ୍ତାହ ବ୍ୟାପୀ ଭୋଗ କରିବାକୁ ହେବ । ଅବଶ୍ୟ ଏଗୁଡ଼ିକ ମୋର ସବୁ ଶୁଣା କଥା । ବ୍ୟକ୍ତିଗତ ଭାବରେ ମୁଁ ତାହା କଦାପି ବିଶ୍ଵାସ କରି ନାହିଁ ।

 

ଏହାଛଡ଼ା ତାଙ୍କର କୃପଣତା ବିଷୟରେ ଆହୁରି ଅନେକ ଗଳ୍ପ ମଧ୍ୟ ସେତେବେଳେ ପ୍ରଚଳିତ ଥିଲା । ଜମିଦାର ଘର ଗୁହାଳରେ ବହୁତ ଗୋରୁଥିଲେ । ସେଇ ପଶୁମାନଙ୍କର ବିନ୍ଦୁମାତ୍ର ଗୋବର ଯେପରି ନଷ୍ଟ ନ ହୁଏ ସେଥିପ୍ରତି ନରସିଂହ ଚୌଧୁରୀ ଅତିଶୟ ସଜାଗ ଥିଲେ । ନିଜ ତତ୍ତ୍ଵାବଧାନରେ ଗୋବରରୁ ଘଷି କରାଇ ସେଗୁଡ଼ିକ ଗଣି ଖାତାରେ ଲେଖି ରଖୁଥିଲେ । ପରେ ଜମିଦାରଙ୍କର କର୍ମଚାରୀମାନେ ସେ ଘଷି ବିକ୍ରି କରି ପଇସା ଜମା ଦେଉଥିଲେ । ସେହିପରି ମାଛ, ଶାଗ, ପନିପରିବା ସେ ନିଜେ ବିକ୍ରି କରାଇ ପଇସା ରଖୁଥିଲେ । ତା’ ଛଡ଼ା ଆହୁରି ବହୁତ ଅସମ୍ମାନ ଜନକ ଓ କୌତୁକାବହ ଗଳ୍ପ ସେତେବେଳେ ପ୍ରଚଳିତ ଥିଲା । ସେଗୁଡ଼ିକ ଏଠାରେ ଲିପିବଦ୍ଧ କରି ବିଗତ ଆତ୍ମାର ଅସମ୍ମାନ କରିବାକୁ ମୁଁ ଚାହେଁ ନାହିଁ । ମୁଁ ଯେତେବେଳେ ଚୌଧୁରୀଙ୍କ ସହିତ ପରିଚିତ ହେଲି ସେତେବେଳକୁ ସେ ସତୁରିବର୍ଷର ବୃଦ୍ଧ ଏବଂ ତାଙ୍କର ଏକମାତ୍ର ପୁତ୍ର ଥିଲେ ପଚାଶବର୍ଷର ପ୍ରୌଢ଼ । ସେତେବେଳକୁ ସେ ଦେଶର ଜଣେ ନାମଜାଦା ବଦାନ୍ୟ ବ୍ୟକ୍ତି । କେବଳ ତାଙ୍କର ଜୀବନର ସଞ୍ଚୟ ନୁହେଁ, ଚୌଧୁରୀ ବଂଶର ଯୁଗଯୁଗ ଧରି ସଞ୍ଚିତ ସବୁ ସମ୍ପଦ ସେ ସେତେବେଳେ ମୁକ୍ତହସ୍ତରେ ବିତରଣ କରୁଛନ୍ତି । ତାଙ୍କର ବଦାନ୍ୟତାକୁ ମଧ୍ୟ ସେତେବେଳର କେତେକ ଲୋକ ସନ୍ଦେହ ଚକ୍ଷୁରେ ଦେଖି କଟୁ ମନ୍ତବ୍ୟ ପ୍ରକାଶ କରିବାକୁ ଛାଡ଼ୁ ନଥିଲେ । ମୋର ଜଣେ ସମାଜସେବୀ ବନ୍ଧୁ ଆନନ୍ଦ ମହାନ୍ତି ଦିନେ କଥା ଛଳରେ ମୋତେ ହସିହସି କହିଲେ–ଆପଣ ସେ କୃପଣ ବୁଢ଼ାଟା ହଠାତ ଏପରି ଦାତା କର୍ଣ୍ଣ ହୋଇ ଉଠିବାର ଅସଲ କାରଣ ଜାଣନ୍ତି ନାହିଁ । ସେ ବର୍ତ୍ତମାନ ଅଫିମ ନିଶାରେ ଘାରି ହୋଇ ଏମିତି ମୁକ୍ତହସ୍ତରେ ଦାନ କରି ଯାଉଛି ।

 

–ଅଫିମ ନିଶା ମାନେ । ଚୌଧୁରୀ କ’ଣ ଅଫିମ ଖା’ନ୍ତି ? ଆପଣ ପରା ସେଦିନ କହୁଥିଲେ ଯେ ଖର୍ଚ୍ଚ ଭୟରେ ସେ ଜୀବନରେ କୌଣସି ନିଶାପାଣି ଖାଇ ନାହାନ୍ତି !

 

ମୋ କଥା ଶୁଣି ଆନନ୍ଦବାବୁ କହିଲେ । –ସେ ଅଫିମ ଅଫିମ ନୁହେଁ । ଉପାଧି ଅଫିମ-। ଇଂରାଜ ସରକାରଙ୍କର ‘‘ରାୟ ସାହେବ, ଖାଁ ସାହେବ’’ ପ୍ରଭୃତି ଉପାଧିଗୁଡ଼ିକ ହେଉଛି ଯେ କୌଣସି ମାଦକଦ୍ରବ୍ୟ ଠାରୁ ଆହୁରି ଉଗ୍ର । ଦେଶର ସବୁ ଧନଶାଳୀ, ଶକ୍ତିଶାଳୀ, ପ୍ରତିଭାବାନ୍ ବ୍ୟକ୍ତିମାନଙ୍କୁ ଇଂରାଜ ସରକାର ଉପାଧିଅଫିମ ଖୁଆଇ ନିଜର ପୋଷା କରି ରଖିଛନ୍ତି । ସେଇ ଅଫିମ ନିଶାରେ ରାୟ ବାହାଦୁର ନରସିଂହ ଚୌଧୁରୀ ମଧ୍ୟ ‘‘ଦେବାନ ବାହାଦୁର’ ହେବା ଆଶାରେ ମୁକ୍ତହସ୍ତରେ ସବୁ ଧନ ଦାନ କରି ଦେଉଛି ।

 

ଓକିଲ ଅକ୍ଷୟବାବୁଙ୍କର ଏ ବିଷୟରେ ସମ୍ପୂର୍ଣ୍ଣ ଭିନ୍ନ ମତ । ତାଙ୍କ ମତ ହେଇଛି ଏଇ ଯେ ବୁଢ଼ା ଚୌଧୁରୀ ଓ ତାଙ୍କର ପଚାଶବର୍ଷର ଏକମାତ୍ର ବଂଶଧରଙ୍କ ଭିତରେ ଅତି ତିକ୍ତ ମନାନ୍ତର ହୋଇଛି । ପୁଅକୁ ପୈତୃକ ସମ୍ପତ୍ତିରୁ ବଞ୍ଚିତ କରିବାପାଇଁ ଆଇନର ସୁବିଧା ନେଇ ବୁଢ଼ା ତା’ର ଜୀବିତାବସ୍ଥାରେ ତା’ର ସବୁ ସମ୍ପତ୍ତି ଦେଶର ସାଧାରଣ ଅନୁଷ୍ଠାନମାନଙ୍କୁ ଦାନ କରିଦେଇ ଯିବାକୁ ଚାହେଁ । ଏ ଦାନରେ ବିନ୍ଦୁମାତ୍ର ପବିତ୍ରତା ନାହିଁ ।

 

ଏହିପରି ଭାବରେ ସମାଜର ସବୁ ମହଲରେ ମହା କୃପଣ ନରସିଂହ ଚୌଧୁରୀଙ୍କର ଏପରି ଅଦ୍ଭୁତ ପରିବର୍ତ୍ତନ ଗୋଟାଏ ଆଲୋଡ଼ନ ସୃଷ୍ଟି କରୁଥିଲା । ମହାକୃପଣ ଚୌଧୁରୀଙ୍କୁ ଦୀର୍ଘ ସତୁରିବର୍ଷ ଧରି ଦେଖିଦେଖି ସମସ୍ତେ ତାଙ୍କ ଚରିତ୍ରରେ ଏକରକମ ଅଭ୍ୟସ୍ତ ହୋଇ ଯାଇଥିଲେ । କିନ୍ତୁ ତାଙ୍କୁ ହଠାତ ଏପରି ‘‘ଦାତାକର୍ଣ୍ଣ’’ ହୋଇ ଯିବାର ଦେଖି ସମସ୍ତଙ୍କର ଦୃଷ୍ଟି ନୂଆ କରି ତାଙ୍କ ଉପରେ ପଡ଼ିଲା । ଲୋକମାନେ ବିଭିନ୍ନ ମନ୍ତବ୍ୟ କରିବାକୁ ଲାଗିଲେ ।

 

ଦିନେ ଗୋଟିଏ କର୍ମହୀନ ଅଳସ ଅପରାହ୍ନରେ ମୁଁ ମୋର ବସାଘରେ ଏକା ବସି ଖଣ୍ଡିଏ ଖବରକାଗଜ ପଢ଼ୁଥିଲି । ହଠାତ ରାୟବାହାଦୁର ନରସିଂହ ଚୌଧୁରୀ ତାଙ୍କ ନିଜସ୍ୱ ବଳଦ ଗାଡ଼ିରେ ବସି ମୋ ଦୁଆରେ ଆସି ପହଞ୍ଚିଲେ । ଯଥୋଚିତ ସମ୍ମାନ ଦେଖାଇ ତାଙ୍କୁ ମୁଁ ପାଛୋଟି ଆଣିଲି । ମୋ ଦାଣ୍ଡଦୁଆର ସାମନାରେ ଗୋଟାଏ ପୁରୁଣା ଅମୃତଭଣ୍ଡା ଗଛଉପରେ ଗୋଟାଏ କଇଁଚି କାକୁଡ଼ି ଗଛ ଲଟିଥିଲା । ଅଯତ୍ନ ବର୍ଦ୍ଧିତ ଗଛଟାରେ ବହୁତ ଫଳ ହୋଇଥିଲା । ତା’ରି ନିକଟରେ ଗୋଟାଏ ଡିମିରି ଗଛରେ ମଧ୍ୟ ବହୁତ ଫଳ ହୋଇଥିଲା । ରାୟବାହାଦୁର ମୋ ଘର ଭିତରକୁ ପଶିବା ପୂର୍ବରୁ ଏଇ ଗଛଗୁଡ଼ିକୁ କିଛିକ୍ଷଣ ଚାହିଁ ରହିଲେ । ତା’ପରେ କହିଲେ–ଆପଣ କ’ଣ ଏଇ ଡିମିରି ଆଉ କଇଁଚି କାକୁଡ଼ି ତୋଳି ତରକାରୀ କରୁ ନାହାନ୍ତି ? ଏତେଗୁଡ଼ିଏ ଫଳ ନଷ୍ଟ କରି ପକାଉଛନ୍ତି ।

 

ରାୟବାହାଦୁରଙ୍କର କଥା ଶୁଣି ମୁଁ ହସି ପକାଇଲି । କହିଲି–ନାହିଁ ରାୟବାହାଦୁର ଏ ଫଳଗୁଡ଼ାକ ନଷ୍ଟ ହେବ କାହିଁକି ? କାଉ, ବାଦୁଡ଼ି, ଗୁଣ୍ଡୁଚିମୂଷା ଏଗୁଡ଼ିକ ଭକ୍ଷଣ କରୁଛନ୍ତି । ଏଗୁଡ଼ାକ ତ ସେଇମାନଙ୍କର ଖାଦ୍ୟ ବୋଲି ମୁଁ ଜାଣେ !

 

–ନା, ନା, ଏଗୁଡ଼ାକ ନଷ୍ଟ କରିବା ଉଚିତ ନୁହେଁ । ଆପଣ ଯଦି ନ ଖା’ନ୍ତି, ତେବେ ମୁଁ ଏଗୁଡ଼ିକ ନେଇଯିବି । ତା’ପରେ ମୋର ଅନୁମତିର ଅପେକ୍ଷା ନ କରି ଚିତ୍କାର କଲେ–ଆରେ ବାହୁଡ଼ା, ବାହୁଡ଼ା । ଏ ଫଳଯାକ ତୋଳି ଶଗଡ଼ରେ ପୂରା । ମୂଲିଆଗୁଡ଼ାକ ଖାଇବେ । ପାଳୁଅ, ବାଇଗଣ, ଦେଶୀଆଳୁ ତରକାରୀ ସଙ୍ଗେ ଏଗୁଡ଼ାକ ମିଶିଗଲେ ଭଲ ଭେଟେଇବ ।

 

ବାହୁଡ଼ାକୁ ଫଳ ତୋଳିବାକୁ ଆଦେଶ ଦେଇ ରାୟବାହାଦୁର ମୋ ସଙ୍ଗରେ ଘର ଭିତରେ ପଶି ଖଣ୍ଡିଏ ଚଉକି ଉପରେ ବସିଲେ । କିଛିକ୍ଷଣ ପର୍ଯ୍ୟନ୍ତ ଘର କାନ୍ଥରେ ଟଙ୍ଗା ହୋଇଥିବା କେତେଗୁଡ଼ିଏ ଛବି ଓ କ୍ୟାଲେଣ୍ଡର ଆଡ଼େ ଏକ ଧ୍ୟାନରେ ଚାହିଁ ରହି ମୋ ଆଡ଼େ ଚାହିଁ କହିଲେ–ମୁଁ ଏ ପଟକୁ ଅନ୍ୟ କାମରେ ଆସିଥିଲି । ଆପଣ ଘରେ ଅଛନ୍ତି ଶୁଣି ଆପଣଙ୍କ ସଙ୍ଗେ ଟିକିଏ ଆଳାପ କରିବାପାଇଁ ଏଠାରେ ଓହ୍ଲାଇ ପଡ଼ିଲି ।

 

–ଏହାତ ଆପଣଙ୍କର ପରମ ଅନୁଗ୍ରହ ରାୟ ବାହାଦୁର । ଆପଣଙ୍କପରି ମହାନ୍ ବ୍ୟକ୍ତି ମୋ ଘରେ ଚରଣଧୂଳି ପକାଇବେ–ଏହାତ ମୋର ଖୁବ୍ ବଡ଼ ସୌଭାଗ୍ୟ ।

 

ମୋର ଚାଟୁବାକ୍ୟକୁ ପରମ ତୃପ୍ତିର ସହିତ ଉପଭୋଗ କରୁକରୁ ରାୟବାହାଦୁର କିଛିକ୍ଷଣ ନୀରବରେ ବସି ରହିଲେ । ତା’ପରେ କହିଲେ–ମୁଁ ଆପଣଙ୍କଠାରୁ କିଛି ଉପଦେଶ ନେବାକୁ ଆସିଛି । ମୁଁ ଶୁଣିଛି ଯେ ବୟସରେ ଯୁବକ ହେଲେ ମଧ୍ୟ ଆପଣଙ୍କର ଅଭିଜ୍ଞତା ବହୁତ ଅଧିକ ।

 

ରାୟବାହାଦୁରଙ୍କ କଥା ଶୁଣି ମୁଁ ବିସ୍ମିତ ହେଲି । ମନେମନେ ଶଙ୍କିତ ମଧ୍ୟ ହେଲି । ମୋର ପୁଣି ଅଭିଜ୍ଞତା ଅଛି ଓ ସେଇ ଅଭିଜ୍ଞତା ବଳରେ ମୁଁ ନରସିଂହ ଚୌଧୁରୀଙ୍କ ପରି ବିଷୟୀ ଲୋକଙ୍କୁ ଉପଦେଶ ଦେବି, ଏହା ଯେପରି ଅଭାବନୀୟ–ସେହିପରି ଅବିଶ୍ୱାସ୍ୟ । ଏହାର ପରବର୍ତ୍ତୀ ପ୍ରଶ୍ନରେ ରାୟ ବାହାଦୁର ଯେ ବୈଷୟିକ ବିଷୟ ଉତ୍‍ଥାପନ କରି ତା’ପରେ ମୋର ଉପଦେଶ ଲୋଡ଼ିବେ ସେଇକଥା ଚିନ୍ତାକରି ମୁଁ ଶଙ୍କିତ ହେଲି । କିନ୍ତୁ ରାୟବାହାଦୁର ଏକ ଅଦ୍ଭୁତ ପ୍ରଶ୍ନ କଲେ–ଆପଣଙ୍କର ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ ଅଛି ?

 

ସାମାନ୍ୟ ହସି ମୁଁ କହିଲି–ଜ୍ୟୋତିଷ ଶାସ୍ତ୍ର ନାମକ ଗୋଟିଏ ଜ୍ଞାନ ଭଣ୍ଡାର ଏ ଦେଶରେ ଅଛି ଓ ସେ ଶାସ୍ତ୍ରକୁ ଅନେକେ ଚର୍ଚ୍ଚା କରନ୍ତି, ମୁଁ ଏତିକି ମାତ୍ର ଜାଣେ ରାୟବାହାଦୁର । ସେ ଶାସ୍ତ୍ରଟି ସମ୍ପୂର୍ଣ୍ଣରୂପେ ନିର୍ଭରଯୋଗ୍ୟ କି ନୁହେଁ, ତା’ ମୁଁ କହିପାରିବି ନାହିଁ ।

 

–ଆପଣ ବିଶ୍ୱାସ କରନ୍ତୁ, ବା ନ କରନ୍ତୁ, ମୁଁ କରେ । ମୋ ଜୀବନରେ ଅନେକଗୁଡ଼ିଏ ଗଣନା ଠିକ୍ ହୋଇଛି । ସେଇ ବିଷୟରେ ଆପଣଙ୍କ ସହିତ ମୋର କିଛି ପରାମର୍ଶ କରିବାର ଅଛି-

 

ମୁଁ ରାୟବାହାଦୁରଙ୍କ ଆଡ଼େ ଜିଜ୍ଞାସୁ ନେତ୍ରରେ ଚାହିଁଲି । କିଛିକ୍ଷଣ ନୀରବରେ ବସିରହି ସେ ପୁଣି କହିଲେ–ଗତ ଫଗୁଣ ସାତଦିନରେ ମୋର ଏକସ୍ତରିବର୍ଷ ପୂରି ବାସ୍ତରିବର୍ଷ ଚାଲିଲା । ଏଇ ବୈଶାଖରେ ମୋର ମାରକ ଦଶା ଅଛି । କୋଷ୍ଠୀ ବିଚାର ଅନୁସାରେ ତାହା ଏକ ଅତି ସାଂଘାତିକ ଘାଟି । କୌଣସି ମାରଣାସ୍ତ୍ରରେ ମୋର ଜୀବନହାନୀ ହେବ ବୋଲି କୋଷ୍ଠୀ ବିଚାରରେ ଲେଖାଅଛି । ସେଇ ବିଚାରରେ ଏହା ମଧ୍ୟ ଲେଖାଅଛି ଯେ ବୈଶାଖ ପୂର୍ଣ୍ଣିମା ରାତିଟି ମୋ’ ଜୀବନର ଶେଷରାତି । ମୋତେ ରକ୍ଷା କରିବାକୁ ହେବ । ମୋ’ର ଜୀବନ ବଞ୍ଚାଇବାକୁ ହେବ ।

 

କହୁକହୁ ବୃଦ୍ଧ ରାୟବାହାଦୁର ମୋର ହାତ ଦୁଇଟି ଧରି ପକାଇଲେ । ଭୟରେ ତାଙ୍କର ମୁଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ଅନାଗତ ମୃତ୍ୟୁର କଳାଛାଇ ଯେପରି ସେ ମାନସ-ଚକ୍ଷୁରେ ପରିଷ୍କାର ଦେଖି ପାରୁଛନ୍ତି । କାହିଁକି କେଜାଣି, ବୃଦ୍ଧଙ୍କର ଏପରି ମୃତ୍ୟୁଭୀତି ଦେଖି ସମବେଦନା ପରିବର୍ତ୍ତରେ ମୋ ମନରେ କୌତୁକ ଜାତ ହେଲା । ମୁଁ ନିଜେ ସାହସୀ ବା ବୀର ନୁହେଁ । କିନ୍ତୁ ମୃତ୍ୟୁ ପ୍ରତି ମୋ ଅନ୍ତରରେ ଆଦୌ ଭୟ ନାହିଁ । ମୋର ଚିନ୍ତାରାଜ୍ୟରେ ମୃତ୍ୟୁକୁ ମୁଁ ଏକ ରକମ ଆତ୍ମୀୟ ପରି ଜାଣେ । ଏଇ ବାସ୍ତରିବର୍ଷର ଅତିବୃଦ୍ଧ ନରସିଂହ ଚୌଧୁରୀ । ଧନୀ ହେଲେ ମଧ୍ୟ ପେଟକୁ ମୁଠିଏ ଭଲକରି ନ ଖାଇ, ଦେହରେ ଖଣ୍ଡିଏ ଭଲ ନ ପିନ୍ଧି ବହୁକଷ୍ଟରେ ସେ ଏତେ ଦୀର୍ଘକାଳ ଏ ପୃଥିବୀରେ ବଞ୍ଚି ରହିଛନ୍ତି । ବୟସ ତୁଳନାରେ ମଧ୍ୟ ଦେହ ତାଙ୍କର ଦୁର୍ବଳ । ଯେଉଁ ଜୀବନକୁ ସେ କଦାପି ଉପଭୋଗ କରି ନାହାନ୍ତି, ଗୋଟାଏ ଜୀବନ୍ତ ପ୍ରେତ ପରି କେବଳ ବଞ୍ଚି ରହିଛନ୍ତି ମାତ୍ର ସେଇ କ୍ଳିଷ୍ଟ ଓ ଅଭିଶପ୍ତ ଜୀବନର ଅବସାନ କଥା ଚିନ୍ତାକରି ସେ ଏପରି ଭୀତ ଓ ବିବ୍ରତ ଯେ ମୋ ପରି ଗୋଟାଏ ସାମାନ୍ୟ ଲୋକ ତାଙ୍କର ଜୀବନ ରକ୍ଷା କରିବ ବୋଲି ଆଶା କରି ସେ ମୋ ନିକଟକୁ ଦୌଡ଼ି ଆସିଛନ୍ତି । କେଉଁ ଜ୍ୟୋତିଷ ତାଙ୍କୁ ଏହି ଭୟାବହ ଭବିଷ୍ୟଦ୍ୱାଣୀ ଶୁଣାଇଛି ମୁଁ ଜାଣେ ନାହିଁ । କିନ୍ତୁ ରାୟବାହାଦୁର ଯେ ତାହା ଦୃଢ଼ଭାବରେ ବିଶ୍ଵାସ କରନ୍ତି ଏବଂ କୌଣସି ଆଶ୍ୱାସନା ବାଣୀରେ ତାଙ୍କର ସେ ବିଶ୍ଵାସ କ୍ଷୁଣ୍ଣ ହେବନାହିଁ, ତାହା ମୁଁ ପରିଷ୍କାର ବୁଝି ପାରିଲି । କହିଲି–ମୋତେ କ’ଣ କରିବାକୁ ହେବ କହନ୍ତୁ ରାୟବାହାଦୁର, ମୁଁ ଆନନ୍ଦର ସହିତ ତାହା କରିବି ।

 

–ଆଗାମୀ ବୈଶାଖ ପୂର୍ଣ୍ଣିମାଦିନ ସକାଳୁ ଆପଣ ମୋ ଘରେ ଓ ମୋ ପାଖେପାଖେ ରହିବେ । ସେ ରାତିଟି ଯଦି ମୋର ନିରାପଦରେ କଟିଯାଏ, ତେବେ ମୋର ଆଉ କିଛି ଭୟ ନାହିଁ-। ଆହୁରି ବହୁବର୍ଷ ଆୟୁଃ ଭୋଗକରି ମୁଁ ଶତାୟୁ ହେବି ବୋଲି ଜ୍ୟୋତିଷ କହିଛି । ଯଦି ନିରାପଦରେ ସେ ରାତିଟି ମୋର କଟିଯାଏ–ତା’ ପରଦିନ ଯଦି ମୁଁ ବଞ୍ଚିଯାଏ, ତେବେ ଆପଣଙ୍କର ଋଣ ମୁଁ ପରିଶୋଧ କରିଦେବି ।

 

ଆଉ କଥା ନ ବଢ଼ାଇ ମୁଁ ସାଙ୍ଗେ ସାଙ୍ଗେ ତାଙ୍କ କଥାରେ ରାଜି ହୋଇଗଲି । ରାୟବାହାଦୁର ଉଠିଲେ । ମୁଁ ମଧ୍ୟ ଦୁଆର ପର୍ଯ୍ୟନ୍ତ ତାଙ୍କୁ ଆଗେଇ ଦେବାକୁ ଚାଲିଲି । ଶଗଡ଼ିଆ ବାହୁଡ଼ାକୁ ଡାକି ସେ ପ୍ରଶ୍ନ କଲେ–ଫଳଗୁଡ଼ାକ ତୋଳି ଶଗଡ଼ରେ ରଖିଲ ତ ! ତା’ପରେ ବଡ଼ ଗୋଟିଏ ଅଖାରେ ଡିମିରି ଫଳ ଓ କଇଁଚି କାକୁଡ଼ି ଭର୍ତ୍ତି ହୋଇ ଶଗଡ଼ ଉପରେ ରଖା ହୋଇଥିବାର ଦେଖି ଖୁସି ମନରେ ବିଦାୟ ନେଲେ । ରାୟବାହାଦୁର ଚାଲିଯିବା ପରେ ପୁଣି ମୁଁ ଆସି ଖଣ୍ଡିଏ ଇଜି ଚେୟାରରେ ବସିଲି । ଏଇ ବିଚିତ୍ର ଲୋକଟି କଥା ଚିନ୍ତା କରିବାକୁ ଲାଗିଲି । କିଛିକ୍ଷଣ ପରେ ହାବୁଡ଼ା ଜେନା ଆସି ମୋ ଗୋଡ଼ତଳେ ଗୋଟିଏ ମୁଣ୍ଡିଆ ମାରି ଭୂଇଁ ଉପରେ ବସିଗଲା । କାହିଁକି କେଜାଣି ତାକୁ ଦେଖି ମୋତେ ବଡ଼ ଖୁସି ଲାଗିଲା । ଖବରକାଗଜଟି ଟେବୁଲ ଉପରେ ରଖିଦେଇ କହିଲି–ଏ ଖରାବେଳଟାରେ କୁଆଡ଼େ ଆସିଗଲୁ ହାବୁଡ଼ା ?

 

–ଗୋଟାଏ କଥା ଜାଣିବାପାଇଁ ମୁଁ ଆସିଛି ହଜୁର । ସମସ୍ତେ କହୁଛନ୍ତି ଯେ ସାହେବମାନେ ଆମ ଦେଶ ଛାଡ଼ି ଚାଲିଯିବେ । ଆମ ତନୁ ଜେନା କହୁଛି ପୁଣି କଣ୍ଟାପାରିର ଜଗନ୍ନାଥବାବୁ କହୁଛନ୍ତି ଯେ ଆମ ଉପରୁ ଏଇ ‘‘ସିଟେଇ ଆଇନ’’ (ସି. ଟି. ଆକ୍‍ଟ)ବି ଉଠିଯିବ । ସମସ୍ତଙ୍କ ପରି ଆମେବି ସବୁଆଡ଼େ ଯାଆସ କରିପାରିବୁ । ମୂଲ ମଜୁରିପାଇଁ ପାଞ୍ଚ ଗାଁକୁ ଯାଇ ପାରିବୁ । ଏ କଥା କ’ଣ ସତ ?

 

କିଛିକ୍ଷଣ ଚିନ୍ତାକରି ମୁଁ କହିଲି–ହାବୁଡ଼ା, ଏ ସବୁ ହେଉଛି ବଡ଼ବଡ଼ ରାଜନୈତିକ ବ୍ୟାପାର । ସେ ସବୁ ନିର୍ଭୁଲ ଭାବରେ ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ । ତେବେ ମୁଁ ଭାବୁଛି ଯେ ତୁ ଯାହା ଶୁଣିଛୁ ତାହା ମିଛ ନୁହେଁ । ଦେଶର ନେତାମାନେ ବହୁ ସଭା ସମିତିରେ ଏ ବିଷୟରେ ଭାଷଣ ଦେଉଛନ୍ତି । ସେମାନଙ୍କ ମତରେ ଏଇ ସି.ଟି. ଆକ୍‍ଟ ହେଉଛି ଗୋଟାଏ କଳା ଆଇନ । ଏଇ ନେତାମାନେ ତ ବର୍ତ୍ତମାନ ଆମ ଦେଶର ଶାସକ ହେବାକୁ ଯାଉଛନ୍ତି । ଏ ଆଇନଟାକୁ ସେମାନେ ଉଠାଇ ଦେବା ଅସମ୍ଭବ ନୁହେଁ ।

 

ମୋ କଥା ଶୁଣି ହାବୁଡ଼ା ଜେନା ନୀରବରେ କେତେଥର ମୁଣ୍ଡ ହଲାଇଲା । ଯେପରି ଟିକିଏ ଖୁସି ହୋଇଉଠିଲା । ଅଳସ ଭାବରେ ଗୋଟିଏ ହାଇମାରି ମୁଁ କହିଲି ହାବୁଡ଼ା, ତୋ ଜୀବନର ଗୋଟିଏ ଗଳ୍ପ କହ । ତୋ’ର ଯୁବକ ଦିନର କଥା । କେମିତି ସବୁ ଡକାଇତି କରୁଥିଲ ସେଇକଥା ।

 

ହାବୁଡ଼ା ଯେପରି ଟିକିଏ ଲଜ୍ଜିତ ହେଲା । କହିଲା–ସେ ସବୁ କଥା କ’ଣ ଶୁଣିବ ବାବୁ । ଜୀବନଯାକତ ମୁଁ ଚୋରି କରୁଛି । ଚୋରି ତ ହେଲା ମୋର ପେଶା । ସେ କ’ଣ ଗୋଟିଏ ଘଟନା ହେଇଛି ଯେ ମୋର ମନେଥିବ । ମୋର କ’ଣ ସେ ସବୁ କଥା ଆଉ ହେତୁ ଅଛି ନା !

 

ମୁଁ କିନ୍ତୁ ପିଲାଙ୍କପରି ଜିଦ୍ ଧରିଲି–ନା, ନା, ତୋତେ କହିବାକୁ ହେବ । ସାମାନ୍ୟ ହସି ହାବୁଡ଼ା କହିଲା–ତେବେ ଗୋଟିଏ କଥା କହୁଛି ବାବୁ । ଶୁଣନ୍ତୁ–ସେ ଆଜିକି ବହୁଦିନ ତଳର କଥା-। ପ୍ରାୟ ଚାଳିଶବର୍ଷ ତଳ କଥା । ସେତେବେଳେ କଟିକଟାରୁ ଜଇନ୍ତରା ପର୍ଯ୍ୟନ୍ତ ଘୋର ଜଙ୍ଗଲ ଥିଲା । ସେଇ ଜଙ୍ଗଲ ଭିତରେ ଆମେମାନେ ସବୁ ସାନସାନ ପଲାକରି ରହୁଥିଲୁ । ମୁଁ ନୂଆକରି ଦଳରେ ମିଶିଛି । ନିଧିଭାଇବି କଟକରୁ ପଳାଇ ଆସି ଆମ ସାଙ୍ଗେ ମିଶିଛି । ଆମର ସର୍ଦ୍ଦାର ଥିଲା ହାତକଟା ଜେନା । ବାଁ ହାତର କବଜିର ତଳକୁ ନାହିଁ । ତା’ ଯବାନବେଳେ ଚଳନ୍ତା ରେଲଗାଡ଼ିରୁ ଡେଇଁ କଟି ଯାଇଥିଲା । ହେଲେ ତା’ର ଆର ହାତଟି ଆମପରି ମଣିଷର ଦଶଟା ବାହା ସାଙ୍ଗେ ସମାନ । ତା’ଘର ଥିଲା ଆଜିର ଏଇ କଟିକଟା ଗାଁରେ । ସେଠାରେ ସେତେବେଳେ ଗାଁ ନଥିଲା କି ତା’ର କୌଣସି ନାଁ ନଥିଲା । କେମିତି ତା’ ନାଁ କଟିକଟା ହେଲା, ମୁଁ କହି ପାରିବି ନାହିଁ । ସେତେବେଳକୁ ସଡ଼କ ନଥିଲା କି ବୈତରଣୀ ନଈର ବନ୍ଧ ମଧ୍ୟ ନଥିଲା । ବଡ଼ବଡ଼ ଡଙ୍ଗାରେ ଲୋକେ ଯାଆସ କରୁଥିଲେ । ସେଠାକାର ନଈ ତୁଠକୁ ଲୋକେ କହୁଥିଲେ ହାତକଟା ପେଣ୍ଠ । ହାତକଟାର ଥିଲା ଚାରିରାଣୀ ।

 

–ରାଣୀ !!

 

–ହଁ, ହଜୁର ସେ ଥିଲା ଆମର ରଜା । ତା’ରି ଆଇନ ଛଡ଼ା ସେଠାରେ ଆଉ କୌଣସି ଆଇନ ନଥିଲା । ତା’ର ଥିଲା ସାତ ବଖରିଆ ନଅର । ଛେଳି, ମେଣ୍ଢା, ଘୁଷୁରି ହେଇ ପଲେ ଥିଲେ-। ଆଉ ଥିଲା ଗୋଟାଏ ନାଲି ଘୋଡ଼ା । ମୁଣ୍ଡରେ ଛିଟ କନାର ପଗଡ଼ି ବାନ୍ଧି ହାତଖଣ୍ଡି ଯେତେବେଳେ ଛାତି ଫୁଲାଇ ଘୋଡ଼ାରେ ବସି ଯାଉଥିବ ସେତେବେଳେ ସିପେଲ ଚଉକିଆବି ସଲାମ କରୁଥିଲେ । ସେ ଆମପରି ଚାଉଳି କି ମହୁଲି ଖାଉ ନଥିଲା । ସେ ଆଉ ତା’ର ରାଣୀମାନେ ଖାଉଥିଲେ ମସଲାଦିଆ ବାସନା ତାଡ଼ି । ରଣପାରେ ଚଢ଼ି ନଈନାଳ ପାରି ହୋଇ ଏକା ରାତିରେ ସେ ଧାମନଗର ଭଣ୍ଡାରି ପୋଖରୀଯାକେ ଧାପି ଯାଉଥିଲା । ଆଉ ସେ ସବୁ ଜେଗାରେ ଡକାଇତି କରି ରାତିରାତି ପୁଣି ରଣପାରେ ଚଢ଼ି ଘରକୁ ଫେରି ଆସୁଥିଲା । ତା’ର ଥିଲା ହାତୀ ପରି ବଳ–ସିଂହ ପରି ସାହସ ।

 

କିଛିକ୍ଷଣ ନୀରବ ରହି ପୁଣି ହାବୁଡ଼ା ଜେନା ଆରମ୍ଭ କଲା–ଯେଉଁଦିନ ନିଧିଭାଇକୁ ନେଇ ଦଳରେ ଭର୍ତ୍ତି କରିବି ବୋଲି ପ୍ରଥମେ ମୁଁ ହାତକଟା ପାଖକୁ ନେଇଗଲି, ସେଦିନ କଥା ମୋ ଆଖିରେ ଆଜିଯାଏଁ ଜଳଜଳ ଦିଶୁଛି । କାଲିପରି ମନେ ହେଉଛି । ହେଲେ ସେ କେତେ କାଳର କଥା ହେଲାଣି । ହାତଖଣ୍ଡି ତାଡ଼ିଖାଇ ପଲଙ୍କ ଉପରେ ଶୋଇଥିଲା । ମୁଁ ଯାଇ ନିଧିଭାଇ ଆସିବା କଥା କହିଲି । ସେତେବେଳକୁ ନିଧିଭାଇବି ପାହାଡ଼ପରି ମରଦଟାଏ । ହାତଖଣ୍ଡି କଟମଟ କରି ନିଧିକୁ ଚାହିଁଲା । ତା’ପରେ ଠୋକିନି ତା’ ଗାଲରେ ଗୋଟାଏ ବ୍ରହ୍ମଚାପୁଡ଼ା ବସାଇଲା । ସେ ଚାପୁଡ଼ାରେ ନିଧିପରି ମରଦବି ତିନି ଘେରା ବୁଲି କଚାଡ଼ି ହୋଇ ପଡ଼ିଲା । ତା’ପରେ ସାଙ୍ଗେ ସାଙ୍ଗେ ଭୂଇଁରୁ ଉଠି ଛାତି ଫୁଲାଇ ହାତଖଣ୍ଡିକୁ ଚାହିଁ ରହିଲା । ତା’ ଆଖିରୁ ନିଆଁ ବାହାରିଲା । ମୋର ହାଲୁକ ଶୁଖିଗଲା । ମୁଁ ଭାବିଲି ଯେ ଏହିକ୍ଷଣି ନିଧିଭାଇ ବାଘପରି ହାତଖଣ୍ଡି ଉପରକୁ ଡେଇଁ ପଡ଼ିବ–ଆଉ ଝିଟିକା ଚିପିଲା ପରି ହାତଖଣ୍ଡି ତା’ ବେକକୁ ଚିପି ମାରିପକାଇବ । ନିଧି ସିନା ଜାଣି ନଥିଲା ମୁଁ ତ ହାତଖଣ୍ଡି ଦେହର ବଳ ଭଲକରି ଜାଣିଥିଲି ହଜୁର । ହେଲେ ଘଟନା ଅନ୍ୟପରି ଘଟିଲା । ହାତଖଣ୍ଡି ପଲଙ୍କ ଉପରୁ ଓହ୍ଲାଇ ଆସି ନିଧିଭାଇ ପିଠିରେ ହାତମାରି କହିଲା ସାବାସ୍ । ତୁ ଠିକ୍ ମରଦ ଅଛୁ । ଜୋସ୍ ନଥିଲେ କ’ଣ କେହି ମରଦ ହୁଏ ! ହାତଖଣ୍ଡି ବରାବର ସାହସ ଆଉ କ୍ରୋଧକୁ ‘‘ଜୋସ୍’’ ବୋଲି କହୁଥିଲା । ସେଇଦିନଠାରୁ ହାତଖଣ୍ଡି ମରି ଆମଦଳ ଭାଙ୍ଗିଯିବା ପର୍ଯ୍ୟନ୍ତ ନିଧିଭାଇ ମୋ ସଙ୍ଗେ କାମ କରିଛି ।

 

ହାତଖଣ୍ଡି ମଲା କେମିତି ? ମୁଁ ପଚାରିଲି ।

 

ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ହାବୁଡ଼ା ଜେନା କହିଲା ଯେମିତି ସେକାଳେ ବଡ଼ବଡ଼ ସର୍ଦ୍ଦାରମାନେ ମରୁଥିଲେ ନିଧିଭାଇ ଆମଦଳକୁ ଆସିବାର ପ୍ରାୟ ପାଞ୍ଚବର୍ଷପରେ ହୁଗୁଳି ଜେଲ୍‍ରେ ହାତଖଣ୍ଡିର ଫାଶୀ ହେଲା ।

 

–ଫାଶୀ ହେଲା । କାହିଁକି ! ! ମୁଁ ପଚାରିଲି ।

 

କିଛିକ୍ଷଣ ନୀରବରହି ହାବୁଡ଼ା କହିଲା ମୁଁ ସେତେବେଳେ ହାତଖଣ୍ଡି ସଙ୍ଗେ ନଥିଲି । ନିଧିଭାଇ ଆଉ ଅନ୍ୟ କେତେଜଣ ଥିଲେ । ସେଇଟା ଥିଲା କାର୍ତ୍ତିକମାସ । ହାତଖଣ୍ଡି ତା’ ସାନ ରାଣୀଙ୍କୁ ସାଙ୍ଗରେ ନେଇ ଗଙ୍ଗା ସ୍ନାନ କରିବାକୁ ଯାଇଥିଲା । କମଳା ଦିହରେ ଦିହେ ସୁନା ଗହଣା ନାଇଥିଲା । ଲକ୍ଷ୍ମୀ ପ୍ରତିମା ପରି ରୂପ । ହାତଖଣ୍ଡି ନ ଥିବାବେଳେ ଗୋଟାଏ ପଠାଣ ଗୁଣ୍ଡା ସାନରାଣୀ କମଳାକୁ ଧରି ନେଇ ଗଲା । ସର୍ଦ୍ଦାର ଫେରିଆସି ଏ କଥାଶୁଣି କ୍ରୋଧରେ ନିଆଁ ହୋଇଗଲା । ସାଙ୍ଗେ ସାଙ୍ଗେ ତା’ ଦଳର କେତେଜଣକୁ ନେଇ ସେ ପଠାଣ ଘରେ ଚଢ଼ାଉ କଲା ସେ ଲଢ଼େଇରେ ହାତଖଣ୍ଡିବି ଜଖମ ହେଲା । ହେଲେ ସେ ଗୁଣ୍ଡାଟା ଜଣେ ପୁଲିସ ଦାରୋଗା ଓ ଆହୁରି ତିନିଜଣ ହାତଖଣ୍ଡି ହାତରେ ମଲେ । ଚାରିଆଡ଼େ ପୁଲିସ ବେଢ଼ିଯାଇଥାନ୍ତି ହେଲେ କେହି ସାହସ କରି ତାକୁ ଧରୁ ନ ଥାନ୍ତି । ସମସ୍ତଙ୍କ ସାମନାରେ ସେ ପଠାଣ ଗୁଣ୍ଡାଟାର ଛାତି ଉପରେ ବସି ତା’ କଲିଜା ଚିରି ରକ୍ତ ପିଇ ଯାଉଥାଏ । ଶେଷରେ ସେ ଧରା ହେଲା । ତା’ପରେ...

 

ହାବୁଡ଼ା ଜେନା ନୀରବ ହେଲା । ତା’ପରେ କ’ଣ ହେଲା ସେ କଥା ସେ ଆଗରୁ କହି ସାରିଚି । ସେତେବେଳକୁ ଖରା ନଇଁ ପଡ଼ିଲାଣି । ମୋର ମଧ୍ୟ କାମର ବେଳ ହୋଇଯାଉଥିଲା । କହିଲି–ଆଚ୍ଛା ଏବେ ତୁ ଯା ହାବୁଡ଼ା, ତୋତେ ପୁଣି ରତନୀପାଇଁ କୋରା ଉଖୁଡ଼ା କିଣିବାକୁ ବଜାରକୁ ଯିବାକୁ ହେବ ।

 

–ଆଉ ରତନୀ କାଇଁ ହଜୁର । ସେ କ’ଣ ଆଉ ଅଛି !!

 

–ମାନେ ! ରତନୀ ପୁଣି କୁଆଡ଼େ ଗଲା ? ସେ ଆଉ ମାନ୍ଧାତା ମଠରେ ନାହିଁ !!

 

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ।

 

–ନାଇଁ ହଜୁର । ମୁଁ ଢେର୍ ଖୋଜିଲି । କେଉଁ ଜୋର କି ପୋଖରୀରେ ବୁଡ଼ି ମରିଥିବା ମନେକରି ଚଉଦ ଖଣ୍ଡ ଗାଁର ପାଣି ଘାଣ୍ଟିଲି । ହେଲେ ରତନୀର ପତ୍ତା ପାଇଲି ନାହିଁ ।

 

–କିନ୍ତୁ ରତନୀ ପାଣିରେ ବୁଡ଼ି ମରିବାକୁ ଯିବ କାହିଁକି ?

 

–ମୁଁ ସେକଥା କେମିତି ଜାଣିବି ହଜୁର । ଯେଉଁଦିନ ନିଧିଭୋଇର ମଲା ଖବର ଆପଣଙ୍କଠୁ ଶୁଣିଲା ସେତିକିବେଳୁ ସେ ଆଉ ପାଣି ଛୁଇଁଲା ନାହିଁ । କି ବସିବା ଜେଗାରୁ ଉଠିଲା ନାହିଁ । ଦିଦିନ ଦି’ରାତି ଏମିତି ବସି ରହିଲା । କାହାରି ସାଙ୍ଗେ କଥାବି କହିଲା ନାହିଁ । ମୁଁ ନିଜେ ଯାଇ ‘‘ରତନୀ’’ ‘‘ରତନୀ’’ ବୋଲି କେତେ ଡାକିଲି । ବାୟାଣୀଙ୍କ ପରି ବଲବଲ କରି ଖାଲି ଚାହିଁ ରହିଲା । ମୋଟେ ପାଟି ଫିଟାଇଲା ନାହିଁ କି ଜବାବ ଦେଲା ନାହିଁ ।

 

ତା’ପରେ !!

 

ସେଦିନ ରାତିରେ ମାନ୍ଧାତା ମଠରେ ସମସ୍ତେ ଶୋଇଲେ । ସେ ସେବାଦାସୀ ଟୋକୀ ତିନିଟାକୁ ନେଇ ବାବାଜି ଜଞ୍ଜିର ଭିତରୁ ବନ୍ଦ କରି ପଲଙ୍କ ଉପରେ ଶୋଇଲେ । ଅଧରାତିକି ହୁତ୍‍ହୁତ୍ ହୋଇ ନିଆଁ ଜଳିଉଠିଲା । ବାବାଜି ଆଉ ସେବାଦାସୀଗୁଡ଼ାକ ପ୍ରାଣ ବିକଳରେ ଚିଲେଇଲେ । ପଳାଇ ପାରିଲେ ନାହିଁ । ଶୋଇଲା ଘର ଦୁଆରରେ ବାହାରୁ ରତନୀ ଜଞ୍ଜିର ଦେଇ ପଳାଇଛି । ନିଆଁବି ସେଇ ଲଗାଇ ଦେଇଛି ।

 

ନିଆଁ ଦେଖି ଗାଁବାଲା ଦୌଡ଼ି ଆସିଲେ । ମଠଟା ପୂରା ପୋଡ଼ି ଯାଇ ପାରିଲା ନାହିଁ । ବାବାଜି ଆଉ ସେବାଦାସୀଗୁଡ଼ାକ ଜୀବନରେ ବଞ୍ଚିଥିଲେ । ହେଲେ ସେଇ ସୋଦରୀ ବୋଲି ଯେଉଁ ସାନ ଟୋକୀଟା ଅଛି–ତା’ ବାଁ ପଟ ମୁହଁଟା ପୋଡ଼ି ଯାଇଛି । ଆଉ ବାବାଜିଙ୍କର ଡାହାଣ ଆଖିଟା କଣା ହୋଇ ଯାଇଛି ।

 

–ଚଉଦ–

 

ତା’ପରେ–ଜୀବନର କେତେ ଅଳସ ଅବକାଶରେ ମୁଁ ରତନୀ କଥା ଚିନ୍ତା କରିଛି । ରତନୀକୁ ହାବୁଡ଼ା ବହୁତ ଖୋଜିଖୋଜି ଆଉ ପାଇ ନାହିଁ । ତାକୁ ଯେ ପୃଥିବୀରେ ଆଉ କେହି ଖୋଜି ପାଇବେ ନାହିଁ । ଏହା ମୋର ଦୃଢ଼ବିଶ୍ୱାସ । ସେ ଏ ଦୁନିଆରୁ ସମ୍ପୂର୍ଣ୍ଣରୂପେ ହଜି ଯାଇଛି । ଆଉ ବଞ୍ଚି ରହିବାପାଇଁ ସେ ଦିନ ରାତିରେ ସେ ମାନ୍ଧାତା ମଠ ଛାଡ଼ି ପଳାଇ ଯାଇ ନଥିଲା । କିନ୍ତୁ କାହିଁକି ସେ ହଠାତ ଏପରି କଲା, କାହିଁକି ସେ ଆତ୍ମହତ୍ୟା କଲା ? ଜୀବନସାରା ବହୁ ଦୁର୍ଦ୍ଦଶା ଓ ଅପମାନ ସହ୍ୟ କରି ଏତେଦିନ ପର୍ଯ୍ୟନ୍ତ ଖାଲି ବଞ୍ଚି ରହିବା ଲୋଭରେ ବଞ୍ଚୁଥିଲା ସମ୍ପୂର୍ଣ୍ଣ ଅଦରକାରୀ ଦେହ ଓ ଜୀବନଟାକୁ ଏତେ ଦୀର୍ଘକାଳ ପର୍ଯ୍ୟନ୍ତ ଘୋଷାରି ବୁଲୁଥିଲା । ତଥାପି କ’ଣ ତା’ର ଅନ୍ତରର ଅତଳରେ କୌଣସି ଆଶାର କ୍ଷୀଣ ଶିଖାଟି ବଞ୍ଚିରହିଥିଲା । ସେ କ’ଣ ଭାବି ଥିଲା ଯେ ଦିନେ ନା ଦିନେ କୌଣସି ଅଘଟନ ନିଶ୍ଚୟ ଘଟିବ । ସେ ଜୀବନରେ ସୁଖ ପାଇବ । ପୁଣି ସଂସାର ଗଢ଼ିବ ।

 

ଆଉ, ସେଦିନ ମୋ ଠାରୁ ନିଧି ଭୋଇର ମୃତ୍ୟୁ ସମ୍ବାଦ ପାଇ ତା’ର ଅବଚେତନ ମନରେ ଆଜି ପର୍ଯ୍ୟନ୍ତ ଜାଗି ରହିଥିବା ଆଶାର ସେ ଅତି କ୍ଷୀଣ ଶିଖାଟି ମଧ୍ୟ ହଠାତ ନିଭିଗଲା । ନିଧି ଭୋଇ ସହିତ ବା ତା’ର ସମ୍ପର୍କ କ’ଣ ! ମୁଁ ଜାଣେ ଯେ ଦୁନିଆରେ ରତନୀପରି ନଷ୍ଟଚରିତ୍ରା ସ୍ତ୍ରୀଲୋକମାନେ ଜୀବନରେ ବହୁ ପୁରୁଷ ସହିତ ପ୍ରେମର ଅଭିନୟ କରନ୍ତି । ଜୀବନ ଯାତ୍ରାର ସାଥୀ ଭାବରେ ଗୋଟିଏ ପୁରୁଷର କଣ୍ଠ ଲଗ୍ନା ହୋଇ କିଛି ଦୂର ଚାଲନ୍ତି–ତା’ପରେ ଯାତ୍ରାପଥର କୌଣସି ଗୋଟିଏ ବାଙ୍କରେ ସେଇ ହତଭାଗ୍ୟ ପୁରୁଷକୁ ନିକ୍ଷେପ କରି ସମ୍ପୂର୍ଣ୍ଣ ଅନୁତାପହୀନ ହୃଷ୍ଟଚିତ୍ତରେ ଅନ୍ୟ ପୁରୁଷ ଗ୍ରହଣ କରନ୍ତି ।

 

ସେହିପରି, ରତନୀ ତ ସମ୍ପୂର୍ଣ୍ଣ ହୃଷ୍ଟଚିତ୍ତରେ ଦିନେ ନିଧି ଭୋଇକୁ ତ୍ୟାଗ କରି ଚାଲିଯାଇ ଥିଲା । ତେବେ ଏତେ ଦୀର୍ଘକାଳ ପରେ–ନିଧିର ମୃତ୍ୟୁ ସମ୍ବାଦ ପାଇ ସେ ଆତ୍ମହତ୍ୟା କଲା କାହିଁକି ?

 

ଏ ପ୍ରଶ୍ନ ଯେ କେବଳ ମୁଁ ନିଜକୁ ବାରମ୍ବାର ପଚାରି କୌଣସି ଉତ୍ତର ପାଇ ନାହିଁ ତାହା ନୁହେଁ । ମୋର ବହୁ ପଣ୍ଡିତ ବନ୍ଧୁଙ୍କୁ ମୁଁ ଏ ପ୍ରଶ୍ନ ବିଭିନ୍ନ ସମୟରେ ପଚାରିଛି । କେହି ମୋତେ ଆଜି ପର୍ଯ୍ୟନ୍ତ ଏ କଥା ବୁଝାଇ ଦେଇ ପାରି ନାହାନ୍ତି । କାହାରି କାହାରି ପାଣ୍ଡିତ୍ୟପୂର୍ଣ୍ଣ ଗୁରୁଗମ୍ଭୀର ଉତ୍ତର ମୋ ନିକଟରେ ମୋର ଜିଜ୍ଞାସା ଠାରୁ ମଧ୍ୟ ଜଟିଳତର ହୋଇଛି । ଔପନ୍ୟାସିକ ବନ୍ଧୁ ଦାମୋଦର ମହାନ୍ତି ସେଦିନ ମୋ ଠାରୁ ସବୁ ଶୁଣି ଗମ୍ଭୀର ଭାବରେ କହିଲେ–ଏ ସବୁ ବୁଝିବାକୁ ହେଲେ ନାରୀ ମନସ୍ତତ୍ତ୍ୱରେ ଗଭୀର ଗବେଷଣା ଲୋଡ଼ା । ତୁମମାନଙ୍କ ପରି ବାସ୍ତବବାଦୀ ବ୍ୟକ୍ତିମାନେ ଏହା ବୁଝିପାରିବା ସହଜ ନୁହେଁ । ମୋର ‘‘ଶାଳବନର ତନ୍ଵୀ’’ ଉପନ୍ୟାସରେ ଏହାର କିଛିକିଛି ଉଲ୍ଲେଖ ଅଛି । ନାରୀର ମନ ହେଉଛି ଠିକ୍ କଞ୍ଚା ସିମେଣ୍ଟ ପରି । ସିମେଣ୍ଟ କଞ୍ଚା ଥାଉଥାଉ ତା’ ଉପରେ ଯଦି କେହି ପାଦ ପକାଏ ତେବେ ସେ ପଦଚିହ୍ନ ଚିରକାଳ ରହିଯାଏ । ତା’ପରେ ସିମେଣ୍ଟ ଯେତେବେଳେ ଶୁଖି ଯାଏଁ ସେତେବେଳେ ତା’ ଉପରେ ପ୍ରତିଦିନ ଶହ ଶହ ଲୋକ ଚାଲିଲେ ମଧ୍ୟ ଆଉ କାହାରି ପଦଚିହ୍ନ ଏପରି ଗଭୀର ହୋଇ ପଡ଼େ ନାହିଁ । ସେହିପରି–

 

କ’ଣ ସେହିପରି’’ ମୁଁ ସଠିକ ବୁଝି ନ ପାରି ବନ୍ଧୁଙ୍କୁ ଚାହିଁଲି । ଟିକିଏ ଅନୁକମ୍ପାର ହସ ହସି ବନ୍ଧୁ ତାଙ୍କର ଭାଷଣଟି ଶେଷ କଲେ । –ଠିକ୍ ସେହିପରି ନାରୀର ପ୍ରଥମ ପ୍ରେମ ତା’ର ତରଳ ହୃଦୟରେ ଗୋଟିଏ ଗଭୀର ଚିହ୍ନ ରଖିଦିଏ । ଜୀବନର ଘାତ ପ୍ରତିଘାତରେ କ୍ରମେ କ୍ରମେ ବିସ୍ମୃତିର ପାହାଡ଼ତଳେ ସେ ଚିହ୍ନ କ୍ଷଣିକ ଭାବରେ–ବା ବହୁକାଳ ପର୍ଯ୍ୟନ୍ତ ଲୁଚିଯାଇପାରେ । କିନ୍ତୁ ତାହା କଦାପି ଲିଭିଯାଏ ନାହିଁ । ତମ ରତନୀ ଜୀବନରେ ମଧ୍ୟ ଠିକ୍ ସେହିପରି ହୋଇଛି । ତରଳ ଯୌବନରେ ନିଧି ସହିତ ତା’ର ପ୍ରଥମ ପ୍ରେମ ତା’ର ନାରୀ ଜୀବନର ହେଉଛି ପ୍ରଥମ ସୂର୍ଯ୍ୟସ୍ଥାନ । ବିସ୍ମୃତିର ପାହାଡ଼ତଳେ ତା’ର ଅବଚେତନ ମନରେ ସେହି ପ୍ରଥମ ପ୍ରେମର ଯେଉଁ ଗଭୀର ଚିହ୍ନ–ତାହା ହଜି ଯାଇଥିଲେ ମଧ୍ୟ ଲୋପ ପାଇ ନଥିଲା । ଏବେ ବୁଝି ପାରିଲ ତ ?

 

ଆଦୌ ବୁଝି ପାରି ନଥିଲେ ମଧ୍ୟ–ବୁଝିଛି ବୋଲି କହିବାକୁ ମଧ୍ୟ ହେଲି । ମୋର ପରବର୍ତ୍ତୀ ପ୍ରଶ୍ନ ପଚାରି ଆହୁରିଗୁଡ଼ାଏ ଅବୋଧ ପାଣ୍ଡିତ୍ୟ ପୂର୍ଣ୍ଣ ଭକ୍ତି ଶୁଣିବାକୁ ମୋର ସାହସ ହେଲାନାହିଁ ।

 

ଆଉଦିନେ କିନ୍ତୁ ସେ ପ୍ରଶ୍ନ ମୋର ଜଣେ ମନସ୍ତାତ୍ତ୍ୱିକ ବନ୍ଧୁ ମନୋଜ ଦାସଙ୍କୁ କଥାଛଳରେ ପଚାରିଥିଲି । –ରତନୀ ପଳାଇ ଗଲାବେଳେ ବାବାଜିଙ୍କ ଘର ବାହାର ପଟୁ ଜଞ୍ଜିର ଲଗାଇ ଘରେ ନିଆଁ ଲଗାଇ ଦେଲା କାହିଁକି ! ତୁମେ କ’ଣ ମନେକର ଯେ ମଠରେ ବାସ କରୁଥିବା ସମୟରେ ବାବାଜି ଓ ତାଙ୍କର ସେବାଦାସୀମାନେ ରତନୀ ପ୍ରତି ଅତିଶୟ ଦୁର୍ବ୍ୟବହାର କରିଥିଲେ । ସେହି ଆକ୍ରୋଶରେ ରତନୀ ଘରେ ନିଆଁ ଲଗାଇ ଚାଲିଗଲା । ।

 

ପଣ୍ଡିତ ବନ୍ଧୁ ଟିକିଏ ସାମାନ୍ୟ ହସି କହିଲେ–ଜୀବନସାରା ବହୁ ଅପମାନ ଓ ଦୁର୍ବ୍ୟବହାର ସହିସହି ରତନୀର ଆଉ କୌଣସି ନିର୍ଯାତନା ବା ଦୁର୍ବ୍ୟବହାରରେ ବିଚଳିତ ହେବା ଆଦୌ ସ୍ଵାଭାବିକ ନୁହେଁ । କିନ୍ତୁ ତୁମ ପ୍ରଶ୍ନରେ କୌଣସି ଗୋଟାଏ ଜଟିଳ ମନସ୍ତାତ୍ତ୍ଵିକ ସମସ୍ୟା ଆଦୌ ନାହିଁ । ଯୌନ ତାତ୍ତ୍ଵିକ ଫ୍ରାୟେଡ଼୍ ତାଙ୍କ ପୁସ୍ତକମାନଙ୍କରେ ଏ ବିଷୟ ସୁନ୍ଦର ଭାବରେ ବୁଝାଇ ଦେଇଛନ୍ତି । ଯେଉଁ ନାରୀ ଜୀବନରେ ଯୌନ ମିଳନର ଆଶା ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯାଇଛି, ସେ ଆଉ କାହାରି ସେ ସୁଖ ସହ୍ୟ କରିପାରେ ନାହିଁ । ସେମାନଙ୍କର ଧ୍ୱଂସ ବା ମୃତ୍ୟୁରେ ସେ ସବୁଠାରୁ ବେଶି ଆନନ୍ଦ ପାଏ । ନାରୀର ଏ ମନସ୍ତତ୍ତ୍ୱ କୌଣସି ବୟସରେ ସୀମାବଦ୍ଧ ନୁହେଁ ।

 

ବନ୍ଧୁ ମନୋଜ ଦାସଙ୍କର ଏ ପାଣ୍ଡିତ୍ୟପୂର୍ଣ୍ଣ ବିଶ୍ଳେଷଣ ମଧ୍ୟ ମୁଁ ବୁଝି ପାରିନାହିଁ । ସୁତରାଂ, ରତନୀ ବିଷୟରେ ସବୁ ପ୍ରଶ୍ନ ମୋ ମନରେ ଆଜିପର୍ଯ୍ୟନ୍ତ ଅମୀମାଂସିତ ରହିଛି । ସେ ଆଜିକି ବହୁକାଳ ତଳର କଥା । ଘଟନା ପରେ ମୁଁ ଆଉ ମାନ୍ଧାତା ମଠକୁ ଯାଇନାହିଁ । ମଠଟି ସମ୍ପୂର୍ଣ୍ଣରୂପେ ନିଶ୍ଚିହ୍ନ ହୋଇଯାଇ ସେଠାରେ ଏକାଳର କୌଣସି ‘‘ଗ୍ରେନ୍ ଗୋଲା’’ ନିର୍ମିତ ହୋଇଛି–କିମ୍ଵା ପୁରାତନ ମଠର ଶ୍ରୀବୃଦ୍ଧି ହୋଇ ବର୍ତ୍ତମାନ ଆହୁରି ବଡ଼ ହୋଇ ଯାଇଛି ସେ କଥା ମୁଁ ଜାଣେନାହିଁ । ଅବଶ୍ୟ ବାବାଜିଙ୍କ ସହିତ ଆଉଥରେ ମାତ୍ର ଅନ୍ୟ ସ୍ଥାନରେ ମୋର ଦେଖା ହୋଇଥିଲା । କିନ୍ତୁ ସେ ଝିଅ ତିନୋଟି ବିଷୟରେ ମୁଁ ଆଉ କୌଣସି ସମ୍ବାଦ ପାଇନାହିଁ ।

 

ଘଟନାଚକ୍ରରେ ରାୟ ବାହାଦୁର ନରସିଂହ ଚୌଧୁରୀଙ୍କ ସହିତ ଅତି ଘନିଷ୍ଟ ସମ୍ପର୍କରେ ମୁଁ ଆସିଛି । ଜୀବନସାରା ମୁଁ ଏଇ ଦୁନିଆର ରାଜପଥରେ ବୁଲିଛି । ବହୁ ସହସ୍ର ବିଚିତ୍ର ପୃଥିବୀରେ ଯେତେ ଜ୍ଞାନଭଣ୍ଡାର ରହିଛି, ସେଥିମଧ୍ୟରେ ମାନବ ମନସ୍ତତ୍ତ୍ୱ ସବୁଠାରୁ ଜଟିଳ । କୌଣସି ପୋଥି ପୁରାଣରୁ ନୁହେଁ ଏଇ ଧୂଳିରୁକ୍ଷ ଦୁନିଆର ରାଜପଥରେ ଜୀବନସାରା ବୁଲିବୁଲି ମୁଁ ସେଇ ଜଟିଳ ମାନବ ମନସ୍ତତ୍ତ୍ୱ ବିଷୟରେ ଯେତିକି ଜ୍ଞାନ ଆହରଣ କରିଛି–ସେଥିରେ ମୋର ଦୃଢ଼ବିଶ୍ୱାସ ହୋଇଛି ଯେ ମଣିଷକୁ ବାହାରର ପ୍ରଚ୍ଛଦପଟରୁ ବିଚାର କରିବା ଅତିଶୟ ଗଣ୍ୟମାନ୍ୟ ବ୍ୟକ୍ତି ସମାଜର ମଉଡ଼ମଣି–ବା ଅତି ଚରିତ୍ରବାନ୍ ବା ନୀତିବାନ୍ ସମାଜ ପ୍ରତି, ଅନ୍ତରରେ ସେମାନେ ଅତି ଜଘନ୍ୟ ଓ କୁତ୍ସିତ ଚରିତ୍ରର ମଣିଷ । ବାହାରେ ଯେଉଁମାନେ ଜନସେବୀ ବା ନେତା–ଦେଶ ବା ଦେଶର ଦୁଃଖରେ ଅନବରତ ଯେଉଁମାନଙ୍କର ଆଖିରୁ ପାଣି ଝରୁଛି, ଭିତରେ ହୁଏତ ସେମାନେ ଅତିଶୟ ଲୋଭୀ ଓ ସ୍ୱାର୍ଥପର । ସେହିପରି ମୁଁ ଜାଣିପାରିଥିଲି ଯେ ନରସିଂହ ଚୌଧୁରୀଙ୍କର ବାହାରର ରୂପଟା ତାଙ୍କ ଅନ୍ତରର ପ୍ରକୃତ ପରିଚୟ ନୁହେଁ । ଲୋଭ ଓ କାର୍ପଣ୍ୟର ପ୍ରଚ୍ଛଦପଟତଳେ ଚୌଧୁରୀଙ୍କର ଯେଉଁ ସଂସାର ବିରାଗୀ ଓ ଦାର୍ଶନିକ ରୂପଟି ମୁଁ ଦେଖିଥିଲି ତାହା ଆଜି ପର୍ଯ୍ୟନ୍ତ ଅତି ସମ୍ମାନର ସହିତ ମୋ ସ୍ମୃତିରେ ବଞ୍ଚିରହିଛି ।

 

ଜ୍ୟୋତିଷଙ୍କର ଗଣନା ଅନୁସାରେ ବୈଶାଖ ମାସରେ ତାଙ୍କର ମାରକ ଦଶା ଥିଲା ସେଇ ମାସରେ ମୁଁ କେତେଥର ତାଙ୍କ ନିକଟକୁ ଯାଇଥିଲି । ପ୍ରକାଣ୍ଡ ଗୋଟାଏ ପୁରୁଣାକାଳିଆ ଇମାରତ୍ । ଘରଗୁଡ଼ାକ କିପରି ଅନ୍ଧାରୁଆ, ଅସଂଖ୍ୟ କୋଠରି । ସେଇ ନିଦାଘର ଗୋଟାଏ ଜ୍ୱଳନ୍ତ ଅପରାହ୍ନରେ ମୁଁ ଥରେ ଯାଇ ଚୌଧୁରୀ ଉଆସରେ ପହଞ୍ଚିଲି । ଏତେ ବଡ଼ ଘରଟା ଯେପରି ସମ୍ପୂର୍ଣ୍ଣ ନିର୍ଜନ । ଘରର ଚାକରବାକରମାନେ ହୁଏତ କେଉଁ କଡ଼ରେ ବିଶ୍ରାମ ନେଉଛନ୍ତି । ଚାରିଆଡ଼େ କିପରି ଗୋଟାଏ ଉଦାସିଆ ଭାବ । ବିଶାଳ ଘରଟାର କେଉଁ ଏକ ଅଦୃଶ୍ୟ ସ୍ଥାନରୁ କେତୋଟା ଗୋଲାପାରା ଘୁମୁରୁଛନ୍ତି । ମୁଁ ଏ ଘରକୁ ପୂର୍ବେ ଆହୁରି କେତେ ଥର ମଧ୍ୟ ଆସିଛି । ଘର ପରେ ଘର ପାରି ହୋଇ ଅବଶେଷରେ ମୁଁ ଚୌଧୁରୀଙ୍କର ବସିବା ଘରେ ପହଞ୍ଚିଲି । ଘର ଭିତରେ କେତେଗୁଡ଼ିଏ ପୁରୁଣା ଓ ଶ୍ରୀହୀନ ଚଉକି ପଡ଼ିଛି । କିନ୍ତୁ ଚୌଧୁରୀ ନିଜେ ସେ ସବୁ ଚଉକିରେ ବସନ୍ତି ନାହିଁ । କାନ୍ଥକୁ ଲାଗି ଇଟା ଓ ସିମେଣ୍ଟରେ ତିଆରି ଗୋଟିଏ ବଡ଼ ମଣ୍ଡପ ଉପରେ ଗୋଟିଏ ଅତି ପୁରାତନ ଗଦି ପଡ଼ିଥାଏ । ତା’ ଉପରେ ଧଳା ଚଦର ଓ ବଡ଼ବଡ଼ କେତେଟା ତକିଆ । ଏହାହିଁ ଜମିଦାର ନରସିଂହ ଚୌଧୁରୀଙ୍କ ସିଂହାସନ ବା ‘‘ତକ୍‍ତେ ତାଉସ୍ ।’’ ଏଇଠାରେ ବସି ପୁରୁଷାନୁକ୍ରମେ ଚୌଧୁରୀ ବଂଶ ବିଶାଳ ଜମିଦାରୀ ଶାସନ କରି ଆସିଛନ୍ତି । କେତେ ଅତ୍ୟାଚାର ଓ ପ୍ରଜାପୀଡ଼ନର ଆଦେଶ ଏଇ ଇଟା ବେଦି ଉପରେ ବସି ନରସିଂହ ଚୌଧୁରୀଙ୍କର ପୂର୍ବପୁରୁଷମାନେ ଜାରି କରିଛନ୍ତି । ସେଇ ବେଦି ଉପରେ କ୍ଷୀଣ ଦେହ ବୃଦ୍ଧ ନରସିଂହ ଚୌଧୁରୀ ଏକା ବସି ଧ୍ୟାନମଗ୍ନ ହୋଇ କ’ଣ ଖଣ୍ଡିଏ ମୋଟା ବହି ପଢ଼ୁଥିଲେ । ସଂତର୍ପଣରେ ମୁଁ ଘର ଭିତରେ ପଶି ସ୍ଥିର ହୋଇ ଛିଡ଼ା ହେଲି । ବୃଦ୍ଧ ହୁଏତ କୌଣସି ଧର୍ମଗ୍ରନ୍ଥ ପଢ଼ୁଛନ୍ତି । ତାଙ୍କର ଧ୍ୟାନଭଙ୍ଗ କରିବାକୁ ମୁଁ ଚାହିଁଲି ନାହିଁ । କିଛିକ୍ଷଣ ପରେ ବୃଦ୍ଧ ମୁହଁ ଟେକି ଚାହିଁଲେ । ମୋତେ ଦେଖି ନିକଟକୁ ଡାକି ତାଙ୍କ ନିକଟରେ ବସିବାକୁ ନିର୍ଦ୍ଦେଶ କଲେ । ମୁଁ ଦେଖିଲି ଯେ ଯାହାକୁ ମୁଁ ପୁରାଣ ବା ଧର୍ମଗ୍ରନ୍ଥ ବୋଲି ମନେ କରିଥିଲି ତାହା ପ୍ରକୃତରେ ଖଣ୍ଡିଏ ମୋଟା ହିସାବ ଖାତା । ମନେମନେ ମୁଁ ଟିକିଏ ହସିଲି ।

 

ଖାତାଟି ବନ୍ଦକରି ଯଥାସ୍ଥାନରେ ରଖି ଚୌଧୁରୀ ମୋ ଆଡ଼େ ଚାହିଁ ଧୀରେ ଧୀରେ କହିଲେ–ମୋତେ ସମସ୍ତେ ଅତିଶୟ କୃପଣ ବୋଲି ଘୃଣା କରନ୍ତି । ଆପଣ ମଧ୍ୟ ମୋର ସେ ଦୁର୍ନାମ ନିଶ୍ଚୟ ଶୁଣିଥିବେ । କିନ୍ତୁ ମୋର କୃପଣ ନ ହୋଇ ବା ଉପାୟ କ’ଣ ! ମୁଁ ତ ସର୍ବସାଧାରଣଙ୍କର ଗଚ୍ଛିତ ଧନକୁ ନିଜର ବିଳାସ ବ୍ୟସନରେ ଉଡ଼ାଇ ଦେଇ ପାରିବି ନାହିଁ ।

 

କ’ଣ ଭାବି ଚୌଧୁରୀ ଏ କଥା କହିଲେ–ମୁଁ ତ ସଠିକ ବୁଝି ନ ପାରି ଜିଜ୍ଞାସୁ ନେତ୍ରରେ ତାଙ୍କୁ ଚାହିଁଲି । ରାୟବାହାଦୁର ସ୍ଵଗତୋକ୍ତି କଲାପରି ଧୀରେ ଧୀରେ କହିଲେ–ଜମିଦାର କାହାକୁ କହନ୍ତି । ତା’ର କର୍ତ୍ତବ୍ୟ କ’ଣ ! ସେ ତ ପ୍ରଜାମାନେ ଦେଉଥିବା ରାଜସ୍ଵର କୋଷାଧ୍ୟକ୍ଷ ମାତ୍ର । ସର୍ବସାଧାରଣଙ୍କର ଧନକୁ ସେ ନିଜର ବିଳାସ ବ୍ୟସନରେ ବ୍ୟୟ କରିବ କିପରି ?

 

ମୁଁ କୌଣସି ଉତ୍ତର ନ ଦେଇ ନୀରବରେ ବସି ରହିଲି । ଚୌଧୁରୀ କହି ଚାଲିଲେ–ଜୀବନସାରା ମୁଁ ପ୍ରଜାମାନଙ୍କର ସେଇ ସର୍ବସାଧାରଣ ଧନକୁ ଓଗାଳି ରଖିଛି । ମୋର ନିଜସ୍ଵ କୌଣସି ରୋଜଗାର ନାହିଁ । ମୁଁ ଚାକିରି କରେ ନାହିଁ ବା ବ୍ୟବସାୟ କରେ ନାହିଁ । ସେଇ ସର୍ବସାଧାରଣଙ୍କର ଧନକୁ ମୁଁ ନଷ୍ଟ କରନ୍ତି କିପରି ! ଏଥିପାଇଁ ଯଦି ଲୋକେ ମୋତେ ଲୋଭୀ ବା କୃପଣ ବୋଲି କହନ୍ତି–ତେବେ ମୁଁ ସମ୍ପୂର୍ଣ୍ଣ ନିରୁପାୟ ।

 

ନରସିଂହ ଚୌଧୁରୀଙ୍କର ଏଇ ନୂଆ ରୂପ ଦେଖି ମୁଁ ବିସ୍ମିତ ହେଲି । ବୃଦ୍ଧ ଓ କ୍ଷୀଣ ଦେହ ହେଲେ ମଧ୍ୟ ବ୍ୟକ୍ତିତ୍ଵ ତାଙ୍କର ଅଦ୍ଭୁତ । ତାଙ୍କ ସହିତ ତର୍କ କରିବାପାଇଁ ମୋର ନୈତିକ ସାହସ ହେଲା ନାହିଁ । କିଛିକ୍ଷଣ ନୀରବ ରହି ସେ ପୁଣି କହିଲେ–ଜୀବନସାରା ମୁଁ କେବଳ ସଞ୍ଚୟ କରିଛି । ସେଇ ଜନସାଧାରଣଙ୍କର ସଞ୍ଚିତ ଅର୍ଥରୁ ମୁଁ ସେମାନଙ୍କୁ କଦାପି ବଞ୍ଚିତ କରି ଯିବି ନାହିଁ । ସେଇ ସଞ୍ଚୟରୁ ହିସାବ ମୁଁ ଆଜି ପରୀକ୍ଷା କରି ଦେଖୁଥିଲି । ମୁଁ ବର୍ତ୍ତମାନ ଅତିଶୟ ବୃଦ୍ଧ ହୋଇଗଲିଣି । କେତେବେଳେ ଯେ ଲୋକାନ୍ତର ଡାକରା ଆସିବ ତା’ର ଠିକ୍ ନାହିଁ । ଏ ଦୁନିଆରୁ ବିଦାୟ ନେବା ପୂର୍ବରୁ ମୁଁ ଜନସାଧାରଣଙ୍କର ଗଚ୍ଛିତ ସମ୍ପଦକୁ ସେଇମାନଙ୍କର ହିତପାଇଁ ଦେଇ ଯିବାକୁ ଚାହେଁ । ମୋର ଅପୋଗଣ୍ଡ ବଂଶଧର ଯେ ସେ ଦାୟିତ୍ଵ ତୁଲାଇ ପାରିବ ନାହିଁ, ଏହା ମୋର ଦୃଢ଼ବିଶ୍ୱାସ । ସେଥିପାଇଁ ଆଜି ଏଇ ନିର୍ଜନରେ ବସି ହିସାବ ପରୀକ୍ଷା କରୁଥିଲି । ଏହା ଖାଲି ମୋର ଆଜୀବନର ସଞ୍ଚିତ ଧନର ହିସାବ ନୁହେଁ । ଏହା ମୋର ଜୀବନର ହିସାବ ନିକାଶ । ଏ ହିସାବରେ ଯଦି ଭୁଲ୍ ରହି ଯାଏଁ ତେବେ ହୁଏତ ମୋର ମୁକ୍ତି ହେବ ନାହିଁ ।

 

ସାମାନ୍ୟ ହସି ମୁଁ କହିଲି–ମୁଁ ଏ ଘରେ ପଶି ଆପଣଙ୍କୁ ଧ୍ୟାନମଗ୍ନ ଥିବାର ଦେଖି ମନେ କଲି ଯେ ହୁଏତ ଆପଣ କୌଣସି ପୁରାଣ ବା ଧର୍ମଗ୍ରନ୍ଥ ପଢ଼ୁଛନ୍ତି ।

 

ରାୟବାହାଦୁର ହସିଲେ–ନା ବାବୁ ମୁଁ ଧର୍ମଗ୍ରନ୍ଥ ପଢ଼େ ନାହିଁ । ମୋ ମତରେ ତାହା ଗୋଟାଏ ଆଧ୍ୟାତ୍ମିକ ବିଳାସିତା । ମୁଁ କର୍ମଯୋଗରେ ବିଶ୍ୱାସ କରେ । କୌଣସି ମନ୍ଦିରରେ ରହି ମହାସମାରୋହରେ ପୂଜା ପାଉଥିବା ବିଳାସୀ ପାଷାଣ ଦେବତା ଅପେକ୍ଷା, କ୍ଳିଷ୍ଟ ଓ ନିର୍ଯାତିତ ନରନାରାୟଣଙ୍କ ସେବାରେ ମୁଁ ଅଧିକ ବିଶ୍ଵାସୀ । ସେଇମାନେ ହେଉଛନ୍ତି ମୋ ମତରେ–ଜୀବନ୍ତ ଦେବତା ।

 

Unknown

ତା’ପରେ ମଧ୍ୟ ବହୁଥର ମୁଁ ରାୟବାହାଦୁରଙ୍କ ନିକଟକୁ ଯାଇଛି । ତାଙ୍କ ସହିତ ବହୁ ବିଷୟରେ ଚର୍ଚ୍ଚା କରିଛି । ତର୍କ ମଧ୍ୟ କରିଛି । ଆଉ, ପ୍ରଚଣ୍ଡ ଲୋଭ ଓ କାର୍ପଣ୍ୟର କଠିନ ଅଭରଣତଳେ ମୁଁ ତାଙ୍କର ଯେଉଁ ଦାର୍ଶନିକ ଓ ମାନବପ୍ରେମୀ ରୂପଟି ଆବିଷ୍କାର କରି ପାରିଥିଲି ତାହା ମୋର ସ୍ମୃତିରେ ଏତେ କାଳ ପରେ ମଧ୍ୟ ଅବିସ୍ମରଣୀୟ ଭାବରେ ଜାଗ୍ରତ ରହିଛି ।

 

ରାୟ ବାହାଦୁର ନରସିଂହ ଚୌଧୁରୀଙ୍କ ଜୀବନରେ ଜ୍ୟୋତିଷର ଭବିଷ୍ୟଦ୍ୱାଣୀ ସମ୍ପୂର୍ଣ୍ଣ ବିଫଳ ହୋଇଛି । ବୈଖାଖ ମାସ ପାରି ହୋଇଯାଇଛି । ବୈଶାଖୀ ପୂର୍ଣ୍ଣିମା ମଧ୍ୟ ନିରାପଦରେ କଟିଯାଇଛି । ରାୟବାହାଦୁରଙ୍କର ପ୍ରାଚୀନ ମେନେଜର ରଘୁ ଷଡ଼ଙ୍ଗୀ ମଧ୍ୟ ତାଙ୍କର ଏ ମାରକ ଦଶା କଥା ଜାଣିଥିଲେ । ବୈଶାଖ ମାସରେ ଚୌଧୁରୀ ଉଆସରେ ଗୋଟିଏ ଚବିଶ ପ୍ରହରୀ ନାମକୀର୍ତ୍ତନ ଓ ବ୍ରାହ୍ମଣ ଭୋଜନ କରାଇବା ପାଇଁ ପ୍ରସ୍ତାବ ଦେଲେ । ପ୍ରଚଣ୍ଡ କ୍ରୋଧରେ ମେନେଜରକୁ ଧମକ ଦେଇ ରାୟବାହାଦୁର କହିଲେ–ତୁମେ ଭଲକରି ଜଣେ ଷଡ଼ଙ୍ଗୀ ଯେ ମୁଁ ସେପରି ଅପଚୟ ଆଦୌ ପସନ୍ଦ କରେନାହିଁ । ଗୁଡ଼ାଏ ବ୍ରାହ୍ମଣଙ୍କୁ ଖୁଆଇ ହଜାର ହଜାର ଟଙ୍କା ନଷ୍ଟ କରିବାକୁ ମୁଁ ଚାହେଁନା ।

 

ମୁଁ ମଧ୍ୟ ଦୈବାତ ସେତେବେଳେ ରାୟବାହାଦୁରଙ୍କ ନିକଟରେ ଥିଲି । ସମ୍ପୂର୍ଣ୍ଣ ଉପାର୍ଜନକ୍ଷମ ଗୁଡ଼ାଏ ଲୋକ କେବଳ ଉପବୀତଧାରୀ ବ୍ରାହ୍ମଣ ହୋଇଥିବା ଯୋଗୁଁ ସେମାନଙ୍କୁ ଖାଇବାକୁ ଦେଇ ଗୁଡ଼ାଏ ଅର୍ଥ ବ୍ୟୟ କରିବାକୁ ହୁଏତ ରାୟବାହାଦୁର ଚାହିଁଲେ ନାହିଁ । ତାଙ୍କର ମତରେ ମଧ୍ୟ ଯଥେଷ୍ଟ ଶକ୍ତି ଓ ଯୁକ୍ତି ମୁଁ ଦେଖିପାରିଲି । ହଠାତ ରାୟବାହାଦୁର ମୋତେ ଚାହିଁ କହିଲେ–ଆପଣ ଏ ବିଷୟରେ କ’ଣ ଭାବୁଛନ୍ତି ?

 

ମୁଁ ମଧ୍ୟ ଆପଣଙ୍କ ସହିତ ଏକମତ ରାୟବାହାଦୁର, ଗୁଡ଼ାଏ ସୁସ୍ଥ ସବଳ ଲୋକଙ୍କୁ ନ ଖୁଆଇ ବରଂ ଗୋଟାଏ ବଡ଼ କାଙ୍ଗାଳୀ ଭୋଜନ କରାଇବା ଉଚିତ । ସେଥିରେ ବରଂ ପୁଣ୍ୟ ଅଛି ।

 

ଭାବିଥିଲି ମୋ ପ୍ରସ୍ତାବକୁ ରାୟବାହାଦୁର ସମର୍ଥନ କରିବେ । କିନ୍ତୁ ହେଲା ଅନ୍ୟ ରକମ-। ଅତିଶୟ ଉତ୍ତେଜିତ ହୋଇ ରାୟବାହାଦୁର ଗର୍ଜନକରି ଉଠିଲେ–ଏହା ଆପଣଙ୍କର ମହା ଭୁଲ୍ । କେତେଗୁଡ଼ିଏ ଦୁଃସ୍ଥ ବା ଗରିବଙ୍କୁ ଦୟାକରି ଡାକି ଆଣି ମୁଠିଏ ଖୁଆଇଲେ କଦାପି ପୁଣ୍ୟ ହୁଏ ନାହିଁ । ସେଥିରେ କେବଳ ନିଜର ଅହମିକା ପ୍ରକଟ ହୋଇଥାଏ । ତା’ଛଡ଼ା ଯେଉଁମାନେ ଦରିଦ୍ର, ସେମାନଙ୍କୁ କାଙ୍ଗାଳୀ ବୋଲି ଆଖ୍ୟା ଦେବା ଅତିଶୟ ଅନୁଚିତ । ହାଡ଼ି, ପାଣ ପ୍ରଭୃତି ନିମ୍ନ ଜାତିମାନଙ୍କୁ ଆଜିକାଲିକାର ନେତାମାନେ ଦଳିତ ଜାତି ବୋଲି ନାମ ଦେଇଛନ୍ତି । ମହାତ୍ମା ଗାନ୍ଧିଙ୍କ ପରି ମହାମାନବ ମଧ୍ୟ ସେମାନଙ୍କୁ ‘ହରିଜନ’ ବୋଲି ନାମ ଦେଇଛନ୍ତି । ମୋ ମତରେ ଏହା ସେମାନଙ୍କର ମହା ଭୁଲ୍ । ଏଥିରେ ସେମାନଙ୍କ ପ୍ରତି ଗୋଟାଏ ପ୍ରଚଣ୍ଡ ଅନୁକମ୍ପା ବା ଦୟା ପ୍ରକାଶ ପାଉଛି । ମାନବ ପ୍ରେମ ଓ ମଣିଷପ୍ରତି ଦୟା–ମୋ ମତରେ ଏକା କଥା ନୁହେଁ । କୌଣସି ମଣିଷସମାଜ ପ୍ରତି ଅନୁକମ୍ପା ପ୍ରଦର୍ଶନଦ୍ଵାରା ସେ ମଣିଷମାନଙ୍କୁ ଅପମାନ କରାହୁଏ । ଏହା ମାନବ ପ୍ରେମ ନୁହେଁ–ଗୋଟାଏ ପ୍ରଚ୍ଛନ୍ନ ଅସମ୍ମାନ ।

 

ରାୟ ବାହାଦୁରଙ୍କର ଉତ୍ତେଜିତ ଉକ୍ତିରେ ସେ ଦିନ ମୁଁ ଚୁପ୍ ହୋଇ ଯାଇଥିଲି । କୌଣସି ପାଣ୍ଡିତ୍ୟପୂର୍ଣ୍ଣ ଭାଷଣକୁ ମୁଁ ଚିରଦିନ ଭୟ କରେ । କାରଣ ମୁଁ ସେ ସବୁ ଆଦୌ ବୁଝିପାରେ ନାହିଁ । ପ୍ରଶ୍ନକରି ବା ତର୍କକରି କୌଣସି ପଣ୍ଡିତଙ୍କୁ ମୁଁ କଦାପି ଉତ୍ତେଜିତ କରେ ନାହିଁ ।

 

ତା’ପରେ ଆଉ ଦିନେ । ରାୟ ବାହାଦୁର ସେ ଦିନ ଏକା ଥିଲେ । କଥା ଛଳରେ ମୁଁ କହିଲି–ମୃତ୍ୟୁକୁ ଆପଣ ଏତେ ଭୟ କାହିଁକି କରୁଛନ୍ତି ? ଏତେ ଦୀର୍ଘକାଳ ବଞ୍ଚି ରହି ଶତାୟୁ ହେବାର ଇଚ୍ଛା କାହିଁକି କରୁଛନ୍ତି ?

 

ମୋର ପ୍ରଶ୍ନ ଶୁଣି ରାୟ ବାହାଦୁର କିଛିକ୍ଷଣ ପର୍ଯ୍ୟନ୍ତ ସ୍ଥିର ଦୃଷ୍ଟିରେ ମୋତେ ଚାହିଁ ରହିଲେ । ଅଦ୍ଭୁତ ଗୋଟିଏ ସୁଦୂରପ୍ରସାରୀ ଦୃଷ୍ଟି । ମୋ ଆଡ଼େ ଚାହିଁଥିଲେ ମଧ୍ୟ ମୋତେ ଯେପରି ସେ ଦେଖୁ ନାହାନ୍ତି । କେଉଁ ଅଦୃଶ୍ୟ ଲୋକକୁ ଯେପରି ସେ ଦୃଷ୍ଟି ପ୍ରସାରିତ–ଆପଣ ମୋତେ ସମ୍ପୂର୍ଣ୍ଣ ଭୁଲ୍ ବୁଝିଛନ୍ତି, ବାବୁ ! ମୃତ୍ୟୁକୁ ମୁଁ ଆଦୌ ଭୟ କରେ ନାହିଁ, କିନ୍ତୁ ଲୋକାନ୍ତରକୁ ଯାଇ ପୁଣି ଏ ଦୁନିଆକୁ ଫେରି ଆସିବାକୁ ଚାହେଁ ନାହିଁ । ମୋର ସବୁ କର୍ତ୍ତବ୍ୟ ଶେଷକରି ମୁଁ ଏ ସଂସାରରୁ ବିଦାୟ ନେବାକୁ ଚାହେଁ । ମୋର କର୍ତ୍ତବ୍ୟ ଏ ପର୍ଯ୍ୟନ୍ତ ଶେଷ ହୋଇ ନାହିଁ । ସେଥିପାଇଁ ମୋର ଆଉ କିଛିଦିନ ଜୀବନର ମହଲତ, ଲୋଡ଼ା ।

 

ତା’ପରେ ଆହୁରି ମଧ୍ୟ ବହୁଥର ମୁଁ ରାୟ ବାହାଦୁରଙ୍କ ନିକଟକୁ ଯାଇଛି । ଆଜି ବହୁକାଳ ପରେ ଜୀବନର ଅପରାହ୍ନରେ ମଧ୍ୟ ମୁଁ ତାଙ୍କୁ ଭୁଲିପାରି ନାହିଁ । ଶ୍ରଦ୍ଧାର ସହିତ ତାଙ୍କ ସ୍ମୃତିକୁ ପ୍ରଣାମ କରୁଛି । ଜ୍ୟୋତିଷର ଭବିଷ୍ୟଦ୍ୱାଣୀ ତାଙ୍କ ଜୀବନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ବୈଶାଖ ପୂର୍ଣ୍ଣିମା ଦିନ ତାଙ୍କର ମହାପ୍ରଣାୟ ହେଲା ନାହିଁ–କିମ୍ବା ସେ ଶତାୟୁ ମଧ୍ୟ ହେଲେ ନାହିଁ । ତା’ର ପ୍ରାୟ ତିନିବର୍ଷ ପରେ ସେ ଏ ପୃଥିବୀରୁ ବିଦାୟ ନେଲେ । ଜୀବନର ସବୁ ଗୁରୁ କର୍ତ୍ତବ୍ୟ ସେ ଶେଷକରି ଯାଇ ପାରିଲେ କି ନାହିଁ, ମୁଁ ସଠିକ ଜାଣେ ନାହିଁ । ମୋର ନିଜ ଜୀବନର ଗତିପଥ ବଡ଼ ଆକସ୍ମିକ ଭାବରେ ଦିନେ ବୁଲିଗଲା । ମୋତେ ପୁଣି କଟକ ଚାଲି ଆସିବାକୁ ହେଲା ।

 

ଯାଜପୁର ଛାଡ଼ି ଆସିବା ପୂର୍ବରୁ ଦିନେ ଚୌଧୁରୀଙ୍କ ସହିତ ଶେଷ ସାକ୍ଷାତ କରିବାକୁ ଯାଇଥିଲି । ତାଙ୍କ ବୈଠକଖାନାରେ ପଶିବା ପୂର୍ବରୁ ତାଙ୍କର ଉତ୍ତେଜିତ ଗର୍ଜନ ଶୁଣିବାକୁ ପାଇଲି । କାରଣ ପଚାରି ବୁଝିବାପାଇଁ ବାହାରେ ଆଉ କେହି ନଥିଲେ । ଭିତରେ ପଶି କାହାକୁ କିଛି ନ ପଚାରି ମଧ୍ୟ ମୁଁ ରାୟ ବାହାଦୁରଙ୍କର ଉତ୍ତେଜିତ ହେବାର କାରଣ ପରିଷ୍କାର ବୁଝି ପାରିଲି । ମହାତ୍ମା ଶ୍ରୀ ଶ୍ରୀ ପଦ୍ମକେଶରୀ ମାନ୍ଧାତା ହାତ ଦୁଇଟି ଯୋଡ଼ି ଘର ଭିତରେ ଛିଡ଼ା ହୋଇଛନ୍ତି । ଲୋକଟା ଆଗଠାରୁ ଆହୁରି ଲକଲକିଆ ଓ ଅପରଚ୍ଛନ୍ନିଆ ହୋଇ ଯାଇଛି । ଗୋଟିଏ ଆଖି ଫୁଟିଯାଇ ଲୋକଟା ଆହୁରି ବିଚିତ୍ର ଦେଖା ଯାଉଛି । ମୁହଁରେ କିନ୍ତୁ ସେହିପରି ଅମଳିନ ହସଟି ଲାଗି ରହିଛି । ରାୟ ବାହାଦୁରଙ୍କର ତର୍ଜନ ଗର୍ଜନରେ ସେ ବିଦୁମାତ୍ର ବିଚଳିତ ବା ଅପମାନିତ ହୋଇ ନାହିଁ । ନିକଟରେ ସାନ ଗୋଟିଏ ପୁଟୁଳି କାଖରେ ଯାକି ଶୁଖିଲା ମୁହଁରେ ସେବାଦାସୀ ରମା ଛିଡ଼ା ହୋଇଛି ।

 

ରାୟ ବାହାଦୁରଙ୍କ ଗର୍ଜନରୁ ମୁଁ ଜାଣି ପାରିଲି ଯେ, ତୁଣ୍ଡ ବାଇଦରୁ ତାଙ୍କର ବଦାନ୍ୟତାର କାହାଣୀ ଶୁଣି ପୋଡ଼ି ଯାଇଥିବା ମଠଟି ମରାମତି କରିବାପାଇଁ ବାବାଜି କିଛି ସାହାଯ୍ୟ ଭିକ୍ଷା କରିବାକୁ ଆସିଥିଲେ । ‘‘ମଠ’’ ନାମକ ଗୋଟାଏ ଅଳସୁଆ ଗାରଦକୁ ଅର୍ଥ ସାହାଯ୍ୟ କରିବା ଯେ ମହାପାପ ଏବଂ ଜ୍ଞାତସାରରେ ଯେପରି ପାପ କରିବା ନରସିଂହ ଚୌଧୁରୀଙ୍କ ପକ୍ଷେ ଆଦୌ ସମ୍ଭବ ନୁହେଁ । ସେଇ କଥା ଅତିଶୟ ଉତ୍ତେଜିତ ଭାବରେ ଓ ରୁକ୍ଷକଣ୍ଠରେ ରାୟ ବାହାଦୁର ପ୍ରଚାର କରୁଛନ୍ତି । ତା’ ଛଡ଼ା ସେବାଦାସୀ ରମାକୁ–ଇଙ୍ଗିତ କରି ଆଜିକାଲିକାର ମଠମାନଙ୍କରେ ଚାଲିଥିବା ନାନାବିଧ ବ୍ୟଭିଚାରର କଥା ମଧ୍ୟ ସେ କହିବାକୁ ଛାଡ଼ି ନାହାନ୍ତି । ସେଇ ଲଜ୍ଜାରେ ବୋଧହୁଏ ଝିଅଟିର ମୁହଁ ଶୁଖି ଯାଇଛି ।

 

–ପନ୍ଦର–

 

ବହୁଦିନ ପରେ ମୁଁ ପୁଣି କଟକରୁ ଫେରି ଆସିଲି । ରାତିର ଅନ୍ଧକାରରେ ମୁଁ ଆସି ପହଞ୍ଚି ଥିଲି । କାହାରି ସହିତ ଦେଖା ହୋଇ ନାହିଁ, କିନ୍ତୁ ତା’ ପରଦିନ ସୂର୍ଯ୍ୟୋଦୟ ସଙ୍ଗେସଙ୍ଗେ ପ୍ରଚଣ୍ଡ କଳରବ କରୁକରୁ ଯେ ପ୍ରଥମେ ମୋର ନିଦ ଭଙ୍ଗାଇଲେ, ସେ ମୋ ଜୀବନରେ ଜଣେ ଅତି ଅବିସ୍ମରଣୀୟ ବ୍ୟକ୍ତି । ଯେଉଁ ମହାନ୍ ବ୍ୟକ୍ତିମାନେ ସେମାନଙ୍କ ଜୀବଦ୍ଦଶାରେ ବଞ୍ଚି ପାରନ୍ତି ନାହିଁ–ମୃତ୍ୟୁପରେ ଅମର ହୋଇ ବଞ୍ଚି ରହନ୍ତି । କବି ବୈଷ୍ଣବ ପାଣି ହେଉଛନ୍ତି ସେଇମାନଙ୍କ ଭିତରେ ଅନ୍ୟତମ ।

 

–ତମେ ଆସୁଛ ଶୁଣି ଚାରିଦିନ ହେଲା ମୁଁ ଏଠାରେ ଚାହିଁ ବସିଛି । କାଲି ରାତିରେ ଆସିଛ ବୋଲି ଜାଣିଲି । ଆଜି ବଡ଼ ସକାଳୁ ଆସିଗଲି । ଏହା କହି ବୈଷ୍ଣବ ପାଣି ମୋତେ ଖୁସିରେ କୁଣ୍ଢାଇ ପକାଇଲେ । କିଛିକ୍ଷଣ ପରେ ହସିହସି କହିଲେ–ଆଜି ସକାଳୁ ମୋ ମୁହଁ ଚାହିଁଲଣି, ଦିନଯାକ ମୋରିପରି ଉପାସ ରହିବ ।

 

ମୁଁ ଜାଣେ ଯେ, ବାହାରକୁ ଏହା ସାଧାରଣ ଗୋଟାଏ ମଜାକଥା ପରି ଶୁଣାଗଲେ ମଧ୍ୟ ସମଗ୍ର ଜାତିପ୍ରତି ଏଥିରେ ତାଙ୍କର ଗୋଟାଏ ପ୍ରଚ୍ଛନ୍ନ ଅଭିମାନର ଇଙ୍ଗିତ ରହିଛି । ଆଜି ନୁହେଁ–ବହୁଦିନ ତଳେ କୁମୁଡ଼ା ଜୟପୁର ଗ୍ରାମର ଜଣେ ବିପଥଗାମୀ କ୍ଷୁଦ୍ର ଜମିଦାରଙ୍କର କଚେରି ଘରେ ତାଙ୍କ ସହିତ ମୋର ପ୍ରଥମ ଚାକ୍ଷୁଷ ସାକ୍ଷାତ ହୋଇଥିଲା । ଜମିଦାରଙ୍କର ସଭାକବି ଭାବରେ ସେଠାରେ ଥିଲେ । ଚାଟୁବାକ୍ୟ ଓ ନିଜ ରଚିତ କବିତାରେ ଜମିଦାରଙ୍କର ଗୁଣଗାନ କରି ସେ ସେଠାରୁ ପ୍ରତିଦିନ ଟେଳାଏ ଅଫିମ ଓ ଲୋଟାଏ ଦୁଧ ପାଉଥିଲେ । ଜମିଦାର ନିଜେ ମଧ୍ୟ ଅହିଫେନସେବୀ ଥିଲେ ।

 

ଅତିଶୟ ଦୁଃଖ ଓ ଦୈନ୍ୟକ୍ଳିଷ୍ଟ ଚେହେରା । ଖଣ୍ଡିଏ ଛିଣ୍ଡା ଓ ମଇଳା ଲୁଙ୍ଗି ଏବଂ ଖଣ୍ଡିଏ ଛିଣ୍ଡାଜାମା ଥିଲା ତାଙ୍କର ସମ୍ବଳ । ସବୁବେଳେ କାନ୍ଧରେ ଖଣ୍ଡିଏ ଦଇଛିଣ୍ଡା ବ୍ୟାଗ୍ ଝୁଲୁଥାଏ । ଆଉ ସେଇ ବ୍ୟାଗ୍ ଭର୍ତ୍ତି ହୋଇଥାଏ ଛିଣ୍ଡା ଓ ମଇଳା କାଗଜରେ ଲେଖା ଅତି ଅମୂଲ୍ୟ କବିତା । ଏଇ ପ୍ରତିଭାବାନ୍ ଦରିଦ୍ର କବି ତାଙ୍କ ବାଲ୍ୟକାଳରେ କୌଣସି ଚାହାଳିରେ ମଧ୍ୟ ପଢ଼ିବାର ସୁବିଧା ପାଇ ନାହାନ୍ତି । ଆଜନ୍ମ ସିଦ୍ଧବାଣୀର ଏଇ ମହାସାଧକ ତାଙ୍କ ଜୀବନରେ ଦୁଇଶତାଧିକ ନାଟକ ରଚନା କରିଛନ୍ତି । ଓଡ଼ିଶାର ପଲ୍ଲୀଗ୍ରାମରେ ସେ ଥିଲେ ଅତି ସୁପରିଚିତ ଓ ଲୋକପ୍ରିୟ ଗଣକବି ଓ ନାଟ୍ୟକାର । ଶତାବ୍ଦୀର ଏକ ଚତୁର୍ଥାଂଶରୁ ଅଧିକ କାଳ ବୈଷ୍ଣବ ପାଣି ଗଣନାଟ୍ୟରେ ଗୋଟିଏ ନବଯୁଗ ସୃଷ୍ଟି କରିଥିଲେ । ଖାଲି ସେତିକି ନୁହେଁ–ବହୁ ସହସ୍ର ଅତି ଅମୂଲ୍ୟ କବିତା ମଧ୍ୟ ସେ ସୃଷ୍ଟି କରିଛନ୍ତି । କିନ୍ତୁ ସେଇ ପ୍ରତିଭାବାନ୍ ଗଣକବି ଯେ କେତେଦୂର ଦୈନ୍ୟକ୍ଳିଷ୍ଟ ଓ ଦୁଃସ୍ଥ ଥିଲେ, ସେ କଥା ଏ ହତଭାଗ୍ୟ ଦେଶର ଅଧିକାଂଶ ଲୋକ ଜାଣନ୍ତି ନାହିଁ । ସେ ଦିନ ଜମିଦାରଙ୍କ କଚେରିରେ ବୈଷ୍ଣବ ପାଣିଙ୍କ ସହିତ ପରିଚିତ ହୋଇ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଯେଉଁ କବିଙ୍କର ପ୍ରତିଭା ପିଲାଦିନୁ ମୋତେ ମୁଗ୍ଧ କରିଛି, ତାଙ୍କୁ ମୁଁ ଦିନେ ଏପରି ଶ୍ରୀହୀନ ଓ ଦୈନ୍ୟକ୍ଳିଷ୍ଟ ଭାବରେ ଦେଖିବି ବୋଲି କଦାପି ଆଶା କରି ନଥିଲି । ଅତି ଅଳ୍ପକ୍ଷଣ ଭିତରେ ଆମେମାନେ କେବଳ ପରିଚିତ ନୁହେଁ–ଗୋଟାଏ ଅଦ୍ଭୁତ ପ୍ରୀତି ଓ ଘନିଷ୍ଠତାର ଡୋରିରେ ବଦ୍ଧ ହେଲୁ ।

 

ତା’ପରେ କେତେଥର ବିରୂପା ନଈକୂଳେ କବିଙ୍କର ଆଶ୍ରମକୁ ମୁଁ ଯାଇଛି । ମୁଁ ନିଜେ କବି ବା ସାହିତ୍ୟିକ ନୁହେଁ, କିନ୍ତୁ କ’ଣ ଗୋଟାଏ ଅଦୃଶ୍ୟ ଆକର୍ଷଣୀ ଯେ ମୋତେ ବାରମ୍ବାର ତାଙ୍କର ଆଶ୍ରମକୁ ଟାଣି ନେଉଥିଲା, ତା’ ମୋତେ ଜଣା ନାହିଁ । ‘ବିରୂପା ନଈକୂଳେ କବିଙ୍କର ଆଶ୍ରମ’ । କଥାଟା ଭିତରେ କିପରି ଏକ ଛାୟାଚ୍ଛନ୍ନ ଶାନ୍ତି ଓ ବୈଦିକ ଯୁଗର ପବିତ୍ରତା ଥିବା ପରି ମନେ ହେଉଛି, କିନ୍ତୁ ପ୍ରକୃତରେ ତାହା ଆଦୌ ନୁହେଁ । ବୈଷ୍ଣବ ପାଣି ନିଜେ ତାଙ୍କର ଭଙ୍ଗା କୁଡ଼ିଆଟିକୁ ‘ଆଶ୍ରମ’ ବୋଲି କହୁଥିଲେ । ସେଥିଯୋଗୁଁ ମୁଁ ଏଠାରେ ସେଇ ଶବ୍ଦ ବ୍ୟବହାର କଲି ମାତ୍ର । ଗୋଟାଏ ଶ୍ରୀହୀନ ଭଙ୍ଗାକୁଡ଼ିଆ । ଚାରିଆଡ଼େ କିଆବୁଦା ଓ ଅନାବନା ଗଛ । ଏଇ ଭଙ୍ଗାଘରଟି ହେଉଛି କବି ବୈଷ୍ଣବ ପାଣିଙ୍କର ଆଶ୍ରମ । ଅଭାବ ଯୋଗୁଁ ପ୍ରତିଦିନ ଭାତ ମୁଠିଏ ସୁଦ୍ଧା ମିଳେ ନାହିଁ । ଏତେ ବଡ଼ ଉତ୍କଟ ଅଭାବରେ ମଧ୍ୟ ତାଙ୍କର ସାହିତ୍ୟ ସେବା ବ୍ୟାଘାତ ପାଇ ନାହିଁ । ମୁହଁରେ ସବୁବେଳେ ଗୋଟିଏ ବେପରୁଆ ହସ । ଅନ୍ଧକାରମୟ ଭବିଷ୍ୟତ୍ ପ୍ରତି ଗୋଟାଏ ଚରମ ଉପେକ୍ଷା । କେତେ କାପ୍ତାଡ଼କା ଉଦାସିଆ ଦିପହରରେ, କେତେ ବର୍ଷଣମୁଖର ସଞ୍ଜରେ ମୁଁ କବିଙ୍କ କୁଡ଼ିଆ ଭିତରେ ବସି କବିତା ଶୁଣିଛି । କେତେଗୁଡ଼ିଏ ପଦ ଏତେବର୍ଷ ପରେ ଆଜି ପର୍ଯ୍ୟନ୍ତ ମୋର ମନେ ଅଛି । ଦିନେ କଥାଛଳରେ ତାଙ୍କର ରଚିତ ଗୋଟିଏ କବିତାରୁ ସେ ମୋତେ ଶୁଣାଇ ଥିଲେ–

 

ଅଲକ୍ଷ୍ମୀ ପରା ମୋ ଯମଜ ଭଗିନୀ

ଜନମ ଲଗନେ ଗ୍ରହରାଜ ଶନି

ମୁଁ କ’ଣ ଡରିବି ତୁମ ଭ୍ରୂକୁଟିକୁ

ମୁଁ ପରା ଧୂମାଳ ଝଞ୍ଜା

ଶୀର୍ଣ୍ଣ ଏଇ ମୋ କବ୍‍ଜିରେ ଲଢ଼େ

ମରଣ ସଙ୍ଗେ ପନ୍‍ଝା ।

 

କେତେଥର ମୋ ବସାରେ ଆସି କବି ପହଞ୍ଚିଛନ୍ତି । କିଛିଦିନ ରହି ମଧ୍ୟ ଯାନ୍ତି । ଯେତେଦୂର ସମ୍ଭବ ମୁଁ ତାଙ୍କର ସେବାକରେ । ସବୁବେଳେ ସେହିପରି ଖୁସିମନ । ସେହିପରି ଅଟ୍ଟାଳିଆ କଥା । ସବୁ କାମ ଛାଡ଼ି ମୁଁ ତାଙ୍କ ସହିତ କବିତା ଚର୍ଚ୍ଚା କରେ । ତା’ପରେ ହଠାତ ଦିନେ ସେ କେଉଁଆଡ଼େ ଅଦୃଶ୍ୟ ହୋଇଯାନ୍ତି । ଦିନେ ମୁଁ କହିଲି–ଏ ସବୁ କବିତା ବଡ଼ ବହି ଆକାରରେ ପ୍ରକାଶ କରୁନାହାନ୍ତି କାହିଁକି ବୈଷ୍ଣବବାବୁ ? ଲୋକେ ନିଶ୍ଚୟ ଖୁବ୍ ଆଦର କରନ୍ତେ । ବାସ୍ତବିକ, ଏଗୁଡ଼ିକ ଅତି ଉଚ୍ଚକୋଟୀର କବିତା ।

 

ମୋ କଥା ଶୁଣି ଉଚ୍ଚ ଶବ୍ଦରେ ହସି ଉଠିଲେ କବି ।–ଆଜିକାଲି ଲୋକେ କବିତା ଆଦୌ ପସନ୍ଦ କରନ୍ତି ନାହିଁ । କୌଣସି ପ୍ରକାଶକ ଏ ସବୁ ପଇସା ଖର୍ଚ୍ଚ କରି ଛାପିବେ ନାହିଁ । ଏଇଟା କବିତାର ଯୁଗ ନୁହେଁ । ଏହା ହେଉଛି ଗବିତାର ଯୁଗ ।

 

–ଗବିତା ପୁଣି କ’ଣ ?

 

–ପୁଣି ଥରେ ଉଚ୍ଚ ଶବ୍ଦରେ ସେ ହସି ଉଠିଲେ ।–ଗବିତା ମାନେ ବୁଝିପାରିଲି ନାହିଁ । ତା’ର ଅର୍ଥ ହେଉଛି ଗଦ୍ୟ କବିତା । ସେଥିରେ ଛନ୍ଦ ନାହିଁ, ଅନୁପ୍ରାସ ନାହିଁ, ଭାବ ନାହିଁ–କିନ୍ତୁ ବହୁତ ଲାଭ ଅଛି ।

 

ସେତେବେଳ ପର୍ଯ୍ୟନ୍ତ ମୁଁ କୌଣସି ଗଦ୍ୟ କବିତା ବା (ଗବିତା) ଦେଖି ନଥିଲି । ଆଜିକାଲି ଯେପରି ଚାରିଆଡ଼େ ଗଦ୍ୟ କବିତାର ଝଡ଼ ବୋହୁଛି, ସେତେବେଳେ ତା’ ହୋଇ ନଥିଲା-। ଖାଲି ସାହିତ୍ୟ ଆକାଶର ଈଶାଣ କୋଣରେ ଆଜିର ଏଇ ଝଡ଼ର ଆଭାସ ଦେଖା ଦେଇଥିଲା ମାତ୍ର । ବୋକାଙ୍କ ପରି ମୁଁ ବୈଷ୍ଣବବାବୁଙ୍କୁ ପଚାରିଲି ଆପଣଙ୍କର ଏପରି କୌଣସି ଗବିତା ମନେ ଅଛି କି ?

 

–ଗବିତାକୁ ମନେରଖିବାର ପ୍ରୟୋଜନ ହୁଏ ନାହିଁ । ସେପରି ପ୍ରୟୋଜନ କେବଳ କବିତା ମନେରଖିବା ପ/ ଲୋଡ଼ା । ଯାହା ମନେ ପଡ଼ିଲା–ଯେପରି ଭାବରେ ମନେ ପଡ଼ିଲା ତାହାହିଁ ଗବିତା । ଯେପରି–

 

‘ଆକାଶରେ ଗୁଡ଼ାଏ ଫାଜିଲ ଚିଲ

ଡଷ୍ଟବିନ୍ ପରି ବେଳେବେଳେ ସ୍ଵପ୍ନମୟ ଏ ଦେଶ

ଇସ୍ପାତର ଝାଳରେ ଝାଳାୟିତ

ଓକ୍ ଗଛ ପରି ସୁନ୍ଦର–ଆଉ ମସୃଣ

ମହାନଗରୀର ରାଜପଥ ।’

 

ଆଶ୍ଚର୍ଯ୍ୟ ହୋଇ ମୁଁ କବିଙ୍କୁ ଚାହିଁଲି–ଏ ବିଚିତ୍ର କଥାର ଅର୍ଥ କ’ଣ ?

 

ଏଥର ବୈଷ୍ଣବ ପାଣି ବହୁକ୍ଷଣ ପର୍ଯ୍ୟନ୍ତ ଉଚ୍ଚ ଶବ୍ଦରେ ହସିଲେ ।–ଆରେ’ ଏହା ଯେ ଗବିତା । ଏହାର କ’ଣ କୌଣସି ନିର୍ଦ୍ଦିଷ୍ଟ ଅର୍ଥ ଥାଇପାରେ ! ୟାକୁ ଯେପରି ଅର୍ଥ କରିବ–ସେ ସେପରି ହେବ । ଏ ଯୁଗ ଆଉ କବିତାର ଯୁଗ ନୁହେଁ । ମୋର ଏ ଅଦରକାରୀ କବିତାଗୁଡ଼ାକ କିଏ ବା କାହିଁକି ଛପାଇବ !

 

ଏଇ ପ୍ରତିଭାବାନ୍ କବିଙ୍କ ପ୍ରତି ମୋ ଅନ୍ତରରେ ଗୋଟିଏ ଗଭୀର ସମ୍ମାନବୋଧ ଥିଲା-। ଜୀବନସାରା ଉତ୍କଟ ଦୈନ୍ୟର କଶାଘାତରେ ସେ ଭାଙ୍ଗି ପଡ଼ି ନଥିଲେ । ସଦାହୃଷ୍ଟଚିତ୍ତ–ଖୁବ୍ କମ୍ ପ୍ରାପ୍ତିରେ ସନ୍ତୁଷ୍ଟ ସେ ଥିଲେ ସମ୍ପୂର୍ଣ୍ଣ ବିତ୍ତହୀନ ଓ ନିଃସମ୍ବଳ, କିନ୍ତୁ ଦୀନ ନୁହେଁ । ବହୁଦିନ ପର୍ଯ୍ୟନ୍ତ ତାଙ୍କ ସହିତ ମୋର ସାକ୍ଷାତ ହୋଇ ନଥିଲା । ଏତେଦିନ ପରେ କଟକକୁ ଫେରିଆସି ଏଠାକାର ପ୍ରଥମ ସୂର୍ଯ୍ୟୋଦୟ ସଙ୍ଗେସଙ୍ଗେ ମୋର ବସାଘରେ ଦୀପ୍ତିମାନ୍ କବିଙ୍କର ଉଦୟରେ ମୋର ଅନ୍ତର ଆନନ୍ଦ ଉଦ୍ଭାସିତ ହୋଇ ଉଠିଲା ।

 

ବୈଷ୍ଣବ ପାଣିଙ୍କୁ ଖଣ୍ଡିଏ ଚଉକିରେ ବସାଇ ମୁଁ କହିଲି ଆପଣଙ୍କର ବ୍ୟାଗ୍ ଖୋଲନ୍ତୁ । ଏତେଦିନ ଭିତରେ ଆପଣ ନିଶ୍ଚୟ ବହୁତ ନୂଆ କବିତା ଲେଖିଛନ୍ତି । ସେ ସବୁ ଅମୂଲ୍ୟ ନିଧିକୁ ଲୁଚାଇ ରଖନ୍ତୁ ନାହିଁ ।

 

ମୋ କଥା ଶୁଣି କବି ହସିଲେ । କାନରେ ଗୁଞ୍ଜାହୋଇଥିବା ଖଣ୍ଡିଏ ଦରପୋଡ଼ା ବିଡ଼ିରେ ନିଆଁ ଲଗାଇ କଳେ ଧୂଆଁ ଛାଡ଼ି କହିଲେ–ଏଗୁଡ଼ାକ ଅମୂଲ୍ୟ ନିଧି ନୁହେଁ–ମୂଲ୍ୟହୀନ ନିଧି-। ଆଜିକାଲିକାର ବଜାରରେ ଏଗୁଡ଼ାକ ସବୁ ପୁରୁଣା ଅଚଳନ୍ତି ନୋଟ । କେଉଁଠାରେ ଆଉ ଏ କାଗଜଗୁଡ଼ାକର ଚାହିଦା ନାହିଁ । କେବଳ ଠୁଙ୍ଗା କମ୍ପାନୀଗୁଡ଼ିକରେ ଏଗୁଡ଼ିକ ଏ ପର୍ଯ୍ୟନ୍ତ ଅଚଳ ହୋଇନାହିଁ ।

 

–ଆପଣ ନିଜକୁ ଏପରି କ୍ଷୁଦ୍ର ଭାବୁଛନ୍ତି କାହିଁକି ? ଭାବୀକାଳ ଆପଣଙ୍କର ପ୍ରତିଭାର ବିଚାର କରିବ । ଏହା ମୋର ଅତି ଦୃଢ଼ବିଶ୍ୱାସ ।

 

କଥାଟାକୁ ଏଡ଼ାଇ ଦେବା ଉଦ୍ଦେଶ୍ୟରେ ସେ କହିଲେ ଛାଡ଼ନ୍ତୁ ସେ କଥା । କବି ରାଜ୍ୟରେ ମୁଁ ଏବେ ଗୋଟାଏ ଅଚଳନ୍ତି ଏଡ଼ୱାଡ଼୍ ମାର୍କା ଟଙ୍କା । କପେ ଗରମ ଚା’ ମଗାନ୍ତୁ । ଆଉ ତା’ ସାଙ୍ଗକୁ ଖଣ୍ଡେ ପାଉଁରୁଟି । କାଲି ଦିନସାରା ନିର୍ଜଳା ଏକାଦଶୀ ଯାଇଛି ।

 

ଚା’ ଓ ପାଉଁରୁଟି ଆଣିବାକୁ ପଠାଇସାରିବା ପରେ ହଠାତ ଗୋଟିଏ କଥା ମୋର ମନେ ପଡ଼ିଲା ।–କାଲି ଏକାଦଶୀଥିଲା ବୋଲି କିପରି କହୁଛନ୍ତି ? କାଲି ପରା ପୂର୍ଣ୍ଣିମା ଥିଲା । ଉଚ୍ଚ ଶବ୍ଦର ବୈଷ୍ଣବ ପାଣି ହସିଲେ । ଏଥର କିନ୍ତୁ ସେ ଆଉ ପାଉଁଶ ଦେଇ ନିଆଁ ଘୋଡ଼ାଇ ପାରିଲେ ନାହିଁ । ବାହାରର ହସରେ ତାଙ୍କ ଅନ୍ତରର ଅଶ୍ରୁର ଆଭାସ ଫୁଟି ଉଠିଲା । କହିଲେ–ତମେ ସେ କଥା ବୁଝି ପାରିବ ନାହିଁ । ‘ଗବି’ମାନଙ୍କ ପାଇଁ ଯାହା ପୂର୍ଣ୍ଣିମା–‘କବି’ମାନଙ୍କ ପାଇଁ ତାହା ଏକାଦଶୀ-

 

ଦୁଇଟି ବଡ଼ ପାଉଁରୁଟିରୁ ଦେଢ଼ଖଣ୍ଡ ବୃଦ୍ଧ ଚୋବାଇ ଖାଇଗଲେ । ମୁଁ ବୁଝିଲି ଯେ କବିଙ୍କ ପାଞ୍ଜିରେ କେବଳ ଗତକାଲି ନୁହେଁ–ତା’ ପୂର୍ବରୁ ମଧ୍ୟ କେତେଦିନ ଧରି ନିରବଚ୍ଛିନ୍ନ ଭାବରେ ଏକାଦଶୀ ତିଥି ଲାଗି ରହିଥିଲା । ବାକି ଅଧଖଣ୍ଡି ରୁଟି ଖଣ୍ଡିଏ କାଗଜରେ ଗୁଡ଼ାଇ ପରମ ଯତ୍ନରେ ବ୍ୟାଗ୍ ଭିତରେ ରଖିଲେ । ତା’ପରେ ଗରମ ଚା’ ଗିଲାସ ଧରି ପରମ ତୃପ୍ତିରେ କେତେ ଢୋକ ପିଇବା ପରେ ଧୀରେ ଧୀରେ କହିଲେ ଆଜିକାଲି ଆଉ ମୋର କିଛି ରୋଜଗାର ନାହିଁ ବାବୁ । ଯୁଦ୍ଧବେଳେ ସରକାରଙ୍କର ପ୍ରଚାର ବିଭାଗ ମୋର ଗୋଟିଏ ଗୀତକୁ ଟଙ୍କାଟିଏ ଦେଇ କିଣୁଥିଲେ । ଏବେ ଆଉ ନେଉ ନାହାନ୍ତି । ତାଙ୍କ ଉପରେ ମୋର ଆହୁରି କିଛିଟଙ୍କା ବାକିଥିଲା, ବହୁତଥର ଦୌଡ଼ିଲି । ହେଲେ ଆଉ ଦୌଡ଼ିବାକୁ ହେବନାହିଁ ।

 

–କିପରି ! ସବୁ ବାକିଟଙ୍କା କ’ଣ ପାଇଗଲେ !

 

ଟିକିଏ ଉଦାସିଆ ହସ ହସି କବି କହିଲେ–ନା, ନା, କାଲି ମୋତେ ଗାଳି ଦେଇ ତଡ଼ି ଦେଲେ । ସଫା କହିଦେଲେ ଯେ ଏ ଅଚଳ ପଦଛିଣ୍ଡା ଗୀତଗୁଡ଼ାକ ପାଇଁ କିଛି ଦିଆ ହେବ ନାହିଁ । ମୁଁ ଢେର୍ ପାଇଗଲିଣି । ହେଲେ, ତାଙ୍କ ଭିତରେ ତମ ବୟସର ଜଣେ ଟୋକା ହାକିମ ବଡ଼ ଦୟାଳୁ-। ମୋତେ କଅଁଳ କଣ୍ଠରେ କହିଲେ–ପାଣି ତମେ ଆଜିକାଲିକାର ପ୍ରଗତିଶୀଳ କବିତା ଲେଖିବାକୁ ଚେଷ୍ଟା କରୁନାହଁ କାହିଁକି ? କବିତାର ସାବଲୀଳ ଭଙ୍ଗୀକୁ ପଦ ମିଳାଇବାର ପ୍ରୟାସରେ କ୍ଷୁଣ୍ଣ କରୁଛ କାହିଁକି ? ମୁଁ କିଛି କହିଲି ନାହିଁ । ମୋତେ ନିଜ ପାଖରେ ଖଣ୍ଡିଏ ଚଉକିରେ ବସାଇ କବିତା ଲେଖା ବିଷୟରେ କେତେ ଉପଦେଶ ଦେଲେ । ଜାଣିଲି ଯେ ସେ ନିଜେ ମଧ୍ୟ ଜଣେ ପ୍ରଗତିଶୀଳ କବି । ମୋତେ ବୁଝାଇ ଦେଲେ ଯେ ସେ ମଧ୍ୟ ପ୍ରଥମେ ମୋ’ରି ପରି ଭୁଲ୍ କରିଥିଲେ-। ଛନ୍ଦ ମିଳାଇ କବିତା ଲେଖୁଥିଲେ । ହେଲେ ସେଥିରେ ତାଙ୍କର ଆମଦାନି ଖୁବ୍ କମ୍ ହେଉଥିଲା-। ପ୍ରାୟ ଦୁଇମାସରେ ସେ ମାତ୍ର ଗୋଟିଏ କବିତା ଶେଷ କରିପାରୁଥିଲେ । ଏବେ ନୂଆ ପଦ୍ଧତିରେ ଜାପାନୀ ଧାନ ଚାଷ ପରି ତାଙ୍କ କବିତା ଆମଦାନି ଛ ଗୁଣ ବଢ଼ି ଯାଇଛି । ସେହିପରି ଲେଖିବାକୁ ଚେଷ୍ଟା କରିବାପାଇଁ ତାଙ୍କ ଗୀତ ଖାତାରୁ ମୋତେ ମଧ୍ୟ ଗୋଟିଏ ନମୁନା ଡାକି ଦେଲେ-। ମୁଁ ଖଣ୍ଡେ କାଗଜରେ ଟିପି ଆଣିଛି ।

 

ମୁଁ ମଧ୍ୟ ଏପରି ପ୍ରଗତିଶୀଳ ଗଦ୍ୟ କବିତା ସେତେବେଳ ପର୍ଯ୍ୟନ୍ତ ବହୁତ ଦେଖି ନଥିଲି-। କହିଲି–ଆପଣଙ୍କ ନିକଟରେ ସେ ନମୁନା ବର୍ତ୍ତମାନ ଅଛି କି ?

 

ବ୍ୟାଗ୍ ଭିତରୁ ଖୋଜି ବୈଷ୍ଣବ ପାଣି ଖଣ୍ଡିଏ କାଗଜ ବାହାର କରି ମୋତେ ପଢ଼ି ଶୁଣାଇଲେ । ଆଜିକି ବହୁ ବର୍ଷ ତଳର କଥା ହେଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମୋର ମନେ ଅଛି-

 

“ଧନୀକର ବିରାଟ ଥନ୍ତଲା ପେଟ ଭିତରେ

ଲୋଭ ଓ କପଟତାର ଅଜସ୍ର କୃମି କୀଟ

ହେଉଛନ୍ତି ଅନବରତ ସଲବଲ

ଦେଖ ଆସେ ଲୌହଭୀମ

ତରାଟଇ ପେଚକ ତା’ ଡୋଳା ।”

 

ନମୁନାଟି ଆବୃତ୍ତି କରି ସାରି ବୈଷ୍ଣବପାଣି ମୋ ଆଡ଼େ ଚାହିଁଲେ । ମୁଁ ଏ ଅଦ୍ଭୁତ କଥାର ବିନ୍ଦୁମାତ୍ର ହେଲେ ଅର୍ଥ ବୁଝି ପାରିଲି ନାହିଁ । କହିଲି–ଏହାର ଅର୍ଥ କ’ଣ ?

 

ମୁରୁକିହସି କବି କହିଲେ–ମୁଁ ନିଜେ ମଧ୍ୟ ବୁଝି ନଥିଲି । ଅବଶ୍ୟ ସେ ହାକିମ କବି ମୋତେ ଏହାର ଅର୍ଥ ପରେ ବୁଝାଇ ଦେଲେ । ସେ ଅର୍ଥ କିନ୍ତୁ କବିତାର ଭାଷା ଭିତରେ ମିଳିବ ନାହିଁ । ତାହା ଥାଏ କବିଙ୍କ ମନ ଭିତରେ । ସେ ମୋତେ ବୁଝାଇ କହିଲେ–‘‘କବିତା’’ କହିଲେ ତମେ କ’ଣ ବୁଝ ? ତାହା ହେଉଛି ସୁନ୍ଦର ସାବଲୀଳ, ନିରାଭରଣ ଆଉ ରହସ୍ୟମୟ । ଛନ୍ଦର ବନ୍ଧନୀ ଭିତରେ ବା ଭାଷାର ଆବରଣତଳେ କବିତାର ସୃଷ୍ଟି ହୁଏ ନାହିଁ । ତା’ର ବିନାଶ ସାଧନ କରାହୁଏ ମାତ୍ର ।

 

କବି ବୈଷ୍ଣବପାଣି ନିଜେ ହୁଏତ କଥାର ଅର୍ଥ କିଛି ବୁଝି ପାରିଥିବେ । ମୁଁ କିନ୍ତୁ ଆଦୌ କିଛି ବୁଝିଲି ନାହିଁ । ଏକଥା ଆଜିକି ବହୁ ବର୍ଷ ତଳର ଘଟନା । କବି ବୈଷ୍ଣବପାଣି ଆଉ ବଞ୍ଚି ନାହାନ୍ତି । ବର୍ତ୍ତମାନ କବିତା ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବାକୁ ବସିଲାଣି । ଚାରିଆଡ଼େ ଗବିତାର ଘୋର ଗର୍ଜନ ଉଠୁଛି । ଏ କାଳର କେତେ କବି ବନ୍ଧୁଙ୍କ ସହିତ ମୋର ଘନିଷ୍ଠ ପରିଚୟ ମଧ୍ୟ ହୋଇଛି । ସେମାନଙ୍କ ଠାରୁ କେତେଥର କେତେ ଉଚ୍ଚାଙ୍ଗର ଗବିତା ମଧ୍ୟ ମୁଁ ଶୁଣିଛି । ଆବୃତ୍ତି କରୁକରୁ ସେମାନେ ନିଜେ କେତେ ଥର ମୁଗ୍ଧ ହୋଇ ଯାଇଛନ୍ତି । କିନ୍ତୁ କାହିଁକି କେଜାଣି, ମୁଁ ଆଦୌ ତାହା ବୁଝି ପାରିନାହିଁ ବା ମୁଗ୍ଧ ହୋଇ ନାହିଁ ।

 

ସେଥର ମୋ ଘରେ ବୈଷ୍ଣବପାଣି କିଛିଦିନ ରହିଗଲେ । ଅନବରତ ବିଡ଼ିଖାଇ ଓ ଦିନସାରା ଦଶବାର କପ ଚା’ ଖାଇ ବୈଷ୍ଣବପାଣି ପରମ ଖୁସିରେ ଦିନଯାକ ଘରେ ବସି କବିତା ଲେଖନ୍ତି । ମୋର ଅବସର ସମୟରେ କବିଙ୍କ ନିଜ ମୁହଁରୁ ମୁଁ ସେ ସବୁ କବିତା ଶୁଣେ–ଆଉ ମୁଗ୍ଧ ହୁଏ ।

 

ଦିନେ ମୁଁ କଥା ଛଳରେ କହିଲି–ଆପଣ ତ ଏତେ ଦିନ ହେଲା ଘରଛାଡ଼ି ରହିଛନ୍ତି । ଆପଣଙ୍କ ସ୍ତ୍ରୀ ହୁଏତ ଖୁବ୍ ଅସୁବିଧାରେ ପଡ଼ୁଥିବେ ।–ଏକଥା କହିବା ଭିତରେ ତାଙ୍କୁ କିଛି ଅର୍ଥ ସାହାଯ୍ୟ ଦେବା ମୋର ଆନ୍ତରିକ ଉଦ୍ଦେଶ୍ୟ ଥିଲା । କିନ୍ତୁ ସେପରି ଅପମାନଜନକ ପ୍ରସ୍ତାବ କରିବାକୁ ମୋର ସାହସ ହେଲାନାହିଁ । ମୋ କଥା ଶୁଣି ବୈଷ୍ଣବପାଣି କହିଲେ–କବି ପ୍ରିୟା ‘‘ରାମୀ’’ କଥା କହୁଛ ? ନା, ନା, ତା’ର କିଛି ଅସୁବିଧା ହେବ ନାହିଁ । ମୁଁ ନଥିଲେ ତା’ର ସୁବିଧା ଛଡ଼ା ଅସୁବିଧା ହୁଏ ନାହିଁ । ମୂଲ ମଜୁରି କରି ତା’ର ଗୋଟାଏ ପେଟ ଅନାୟାସରେ ଚଳିଯାଏ । ମୁଁ ଥିଲେ ବରଂ ସେଥିରେ ତା’ର ଅସୁବିଧା ହେବ । କବିଙ୍କ ମୁହଁରେ ଏଇ ‘‘ରାମୀ’’ କଥାର ଉଲ୍ଲେଖରେ ବିଜୁଳି ଝଲକ ପରି କେତେ ପୁରୁଣା କଥା ମୋର ମନେ ପଡ଼ିଗଲା । ବିରୂପା ନଈକୂଳେ କବିଙ୍କ ଆଶ୍ରମ କଥା । ଚାରିଆଡ଼େ ଧୁଧୁଇଆ ପଦା । କିଆ ବୁଦା ଓ ଅନାବନା କଣ୍ଟା ଗଛରେ ସ୍ଥାନଟି ପୂର୍ଣ୍ଣ । ସାମନାରେ ବିରୂପାର ବାଲୁକାମୟ ବିସ୍ତୃତି । ସ୍ଥାନଟି ସମ୍ପୂର୍ଣ୍ଣ ଶ୍ରୀହୀନ ହେଲେ ମଧ୍ୟ କ’ଣ ଯେ ଗୋଟିଏ ଅଦୃଶ୍ୟ ଆକର୍ଷଣୀ ଥରକୁଥର ମୋତେ ସେଠାକୁ ଟାଣି ନେଇ ଯାଉଥିଲା, ତା’ ଏ ପର୍ଯ୍ୟନ୍ତ ମୁଁ ବୁଝି ପାରିନାହିଁ ।

 

ମହାକବି ଚଣ୍ଡୀଦାସ ରାମୀ ନାମିକା ଗୋଟିଏ ରଜକ କନ୍ୟାକୁ ବିବାହ କରିଥିଲେ । ସେ କାଳର ସମାଜର ବଜ୍ରକଠୋର ବିଧାନକୁ ସେ ଅନାୟାସରେ ଭଙ୍ଗ କରି ଯାଇଥିଲେ । ଲୋକ ମୁଖରୁ ମୁଁ ଶୁଣିଛି ଯେ କବି ବୈଷ୍ଣବ ପାଣିଙ୍କର ପ୍ରିୟା ମଧ୍ୟ ରଜକ କନ୍ୟା । ତାଙ୍କର ପ୍ରକୃତ ନାମ ଥିଲା ସାବିତ୍ରୀ । କବି ତାଙ୍କର ନାମ ରଖିଥିଲେ ‘‘ରାମୀ’’ ଏ ବିଷୟରେ ଅବଶ୍ୟ ମୁଁ ତାଙ୍କ ନିଜ ମୁହଁରୁ କିଛି ଶୁଣି ନାହିଁ ।

 

ସ୍ନେହଶୀଳା ଗୋଟିଏ ଲାବଣ୍ୟମୟୀ ପ୍ରୌଢ଼ା । କେଉଁ ସୁଖ ଆଶାରେ ଯେ ଏଇ ଲକ୍ଷ୍ମୀଛଡ଼ା କବିଙ୍କୁ ସ୍ଵାମୀତ୍ଵରେ ବରଣ କରିଥିଲେ–ସେ କଥା ତାଙ୍କୁହିଁ ଜଣା । କବିଙ୍କ ନିଜ ଭାଷାରେ ସେ ଥିଲେ ଜଣେ ଗୃହହୀନା ଘରଣୀ । ଲକ୍ଷ୍ମୀଛଡ଼ାର ଗୃହଲକ୍ଷ୍ମୀ । ଦିନଯାକ ଲାଗି ଭଙ୍ଗା କୁଡ଼ିଆଟିକୁ ଲିପାପୋଛା କରନ୍ତି । ବିରୂପା ନଈରୁ କଳସୀରେ ପାଣି ଆଣି ରଖନ୍ତି । କିନ୍ତୁ ସବୁଦିନ ଚୁଲିହିଁ ଜଳେ ନାହିଁ । ବାରଦୁଆର ବୁଲି ସେ କାମ କରନ୍ତି । ସାମାନ୍ୟ କିଛି ଆହାର୍ଯ୍ୟ ସଂଗ୍ରହ କରି ଆଣି ପରମ ଯତ୍ନରେ ସ୍ଵାମୀଙ୍କୁ ଖୁଆନ୍ତି । ତଥାପି ଦିନେହେଲେ ତାଙ୍କର ବିରସ ମୁହଁ ମୁଁ ଦେଖିନାହିଁ ।

 

ଆଜି ଜୀବନର ଅପରାହ୍ନର ଅବକାଶବେଳେ ମୁଁ ବିଗତ ସ୍ମୃତିଗୁଡ଼ିକ ରୋମନ୍ଥନ କରୁଛି-। କେତେ ବିଚିତ୍ର ଚରିତ୍ର ଯେ ମୋ ଜୀବନ ରଙ୍ଗମଞ୍ଚରେ ଅଭିନୟ କରି ଯାଇଛନ୍ତି, ତା’ର ହିସାବ ନାହିଁ । ଏଇ ସୀମିତ କାହାଣୀ ଭିତରେ ସେମାନଙ୍କ ବିଷୟରେ ଆଉ ବେଶି କିଛି ଲେଖିବା ଆଦୌ ସମ୍ଭବ ନୁହେଁ ।

 

କବି ବୈଷ୍ଣବ ପାଣି ଆଉ ବଞ୍ଚି ନାହାନ୍ତି । କବି ପ୍ରିୟା ରାମୀ ଆଜି ପର୍ଯ୍ୟନ୍ତ ବଞ୍ଚିଛନ୍ତି କି ନା, ମୁଁ ଜାଣେ ନାହିଁ । ଏ କୀର୍ତ୍ତିନାଶକ ଦୁନିଆରେ କେହି ଚିରକାଳ ବଞ୍ଚି ରହେ ନାହିଁ । ଅଜ୍ଞାତ ବଣମଲ୍ଲିପରି ସେ ଦିନେ ଫୁଟି ଉଠିଥିଲେ । କିଛିକାଳ ପର୍ଯ୍ୟନ୍ତ ତାଙ୍କ ପ୍ରତିଭାର ସୁରଭିରେ ଚାରିଆଡ଼ ମହକି ଉଠିଥିଲା । ତା’ପରେ ସମସ୍ତଙ୍କ ଅଜ୍ଞାତରେ ସେ ସ୍ୱର୍ଗସୁମନ ଦିନେ ଝଡ଼ି ପଡ଼ିଥିଲା । ତାଙ୍କର ବିରାଟ ଦାନର ପ୍ରତିଦାନ କେହି ତାଙ୍କୁ ଦେଇ ନାହାନ୍ତି । ସେ ମଧ୍ୟ ଚାହିଁ ନାହାନ୍ତି । ତାଙ୍କର ଶବାଧାର ଉପରେ କେହି ପୁଷ୍ପଗୁଚ୍ଛ ପ୍ରଦାନ କରିନାହିଁ । କେଉଁଠାରେ ଶୋକ ସଭା ହୋଇନାହିଁ । ଏଡ଼େ ବଡ଼ ଗୋଟାଏ ପ୍ରତିଭାର ତିରୋଧାନରେ ଏ ଅକୃତଜ୍ଞ ଜାତି ବିନ୍ଦୁମାତ୍ର ଅଶ୍ରୁପାତ କରି ନାହିଁ ।

 

ଘର ଛାଡ଼ି ଦୀର୍ଘକାଳ ବାହାରେ ରହିଲେ ଘରେ ତାଙ୍କର ସ୍ତ୍ରୀଙ୍କର କୌଣସି ଅସୁବିଧା ହେବ ନାହିଁ ଶୁଣି ମୁଁ ସେଦିନ କବିଙ୍କୁ ମୋ ନିକଟରେ ଆଉ କିଛିକାଳ ରହିବାପାଇଁ ଅନୁରୋଧ କରିଥିଲି । ତାଙ୍କର ସ୍ଵଭାବ ସୁଲଭ ହସହସ ମୁହଁରେ କହିଲେ, ମୁଁ ଏଠାରୁ ବର୍ତ୍ତମାନ ଯାଉନାହିଁ । ତୁମେ ବିରକ୍ତ ହୋଇ ଏଠାରୁ ତଡ଼ି ଦେବା ପର୍ଯ୍ୟନ୍ତ ମୁଁ ଏଇଠାରେ ରହିବି । କିନ୍ତୁ ମାତ୍ର କେତୋଟି ଦିନ ପରେ ହଠାତ କବି ଚାଲିଗଲେ, ଏହାହିଁ ତାଙ୍କର ଚିରକାଳର ସ୍ୱଭାବ । ସେ ହଠାତ ଯେପରି କେଉଁଠାରୁ ଦିନେ ଆସି ପହଞ୍ଚନ୍ତି ସେହିପରି ଦିନେ ହଠାତ ହୁଏ ତାଙ୍କର ତିରୋଧାନ । ଦିନେ ଅପରାହ୍ନରେ ଅଫିସରୁ ଫେରି ଚାକର ଠାରୁ ଶୁଣିଲି ଯେ ଖାଇସାରି ନିଜର ବ୍ୟାଗ୍‍ଟି କାନ୍ଧରେ ଝୁଲାଇ କବି ବାହାରି ଗଲେ । କହିଗଲେ–ଯେ ସେ କଟକ ଛାଡ଼ି ଚାଲି ଯାଉଛନ୍ତି । କିଛିଦିନ ପରେ ଫେରି ଆସି ପାରନ୍ତି ।

 

ଏକା ଘର ଭିତରଟାରେ ମୋତେ କିପରି ଖାଲିଖାଲି ଲାଗିଲା । କ’ଣ ଯେପରି ମୋର ଥିଲା, ତାହା ହଜି ଯାଇଛି, ଆଉ ତାହା ଫେରି ପାଇବାର ଆଶା ନାହିଁ । ଏହିପରି ଗୋଟାଏ ଭାବ ମୋର ଅନ୍ତରକୁ ପୀଡ଼ିତ କରି ଦେଲା ।

 

ଜନଗହଳି ରାଜପଥରେ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟହୀନ ଭାବରେ ବୁଲିବାକୁ ଲାଗିଲି । ସହରରେ ବହୁ ପରିବର୍ତ୍ତନ ହେଲାଣି । କେତେ ନୂଆନୂଆ କୋଠା ତିଆରି ହେଲାଣି । ଆହୁରି କେତେ ଅଟ୍ଟାଳିକା ତିଆରି ଚାଲିଛି । କଟକକୁ ଆସିବା ଦିନୁ ମୁଁ ଜାଣିଶୁଣି କାହାରି ସହିତ ସାକ୍ଷାତ କରିବାକୁ ଯାଇ ନାହିଁ । ଜଗବନ୍ଧୁ, କମଳା, ଶୋଭନା ବା ଅନ୍ୟାନ୍ୟ ଯେଉଁମାନଙ୍କର ସମ୍ପର୍କରେ ମୁଁ ଦିନେ ନିବିଡ଼ ଭାବରେ ଆସିଥିଲି କାହିଁକି କେଜାଣି–ସେମାନଙ୍କୁ ଖୋଜି ବାହାର କରିବାକୁ ମୋର ଆଦୌ ପ୍ରବୃତ୍ତି ହୋଇ ନାହିଁ ।

 

ସମ୍ପୂର୍ଣ୍ଣ ଉଦ୍ଦେଶ୍ୟହୀନ ଭାବରେ ଯାଉଯାଉ ହଠାତ ଗୋଟିଏ ଜିନିଷ ମୋର ଦୃଷ୍ଟି ଆକର୍ଷଣ କଲା । ଏଇ କେତେ ଦିନ ଭିତରେ ଏଇବାଟେ ମୁଁ କେତେଥର ଯାଇଛି, କିନ୍ତୁ କାହିଁକି କେଜାଣି–ତାହା ପୂର୍ବେ ମୋ ଦୃଷ୍ଟିରେ ପଡ଼ି ନଥିଲା । ରାୟବାହାଦୁର ପ୍ରମୋଦରଞ୍ଜନ କାନୁନ୍‍ଗୋଙ୍କର ବିରାଟ ଭଙ୍ଗା ଅଟ୍ଟାଳିକାର ସାମନା ପଟରେ ଗୋଟିଏ ସୁନ୍ଦର ନୂଆ ଇମାରତ୍ ଗଢ଼ି ଉଠୁଛି । ଭଙ୍ଗା ଘରଟାର ଯେପରି ନବଜନ୍ମ ହେଉଛି । ନୂଆଇଟା, ବାଲି ପ୍ରଭୃତି ଗଦା ହୋଇଛି ।

 

ମନେମନେ ମୁଁ ଆଶ୍ଚର୍ଯ୍ୟ ହେଲି । ଏଇ ପ୍ରାଚୀନ ଜମିଦାର ବଂଶଟି ସମ୍ପୂର୍ଣ୍ଣରୂପେ ନିର୍ମାଣଲାଭ କରିବାକୁ ବସିଥିଲା–ତା’ ମୁଁ ଜାଣେ । ଏଇ ନୀଳରକ୍ତ ଧାରାର ଶେଷ ପ୍ରତିନିଧି ରାୟ ବାହାଦୁର ପ୍ରମୋଦରଞ୍ଜନ କାନୁନ୍‍ଗୋଙ୍କୁ ପଙ୍ଗୁ ଓ ସମ୍ପୂର୍ଣ୍ଣରୂପେ ରିକ୍ତ ଅବସ୍ଥାରେ ମୁଁ ଦେଖି ଯାଇଥିଲି । ତାଙ୍କର ଏକମାତ୍ର ପୁତ୍ର ବିନୋଦ ଏ ପର୍ଯ୍ୟନ୍ତ ସାମାନ୍ୟ କିଛି ଉପାର୍ଜନକ୍ଷମ ହୋଇ ପାରିଛି କି ନାହିଁ, ତା’ର ଯଥେଷ୍ଟ ସନ୍ଦେହ ରହିଛି । ତେବେ କେଉଁ ଆଲ୍ଲାଉଦ୍ଦିନ୍ ପ୍ରଦୀପର ଶକ୍ତିବଳରେ ପ୍ରାଚୀନ ଭଙ୍ଗା ଘରଟା ଏପରି ନୂଆ ହୋଇ ଗଢ଼ି ଉଠୁଛି । ତେବେ କ’ଣ ରାୟ ବାହାଦୁର ଏଠାରେ ଆଉ ରହୁ ନାହାନ୍ତି । ଅନ୍ୟ କୌଣସି ଧନୀବ୍ୟକ୍ତି ଏଇ ବିଶାଳ ଭଙ୍ଗା ଇମାରତ୍‍ଟାକୁ କିଣି ନେଇ ନୂଆଘର ତୋଳୁଛି ।

 

ମଜଦୁର ଓ ରାଜମିସ୍ତ୍ରିମାନେ ବାହାରେ କାର୍ଯ୍ୟ ବ୍ୟସ୍ତ । ଗୋଟିଏ ଶୋଲଟୋପି ପିନ୍ଧି ଜଣେ ଭଦ୍ରଲୋକ ବାହାରେ ଛିଡ଼ା ହୋଇ କୁଲି ମଜଦୁରମାନଙ୍କୁ କାମ କରାଉ ଥିଲେ । ତାଙ୍କ ନିକଟକୁ ଯାଇ ମୁଁ ପଚାରିଲି–ଆଚ୍ଛା, ରାୟ ବାହାଦୁର ପ୍ରମୋଦରଞ୍ଜନ କାନୁନ୍‍ଗୋ କ’ଣ ବର୍ତ୍ତମାନ ଏଠାରେ ରହୁ ନାହାନ୍ତି ?

 

–ହଁ, ସେ ଭିତରେ ଅଛନ୍ତି । ଆପଣ ଏଇବାଟେ ଯାଇ ପାରନ୍ତି । ଏହା କହି ପୁଣି ଭଦ୍ରଲୋକ ରାଜମିସ୍ତ୍ରିମାନଙ୍କୁ ଉଚ୍ଚ କଣ୍ଠରେ ଉପଦେଶ ଦେବାରେ ଲାଗିଗଲେ । କ’ଣ ଭାବି କେଜାଣି ମୁଁ ସାମନାରେ ପଡ଼ିଥିବା ନୂଆଇଟା, ଚୂନର ଗଦା ଡେଇଁ ଭିତରକୁ ପଶିଲି । ଏ ଘରେ ମୁଁ ଅତିଶୟ ପରିଚିତ ବ୍ୟକ୍ତି । ଭିତରେ ପଶି ମୁଁ ଦେଖିଲି ଯେ, କାନୁନ୍‍ଗୋ ଉଆସର ସାମନା ପଟରେ ନୂଆକୋଠା ତୋଳା ହେଉଥିଲେ ମଧ୍ୟ ଭିତର ପଟଟା ଆଗପରି ଭଗ୍ନ ଓ ପତନୋନ୍ମୁଖ ହୋଇ ପଡ଼ି ରହିଛି । ମୁଁ ଗୋଟାଏ କଥା ଲକ୍ଷ୍ୟ କଲି ଯେ, କେଉଁ ଅଦୃଶ୍ୟ ଶକ୍ତିବଳରେ ସେଇ ଭଙ୍ଗା ଘରଟା ଦେହରେ ଯେପରି ଗୋଟାଏ ଅଦ୍ଭୁତ ଶ୍ରୀ ଫେରି ଆସିଛି । ଘରଟାର ସର୍ବାଙ୍ଗରେ ଉଠିଥିବା ଅସଂଖ୍ୟ ଗଛଗୁଡ଼ାକ ନିର୍ମୂଳ କରି କାଟି ଦିଆହୋଇଛି । କେତେକ ସ୍ଥାନରେ କିଛିକିଛି ଚୂନକାମ ମଧ୍ୟ ହୋଇଛି । କେତୋଟି ଫୁଲକୁଣ୍ଡରେ ସୁନ୍ଦର କେତୋଟି ଫୁଲଗଛ ଲାଗିଛି ।

 

ରାୟ ବାହାଦୁରଙ୍କର ବସିବା ଘରଟିରେ ମଧ୍ୟ ଅଦ୍ଭୁତ ରୂପାନ୍ତର ଘଟିଛି । ଚଟାଣଟି ନୂଆ ହୋଇ ସିମେଣ୍ଟ କରାହୋଇଛି । କାନ୍ଥଗୁଡ଼ିକ ମଧ୍ୟ ଝାଡ଼ି ପୋଛି ପରିଷ୍କାର କରାହୋଇଛି । ବୃଦ୍ଧ ସେଇପରି ପଙ୍ଗୁ ଅବସ୍ଥାରେ ତାଙ୍କର ପୁରାତନ ଇଜି ଚେୟାର ଖଣ୍ଡିକରେ ପଡ଼ିଛନ୍ତି । ମୁଁ ନମସ୍କାର କରି ଛିଡ଼ା ହେଲି । ମୋତେ ଚିହ୍ନିପାରି ନିକଟରେ ଖଣ୍ଡିଏ ଚଉକିରେ ବସିବାପାଇଁ ଇଙ୍ଗିତ କଲେ–କେବେ ଆସିଲ ମାଷ୍ଟର, ବିନୋଦଠାରୁ ମୁଁ ଶୁଣିଥିଲି ଯେ, ତୁମେ ଏଠାରୁ ଅନ୍ୟ କେଉଁ ସ୍ଥାନକୁ ବଦଳି ହୋଇ ଯାଇଛ ?

 

–ହଁ ସାର୍, ଏବେ ମୁଁ ପୁଣି କଟକକୁ ଚାଲି ଆସିଲିଣି । ବିନୋଦ କ’ଣ ବର୍ତ୍ତମାନ ଘର ଭିତରେ ଅଛି ? ଅନେକ ଦିନ ହେଲା ତାକୁ ମୁଁ ଦେଖି ନାହିଁ ।

 

ବିନୋଦର ନାଁ ଶୁଣି ପ୍ରଚଣ୍ଡ ବିରକ୍ତିରେ ବୃଦ୍ଧଙ୍କର ମୁଖମଣ୍ଡଳ କୁଞ୍ଚିତ ହୋଇ ଉଠିଲା । କହିଲେ–ବିନୋଦକୁ ଦେଖିବାକୁ ଚାହଁ ? ରାସ୍ତାରେ ହଠାତ ହୁଏତ ତା’ ସଙ୍ଗେ କେବେ ଦେଖା ହୋଇଯାଇପାରେ । ମୁଁ ତା’ର ଠିକଣା କହି ପାରିବି ନାହିଁ ।

 

ତା’ପରେ ଯେପରି ସ୍ୱଗତୋକ୍ତି କଲା ପରି କହିଲେ–ମୁଁ ଗୋଟାଏ ପ୍ରଚଣ୍ଡ ଭୁଲ୍ କରିଛି । ସେଥିରେ ମୁଁ ଆଶ୍ଚର୍ଯ୍ୟ ହେଉ ନାହିଁ, ମାଷ୍ଟର । ମୋର ଜୀବନସାରା ମୁଁ ହିସାବରେ ଭୁଲ୍ କରିଛି । ଆଉ ଏହା ବୋଧହୁଏ ମୋ ଜୀବନର ଶେଷ ଭୁଲ୍ । ବିନୋଦକୁ ବାହାଦେଇ ମୁଁ ମହାଭ୍ରମ କରିଛି ।

 

ରାୟ ବାହାଦୁର ନୀରବ ହେଲେ । ତାଙ୍କୁ କୌଣସି ପ୍ରଶ୍ନ ପଚାରିବାକୁ ମୋର ସାହସ ହେଲା ନାହିଁ । ବିନୋଦ କେଉଁଠାରେ ବା କାହାକୁ ବାହା ହେଲା । ଏ କଥା ରାୟ ବାହାଦୁରଙ୍କୁ ପଚାରି ବୁଝିବାର କୌଣସି ପ୍ରୟୋଜନ ନଥିଲା । କମଳା ସହିତ ବିନୋଦର ଯେଉଁ ମଧୁର ସମ୍ପର୍କ ମୁଁ ନିଜ ଆଖିରେ ଦେଖି ଯାଇଛି, ସେଥିରୁ ମୁଁ ବର୍ତ୍ତମାନ ଭଲ ଭାବରେ ଜାଣି ପାରିଲି ଯେ, ଅବଶେଷରେ କମଳାକୁ ସେ ବିବାହ କରିଛି । ଗନିମିଆଁ କବଳରୁ ତାକୁ ରକ୍ଷା କରିଛି, କିନ୍ତୁ କମଳାକୁ ବିବାହ କରି ବିନୋଦ କ’ଣ ସୁଖୀ ହୋଇ ପାରି ନାହିଁ ? ରାୟ ବାହାଦୁରଙ୍କର ଇଙ୍ଗିତ ଯଦି ଠିକ୍ ହୁଏ, ତେବେ ସେ ଆଜିକାଲି ଘରେ ବେଶି ସମୟ ରହୁ ନାହିଁ । ତା’ର ହୁଏତ କୌଣସି ଯଥାର୍ଥ କାରଣ ଥାଇପାରେ । ବୃଦ୍ଧ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ପଙ୍ଗୁ ଓ ନିଃସ୍ୱ । ସଂସାରର ସବୁଭାର ବର୍ତ୍ତମାନ ବିନୋଦ କାନ୍ଧରେ । ରାୟ ବାହାଦୁରଙ୍କ ପରି ସେତ ମସ୍‍ନଦ୍‍ରେ ବସି ଜମିଦାରୀର ଆୟ ଉପଭୋଗ କରୁ ନାହିଁ ! ତାକୁ ତ ବାହାରେ ବୁଲି ନାନା ଉପାୟରେ ରୋଜଗାର କରିବାକୁ ହେବ ! ସେ ଯେ ବର୍ତ୍ତମାନ ଯଥେଷ୍ଟ ରୋଜଗାର କରି ପାରୁଛି, ତାହା ଏଇ ନୂଆଘର ତିଆରି–ଆଉ ପୁରୁଣା ଘର ମରାମତିରୁ ପରିଷ୍କାର ଜଣାଯାଏ । ରାୟ ବାହାଦୁର ହୁଏତ ପିଲାଟା ପ୍ରତି ଅବିଚାର କରୁଛନ୍ତି ।

 

ସେତେବେଳକୁ ବେଳ ବୁଡ଼ି ଯାଇଥିଲା । ରାୟ ବାହାଦୁରଙ୍କୁ ପ୍ରଣାମ କରି ମୁଁ ଉଠିଲି । କମଳାକୁ ଥରେ ଦେଖିବାପାଇଁ ମୋର ବଡ଼ଇଚ୍ଛା ହେଉଥିଲା । ସେ ଦିନର ଚପଳଛନ୍ଦା ଝିଅଟି ବଧୂବେଶରେ କିପରି ଦେଖା ଯାଉଛି ? କାନୁନ୍‍ଗୋ ବଂଶର ଗୃହିଣୀ ଭାବରେ ସେ ଗୁରୁଗମ୍ଭୀର ହୋଇ ପାରିଛିକି ନା ! ସର୍ବୋପରି ଜୀବନର ନାନାଘାତ ପ୍ରତିଘାତ ସହ୍ୟକରି ଅବଶେଷରେ ସେ ନିଜର ଈପ୍ସିତ ପତିଲାଭ କରି ପାରିଛି । ସେଇ ପରମ ପ୍ରାପ୍ତିର ତୃପ୍ତି ତା’ର ସର୍ବାଙ୍ଗରେ କିପରି ଭାବରେ ପ୍ରତିବିମ୍ବିତ ହୋଇଛି, ତା’ ଥରେ ଦେଖିଯିବା ପାଇଁ ମୋର ଇଚ୍ଛା ହେଉଥିଲା । ବାହାର ଘରକୁ ଆସି ପଛଆଡ଼େ ତା’ର ଲଘୁ ପଦଧ୍ଵନି ଶୁଣି ପାରିଲି । କମଳା ହୁଏତ ମୋତେ ଦେଖି ପାରି ଧାଇଁ ଆସୁଛି ଭାବି ସେଠାରେ ଟିକିଏ ଛିଡ଼ା ହେଲି, କିନ୍ତୁ ଯେ ଆସିଲା, ସେ କମଳା ନୁହେଁ । ଗୋଟିଏ ଅତିଶୟ ମାଈଚିଆ ଲୋକ । ବୋଧହୁଏ, ଏ ଘରର ଚାକର ।

 

ଲୋକଟା ମୋତେ ଦେଖି ଲୁଗାକାନିରେ ମୁହଁ ଢାଙ୍କି ଦେଲା । ତାକୁ ଅଟକାଇ ପଚାରିଲି–ଆରେ ବହୂ ସାଆନ୍ତାଣୀ ଘରେ ଅଛନ୍ତି କି ?

 

ମୁଣ୍ଡ ଟୁଙ୍ଗାରି ସେ ହଁ ବୋଲି ଜଣାଇଲା । ତା’ପରେ ମୁଁ କହିଲି–ମୁଁ ତାଙ୍କ ସଙ୍ଗେ ଥରେ ଦେଖା କରିବାକୁ ଚାହେଁ ।

 

ଲୋକଟା ଏଥର ମୋ କଥା ଶୁଣି ପ୍ରଚଣ୍ଡ ବିରକ୍ତ ହୋଇ ଉଠିଲା । ମୁହଁ ଛିଞ୍ଚାଡ଼ି ମାଈକିନିଆଙ୍କ ପରି କହିଲା ମଲା ମୋର, କିଏ ମ ଏ ମଣିଷଟା ? ବୋହୂସାଆନ୍ତାଣୀ ସଙ୍ଗେ ଏଇଟା କାଇଁକି ଦେଖା କରିବ ମ ? ଏହା କହି ଦ୍ରୁତପଦରେ ସେଠାରୁ ପଳାଇ ଗଲା ।

 

–ଷୋହଳ–

 

ରାସ୍ତାରେ ନୁହେଁ–କି ଘରେ ନୁହେଁ, ବିନୋଦ ସହିତ ମୋର କୌଣସି ସ୍ଥାନରେ ଦେଖାହେଲା ନାହିଁ । ଅବଶ୍ୟ ବିନୋଦକୁ ଖୋଜିବାପାଇଁ ମୁଁ କୌଣସି ନିର୍ଦ୍ଦିଷ୍ଟ ଚେଷ୍ଟା କଲିନାହିଁ । ସେଥିରେ ମୋର ବିଶେଷ କିଛି ପ୍ରୟୋଜନ ମଧ୍ୟ ନଥିଲା । କିନ୍ତୁ ତଥାପି–ରାଜପଥରେ ଚାଲୁଚାଲୁ କେଉଁଠାରେ ହେଲେ ବିନୋଦ ସଙ୍ଗେ ହଠାତ ଦେଖା ହୋଇଯାଇପାରେ, ଏପରି ଗୋଟାଏ ସମ୍ଭାବନା ମୋର ମନରେ ଥିଲା । ରାୟବାହାଦୁରଙ୍କ ନିକଟକୁ ମୁଁ ଆଉ ଯାଇପାରିନାହିଁ । କମଳାକୁ ମଧ୍ୟ ବଧୂବେଶରେ ଦେଖିବାର ଆଉ ସୁବିଧା ପାଇନାହିଁ ।

 

ଦୁଇଶବର୍ଷ ବ୍ୟାପୀ ପରାଧୀନତାର ଲୌହ ଶୃଙ୍ଖଳରୁ ଭାରତବର୍ଷ ମୁକ୍ତିଲାଭ କରିଛି । ସବୁଆଡ଼େ ଗୋଟାଏ ନବଜୀବନର ସ୍ପନ୍ଦନ ଦେଖାଦେଇଛି । କଂଗ୍ରେସୀ ନେତାମାନେ ଶାସନ ଦାୟିତ୍ଵ ଗ୍ରହଣ କରିଛନ୍ତି । ସମ୍ବାଦପତ୍ରରେ, ବିରାଟ ଜନସଭାମାନଙ୍କରେ, ବେତାର ମାଧ୍ୟମରେ ନେତାମାନଙ୍କର ବକ୍ତୃତାରେ ଗୋଟିଏ ନୂତନ ପ୍ରେରଣା–ନୂତନ ଶପଥ ଝଙ୍କୃତ ହେଉଛି । କଟକ ସହରରେ ସେଇ ନବଜାଗରଣର ଜୁଆର ଭିନ୍ନଭାବରେ ଦେଖାଦେଇଛି । ବହୁ ବ୍ୟବସାୟୀ, କଣ୍ଟ୍ରାକ୍‍ଟର, ଗୁଣ୍ଡା ଆଉ ଜଣାଶୁଣା ଚୋରା କାରବାରୀମାନେ ହଠାତ ପବିତ୍ର ଖଦଡ଼ରେ ଭୂଷିତ ହୋଇ ପଡ଼ିଛନ୍ତି । ଅନଭ୍ୟସ୍ତ ହୋଇଥିଲେ ମଧ୍ୟ ଖଦଡ଼ର ଧଳା ଟୋପି ଓ ଜହର ଜାକେଟ୍ ଦିନସାରା ଦେହରୁ ଓହ୍ଲାଉନାହାନ୍ତି । ହଠାତ ରାସ୍ତାରେ ଦିନେ ନେହାଲ୍ ସିଂ ସଙ୍ଗେ ମୋର ଦେଖାହେଲା । ସହରର ଜଣେ ଅତି କୁଖ୍ୟାତ ଓ ଦୁର୍ଦ୍ଧର୍ଷ ଗୁଣ୍ଡା ଭାବରେ ମୁଁ ତାକୁ ଜାଣିଥିଲି । ଅତିଶୟ ଚରିତ୍ରହୀନ ଓ ମଦ୍ୟପ । କଳା ମଚମଚିଆ ବିଶାଳ ଦେହ । ରାକ୍ଷସ ପରି ବଳବାନ୍ ଓ ନିର୍ଦ୍ଦୟ । ଗୁଣ୍ଡାମି ଯୋଗୁଁ ଏକାଧିକବାର ତାକୁ କାରାବରଣ କରିବାକୁ ପଡ଼ିଛି । ମୋର ଚାକିରି ସୂତ୍ରରେ ସେ ମୋର ପୂର୍ବପରିଚିତ ବ୍ୟକ୍ତି । ଏତେଦିନ ପରେ ସେଇ ଦୁର୍ଦ୍ଧର୍ଷ ଗୁଣ୍ଡାକୁ ଏକ ନବରୂପରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସର୍ବାଙ୍ଗରେ ଶୁଭ୍ର ଖଦଡ଼ର ଆବରଣ । କଳାରଙ୍ଗର ଜହର ଜାକେଟ୍–ଆଉ ମୁଣ୍ଡରେ ଖଦଡ଼ର ଧଳା ଟୋପି । ନେହାଲ୍ ସିଂକୁ ମୁଁ କିଛିକ୍ଷଣ ଏକଧ୍ୟାନରେ ଚାହିଁରହିଲି । ଦେହରେ ପବିତ୍ର ଖଦଡ଼ ଥିଲେ ମଧ୍ୟ ଆଖି ଦୁଇଟି ନାଲି ଦେଖାଯାଉଛି । ମୁହଁରୁ ଓ ଦେହ ଝାଳରୁ ମଦ ଗନ୍ଧ ବାହାରୁଛି । ମୋତେ କହିଲା–ଚାହୁଁଚ କ’ଣ ବାବୁ, ଚିହ୍ନିପାରୁନାହଁକି ? ଅଭି ଆଉ ତମେ ଆମକୁ ଲାଲିଆଖି ଦେଖାଇ ପାରିବ ନାହିଁ । ଯୁଗ ଲେଉଟି ଗଲାଣି ।

 

ମୁଁ ହସି କହିଲି–ନା ନେହାଲ୍ ସିଂ, ମୁଁ ତୁମକୁ ନାଲି ଆଖି ଦେଖାଇବାକୁ ଚାହେଁନାହିଁ । ଖାଲି ତମକୁ ଦେଖୁଥିଲି । ବହୁତ ଦିନ ପରେ ଦେଖା କି ନା ! ଏବେ କ’ଣ କରୁଛ ?

 

ନେହାଲ୍ ସିଂ ଖୁସିମନରେ କହିଲା–ଅଭି ବିଜିନେସ୍ ଚଲେଇଛି । ଆଉ ମଦ କାରବାର କରୁନାହିଁ । ମିଠେଇ ଦୋକାନ ଲଗେଇଛି । ଆସ ମୋ’ ଦୋକାନକୁ । କପେ ଚା’ ଖାଇନିଅ । ପଇସା ତମଠୁ ନେବିନାହିଁ ।

 

ଗୋଟିଏ ନୂଆ ଦୋକାନରେ ଖୁବ୍ ବଡ଼ ଗୋଟାଏ ଚକଚକିଆ ସାଇନ୍‍ବୋର୍ଡ଼ ଟଙ୍ଗାହୋଇଛି । ‘‘ନେହେରୁ ମିଷ୍ଟାନ୍ନ ଭଣ୍ଡାର ।’’ ଚା’ କପେ ଖାଇ ମୁଁ ଚାଲିଆସିଲି । ଏଇ ତଥାକଥିତ ନବଜାଗରଣର ପ୍ରକୃତସ୍ୱରୂପ କ’ଣ ମୁଁ ସେଦିନ ତାହା ସଠିକ ବୁଝିପାରି ନଥିଲି । ପରେ ମୋର ଜଣେ କଂଗ୍ରେସୀ ବନ୍ଧୁ ମୋତେ ବୁଝାଇ ଦେଇଥିଲେ । ସ୍ଵାଧୀନତା ସାଙ୍ଗେ ସାଙ୍ଗେ କୁଆଡ଼େ ସବୁ ଗୁଣ୍ଡା ଓ ଅସାମାଜିକ ବ୍ୟକ୍ତିମାନଙ୍କର ହଠାତ ହୃଦୟ ପରିବର୍ତ୍ତନ ହୋଇଯାଇଛି । ସମ୍ପୂର୍ଣ୍ଣ ସ୍ଵେଚ୍ଛାରେ ସେମାନେ ପବିତ୍ର ଖଦଡ଼ ଧାରଣ କରିଛନ୍ତି । ତା’ପରେ ଅତି ଦୁଷ୍ପ୍ରାପ୍ୟ କେତୋଟି ରାଜନୈତିକ ଗ୍ରନ୍ଥରୁ ସେ ପଢ଼ିଥିବା କେତୋଟି ନଜିର ମଧ୍ୟ ଦେଲେ । ଆମେରିକାର ମୁକ୍ତି ସଂଗ୍ରାମ, ଫରାସୀ ବିପ୍ଳବ ଓ ରୁଷ ବିପ୍ଳବ ପରେ ମଧ୍ୟ ସେ ଦେଶରେ ବାସ କରୁଥିବା ବହୁ ତଥାକଥିତ ଅସାମାଜିକ ବ୍ୟକ୍ତିମାନଙ୍କର ଏହିପରି କୁଆଡ଼େ ଚିତ୍ତ ପରିବର୍ତ୍ତନ ହୋଇଥିଲା ।

 

ବନ୍ଧୁଙ୍କୁ ମୁଁ କୌଣସି ଉତ୍ତର ଦେଇନାହିଁ । ଏ ବିଷୟରେ ଅଯଥା ତର୍କ କରିବାର ମଧ୍ୟ କୌଣସି ଅବକାଶ ନାହିଁ, ଭାବୀ–କାଳ ଏହାର ବିଚାର କରିବ ।

 

ଦିନେ ମୋର ନିଜ ଅଫିସରେ ବସି କାମ କରୁକରୁ ଖଣ୍ଡିଏ ପୁରୁଣା ନଥିରେ ମୋର ନଜର ପଡ଼ିଲା । ନିଧି ଭୋଇର ଅପରାଧୀ ଜୀବନର ଟିକିନିଖି ବିବରଣୀ । ଯାହାକୁ ପୁଲିସ ଭାଷାରେ କହନ୍ତି ‘‘ହିଷ୍ଟ୍ରି ସିଟ୍’’ । ନଥିଟି ଉପରେ ନାଲି ପେନ୍‍ସିଲ୍‍ରେ ଲେଖା ହୋଇଛି ‘‘ଡେଡ଼୍’’ । ଅର୍ଥାତ୍‍–ମୃତ । ଗୋଟିଏ ଅଭିଶପ୍ତ ଅପରାଧୀ ଜୀବନର ସମାପ୍ତି । ଅଳସ ଭାବରେ ନଥିଟି ଖୋଲିଲି । ପ୍ରଥମ ପୃଷ୍ଠାରେ ନିଧି ଭୋଇର ଖଣ୍ଡିଏ ଫଟୋଗ୍ରାଫ୍ ଅଠା ଦେଇ ମରାହୋଇଛି । ବହୁଦିନର ପୁରୁଣା ଫଟୋଗ୍ରାଫ୍‍ । କିପରି ବିବର୍ଣ୍ଣ ହୋଇଗଲାଣି । ସେତେବେଳେ ନିଧି ଭୋଇ ଖୁବ୍ ବଳବାନ୍ ଓ ଦୀର୍ଘଦେହ ଥିଲା । ଆଖିର ଦୃଷ୍ଟିରେ ଗୋଟାଏ ବେପରୁଆ ଭାବ । ଏ ନଥିଟି ମୁଁ ପୂର୍ବେ ମଧ୍ୟ ପଢ଼ିଥିଲି । ବର୍ତ୍ତମାନ ଆଉ ତା’ର କୌଣସି ପ୍ରୟୋଜନ ନଥିଲେ ମଧ୍ୟ ଶୂନ୍ୟ ମନରେ ମୋଟା ନଥିଟିର ପୃଷ୍ଠା ପରେ ପୃଷ୍ଠା ଓଲଟାଇବାକୁ ଲାଗିଲି । ନିଧି ଭୋଇ ତା’ର ଜୀବନସାରା କେଉଁଠାରେ କି ଅପରାଧ କରିଥିଲା, କେଉଁମାନେ ଥିଲେ ତା’ର ଅପରାଧୀ ସଙ୍ଗୀ, କେଉଁ ଅପରାଧ ପାଇଁ କେଉଁଦିନ ତାକୁ କେତେବର୍ଷ କାରାବରଣ କରିବାକୁ ହୋଇଥିଲା–ଏଇସବୁ ବିଷୟର ଟିକିନିଖି ବିବରଣୀ । ପୂର୍ବେ ମୁଁ ଏଇ ନଥିଟି ବହୁଥର ଦେଖିଥିଲେ ମଧ୍ୟ ଗୋଟିଏ କଥା ମୋର ନଜରରେ ପଡ଼ି ନଥିଲା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ନିଧି ଭୋଇର ଅପରାଧୀ ଜୀବନର ଘଟନାବଳି ନଥିଟିରେ ଲିପିବଦ୍ଧ ହୋଇଥିଲେ ମଧ୍ୟ ରତନୀ ବିଷୟରେ ସେଥିରେ କେଉଁଠାରେ ହେଲେ ଉଲ୍ଲେଖ ନାହିଁ । କ’ଣ ବା ପୁଲିସ ଏଇ ଲୋକଟି ବିଷୟରେ ଜାଣିପାରିଥିଲା । ଏଇ ନଥିରେ ଯାହା ଲେଖାଅଛି, ମୁଁ ନିଜେ ନିଧି ଭୋଇ ବିଷୟରେ ତା’ଠାରୁ ବହୁତ ଅଧିକ ଜାଣେ । ମୁଁ ଜାଣେ ଯେ ରତନୀପାଇଁ ଦିନେ ନିଧି ଭୋଇ ଅପରାଧୀ ଜୀବନ ଛାଡ଼ି ଗୋଟିଏ ଶାନ୍ତିର ନୀଡ଼ ରଚନା କରିବ ବୋଲି ଶପଥ କରିଥିଲା । ରତନୀ ଯଦି ତାକୁ ଛାଡ଼ି ଯାଇ ନଥାନ୍ତା, ତେବେ ହୁଏତ ତା’ର ଜୀବନର ଗତି ସମ୍ପୂର୍ଣ୍ଣ ବଦଳି ଯାଇଥା’ନ୍ତା । ଯେଉଁ ରତନୀ ନିଧିଭୋଇ ଜୀବନର କର୍ଣ୍ଣଧାର ଥିଲା, ତା’ ବିଷୟରେ ଏଇ ପୁଲିସ ନଥିରେ କୌଣସି ଉଲ୍ଲେଖ ନାହିଁ । କେଉଁକାଳେ ପଢ଼ିଥିବା ଗୋଟିଏ କବିତା ମୋର ହଠାତ ମନେପଡ଼ିଲା–

 

କେତେ ବୀର ଦେଲେ ହୃଦୟ ରକ୍ତ

ଲେଖା ଅଛି ଇତିହାସେ

କେତେ ନାରୀ ଦେଲେ ସୀମନ୍ତ ସିନ୍ଦୂର

ଲେଖା ନାହିଁ ତା’ର ପାଶେ ।

 

ଆଉ କୌଣସି ପ୍ରୟୋଜନ ନଥିବା ନିଧି ଭୋଇର ନଥିଟି ରଖିଦେଇ ମୁଁ ଶୂନ୍ୟ ମନରେ ବହୁକ୍ଷଣ ପର୍ଯ୍ୟନ୍ତ ବସିରହିଲି । ତା’ପରେ କ’ଣ ମନେକରି କେଜାଣି ମୁଁ ସାଇକେଲ ଖଣ୍ଡି ଧରି ବାହାରକୁ ବାହାରି ପଡ଼ିଲି । ନିଦାଘର ଜ୍ୱଳନ୍ତ କରସ୍ପର୍ଶରେ ମହାନଗରୀ ମୃତ୍ୟୁମଳିନ । ଏପର୍ଯ୍ୟନ୍ତ ତତଲା ପବନ ବୋହୁଛି । ରାଜପଥର ପିଚ୍‍ଗୁଡ଼ାକ ସ୍ଥାନେ ସ୍ଥାନେ ଗରମରେ ତରଳିଯାଇଛି । ମୁଁ ଯାଇ ନିଧି ଭୋଇର ତଥାକଥିତ ‘କ୍ଳବ–ଘରେ’ ପହଞ୍ଚିଲି । ମାତ୍ର ବଖରାଟିଏ ଚାଳଘର । ମରାମତି ଅଭାବରେ ଛପରଟି ସମ୍ପୂର୍ଣ୍ଣରୂପେ ନିଶ୍ଚିହ୍ନ ହୋଇଗଲାଣି । ବର୍ଷା ପାଣିରେ ମାଟି କାନ୍ଥଗୁଡ଼ିକ ଭାଙ୍ଗିପଡ଼ିଲାଣି । ଚାରିପଟେ ନିଘଞ୍ଚ ବାଉଁଶ ବୁଦା । ଘାସ ଓ ଅରମା ବଣରେ ସ୍ଥାନଟି ଦୁର୍ଗମ ହୋଇଉଠିଛି । ଘରଟିଏ ଏକମାତ୍ର କବାଟରେ ଗୋଟିଏ ଅତି ପୁରୁଣା ତାଲା ଝୁଲୁଛି । କିନ୍ତୁ କାନ୍ଥଗୁଡ଼ିକ ଧସି ଯାଇଥିବାରୁ ଘରଭିତରକୁ ପଶିବା କଷ୍ଟକର ନୁହେଁ ।

 

ଭଙ୍ଗା କାନ୍ଥ ଡେଇଁ ଘରଭିତରେ ପଶିଲି । କିପରି ଗୋଟାଏ ଦୁର୍ଗନ୍ଧ ବାହାରୁଛି । ହୁଏତ କେଉଁଠାରେ ଗୋଟାଏ ମୂଷା ବା ଅନ୍ୟ କୌଣସି ବଣୁଆ ଜୀବ ମରି ସଢ଼ିଯାଇଛି । ଘର ମଝିରେ ବହୁକ୍ଷଣ ପର୍ଯ୍ୟନ୍ତ ମୁଁ ଏକା ଛିଡ଼ାହୋଇ ରହିଲି । ଚାରିପଟର ନିଘଞ୍ଚ ବାଉଁଶ ବଣ ମଝିରେ ଏଇ ଭଙ୍ଗା ଘରଟି କିପରି ଅନ୍ଧାରୁଆ–ନିର୍ଜନ–ପ୍ରେତାୟିତ ।

 

ଘରର ଯେଉଁ କାନ୍ଥଟି ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣରୂପେ ଭାଙ୍ଗିପାରିନାହିଁ, ସେଠାରେ ଗୋଟିଏ ଠଣା ରହିଛି । କ’ଣ ଗୋଟାଏ ମଇଳା ପଦାର୍ଥ ଯେପରି ସେ ଠଣା ଉପରେ ରହିଛି । ଜିନିଷଟିକୁ ହାତରେ ଉଠାଇଆଣି ଦେଖିଲି । ବହୁବର୍ଷ ପୂର୍ବେ ଘଟିଥିବା ଗୋଟିଏ ଜୀବନ ନାଟକର ଦୃଶ୍ୟ ହଠାତ ମୋ ଆଖି ଆଗରେ ଉଜ୍ଜ୍ୱଳ ହୋଇ ଭାସିଉଠିଲା । ତରୁଣୀ ରତନୀ ଦିନେ ଏଇ ଘରେ ନୀଧି ଭୋଇକୁ ଗେଲେଇ ହୋଇ କହିଥିଲା–ନିଧିଭୋଇ, ତୋ ମୁହଁଟା ଖାଲି ରସୁଣିଆ ଗନ୍ଧଉଛି । ତୁ ପାନବଟୁଆ ଆଣୁନୁ ! ଏଇ ଘରେ ତୋ ପାଖରେ ବସି ମୁଁ ପାନ ଭାଙ୍ଗନ୍ତି । ମୁଁ ଖାଆନ୍ତି–ଆଉ ତୋତେ ଦିଅନ୍ତି ।

 

ରତନୀର ଏଇ କଥା କେତେ ପଦରେ ନିଧିଭୋଇ ନାଲି ସାଲୁର ବଟୁଆ, ପିତ୍ତଳ ଚୂନଖାଇ, କଲିକତି ଗୁଆକାତି–ସବୁ କିଣି ଆଣିଥିଲା । ଏଇ ଘରେ କେତେ ଉଦୁଉଦିଆ ଖରାବେଳେ ନିଧିଭୋଇ ନିକଟରେ ବସି ରତନୀ ପାନ ଭାଙ୍ଗିଛି । ସେ ନିଜେ ଖାଇଛି–ଆଉ ନିଧି ଭୋଇକୁ ଦେଇଛି । ତା’ପରେ ନିଧିକୁ ଛାଡ଼ି ଦିନେ ରତନୀ ଚାଲିଗଲା । ସେଇଦିନ ଠାରୁ ପାନବଟୁଆର ଆଉ କୌଣସି ପ୍ରୟୋଜନ ହୋଇନାହିଁ । ଅତି ଯତ୍ନରେ ବଟୁଆଟିକୁ ନିଧି ଏଇ ଠଣା ଉପରେ ସାଇତି ରଖିଥିଲା । ତା’ପରେ ବହୁବର୍ଷ ବିତି ଯାଇଛି । ନିଧି ମରିଛି । ରତନୀବି ମରିଛି । କିନ୍ତୁ ସେ ବଟୁଆଟି ଏ ପର୍ଯ୍ୟନ୍ତ ଠଣା ଉପରେ ରଖା ହୋଇଛି । ଅତିଶୟ ବିବର୍ଣ୍ଣ ଓ ବର୍ଷା ପାଣିରେ କର୍ଦମାକ୍ତ ହୋଇଗଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ରହିଛି । ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ବଟୁଆଟି ପୁଣି ଠଣା ଉପରେ ରଖିଦେଲି ।

 

ସେତେବେଳକୁ ଛାଇ ଲେଉଟି ଗଲାଣି । ରାଜପଥରେ ଜନଗହଳି ଆରମ୍ଭ ହେଲାଣି । ସେଇ ଜନବହୁଳ ରାଜପଥରେ ଆସୁଆସୁ ହଠାତ ମୁଁ ବିନୋଦକୁ ଦେଖିପାରିଲି । ତା’ର ରୂପ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ଅତିଶୟ ମଇଳା ଖଣ୍ଡେ ଧୋତି ଓ ଅନୁରୂପ ଖଣ୍ଡିଏ ସାର୍ଟ ପିନ୍ଧି ଖାଲି ଗୋଡ଼ରେ ବିନୋଦ ତଳକୁ ମୁଣ୍ଡପୋତି ଚାଲିଛି । ମୁଣ୍ଡରେ ବୋଝେ ନୁଖୁରା ବାଳ ଓ ମୁହଁରେ ଦାଢ଼ି-। ଗୋରା ତକତକିଆ ଚେହେରାଟା କିପରି ବିବର୍ଣ୍ଣ ହୋଇ ଗଲାଣି । ମୁଁ ଡାକିଲି ବିନୋଦ-

 

ବିନୋଦ ଠିଆହେଲା । ଦୁଇଟି ରକ୍ତାଭ ଆଖିରେ ମୋତେ ଚାହିଁଲା କିନ୍ତୁ ଚିହ୍ନି ପାରିଲା ନାହିଁ । ମୁହଁରୁ ମଦ ଗନ୍ଧ ବାହାରୁଛି । ମୁଁ ପୁଣି କହିଲି–ମୋତେ ଚିହ୍ନି ପାରୁନାହଁ ବିନୋଦ ?

 

କିଛିକ୍ଷଣ ପର୍ଯ୍ୟନ୍ତ କିପରି ଗୋଟାଏ ଅର୍ଥହୀନ ଦୃଷ୍ଟିରେ ଚାହିଁରହି ବିନୋଦ କହିଲା–ନା-। ଏହାକହି ପୁଣି ସେ ଚାଲିବାକୁ ଆରମ୍ଭ କଲା । ମୁଁ ସେଠାରେ ତାକୁ ଅଟକାଇବାକୁ ଚେଷ୍ଟା କଲି ନାହିଁ । କେବଳ ତା’ର ଗତିପଥକୁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲି । ସେହିପରି ଟଳିଟଳି କ୍ରମେ ସେ ରାଜପଥର ଜନଗହଳି ଭିତରେ ମିଳାଇ ଗଲା ।

 

ଏଇ ବିନୋଦକୁ ମୁଁ ଅତିଶୟ ସ୍ନେହ କରୁଥିଲି । ଗୋରା ତକତକିଆ ସୁନ୍ଦର କାନ୍ତି ପିଲାଟିଏ । ନମ୍ର–ଭଦ୍ର–ଆଉ ବୁଦ୍ଧିମାନ୍ । ଏ ଦେଶର ଏକ ଅତି ପୁରାତନ ଜମିଦାର ବଂଶର ଶେଷ ପ୍ରଦୀପ । ଦୀର୍ଘକାଳ ଧରି ମୁଁ ବିନୋଦର ଗୃହଶିକ୍ଷକ ଥିଲି । ସେଇ ବିନୋଦର ଆଜି ଏଇ ଶୋଚନୀୟ ଅବସ୍ଥା ଦେଖି ଅନ୍ତର ମୋର କାନ୍ଦି ଉଠିଲା । କମଳା ଉପରେ ମଧ୍ୟ ମୋର ବଡ଼ କ୍ରୋଧ ହେଲା । ସେ ବୁଦ୍ଧିମତୀ ଝିଅ । ବହୁ ଘାତ ପ୍ରତିଘାତ ଭିତର ଦେଇ ତା’ର ଜୀବନ ଗଢ଼ା । ବୟସ ଅଳ୍ପ ହେଲେ ମଧ୍ୟ ସଂସାରର ଯାତ୍ରା ପଥରେ ତା’ର ବହୁ ଅଭିଜ୍ଞତା ରହିଛି । ତା’ର କ’ଣ ସ୍ଵାମୀ ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ।

 

କମଳାକୁ ବିବାହକରି ବିନୋଦ କ’ଣ ଅସୁଖୀ ହୋଇଛି ! ତା’ ତ ହେବାର କଥା ନୁହେଁ । କମଳା ବୁଦ୍ଧିମତୀ, ଲାବଣ୍ୟମୟୀ–ଆଉ ସର୍ବୋପରି ପୂର୍ବରାଗ ରଞ୍ଜିତ ଏ ବିବାହ ତ ସେମାନଙ୍କ ଜୀବନରେ ଗୋଟାଏ ଆକସ୍ମିକ ମିଳନ ନୁହେଁ । ଏଇ ମହା ଅଧଃପତନ ମୁଖରୁ ବିନୋଦକୁ ବଞ୍ଚାଇବାର କ’ଣ ଆଉ କୌଣସି ଉପାୟ ନାହିଁ । କୌଣସି ନୈସର୍ଗିକ କାରଣରୁ ପତନୋନ୍ମୁଖୀ ଉଲ୍‍କା କ’ଣ ସ୍ୱର୍ଗ ଲୋକକୁ ପୁଣି ଫେରିଯାଇ ପାରେ ନାହିଁ ।

 

କମଳା ସଙ୍ଗେ ମୁଁ ଥରେ ଦେଖା କରିବି । ବିନୋଦକୁ ସୁନିଶ୍ଚିତ ଧ୍ଵଂସମୁଖରୁ ବଞ୍ଚାଇବାକୁ ହେବ । ମୋର ନିଛାଟିଆ ଘରଟିରେ ମୁଁ ବହୁକ୍ଷଣ ବସିରହି କେବଳ ବିନୋଦ କଥା ଭାବିବାକୁ ଲାଗିଲି । ଯଦି ବିନୋଦର ଅବସ୍ଥା ଏତେଦୂର ଶୋଚନୀୟ ହୋଇଯାଇଛି ତେବେ ରାୟବାହାଦୁରଙ୍କର ପୁରୁଣା ଘରଟା ଭଙ୍ଗାହୋଇ ତା’ ଉପରେ ବ୍ୟୟବହୁଳ ନୂଆ ଇମାରତ୍‍ ଗଢ଼ା ହେଉଛି କାହା ଅର୍ଥରେ । କିପରି ବା ପୁରୁଣା ଘରଟା ତାଙ୍କର ମରାମତି ହୋଇ ଦୃଷ୍ଟିମଧୁର ହୋଇ ଉଠିଛି । ସବୁ ମୋତେ କିପରି ଗୋଟିଏ ପ୍ରହେଳିକା ପରି ମନେ ହେଲା । ଥରେ କମଳା ସହିତ ଦେଖାକରି ସବୁ କଥା ବୁଝିବି ବୋଲି ସ୍ଥିରକରି ମୁଁ ବାହାରିଲି ।

 

କିନ୍ତୁ ଦୁଆରମୁହଁରୁ ବାଧାପ୍ରାପ୍ତ ହୋଇ ପୁଣି ମୋତେ ଫେରି ଆସିବାକୁ ହେଲା । ଭାବିଲି ଭଲହେଲା । ଘନଶ୍ୟାମଠାରୁ ସବୁ ବୁଝି ପାରିବି । କଳରବ କରୁକରୁ ଝଡ଼ ପରି ବେଗରେ ସାମ୍ବାଦିକ ବନ୍ଧୁ ଘର ଭିତରେ ପଶିଲେ ।–ମୁଁ ଆଜି ସକାଳେ ଦିଲ୍ଲୀରୁ ଫେରି ଶୁଣିଲି ଯେ ତୁମେ ଆସିଛ । ମାସାଧିକ କାଳ ମୁଁ ଘରେ ନଥିଲି । ବାଙ୍ଗାଲୋରରୁ ବୋମ୍ବାଇ–ବୋମ୍ବାଇରୁ ଦିଲ୍ଲୀ ଏଇ କେତେଦିନ ହେଲା ମୁଁ ଖାଲି ହାବେଳି ପରି ଉଡ଼ି ବୁଲୁଛି । ଗିଲାସେ ଥଣ୍ଡା ପାଣି ମଗାଅ । ବଡ଼ ଗରମ ପଡ଼ିଲାଣି ।

 

ଅତିଶୟ ପରିଶ୍ରାନ୍ତ ଭାବରେ ଘନଶ୍ୟାମ ଖଣ୍ଡିଏ ଚଉକି ଉପରେ ବସି ପଡ଼ିଲା । ଗିଲାସେ ପାଣି ପିଇସାରି କହିଲା–ଘଟନା ଅତିଶୟ ସାଂଘାତିକ ହେବାକୁ ବସିଲାଣି ଭାଇ । ସାମ୍ପ୍ରଦାୟିକ ଦଙ୍ଗା ପୂର୍ବବଙ୍ଗର ସର୍ବତ୍ର ବ୍ୟାପୀ ଗଲାଣି । ହଜାର ହଜାର ନରନାରୀ ପ୍ରତିଦିନ ପ୍ରାଣ ହରାଉଛନ୍ତି । କ’ଣ ଯେ ଏହାର ଶେଷ ପରିଣତି ମୁଁ ବୁଝିପାରୁନାହିଁ । ଏହାକହି ବନ୍ଧୁ କିଛିକ୍ଷଣ ବିରସ ବଦନରେ ନୀରବରେ ବସିରହିଲେ । ଯେପରି ସମଗ୍ର ଭାରତ ବର୍ଷର ନିରାପତ୍ତାର ଭାର ବନ୍ଧୁଙ୍କ ଉପରେ ନ୍ୟସ୍ତ ରହିଛି । ସେଇ ଗୁରୁଦାୟିତ୍ଵ ସେ କିପରି ତୁଲାଇବେ ସେଇ ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡ଼ିଛନ୍ତି ।

 

କିଛିକ୍ଷଣ ନୀରବ ରହି ସେ ପୁଣି କହିଲେ–ମହାତ୍ମା ଗାନ୍ଧି ନୂଆଖାଲି ଯିବାପାଇଁ ପ୍ରସ୍ତୁତ ହୋଇଛନ୍ତି । ସେଠାରେ ସେ ପଦଯାତ୍ରା କରି ନିଜର ନୈତିକତା ବଳରେ ମଣିଷ ମନରୁ ଏଇ ଘୃଣାର ବିଷ ଦୂର କରିବେ ବୋଲି ଆଶା କରୁଛନ୍ତି । ତା’ କ’ଣ ସମ୍ଭବ ହେବ ? ତୁମେ କ’ଣ ଭାବୁଛ-!

 

–ନାଇଁ ଭାଇ, ଏ ସବୁ ବଡ଼ବଡ଼ ରାଜନୈତିକ କଥା ଚିନ୍ତା କରିବାର କ୍ଷମତା ମୋର ନାହିଁ । ମୁଁ ତୁମଠାରୁ ଅନ୍ୟ ଗୋଟିଏ କଥା ଜାଣିବାକୁ ଚାହେଁ ।

 

–ତୁମେ ଯାହା ଭାବୁଛ, ମୁଁ ଜାଣି ପାରିଛି । ନା, ନା, ସେ ଆଶଙ୍କା ବୋଧହୁଏ ଏଠାରେ ନାହିଁ । ସେ ସାମ୍ପ୍ରଦାୟିକତାର ବିଷ ଆମର ଏ ଶାନ୍ତିପୂର୍ଣ୍ଣ ଓଡ଼ିଶାକୁ ମାଡ଼ି ଆସିବାର ସମ୍ଭାବନା ମୁଁ ଦେଖୁନାହିଁ । ତଥାପି ଆମମାନଙ୍କୁ ସର୍ବଦା ଜାଗ୍ରତ ରହିବାକୁ ହେବ ।

 

ମୁଁ ହସିଲି । –କାହିଁକି ? ସାମ୍ବାଦିକ ବନ୍ଧୁ ପଚାରିଲେ ।

 

–ନା, ମୁଁ ତୁମକୁ ସେ କଥା କହୁ ନଥିଲି । ଗୋଟିଏ ସମ୍ପୂର୍ଣ୍ଣ ଭିନ୍ନ କଥା ମୁଁ ତୁମଠାରୁ ଜାଣିବାକୁ ଚାହେଁ ।

 

ଘନଶ୍ୟାମ ଜିଜ୍ଞାସୁ ନେତ୍ରରେ ଚାହିଁଲା ।

 

ମୁଁ କହିଲି–ରାୟବାହାଦୁର ପ୍ରମୋଦରଞ୍ଜନ କାନୁନ୍‍ଗୋଙ୍କ ପୁଅ ବିନୋଦ କଥା ତୁମେ କିଛି ଜାଣ ? ରାୟବାହାଦୁରଙ୍କୁ ନିଶ୍ଚୟ ତୁମେ ଚିହ୍ନିଛ ।

 

ହଁ, ହଁ, ତାଙ୍କ ବିଷୟରେ ମୁଁ ସବୁକଥା ଖୁବ୍ ଭଲକରି ଜାଣେ । ଆରେ, ଆଉ ଗୋଟିଏ କଥା ଶୁଣିଛ ? ନା, ତୁମେ ବା ଶୁଣିବ କୁଆଡ଼ୁ ? କୌଣସି ସମ୍ବାଦପତ୍ରରେ ଏ ପର୍ଯ୍ୟନ୍ତ ତାହା ପ୍ରକାଶ ପାଇ ନାହିଁ । ମାତ୍ର ଚାରିଦିନ ତଳେ ଦିଲ୍ଲୀରେ ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ସ୍ୱୟଂ ସର୍ଦ୍ଦାର ପଟେଲଙ୍କଠାରୁ ଆମେ ଶୁଣିଲୁ । ପ୍ରକୃତରେ ଭାଇ, “ଲୌହ ମାନବ” ବୋଲି ସର୍ଦ୍ଦାର ପଟେଲଙ୍କୁ ଯାହା କହନ୍ତି, ତା’ ଅତିଠିକ୍ କଥା । କି ବିରାଟ ତାଙ୍କର ବ୍ୟକ୍ତିତ୍ଵ ! କି ଦୃଢ଼ ତାଙ୍କର ଘୋଷଣା ! ସେ ପରିଷ୍କାର ଭାବରେ ଘୋଷଣା କଲେ ଯେ, ଅତିଶୀଘ୍ର ବ୍ରିଟିଶ ଯୁଗର ଏଇ ‘‘ରାୟ ବାହାଦୁର’’ ଓ ‘‘ଖାଁ ବାହାଦୁର’’ ପ୍ରଭୃତି ଫମ୍ପା ଉପାଧିଗୁଡ଼ିକ ଉଠାଇ ଦିଆଯିବ, ତା’ ପରିବର୍ତ୍ତରେ...

 

ମୁଁ ବାଧାଦେଇ କହିଲି–ସେଇ ରାୟ ବାହାଦୁରଙ୍କ ପୁଅ ବିନୋଦ ବିଷୟ ତୁମେ କ’ଣ ଜାଣ ? ଘନଶ୍ୟାମ ନିଜର ହାତଘଡ଼ିକୁ ଚାହିଁ ସମୟ ଦେଖିଲା । ତା’ପରେ ଧୀର କଣ୍ଠରେ କହିଲା–ସେ ବର୍ତ୍ତମାନ ପ୍ରଚଣ୍ଡ ବେଗରେ ଧ୍ଵଂସମୁଖକୁ ଗତି କରୁଛି । କେବଳ ତା’ର ଧ୍ଵଂସ ନୁହେଁ; ତା’ର ସହିତ ଏଇ ବିଖ୍ୟାତ କାନୁନ୍‍ଗୋ ବଂଶର ମଧ୍ୟ ବିଲୟ ହେବ । କଥାଟା କାବ୍ୟିକ ନୁହେଁ । ଏହା ଗୋଟାଏ ଐତିହାସିକ ମହାସତ୍ୟ । କେବଳ ବ୍ୟକ୍ତିର ନୁହେଁ–ଗୋଟାଏ ବଂଶର ମଧ୍ୟ ମୃତ୍ୟୁ ହୁଏ । ଇତିହାସ ଖୋଲି ଦେଖ । ଗୋଟାକ ପରେ ଗୋଟାଏ ବଂଶ ବା ଡାଇନେଷ୍ଟି ଆସିଛନ୍ତି–ପୁଣି ଲୋପ ପାଇ ଯାଇଛନ୍ତି । ସେଇପରି କାନୁନ୍‍ଗୋ ବଂଶ ମଧ୍ୟ ଅତିଶୀଘ୍ର ଲୋପ ପାଇଯିବ ।

 

–କିନ୍ତୁ କାହିଁକି ବିନୋଦ, ଏପରି ହେଲା ! ମୁଁ ପଚାରିଲି ।

 

ଘନଶ୍ୟାମ କେବଳ ସାମ୍ବାଦିକ ନୁହେଁ–ଜଣେ ସାହିତ୍ୟିକ ମଧ୍ୟ । ମୋ ପ୍ରଶ୍ନ ଶୁଣି ସେ କିଛିକ୍ଷଣ ପର୍ଯ୍ୟନ୍ତ ନୀରବରେ କ’ଣ ଚିନ୍ତା କଲା । ତା’ପରେ କହିଲା–ଜାଣ ଭାଇ, ଏ ପୃଥିବୀରେ ଯେତେ ଜଟିଳ ବିଷୟ ଅଛି; ମଣିଷର ମନ ସେମାନଙ୍କ ଭିତରେ ସବୁଠାରୁ ଜଟିଳ । ମୋଷ୍ଟ୍ କମ୍‍ପ୍ଳେକ୍‍ସ୍ ସବ୍‍ଜେକ୍‍ଟ । ମଣିଷର ମନକୁ ଘେରି ତା’ର ସ୍ଵାସ୍ଥ୍ୟ, ତା’ର ବୃଦ୍ଧି–ସବୁ ରହିଛି; କିନ୍ତୁ କଥାରେ ଅଛି “ମତ–ଅର୍ଥାତ୍ ମନ, ଆଉ ମୋତେ”–ଏ ଦୁଇଟି ପଦାର୍ଥ ଯଦି ଥରେ ଭାଙ୍ଗିଯାଏ, ତେବେ ଆଉ ତାହା ଯୋଡ଼ି ହୁଏ ନାହିଁ । ବିନୋଦ ଜୀବନରେ ତାହାହିଁ ଘଟିଛି । କମଳାକୁ ସେ ପ୍ରାଣ ଦେଇ ଭଲ ପାଉଥିଲା । ନାନା ବାଧାବିଘ୍ନ–ଆଉ ରାୟବାହାଦୁରଙ୍କର ଦୃଢ଼ ଆପତ୍ତିସତ୍ତ୍ୱେ ସେ କମଳାକୁ ବିବାହ କରିବ ବୋଲି ଆଗେଇ ଆସିଥିଲା, କିନ୍ତୁ ଅତି ବିଚିତ୍ର ଏଇ ନାରୀ ମନସ୍ତତ୍ତ୍ୱ । ଯେଉଁ କମଳା ବିନୋଦକୁ ପାଇବ ବୋଲି ବାୟାଣୀ ପରି ହେଉଥିଲା, ସେଇ ପୁଣି ତାକୁ ଅତି ସ୍ପଷ୍ଟଭାଷାରେ ପ୍ରତ୍ୟାଖ୍ୟାନ କରି ଦେଲା ।

 

ଘନଶ୍ୟାମର କଥା ଶୁଣି ମୁଁ ଏକାବେଳକେ ବିସ୍ମିତ ହୋଇଗଲି । ତେବେ କ’ଣ କମଳା ସହିତ ବିନୋଦର ବିବାହ ହୋଇନାହିଁ । ତେବେ କାହା ସହିତ ତା’ର ବିବାହ ହେଲା ।

 

ଘନଶ୍ୟାମ ପୁଣିଥରେ ନିଜର ହାତଘଡ଼ିକୁ ଚାହିଁ ସମୟ ଦେଖିଲା । ତା’ପରେ କହିଲା–ବେଣୀମାଧବପୁରର ସେହିପରି ଗୋଟିଏ ଅସ୍ତମାନ ଜମିଦାର ଘରର ଝିଅ ସଙ୍ଗେ । ହରେକୃଷ୍ଣ ପଟ୍ଟନାୟକ ଥିଲେ ରାୟ ବାହାଦୁରଙ୍କର ବାଲ୍ୟବନ୍ଧୁ । ତାଙ୍କରି ଗୋଟିଏ ନିରକ୍ଷର ଗାଉଁଲି ଝିଅକୁ ବିନା ଯୌତୁକରେ ରାୟ ବାହାଦୁର ବୋହୂକରି ଆଣିଛନ୍ତି । ନିଜର ବିଶାଳ ଭଙ୍ଗା ଘରଟାର ସାମନା ପଟଟା ଦଶହଜାର ଟଙ୍କାରେ ରାଧୁ ଖୁଣ୍ଟିଆ କଣ୍ଟ୍ରାକ୍‍ଟରକୁ ବିକ୍ରିକରି ପୁଅ ବାହାଘରେ ଖୁବ୍ ଧୁମ୍‍ଧାମ୍ କଲେ, କିନ୍ତୁ ବୁଢ଼ାର ସବୁସ୍ଵପ୍ନ ମିଳାଇ ଗଲା । ବିନୋଦ ଏବେ ଦିନରାତି ମଦ ଖାଇ ବାହାରେ ବୁଲୁଛି । ଘରକୁ ଯାଉ ନାହିଁ । ମୁଁ ଏବେ ଉଠିବି, ଭାଇ । ଗୋଟିଏ ଜରୁରି ସମ୍ବାଦ ଦିଲ୍ଲୀ ପଠାଇବାକୁ ହେବ–ଏହା କହି ଘନଶ୍ୟାମ ବ୍ୟସ୍ତ ଭାବରେ ଉଠି ପଡ଼ିଲା । ମୁଁ ପଚାରିଲି–ଆଉ କମଳା ! କମଳା କ’ଣ ଏ ପର୍ଯ୍ୟନ୍ତ ବିବାହ ହୋଇ ନାହିଁ ?

 

–ଆରେ ଛି, ଛି, ଛି ! ସେଇଟା କଥା ଆଉ କହ ନାହିଁ । ନିଜ ଇଚ୍ଛାରେ କଚେରିରେ ଶପଥ ପାଠକରି ସେ ଗନିମିଆଁକୁ ବାହା ହେଲା । ଗନିମିଆଁର ଅର୍ଥ ଲୋଭରେ ସେ ବିନୋଦକୁ ପ୍ରତ୍ୟାଖ୍ୟାନ କଲା । ଗନିମିଆଁ ତା’ ନାଁରେ କରିଥିବା ମକଦ୍ଦମା କଚେରିରୁ ଉଠେଇ ନେଲା । କମଳା ବର୍ତ୍ତମାନ ଘୋର ପର୍ଦାନସିନ୍ ମୁସଲମାନୀ ମହିଳା । ତା’ର ବର୍ତ୍ତମାନ ନୂଆ ନାମ ହେଉଛି ଫତୀମା ବିବି । ଆଚ୍ଛା ଭାଇ, ମୋର ବିଳମ୍ବ ହେଉଛି । ପରେ ଆଉ ସବୁ କହିବି ।

 

ଘନଶ୍ୟାମ ତା’ର ହାତ ବ୍ୟାଗ୍‍ଟି ଧରି ତରତର ହୋଇ ପଳାଇଗଲା ।

 

–ସତର–

 

କେତେ ମୁଁ ନିଜକୁନିଜେ ବୁଝାଇଛି ଯେ, ବିନୋଦପାଇଁ ମୋର ଏପରି ଦୁଶ୍ଚିନ୍ତାର କୌଣସି କାରଣ ନାହିଁ । ସେ ମୋର ଆତ୍ମୀୟ ବା ବନ୍ଧୁ ନୁହେଁ । ବନ୍ଧୁ ଘନଶ୍ୟାମ ଠିକ୍ କହିଛି । କାନୁନ୍‍ଗୋ ବଂଶର ନୀଳରକ୍ତର ଅବସାନ ହେବାକୁ ଯାଉଛି । ଗୋଟାଏ ବଂଶର ଏପରି ବିଲୟ କିଛି ନୂଆକଥା ନୁହେଁ । ଏହା ଗୋଟିଏ ଅବଶ୍ୟମ୍ଭାବୀ ଐତିହାସିକ ସତ୍ୟ । ସେଥିରେ ମୋର ଏପରି ଦୁଶ୍ଚିନ୍ତାର କୌଣସି ସଙ୍ଗତ କାରଣ ନାହିଁ ।

 

କିନ୍ତୁ ଯେତେ ଦୃଢ଼ ଭାବରେ ବିନୋଦ କଥା ମୁଁ ଏଡ଼ାଇ ଯିବାକୁ ଚାହିଁଛି, ସେତେ ସ୍ପଷ୍ଟ ହୋଇ ସେ ମୋ ଅନ୍ତରର ନିଭୃତରେ ଜାଗି ଉଠିଛି । ତା’ପରେ ବିନୋଦକୁ ମୁଁ କେତେ ସ୍ଥାନରେ ଖୋଜିଛି, କିନ୍ତୁ ପାଇ ନାହିଁ । ଜଗବନ୍ଧୁର ପୁରାତନ ଭଙ୍ଗା କୁଡ଼ିଆଟା ବର୍ତ୍ତମାନ ଗୋଟିଏ ସୁନ୍ଦର କୋଠା ଘରରେ ପରିଣତ ହୋଇଛି । ଶୋଭନାର ପୈତୃକ ଘରଟି ମଧ୍ୟ ଅଦ୍ଭୁତ ଭାବରେ ରୂପାନ୍ତର ଲାଭ କରିଛି, କିନ୍ତୁ ଏକାଧିକ ଥର ଯାଇ ମଧ୍ୟ ସେମାନଙ୍କୁ ମୁଁ ପାଇ ନାହିଁ । ଦୁଇଟିଯାକ ଘରେ ତାଲା ଝୁଲୁଛି । ବନ୍ଧୁ ଘନଶ୍ୟାମ ପୁଣି ଦିଲ୍ଲୀ ଚାଲି ଯାଇଛି । ସେ ବର୍ତ୍ତମାନ ଜଣେ ନେତୃସ୍ଥାନୀୟ ବ୍ୟକ୍ତି । ନଷ୍ଟ କରିବାପାଇଁ ତା’ର ବିନ୍ଧୁମାତ୍ର ସମୟ ନାହିଁ । ସେ ବର୍ତ୍ତମାନ ଅଦୂର ଭବିଷ୍ୟତ୍‍ରେ ମନ୍ତ୍ରୀତ୍ଵ ପ୍ରାପ୍ତିର ସ୍ଵପ୍ନ ଦେଖୁଛି ।

 

ଦିନେ ଅତି ଆକସ୍ମିକ ଭାବରେ ଗନିମିଆଁ ସହିତ ମୋର ଦେଖା ହେଲା । ଖଣ୍ଡିଏ ଫିଟିନ୍ ଗାଡ଼ିରେ ବସି ଯାଉଥିଲା । ସେ ଆହୁରି ମୋଟା ହୋଇ ଯାଇଛି । ଆହୁରି କଦାକାର ହୋଇ ଯାଇଛି । ଏସିଡ୍ ପଡ଼ି ଯେଉଁ ଆଖିଟି ଫୁଟି ଯାଇଥିଲା, ସେଇଟା କିପରି ଫୁଲି ଉଠିଛି । ଡୋଳାଟି ଯେପରି ସାମାନ୍ୟ ବାହାରକୁ ବାହାରି ପଡ଼ିଛି । ଆଖିରେ ସୁର୍ମା ଲଗାଇ ମୁଣ୍ଡରେ ଫେଜ୍ ଟୋପି ପିନ୍ଧି ଗନିମିଆଁ ଫିଟିନ୍ ଗାଡ଼ିରେ ବସିଥିଲା । ନିକଟରେ ସର୍ବାଙ୍ଗ ବୁର୍ଖାରେ ଆବୃତ କରି ତା’ର ନବବିବାହିତା ବିବି କମଳା ବସିଥିଲା । ଗନିମିଆଁ ସହିତ କଥାବାର୍ତ୍ତା କରିବାକୁ ମୋର ଆଦୌ ଇଚ୍ଛା ନଥିଲା, କିନ୍ତୁ ସେ ମୋତେ ଦେଖିପାରି ତା’ର କୁତ୍ସିତ ଓ ବିବର୍ଣ୍ଣ ଦାନ୍ତଗୁଡ଼ିକ ବାହାର କରି କହିଲା–ଆଜାଦ୍ ବାବୁଜୀ ! ସବୁ ଭଲ ତ ?

 

ସାମାନ୍ୟ ଟିକିଏ ମୁଣ୍ଡ ଟୁଙ୍ଗାରି ମୁଁ ସେଠାରୁ ଚାଲିଗଲି । ଏଇ କୁତ୍ସିତ ଲୋକଟା ସହିତ କଥାବାର୍ତ୍ତା କରିବାପାଇଁ ମୋର ପ୍ରବୃତ୍ତି ହେଲା ନାହିଁ । ସ୍ଥିର ଓ ନିଶ୍ଚଳ ଭାବରେ ବୁର୍ଖାରେ ସର୍ବାଙ୍ଗ ଢାଙ୍କି କମଳା ବସିଥିଲା । ତା’ର ମୁହଁ ଦେଖାଯାଉ ନାହିଁ । ମୁଁ ଯେଉଁ ଛନ୍ଦମୟୀ ଝିଅଟିକୁ ଦେଖିଥିଲି, ସେ କମଳାର ମୃତ୍ୟୁ ହୋଇଛି । ତା’ର ପ୍ରେତାତ୍ମା ନିଶ୍ଚଳ ଭାବରେ ଯେପରି ଆଜି ବୁର୍ଖାତଳେ ବସିଛି । ଯେଉଁ ଲାବଣ୍ୟମୟୀ କମଳାର ବୁକୁତଳେ ଦିନେ ଗୋଟିଏ ଅତି ସୁନ୍ଦର ଓ କାବ୍ୟିକ ଜୀବନ କଳ୍ପନା ଗଢ଼ି ଉଠିଥିଲା । ତା’ର ମୁର୍ଦାର ଯେପରି ବୁର୍ଖାତଳେ ବସି ରହିଛି । ସେ ବୁକୁରେ ଆଉ ଯେପରି ସ୍ପନ୍ଦନ ମଧ୍ୟ ନାହିଁ ।

 

କାହିଁକି କେଜାଣି, କମଳା ଉପରେ କୌଣସି କ୍ରୋଧ ପରିବର୍ତ୍ତରେ ମୋର ଅନୁକମ୍ପା ହେଲା । ମଣିଷ ମନକୁ ତା’ର ପ୍ରଚ୍ଛଦପଟ ଦେଖି ବିଚାର କରିବା ଗୋଟାଏ ମହାଭ୍ରମ । କେବଳ ଧନ ଛଡ଼ା ଗୋଟିଏ ନାରୀର ମନକୁ ଆକର୍ଷଣ କରିବା ଭଳି କୌଣସି ଗୁଣ ଗନିମିଆଁର ନାହିଁ । ଅତି କଦର୍ଯ୍ୟ ଚେହେରାର ଗୋଟିଏ ପ୍ରୌଢ଼ । ଗୋଟାଏ ମଦ୍ୟପ ଗୁଣ୍ଡା । କମଳା ଯେ କଦାପି ସ୍ଵଇଚ୍ଛାରେ ଏଇ ନରଦାନବଟାକୁ ବରଣ କରି ନାହିଁ, ଏହା ମୋର ଦୃଢ଼ବିଶ୍ୱାସ । କେଉଁ ଏକ ଉଦ୍ଦାମ ଜୀବନ ଝଡ଼ର ଆଘାତରେ ଯେ, ଏଇ ସୁନ୍ଦର ଫୁଲଟି ଝଡ଼ି ପଡ଼ିଲା, ତା’ ମୁଁ ଜାଣେ ନାହିଁ । କେବଳ ଏଇ ଝିଅଟି ନୁହେଁ–ତା’ରିପାଇଁ ସୃଷ୍ଟିର ଆଉ ଗୋଟିଏ ସୁନ୍ଦର ଅବଦାନ ବିନୋଦ ମଧ୍ୟ ତା’ର ଜୀବନ–ଲକ୍ଷ୍ୟ ପଥରୁ ଲକ୍ଷ୍ୟଚ୍ୟୁତ ହୋଇ ମହାଶୂନ୍ୟରେ ଘୂରି ବୁଲୁଛି । ସ୍ଵର୍ଗଚ୍ୟୁତ ଜ୍ୟୋତିଷ୍କ ପରି ଆଉ ଅଳ୍ପକାଳ ପରେ ସେ ମହାବିଶ୍ଵରୁ ନିଶ୍ଚିହ୍ନ ହୋଇଯିବ ।

 

ଆଉଦିନେ ହଠାତ ବାଟରେ ଯାଉଯାଉ ଦଣ୍ଡଧର ନାୟକର “ଜ୍ୟୋତିଷାଳୟ” ମୋର ଦୃଷ୍ଟି ଆକର୍ଷଣ କଲା । ଏଇ ଲୋକଟି କଥା ମୁଁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି । ଭଙ୍ଗା ଚାଳ ଘରଟିର ସମ୍ପୂର୍ଣ୍ଣ ରୂପାନ୍ତର ହୋଇଛି । “ଦି ଏଲାଇଡ଼ ଫୋର୍ ଟେଲର୍ସ୍” ସାଇନବୋର୍ଡ଼ଟି ନୂଆକରି ରଙ୍ଗ କରାହୋଇଛି । ସାମ୍ନାରେ ନୂଆ ସିମେଣ୍ଟ ବାରଣ୍ଡା ହୋଇଛି–ଆଉ ପ୍ରବେଶ ଘରର ଦୁଆରମୁହଁରେ ଖଣ୍ଡିଏ ଚକଚକିଆ ପରଦା ଝୁଲୁଛି । ଜ୍ୟୋତିଷାର୍ଣ୍ଣବଙ୍କର ବ୍ୟବସାୟରେ ଯେ ଯଥେଷ୍ଟ ଉନ୍ନତି ହୋଇଛି–ଏଥିରେ ସନ୍ଦେହ ନାହିଁ । ବାହାରେ ସଡ଼କ ଉପରେ ଦୁଇଖଣ୍ଡି ମଟରକାର୍ ରହିଛି । ବୋଧହୁଏ କୌଣସି ଧନୀ ମହକିଲ ପଣ୍ଡିତଙ୍କ ନିକଟକୁ ଭାଗ୍ୟଗଣନା କରାଇବାକୁ ଆସିଛନ୍ତି ।

 

ଜ୍ୟୋତିଷାର୍ଣ୍ଣବକୁ ଦେଖିବାପାଇଁ ବଡ଼ ଇଚ୍ଛାହେଲା । ଜ୍ୟୋତିଷାଳୟ ଭିତରକୁ ମୁଁ ପଶିଗଲି । ପ୍ରଥମ ଘରଟିରେ ବର୍ତ୍ତମାନ ଜ୍ୟୋତିଷାର୍ଣ୍ଣବ ଅଫିସ କରୁନାହିଁ । ଏଇଟି ବର୍ତ୍ତମାନ ମହକିଲମାନଙ୍କର ପ୍ରତୀକ୍ଷାଳୟ । ଦୁଇଖଣ୍ଡି ବେଞ୍ଚ୍ ପଡ଼ିଛି ଓ ତା’ ଉପରେ କେତେଜଣ ଲୋକ ବସିଛନ୍ତି । ତା’ ଛଡ଼ା ଖଣ୍ଡିଏ ଟେବୁଲ ନିକଟରେ ଖଣ୍ଡେ ଚଉକି ପଡ଼ିଛି । ତା’ ଉପରେ ଗୋଟିଏ ଅତିଶୟ ଧଡ଼ିଆ ଲୋକ ସର୍ବାଙ୍ଗରେ ଖଦଡ଼ ପିନ୍ଧି ଗୁରୁଗମ୍ଭୀର ବଦନରେ ବସିଛି । ମୁଁ ଘରେ ପଶିବାର ଦେଖି ଲୋକଟା ମୋ ଆଡ଼େ ଚାହିଁଲା । ମୁଁ ତା’ ସହିତ କୌଣସି କଥାବାର୍ତ୍ତା ନ କରି ଦଣ୍ଡଧରକୁ ଦେଖିବାପାଇଁ ଭିତର ଘରକୁ ଆଗେଇଲି । ଲୋକଟା ହଠାତ ଉଠିପଡ଼ି ମୋ ନିକଟକୁ ଦୌଡ଼ିଆସିଲା । ମୋ’ ସାମନାରେ ଛିଡ଼ାହୋଇ କହିଲା–କୁଆଡ଼େ ଟଙ୍ଗ୍‍ଟଙ୍ଗ୍‍ ଚାଲିଯାଉଛ ବାବୁ ! ଏଠି କ’ଣ ଲେଖାହୋଇଛି ଦେଖିପାରୁନ’ !

 

ଏଥର ମୁଁ ଲୋକଟା ନିର୍ଦ୍ଦେଶ କରିବା ସ୍ଥାନକୁ ଚାହିଁ ଦେଖିଲି । କାନ୍ଥ ଦେହରେ ସାନସାନ କଣ୍ଟାଦେଇ ଖଣ୍ଡେ କାଗଜ ମରାହୋଇଛି । ତା’ ଉପରେ କାଳିରେ ଲେଖା ହୋଇଛି–“ସହକାରୀ ଜ୍ୟୋତିଷଙ୍କ ଠାରୁ ଅନୁମତି ନ ନେଇ ଭିତରେ ପ୍ରବେଶ ନିଷେଧ ।” ମୋତେ ହସମାଡ଼ିଲା । ଏଇ ଧଡ଼ିଆ ଲୋକଟାର ବ୍ୟବହାର ଦେଖି ମୁଁ ଜାଣିପାରିଲି ଯେ ସେ ସ୍ଵୟଂ ହେଉଛି ସହକାରୀ ଜ୍ୟୋତିଷ । ଲୋକଟାର ସାମନା ପଟରୁ ଦୁଇ ତିନୋଟି ଦାନ୍ତ ନାହିଁ । ଗାଲ ଦୁଇଟି ପାତିମାଙ୍କଡ଼ଙ୍କ ପରି ଭିତରକୁ ଦବିଯାଇଛି । ମୁହଁରୁ ଚୁଆଦିଆ କଞ୍ଚା ଗୁଣ୍ଡିର ଅତି କଡ଼ା ଗନ୍ଧ ବାହାରୁଛି । ମୁଁ ତା’ କାନ୍ଧ ଉପରେ ହାତ ରଖି ସାମାନ୍ୟ ହସି କହିଲି–ତମେ କ’ଣ ସହକାରୀ ଜ୍ୟୋତିଷ ?

 

ସାମାନ୍ୟ ରାଗିଯାଇ ଲୋକଟା–ନିଶ୍ଚୟ, ବଚନରୁ ବୁଝିପାରୁନା’ ! କବିସୂର୍ଯ୍ୟ ନଗରର ପଣ୍ଡିତ ଭାସ୍କର ଆଚାର୍ଯ୍ୟଙ୍କ ନାଁ ଖବରକାଗଜରେ ପଢ଼ିନା’ ?

 

–ହଁ, ହଁ, ମୁଁ କେତେଥର ପଢ଼ିଛି ବୋଲି ମନେହେଉଛି । ସେଇ ମହାପୁରୁଷ କ’ଣ ତମେ-? ତମଛଡ଼ା ଆଉ କେତେଜଣ ସହକାରୀ ଜ୍ୟୋତିଷ ଏଠାରେ ଅଛନ୍ତି ? ପଣ୍ଡିତ ଶ୍ରୀ ଜଗବନ୍ଧୁ ଛୋଟରାୟ ଆଜିକାଲି ଏଠାରେ ଅଛନ୍ତି ତ ?

 

ବିରକ୍ତ ହୋଇ ମୋ ହାତଟା ତା’ କାନ୍ଧରୁ କାଢ଼ିଦେଇ ସେ କହିଲା–ଜଗବନ୍ଧୁ ବୋଲି ଏଠାରେ କେହି ନାହିଁ । ମୁଁ ତା’କୁ ଜାଣେନାହିଁ ।

 

ଏଇ ସମୟରେ ଦଣ୍ଡଧର ନାୟକର କୋଠରି ଭିତରୁ ପରଦା ଟେକି ଗୋଟିଏ ମୋଟା ଲୋକ ବାହାରିଲା ବୋଧହୁଏ ଜଣେ ବ୍ୟବସାୟୀ । ଯୁଦ୍ଧ ବଜାରରେ ବହୁତ ଧନ ଅର୍ଜନ କରିପାରିଛି । ସ୍ଵାଧୀନ ଭାରତରେ ତା’ର ଭାଗ୍ୟରେ କ’ଣ ଅଛି, ସେଇକଥା ଜାଣିବାପାଇଁ ବୋଧହୁଏ ଏଠାକୁ ଆସିଥିଲା । ପୃଥୁଳକାୟ ଭଦ୍ରଲୋକଟି ହସହସ ମୁହଁରେ ବାହାରିବାର ଦେଖି ସହକାରୀ ଜ୍ୟୋତିଷ ସମ୍ଭ୍ରମର ସହିତ ତାଙ୍କ ନିକଟକୁ ଚାଲିଗଲା । ସେଇ ଅବସରରେ ମୁଁ ପରଦା ଟେକି ଭିତରକୁ ପଶିଗଲି । ମୋତେ ବିନା ଅନୁମତିରେ ଭିତରକୁ ଏପରିଭାବରେ ପଶିଯିବାର ଦେଖି ଧଡ଼ିଆ ଲୋକଟା ଦୌଡ଼ିଆସି ପଛଆଡ଼ୁ ମୋର ସାର୍ଟଟା ଟାଣିଧରି ମୋତେ ଅଟକାଇବାକୁ ଚେଷ୍ଟାକଲା । କିନ୍ତୁ ପାରିଲା ନାହିଁ । ମୁଁ ନିର୍ବିଘ୍ନରେ ଜ୍ୟୋତିଷାର୍ଣ୍ଣବ ଦଣ୍ଡଧର ନାୟକର ଖାସ୍ କାମରା ଭିତରେ ପ୍ରବେଶ କଲି ।

 

ଦଣ୍ଡଧର ଖଣ୍ଡିଏ ଚଉକିରେ ବସି ଗଭୀର ମନଯୋଗ ସହକାରେ ଖଣ୍ଡିଏ ମୋଟା ଖଡ଼ିରତ୍ନ ପଞ୍ଜିକା ଅଧ୍ୟୟନ କରୁଥିଲା । ତା’ ରୂପ ଦେଖି ମୁଁ ହସିପକାଇଲି । ସର୍ବାଙ୍ଗରେ ଖଦଡ଼ ପିନ୍ଧିଛି । ଘର ଭିତରେ ବିଜୁଳି ପଙ୍ଖା ନାହିଁ । ଅସହ୍ୟ ଗରମ । ଏତେ ଗରମରେ ମଧ୍ୟ ଦଣ୍ଡଧର ଖଣ୍ଡିଏ କଳା ଖଦଡ଼ର ଜହର ଜାକେଟ୍ ପିନ୍ଧି ବସିଛି । ମୁଣ୍ତଟି ଖୁର ବୁଲାଇ ସମ୍ପୂର୍ଣ୍ଣରୂପେ ଲଣ୍ଡା ହୋଇପଡ଼ିଛି । କପୋଳରେ ତିଳକ ଛାପା । ଆଖିରେ ଇରାନୀମାନଙ୍କ ଠାରୁ କିଣା ଶସ୍ତା ଚଶମା । ଗୋଟିଏ କଥାରେ କହିବାକୁ ଗଲେ ଦଣ୍ଡଧର ନାୟକ ସାଜ ପୋଷାକରେ ଜଣେ ଦୃଢ଼କର୍ମକାରୀ ପଣ୍ଡିତ୍‍ଜୀ ହୋଇ ବସିଛି ।

 

ମୁଁ ଭଲଭାବରେ ଜାଣେ ଯେ ଏଇ ମହା ପଣ୍ଡିତଙ୍କର ବିଦ୍ୟା ଗ୍ରାମ୍ୟ ଚାହାଳିରୁ ଆଗକୁ ଆଗେଇ ନାହିଁ । କିନ୍ତୁ ଦେଖି ଆଶ୍ଚର୍ଯ୍ୟ ହେଲି ଯେ ଗୋଟିଏ ବଡ଼ କାଚ ଆଲମିରାରେ ବଡ଼ ଓ ମୋଟା ଇଂରାଜୀ ବହି ଭର୍ତ୍ତି ହୋଇ ରହିଛି । ସବୁଗୁଡ଼ିକ ବହି ଜ୍ୟୋତିଷ ଶାସ୍ତ୍ର ବିଷୟକ । କାନ୍ଥରେ ଜ୍ୟୋତିଷାର୍ଣ୍ଣବଙ୍କର ବଡ଼ ଫଟ ଟଙ୍ଗା ହୋଇଛି । ତା’ ଉପରେ ଗୋଟିଏ ତରାଟଫୁଲର ମାଳ ଝୁଲୁଛି-

 

ଦଣ୍ଡଧର ପ୍ରଥମେ ମୋତେ ଦେଖି ନଥିଲା । ମୋର ଉପସ୍ଥିତି ସେ ନିଶ୍ଚୟ ଅନୁଭବ କରିଥିବ । କିନ୍ତୁ କୌଣସି ମହକିଲ ମନେକରି ନିଜର ଗୁରୁତ୍ଵ ପ୍ରମାଣ କରିବାପାଇଁ ବହୁକ୍ଷଣ ପର୍ଯ୍ୟନ୍ତ ଖଡ଼ିରତ୍ନ ପଞ୍ଜିକା ଉପରୁ ଆଖି ଟେକି ଚାହିଁଲା ନାହିଁ । ଅବଶେଷରେ ପାଞ୍ଜିଟି ବନ୍ଦକରି ଗୁରୁଗମ୍ଭୀର ବଦନରେ ମୋ’ଆଡ଼େ ମୁଣ୍ଡ ଟେକି ଚାହିଁଲା । କାହିଁକି କେଜାଣି, ମୋତେ ଦେଖି ବିରକ୍ତିରେ ତା’ର ଭ୍ରୂକୁଞ୍ଚିତ ହୋଇ ଉଠିଲା । ମୋ’ ମୁହଁରେ ହସ ଦେଖି ସେ ବୋଧହୁଏ ଅତିଶୟ ଅପମାନିତ ବୋଧକଲା । ମୁଁ କହିଲି–ଜଗବନ୍ଧୁର ସମ୍ବାଦ ନେବାପାଇଁ ମୁଁ ଆସିଛି । ସେ କ’ଣ ଏଠାରେ ଆଉ ସହକାରୀ ଜ୍ୟୋତିଷ ଭାବରେ ନାହିଁ ?

 

ଦଣ୍ଡଧର ମୋତେ କୌଣସି ଉତ୍ତର ଦେଲା ନାହିଁ । ଚଉକିରୁ ଉଠି ପେଙ୍ଗେଇ ପେଙ୍ଗେଇ ଗୋଟିଏ ବହି ଆଲମିରା ପାଖକୁ ଯାଇ ଆଉ ଖଣ୍ଡିଏ ମୋଟା ପାଞ୍ଜି ଉଠାଇନେଲା ଓ ପୁଣି ଫେରିଆସି ଗମ୍ଭୀର ଭାବରେ ଚଉକିରେ ବସିଲା । ଦଣ୍ତଧରର ବ୍ୟବହାର ଦେଖି ମୁଁ ମନେମନେ କୌତୁକ ଅନୁଭବ କଲି । ମୈତୁମିଆଁର ଠେଙ୍ଗାର ସ୍ୱାକ୍ଷର ଆଜିପର୍ଯ୍ୟନ୍ତ ତା’ ଗୋଡ଼ରେ ରହିଛି । ଏ ପର୍ଯ୍ୟନ୍ତ ସେ ପେଙ୍ଗେଇ ପେଙ୍ଗେଇ ଚାଲିଛି । ମୁଁ ଆଉ ଖଣ୍ଡିଏ ଚଉକି ଟାଣିଆଣି ଦଣ୍ଡଧର ସାମନାରେ ବସିଲି । ଏଥର ଦଣ୍ଡଧର ବହି ଉପରୁ ମୁଣ୍ଡଟେକି ଅତିଶୟ ବିରକ୍ତିଭରା କଣ୍ଠରେ କହିଲା–ଜଗବନ୍ଧୁ ଏଠାରେ ଆଉ ନାହିଁ । ସେଇଟା ଗୋଟାଏ ଚୋର । ତହବିଲ୍‍ରୁ ସବୁ ଟଙ୍କା ନେଇ ସେ ପଳାଇଗଲା । ମୋର ବର୍ତ୍ତମାନ ଜରୁରି କାମ ଅଛି । ଆପଣ ଏବେ ଯା’ନ୍ତୁ ।

 

ମୋତେ ବିଦାୟ କରିବାପାଇଁ ଦଣ୍ଡଧର ବ୍ୟସ୍ତ ହୋଇ ଉଠିଲା । କିନ୍ତୁ ମୁଁ ଉଠି ନ ଯାଇ ପୁଣି କହିଲି–ତୁମର ସେ ଭଙ୍ଗା ଗୋଡ଼ଟା ଏପର୍ଯ୍ୟନ୍ତ ଭଲ ହେଲାନାହିଁ ! ଏଥିପାଇଁ କୌଣସି କବଚ ଫବଚ ତୁମର ଜଣାନାହିଁ !

 

ଏଥର ମୋ’ କଥା ଶୁଣି କ୍ରୋଧ ଓ ଅପମାନରେ ଦଣ୍ଡଧରର ମୁହଁ ନାଲି ପଡ଼ିଗଲା । ହଠାତ ଚଉକି ଉପରୁ ଉଠି ପେଙ୍ଗେଇ ପେଙ୍ଗେଇ ମାଡ଼ିଆସିଲା । ମୁଁ ଭାବିଲି ଯେ ମୋତେ ବୋଧହୁଏ ଆକ୍ରମଣ କରିବାପାଇଁ ଆସୁଛି । କିନ୍ତୁ ତାହା ନୁହେଁ । ମୋ’ ପାଖଦେଇ ସେ ଝଡ଼ ବେଗରେ ବାହାରକୁ ବାହାରିଗଲା । ମୁଁ କିଛିକ୍ଷଣ ପର୍ଯ୍ୟନ୍ତ ଘରଭିତରେ ଏକା ବସିରହିଲି । ଭାବିଥିଲି ଯେ କିଛିକ୍ଷଣ ପରେ ହୁଏତ ଦଣ୍ତଧର ଫେରି ଆସିବ । ଏଥର ତାକୁ ଆଉ ନ ରଗାଇ ଜଗବନ୍ଧୁ ବିଷୟରେ ସବୁ ପଚାରି ବୁଝିନେବି । କିନ୍ତୁ ଦଣ୍ତଧର ଫେରିଲା ନାହିଁ । ତା’ ପରିବର୍ତ୍ତରେ ସହକାରୀ ଜ୍ୟୋତିଷ ଭାସ୍କର ଆଚାର୍ଯ୍ୟ ପରଦା ଟେକି ଘରଭିତରେ ପଶିଲା । ମୋ ଦେହରେ ହାତରଖି କହିଲା–ଏବେ ଉଠ । ଦୁଆର ଦିଆହେବ ।

 

–କାହିଁକି ? ଜ୍ୟୋତିଷାର୍ଣ୍ଣବ କ’ଣ ଆଉ ଫେରିବେ ନାହିଁ ।

 

ଭଙ୍ଗା ଦାନ୍ତ ଫାଙ୍କରେ ପାନପିକ ବୋହିପଡ଼ିବା ଭୟରେ ତଳ ଓଠଟାକୁ ବିକୃତ ଭାବରେ ଉପରକୁ ଟେକି ଧଡ଼ିଆ ଲୋକଟା କହିଲା–ନା, ନା । ଜ୍ୟୋତିଷାର୍ଣ୍ଣବ ବର୍ତ୍ତମାନ ଫେରିବେ ନାହିଁ । ସେ “ଭିଜିଟ୍”ରେ ବାହାରକୁ ଚାଲିଗଲେ ।

 

କଥାଟାର ସାରମର୍ମ ଠିକ୍‍ କରି ବୁଝି ନ ପାରି ମୁଁ କହିଲି–“ଭିଜିଟ୍” ମାନେ !

 

ମୋର ଅଜ୍ଞତାରେ ଧଡ଼ିଆ ଲୋକଟା ଏକରକମ ଚିଡ଼ି ଉଠିଲା–“ଭିଜିଟ୍” ବୁଝିପାରୁନ ! ଡାକ୍ତରମାନେ ରୋଗୀ ଦେଖିବାକୁ ଗଲେ ତାକୁ କ’ଣ କହନ୍ତି ।

 

ଏଥର କଥାଟାର ପ୍ରକୃତ ଅର୍ଥ ବୁଝିପାରି ମୁଁ ଉଚ୍ଚଶବ୍ଦରେ ହସି ଉଠିଲି । ଜ୍ୟୋତିଷାର୍ଣ୍ଣବ ଯେ ଏଠାରେ ବସି ଲୋକଙ୍କର ଭାଗ୍ୟଗଣନା କରୁଛନ୍ତି, ତା’ ନୁହେଁ । ଘରଘର ବୁଲି ମଧ୍ୟ ଭାଗ୍ୟ ରୋଗୀମାନଙ୍କୁ ବିଭିନ୍ନ କବଚ ପ୍ରଭୃତି ପ୍ରଦାନ କରି ଚିକିତ୍ସା କରୁଛନ୍ତି । ମୋ’ର ହସ ଦେଖି ଧଡ଼ିଆ ଲୋକଟା ଅତିଶୟ କ୍ରୁଦ୍ଧ ହୋଇ ଉଠିଲା । ମୋତେ ଏକରକମ ଠେଲି ଘର ଭିତରୁ ବାହାର କରି ଦେଉଦେଉ କହିଲା–ହଉ, ଏବେ ବାହାରିଯାଅ । ଏଇଟା ଖେଁଖେଁ କରି ହସିବା ଜେଗା ନୁହେଁ ।

 

ତା’ପରେ ଆହୁରି କେତୋଟି ଦିନ କଟିଗଲା । ବିନୋଦ ବା ଜଗବନ୍ଧୁ ସହିତ ମୋର ଦେଖା ହୋଇନାହିଁ । ଶୋଭନା ଘରେ ଆଗପରି ତାଲା ଝୁଲୁଛି । ହୁଏତ ଏତେଦିନ ଭିତରେ ଜଗବନ୍ଧୁ ସହିତ ଶୋଭନାର ବିବାହ ହୋଇ ଯାଇଛି । ଦୁଇଜଣଯାକ ହୁଏତ କଟକ ଛାଡ଼ି କେଉଁଆଡ଼େ ହନିମୁନ୍ କରିବାକୁ ବାହାରି ଯାଇଛନ୍ତି । ଜ୍ୟୋତିଷାର୍ଣ୍ଣବ ଦଣ୍ଡଧର ନାୟକର ତହବିଲ୍ ଭାଙ୍ଗି ହେଉ ବା “ଥ୍ରି ଥଣ୍ଡର ଭୋଲ୍‍ଟ” ବିଜିନେସ୍‍ରେ ହେଉ–ଜଗବନ୍ଧୁର ଯେ ଯଥେଷ୍ଟ ଆର୍ଥିକ ଉନ୍ନତି ହୋଇଛି ଏଥିରେ କୌଣସି ସନ୍ଦେହ ନାହିଁ । ଜଗବନ୍ଧୁର ପୈତୃକ କୁଡ଼ିଆଟି ଓ ଶୋଭନାର ଭଙ୍ଗା ଘରଖଣ୍ତି ଯେପରି ଭାବରେ ନବ ଜନ୍ମ ଲାଭ କରିଛି, ସେଥିରୁ ତା’ର ଆର୍ଥିକ ଉନ୍ନତିର ପ୍ରମାଣ ଅତି ସୁସ୍ପଷ୍ଟ ।

 

ତା’ପରେ ଆଉଥରେ ବିନୋଦକୁ ଖୋଜିବାପାଇଁ ମୁଁ ରାୟବାହାଦୁରଙ୍କ ଘରକୁ ଯାଇଥିଲି-। ପ୍ରାଚୀନ କାନୁନ୍‍ଗୋ ଭବନର ମୃତଦେହ ଉପରେ ଏ କାଳର କଣ୍ଟ୍ରାକ୍‍ଟର ରାଧୁ ଖୁଣ୍ଟିଆର ନୂଆ ଘର ଗଢ଼ି ଉଠୁଛି । ବହୁକ୍ଷଣ ପର୍ଯ୍ୟନ୍ତ ଚାହିଁ, ଚାହିଁ, ମୁଁ ଏ ଦୃଶ୍ୟ ଦେଖିଲି । ଏହାହିଁ ଜଗତର ନିୟମ-। ପୁରାତନର ଭିତ୍ତି ଉପରେ ନୂତନ ଗଢ଼ି ଉଠେ । ବୈଶାଖର ଧୁଧୁଇଆ ତୃଣହୀନ ପ୍ରାନ୍ତର ତଳେ ଆଗାମୀ ଘାସଫୁଲ ନିଦ୍ରାମଗ୍ନ ଥାଏ ।

 

ସେଦିନ କିନ୍ତୁ ଘରଭିତରକୁ ଯିବାର ଅନୁମତି ମୁଁ ପାଇ ନଥିଲି । ମାଈଚିଆ ଚାକରଟା ମୋତେ ଭିତରେ ପଶିବାକୁ ଦେଲା ନାହିଁ । ନିଛାଟିଆ ଖରାବେଳଟାରେ ମୋ ପରି ଗୋଟାଏ ଅଚିହ୍ନା ମଣିଷକୁ ସେ କଦାପି ଘରେ ପଶାଇ ଦେବ ନାହିଁ ମନା କରିଦେଲା । ତା’ରି ଠାରୁ ଜାଣି ପାରିଲି ଯେ ରାୟବାହାଦୁର ପୀଡ଼ିତ ଅଛନ୍ତି । କାହାରି ସହିତ ଆଉ କଥା କହୁ ନାହାନ୍ତି । କୌଣସି ଔଷଧ ମଧ୍ୟ ଖାଉ ନାହାନ୍ତି । କିଏ ଜଣେ ଡାକ୍ତର ଗୋଟାଏ ଇଞ୍ଜେକ୍‍ସନ ଦେବାକୁ ଯାଇ ରାୟବାହାଦୁରଙ୍କ ହାତର ଗୋଟାଏ ବ୍ରହ୍ମଚାପୁଡ଼ାରୁ ଅତି ଅଳ୍ପକେ ରକ୍ଷା ପାଇଗଲା । ବିନୋଦ ଆଉ ଘରକୁ ଆସୁନାଇଁ । ସେ କେଉଁଠାରେ ରହୁଛି କେହି ଜାଣନ୍ତି ନାହିଁ । ବହୂ ସାଆନ୍ତାଣୀଙ୍କର ମଧ୍ୟ ଘଡ଼ିକେ ଘୋଡ଼ା ଛୁଟୁଛି ।’’ ଦିନକେ ପାଞ୍ଚଥର ବେଚେତା ହୋଇ ଯାଉଛନ୍ତି ।

 

କିନ୍ତୁ ଅବଶେଷରେ ଦିନେ ଘନଶ୍ୟାମ ଆସି ପହଞ୍ଚିଲା । ସେହିପରି ଅତିଶୟ ବ୍ୟସ୍ତଭାବ-। ମୁହଁରେ ଅନର୍ଗଳ ବକ୍ତୃତା । ଏଥର କିନ୍ତୁ ତା’ କଥାର ଭଙ୍ଗୀ ଓ ଭାବ ସମ୍ପୂର୍ଣ୍ଣ ଓଲଟି ଯାଇଛି-। କାହିଁକି କେଜାଣି, କଂଗ୍ରେସ ଉପରେ ଏବଂ ବର୍ତ୍ତମାନର ନେତାମାନଙ୍କ ଉପରେ ସେ ପ୍ରଚଣ୍ଡ ଭାବରେ ରାଗିଯାଇଛି । ବିନା ଭୂମିକାରେ ସେ ଆରମ୍ଭ କରିଦେଲା–ତମେ ସେ ଦିନ ପଚାରୁଥିଲ ନା–ଦେଶର ଯାବତୀୟ ଗୁଣ୍ଡା, କଳାବଜାରୀ ଆଉ ସାମାଜିକ ବ୍ୟକ୍ତିମାନେ ହଠାତ ଏପରି ଭାବରେ ଖଦଡ଼ରେ ଭୂଷିତ ହୋଇ ପଡ଼ିବାର ରହସ୍ୟ କ’ଣ ? ଏଥିରେ କିଛିମାତ୍ର ରହସ୍ୟ ନାହିଁ । ଏହା ଜର୍ମାନୀର ନାଜି ଇତିହାସର ପୁନରାବୃତ୍ତି ମାତ୍ର । ‘‘ହିଟ୍‍ଲର ଭର୍ସେସ ଜର୍ମାନ ପିପଲ୍’’ ଗ୍ରନ୍ଥ ପଢ଼ିଛ-? ଥରେ ପଢ଼ି ଦେଖିବ । ଆଜିର ଏଇ କଂଗ୍ରେସୀ ନେତାମାନଙ୍କର ଗୁଣ୍ଡା ଫଉଜ ହେଉଛନ୍ତି ହିଟ୍‍ଲରର “ଷ୍ଟାରମ୍ ଟ୍ରୁପର”ମାନଙ୍କପରି । କଂଗ୍ରେସୀ ଶାସକମାନଙ୍କର ବାହୁଛାୟାତଳେ ଏଇ ଅସାମାଜିକ ନରଦାନବଗୁଡ଼ିକ ବଢ଼ି ଉଠୁଛନ୍ତି । ଯଥେଷ୍ଟ ଅର୍ଥ ସାହାଯ୍ୟ ମଧ୍ୟ ପାଉଛନ୍ତି । ଏମାନଙ୍କର କାମ ହେଲା–ଯେ କୌଣସି ବିରୋଧୀ ରାଜନୈତିକ ଦଳକୁ ସଭା ସମିତି ବା ରାଜନୈତିକ ପ୍ରଚାର ପ୍ରଭୃତି କରାଇ ନ ଦେବା । ଗୋଟିଏ କଥାରେ ବୁଝାଇବାକୁ ହେଲେ–ଏମାନେ ବିଳାସୀ ଓ ଧନୀ ଶାସକମାନଙ୍କର ଦେହରକ୍ଷୀ ବା ବଡ଼ିଗାର୍ଡ଼ । ନାଜି “ଷ୍ଟାରମ୍ ଟ୍ରୁପର” ମାନଙ୍କର ନବ ସଂସ୍କରଣ । କିନ୍ତୁ ଏକଥା ମଧ୍ୟ ମୁଁ କହିବି ଯେ ଏଇ ଧନୀ ବିଳାସୀମାନଙ୍କର ଏଇ “ମସ୍‍ନଦୀ” ଶାସନ ଚିରକାଳ ରହିବ ନାହିଁ । ସାଧାରଣ ନାଗରିକ ସ୍ଵାଧୀନତାର ଫଳ ନିଶ୍ଚୟ ପାଇବ । ସେଥିପାଇଁ କିନ୍ତୁ ସମୟ ଲୋଡ଼ା । ଏହା ଏ ଜାତିର ଦ୍ଵିତୀୟ ପ୍ରହର ମାତ୍ର ।

 

–ଦ୍ଵିତୀୟ ପ୍ରହର ପୁଣି କ’ଣ ? ମୁଁ ନ ବୁଝିପାରି ପଚାରିଲି । ମୋର ଅଜ୍ଞତା ଦେଖି ବନ୍ଧୁ ଟିକିଏ ଅନୁକମ୍ପାର ହସ ହସିଲେ । ତା’ପରେ କହିଲେ–ଜଣେ ମହାପୁରୁଷଙ୍କର ଗୋଟିଏ ବାଣୀ ଉଦ୍ଧାର କରି ତୁମକୁ ଏ କଥାର ମର୍ମ ବୁଝାଇବି–

 

‘ପହଲା ପ୍ରହର୍ ମେ ସବ୍‍କୋଇ ଜାଗେ

ଦୁସ୍‍ରା ପ୍ରହର୍ ମେ ଭୋଗୀ;

ତିସ୍‍ରା ପ୍ରହର୍ ମେ ତସ୍କର ଜାଗେ

ଚଉଠା ପ୍ରହର୍ ମେ ଯୋଗୀ ।

 

–ଏଇ ମହାନ୍ ବାଣୀର ଅର୍ଥ ବୁଝି ପାରିଲ ?

 

ମୁଁ ପ୍ରକୃତରେ କିଛି ବୁଝିପାରି ନଥିଲି । ଘନଶ୍ୟାମ ମୋ ମୁଖ ଭାବଛୁ ତା’ ବୁଝିପାରି କହିଲା–ଏଇଟା ଅବଶ୍ୟ ମଣିଷ ବା “ବ୍ୟକ୍ତି”ପାଇଁ ପ୍ରଯୁଜ୍ୟ । କିନ୍ତୁ ତମେ ଜାଣିରଖ ଯେ ଯେଉଁ ସତ୍ୟ ବ୍ୟକ୍ତିପାଇଁ ପ୍ରଯୁଜ୍ୟ, ତାହା ଗୋଟାଏ ସମଗ୍ର ଜାତିପାଇଁ ପ୍ରଜୁଯ୍ୟ । କାରଣ ଜାତିଟା ବ୍ୟକ୍ତିର ସମଷ୍ଟି ଛଡ଼ା ଆଉ କିଛି ନୁହେଁ ।

 

–କିନ୍ତୁ ବର୍ତ୍ତମାନ ‘‘ଦ୍ୱିତୀୟ ପ୍ରହର’’ ବୋଲି କ’ଣ ବୁଝାଇବାକୁ ଚାହୁଁଛ ।

 

କିଛିକ୍ଷଣ ନୀରବ ରହି ଘନଶ୍ୟାମ କହିଲା–୧୯୪୨ ମସିହାର ଜନଜାଗରଣ ହେଉଛି ଏ ଜାତିର ପ୍ରଥମ ପ୍ରହର । ଚାଷୀ ମୂଲିଆ, ମଜଦୁର, ନର, ନାରୀ, ଯୁବକ, ବୃଦ୍ଧ–ସମସ୍ତେ ଜାଗି ଉଠିଲେ । ସେ ଐତିହାସିକ ବିପ୍ଳବ ପରେ ସ୍ୱାଧୀନତା ମିଳିଲା–ଆଉ ପ୍ରଥମ ପ୍ରହରର ଅବସାନ ହେଲା । ତା’ପରେ ଦେଶର ବୁଦ୍ଧିଜୀବୀ ବିଳାସୀମାନେ ଜାଣିଲେ । ସାଧାରଣ ଜନତାକୁ ବୁଝାଇ ଦେଲେ ଯେ ଆଉ ସଂଗ୍ରାମ ବା ବିପ୍ଳବର କୌଣସି ପ୍ରୟୋଜନ ନାହିଁ । ସ୍ୱାଧୀନତା ମିଳିଗଲା । ଏବେ ତୁମମାନଙ୍କୁ ଶାସନ କରିବାପାଇଁ ଆମେ ଅଛୁ । ତୁମେମାନେ ବର୍ତ୍ତମାନ ବିଶ୍ରାମ କର । ଦେଖ, ଆମେମାନେ ଦେଶରେ କିପରି ଧନଦଉଲତର ସୁଅ ଛୁଟାଉଛୁ । ବର୍ତ୍ତମାନ ଆମେମାନେ ସେଇ ଦ୍ୱିତୀୟ ପ୍ରହରରେ ଆସି ପହଞ୍ଚିଛୁ । ଶାସନ ନାମରେ ନେତାମାନେ ପ୍ରଚଣ୍ଡ ବିଳାସ ବ୍ୟସନରେ ବୁଡ଼ି ରହିଛନ୍ତି । ଆଉ ସେମାନଙ୍କ ନିରାପତ୍ତା ପାଇଁ ନେହାଲ୍‍ ସିଂ ପରି ଲୋକମାନଙ୍କୁ ନିଜର ଦେହରକ୍ଷୀ ଗୁଣ୍ଡାବାହିନୀ ନିଯୁକ୍ତ କରିଛନ୍ତି ।

 

ତା’ପରେ ଏ ବିଳାସୀ ଶାସକମାନେ ଯିବେ । ତାଙ୍କ ସ୍ଥାନରେ ଦେଖା ଦେବେ ଚୋରା ବେପାରୀ, ତସ୍କର ବଣିକ ଦଳ । ସେଇଟା ହେବ ଜାତିର ତୃତୀୟ ପ୍ରହର । କ୍ରମେ ଦେଶର କ୍ରମ ଜାଗ୍ରତ ଜନତା ରୁଦ୍ର ରୂପରେ ଜାଗି ଉଠିବେ । ସେ ତସ୍କରମାନଙ୍କୁ ତଡ଼ି ଦେବେ । ସେତେବେଳେ ଏ ଜାତିର ଆସିବ ଚତୁର୍ଥ ପ୍ରହର । ସେତେବେଳେ ଯୋଗୀ ବା ତ୍ୟାଗୀ ଦେଶପ୍ରେମୀମାନେ ଶାସନ ଦାୟିତ୍ଵ ଗ୍ରହଣ କରିବେ । ସେତେବେଳେ ହେବ ସ୍ୱାଧୀନତାର ନବୀନ ସୂର୍ଯ୍ୟୋଦୟ । ଏହା ମୋର ବକ୍ତୃତା ମାତ୍ର ନୁହେଁ । ଏହା ଅନିବାର୍ଯ୍ୟ ସତ୍ୟ ।

 

ତା’ପରେ ହାତ ଘଡ଼ିକୁ ଚାହିଁ ଘନଶ୍ୟାମ କହିଲା–ଏବେ ମୋତେ ଉଠିବାକୁ ହେବ ଭାଇ-। ଦିଲ୍ଲୀକୁ ଗୋଟିଏ ଟେଲିଗ୍ରାମ ପଠାଇବାକୁ ହେବ । ବିଳମ୍ବ ହୋଇ ଯାଉଛି ।

 

ଘନଶ୍ୟାମ ଚଉକି ଛାଡ଼ି ଉଠି ପଡ଼ୁଥିଲା । ମୁଁ ପୁଣି ତା’ର ହାତ ଧରି ବସାଇ ଦେଲି । କହିଲି–ଆଉ ମାତ୍ର ପାଞ୍ଚମିନିଟ ଅପେକ୍ଷା କର ଭାଇ । ଗୋଟିଏ କଥା କେବଳ ତୁମଠାରୁ ମୁଁ ଜାଣିବାକୁ ଚାହେଁ ।

 

ସାମାନ୍ୟ ହସି ବନ୍ଧୁ କହିଲେ–ତୁମେ କ’ଣ ଜାଣିବାକୁ ଚାହଁ, ମୁଁ ବୁଝି ପାରିଛି । ମୁଁ ଯେ ଏ କଥା ଆଜି କେବଳ ତୁମକୁ କହିଲି–ତା’ ନୁହେଁ । ଯାହାକୁ ମୁଁ ଏ କଥା କହିଛି, ସେ ତୁମରି ପରି ଜାଣିବାକୁ ଚାହିଁଛନ୍ତି ଯେ କେବେ ସେ ଚତୁର୍ଥ ପ୍ରହର ଦେଶରେ ଆସିବ । କିନ୍ତୁ ଭାଇ, ତା’ର ଉତ୍ତର ଏତେ ସହଜ ନୁହେଁ । ସେଥିପାଇଁ ଦଶବର୍ଷ ଲାଗିପାରେ–ପୁଣି ଶହେବର୍ଷ ମଧ୍ୟ ବିତିଯାଇ ପାରେ । ଶହେବର୍ଷ–ଅର୍ଥାତ୍ ଗୋଟାଏ ଶତାବ୍ଦୀ ବ୍ୟକ୍ତିର ସୀମିତ ଜୀବନରେ ବହୁ ଦୀର୍ଘକାଳ ହେଲେ ମଧ୍ୟ ଗୋଟାଏ ଜାତିର ଜୀବନରେ ଏହା କିଛିନୁହେଁ ।

 

ମୁଁ ମନେମନେ ହସିଲି । ବୁଝି ପାରିଲି ଯେ ଘନଶ୍ୟାମ ବର୍ତ୍ତମାନ ରାଜନୀତି ଛଡ଼ା ଆଉ କୌଣସି ବିଷୟ ଚିନ୍ତା କରୁନାହିଁ । କହିଲି–ନାଇଁ ଭାଇ ସେ କଥା ମୁଁ ପଚାରୁନାହିଁ । ମୁଁ ଅଦା ବେପାରୀ ମାତ୍ର । ତୁମର ସେ ବଡ଼ବଡ଼ ଜାହାଜର ଖବରରେ ମୋର ବିଶେଷ କୌଣସି ପ୍ରୟୋଜନ ନାହିଁ । ମୁଁ ଜାଣିବାକୁ ଚାହିଁଥିଲି–ଶୋଭନା ଆଉ ଜଗବନ୍ଧୁର ସମ୍ବାଦ ତୁମେ ଜାଣ କି ? ସେମାନେ ବର୍ତ୍ତମାନ କେଉଁଠାରେ ଅଛନ୍ତି ?

 

–ନା ଭାଇ, ମୁଁ ସଠିକ୍ କହି ପାରିବି ନାହିଁ । ସେ ଝିଅ ଦୁଇଟିକୁ ମୁଁ ପ୍ରଥମେ ଖୁବ୍ ସ୍ନେହ କରୁଥିଲି । ଗନିମିଆଁ କବଳରୁ କମଳାକୁ ବଞ୍ଚାଇବାକୁ ମୁଁ ଆପ୍ରାଣ ଚେଷ୍ଟା କରିଥିଲି । ଅର୍ଥ ବ୍ୟୟ ମଧ୍ୟ କରିଛି । ଓକିଲ ଦୃଢ଼ ଭାବରେ ଜବାବ ଦେଇଥିଲେ ଯେ ଗନିମିଆଁ କରିଥିବା ମକଦ୍ଦମାରୁ କମଳା ନିଶ୍ଚୟ ଖଲାସ ହେବ । କିନ୍ତୁ ତଥାପି ସାମାନ୍ୟ ଧନ ଲୋଭରେ କମଳା ଯେଉଁଦିନ ଅଦାଲତରେ ଶପଥ ପାଠ କରି କହିଲା ଯେ ସେ ସ୍ୱେଚ୍ଛାରେ ଧର୍ମାନ୍ତର ଗ୍ରହଣ କରି ଗନିମିଆଁକୁ ବିବାହ କରିବାକୁ ଚାହେଁ, ସେଇଦିନଠାରୁ ଖାଲି କମଳା ଉପରେ ନୁହେଁ–ଶୋଭନା ଉପରେ ମଧ୍ୟ ମୋର ଭୀଷଣ ଘୃଣା ହେଲା । ମୁଁ ଆଉ ସେମାନଙ୍କ କଥା ବୁଝିଲି ନାହିଁ । ତା’ପରେ ମାତ୍ର ଗୋଟିଏ ଥର ମୁଁ ଶୋଭନା ଘରକୁ ପଡ଼ିଶା ଭାବରେ ଯିବାକୁ ବାଧ୍ୟ ହୋଇଥିଲି । ଶୋଭନାର ବିବାହ ସମୟରେ ମୁଁ ତାଙ୍କ ଘରକୁ ଯାଇଥିଲି । ସେ ଗୋଟାଏ ସ୍ମରଣୀୟ ଘଟନା । ବର ବେଦିରେ ବସିଛି–ଆଉ କନ୍ୟା ଘରର କଡ଼ି ଉପରୁ ଦଉଡ଼ା ଝୁଲାଇ ଆତ୍ମହତ୍ୟା କରିବାପାଇଁ ପ୍ରସ୍ତୁତ । ଦୈବାତ କେହି ଜଣେ ଦେଖି ପକାଇଲା । ବହୁ କଷ୍ଟରେ ଶୋଭନାକୁ ଟେକି ଆଣି ବେଦିରେ ବସାଗଲା । ଆଉ ବେଦି ଉପରେ ସେ ବେଚେତା ହୋଇ ଟଳି ପଡ଼ିଲା । ସେଇ ସଂଜ୍ଞାହୀନ ଅବସ୍ଥାରେ ମନ୍ତ୍ରପାଠ କରି ବିବାହ ଶେଷ କରି ଦିଆଗଲା । ଜଗବନ୍ଧୁ କିନ୍ତୁ ବିବାହରେ ବହୁତ ଖର୍ଚ୍ଚ କରିଥିଲା ।

 

ତା’ପରେ !! ମୁଁ ପଚାରିଲି ।

 

–ମୁଁ ତା’ପରେ କ’ଣ ହେଲା ସବୁ ଠିକ୍ ଭାବରେ ଜାଣିନାହିଁ । ଜଗବନ୍ଧୁ ତ ସେଇ ବିବାହ ରାତ୍ରିରେ କେଉଁଆଡ଼େ ଚାଲିଗଲା । ତାକୁ ମୁଁ ଆଉ ଦେଖିନାହିଁ । ଶୋଭନାକୁ ଚିକିତ୍ସା କରିବାପାଇଁ କିଛିଦିନ ତା’ ଘରକୁ ଯିବା ଆସିବା କଲେ । ତା’ପରେ ତା’ ସ୍ୱାମୀ ତାକୁ ତା’ର ଚାକିରି ସ୍ଥାନକୁ ନେଇଗଲା । ସମ୍ବଲପୁର ନା ବରଗଡ଼ରେ ତା’ ସ୍ଵାମୀ ଚାକିରି କରେ । ଏସ୍. ଡ଼ି. ଓ ର ପେସ୍କାର ।

 

ଏଁ !! ଜଗବନ୍ଧୁ ତେବେ କ’ଣ ଶୋଭନାକୁ ବିବାହ କରିନାହିଁ !!

 

–ଆରେ ନା, ନା । ଏ କଥା ତୁମେ ଭାବିଲ କାହିଁକି ? ବହୁତ ଯୌତୁକ ଦେଇ ସେ ତାକୁ ଅନ୍ୟ ସ୍ଥାନରେ ବିବାହ ଦେଲା । ପାତ୍ରଟିର ନାଁ ଶଙ୍କର ନା କ’ଣ । ଅଣ୍ଡରଗ୍ରାଜୁଏଟ୍ । ଭଲ ବଂଶର ପିଲା । ଆଚ୍ଛା ଭାଇ, ମୁଁ ଏବେ ଉଠିଲି । ଗୋଟାଏ ଜରୁରି ଟେଲିଗ୍ରାମ କରିବାକୁ ପଡ଼ିବ ।

 

–ଅଠର–

 

ପଣ୍ଡିତମାନେ କହନ୍ତି ଯେ ଆତ୍ମା ମୃତ୍ୟୁହୀନ । ଅନନ୍ତକାଳ ଧରି ଘଟରୁ ଘଟାନ୍ତରରେ ସେ ବଞ୍ଚିଥାଏ । ମୃତ୍ୟୁ କେବଳ ଗୋଟାଏ କ୍ଳାନ୍ତି ବିନୋଦକ କର୍ମର ବିରତି ମାତ୍ର । ପୁରାତନ ଘଟନାର ଗୋଟାଏ ଅନ୍ଧକାରମୟ ବିସ୍ମୃତି । ସାନ ପିଲାମାନେ ସିଲଟ ଉପରୁ ପୁରୁଣାଲେଖାଗୁଡ଼ାକ ପୋଛିନେଇ ନୂଆପାଠ ନୂଆ ଆଗ୍ରହରେ ଲେଖିବା ପରି ମଣିଷ ତା’ର ପୂର୍ବଜନ୍ମର ସ୍ମୃତିକୁ ସମ୍ପୂର୍ଣ୍ଣ ଭାବରେ ପୋଛିଦିଏ । ଚିକିତ୍ସକମାନେ ମଧ୍ୟ କହନ୍ତି ଯେ ବହୁ ପୁରାତନ ସ୍ମୃତିର ବିଲୁପ୍ତି ମାନସିକ ସ୍ୱାସ୍ଥ୍ୟ ପକ୍ଷରେ ପ୍ରୟୋଜନ ।

 

ମୋର ମଧ୍ୟ ଯଦି ସବୁ ପୁରାତନ ସ୍ମୃତିର ବିଲୁପ୍ତି ହୋଇଯାଇଥାନ୍ତା, ତେବେ ହୁଏତ ମୋର ମାନସିକ ଅଗ୍ରଗତି ହୋଇ ପାରନ୍ତା । ଅର୍ଦ୍ଧଶତାବ୍ଦୀର ସୁଦୀର୍ଘ ଯାତ୍ରାପଥର ପଛକୁ ଚାହିଁ ପଛରେ ପକାଇ ଆସିଥିବା ଦିନଗୁଡ଼ିକ ପାଇଁ ମୁଁ ଦୀର୍ଘ ନିଃଶ୍ୱାସ ତ୍ୟାଗ କରନ୍ତି ନାହିଁ । ଉଦାସ ନୟନରେ ଜୀବନର ସୂର୍ଯ୍ୟାସ୍ତର ଛବିକୁ ଚାହିଁ ନ ରହି ଆଗାମୀ ସୂର୍ଯ୍ୟୋଦୟର ସ୍ୱପ୍ନ ରଚନା କରି ପାରନ୍ତି । ଆଜି, ଏତେକାଳ ପରେ ମଧ୍ୟ ବିଗତ ଦିନର ସ୍ମୃତିର ବୋଝରେ ମୁଁ ଭାରାକ୍ରାନ୍ତ । ଜାତିସ୍ମର ପରି ସୁଦୂର ଅତୀତର ସ୍ମୃତିର କାହାଣୀ–ଆଜି ଜୀବନର ଏଇ ଅପରାହ୍ନରେ ମୋର ପରିଷ୍କାର ଭାବରେ ମନେ ପଡ଼ୁଛି ।

 

ତା’ପରେ ଜଗବନ୍ଧୁ ସଙ୍ଗେ ଅତି ବିଚିତ୍ର ପରିସ୍ଥିତିରେ ଥରେ ମାତ୍ର ଦେଖା ହୋଇଥିଲା । ଶୋଭନା କଥା, ତା’ ନିଜ କଥା–ବା କମଳା କଥା ତା’ଠାରୁ ପଚାରି ବୁଝିବା ପୂର୍ବରୁ ସେ ପୁଣି ରହସ୍ୟମୟ ଭାବରେ ଅନ୍ତର୍ଦ୍ଧାନ ହୋଇଗଲା । ଆଉ ତା’ ସଙ୍ଗେ ଜୀବନରେ ଦେଖା ହୋଇନାହିଁ ।’’ ଏଇ ରହସ୍ୟମୟ ଲୋକଟା ଯେ କାହିଁକି ଏବଂ କିପରି ମୋ ଅନ୍ତରର ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରି ବସିଥିଲା, ସେ କଥା ମୁଁ ଜାଣେ ନାହିଁ । ଅଶିକ୍ଷିତ ଓ ଅନାତ୍ମୀୟ ଗୋଟାଏ ବାଜେଲୋକ । ସମ୍ପୂର୍ଣ୍ଣ ନୀତିହୀନ ଓ ଅସାମାଜିକ । ତା’କୁ ନେଇ ଏତେବଡ଼ ଏକ କାହାଣୀ ରଚନା କରିବାଟା କେହିକେହି ମୋର ସାହିତ୍ୟ ସୃଷ୍ଟିର ଏକ ପ୍ରଚ୍ଛନ୍ନ ଅଭିଳାଷ ବୋଲି ମନେକରିପାରନ୍ତି । କିନ୍ତୁ ମୁଁ ପୁଣିଥରେ ଘୋଷଣା କରି ଜଣାଇବାକୁ ଚାହେଁ ଯେ ସାହିତ୍ୟ ସୃଷ୍ଟି କରିବା ରୂପକ ସାହସିକ ପଦକ୍ଷେପ ମୋ ପକ୍ଷରେ ସମ୍ପୂର୍ଣ୍ଣ ଅସମ୍ଭବ । ମୁଁ ସେପରି ଦୁଃସାହସୀ ନୁହେଁ । ଏହା କେବଳ ମୋର ଚଲା ପଥର ଅଭିଜ୍ଞତାର ଆଲୋକ ଚିତ୍ର–ଚିତ୍ରକଳା ନୁହେଁ ।

 

ଜଗବନ୍ଧୁ ଆଉ ବଞ୍ଚିନାହିଁ । ମୁଁ କଟକରେ ନ ଥିବା ସମୟରେ ତା’ର ମୃତ୍ୟୁ ହେଲା । ତା’ର ପୈତୃକ ଭଙ୍ଗା ଘରଟିକୁ ଦିନେ କେତେ ସ୍ଵପ୍ନ ଦେଇ ସେ ନୂଆ କରି ତୋଳିଥିଲା । ସେ ସ୍ୱପ୍ନ ତା’ର ଅଭିଶପ୍ତ ଜୀବନର ସାର୍ଥକ ହେଲାନାହିଁ । ସେଠାରେ ସେ ଜୀବିତାବସ୍ଥାରେ ବାସ କରିପାରିଲା ନାହିଁ । ଯାଯାବର ଜୀବନରେ ଗୋଟିଏ ଶାନ୍ତିର ନୀଡ଼ ସେ ରଚନା କରି ପାରିଲା ନାହିଁ-। ମୃତ୍ୟୁପରେ ଯଦି ଆତ୍ମା ପ୍ରକୃତରେ ବଞ୍ଚିରହେ, ତେବେ ଜଗବନ୍ଧୁର ପ୍ରେତାତ୍ମା ହୁଏତ ସେ ଘରେ ଆଜି ପର୍ଯ୍ୟନ୍ତ ଘୂରି ବୁଲୁଛି । ହୁଏତ, ଲୋକାନ୍ତରରେ ଶୋଭନାକୁ ଏ ପର୍ଯ୍ୟନ୍ତ ସେ ଚାହିଁ ରହିଛି । ସେଇ ଘର ଭିତରେ ବେକରେ ଦଉଡ଼ା ଦେଇ ସେ ଆତ୍ମହତ୍ୟା କରିଥିଲା । ଆଉ କାହାକୁ ନୁହେଁ–ଶୋଭନାକୁ ମଧ୍ୟ ନୁହେଁ, କେବଳ ମୋତେ ତା’ର ଅଭିଶପ୍ତ ଜୀବନର ଶେଷକଥା କେତୋଟି ଖଣ୍ଡିଏ ଦୀର୍ଘ ଚିଠିରେ ସେ କହି ଯାଇଥିଲା । ସେ ଚିଠି ଖଣ୍ଡି ଆଜି ପର୍ଯ୍ୟନ୍ତ ମୋ ନିକଟରେ ରହିଛି-। କିନ୍ତୁ ତାହା ନିର୍ଜୀବ ଲିପି ମାତ୍ର ନୁହେଁ । ତାହା ମୋ ନିକଟରେ ଜୀବନ୍ତ, ମୁଖର ଓ ଭାଷାମୟ-। କେତେ ଅବକାଶର ନିଭୃତରେ ମୁଁ ସେ ଅଶ୍ରୁଳ ଲିପି ଖଣ୍ଡି ପଢ଼ିଛି । ପ୍ରତିଥର ମୋର ମନେ ହୋଇଛି ଯେପରି ଜଗବନ୍ଧୁର ଛାୟାମୂର୍ତ୍ତି ମୋ ନିକଟରେ ଛିଡ଼ାହୋଇ ସେଇ ଲିପି ମାଧ୍ୟମରେ ତା’ର ଅଭିଶପ୍ତ ଜୀବନ କାହାଣୀ ମୋତେ ଶୁଣାଉଛି । ସେହିପରି ଅମ୍ଳାନ ହସଟି ଯେପରି ତା’ ମୁହଁରେ ଲାଗି ରହିଛି । ସେଇପରି ବଡ଼ବଡ଼ ସରଳ ଆଖି ଦୁଇଟି । ସେଇ ଭୌତିକ ଲିପିର ପ୍ରଚ୍ଛନ୍ନ ତାଡ଼ନାରେ ମୁଁ ଆଜି ଏଇ ଦୀର୍ଘ କାହାଣୀ ଲେଖୁଛି ।

 

ତା’ପରେ ଜଗବନ୍ଧୁ ସହିତ ମୋର ଶେଷ ସାକ୍ଷାତ ଅତି ବିଚିତ୍ର ଭାବରେ ହୋଇଥିଲା । ତାହା ସଂକ୍ଷିପ୍ତ ହେଲେ ମଧ୍ୟ ଅତିଶୟ ତାତ୍ପର୍ଯ୍ୟପୂର୍ଣ୍ଣ । ସେଦିନ ମୁଁ ପରିଷ୍କାର ଜାଣି ପାରିଲି ଯେ ଜଗବନ୍ଧୁ ବର୍ତ୍ତମାନ ଦସ୍ୟୁବୃତ୍ତି କରୁଛି । ସେ ଜଣେ ଫେରାର ଆସାମୀ । ଦିନର ଆଲୋକରେ ତା’ର ଦାବି ନାହିଁ । ରାତ୍ରିର ଅନ୍ଧକାରରେ ତା’ର ଗତି ବିଧି । ସେଦିନ ତା’ ଉପରେ ଅତିଶୟ ଘୃଣା ହୋଇଥିଲା । ଅବଶ୍ୟ ତା’ର ମୃତ୍ୟୁପରେ ମୁଁ ସବୁକଥା ଜାଣି ପାରିଲି । ବିନୋଦ ଯେପରି ସବୁ ଭୁଲିଯିବା ପାଇଁ ମଦ ଖାଉଥିଲା, ଜଗବନ୍ଧୁ ଠିକ୍ ସେଇ କାରଣରୁ ଦସ୍ୟୁବୃତ୍ତି କରୁଥିଲା । ହତାଶା ଜର୍ଜରିତ ଅଦରକାରୀ ଜୀବନକୁ ଉଭୟେ ଅପବ୍ୟୟ କରି ଶେଷ କରି ଦେଉଥିଲେ ।

 

ଅତି ଆକସ୍ମିକ ଭାବରେ ଓ ଏକ ବିଚିତ୍ର ପରିସ୍ଥିତିରେ ସେଦିନ ଭୁବନେଶ୍ୱର ରେଲ ଷ୍ଟେସନରେ ମୋର ଜଗବନ୍ଧୁ ସହିତ ଶେଷ ସାକ୍ଷାତ ହୋଇଥିଲା । ସେତେବେଳେ ଭୁବନେଶ୍ୱରରେ ରାଜଧାନୀ ଗଢ଼ି ଉଠିନାହିଁ, କିମ୍ଵା ଆଜି ପରି ରେଲ ଷ୍ଟେସନ ମଧ୍ୟ ଆଲୋକୋଜ୍ଜ୍ଵଳ ହୋଇନାହିଁ । ସାନ ଗୋଟାଏ ଅନ୍ଧାରିଆ ଷ୍ଟେସନ ଚାରିଆଡ଼େ ନିଘଞ୍ଚ କୋଚିଲା ଗଛର ବଣ । କେତୋଟି ମାତ୍ର ରେଲଗାଡ଼ି ରାତିରେ ଏ ଷ୍ଟେସନରେ ରହୁଥିଲା । ଗାଡ଼ି ଆସିବାବେଳେ ପ୍ଲାଟଫର୍ମରେ ଯାତ୍ରୀମାନଙ୍କର ସାମାନ୍ୟ କଳରବ ଉଠେ । କେତୋଟି ନିଷ୍ପ୍ରଭ କିରାସିନି ଦୀପ ପ୍ଲାଟଫର୍ମରେ ଜଳାଇ ଦିଆ ହୁଏ । ତା’ପରେ ସବୁ ନୀରବା, ନିର୍ଜନ ଓ ଅନ୍ଧକାର ।

 

ସେଦିନ ଅପରାହ୍ନରେ କୌଣସି ସରକାରୀ କାର୍ଯ୍ୟ ସୂତ୍ରରେ ମୁଁ ଭୁବନେଶ୍ୱର ଯାଇଥିଲି-। କାମ ସାରି ମୁଁ ରେଳଷ୍ଟେସନକୁ ଆସିଲି କଟକ ଫେରି ଆସିବାପାଇଁ । ଗାଡ଼ି ଆସିବାକୁ କିଛି ବିଳମ୍ବ ଥିଲା । କିଛିକ୍ଷଣ ବିଶ୍ରାମ କରିବାପାଇଁ ମୁଁ ପ୍ରତୀକ୍ଷାଳୟକୁ ଆସି ଯାହାକୁ ଦେଖିଲି ତା’ ସମ୍ପୂର୍ଣ୍ଣ ଅଭାବନୀୟ । ମୋର ବାଲ୍ୟବନ୍ଧୁ ଓ ସହପାଠୀ ପ୍ରକାଶ ଏକା ଖଣ୍ଡିଏ ଚଉକି ଉପରେ ବସି ଗୋଟିଏ ଟିଫିନ୍ କାରିୟର ମନୋଯୋଗ ସହକାରେ ଖୋଲିଛି । ମୁଁ କିନ୍ତୁ ହଠାତ ତାକୁ ଚିହ୍ନି ପାରିଲି ନାହିଁ । ମୁଣ୍ଡିତ ମସ୍ତକ । ସର୍ବାଙ୍ଗରେ ଗେରୁଆ ବସ୍ତ୍ର । ଟେବୁଲ ଉପରେ ଖଣ୍ଡିଏ ଦୀର୍ଘ ବଂଶ ଦଣ୍ଡ ଡେରା ହୋଇଛି । ତା’ ଉପରିଭାଗରେ ମଧ୍ୟ ଖଣ୍ଡେ ଗୈରିକ କନା ବନ୍ଧା ହୋଇଛି । ଗେରୁଆ ରଙ୍ଗର ଗୋଟିଏ ବଡ଼ ଝୋଲା ଟେବୁଲ ଉପରେ ରଖା ହୋଇଛି । ଗୋଡ଼ରେ ମଧ୍ୟ ଗେରୁଆ ରଙ୍ଗର କାନଭାସ୍ ଜୋତା । ଆଖିରେ ପୂର୍ବପରି କଳା ଓ ମୋଟା ଫ୍ରେମ୍‍ର ଚଶମା । ସମ୍ପୂର୍ଣ୍ଣ ଭାବରେ ସ୍ୱାମୀଜୀ ସାଜି ପ୍ରକାଶ ଓୟେଟିଂ ରୁମ୍‍ରେ ଏକା ବସିଛି ।

 

ବାଲ୍ୟବନ୍ଧୁକୁ ଚିହ୍ନି ପାରି ମନ ମୋର ଖୁସିରେ ଭରିଗଲା–କିରେ ପ୍ରକାଶ ! ଏପରି “ସ୍ୱାମୀଜୀ” ସାଜ କେବେଠାରୁ ଧାରଣ କଲୁ !

 

ଗୁରୁଗମ୍ଭୀର ଭାବରେ ପ୍ରକାଶ ଟିଫିନ୍ କାରିୟର ଭିତରୁ ଗୋଟିଏ ବଡ଼ ରସଗୋଲା ଉଠାଇ ପାଟିରେ ଭର୍ତ୍ତି କଲା ଓ ସେଇଟିକୁ ଧୀରେ ସୁସ୍ଥେ ଉଦରସ୍ଥ କରିସାରି ମୋତେ ବସିବାକୁ ଖଣ୍ଡିଏ ଚଉକି ନିର୍ଦ୍ଦେଶ କରି କହିଲା–ସ୍ୱାମୀ ପ୍ରକାଶନନ୍ଦ ସରସ୍ୱତୀ । ଖାଇବୁ । ମାଂସ ଚପ୍‍ବି ଅଛି ।

 

ମୁଁ ଖଣ୍ଡିଏ ଚଉକିରେ ବସୁବସୁ ଥଟ୍ଟାରେ କହିଲି–ଏପରି ମାସଂ ସେବନକାରୀ ସ୍ୱାମୀଜୀ ତ ମୁଁ କେବେ ଦେଖି ନଥିଲି ! ପ୍ରକୃତ ରହସ୍ୟଟା କ’ଣ ?

 

ଏଥର ଉଚ୍ଚଶବ୍ଦରେ ପ୍ରକାଶ ହସି ଉଠିଲା ।–ଆରେ ନା, ନା । ସ୍ୱାମୀଜୀ ଫ୍ୱାମୀଜୀ ମୁଁ କିଛି ନୁହେଁ । ବିନା ଟିକଟରେ ଦେଶଭ୍ରମଣ ଉଦ୍ଦେଶ୍ୟରେ ମୁଁ ଏଇ ପୋଷାକ ସାଜଟା ବନାଇଛି । କେବଳ ବିନା ଟିକଟରେ ଭ୍ରମଣ ନୁହେଁ–ଯାତ୍ରା ପଥର ପାଥେୟ ସଂଗ୍ରହ କରିବାପାଇଁ ମଧ୍ୟ ଏ ପୋଷାକଟି ଅତିଶୟ ଉପଯୋଗୀ ।

 

ଏଇ ପ୍ରକାଶ ଗୋଟିଏ ଅଦ୍ଭୁତ ଚରିତ୍ରର । ଅତି ସମ୍ମାନର ସହିତ ଜୀବନ ଯାପନ କରିବାପାଇଁ ଭଗବାନ୍ ତାକୁ ପ୍ରଚୁର ମୂଳଧନ ଦେଇଥିଲେ । କିନ୍ତୁ ପ୍ରଚ୍ଛନ୍ନ ଭାବରେ ତା’ ଅନ୍ତରରେ ବାସ କରୁଥିଲା ଏକ ଯାଯାବର ବୈରାଗୀ । ବି.ଏ ପାଶ୍ କରି ଏମ୍. ଏ. ପଢ଼ୁଥିବା ସମୟରେ ହଠାତ ଦିନେ ଘର ଛାଡ଼ି ସେ ଚାଲିଗଲା । ଫେରିଲା ବହୁଦିନ ପରେ ପିତାଙ୍କ ମୃତ୍ୟୁ ସମ୍ବାଦ ପାଇ । ସେଇଦିନଠାରୁ ସେ ପରିବ୍ରାଜକ । ପଥର ମୋହରେ ସେ ଘର ଛାଡ଼ିଛି । ସୁଖ ସମ୍ପଦ ସବୁ ଛାଡ଼ିଛି-। ତା’ ଜୀବନରେ “ପଥ ଆଣି ଦେଇଛି ବନ୍ଧନ ହୀନ ଗ୍ରନ୍ଥି ।” ଅସୀମର ଇଙ୍ଗିତ ।

 

ଖାଇ ସାରି ପ୍ରକାଶ ନିଜର ଗେରୁଆ ଆଲଖାଲା ଭିତରୁ ଗୋଟିଏ ଅତି ମୂଲ୍ୟବାନ୍ ପ୍ଲାଟିନାମ୍‍ର ସିଗାରେଟ୍ କେଶ୍ ବାହାର କରି ନିଜେ ଖଣ୍ଡିଏ ସିଗାରେଟ୍ ଲଗାଇଲା ଓ ମୋତେ ଖଣ୍ଡିଏ ଦେଲା । ମୁଁ କହିଲି–ଏଥର ତୋ’ର ଯଥେଷ୍ଟ ଆର୍ଥିକ ଉନ୍ନତି ଲକ୍ଷ୍ୟ କରୁଛି ଯେ ! କଥା କ’ଣ-!!

 

ପ୍ରକାଶ କହିଲା–ହଁ ଏଥର ଯାତ୍ରାଟା ଯଥେଷ୍ଟ ଫଳପ୍ରଦ ହୋଇଛି । ନଗଦ ଟଙ୍କା ମଧ୍ୟ ଅନେକ ଜମି ଯାଇଛି । ପ୍ରାୟ ଆଠଶହ । ତୋ’ର କ’ଣ ଅର୍ଥର କିଛି ପ୍ରୟୋଜନ ଅଛି ? କିଛି ନେବୁ-!!

 

ମୁଁ ହସିଲି ।–କିନ୍ତୁ କିପରି ! କୌଣସି ବ୍ୟବସାୟ ବା ଚାକିରି କରୁଥିଲୁ ନା’ କ’ଣ ?

 

–ଆରେ ରାମ ରାମ । ସେ ସବୁ ମୋଦ୍ୱାରା କଦାପି ହୋଇ ପାରେ ! ସେଇଟା ଗୋଟାଏ ସବ୍‍କନ୍‍ସସ୍ ଲଭ୍ ଆଫାୟାର । ବିବେକାନନ୍ଦଙ୍କର ନିବେଦିତା ପରି । ଲକ୍ଷ୍ନୌରେ ଜଣେ ଧନୀ ଓ ରୂପସୀ ମହିଳା ମୋର ଶିଷ୍ୟା ହୋଇଯାଇଥିଲା । ମୋର ଆଧ୍ୟାତ୍ମିକ ଶକ୍ତିରେ ସେ ଏକାବେଳେ ବିମୁଗ୍ଧା ହୋଇ ମୋତେ ବହୁତ ଗୁରୁଦକ୍ଷିଣା ଦେଇଛି । ଏଥର ଉତ୍ତରଭାରତର ବହୁ ସ୍ଥାନରେ ବୁଲିବି ବୋଲି ଅଭିଳାଷ ଥିଲା । କିନ୍ତୁ ବହୁତ ଦିନ ସେଇ ମହିଳାଙ୍କ ତତ୍ତ୍ୱାବଧାନରେ ପରମ ଆରାମରେ କଟାଇ ଦେଲି । ଆରେ ଖାଲି ଏଇ ପ୍ଲାଟିନମ୍ ସିଗାରେଟ୍ କେଶ୍‍ଟା ଦେଖୁଛୁ କ’ଣ ? ସୁନା ଘଡ଼ି, ମୁଦି–କେତେ କ’ଣ ସେ ଦେଇଥିଲା । ଟ୍ରେନ୍‍ରେ ସବୁ ହଜିଗଲା ।

 

ପ୍ରକାଶକୁ ଛାଡ଼ି ମୁଁ ଆଉ କଟକ ଫେରିଲି ନାହିଁ । ଉଭୟେ କେତେ ଗଳ୍ପ କରିବାକୁ ଲାଗିଲୁ । କେତେ ପିଲାଦିନର ହାଲୁକା କଥା । କ୍ରମେ ସଞ୍ଜ ହୋଇଗଲା । ଓୟେଟିଂ ରୁମ୍ ଭିତରେ ଗୋଟିଏ କିରାସିନି ଆଲୁଅ ଜଳାଇ ଦିଆହେଲା । ବାହାରେ ଜ୍ୟୋତ୍ସ୍ନାର ପ୍ଳାବନ । ସେଦିନ ବୋଧହୁଏ ପୂର୍ଣ୍ଣିମା ଥିଲା । ନିର୍ଜନ ବନଭୂମି ଶୁଭ ଜ୍ୟୋତ୍ସ୍ନାରେ ଆଲୋକିତ । ଘର ଭିତରେ ନ ବସି ଆମେ ଦୁଇବନ୍ଧୁ ଦୁଇଖଣ୍ଡି ଚଉକି ନେଇ ପଛପଟ ବାରଣ୍ଡାରେ ବସିଲୁ । ପ୍ରକାଶ ତା’ର ପରିବ୍ରାଜକ ଜୀବନର କେତେ କଥା କହିଲା । ସେ ଥିଲା ଇତିହାସର ଛାତ୍ର । ଆଗ୍ରା, ଗୋଆଲିଅର, ମେବାର, ଚିତୋର–କେତେ ସ୍ଥାନକୁ ଯାଇଛି । କେତେ ପ୍ରାଚୀନ ଦୁର୍ଗର ଭଗ୍ନସ୍ତୂପ ସେ ନିଜ ଆଖିରେ ଦେଖିଛି-। ସେହି ସବୁ ଶିଳାଖଣ୍ତ ଯେପରି ଏ ଦେଶର ଐତିହାସିକ ସମ୍ପଦ । କଥାଛଳରେ ମୁଁ ହଠାତ ପଚାରିଲି–ଆଚ୍ଛା ପ୍ରକାଶ, ତୁ କ’ଣ ଜୀବନସାରା ଏଇପରି ଯାଯାବର ଭାବରେ ବୁଲୁଥିବୁ ? ବିବାହ କରି ସଂସାରୀ ହେବୁନାହିଁ ?

 

ପ୍ରକାଶ ହସିଲା–ଆରେ ମୋତେ ପୁଣି ବାହା ହେବ କିଏ ? ନା, ନା, ଭାଇ । କୌଣସି ସ୍ତ୍ରୀଲୋକ ମୋତେ ଚାହିଁବ ନାହିଁ । ସେମାନେ ଚାହାନ୍ତି ଗୋଟିଏ ଘର । କିନ୍ତୁ ମୋର ଘର କାହିଁ ଯେ ଗୃହଲକ୍ଷ୍ମୀ ଆଣିବି । ପଥର ମୋହ ବଡ଼ ଦୁର୍ବାର ଭାଇ । ମୁଁ ସେଇ ମୁକ୍ତ ଆକାଶର ପକ୍ଷୀ । ଜାଣିଶୁଣି ପଞ୍ଜୁରୀବଦ୍ଧ ହେବି କାହିଁକି ?

 

–ଏବେ ତୁ କେଉଁଠାକୁ ଯିବୁ ବୋଲି ଠିକ୍ କରିଛୁ ? ମୁଁ ପଚାରିଲି ।

 

–ଏବେ ଦକ୍ଷିଣ ଭାରତ ପରିଭ୍ରମଣରେ ଯିବି । ଆଜି ରାତି ମେଲ୍‍ରେ ଚାଲି ଯିବି । ଭାବିଥିଲି ଏଇ ଖରା ଦିନରେ ହିମାଳୟର ତରାଇ ଅଞ୍ଚଳଟା ବୁଲି ଦେଖିବି । କିନ୍ତୁ ଏ ବର୍ଷ ଆଉ ହିମାଳୟକୁ ମୁଁ ଯାଇ ପାରିବି ନାହିଁ । ଆଉ କେତୋଟା ଦିନ ପରେ ବର୍ଷା ଆରମ୍ଭ ହୋଇଯିବ ।

 

ରାତି କ୍ରମେ ଆଠଟା ବାଜିଲା । ପୁରୀଗାମୀ ଗୋଟିଏ ରେଳଗାଡ଼ି ଆସି ପ୍ଲାଟଫର୍ମରେ ଲାଗିଲା । ନିର୍ଜନ ଷ୍ଟେସନଟା ହଠାତ ଟିକିଏ କର୍ମ ଚଞ୍ଚଳ ହୋଇ ଉଠିଲା । ସାମାନ୍ୟ ଟିକିଏ କୋଳାହଳ ଜାଗିଲା । ତା’ରି ଭିତରୁ ହଠାତ ଗୋଟାଏ ଉଚ୍ଚ ଚିତ୍କାର ଶୁଣାଗଲା । ଚୋର ଚୋର ଚୋର । ଆମେମାନେ ଓୟେଂଟି ରୁମ୍‍ର ପଛପଟେ ବସିଥିଲୁ । ରେଳଗାଡ଼ି ବା ପ୍ଲାଟଫର୍ମ ଆମକୁ ଦେଖା ଯାଉ ନଥିଲା । ପ୍ଲାଟଫର୍ମ ଭିତରୁ ଦୁଇଜଣ ଲୋକ ଊର୍ଦ୍ଧ୍ୱଶ୍ୱାସରେ ଆମ ନିକଟକୁ ଦୌଡ଼ି ଆସିଲେ । ଚାରିପଟକୁ ଚାହିଁ କାହାକୁ ଯେପରି ଖୋଜିବାକୁ ଲାଗିଲେ । ସେମାନଙ୍କଠାରୁ ପଚାରି ବୁଝିଲି ଯେ ଗୋଟାଏ ଅଜଣା ଚୋର ରେଲ୍ ଡବା ଭିତରୁ ସେମାନଙ୍କର ଗୋଟାଏ ଚମଡ଼ା ସୁଟକେସ୍ ଉଠାଇ ନେଇ ପଳାଇଲା । ସୁଟକେସ୍‍ଟା ଭିତରେ ନଗଦ ତିନିଶହ ଟଙ୍କା ଓ କେତେକ ମୂଲ୍ୟବାନ୍ ଲୁଗାପଟା ଅଛି ।

 

ସେମାନଙ୍କ ସହିତ ଚୋରକୁ ଖୋଜିବାପାଇଁ ମୁଁ ମଧ୍ୟ ଉଠିବାକୁ ଯାଉଥିଲି । ପ୍ରକାଶ ହାତର ଇଙ୍ଗିତରେ ମୋତେ ନିଷେଧ କରି କହିଲା–ବସ୍, ବସ୍ । ତୋର ବ୍ୟସ୍ତ ହେବାର କିଛି କାରଣ ନାହିଁ । ଚୋରର ଉପକାରିତା ମଧ୍ୟ ରହିଛି ।

 

ଲୋକ ଦୁଇଟି ସେଠାରୁ ଚାଲିଗଲେ । କିଛିକ୍ଷଣ ପରେ ରେଲଗାଡ଼ିଟି ମଧ୍ୟ ଗର୍ଜନ କରି ଷ୍ଟେସନରୁ ଚାଲିଗଲା । ମୁଁ ସାମାନ୍ୟ ହସି ପ୍ରକାଶକୁ ପଚାରିଲି–ଚୋରିର ପୁଣି ଉପକାରିତାଟା କ’ଣ-?

 

ଅର୍ଦ୍ଧନିମୀଳିତ ନୟନରେ ସ୍ୱାମୀଜୀବେଶୀ ପ୍ରକାଶ କହିଲା–ହଁ, ଚୋରିରେ ଦୁଇଟି ଉପକାରିତା ଅଛି । ଗୋଟିଏ ମନସ୍ତାତ୍ତ୍ୱିକ–ଅନ୍ୟଟି ହେଉଛି ଅର୍ଥନୈତିକ । ଚୋରିଟି ସାଧାରଣତଃ ବ୍ୟକ୍ତିର ନିଜ ଜିନିଷ ପ୍ରତି ଅସାବଧାନତା ବଶତଃ ହୋଇଥାଏ । ଥରେ ଚୋରି ହେଲେ ଭବିଷ୍ୟତ୍‍ରେ ସେ ସାବଧାନ ହୁଏ । ଯାହାକୁ କହନ୍ତି ମେଣ୍ଟାଲ୍ ଏଲର୍ଟନେସ୍ । ଏହାଛଡ଼ା ଚୋରିଦ୍ଵାରା ଦେଶର ସମ୍ପଦ ଗତିଶୀଳ ଥାଏ । ଯାହାକୁ କହନ୍ତି ମୁଭ୍‍ମେଣ୍ଟ ଅବ୍ ଓୟେଲଥ୍ । ଶୀତଳ ଭଣ୍ଡାରରେ ବା କୋଲ୍ଡ଼୍ ଷ୍ଟୋରେଜ୍‍ରେ ପଡ଼ି ରହେ ନାହିଁ ।

 

ପ୍ରକାଶର ଏଇ ବିଚିତ୍ର ବିଶ୍ଳେଷଣ ଶୁଣି ମୁଁ ଉଚ୍ଚ ଶବ୍ଦରେ ହସି ଉଠିଲି । ସେତେବେଳକୁ ପୁଣି ରେଲଷ୍ଟେସନଟି ସମ୍ପୂର୍ଣ୍ଣ ଶବ୍ଦହୀନ ଓ ନିର୍ଜନ ହୋଇ ଯାଇଥିଲା । ଆକାଶରେ ଉଜ୍ଜ୍ୱଳ ଚନ୍ଦ୍ର ଦିଗନ୍ତ ପ୍ରସାରୀ କେନ୍ଦୁ ଓ କୋଚିଲା ବଣ ଭିତରେ ଏକ ଅଦ୍ଭୁତ ଛାୟାର ମାୟା ସୃଷ୍ଟି କରୁଛି । ରାତି ବେଶି ହୋଇନାହିଁ–କିନ୍ତୁ ଚାରିଆଡ଼ ସମ୍ପୂର୍ଣ୍ଣ ନିର୍ଜନ । ମୁଁ ଦେଖି ପାରିଲି ଯେ ଅଦୂରର କୋଚିଲା ବଣ ଭିତରୁ ଗୋଟିଏ ଲୋକ ଦୀର୍ଘ ପଦକ୍ଷେପରେ ଆମରି ଆଡ଼କୁ ଆସୁଛି । ହାତରେ ଯେପରି କ’ଣ ଗୋଟିଏ ଧରିଛି । ଲୋକଟି ନିକଟକୁ ଆସିବାରୁ ମୁଁ ତା’କୁ ଚିହ୍ନି ପାରିଲି । ଏତେଦିନ ପରେ ଓ ଏପରି ଭାବରେ ଜଗବନ୍ଧୁକୁ ଦେଖି ମୁଁ ଏକାବେଳକେ ବିସ୍ମିତ ହୋଇଗଲି । ଜଗବନ୍ଧୁ ମଧ୍ୟ ମୋତେ ସେଠାରେ ଦେଖିବ ବୋଲି କଦାପି ଆଶା କରି ନଥିଲା । ଜଗବନ୍ଧୁ ! ମୁଁ ଉଚ୍ଚ ଶବ୍ଦରେ ଡାକି ଉଠିଲି-। ଜଗବନ୍ଧୁ ଛିଡ଼ା ହେଲା । ମୋତେ ମଧ୍ୟ ଚିହ୍ନି ପାରିଲା । ତା’ ମୁହଁଟି କିପରି ହଠାତ ଶୁଖିଗଲା । ତା’ପରେ ପୁଣି ତା’ର ସ୍ଵଭାବ ସୁଲଭ ହସଟି ଫୁଟି ଉଠିଲା । ହାତରେ ଗୋଟିଏ ଚମଡ଼ା ସୁଟକେସ୍ ଝୁଲାଇ ଥିଲା ।–ସାର୍ ଆପଣ ଏଠାରେ ବହୁଦିନ ପରେ ଦେଖା । ଭାବିଥିଲି ଏ ଜୀବନରେ ହୁଏତ ଆଉ ଆପଣଙ୍କ ଦର୍ଶନ ପାଇବି ନାହିଁ । ଏହା କହି ତା’ର ଚିରାଚରିତ ପ୍ରଥାରେ ମୋର ପାଦଧୂଳି ନେଇ ମୁଣ୍ଡରେ ଛୁଆଁଇଲା । ତା’ପରେ ମୋ ନିକଟରେ ଜଣେ ସ୍ୱାମୀଜୀ ବସିଥିବାର ଦେଖିପାରି ସୁଟକେସ୍‍ଟି ତଳେ ରଖିଦେଇ ଲମ୍ବ ହୋଇ ତା’ଙ୍କ ଗୋଡ଼ତଳେ ପଡ଼ିଗଲା-

 

ସ୍ୱାମୀଜୀ ଅଙ୍ଗୁଳିର ଗୋଟିଏ ବିଶେଷ ମୁଦ୍ରାରେ ହସ୍ତ ଉତ୍ତୋଳନ କରି ତାଙ୍କୁ ଆଶୀର୍ବାଦ କଲେ । ଆଖି ଦୁଇଟିକୁ ଅର୍ଦ୍ଧନିମୀଳିତ କରି ଗଦ୍‍ଗଦ କଣ୍ଠରେ ସ୍ଵାମୀଜୀ କହିଲେ–ଉଠ ବତ୍ସ । ମୁଁ ପ୍ରସନ୍ନ ହୋଇଛି । ମୁଁ ଧ୍ୟାନ ବଳରେ ଜାଣିପାରିଛି ଯେ ଏ ସୁଟକେସ୍‍ଟିର ଚାବି ତୁମ ନିକଟରେ ନାହିଁ-। ତା’ ଭିତରେ କେତେକ ଲୁଗାପଟା ଓ ନଗଦ ତିନିଶହ ଟଙ୍କା ଅଛି । ବାକ୍‍ସଟିର ତାଲା ଭାଙ୍ଗି ସନ୍ନ୍ୟାସୀଙ୍କୁ ସେହି ତିନିଶହ ଟଙ୍କା ପ୍ରଣାମୀ ଦିଅ । ତୁମର ମଙ୍ଗଳ ହେବ ।

 

ସନ୍ନ୍ୟାସୀଙ୍କ କଥା ଶୁଣି ଜଗବନ୍ଧୁ ବଡ଼ବଡ଼ ଆଖିରେ ତାଙ୍କୁ କିଛିକ୍ଷଣ ଚାହିଁ ରହିଲା । ଗୋଟାଏ କରୁଣ ଭୟ ସେ ଆଖି ଦୁଇଟିରେ ଫୁଟି ଉଠିଲା । ତା’ପରେ ସୁଟକେସ୍‍ଟି ହାତରେ ଧରି ସେ ହଠାତ ଦୌଡ଼ିବାକୁ ଆରମ୍ଭ କଲା । ମୁଁ ଚିତ୍କାର କରି ଡାକିଲି ଜଗବନ୍ଧୁ–ଜଗବନ୍ଧୁ–ଜଗବନ୍ଧୁ ଶୁଣିଯାଅ.....ସେ କିନ୍ତୁ ରହିଲା ନାହିଁ । ଅଳ୍ପକ୍ଷଣ ପରେ କୋଚିଲା ବଣ ଭିତରେ ଅଦୃଶ୍ୟ ହୋଇଗଲା । ତାକୁ ଖୋଜି ବାହାର କରିବି ବୋଲି ମୁଁ ଉଠି ଛିଡ଼ା ହେଲି । କିନ୍ତୁ ପ୍ରକାଶ ମୋର ହାତ ଧରି ପୁଣି ଚଉକିରେ ବସାଇଦେଲା ।

 

କିଛିକ୍ଷଣ ପର୍ଯ୍ୟନ୍ତ ସ୍ତବ୍ଧ ହୋଇ ବସିରହିଲି । ତା’ପରେ ପ୍ରକାଶକୁ ଚାହିଁ କହିଲି–ସେଇଟି ସେ ଚୋରି ଯାଇଥିବା ସୁଟକେସ୍ ଏ କଥା ଏପରି ନିର୍ଭୁଲ ଭାବରେ ତୁ ଜାଣିଲୁ କିପରି ?

 

–ସାରା ଭାରତବର୍ଷର ସାଧୁ ସନ୍ନ୍ୟାସୀମାନେ ଯେଉଁ ମନ୍ତ୍ରବଳରେ ସବୁ ଗୁପ୍ତ କଥା ଜାଣି ପାରନ୍ତି ଓ ସେ ସବୁ କହି ଭକ୍ତମଣ୍ଡଳୀକୁ ଚମକାଇ ଦିଅନ୍ତି–ଠିକ୍ ସେହି ମନ୍ତ୍ରବଳରେ ମୁଁ ମଧ୍ୟ ବୁଝି ପାରିଲି । ସାମାନ୍ୟ ଟିକିଏ ଇନ୍‍ଟେଲିଜେଣ୍ଟ୍ ଡିଡ଼କ୍‍ସନ୍ ମାତ୍ର । ଆଉ କିଛି ନୁହେଁ ।

 

ଏହା ଜଗବନ୍ଧୁ ସହିତ ମୋର ଶେଷ ସାକ୍ଷାତ । ଅତି ସଂକ୍ଷିପ୍ତ–ଅଥଚ ତାତ୍ପର୍ଯ୍ୟପୂର୍ଣ୍ଣ । ସେଦିନ ରାତିରେ ମେଲ୍ ଟ୍ରେନ୍‍ରେ ପ୍ରକାଶ ଦକ୍ଷିଣ ଭାରତକୁ ଯାତ୍ରା କଲା । ମୋର କଟକ ଫେରି ଆସିବାପାଇଁ ସକାଳ ପୂର୍ବରୁ ଆଉ ଟ୍ରେନ୍ ନଥିଲା । ମୁଁ ସେଇ ଓୟେଟିଂ ରୁମ୍ ବାରଣ୍ଡାରେ–ଖଣ୍ଡିଏ ଇଜି ଚେୟାରରେ ବସି ବାକି ରାତି ଟିକକ କଟାଇ ଦେଇଥିଲି । ନୀଳ ଜ୍ୟୋତ୍ସ୍ନାର ଆଭରଣତଳେ ସ୍ଥବିରା ରାତ୍ରି ରହସ୍ୟମୟ ହୋଇ ଉଠିଲା । ବିସ୍ତୀର୍ଣ୍ଣ କେନ୍ଦୁ ଓ କୋଚିଲାବଣ କିପରି ସ୍ୱପ୍ନ ଲୋକ ପରି ମନେ ହେଉଥିଲା । ସେଇ ଜ୍ୟୋତ୍ସ୍ନା ଧୌତ ମୌନ ବନାନୀ ଆଡ଼େ ଏକ ଧ୍ୟାନରେ ମୁଁ ଚାହିଁ ବସିଥିଲି । ସେଇ ବନଟା ଜଗବନ୍ଧୁକୁ ସମ୍ପୂର୍ଣ୍ଣରୂପେ ଗିଳିଦେଲା ।

 

X X X

 

ତା’ପରେ, କୌଣସି ବିଶେଷ ପ୍ରୟୋଜନରୁ ମାତ୍ର ପନ୍ଦର ଦିନ ଛୁଟି ନେଇ ମୁଁ ମୋ ଗାଁକୁ ଚାଲିଗଲି । ମନରେ ଗୋଟାଏ ଅଦ୍ଭୁତ ଶାନ୍ତି ପାଇଲି । ମୋର ଛାୟାଚ୍ଛନ୍ନ ପଲ୍ଲୀ ମା । ଏହାହିଁ ଥିଲା ମୋର ବାଲ୍ୟ କୈଶୋରର କ୍ରୀଡ଼ାଭୂମି । ସେଇ ସବୁ ପୁରାତନ ଅନ୍ଧାରୁଆ ବାଉଁଶ ବୁଦା । ପିଲାଦିନେ ମୁଁ ବିଶ୍ୱାସ କରୁଥିଲି ଯେ ଅସଂଖ୍ୟ ବାବନାଭୂତ ଏଇ ଅନ୍ଧକାରମୟ ବାଉଁଶ ବୁଦା ଭିତରେ ବାସ କରନ୍ତି । ରାତିରେ କୌଣସି ଶିଶୁ ଯଦି କ୍ରନ୍ଦନ କରେ ତେବେ କାଳ ବିଳମ୍ବ ନ କରି କେତୋଟା ବାମନାଭୂତ ସେଇ ସବୁ ବାଉଁଶବୁଦା ଭିତରୁ ବାହାରି ଆସନ୍ତି–ଆଉ ସେ ଛୁଆଟାକୁ ଟେକି ନେଇ ଗୋଟାଏ ଡେଙ୍ଗା ବାଉଁଶ ଆଗରେ ବସି କାଡ଼ୁମାଡ଼ୁ କରି ଚୋବାଇ ଥା’ନ୍ତି । ପିଲାଦିନେ ଯେତେଦୂର ସମ୍ଭବ ମୁଁ ରାତିରେ କାନ୍ଦିନାହିଁ । ଖାଲି ସେତିକି ନୁହେଁ–ସୁବର୍ଣ୍ଣେଶ୍ଵର ମହାଦେବଙ୍କ ଦେଉଳରେ ପଶ୍ଚିମ ପଟେ ଯେଉଁ ପ୍ରାଚୀନ ବେଲଗଛଟି ଏ ପର୍ଯ୍ୟନ୍ତ ବଞ୍ଚିରହିଛି, ସେଇଟା ଥିଲା ଜନୈକ ବ୍ରହ୍ମଦୈତ୍ୟର ଆଶ୍ରୟସ୍ଥଳୀ । ଏହିପରି ଆହୁରି କେତେ ପିଲାଦିନର ସ୍ମୃତି । ଏତେଦିନ ପରେ ଫେରି ଯିବାର ଦେଖି ସ୍ନେହମୟୀ ପଲ୍ଲୀ ମା’ ଦୁଇଟି ବାହୁ ବଢ଼ାଇ ତା’ କୋଳକୁ ମୋତେ ଟାଣିନେଲା ।

 

ମାତ୍ର କେତୋଟି ଦିନ ଦୀର୍ଘ ଗୋଟିଏ ଚୁମ୍ବନ ପରି ଆରାମରେ କଟିଗଲା । ଛୁଟି ଶେଷରେ ଯେଉଁଦିନ ମୁଁ ପୁଣି କର୍ମ କୋଳାହଳମୟ ମହାନଗରୀକୁ ଫେରି ଆସିଲି, ସେହିଦିନ ଘନଶ୍ୟାମ ଆସି ମୋତେ ଏ ଦୁଃସମ୍ବାଦ ଜଣାଇଲା । ଜଗବନ୍ଧୁର ଶେଷଲିପି ଖଣ୍ଡିକ ସେ ମୋ ହାତରେ ଦେଲା । ଜଣେ ସାମ୍ବାଦିକ ଭାବରେ ସେ ମଧ୍ୟ ମୃତ ଦେହଟିକୁ ଦେଖିବାକୁ ଆସିଥିଲା । ମୃତ ଦେହର ଫଟ ମଧ୍ୟ ଉଠାଇଛି । ନିଜର ନୂଆ ଘର ଭିତରେ କଡ଼ି ଦେହରେ ଖଣ୍ଡିଏ ଦଉଡ଼ା ବାନ୍ଧି ଜଗବନ୍ଧୁ ଆତ୍ମହତ୍ୟା କରିଛି । କୌଣସି ବିଶେଷ ତଦନ୍ତର ପ୍ରୟୋଜନ ହୋଇ ନାହିଁ । ମୋ ଚିଠି ଖଣ୍ଡିକ ଛଡ଼ା ତା’ ପକେଟରେ ଆଉ ଖଣ୍ଡିଏ ଖୋଲାଚିଠି ମଧ୍ୟ ଥିଲା । ଅତି ସଂକ୍ଷିପ୍ତ–ମାତ୍ର ଗୋଟିଏ ଧାଡ଼ି ଲେଖା । “ମୁଁ ସ୍ୱେଚ୍ଛାରେ ଆତ୍ମହତ୍ୟା କରୁଛି । ସେଥିପାଇଁ ଆଉ କେହି ଦାୟୀ ନୁହେଁ-।” ମୋ ଉଦ୍ଦେଶ୍ୟରେ ଚିଠି ଖଣ୍ଡିକ ଜଉମୁଦଦିଆ ଲଫାପା ଚିଠି । ମୋ ହାତରେ ଦେବ ବୋଲି ଘନଶ୍ୟାମ ସାଇତି ରଖିଥିଲା ।

 

ଜଉମୁଦଦିଆ ଚିଠି ଖଣ୍ଡିକ ହାତରେ ଧରି ମୁଁ ପଚାରିଲି, ଆଚ୍ଛା, ଶବ ସତ୍କାର କିପରି ହେଲା ? ତା’ର ତ କେହି ଆତ୍ମୀୟ ସ୍ଵଜନ ନଥିଲେ ! ଜଗବନ୍ଧୁକୁ କ’ଣ ମେହେନ୍ତର...

 

–ଆରେ, ନା, ନା ! ମେହେନ୍ତର ହାତରେ ଜଗବନ୍ଧୁର ମୃତଦେହ ଦିଆ ହେବ କାହିଁକି ? ପୂରାହିନ୍ଦୁ ରୀତିରେ ଚନ୍ଦନ କାଠ, ଗୁଆଘିଅ ଦେଇ ତା’ର ଶବ ସତ୍କାର ହେଲା । କମଳା ସବୁ ବ୍ୟୟ ବହନ କଲା । ସାଇପଡ଼ିଶାର ଲୋକମାନେ ଶବ ବୋହି ନେଲେ । ମୁଁ ମଧ୍ୟ ଶବଯାତ୍ରାରେ ଶ୍ମଶାନକୁ ଯାଇଥିଲି ।

 

କମଳା ଆସିଥିଲା, ମୁଁ ପଚାରିଲି–

 

–ହଁ ଭାଇ, କିପରି ସେ ସମ୍ବାଦ ପାଇଲା, ମୁଁ ଜାଣେ ନାହିଁ । ଗନିମିଆଁ ସଙ୍ଗେ ଫିଟିନ୍ ଗାଡ଼ିରେ ସେ ଆସି ପହଞ୍ଚିଲା । ବୁର୍ଖାଟାକୁ କାଢ଼ି ଫୋପାଡ଼ି ଦେଇ ସେ ବାୟାଣୀଙ୍କ ପରି ଜଗବନ୍ଧୁର ମୃତଦେହ ଉପରେ କଚାଡ଼ି ହୋଇ ପଡ଼ିଲା । କଇଁକଇଁ ହୋଇ ବହୁକ୍ଷଣ ଧରି କାନ୍ଦିଲା । କାହିଁକି କେଜାଣି, ଗନିମିଆଁ ମଧ୍ୟ କୌଣସି ଆପତ୍ତି କଲା ନାହିଁ ।

 

କେବଳ ସେଇ ଦିନ ନୁହେଁ–ତା’ପରେ ମଧ୍ୟ ମୁଁ ଜଗବନ୍ଧୁର ଶେଷଚିଠି ଖଣ୍ଡିକ ବହୁଥର ପଢ଼ିଛି । ବେଳେବେଳେ ତା’ ଉପରେ କ୍ରୋଧ ହୋଇଛି । ଗୋଟାଏ ପାଗଳ ଛଡ଼ା ସେ ଆଉ କିଛି ନଥିଲା । ଗୋଟାଏ ସେଣ୍ଟିମେଣ୍ଟାଲ୍ ଫୁଲ୍ । “ଶୋଭନା ଆଉ କମଳାର ପ୍ରକୃତ ପରିଚୟ–ବା ସେମାନଙ୍କର ଜନ୍ମ ବୃତ୍ତାନ୍ତ ଆଉ କେହି ନ ଜାଣିଥିଲେ ମଧ୍ୟ ମୁଁ ତ ଜାଣେ । ଧନେଶ୍ଵର ନନ୍ଦିର ଦ୍ୱିତୀୟ ସ୍ତ୍ରୀଙ୍କ ଗର୍ଭରୁ ମୋ ପିତାଙ୍କ ଔରସରୁ ସେମାନଙ୍କର ଜନ୍ମ । ସବୁ ପୁରୁଣା ଜମିଦାରମାନଙ୍କ ପରି ମୋର ସ୍ଵର୍ଗୀୟ ପିତା ମଧ୍ୟ ବ୍ୟଭିଚାରୀ ଓ ଚରିତ୍ରହୀନ ଥିଲେ । ଧନେଶ୍ଵରର ଦ୍ୱିତୀୟା ଭାର୍ଯ୍ୟା ଥିଲେ ମୋ ପିତାଙ୍କର ଉପପତ୍ନୀ । ଶୋଭନା ଥିଲା ମୋର ଭଉଣୀ । ତାକୁ ବିବାହ କରିବା ମୋ ପକ୍ଷରେ କିପରି ସମ୍ଭବ ହୁଅନ୍ତା ?”

 

ହତଭାଗାଟା ଗୋଟାଏ ଗଜମୂର୍ଖ ଥିଲା । ଯାହା ସମସ୍ତେ ଦେଖି ପାରିଥିଲେ–ତାହା ଏ ମୂର୍ଖଟା ଜାଣି ପାରିଲା ନାହିଁ । ତରୁଣୀ ଶୋଭନା ଅନ୍ତରରେ ଜଗବନ୍ଧୁ ପ୍ରତି ପ୍ରେମ ତ କ୍ଷୁଦ୍ର ଗୋଟିଏ ଅଙ୍କୁର ହୋଇ ଆଉ ନଥିଲା ! ତାହା ଯେ ଉନ୍ମୁକ୍ତ ଶତଦଳ ହୋଇ ଫୁଟି ଉଠିଥିଲା ! ପୁରୁଷ ହୋଇ ମୂର୍ଖଟା ଏହା ଜାଣି ପାରିଲା ନାହିଁ !

 

“ଶୋଭନା ଯେ ଏପରି ନିବିଡ଼ ଭାବରେ ମୋତେ ଭଲ ପାଇଛି, ଏ କଥା ମୁଁ ଆଗରୁ ଜାଣିପାରି ନଥିଲି । ଭଲପାତ୍ର ଦେଖି–ମୋର ସାଧ୍ୟାତୀତ ଭାବରେ ଯୌତୁକ ସଂଗ୍ରହ କରି ମୁଁ ଶୋଭନାର ବିବାହ ଠିକ୍ କଲି । ଠିକ୍ ବିବାହର ପୂର୍ବଦିନ ଶୋଭନା ମୋତେ ମୁହଁ ଫିଟାଇ ସବୁ କହିଲା । ମୋ ଛାତିରେ ମୁଣ୍ଡ ରଖି ସେ କାନ୍ଦିକାନ୍ଦି ଭସାଇ ଦେଲା, କିନ୍ତୁ ମୋର ଆଉ କୌଣସି ଉପାୟ ନଥିଲା ।”

 

ଦୀର୍ଘ ପତ୍ରଟିର ଶେଷଭାଗକୁ ଜଗବନ୍ଧୁ ଲେଖିଛି–ଅପରାଧୀର ଜୀବାଣୁ ମୋର ମଜ୍ଜାଗତ–ଏ କଥା ଆପଣ ମଧ୍ୟ ଜାଣି ପାରିଥିଲେ । ଜୀବନସାରା ମୁଁ ବେଆଇନ୍ କାମ କରିଛି । ଚୋରାମଦ ଓ ଅଫିମ କାରବାର କରିଛି । ଚୋରି କରିଛି । ବହୁତ ଅର୍ଥ ଉପାର୍ଜନ କରିଛି, କିନ୍ତୁ କାହିଁକି କେଜାଣି ସେଥିରେ ମୋର ବିନ୍ଦୁମାତ୍ର ଅନୁତାପ ହୋଇ ନାହିଁ । ଦୁନିଆଟାକୁ ଦେଖି ମୋର କିପରି ବିଶ୍ୱାସ ହୋଇଥିଲା ଯେ, ଚୋରି ନ କଲେ, କେହି ଧନୀ ହୋଇପାରେ ନାହିଁ । ମୁଁ ମଧ୍ୟ ଧନୀ ହେବାକୁ ଚାହିଁଥିଲି, କିନ୍ତୁ ଶୋଭନାକୁ ହରାଇ ମୋର ଅନ୍ତର ସମ୍ପୂର୍ଣ୍ଣରୂପେ ଶୂନ୍ୟ ହୋଇଗଲା-। ଜୀବନଟା କିପରି ମୂଲ୍ୟହୀନ ଜଣାଗଲା । ମୁଁ ବୁଝି ପାରିଲି ଯେ, ମୋର ନିଜର ଅଜ୍ଞାତସାରରେ ମୁଁ ମଧ୍ୟ ଶୋଭନାକୁ ଅତି ନିବିଡ଼ ଭାବରେ ଭଲ ପାଇଥିଲି । ଶୋଭନା ଚାଲିଗଲା ପରେ ମୋର ଅନ୍ତର, ବାହାର–ସବୁ ଯେପରି ଶୂନ୍ୟ ହୋଇଗଲା । ସେଇ ମହାଶୂନ୍ୟରେ ମୁଁ କ୍ରମେ କ୍ରମେ ସମ୍ପୂର୍ଣ୍ଣ ଉନ୍ମାଦ ହୋଇଯିବାକୁ ବସିଲି । ସବୁ ଭୁଲିଯିବା ପାଇଁ ବହୁସ୍ଥାନରେ ବହୁତ ଚୋରି କଲି । ମୋର ଆଉ ଅର୍ଥର କୌଣସି ପ୍ରୟୋଜନ ନଥିଲା । ତଥାପି ନିଜକୁ ଗୋଟାଏ ଉତ୍ତେଜନା ଭିତରେ ହଜାଇ ଦେବାପାଇଁ ମୁଁ ବହୁ ଦୁଃସାହସୀ ଦସ୍ୟୁବୃତ୍ତି କଲି, କିନ୍ତୁ ତଥାପି ମୁଁ ଶୋଭନାକୁ ଭୁଲି ପାରିଲି ନାହିଁ-। ଅବଶେଷରେ ଠିକ୍ କଲି ଯେ, ଏଇ ଅଭିଶପ୍ତ ଆଉ ଅଦରକାରୀ ଜୀବନ ଦୀପଟାକୁ ଗୋଟାଏ ଫୁତ୍କାରରେ ନିଭାଇ ଦେବି ।”

 

ପ୍ରକୃତରେ ହତଭାଗାଟା ଗୋଟାଏ ଅଭିଶସ୍ତ ଜୀବନ ନେଇ ଏ ଦୁନିଆକୁ ଆସିଥିଲା । ଆଉରି କେତେ କଥା ସେଇ ଦୀର୍ଘ ଲିପିରେ ସେ ଲେଖି ଯାଇଥିଲା । ଏଇ ଦୀର୍ଘକାଳ ଧରି ମୁଁ କେତେଥର ସେ ଅଶ୍ରୁଳ ଲିପିଟି ପଢ଼ିଛି । ଆଉ ପ୍ରତିଥର ଦୀର୍ଘ ନିଃଶ୍ଵାସ ପକାଇ ଭଗବାନ୍‍ଙ୍କୁ ପ୍ରାର୍ଥନା କରିଛି–ପ୍ରଭୋ, ହତଭାଗ୍ୟ ଜଗବନ୍ଧୁର ଅତୃପ୍ତ ଆତ୍ମାକୁ ଲୋକାନ୍ତରରେ ଶାନ୍ତି ଦିଅ ।

Image